sumita behera

Romance Inspirational

3  

sumita behera

Romance Inspirational

ଶତାବ୍ଦୀ

ଶତାବ୍ଦୀ

3 mins
222


     

  ଦୁଃଖରେ ଛାତି ଭିତରଟା କେମିତି କେମିତି ହେଇଯାଏ ବୀଥିକାର ଯେତେବେଳେ ସେ ଲୁଚି ଲୁଚି ଅର୍ଣ୍ଣବଙ୍କ କବିତା ସବୁକୁ ପଢେ । ପ୍ରେମିକା ପାଇଁ ତାଙ୍କର ପ୍ରଗାଢ ଅନୁରାଗ ଯେମିତି ପ୍ରତ୍ୟେକ ଶବ୍ଦରେ ଫୁଟି ବାହାରି ଆସିଛି । ଅଜାଣତରେ କୋହ ସବୁ ଲୁହ ହୋଇ ବୋହି ଆସେ । କେମିତି ଗୋଟେ କଷ୍ଟ, ଶ୍ୱାସରୁଦ୍ଧ ହେଇଗଲା ପରି ଲାଗେ । ବେଳେବେଳେ ଭାବେ କବିର ପତ୍ନୀ ହେବାଠୁ ପ୍ରେମିକା ହେବା ଶତଗୁଣେ ଭଲ । କବି ମନରେ, କବି ଲେଖନୀରେ ପ୍ରେମିକା ରହେ ଚିର ଅମର ହୋଇ । ଆଉ ପତ୍ନୀ!!!

  ଏମିତି ନୁହେଁ ଯେ ଅର୍ଣ୍ଣବ ବୀଥିକାକୁ କିଛି ଜଣେଇ ନାହାନ୍ତି । ବାହାଘରର ଦ୍ଵିତୀୟ ରାତିରେ ହିଁ ସେ କହିଛନ୍ତି ତାଙ୍କ ପ୍ରେମର କାହାଣୀ । ବିଫଳତାର କାହାଣୀ । ସେ ବି ଦୁଃଖୀ ହୁଏ । ଭାବେ ସେତେବେଳେ ସେ ଯଦି କିଛି କରି ପାରିଥାନ୍ତା ଅର୍ଣ୍ଣବଙ୍କ ପାଇଁ.....କିନ୍ତୁ ତଥାପି ଭିତରଟା କେମିତି କୋରି ହେଇଯାଏ । ମନରେ ଏଥିପାଇଁ ତା'ର ରାଗ କେବେ ବି ଆସେନି । ଏତେ ସରଳ ଏତେ ନୀରିହ ଅର୍ଣ୍ଣବ ଯେ ତାଙ୍କ ବ୍ୟକ୍ତିତ୍ୱ ସାମ୍ନାରେ ମୁଣ୍ଡ ନଇଁଯାଏ । ସେ ନିଜକୁ ଭାଗ୍ୟବତୀ ମନେ କରେ ଅର୍ଣ୍ଣବଙ୍କୁ ପାଇ । ମନେ ମନେ ଭାବେ କେତେ ଭାଗ୍ୟହୀନା ତାଙ୍କ ପ୍ରେମିକା , ଯିଏ ଅର୍ଣ୍ଣବଙ୍କ ପରି ବ୍ୟକ୍ତିତ୍ୱର ପ୍ରେମକୁ ବୁଝି ପାରିଲାନି । ଆଉ ଭାବେ ସେ ଯଦି ଅର୍ଣ୍ଣବଙ୍କ ପ୍ରେମିକା ହେଇଥାନ୍ତା........


ଅଭିମାନରେ କୁହେ " ଅର୍ଣ୍ଣବ ତୁମେ ପ୍ରେମିକା ପାଇଁ ତ ଏତେ କବିତା ଲେଖିଛ ମୋ ପାଇଁ ବି କିଛି ଲେଖ ନା ! " ନମରବ ରହିଯାଆନ୍ତି ଅର୍ଣ୍ଣବ । ସୁଖରେ ସଂସାର ଗଢିଛନ୍ତି ଦୁହେଁ । କେହି ବି କାହାରି କର୍ତ୍ତବ୍ୟରେ କେବେ ତ୍ରୁଟି ରଖି ନାହାନ୍ତି । ମଜାରେ ମଜାରେ ବୀଥିକା କୁହନ୍ତି, "ପତ୍ନୀ ପାଇଁ ଲେଖନୀ ଶୁଖି ଯାଇଛି ବୋଧେ । ସେଥିପାଇଁ ଆଉ ମଧୁ ଝରୁନି " । 

  ତିରିଶ ବର୍ଷ ବିତିଗଲାଣି । ଜଞ୍ଜାଳ ବି କମି କମି ଆସିଲାଣି । ଘରେ ଏବେ ଦୁଇ ପ୍ରାଣୀ । ଏବେ ଦେହର କଳକବ୍ଜା ବି ଧୀରେ ଧୀରେ ଧୋକା ଦେବାକୁ ଆରମ୍ଭ କଲାଣି । ବୀଥିକା ସମୟ ସମୟରେ ଅର୍ଣ୍ଣବଙ୍କୁ ତାଙ୍କ ପ୍ରେମିକା କଥା କହି ଚିଡ଼େଇବାକୁ ଭୁଲେନି । ସେତେବେଳେ ସେ ତାଙ୍କ ମୁହଁରେ ଗୋଟେ ଅଲଗା ପ୍ରକାର ଖୁସିର ହସ ଦେଖିପାରେ । କହେ "ଚାଲ ଫେସବୁକରେ ଖୋଜିବା । ହୁଏତ ମିଳିଯାଇ ପରେ । ଚାହିଁଲେ କଥା ବି ହେଇ ପାରିବ । " ଏମିତି ମୁହଁରେ କହେ ସିନା କିନ୍ତୁ ..........

  ଏବେ ଏତେ ବର୍ଷ ପରେ ଅର୍ଣ୍ଣବ ଲେଖିବା ଅରମ୍ଭ କଲେଣି । ବହୁତ ଖୁସି ହୁଏ ବୀଥିକା । ବହୁତ ଉଚ୍ଚକୋଟୀର ଲେଖା ତାଙ୍କର । ଲେଖାରେ ପ୍ରେମିକା ପାଇଁ ବି ଆବେଗ ଝରି ଆସେ ମଝିରେ ମଝିରେ । କଷ୍ଟ ହୁଏ । କିନ୍ତୁ ଚାପି ରଖେ । କାଳେ ତା ମୂର୍ଖାମୀ ଯୋଗୁଁ ଅର୍ଣ୍ଣବ ଲେଖା ବନ୍ଦ କରିଦେବେ । ଯାହାକି ସେ ଜମାରୁ ଚାହେଁନି । ସେ ଚାହେଁ ତା ସ୍ୱାମୀଙ୍କର ବହୁତ ନାଁ ହଉ । ସେ ଖୁସି ରୁହନ୍ତୁ । ସାଙ୍ଗମାନେ କୁହନ୍ତି ଅର୍ଣ୍ଣବଙ୍କ ଆଖିରେ କୁଆଡେ ବୀଥିକା ପାଇଁ ଥିବା ଗଭୀର ପ୍ରେମ ବାରି ହେଇ ପଡେ । ସେ ନିଜେ ଯେ ତାହା ଅନୁଭବ ନ କରେ ତା ବି ନୁହେଁ । କିନ୍ତୁ ପ୍ରେମିକା ପାଇଁ ଯେଉଁ ଆବେଗ ତାଙ୍କ କବିତାରେ ପଢ଼ିଛି ବୀଥିକା ନିଜ ପାଇଁ କାହିଁକି କେଜାଣି ଖୋଜି ପାଏନି । 


  ଅପେକ୍ଷାରେ ଥାଏ କେବେ ଅର୍ଣ୍ଣବ ତା ମନ ବୁଝିବେ । କେବେ ଆସି କହିବେ" ବୀଥି ! ପ୍ରେମିକା ମୋର ଅତୀତ । ତୁମକୁ ପାଇବା ପରେ ସେ ମୋ ମନକୁ କେବେ ବି ଆସିନି । ମୋର ସବୁ ଆବେଗ ତୁମ ପାଇଁ । ମୋର ସବୁ କବିତା ତୁମ ପାଇଁ । ତୁମେ ହିଁ ମୋ କଳ୍ପନାରର ନାୟିକା । ତୁମକୁ ଛାଡି ବଞ୍ଚିବା ମୁଁ ଚିନ୍ତା ବି କରି ପାରେନି । "

  ବଗିଚାରେ ବୀଥିକା ଏକା ବସିଛି ଦୂର ଦିଗବଳୟକୁ ଚାହିଁ । କେମିତି ଟିକେ ଅନ୍ୟମନସ୍କ ହେଇ ପଡିଛି ଆଜି । ଭାବୁଛି ଥରେ ଯଦି ଅର୍ଣ୍ଣବଙ୍କୁ ତାଙ୍କ ପ୍ରେମିକା ସହ କଥା କୁହାଇ ପାରନ୍ତା!!! ଅର୍ଣ୍ଣବଙ୍କ ଆଖି ସେତେବେଳେ କ'ଣ କହୁଛି ପଢି ପାରନ୍ତା!! ହଠାତ କାହାର ମୃଦୁ ସ୍ପର୍ଶରେ ଚମକି ପଛକୁ ଫେରି ଚାହିଁଲା । ଅର୍ଣ୍ଣବ ମୃଦୁ ମୃଦୁ ହସୁଥିଲେ । କହିଲେ ," ତୁମେ କ'ଣ ଭାବୁଛ ମୁଁ କିଛି ଜାଣି ପାରୁନି ତୁମ ମନରେ କ'ଣ ଚାଲିଛି? ଆରେ ହୁଣ୍ଡି ! କବିତାର ନାୟିକା କବିର ସ୍ୱପ୍ନର ନାୟିକା, କବି କଳ୍ପନାର ନାୟିକା । ସେଥିରେ ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ । 


ତୁମେ ଜାଣିଛ ବିଥି ! ବଙ୍ଗଳାର ସୁନ୍ଦରୀ ଅଭିନେତ୍ରୀ ଶତାବ୍ଦୀ ରାୟଙ୍କୁ ? ମୋତେ ସେ ବହୁତ ଭଲ ଲାଗନ୍ତି । ତାଙ୍କ ସୌନ୍ଦର୍ଯ୍ୟରେ ଏକ ସରଳତା ଅଛି । ତାଙ୍କ ବ୍ୟକ୍ତିତ୍ୱ ମୋତେ ପ୍ରଭାବିତ କରେ । ମୋର କବିତାର ପ୍ରେରଣା ସିଏ । ସୁନ୍ଦର ଅଭିନୟ ସହ ଭଲ ଲେଖନ୍ତି ମଧ୍ୟ । ସମାଜସେବା ମଧ୍ୟ କରନ୍ତି । 


ବିବାହ ପୂର୍ବରୁ ତାଙ୍କୁ କଳ୍ପନା କରି କାହାଣୀ, କବିତା ଲେଖେ । କିନ୍ତୁ ତୁମେ ହିଁ ମୋର ବାସ୍ତବତା । ସ୍ୱପ୍ନ ନ ଥିଲେ କ'ଣ କବିତା ଲେଖି ହୁଏ?" ଲାଜେଇ ଗଲା ବୀଥିକା । ଭାବି ପାରି ନ ଥିଲା ଅର୍ଣ୍ଣବ ତା' ମନକୁ ଏତେ ବୁଝି ପାରୁଥିବେ ବୋଲି । ଏତେ ବର୍ଷ ଧରି ଯେଉଁ ଆବେଗକୁ ଦେଖି ବି ଦେଖି ପାରୁ ନଥିଲା ଆଜି ଅର୍ଣ୍ଣବଙ୍କ ଆଖିରେ ସ୍ପଷ୍ଟ ଦେଖି ପାରିଲା । ଆସ୍ତେ କରି ଅର୍ଣ୍ଣବଙ୍କ କାନ୍ଧରେ ମୁଣ୍ଡ ରଖିଦେଲା । ସଂତୃପ୍ତିରେ ଆଖି ବୁଜି ହୋଇ ଆସିଲା । ଏକ ନୈସର୍ଗିକ ସତ୍ତାର ଉପଲବ୍ଧି ବୀଥିକା ହୃଦୟରେ । 

   

   

  


  



Rate this content
Log in

Similar oriya story from Romance