P.purabi Mohanty

Others

3  

P.purabi Mohanty

Others

ପଳାୟନ ସାଜି

ପଳାୟନ ସାଜି

5 mins
241



ଚା କପଟିକୁ ଧରି ବାଲକୋନିରେ ବସି ରାସ୍ତା ଆଡ଼କୁ ଦେଖୁଥାଏ ଲିନା । କିଛି ଚିନ୍ତା କରୁନଥାଏ , ବାସ୍ ଦେଖି ଚାଲୁଥାଏ । ଏହା ତାର ନିତିଦିନିଆ ନିୟମ । ସକାଳ ଚାକପ୍ ଟିକୁ ଧରି ଘଣ୍ଟା ଘଣ୍ଟା ବସିରହେ ସେଠି । ଦେଖୁଥାଏ ଶିତଦିନିଆ କୁହୁଡ଼ିଆ ସକାଳକୁ , ଆଉ ଦେଖୁଥାଏ କିଛି ଅର୍ଦ୍ଧ ମୁଦ୍ରିତ ମନୁଷ୍ୟ ଜଗତକୁ , ଯେଉଁମାନେ କି ସକାଳ ମର୍ଣିଂୱାକ୍ ରେ ରାସ୍ତା ଅତିକ୍ରମ କରି ଯାଉଥାନ୍ତି । କୁହୁଡି ଚାରିଆଡକୁ ମାଡ଼ି ଯାଇଥାଏ । ଏ ବର୍ଷ ପ୍ରବଳ ଶୀତ ହେବ ବୋଲି ଆଗରୁ ପାଣିପାଗ ବିଭାଗ ଟିଭିରେ ଶୁଣେଇ ଦେଇଥାଏ । ତେଣୁ ସକାଳ ଦଶଟା ବେଳ ହେଲେ ମଧ୍ୟ କୁହୁଡି ସେହିଭଳି ବାତାବରଣକୁ ଆଚ୍ଛାଦିତ କରି ରଖିଥାଏ । ଲିନା ହଠାତ୍ କଣ ଗୋଟାଏ କାମ ଭୁଲିଯାଇଛି ବୋଧକରି ଘର ଭିତରକୁ ଦୌଡ଼ି ଚାଲିଗଲା । ଗୋଟିଏ କୋଠରିର ଦୃଶ୍ୟ । ସାଧାରଣ ଭାବେ ସରଞ୍ଜାମ ସବୁର ଅବସ୍ଥିତି । କିଛିବହି ସେଲ୍ଫରେ ଆଉ ଟେବୁଲ୍ ଉପରେ ଗୋଟିଏ ତବଲା ରଖାହୋଇଛି । କାନ୍ଥରେ ଝୁଲୁଛି କିଛି ଘୁଙ୍ଗୁର । ବେଡ୍ ଗୋଟେ ପଡ଼ିଛି । ଆଉ ସେ ବେଡ୍ ଉପରେ ବସି ରହିଛନ୍ତି ଜଣେ ମହିଳା । ବୟସ ପାଖାପାଖି ପଚାଶ ଉପରେ ହେବ ।

ଲିନା - " ମା , ତୁ ଔଷଧ ଖାଇଲୁଣି । ମୁଁ ଜାଣିଛି ମୁଁ ନ ଦେଲେ ତୁ ଖାଇ ନଥିବୁ । ଘରେ ଦୁଇ ଦୁଇଟି ଚାକର , କଣ କାହାର ଟିକେ ବେଳନାହିଁ ତୋତେ ଔଷଧ ଦେଇ ଯିବାକୁ । ମୁଁ ଯାଏଁ ଦେଖେ ସବୁ କୁଆଡେଗଲେ । ଟେବୁଲ୍ ଉପର ଔଷଧ ଜରିରୁ ଗୋଟିଏ ବଟିକା ବାହାରକରି ହାତକୁ ବଢ଼େଇଦେଲା । "

ଲିନା - ମାଆ ନେ , ଏ ଔଷଧକୁ ଖାଇଦେ ।

ଲିନାର ମା ହାତରୁ ଔଷଧ ନେଲେ ଆଉ ପାଟିରେ ଦେଇ ପାଣି ପିଇବାକୁ ହାତ ବଢ଼େଇଲେ । ଲିନା ସଙ୍ଗେସଙ୍ଗେ ଟେବୁଲ୍ ଉପର ପାଣି ବୋତଲଟିକୁ ଗିଲାସରେ ଓଜାଡ଼ି ବଢ଼ାଇଦେଲା ମା ହାତକୁ । ମାଆ ହାତରେ ଗିଲାସ ଧରିଲା ବେଳେ ଲିନା କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା ସେ ହାତକୁ ଦେଖି ଆଉ ତା ମାଆ ହାତର ଶଙ୍ଖାକୁ ଦେଖି । ପାଣି ପିଇସାରିଲା ପରେ ଲିନା ଧୀରେଧୀରେ ସେ କୋଠରିରୁ ବିଦାୟ ନେଇ ତା ଚିରାଚରିତ ସ୍ଥାନକୁ ଚାଲିଆସିଲା । ଆଉ ଚେୟାର ପଛକୁ କରି ବସିପଡ଼ିଲା । ପୂର୍ବେ ଏଠି ବସିଥିବା ଲିନା ଆଉ ଏବେକାର ଲିନା ମଧ୍ୟରେ ଭିନ୍ନତା ଆସିଯାଇଥାଏ । ପୂର୍ବେ ଲିନା ଏ ସଂସାରକୁ କୌତୁହଳ ଓ ଜିଜ୍ଞାନ୍ସୁ ମନୋଭାବ ନେଇ ଦେଖୁଥିଲା କିନ୍ତୁ ଏବେର ଲିନା ସାମାନ୍ୟ କ୍ରୋଧ ଓ ଅଭିଯୋଗରେ ମର୍ମାହତ । ଏବଂ ଏହି ଅଭିଯୋଗକୁ ପୂର୍ବ ଭାବନାରେ ବାଢ଼ି ବସିଥିଲା । କୋରନା କଣ କମ୍ ଦୁର୍ଦ୍ଦଶା ଦେଇଥିଲା ଯେ ଏବେ ଏ କୁହୁଡିର ପ୍ରକୋପ । ଏ କୁହୁଡି ଧୁଆଁଳିଆ ବାତାବରଣ ପ୍ରଭାବରେ କେତେ କଣ ଘଟିଯିବ । ରାସ୍ତା ନ ଦେଖାଯିବାରୁ ଦୁର୍ଘଟଣା ଘଟିପାରେ । ଆଉ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିବ । ଲୋକମାନେ କିଭଳି କେଜାଣି ଏମିତି କୁହୁଡିଆରେ ବାହାରକୁ ବାହାରୁଛନ୍ତି , କଣ ସେମାନଙ୍କର ସାଧାରଣଜ୍ଞାନ ନାହିଁ । ଏପରି କୁହୁଡି ସକାଳରେ କିଏ କଣ ବାହାରକୁ ବାହାରେ । ଏହିଭଳି ଅନେକ ଅଭିଯୋଗ ଆଉ ଟିକେ ରାଗରେ ଜର୍ଜରିତ ହେଲା ଲିନା । ଏହି ସେହି ଲିନା ଯେ କିଛି ସମୟ ପୂର୍ବରୁ ପ୍ରକୃତିକୁ ଉପଭୋଗ କରୁଥିଲା କିନ୍ତୁ ଏବେ ଧରା ଦେଇଛି ସେଠି ଅଭିଯୋଗ , ରାଗ ଆଉ କିଛି ମର୍ମାହତ ସ୍ମୃତି । ଏହାଥିଲା କିଛି ମୁହୂର୍ତ୍ତରେ ପରିବର୍ତ୍ତନର ପ୍ରଲେପ । ଏହି ପରିବର୍ତ୍ତନଟି ମା ଙ୍କୁ ଔଷଧ ଦେଇ ଆସିବା ପରର । କିଛି ଅତୀତର ଘଟଣା ଆଉ ସେ ଅତୀତର ଦୁଃଖ ଯନ୍ତ୍ରଣା ଆଦିର ଏକ ସମାହାର । ଯେଉଁହାତ ଦିନେ ଚୁଡି ପିନ୍ଧି ଓଡ଼ିଶୀ ମୁଦ୍ରାରେ ହାତ ଚାଳନା କରୁଥିଲା ଆଜି ସେହି ହାତରେ ବୟସର ଛାପ ସ୍ପଷ୍ଟ ପ୍ରତୀୟମାନ ହେଉଥାଏ । ହାତଟି ଦୁର୍ବଳ , ଚର୍ମ କୁଞ୍ଚ କୁଂଚ ହୋଇ କିଛି ଧରିବାକୁ ଯିବାସମୟରେ ଥରୁଥାଏ । ମାନସିକ ଜର୍ଜରିତ କଷ୍ଟ ହିଁ ଏଭଳି ପରିଣାମ ଦେଇଛି ଲିନାର ମାଆକୁ । ଲିନା ତା ମାଆକୁ ଭିତରୁ ଦେଖି ଆସିଲାପରେ ଇଛା ନଥିଲେ ମଧ୍ୟ , ଅତୀତସବୁ ମନେ ପଡିଗଲା ଅଭିଯୋଗ ଦେଇ । କି ଭୁଲ୍ ଥିଲା , କେଉଁଠି ଭୁଲ୍ ଥିଲା ଆଉ କିପରି ଭୁଲ୍ ଥିଲା । ମିଷ୍ଟର ପଣ୍ଡା କେବେ ଥରେ ଚିନ୍ତା କରିଛନ୍ତି କି ଏତେ ବଡ଼ ଦୁନିଆରେ ଚାରି ବର୍ଷର ଝିଅକୁ କୋଳେଇ ଏକ ନାରୀ କେମିତି ନିଜକୁ ସାବ୍ୟସ୍ତ କରିବ । କିନ୍ତୁ ନା ତାଙ୍କର ଇଚ୍ଛା ହେଲା ଚାଲିଗଲେ । ହଁ ଯଦି ସେ ନିଜ ଇଚ୍ଛାରେ ଚାଲି ଯାଇଛନ୍ତି ତେବେ ଠିକ୍ ଅଛି , ଅନିଚ୍ଛା ସମ୍ପର୍କ ବଂଧନରୁ ମୁକ୍ତି ପାଇଁ ସେ ଥିଲେ ସ୍ୱାଧୀନ କିନ୍ତୁ ଏଥିପାଇଁ ଲିନାକୁ ପରୋକ୍ଷରେ ଦଣ୍ଡ । କି ନ୍ୟାୟ କରିଛନ୍ତି ମିଷ୍ଟର ପଣ୍ଡା ? ଅନ୍ୟ ପକ୍ଷରେ ସେ ଯାଇ ମଧ୍ୟ ଯାଇପାରିନାହାନ୍ତି କାରଣ ମାଆ ପାଇଁ । ମାଆକୁ ଯେତେଥର ଲିନା ଦେଖେ ସେତିକି ଥର ତାଙ୍କ କଥା ମନେପଡେ । ମାଆର କୁଞ୍ଚୁ କୁଂଚୁ ଚର୍ମ ଦ୍ଵାରା ଆବୃତ୍ତ ହାତରେ ସ୍ବାମୀର ମଙ୍ଗଳ ପାଇଁ ଶଙ୍ଖା , ମଥାର ଏକ ଅଂଶରେ ଉପସ୍ଥିତ ଧଳା ବାଳ ମଧ୍ୟରେ ସାମାନ୍ୟ ସ୍ପଷ୍ଟ ସିନ୍ଦୂରଗାର ସ୍ବାମୀର ଶୁଭ ମନାସି , ଆଉ ମିଷ୍ଟର୍ ପଣ୍ଡାଙ୍କ ପ୍ରିୟରଙ୍ଗ ଲାଲ ଶାଢ଼ୀରେ ସ୍ପଷ୍ଟ ଦେଖାଯାଉଛି ଯେ ସେ ଏବେ ସୁଦ୍ଧା ନରହି ରହିଯାଇଛନ୍ତି । ଏହା ସତ ଯେ ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ଅଟେ ତା ଅର୍ଥ ନୁହେଁ କି ପୀଡ଼ିତା ସ୍ତ୍ରୀକୁ ଦେଖିଲେ ସେ ପଳାୟନ ପନ୍ଥିର ଅର୍ଦ୍ଧ ମୁଦ୍ରିତ ସ୍ମୃତି ମନ ମସ୍ତିଷ୍କରେ ଖେଳିବାର ଅଧିକାର ରହିବା ଉଚିତ୍ । ଲିନାକୁ ସେ ଅତୀତର କର୍କଶ ଘଟଣାସବୁ ଏଭଳି ଗୋଡ଼େଇ ଥିଲା କି ସେ ତା ମାଆକୁ ବାଧ୍ୟ ହୋଇ ନେଇଆସିଥାଏ ଏହି ବାଲେଶ୍ଵର ସହରକୁ । ଆମେ ଏଭଳି ଏକ ସମାଜରେ ବାସ କରୁଛୁ ଯେଉଁଠି ନାରୀର ସବୁ ଭୁଲ୍ ବୋଲି କୁହାଯିବ । ସେ ଭଲ ଭାବରେ ତା ସ୍ବାମୀ ସହ ସମ୍ପର୍କ ରଖିପାରିଲା ନାହିଁ ତେଣୁ ପରିତ୍ୟାଗ ହୋଇଗଲା । କିନ୍ତୁ ଯେଉଁ ପୁରୁଷ ନିଜ ଦାୟିତ୍ୱକୁ ଭୁଲି , କର୍ତ୍ତବ୍ୟକୁ ପାଶୋରି ପଳାୟନ ସାଜି ଚାଲିଯାଏ ତେବେ ସେ କଣ ହେବ ସମାଜ ଦୃଷ୍ଟିରେ । ମାଆ ପୂର୍ବେ ଏକ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରେ ଛୋଟ ଛୋଟ ଝିଅମାନଙ୍କୁ ନାଚ ଶିଖାଉଥିଲା । ଜେଜେ ଘରେ ବହୁତ ବିରୋଧ କରିଲେ ଏ ବାହାଘର ପାଇଁ ମାତ୍ର କୁହାଯାଏ ନା ଯେଉଁଠି ଯାହା ସହିତ ବନ୍ଧନ ଯୋଡିବାକୁ ସ୍ଥିରଥାଏ ସେଇଠି ହିଁ ହେବ , ତେଣୁ ହେଲା । ଲିନା ଆଜି ଭାବୁଛି ଭଲ ହୋଇଥାନ୍ତା ଯଦି ଏ ବାହାଘର ହିଁ ହୋଇନଥାନ୍ତା । ନା ସେମାନେ ସ୍ବାମୀ , ସ୍ତ୍ରୀ ସମ୍ପର୍କରେ ବାନ୍ଧି ଥାଆନ୍ତେ ନା ଏଭଳି କିଛି ହୋଇ ଥାଆନ୍ତା ଆଉ ନା ଲିନା ଦୁନିଆକୁ ଆସି , ବିବାହ ବୟସରେ ପହଞ୍ଚି ନିଃସଙ୍ଗ ଏକୁଟିଆ ହୋଇ ଛାତ ଉପରେ ଉପସ୍ଥିତ ରହି ଜାହିର କରନ୍ତା । ଠିକ୍ ସେହିପରି ଲିନା ମଧ୍ୟ ବାଛିଥିଲା ତା ଜୀବନ ସାଥିକୁ । ଶଶାଙ୍କ ଆଉ ଲିନା ପରସ୍ପର ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ହେଲା କଣ । ସମାଜ ତାର ମତ ଦେଲା ଆଉ ଲଦିଦେଲା ଦୋଷର ପାହାଡ଼ ଆଉ ତା ମାଆ ଚରିତ୍ରକୁ ପର୍ଯ୍ୟାଲୋଚନା କରିବସିଲା । ଏକୁଟିଆ ନାରୀ ଯେ କିଭଳି ଦୃଢ଼ ଭାବରେ ତା ଝିଅକୁ ସମାଜରେ ଛିଡ଼ା କରିଛି , ଏହି କଥାକୁ ଶଶାଙ୍କ ର ଘରଲୋକ ଅନୁଭବ ନ କରି ସ୍ବାମୀ ଛଡା କହି ବିବାହ ପାଇଁ ମନା କରିଦେଲେ । ସେଦିନ ଆଜି ବି ମନେ ଅଛି ଯେବେ ଶଶାଙ୍କ ତାଙ୍କ ପ୍ରେମସନ୍ତକ ମୁଦିଟି ଫେରାଇବା ପାଇଁ ଆସିଥିଲା । ମାଆ ସେହିଦିନ ଠାରୁ ଅଚଳ ହୋଇଯାଇଛି , ନା ଭଲ ଭାବରେ କିଛି କହୁଛି ନା ନିଜକୁ ଛିଡ଼ା କରି ପାରୁଛି । ଶଶାଙ୍କ ଚାହିଁଥିଲେ ମୀଷ୍ଟର୍ ପଣ୍ଡାଙ୍କ ଭଳି ପ୍ରେମକୁ ସାବ୍ୟସ୍ତ କରି ଘର ଲୋକଙ୍କ କଥାକୁ କର୍ଣ୍ଣପାତ ନ କରି ଲିନାକୁ ନିଜର କରିପାରିଥାନ୍ତା । କିନ୍ତୁ ନା , ସବୁକିଛିକୁ ଭୁଲି ମନରୁ ପାଶୋରି , ତା ପରଦିନ ଫ୍ଲାଇଟରେ ବସି ଚାଲିଗଲା ସବୁଦିନ ପାଇଁ । ସେ ଚାଲିଗଲା କିନ୍ତୁ ଲିନା ଆଜି ମଧ୍ୟ ସ୍ଥିର ହୋଇରହିଛି ଆଉ ଏହି ପଳାୟନପନ୍ଥି ସମାଜରେ ବଞ୍ଚିରହି ସଂଗ୍ରାମ କରୁଛି । ।



Rate this content
Log in