Panchanan Jena

Inspirational

4.0  

Panchanan Jena

Inspirational

ଶୁଦ୍ଧ ସୁବର୍ଣ୍ଣା

ଶୁଦ୍ଧ ସୁବର୍ଣ୍ଣା

11 mins
40


"ମୋ' ରଙ୍ଗ ମୋ' ପାଇଁ କେବେ କଳଙ୍କ ନୁହଁ । କେଉଁ ଅଭିଶାପ ବଳରେ ମୋ' ଦେହର ରଙ୍ଗ ମଧ୍ୟ କଳା ନୁହଁ । ମୁଁ କଳା କାରଣ ମୋ' ଚର୍ମ ବିଶ୍ଵର ସବୁ ଦୁର୍ଗନ୍ଧ ଧରି ରଖିପାରିବାର କ୍ଷମତା ବହନ କରେ । ମୁଁ ସତରେ ମାଟି ତଳେ ଆବଦ୍ଧ ସୂର୍ଯ୍ୟର ବୁନ୍ଦାଏ ଅଭିମାନ, ମାନ ସମ୍ମାନ ।"

ହା--ହା--ହା---ମିଛ - ମିଛ - ସବୁ ଡାହା ମିଛ : 

ହା--ହା--ହା-- ସବୁ ମିଛୁଆ - ପ୍ରକାଣ୍ଡ ମିଛୁଆ -- 

ହା--ହା--ହା-- ଶବ୍ଦର ମାୟାଜାଲରେ ମିଛକୁ ସତସତିକା ଲେଖିଛନ୍ତି --- ହା---ହା---ହା--- 

ଶଳା ହାରାମୀ --- ହା--ହା---

ବ୍ଲଡି ବିଚ୍ ---ହା--ହା-- ମାଇଁ ଫୁଟ --ହା---ହା-- 

ତେରୀ ମା' କି ସାକି ନାକି---ହା--ହା--ହାହାହା ।

ସତେଇଶ ବାର ବାହାଘର ପ୍ରସ୍ତାବ ଭାଙ୍ଗିଯିବା ଦୁଃଖରେ ସଢୁ ସଢ଼ୁ ; ନିଜର ଶାବନା ଶ୍ୟାମଳୀ କାଳୀ ରଙ୍ଗର ମହକ ଯୌତୁକ ଲୋଭୀ ସ୍ୱାମୀ ବଜାରରେ ମନୋହରୀ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାରେ ବାରମ୍ଵାର ବିଫଳ ହେବାର ନିରାଶା ହତାଶାରେ ଭାଙ୍ଗି ପଡୁ ପଡ଼ୁ ; ଇଙ୍ଗା ଦଦରା ମନକୁ ଆଶାର ଛୁଞ୍ଚିରେ ସିଲେଇ କରିଦେବା ଅଭିପ୍ରାୟରେ କୌଣସି ଖ୍ୟାତନାମା ବିଦେଶୀ ଔପନ୍ୟାସିକାର ବହି ପଢୁ ପଢ଼ୁ, ୨୮ ବର୍ଷିଆ ଝିଅ ସ୍ୱର୍ଣ୍ଣମୁଦ୍ରା ( ସ୍ୱର୍ଣ୍ଣ) ସରାଫର ଏମିତି ବିକଟାଳ ଅଟ୍ଟହାସ୍ୟ ଘରର କୋଣ ଅନୁକୋଣକୁ ତଥା ସଂଜବେଳର ନିରାମୟ ପରିବେଶକୁ କାରୁଣ୍ୟତାରେ ଅବଦ୍ଧ କରୁଥିଲା ।

ପୂଜାଘରେ ସଂଧ୍ୟାଦୀପ ଆଳତୀ ମଧ୍ୟରେ ଠାକୁରଙ୍କୁ ମୁଣ୍ଡିଆ ମାରୁଥିବା ମଧ୍ୟରେ ବୋଉ ଶ୍ରୀମତୀ ଭାନୁପ୍ରିୟା ସରାଫ ଭାବୁ ଥିଲେ ଅଳିଅଳି ଝିଅ ସ୍ୱର୍ଣ୍ଣର ବାହାଘର ଉପରେ ଅନିଶ୍ଚିତତାର ମୋହର ଓ ପଡୋଶୀ- ସାହି ପଡ଼ିଶା ତଥା ପୂରା ବଗଦା ଗାଁ ଯାକର ଟୁପୁର ଟାପୁର ଟାହି ଟାପରା -- ଚିତ୍ତ ( ଚିତ୍ତରଞ୍ଜନ ) ସାରଙ୍କ ବଡ଼ ଝିଅଟା ଦରବୁଢୀ ହୋଇଗଲାଣି, ତା'କୁ ଆଉ କି'ଏ ବାହା ହେବ ଯେ ? ଏକେ ତ କାଳୀକୋତରି । ପାଠ ଦି ଅକ୍ଷର ପଢେଇଲେ ବୋଲି, ରାଜଧାନୀ ଭୁବନେଶ୍ଵରରେ ପଢ଼େଇଲେ ବୋଲି, ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାରରେ ପୋଷ୍ଟ ଗ୍ରାଜୁଏସନ କରେଇଲେ ବୋଲି, ଆଉ ବାହାଘର ନାଁ ଧରୁନାହାଁନ୍ତି । କି ଭଳିଆ ବାପା-ମା' କେଜାଣି ? ଯୋଉ ବୟସରେ ଯଉଁ କଥା ନା ! ବେଳ ଭାତ ବେଳକୁ -- ଅବେଳ ଭାତ ଖାଳକୁ ----- l

କଣା ଭାଇ ଘର ନମି ଭାଉଜ ଆହୁରି ରୂପକଳ୍ପ ଲଗେଇ ମଧୁରିଆ ଭାଷାରେ କୁଟକୁଟା ଛାତିଫଟା କଥା କୁହନ୍ତି -- ବୁଝିଲ ଭାଉଜ ! ତୁମେ ଯେଉଁ ଶାରୀ ଭଳି ରଟ- ଅଝଟ ଲଗେଇଛ ନା, ତୁମେ ଯେଉଁ ଚାକିରୀ କଲେ ଝିଅକୁ ବିଦା କରିବ ଭାବିଛ ନା, ତୁମେ ଯେଉଁ ନାରୀ ସଶକ୍ତୀକରଣ କଥାକୁ ମୁଣ୍ଡି ବସିଛ ନା, ତୁମେ ଯେଉଁ ନାରୀର ଆର୍ଥିକ ସ୍ଵାଧିନତାର ଆକାଶ କୁସୁମ ନ୍ୟାୟର ଡିଣ୍ଡିମ ହାଙ୍କୁଛ ନା, ସେତେ ସପନକୁ ରାତି କାହିଁ ବା ? 

ମଝିଆଁ ମାଇଁ ବି ଯୋଡି ଦିଅନ୍ତି----- ସାବନୀ ଝିଅ ଆମର ସ୍ୱର୍ଣ୍ଣ । କାଳି ଝିଅ ଯିଏ କହିବ ତା' ଦାନ୍ତ ଭାଙ୍ଗିଦେବି ? କେଉଁ ଗୁଣରେ କମ୍ କି ଆମର ସୁନା ଝିଅ ସ୍ୱର୍ଣ୍ଣ ? ଖଣ୍ଡମଣ୍ଡଳରେ ଉଣ୍ଡି ଆଣ ତ, ଦଶ ଖଣ୍ଡ ମୌଜାରେ ପଚାରି ଆସ ତ, ପାଞ୍ଚ ପଚିଶ ପଞ୍ଚାୟତରେ କହି ବୁଲ ତ, ଆମ ସ୍ୱର୍ଣ୍ଣ ଭଳିଆ ଗୁଣର ଯଦି ଗୋଟିଏ ବି ମିଳିଯିବ, ତା ହେଲେ ମୁଁ ଯୋଡେ କାଳିଆ କୁକୁର ପାଳିବି । କାନ୍ଥରେ ଗାର ଟାଣି କହି ଦେଉଛି ହଁ ।

ଛୁଚା କାକା ଘର କାକୀ ପାନଖିଆ ଦାନ୍ତ ଦେଖେଇ ନେଫେଡି କହନ୍ତି ------ହେଇଟି ଭାଉଜ ! ତୁମେ କ'ଣ ବା ସେ ମଫସଲିଆ ମରହଟ୍ଟିଆ ଯୁଗ କଥା କହୁଛ ? ସ୍ୱର୍ଣ୍ଣର କେଉଁଠି ଚକ୍କର ଚାଲିଥ୍ଵବ, କେଉଁ ସହରୀ ଟୋକା ସହିତ ଚୋରା ପୀରତି ଚାଲିଥିବ । ସେଥିପାଇଁ ଟୋକୀର ସବୁ ପ୍ରସ୍ତାବ ଉପରେ ଜଉମୁଦ ନାଁ ।

ହକ ତା ବୟସର ତା ସାଙ୍ଗିଆ ବିଶ୍ଵାଳ ଘର ଝୁନା ଦିଟା ଛୁଆର ମା' ହୋଇ ଆସିଛି ସାନ ଭାଇ କୁନା ବାହାଘର ଖାଇବାକୁ ଗତକାଲି । ବାହାଘର ପରେ ବି ତ ଚାକିରି କରିହେବ ଯେମିତି ରାଉଲକେଲା ଝିଅ ତଥା ଭୁବନେଶ୍ଵର ବୋହୁ କଳ୍ପନା ମହାପାତ୍ର ଆଇଏସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦଶ ନମ୍ବର ସ୍ଥାନ ରଖିଲେ ବାହାଘର ପରେ ନା ଆଉ । ----- ରାଜମିସ୍ତ୍ରୀ ଭୀମ ଜେନାର ପାଠୁଆ ଭାରିଜା ବେଳେ ଅବେଳେ ଦେଖାହେଲେ କହିଦିଏ ।

ନେପାଳି ଦାସ ସ୍ତ୍ରୀ ବାନ୍ତିଆ ମା' --- ତା ନାଁ ମନେ ପଡୁନି ମୋ --- ମରି ଯାଆନ୍ତି କି ତରି ଯାଆନ୍ତି --- କହି ବସନ୍ତି -----ହଇ ହୋ ଅପା ! ତୁମେ ମା'ଟା ହେଇ କି ଚିତ୍ତ ଭାଇଙ୍କୁ କିଛି କହୁନା କାହିଁକି ? ସେ ବାହାରେ ବୁଲୁଛନ୍ତି, ପାଞ୍ଚ ପଚିଶ ଲୋକଙ୍କ ସାଙ୍ଗେ ମିଶୁଛନ୍ତି, ବାହାର ଦୁନିଆ ବିଷୟରେ ବହୁତ କିଛି ଜାଣିଛନ୍ତି । ପୁଣି ମାଷ୍ଟ୍ରିଆ ଲୋକ । କେଉଁଠି ନା କେଉଁଠି ଘଟସୂତ୍ର କଥା ପକେଇ ଥାନ୍ତେ ନା ।

ପଇଡ଼ା ସାହିର ଫାଳଙ୍ଗା ଦାନ୍ତି ଫେନ୍ତି ଅପା କୁହେ -- ସବୁର ଗୋଟେ ବୟସ ଥାଏ । ତୁମେ ଜାଣିନ କି ? ବିଳମ୍ବ ବିବାହ ଗର୍ଭଧାରଣରେ ଅକ୍ଷମତା ତଥା ନାନାବିଧ ଗାଇନୋଲୋଜିକାଲ୍ ସମସ୍ୟାର ଗନ୍ତାଘର ବୋଲି ମୁଁ ଆମ ରାଣୀଖୁଡୀ ଗାଁର ଏନ୍ଏମ୍ ପୁଷ୍ପା ଦିଦିଙ୍କ ଠାରୁ ଶୁଣିଥିଲି । କୁଆଡ଼େ ବିବାହ ବିଚ୍ଛେଦର ମୂଳ କାରଣ ଏହି ବିଳମ୍ବ ବିବାହ ।

ଏମିତି ତୁଣ୍ଡବାଇଦ ଅଲକ୍ଷଣିଆ କଥା ମନ ମଗଜକୁ ଧସେଇ ପଶୁଥାଏ ; ଆଖିଦ୍ଵୟ ଲୁହଧାରରେ ଭବୁଟୁବୁ ଯେମିତି ଧାରା ଶ୍ରାବଣ ବୋଲ ମାନୁନି । ସେହି କଳାଠାକୁର ଜଗତର ନାଥ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଉଠୁଉଠୁ ମନରେ ପୁଣି ଭାବାନ୍ତର ---

ତୁହି ହିଁ ସାହା ଭରସା ମୋ'ର । ତୁ ତ ଝିଅକୁ ମୋ ଗର୍ଭରେ ସଞ୍ଚାର କରିଛୁ, ମାନେ କିଛି ତ ଭାବିକି କରିଥିବୁ । ତୋ ବାଉଳି ସାବନୀ ଝିଅ, ତୋ ବାଡୁଅ ଅଭିଆଡ଼ି ଝିଅ, ତୋ ପାଗଳୀ କାଳି ଝିଅ ତୋତେ ଲାଗିଲା l ତା ଭବିଷ୍ୟତ ଡୋରୀ ତୁ ସମ୍ଭାଳ ।"

ପଣତ କାନିରେ ନିଗିଡ଼ା ଗରମ ଲୁହକୁ ପୋଛିପାଛି ଠାକୁର ଘରୁ ବାହାରୁ ବାହାରୁ ପତିଦେବ ଆର୍ଯ୍ୟପୁତ୍ର ଚିତ୍ତରଞ୍ଜନ ବାବୁ ହସହସ ମୁଁହରେ ଝିଅ ସ୍ୱର୍ଣ୍ଣର ନିଯୁକ୍ତି ଚିଠିର ଲଫାପା ଧରେଇ ଦେଲେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରୋବେସନାରୀ ଅଫିସର ଭାବେ ମୁକୁଳୁସି ବ୍ରାଞ୍ଚରେ ପୋଷ୍ଟିଙ୍ଗ, ଆଗାମୀ ସାତ ଦିନ ମଧ୍ୟରେ ଜଏନ୍‌ କରିବାକୁ ନିର୍ଦ୍ଦେଶିତ । 

ଆପଣାଛାଏଁ ହାତ ଦୁଇଟି ସେହି ବଳିୟାର ଭୁଜଙ୍କୁ ଧନ୍ୟବାଦ ସାଧୁବାଦ ଦେଉଥିଲା । ଲୋଚନ ଯୋଗଳରେ ଆନନ୍ଦାଶ୍ରୁର ସ୍ତବକ । ସତରେ ସମୟ କ୍ଷଣ କ୍ଷଣ କେ ଆନ । 

ଆଉ କିଛି ଘଣ୍ଟା ଆଗରୁ ବାଉଳୀ କାଉଳୀ ବାଚାଳୀ ପାଗଳୀ ଶ୍ୟାମଳୀ ଝିଅ ସ୍ୱର୍ଣ୍ଣ ଉପରେ ଅସୁମାରୀ ଶୁଭେଚ୍ଛାର କଦମ୍ ତାଲ୍ । ମନେ ପଡିଯାଉଥିଲା କତିପୟ ଅନାମଧେୟ ପ୍ରାବନ୍ଧିକର ଅମର ଲେଖାନୀରୁ କ୍ଷରିତ ପଦେ -- ସତରେ ସବୁଠାରୁ ନିଜର କି'ଏ ? ସମୟ ହିଁ ଉତ୍ତର ତାର । ସମୟ ଭଲ ସମସ୍ତେ ନିଜର ; ସମୟ ଖରାପ ସମସ୍ତେ ପର ସ୍ଵାର୍ଥପର । 

ସମୟର ଚକ ପରିବର୍ତ୍ତନର ମୋଡରେ । ଚାକିରି ଛଅ ମାସ ନ ଯାଉଣୁ ଭଲ ଭଲ ପ୍ରସ୍ତାବ ଆପେ ଆପେ ଆସି ଘରେ ହାଜର ପାଦେ ଯୁହାର । ବସ୍ତା ବଜାରକୁ ଲାଗି ହସପିଟାଲ ରୋଡର ଖାନଦାନୀ ସାହୁ ବଂଶର ଶ୍ରୀଯୁକ୍ତ ମନ୍ମଥ କୁମାର ସାହୁ ଓ ଶ୍ରୀମତୀ ହରପ୍ରିୟା ସାହୁଙ୍କର ଦ୍ୱିତୀୟ ପୁତ୍ର ସୁପୁତ୍ର ମେକାନିକାଲ ଇଞ୍ଜିନିୟର ଓଡ଼ିଶା ମାଇନିଙ୍ଗ କର୍ପୋରେଶନ, କାଳିଆପାଣି, ଯାଜପୁରରେ କାର୍ଯ୍ୟରତ ଶ୍ରୀମାନ ଆୟୁଷ୍ମାନ ଶିଦ୍ଧାର୍ଥ ଶଙ୍କର ସାହୁଙ୍କ ସହିତ ବି ଫିଟ୍ ହୋଇଗଲା । ସତରେ ଭଗବାନଙ୍କ ଘରେ ଡେରି ହୁଏ କିନ୍ତୁ ଅନ୍ଧାର ନଥାଏ । ଆଉ ଦେଖ! କେମିତି ଛପରଫାଡି ଖୁସି ଅଜାଡି ପଡ଼ୁଛି ।

ଆଉ ଆଜି ସେହି ବହୁ ପ୍ରତୀକ୍ଷିତ ରିଙ୍ଗ ସେରିମନିର ଆସର, ଶୁଭ ସୁକୃତ- ନିର୍ବନ୍ଧ କାର୍ଯ୍ୟର ଶ୍ରୀଗଣେଶ । ଉଭୟ ସ୍ୱର୍ଣ୍ଣ ଓ ସିଦ୍ଧାର୍ଥ ପରସ୍ପରକୁ ମୁଦି ପିନ୍ଧେଇ ସାରିଛନ୍ତି ବନ୍ଧୁ-ବାନ୍ଧବ ପଡ଼େ।ଶି ପ୍ରତିବେଶୀମାନଙ୍କ ଗହଣରେ ସୀତାରାମ୍ ପ୍ଲାଜା, ଗାନ୍ଧି ଛକ, ବସ୍ତା ଶୀତତାପ ନିୟନ୍ତ୍ରିତ ହୋଟଲରେ । ପରେ ପରେ ସମସ୍ତେ ନିଜ ନିଜର ପ୍ଲେଟ ଧରି ଖାଇବା ହଲର ସୁରକ୍ଷିତ କୋଣକୁ ବାଛି ନେଉଥାନ୍ତି । ଖୁସିର ଆସର ହସର ପସରା ସମସ୍ତଙ୍କ ମୁଁହରେ ଠାଣିରେ ଅଭିବାଦନ ଓ କରମର୍ଦ୍ଦନରେ । ସତରେ ଝିଅ ସ୍ୱର୍ଣ୍ଣର କି ଭାଗ୍ୟ ? 

ସୁନାରେ ଲଦା ସୁନାନାକୀ ସ୍ୱର୍ଣ୍ଣ କିନ୍ତୁ ନିଜର ସହେଲି ସହଚରୀ ସହପାଠୀ ସହକର୍ମୀ ବାନ୍ଧବୀ ଓ ହେବକୁ ଥିବା ଦେଢ଼ଶାଶୁମା- ବଡ ଯା' ତଥା ଲେଖାଯୋଖା ନଣନ୍ଦ ମାନଙ୍କ ଗହଣରେ ସହମୀ ସରମୀ ନରମୀ କୁଞ୍ଚି- କୁବ଼ଜି ବସିଛି ଚୁପ୍ ଚାପ । ଧିରେ ଧିରେ ଫୁସ୍ ଫୁସ୍ କିଛି କଥା ହେଉଛି । ନୋହିଲେ ସ୍ମାର୍ଟ ଫୋନରେ କେଞ୍ଚି ଚାଲିଛି ଅନବରତ ।

ରୋମାଣ୍ଟିକ୍ ସଙ୍ଗୀତର ମୃଦୁ ମୂର୍ଚ୍ଛନା ଶୀତଳ ସମୀରଣ ଭଳି ଖେଦି ବାଜୁଥିଲେ ବି ହସ-ଖୁସିର, କଥା- ଗଳ୍ପର, ଦିଲ୍ଲୀରୁ ପଲ୍ଲୀର କରେ।ନା ଖବର, କରୀନାର ପ୍ରେଗାନିଉଜ୍‌ରୁ କେର୍ଟ୍ରିନା-ସଲମନର ଲାଇଭଇନ ରିଲେଶନଶିପ୍, ମେଗା ସିରିଏଲ୍ ଠାରୁ ଲକ୍ ଡାଉନ ଗୃହଯୁଦ୍ଧ -- ରାହୁଳ- ରାଫେଲ- ରିଆ- ରାଜପୁତ ଶୁଶାନ୍ତ ସିଂହ- ଆଦିତ୍ୟ ଦାସ - ବିଦ୍ୟାଶ୍ରୀ -- ରାମମନ୍ଦିର ଇତ୍ୟାଦି ଇତ୍ୟାଦିର ଲହର । ସବୁଠିଁ ଖାଲି ଡାଟା ଟ୍ରାନସ୍ ଫର -- ଆଦାନ ପ୍ରଦାନ । ସବୁ ଖଣିଜ ସଂପଦ ସରିଯାଇପାରେ ମାତ୍ର ନାରୀ ପାଖରେ ଆସରନ୍ତି ଖବର ନଜର ଏବଂ ଭଳି କି ଭଳି ତଥ୍ୟ ସମ୍ଭାର ସରିବ କି ? କେବେ ନୁହଁ ; କଦାପି କୁତ୍ରାପି ନୁହଁ !

ହଠାତ୍ ସ୍ୱର୍ଣ୍ଣର ଭାବି ଶାଶୁମା' ଶ୍ରୀମତୀ ହରପ୍ରିୟା ଦେବୀ ସମ୍ବଲପୁରି ପାଟଶାଢୀରେ ଦକ୍ଷିଣ ଭାରତୀୟ ଡବିଙ୍ଗ ସିନେମାର ଦବଙ୍ଗ ଖଳନାୟକର ଦମଦମ ଛମଛମ୍ ଲାବଣ୍ୟବତୀ ବାତୁକୀ ସହଧର୍ମିଣୀ ଚରିତ୍ର ଭଳିଆ ଆବିର୍ଭୂତା ହେଲେ । ସବୁ ଦିଗକୁ ସିଂହାଵଲୋକନ କଲେ ଆଉ ସ୍ୱର୍ଣ୍ଣର ପାଖରେ ଲଥ୍ କରି ବସିପଡିଲେ ଖାଲିଥିବା ଚୌକିରେ ।

ବିଚାରୀ ସ୍ୱର୍ଣ୍ଣକୁ ଦେଖିବାର ଅଛି । ପୂରା ଛାନିଆ । ସବୁ କଥା- ସାଙ୍ଗ- ମୋବାଇଲକୁ ଛାଡ଼ି କେତେବେଳେ ପାଦ ଛୁଇଁଲାଣି ଓଳଗି - ଦଣ୍ଡବତ କଲାଣି ଜାଣି ହେଲାଣି । ବିଚାରୀ କପୋତୀ ।

" ଦେଖ ଝିଅ ! ବାହାଘରକୁ ହାତଗଣତିରେ ଆଉ କେତେଟା ଦିନ ବାକି ରହିଲା କହିଲୁ । ଖରାକୁ ଜମ୍ମା ବାହାରିବୁନି । ବେସନ- ଦହି--ହଳଦୀର ଫେସ୍ ପ୍ୟାକ୍ ସବୁଦିନ ରାତିରେ ଲଗେଇବୁ । ସେଥିରେ ରଙ୍ଗ ସଫା ହୋଇଯିବ । ତୋଫା ଗହମୀ ରଙ୍ଗ ସୁବର୍ଣ୍ଣ ଆଉଟା ଖାଣ୍ଟି ରଙ୍ଗଟା ଫୁଟି-ଉକୁଟି ଉଠିବ ।" ସ୍ଵର୍ଣ୍ଣକୁ କୋଳେଇ ନେଇ ଭାବି ଶାଶୁମା' କାନ ମୂଳରେ ଫିସ୍ ଫିସ୍ କରି ସୂଚନା ଦେଇଥିଲେ । ସ୍ୱର୍ଣ୍ଣ କେବଳ ଏଣ୍ଡୁଅ ଭଳି ମୁଣ୍ଡ ଟୁଙ୍ଗାରୀ ଦେଲା । ସମ୍ମତିର ସମ୍ୟକ ଭଶାରା ଦେଲା । ଏବେ ବି ପାଖରେ ଉପବିଷ୍ଟା ଦେଢ଼ ଶାଶୁମା' ଶ୍ରୀମତୀ ସସ୍ମିତା ସାହୁ ପ୍ରବଚନ ଦେବାକୁ ଆଗେଇ ଆସିଲେ ପାଖେଇ ଆସିଲେ । କପି କରିବା କ'ଣ ଆମ ଅସ୍ଥି - ମଜ୍ଜାଗତ ନା ଡିଏନଏ କ୍ଲୋନିଙ୍ଗରେ । ଚୁପ ଚାପ ବସିଥିଲେ ଘଣ୍ଟାଏ ହେଲା । କଥା ନାହିଁ କି କୁହା ନାହିଁ । ମାତ୍ର ଅଧୁନା ଧାରା ପ୍ରବାହ । ଧନ୍ୟରେ ବିଧାତା !---

" ଲେମ୍ବୁ ଓ ଟମାଟୋ ରସ ଲଗେଇବୁ ସ୍ୱର୍ଣ୍ଣ : ଗୋଲ କାକୁଡ଼ି ଖଣ୍ଡ ଆଖି ଉପରେ ଲଗେଇବାକୁ ଜମା ଭୁଲିବୁନି । କଳା ଦାଗ ସବୁ ଉଭାନ ହେଇ ଯିବ । ରଙ୍ଗ ପୂରା ଚଂପାଫୁଲିଆ ଉକୁଟିବ ! ଆଉ ଆମ ସିଦ୍ଧୁ ପୂରା ପାଗଳ ହୋଇଯିବ । ଆମ ଦେବର ପ୍ରବର ସିଦ୍ଧାର୍ଥ ଶଙ୍କର ତୋ କନକଗୋରୀ ମୁଁହଛଟାକୁ ଦେଖି ମୁରୁକି ମାରିବ ଆଖି ଠାରିବ । ମନେ ରଖିଲୁଟି ! " --- କହିଲେ ଓ ଖିଲି ଖିଲି ହସି ପକେଇଲେ । ଦେଢ ଶାଶୁମାଙ୍କର ମୁକ୍ତ। ପରି ଦାନ୍ତସବୁ ହଁସୁଆ ମୁଁହକୁ ତୋଫା ଗୋରୀ ଦେହକୁ ଦୁର୍ଗାପୂଜା ବେଳର ମୃଣ୍ମୟୀ ମୃତ୍ତି ଭଳିଆ ଲାଗୁଥିଲା ।

ଧିରେ ଧିରେ ଶୁଭଦିନ ବାହାଘରର ତାରିଖ ପାଖେଇ ଆସୁଥିଲା । ଘରେ ଗହଳି ଚହଳି ହିସାବ ନିକାସ ଚିଠା ଲିଷ୍ଟ ଆଲୋଚନାରେ ସମସ୍ତେ ବ୍ୟସ୍ତ ହେବାର ଲାଗୁଥିଲା । ମାତ୍ର ଶାଶୁ ଘରୁ ବସ୍ତା ବଜାରରୁ ଯେବେ ବି ଫୋନ ଆସୁଥିଲା, ସମସ୍ତେ କହୁଥିଲେ ସେହି ଗୋଟିଏ କଥା । ଘରେ ବେଶି ସମୟ ରହିବୁ । ଖରାରେ ବୁଲିବୁନି । ପଦାକୁ ବେଶି ବାହାରିବୁନି । ବ୍ୟାଙ୍କରୁ ସିଧା ଘରକୁ ପଳେଇ ଆସିବୁ ଇତ୍ୟାଦି ଇତ୍ୟାଦି ଉପଦେଶ- ହିତୋପଦେଶ ଖାଲି ରଙ୍ଗ ଚହଟିବା - ଚମକେଇବା ପାଇଁ । ଯେମିତି ଶାଶୁଘର ଲୋକେ ବସ୍ତା ବଜାରର ଶସ୍ତା ବେପାରୀ ; ଗୋରୀ ଚମଡାର ସୌଖନ ସୌଦାଗରୀ ଦରିଆପାରି ସାଧବ ଜମିଦାରୀ;ରଙ୍ଗ ବଜାରର ରଙ୍ଗ ବେପାରୀ ପାଇକାରୀ ।

ସିଦ୍ଧାର୍ଥ ଯେବେ ବି କଲ୍ କରୁଥିଲେ କାଳିଆପାଣି, ଯାଜପୁରରୁ ବା ମ୍ୟାସେଜ୍ ଦେଉଥିଲେ ବା ଭିଡିଓ ପଠଉ ଥିଲେ, ଅଧିକ ଥର ସ୍ୱର୍ଣ୍ଣର ସାବନୀ ରଙ୍ଗକୁ ଶ୍ୟାମଳୀ ଅଙ୍ଗକୁ ନେଇ ମଧୁର ଢଙ୍ଗରେ ବକ୍ରୋକ୍ତି ମିଶା ଫେଣ୍ଟା ଘୋଷା କଥା ହିଁ.କହୁଥିଲେ ।

" ବୁଝିଲ ସ୍ୱର୍ଣ୍ଣ ! ମୋ'ର ତୁମ ସାବନୀ ରଙ୍ଗ ପାଇଁ କୌଣସି ଅବଶୋଶ ନାହିଁ କି କିଛି କହିବାର ନାହିଁ । ମାତ୍ର ମା'ର ମିଲ୍କକି ହ୍ୱାଇଟ୍ ବୋହୁର ଅରମାନ୍‌ ରହିଛି । କାରଣ ଶୁଣିଲେ ତୁମେ ନ ହସି ରହି ପାରିବିନି ? ଲୋକେ କୁଆଡେ କହିବେ ବଗ ତପାରେ କାଉ ? ଆଉ ଭାଉଜ ତୁମକୁ ଯେଉଁ ଯେଉଁ ବିଉଟି ଟିପସ୍‌ ଦେଇଛନ୍ତି ସରାଗରେ ମାନି ନେବ । ମୋ ସୁନାଟା ପରା, ମୋ ରାଣ ରହିଲା । ଆଉ ଶୁଣ ! ଶେଷରେ ତୁମେ ହିଁ ସୁନ୍ଦର ପରି ଭଳି, କଣ୍ଢେଇ ପରି, ଡସ୍କି ନାୟିକା ବିପାସା ପରି ବହି ଜଳେଇ ଦେବ । ଭାବିନିଅ ! ତୁମେ ଯେବେ ଆଇନାରେ ପ୍ରଥମ ଥର ନଜର ପକେଇବ ବିଉଟି ଟିପସ୍ ପରେ ପନ୍ଦର ଦିନ ପରେ ---- କେମିତି ଲାଗିବ ଭାବିନିଅ । ରିସ୍କ ତ ନେବାର ଅଛି ଜୀବନରେ । ଆଉ ତୁମେ ତ ପୁଣି କାଲକୁଲେଟେଡ ରିସ୍କ ନେଉଛ ! ନା -- କ'ଣ କହୁଛ ?

ସ୍ୱର୍ଣ୍ଣ ତ ଉତ୍ତର ଦେବାକୁ ଚାହେଁ ମନେ ମନେ । କଡା ଜବାବ ଦେବାକୁ ମନରେ ହିଲ୍ଲୋଳ ଆନ୍ଦୋଳନର ସଜବାଜ ବି କରିପକାଏ । ଦେହ ମନ ପଞ୍ଚ ଇନ୍ଦ୍ରିୟ ପଚାଶ ପ୍ରକୃତି ଯେମିତି ରାଗରେ ଫଣଫଣ ହୋଇ ଅନ୍ତରାତ୍ସାରେ ବିଦ୍ରୋହର ଡାକରା ପକେଇ ଦିଅନ୍ତି । ମାତ୍ର ମହିୟସୀ ବୋଉର ବାରଣ ଯୋଗୁଁ ଟିକେ ସହମୀ ନରମୀ ଯାଏ । ଆଉ ସେପଟୁ କଥା ସରିଲେ ଫୋନ ବନ୍ଦ ହେଲେ ବୋଉ ଉପରେ ରାଗ-ରୋଷର ମାନ-ଅଭିମାନର ଅଳି-ଅର୍ଦ୍ଦଳିର ମଥା-ମଗଜର ଅଳିଆ-ଆବର୍ଜନାର କୁଢ଼ କୁଢ଼ ମହଣ ମହଣ ଢାଳି ପକାଏ ବରଷି ଯାଏ ।

ମା' ଭାନୁପ୍ରିୟା ଦେବୀ ମତଲବୀ ଦୁନିଆକୁ ହାଡ଼େ ହାଡ଼େ ଚିହ୍ନିଛନ୍ତି । ଝିଅକୁ କୋଳେଇ ଧରନ୍ତି ଓ ପ୍ରବୋଧନା ଆଳରେ କହନ୍ତି --- ତୁ ତ ମୋର ଭାଗ୍ୟବତୀ । ଏତେ ବଡ଼ ଘରେ ପ୍ରସ୍ତାବ ପଡିଛି କାରଣ ତୁ ବ୍ୟାଙ୍କରେ ଚାକିରୀ କରିଛୁ । ନୋହିଲେ ସାଧାସିଧା ମାଷ୍ଟରିଆ ପୁଅଟେ ସହିତ ବିଭା କରିବା ବି କାଠିକର ପାଠ ହୋଇଥାନ୍ତା । 

ତୁ ଶୁଣ ସ୍ୱର୍ଣ୍ଣ ! ସେମାନେ ସଂଭ୍ରାନ୍ତବଂଶ ଘରର ଲୋକେ । ତାଙ୍କର ଆଭିଜାତ୍ୟ ଅଛି । ଖାନଦାନୀ ଲୋକମାନଙ୍କ ସହ ଉଠିବା ବସିବା ରହିଛି । ଆରିଷ୍ଟୋକ୍ରେଟିକ୍ ସର୍କଲ୍ ମ୍ୟାଣ୍ଟେନ କରୁଥିବେ । ତୁ ତ ମୋର ହସମୋତି ମୌନାବତୀ । ତୋ ଉପରେ ଭାଗ୍ୟଦେବୀ ହାତ ରଖିଛନ୍ତି । ଆଉ ଶୁଣ ! ତୋର ସବୁବେଳେ ମନେ ରଖିବା ଉଚିତ ଯେ ତୋର ସାବନୀ ଶ୍ୟାମଳୀ କାଳୀ ରଙ୍ଗ ହୋଇଥିଲେ ବି ସେମାନେ ସମସ୍ତେ ତୋତେ ପସନ୍ଦ କରିଛନ୍ତି ସତେଇଶି ତମ ନାକଚ଼ ପରେ । ତୋର ତ ଗର୍ବ କରିବାର କଥା । ଆଉ ଏ ହୁଣ୍ଡି କରୁଛି କ'ଣ ନା ନାକ ଟେକୁଛି । ଜଗତର ନାଥ କାଳିଆ ଠାକୁର । ବୁଝେଇ ଦେବୁରେ ହେଣ୍ଡିକୁ ମୋର । ମୋର ତ ତେଣେ କେତେ କାମ । ସଂସାର ଭାସି ଯିବରେ କଳା ନାଉରୀ ।

ବୋଉର ଏମିତି ସବୁ ଧମାକେଦାର ପ୍ରବୋଧନା ଓ ସାନ୍ତ୍ୱନା ଶୁଣିଲେ ସ୍ୱର୍ଣ୍ଣ ଚୁପ୍ ହୋଇଯାଏ । ତାକୁ ଲାଗେ, ବୋଉ ସତ କହୁଛି । ପୁଣି ଭାବେ, ବଦଳୁଥିବା ସମୟର ତାଳେ ତାଳେ, ଚକପରି ବୁଲୁଥିବା କ୍ଷଣରେ ସବୁ ଆପେ ଆପେ ଠିକ୍ ହୋଇଯିବନି ।

ପରନ୍ତୁ ବାହାଘର ଦିନ ଯେତେ ପାଖେଇ ଆସୁଥାଏ -- ତାରିଖ ଘୁଞ୍ଚି ଘୁଞ୍ଚି ଯାଉଥାଏ ସେହି ଇପ୍ସିତ କଳ୍ପିତ ପାଣିଗ୍ରହଣର ସୁଦିନ ପାଇଁ, ଶାଶୁମା' - ଦେଢ଼ ଶାଶୁମା'- ପ୍ରଦ୍ମଜା ବଡ଼ ଯା' ଓ ସିଦ୍ଧ।ର୍ଥଙ୍କର ରଙ୍ଗକୁ ନେଇ ନାହିଁ ନ ଥିଲା ଉପଦେଶ ସବୁ ସ୍ୱର୍ଣ୍ଣର ଦେହ ମନକୁ ତୀର ଭଳିଆ ବିଦ୍ଧ କରୁଥିଲା ; ତୀକ୍ଷଣ ଛୁରୀ ଭଳିଆ କ୍ଷତ ବିକ୍ଷତ ରକ୍ତାତ ରକ୍ତରଞ୍ଜିତ କରୁଥିଲା ସାଇତା ସପନ । ସତରେ କାଳୀ ଝିଅଟେ କ'ଣ ଅଭିଶାପ ? ସାବନୀ ଲଳନା ମାନେ କ'ଣ ଏତେ ଘୃଣ୍ୟ ଓ ଅବାଞ୍ଛିତ ? 

ସ୍ୱର୍ଣ୍ଣ ଏ ସବୁକୁ ଅବହେଳା ଇଗ୍ନୋର କରିବାକୁ ଚାହୁଁଥିଲା କିନ୍ତୁ ପାରୁ ନ ଥିଲା । ମନ ଉପରେ କାହାର ବା ହାକିମାତି ? ଭିତରେ ଭିତରେ ଏକ ସୁପ୍ତ ଆଗ୍ନେୟଗିରି ଭଳିଆ ଶାନ୍ତ କାନ୍ତ ଭୀମ ଭ୍ରାନ୍ତ ହୋଇ ପଡ଼ୁଥିଲା । ଭିତରୁ ଭିତରୁ ଚିନ୍ତାଗ୍ରସ୍ତ ରହୁଥିଲା । ଆତ୍ମମନ୍ଥନ ଆତ୍ମସମୀକ୍ଷାର ଚୌହଦୀ ଭିତରେ ଆଉଟୁ ପାଉଟୁ ହେଉଥିଲା । ତେଣୁ ତା'ର ସାବନୀ ରଙ୍ଗ ଚହଟିବା ବଦଳରେ ଆହୁରି ଝାଉଁଳି ପଡ଼ୁଥିଲା ।

ବାହାଘର ଏକ ସପ୍ତାହ ପୂର୍ବରୁ ସିଦ୍ଧର୍ଥର ଶୁଭ ଜନ୍ମଦିନ ତିରିଶତମ ହ୍ୟାପି ବାର୍ଥଡ଼େ ଆସିଲା । ଦୁଇ ପରିବାରର ସହମତିରେ ସିଦ୍ଧାର୍ଥ ଜନ୍ମଦିନରେ ସ୍ୱର୍ଣ୍ଣର ଶାଶୁ ଘରକୁ ଯିବାକୁ ଅନୁମତି ମିଳିଗଲା କାରଣ ଭାବି ସ୍ଵାମୀଙ୍କର ଧରାବତରଣ ଉତ୍ସବ ବସ୍ତା ବଜାରର ସବୁଠାରୁ ଭଲ ହୋଟେଲରେ ଆୟୋଜିତ ହେବ।ର ଥିଲା । 

ଶାଶୁମା ପ୍ରଥମରୁ କହି ଦେଇଥିଲେ -- ଆସିବା ପୂର୍ବରୁ ବିଉଟି ପାରଲର ହୋଇ ଆସିବୁ ସ୍ୱର୍ଣ୍ଣ ! ନୋହିଲେ ଆମର କୋଟିଏ ଟଙ୍କାର ମାନ ସମ୍ମାନ ଇଜ୍ଜତ ମହତ ମାଟିରେ ମିଶିଯିବ ।

ସାଧାସିଧା ମଧ୍ୟବିତ୍ତ ପରିବାରର ରହଣୀ ସହଣୀରେ ବଢିଛି ସ୍ୱର୍ଣ୍ଣ । ସେ ସବୁ ବଢ଼ାଚଢ଼ା କଥାକୁ ବାଁ ପଟକୁ ପକେଇ ନିଜ ହିରେ। ପ୍ଳେଜର ସ୍କୁଟିରେ ସାନ ଭାଇ ଚର୍ବିକୁ ବସେଇ ଯେତେବେଳେ ଉଡ୍‌- ବି -ହବି ସିଦ୍ଧାର୍ଥ ଶଙ୍କର ସାହୁଙ୍କର ରଙ୍ଗାରଙ୍ଗ ଜନ୍ମଦିନ ପାର୍ଟିରେ " ରାଜ କମଲ" ହୋଟେଲରେ ପହଞ୍ଚିଲା --- ଶାଶୁମା ହରପ୍ରିୟାଙ୍କ ମୁଁହରେ ନାକ ଅଗରେ ରାଗ-ରୋଷର ପଞ୍ଚମ ତାନ ରାଗିଣୀ ତୋଳିବାକୁ ଇଙ୍ଗିତ ଦେଉଥିଲା ।

ବଡ଼ ବୋହୁ ପଦ୍ମଜାକୁ ଡାକି କାନରେ ଶାଶୁମା' କିଛି କହିଲେ ----ସ୍ୱର୍ଣ୍ଣକୁ ବାଥରୁମକୁ ନେଇଯା' | ନିଜ ମେକଅପ୍ କିଟ୍ ଜିନିଷରେ ଟିକେ ବାଗେଇ ଦେ । ମଫ କେଉଁଠିକାର । କେମିତି ହାଡ଼ିଆଣୀ ଭଳିଆ ଦେଖା ଯାଉଛି ଦେଖିଲୁ । କାହିଁ ତୁ ଲବଙ୍ଗଦ୍ଵୀପର ଲବଙ୍ଗଲତା ସୁନାମୁକୁତା ସୁବର୍ଣ୍ଣସୀତା ଆଉ ଏ ସ୍ୱର୍ଣ୍ଣମୁଦ୍ରା ନା ଅଚଳ ଅଧୁଲି । କ'ଣ ବା କହିବି ସିଦ୍ଧୁ ବାପାଙ୍କୁ? ଏମିତି ବାପ-ପୁଅ କ'ଣ ଦେଖିଲେ ଟୋକୀ ପାଖରେ ଯେ, ଚାଟି ପକେଇଲେ ? 

କିନ୍ତୁ ସ୍ୱର୍ଣ୍ଣ ବାଥରୁମ୍ ଗଲାନି । ଭାବି ଶାଶୁମା'ଙ୍କ ଆଦେଶକୁ ରୋକଠୋକ୍ ଅବମାନନା କଲା । ସେ ସେଠାରେ ଠିଆ ହେଲା ସ୍ଥାଣୁ ଖୁଣ୍ଟ ପରିକା । ବିବାହ ହୋଇନି, ସାନ ବୋହୁର ଏ ଅବସ୍ଥା । ବାହାଘର ସରିଲେ---- ଆଉ ଭାବି ପାରୁନଥିଲା ସ୍ୱର୍ଣ୍ଣ । 

ସ୍ୱର୍ଣ୍ଣକୁ ଧକ୍କା ଦେବା ମୁଦ୍ରାରେ ଘୋଷାଡି ଘୋଷାଡି ବାଁ ହାତକୁ ଧରି ଭାବି ଶାଶୁମା' ଟାଣୁଥିଲେ ବାଥରୁମକୁ ଆଉ ରାଗରେ ତମତମ ହତବମ୍ୱ କହୁଥିଲେ -- ନା ରୂପ ନା ରଙ୍ଗ, ପୁଣି ଏତେ ଘମଣ୍ଡ । କାଳୀକୁହୁରି ମଫସଲି କେଉଁଠିକାର, ଏତେ ଚର୍ବି । ବିଷ ଦାନ୍ତ ଝଡେଇ ଦେବି । ଆମେ ନୀଚ ଘରେ ପ୍ରସ୍ତାବ ପକେଇ ବହୁତ ବଡ଼ ମସ୍ତବଡ ଭୁଲ କରିଦେଇଛେ । 

ଏହି ସମୟରେ ସିଦ୍ଧ।ର୍ଥ ଧସେଇ ପଶି ଆସିଲେ ହୋ-ହଲ୍ଲା ପାଟିତୁଣ୍ଡ ଶୁଣି ବୋଉର ରଣଚଣ୍ଡୀ ଗର୍ଜନ ତର୍ଜନ ଶୁଣି । ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ସ୍ୱର୍ଣ୍ଣର ହାତ ଧରି ନିଜେ ବାଥରୁମକୁ ନେଇ ଆସିଲେ ଭାଉଜ ସହିତ ।

ସ୍ୱର୍ଣ୍ଣ ଧିରେ ଧିରେ ସହଜ ଭାବରେ ତା' ହାତକୁ ସିଦ୍ଧାର୍ଥ ଠାରୁ ଛଡ଼େଇ ନେଲା ଆଉ ଭାବି ଶାଶୁମା'ଙ୍କ ଆଡ଼କୁ ତେଜିଲା ଘାଇଲା ବାଘୁଣୀ ଭଳିଆ ଆଗେଇ ଗଲା ସମର କରିବାକୁ ।

ହଁ ! ମୁଁ ସାଧାରଣ ମଧ୍ୟବିତ୍ତ ପରିବାରର ମଫସଲି ଝିଅ । ମୋ ରଙ୍ଗ ସାବନୀ | ହଁ ମୁଁ ଗର୍ବୀ ଓ ଅହଙ୍କାରୀ । କିନ୍ତୁ ମୁଁ ଅମଣିଷ ନୁହଁ । ମୁଁ କଠିନ ପରିଶ୍ରମ କରି ନିଜ ଗୋଡରେ ଛଡ଼ା ହୋଇଛି । ଆତ୍ମନିର୍ଭରଶୀଳ ହୋଇପାରିଛି । ଆଉ ଆମ ଘରର ଲୋକେ ତୁମ ଭଳି ଧନାଢ୍ୟ ନୁହଁ, କିନ୍ତୁ ତାଙ୍କ ଭିତରେ ଏତିକି ସଂସ୍କାର ରହିଛି ଯେ ସେମାନେ ମଣିଷକୁ ମଣିଷ ଭାବନ୍ତି । କବିସୂର୍ଯ୍ୟ ବଳଦେବ ରଥଙ୍କ "ଜଗତେ କେବଳ" ନୀତିକୁ ବିଧାତାର ବିଧାନକୁ ସମ୍ମାନ ଦିଅନ୍ତି ମଥାପାତି ; ରଙ୍ଗ ରୂପର ତରାଜୁରେ ଓଜନ କରନ୍ତି ନାହିଁ । 

ତୁମେ ବି ଜଣେ ନାରୀ ମହିୟସୀ ମା' । ତୁମେ ଝିଅ ସମାନ ବୋହୁକୁ ଗୋରୀ ଚମଡ଼ା ବେପାରୀ ଭଳିଆ କଥାମାଡ଼ରେ ବାକ୍ୟବାଣରେ ହାଣି ଛାଲି ଉତାରି ଦେଲଣି | ମହିଳା ହିଁ ମହିଳା ଜାତିର ପ୍ରଥମ ଶତ୍ରୁ । ଶତ ଧିକ୍କାର ଥୁତ୍‌କାର !

ଆଉ ସିଦ୍ଧ।ର୍ଥ ! ତୁମକୁ କିଛି କହିବାର ନାହିଁ ? କାରଣ ତୁମେ ପିଲାଦିନରୁ ଦେଖି ଆସିଛ ଯେ ନାରୀ କାଳୀ ହେଉ ବା ଗୋରୀ, ସାବନୀ ହେଉ ବା ଗହମୀ, ବନାବଟ ସମାନ । ତାକୁ ସଜେଇବା ରଙ୍ଗେଇବା ସ୍ଵାଗତଯୋଗ୍ୟା ମାତ୍ର କାଉକୁ ଯେତେ ବାଗରେ ବର୍ଗରେ ସଜେଇଲେ କି ଲୋଟଣୀ ଧଳା ପାରା ପରିକା ଘୁଡ଼ୁର ଘୁମୁର କରି ପାରିବ କି ??? କୁହ ! ମୌନ କାହିଁକି ? ଯେତେ ଖରାପ ହେଲେ ବି ମା'ର ସାତଖୁଣ ମାଫ୍ । ଆଉ ବୋହୁ ପ୍ରତିବାଦ କଲେ କୁଳଟା କୁସଂସ୍କାରୀ ଘମଣ୍ଡି ଅଣ୍ଡିରାଚଣ୍ଡି । ବାହାରେ ବାହା ! 

ଧାରା ଶ୍ରାବଣ ପରି କହୁ କହୁ ସ୍ୱର୍ଣ୍ଣ ନିର୍ବନ୍ଧ ମୁଦି ବାହାର କରି ଶାଶୁମାଙ୍କ ହାତ ପାପୁଲିରେ ଧରେଇ ମୁଦେଇ ଦେଲା; ସାନ ଭାଇ ବବିର ହାତକୁ ଧରି ଭିଡ଼ି ହୋଟେଲ ବାହାରକୁ ସ୍ଵାଧୀନ ବନ୍ଧନମୁକ୍ତ ବାୟୁର ଧାରା ପ୍ରବାହ ଭଳିଆ ବାହାରି ଆସିଲା । ନଜର ପଡିଲା ବହଳ ଅନ୍ଧାର ଚାରିଆଡ଼େ ରାତ୍ରୀର ପସରା ମେଲି ସାରିଥିଲେ ବି ଅନ୍ତରର ଅନନ୍ତ ପ୍ରଦେଶରୁ ଅନେକ ଦିନରୁ ନିର୍ଗତ ହେବାକୁ ଥିବା ଲେଲିହାନ ଲାଭାର ଉଦଗୀରଣ ଆଭାରେ ଆଗାମୀ ଜୀବନ ଉପରୁ କଳାବାଦଳ ପୁରା ଅପସରି ଯାଇଛି । ମନେ ମନେ ମୁରୁକି କୁରୁଳି ଉଠୁଥିଲା ସାବନୀ ଝିଅ ସ୍ୱର୍ଣ୍ଣମୁଦ୍ରା ସରାଫ ଅଧୁନା ଅଗ୍ନିପରୀକ୍ଷାରୁ ଉତ୍ତୀର୍ଣ୍ଣା ଶୁଦ୍ଧସୁବର୍ଣ୍ଣା ।



Rate this content
Log in

Similar oriya story from Inspirational