Bibhu Samanta

Inspirational Others

4.2  

Bibhu Samanta

Inspirational Others

ସହରୀ ବବ୍ଲୁ ଆଉ ଗାଉଁଲି ବାବୁଲା

ସହରୀ ବବ୍ଲୁ ଆଉ ଗାଉଁଲି ବାବୁଲା

9 mins
12.2K



ସ୍କୁଲ ଛୁଟି ହୋଇଗଲା କାଲିଠାରୁ, ଭଲ ହେଲା ଗୋଟେ ପ୍ରକାର। ପରୀକ୍ଷା ଅଧାରୁ ବନ୍ଦ ହୋଇଗଲା। ବବ୍ଲୁ ର ମନ ଖୁସି। ଯାହା ହେଉ ସେ ତାଙ୍କ ମ୍ୟାଥ ମିସ ,ରଞ୍ଜିତାଙ୍କ ରାଗ ଅନେକ ଦିନ ଯାଏ ଦେଖିବନି। ସେ ଜମା ରୁ ଭଲ ଲାଗନ୍ତିନି ତାକୁ। ସବୁ ବେଳେ ତାକୁ ଠିଆ କରି ପଚାରନ୍ତି। ସେ କହି ପାରେନି, ତେଣୁ ସେ ଅଧା ପିରିୟଡ଼ କ୍ଲାସ ବାହାରେ। ହଁ ! ସେ ବି ଗୋଟେ ପ୍ରକାର ଭଲ। ଶ୍ରାବଣୀ କୁ ଦେଖି ହେବ ଭଲ କି। ସେ ବଡ଼ ବଡ଼ ଆଖିରେ ଅଙ୍କ ଗୁଡା ପି ଯାଉଥିବ ଯେମିତି। ଆଉ ବବ୍ଲୁ ତାକୁ ଚାହିଁ ଥିବ ନିର୍ମିଣେଶ ନୟନରେ। ଶ୍ରାବଣୀ ତା ସିକ୍ରେଟ ବେଷ୍ଟ ଫ୍ରେଣ୍ଡ। ସେ ଏକଥା କାହାକୁ କହିନି। କହିଲେ, ଅମିତ, ମାନସ, ରୂପକ ତାକୁ ଚିଡ଼େଇବେ କେତେ। ଏକଥା ସେ ଶ୍ରାବଣୀକୁ ବି କହିନି। ଯେତେବେଳେ ରଞ୍ଜିତା ମିସ ତାକୁ ବାହାର କରନ୍ତି ସେ ଦେଖେ, ଶ୍ରାବଣୀ କୁ। ତା ଆଖିରେ ଦେଖି ପାରେ ବିରକ୍ତି। କେତେ ଥର ଭାବିଛି ସେ ଶ୍ରାବଣୀ ପାଖେ ବସନ୍ତା ଟିକେ, ସେ ବତେଇ ଦିଅନ୍ତା ତାକୁ ମ୍ୟାଥ। ହେଲେ ତା ପାଖେ ନୁପୁର ତାକୁ ଜମା ବସିବାକୁ ଦିଏନା। ତା ମନେ ମନେ ଶ୍ରାବଣୀ ଗୋଟାପଣେ ତା ର। ଶ୍ରାବଣୀ ସଂଗେ ଟିକେ ହସି କଥା ହେଲେ ବି,ସେ ଏମିତି ଅନାଏ ଆମକୁ ଯେମିତି ଆମେ ତାର ଟିଫିନ ଖାଇଦେଇଛୁ, ଆଉ ସେ ଭୋକରେ ଘରକୁ ଯିବ। ଇଛା ହୁଏ ତାକୁ ପେଲି ଦିଅନ୍ତା କି ରିସେସ ବେଳେ, ଭଲ ହୁଅନ୍ତା ମୋଟୀ ପଡି ଘରେ ରୁହନ୍ତା ଆଉ ସେ ବସନ୍ତା ଶ୍ରାବଣୀ ପାଖେ। ଯେ ଯାହା ଭାବୁଛି ପଛେ ଭାବୁ। ହେଲେ ସେମିତି ସେ କରି ପାରେନି। ଶ୍ରାବଣୀ ମଝିରେ ମଝିରେ ବାହାରକୁ ଦେଖେ। ମୁହଁ ଲୁଚେଇ ଟିକେ ହସି ଦିଏ। ବାସ, ବବ୍ଲୁ ଖୁସି ହେଇଯାଏ ସେତିକିରେ। କେତେବେଳେ ପିରିୟଡ଼ ସରି ଘଣ୍ଟି ବାଜେ ତାକୁ ଜଣା ପଡେନି। ମିସ ବାହାରକୁ ଆସି ତାକୁ କହିଲେ, ବୈଭବ, କ୍ଲାସରେ ଆଟେଣ୍ଟଟିଭ ରୁହ, ନହେଲେ ମୁଁ ତୁମ ବାପାଙ୍କ ସହ କଥା ହେବି ଏ ବିଷୟରେ। ବବ୍ଲୁ ମୁହଁ ତଳକୁ କରି, " ସରି ମିସ" କହେ। ଆଉ ସେ ଚାଲି ଯାଆନ୍ତି। ସେଦିନ ତାକୁ ଆସୁ ନଥିଲା ମ୍ୟାଥ ଜମାରୁ, ସେ ଏପଟ ସେପଟ ହୋଇ ତା ସାଙ୍ଗ ଆଲୋକ ଖାତାରୁ ଦେଖିଲା ବେଳକୁ ରଞ୍ଜିତା ମିସ ତାକୁ ବାହାର କରିଦେଲେ। ସେ ଶ୍ରାବଣୀ ଠୁ ମ୍ୟାଥ ଖାତା ମାଗିନେଲା। ଲାଷ୍ଟ ପିରିୟଡ଼ରେ କ୍ଲାସ ଟିଚର ଆସି ନୋଟିସ ଦେଲେ କାଲି ଠୁ ସ୍କୁଲ ଛୁଟି, କୋରୋନା ଭାଇରସ ପାଇଁ। ଭାରି ଖୁସି ହେଲା ତା ମନ। ଯାହା ହେଉ କାଲି ଠୁ ଆଉ ସକାଳୁ ଉଠିବାକୁ ପଡିବନି କି ହୋମୱାର୍କ ବି କରିବାକୁ ପଡିବନି। ହେଲେ ସ୍କୁଲ ନ ଆସିଲେ, ତା ସାଂଗ ମାନଙ୍କୁ ଦେଖିବ କେମିତି। ତା ସାଙ୍ଗ ମାନେ ତା ଜୀବନ। ଖାସ କରି, ଶ୍ରାବଣୀ। ସେଥିପାଇଁ ମନ ଟା ଦବିଗଲା ତାର। ସ୍କୁଲ ଖୋଲିଲେ ଦେଖା ହେବ ପୁଣି। 

ଏମିତି ଭାବିଭାବି ସ୍କୁଲ ଛୁଟିର ଦୁଇ ଘଂଟା ହୋଇଗଲାଣି, ତା ପାପା କି ମମି କେହି ଆସୁନାହାନ୍ତି ତାକୁ ନେବାକୁ। ପିଲା ମାନେ ସବୁ ଯାଇ ସାରିଲେଣି, ଟିଚର ମାନେ ବି ଗଲେଣି। ସଂଯୁକ୍ତା ମିସ ଙ୍କ ଫୋନ ରୁ କଲ କରିଥିଲା ଘରକୁ। ମମି ଉଠେଇଲେନି କଲ। ପାପା ଙ୍କ ଫୋନ ବିଜି। କଣ ହେଲା ଆଜି ସମସ୍ତ ଙ୍କର, ସମସ୍ତେ ଏତେ ଗମ୍ଭୀର କଣ ପାଇଁ? ସେଇ ଭାଇରସ ପାଇଁ ବୋଧେ। ପାପା ଙ୍କ ଅଫିସ ଟା ତା ସ୍କୁଲ ପାଖରେ। ସେଥିପାଇଁ ପାପା ତା ପାଇଁ ସ୍କୁଲ ବସ କରି ନାହାନ୍ତି। ସବୁଦିନ ଛାଡି ଦିଅନ୍ତି ଆଉ ତାକୁ ନେଇ ଯାନ୍ତି। ବେଳେବେଳେ ଡେରି ହେଲେ ସେ ଅପେକ୍ଷା କରେ, ଅତି ବେଶୀରେ ଅଧ ଘଣ୍ଟାଏ। ସେ ଚାଲି ଚାଲି ଯାଇ ପାରନ୍ତା ଅଫିସ ଯାଏ। କିନ୍ତୁ ଦର ବାନ ରାମୁ କାକା ତାକୁ ଛାଡିବେନି। ସଂଜ ହୋଇ ଆସୁଥିଲା, ତାକୁ ଡର ଲାଗିଲା ଏଥର। ସ୍କୁଲ ରେ କୁଆଡେ ରାତି ହେଲେ ଭୁତ ବୁଲନ୍ତି। ସଫା ବ୍ଲାକ ବୋର୍ଡ଼ ରେ କେତେ ହାତ ଚିହ୍ନ ଦାଗ ଦେଖିଛି ସେ ସକାଳୁ। ପାପା ଆସିଲେ , ତାଙ୍କ ମୁଁହ ଶୁଖି ଯାଇଥିଲା, କେମିତି ଗୋଟେ ଦୋଷୀ ଦୋଷୀ ଭାବରେ। ଆସି କହିଲେ, ସରି ବେଟା, ଅଫିସରେ କେତେ କାମ ଆଜି, କାଲି ଠୁ ଛୁଟି ହେବ ବୋଲି। ମୁଁ ତୋ ମମି କୁ କହିଥିଲି ତୋତେ ନେଇ ଯିବାକୁ, ହେଲେ ସେ ବି ଟ୍ରାଫିକ ରେ ଫସି ଯାଇଛି। ମାଇଁ ବ୍ରେଭ ବୟ, ସେ ଜମା ଡରେନି। " କହି ଗେଲ କଲେ ଆଉ ତା ହାତ ଧରି ଗାଡ଼ିରେ ବସେଇଲେ। ତାକୁ ଆଇସକ୍ରିମ ଖୋଇ ଘରେ ପହଁଚିଲା ବେଳକୁ ସନ୍ଧ୍ୟା ୭ଟା। ମମି ଟିକେ ପରେ ଆସିଲେ। ଭାରି ବ୍ୟସ୍ତ ଜଣା ପଡୁଥିଲେ ,ପରିବା ପତ୍ର ଆଉ ସଉଦା ଧରି ଆସିଥିଲେ । ଆଉ କହିଲେ, କଲି ଠୁ ଘରୁ ବାହାରିବା ବନ୍ଦ। ପାପା ଓ ବବ୍ଲୁ ମାନି ନେଲେ ମମିଙ୍କ ଅର୍ଡର।

ପାପା ଚା କରିଦେଲେ ତାଙ୍କ ପାଇଁ। ଆଉ ତା ପାଇଁ ହରଲିକ୍ସ। ରାତିଟା କଟିଗଲା କେମିତି କେମିତି।ସକାଳୁ ପାପା ଉଠି ବସିଲେ ତାଙ୍କ ଲାପି ଧରି। ମା ଘର କାମରେ ବ୍ୟସ୍ତ। ସେ ତା ରୁମ ରେ ଭାବୁଥାଏ ସ୍କୁଲ ଆଉ ସାଙ୍ଗ ମାନଙ୍କ କଥା। ବ୍ୟାଗରୁ ବାହାର କଲା, ଶ୍ରାବଣୀ ର ଖାତା। ଖୁବ ନିରେଖି ଦେଖିଲା ତାକୁ। କେତେ ସୁନ୍ଦର ତା ଅକ୍ଷର। ମନେ ମନେ ଭାବିଲା ଲେଖିଦେବି ଏଥର ସେ ଖାତାରେ, ଯେ ସେ ତା ସିକ୍ରେଟ ବେଷ୍ଟ ଫ୍ରେଣ୍ଡ ବୋଲି। ଏବେ ସେ ଡେରିରେ ଉଠେ, ଖାଇକି ଟିଭିରେ ତା ପ୍ରିୟ କାର୍ଟୁନ ଦେଖେ ଦିନ ସାରା। ହେଲେ ଏସବୁ ତାକୁ ଜମା ବାନ୍ଧି ରଖି ପାରନ୍ତିନି। ପାପା ତାଙ୍କ କାମରେ ବ୍ୟସ୍ତ ଆଉ ଆମ ମେଡ, ଡଲି ଆଣ୍ଟି ଆସୁ ନାହାନ୍ତି ବୋଲି ମମି ଦିନ ସାରା କାମରେ। ତା ସହ କେହି କଥା ହୁଅନ୍ତିନି ଭଲରେ। ସେ ଦେଖୁଥାଏ ସବୁ କିଛି ଯେମିତି ଅଟକି ଯାଇଛି। ତା ବଲକୋନିରୁ ଦେଖେ ସହରର ବୁଲା କୁକୁର ସବୁ ମେଳି ହୋଇ ଖେଳନ୍ତି। ସେ ଉପରୁ ତାଙ୍କୁ ବିସ୍କୁଟ ପକାଏ। ଆଜି ସେମାନେ ମୁକ୍ତ ଆଉ ଆମେ ଘର ଭିତରେ ବନ୍ଦୀ । କେବେ ସକାଳ ହୁଏ, କେବେ ରାତି ହୁଏ ଜାଣି ପାରେନି ସେ। ଦିନ ମାସ ତାରିଖ ସବୁ ଭୁଲି ଗଲାଣି ସେ। ଏଇ କେତେ ଦିନ ହେଲା ଆରମ୍ଭ ହୋଇଛି ତା ର ଅନଲାଇନ କ୍ଲାସ। ପୁଣି ଦେଖା ହୁଏ ରଞ୍ଜିତା ମିସଙ୍କ ସହ। ହେଲେ ଏବେ ତାକୁ ସେ କ୍ଲାସ ରୁ ବାହାର କରିପାରୁ ନାହାନ୍ତି। ମମି ଫୋନ ରେ କଥା ହେଇ ଯାଏ କେବେ କେମିତି ସାଙ୍ଗ ମାନଙ୍କ ସହ। ହେଲେ ଶ୍ରାବଣୀ କୁ କଲ କରିବାକୁ ସାହସ ପାଇନି। କ ଯହିବ ତାକୁ? ପାପା ମମି ଙ୍କ ସାମ୍ନାରେ। ମନେ ମନେ ଝୁରି ହୁଏ ତା ସ୍କୁଲ, ଖେଳ ପଡିଆ ଆଉ ସାଙ୍ଗ ମାନଙ୍କୁ। ତା ଝରକା କୁ ଲାଗିଥିବା ଲିଚୁ ଗଛରେ ଏବେ ଲିଚୁ ଭର୍ତ୍ତି। ଦି ଟା ବାଇ ଚଢେଇ ବସା କରିଛନ୍ତି ସେଥିରେ। କେବେ କେବେ ଆସି ତା ଝରକା କାଚରେ ତାଙ୍କ ଥଂଟରେ ଠକଠକ କରନ୍ତି। ସେ ଜାଣେ ସେମାନେ ନିଜକୁ ଦେଖୁଛନ୍ତି ଏବେ ସେ କାଚରେ, ସେମାନେ ତାଙ୍କ ପରି ଆଉ ଦି ଟା ଚଢେଇ ଦେଖି ଖେଳନ୍ତି ତାଙ୍କ ସହ। ସେ ବି ଠିକ ତାଙ୍କ ପରି। ଫୋନରେ ଯେତେ କଥା ହେଲେ ବି, ଗୋଟେ ଅବାସ୍ତବ ଚିତ୍ର ପରି ଲାଗେ।ସେ ଖୋଜେ ଅନ୍ତରଙ୍ଗ ସାନିଧ୍ୟ ଆଉ ସରକାର ପ୍ରଚାର କରନ୍ତି ସାମାଜିକ ଦୂରତ୍ୱ। ଅବୋଧ ନିରୀହ ମନ ଟି ତାର, ବିଦ୍ରୋହୀ ହୋଇ ଉଠେ। ତାଠୁ କେତେ ଭଲ ତ ସେଇ ବୁଲା କୁକୁର ମାନେ, ବାଇ ଚଢେଇ ମାନେ। ଯେ ଖୋଲା ଆକାଶ ତଳେ ଉଡି ବୁଲୁଛନ୍ତି। ଛୋଟ ଗୋଟେ ଘର ଭିତରେ ସେ ଖୋଜେ ତାରି କାହାକୁ ଜଣେ, ଯାହା ସାଙ୍ଗେ ଖେଳି ପାରନ୍ତା, ଗପି ପାରନ୍ତା । ହେଲେ ବୁଝିବାକୁ କେହି ନାହିଁ। କେବେ ସରିବ ଏ ଲକ ଡାଉନ, କେବେ ମିଳିବ ମୁକ୍ତି? ଦି ପହରର ଝାଞ୍ଜି ପବନ ଯେତେ ଡରେଇଲେ ବି ସଞ୍ଜ ବେଳର ମଳୟ ପବନ ମଥା ଆଉଁସି ବୁଝେଇ ଦିଏ, ସବୁ ଠିକ ହେଇ ଯିବ। ଟିକେ ଖାଲି ଏ ଅବୁଝା ମଣିଷ ଗୁଡ଼ା ସଚେତନ ହୋଇ ଯାଆନ୍ତୁ।


।।୨।।

ସହର ର ସୁନେଲି ଆଲୁଅ ଠୁ ଯୋଜନ ଯୋଜନ ଦୂର ଗୋଟେ ଗାଁ, ସୁନାମୁଣ୍ଡି। ଯୋଉଠି ପ୍ରଜାପତି ର ରେଶମୀ ଡେଣା ତଳେ କଟେ ପିଲାଦିନ, ଯୋଉଠି ସାଧବବୋହୁ ର ରଙ୍ଗରେ ଖେଳୁଥାଏ ଯୌବନ, ଯୋଉଠି ଭାଗବତ ଟୁଙ୍ଗିର ଲଣ୍ଠନ କଳାରେ ଲିଭି ଯାଏ ଜୀବନର ଦୀପ। ଅଭାବ ଅନାଟନ ଭିତରେ ବି ଗତି କରେ ନିରୀହ ସରଳ ଜୀବନ। 

     ସ୍କୁଲ ଆଜି ସଅଳ ଛୁଟି ହୋଇଗଲା, କୋରୋନା ରୋଗ ପାଇଁ। ବାବୁଲା ବୋଉ, ପାର ଶୁଣିଲା, ନଳକୂଅରୁ ପାଣି ଆଣିଲା ବେଳେ। ମାଧିଆ, ଘରକୁ ଆସି ତା ବୋଉ ସାଙ୍ଗେ ପଖାଳ ଖାଇଲାଣି। ଏଣେ ବାବୁଲା ର ଦେଖା ନାଇଁ। ପାର କେତେବେଳୁ ଖାଲି ଦାଣ୍ଡ ରୁ ଘର ହେଉଛି। ନୀର ମାଷ୍ଟ୍ରେ ଙ୍କୁ ସାଇକେଲରେ ଯିବା ଦେଖି ପାର ବୁଝିଗଲା ବାବୁଲା ଛୁଟି ପରେ କୁଆଡେ ଯାଇଛି। ଭାରି ରାଗ ହେଲା ତା ଉପରେ ଆଜି। ଗୋଟେ ଅମରି ଛାଟ ଧରି ବାହାରିଗଲା ସ୍କୁଲ ଆଡେ। ଦେଖିଲା, ସ୍କୁଲ ତାଲା ପଡିଛି। ସେ ଭାବିଲା, ବାବୁଲା ବୋଧେ ତା ବାପା ପାଖକୁ ଯାଇଥିବ। ସେ ଗଲା ବିଲ ଆଡେ, ଦେଖିଲା ତା ବାପା ମଦନା ବିଲରେ। ପଚାରିଲା ବାବୁଲା କଥା, ମଦନା କହିଲା, "ସେ ତ କେତେବେଳୁ ଗଲାଣି। ଘରକୁ ଯାଇନି କି।" ପାର ମନା କଲା। ଆଶ୍ଚର୍ଯ୍ୟ, କୁଆଡେ ଗଲା ପିଲା ଟା। ତା ସାଙ୍ଗ ଧୁରୁବା ଘରକୁ ଗଲା ଠୁ ସେ କହିଲା, ଖୁଡି ଯା ଦେଖିବୁ, ବାବୁଲା , ଆର ସାହି ପହିଲି ପୁଅ, ରମେଶ ଆଉ କେତେଜଣ ଯାଇ ପୋଖରୀରେ ମାତୁୁ ଥିବେ। ଭୋକରେ ପେଟ ତାର ପୋଡି ଯାଉଛି, ସେ ଅନେଇଛି ବାବୁଲା ଆସିଲେ ମା ପୁଅ ଆଜି ଟିକେ ଗରମ ଭାତ, କାଞ୍ଜି ଆଉ କରାଣ୍ଡି ଶୁଖୁଆ ପୋଡା ଖାଇବେ ଆଉ ଏ ଟୋକା ଯାଇ ପାଣିରେ ମାତିଛି। ଆଜି ତାର ଦିନେ କୁ ମୋର ଦିନେ। ବଡ ବଡ ପାଦ ପକେଇ ସେ ଗଲା ପୋଖରୀ ଆଡେ। ବାବୁଲା ଏତେ ଦୁଷ୍ଟ ନଥିଲା, ଯେବେ ଠୁ ସେଇ ରମେଶ ସାଙ୍ଗେ ସାଙ୍ଗ ହେଇଛି, ସବୁ ଦୁଷ୍ଟାମୀ ଶିଖିଛି। ଯାଇ ଦେଖେତ, ଚାରି ପାଞ୍ଚ ଜଣ ପିଲା ପାଣିରେ ଡେଉଁଛନ୍ତି। ଚିହ୍ନି ପାରିଲା ସେ ବାବୁଲା କୁ। ବୋଉ କୁ ଦେଖି ପାଣିରୁ ଉଠି ଆସିଲା ବାବୁଲା ଦେଲା ଦି ପାହାର ତାକୁ। ସେମିତି ଓଦା ପେଣ୍ଟ ପିନ୍ଧି ଦୌଡ଼ିଲା ଦାଣ୍ଡ ଆଡେ। ଆଉ ବୋଉ ତା ପଛେ ତା ବସ୍ତାନୀ ଧରି ଆସିଲା,ରାସ୍ତା ଯାକ ଗାଳି କରି କରି। ବାବୁଲା ଘରେ ପହଞ୍ଚି ପେଣ୍ଟ ବଦଳି ସୁନା ପିଲା ପରି ବସି ପଡିଛି, ତାଙ୍କ ପିଣ୍ଡାରେ। ସେ ଜାଣେ କଣ କଲେ ବୋଉର ରାଗ ଶାନ୍ତ ହେବ। ବୋଉ ଆସିଲା ଧାନ ଉଁସା ହାଣ୍ଡି ପରି ମୁହଁ କରି। ବାବୁଲା ଯାଇ କୁଣ୍ଢେଇ ପକେଇଲା ତାକୁ। ଆଉ କରି ଗଲା ଅଜସ୍ର ଗେଲ। ବୋଉ ତାର କାନ ମୋଡି ଦେଲା ଦି ଚଟକଣି, ବାବୁଲା କାନ୍ଦି ପକେଇଲା, ରଡି ଛାଡି। ଭିତର ଘରୁ ଜେଜେ କହିଲେ,"ହଉ ଦେଖିବା, ତୋ ବୋଉର ଏତେ ସାହସ ସେ ମୋ ନାତି ଦିହରେ ହାତ ଦେଲା। ଆଜି ଆସୁ ସେ।" ଏତିକି ଶୁଣି ତା କାନ୍ଦ ବନ୍ଦ। ବୋଉ ସାଙ୍ଗେ ଖାଇଲା, ଗପିଗଲା ଅନେକ ଗପ। ଖାଇସାରି ଚାଲିଗଲା ଜେଜେଙ୍କ ପାଖକୁ, ଆଉ ଗପ ଶୁଣିବାକୁ। ଜେଜେ ଶୋଇ ସାରିଥିଲେ। ସେ ବି ପାଖରେ ଗଡି ପଡି, ଦେଖୁଥିଲା ତାଙ୍କ ଚାଳ ଫାଙ୍କରେ ଚେନାଏ ଆକାଶ। ଭସା ବାଦଲ ଟେ ଭାସି ଯାଉଥିଲା ସେପଟେ। ତାର ମନେ ପଡ଼ିଲା, ଛବି କଥା। ଛବିରାଣୀ ତା ସାଙ୍ଗ, ଏକା ଶ୍ରେଣୀରେ ପଢେ। ସେ ରହେ ସେ ଦୂର ପାହାଡ଼ ତଳେ। ଚାଲି ଚାଲି ଆସେ ସବୁଦିନ। କେବେ କେମିତି ସାଇକେଲ ନେଇ ଆସେ। ସେ କହୁଥିଲା,ଏଇ ବାଦଲ କୁଆଡେ ତାଙ୍କ ଘର ଦେଇ ପାହାଡ଼ର ମଥାନ ଛୁଇଁଲେ ମେଘ ହୁଏ। ତୋର ଯାହା କିଛି ମୋତେ କହିବାକୁ ଥିବ, ଏଇ ମେଘକୁ କହିଦେବୁ, ସେ ମତେ କହି ଦେବ। କଣ ବା ତାକୁ କହିବ! ତଥାପି ସେ କହିଲା, ଛବି, ସ୍କୁଲ ଖୋଲିଲା ବେଳକୁ ତମ ଆମ୍ବ ଗଛର ଆମ୍ବ ସବୁ ପାଚି ଯାଇଥିବ, ଆଣି ଆସିବୁ ଦି ଟା ମୋ ପାଇଁ। ଛବିର କଥା ଭାରି ଭଲ ଲାଗେ ତାକୁ। ତା କଥାରେ କେମିତି ସପନ ଦେଖିଲା ପରି ଲାଗେ। ସେ କହେ, ଗାଁ ଠାକୁରାଣୀ କୁଆଡେ ତାଙ୍କ ଘର ଦେଇ ଚାଲ ଯାଉଥିବାର ସେ ଦେଖିଛି। ସେ ଦେଖିଛି ପାହାଡ଼ ଉପରେ ନିଆଁ ଲାଗିଲେ ସେଥିରେ ଡାହାଣୀ ଟେ ପିଲା ସେକିବା କଥା। ବାବୁଲା କେତେ ଥର ଯାଇଛି ତାଙ୍କ ଗାଁ ଆଡେ। ହେଲେ, କେବେ ତ ଦେଖିନି ସେମିତି କିଛି। ତାର ଇଚ୍ଛା ହୁଏ, ଛବି ତା ସାଙ୍ଗେ ତା ଘରକୁ ଆସନ୍ତା, ଆଉ ତା ବୋଉକୁ କୁହନ୍ତା ସେ ଏବେ କେମିତି ଭଲ ପଢୁଛି। ଛବି ତାକୁ ପାଠ ବୁଝେଇଦିଏ। ସେମାନେ କଥା ହେଲେ, ଅନ୍ୟମାନଙ୍କ ଦେହରେ ଯାଏନି ଜମା। ରମେଶ ତାକୁ ଟାଣି ନିଏ ଖେଳ ପଡିଆକୁ । ଆଜି ଗଣିତ ସାର ଆସି ନଥିଲା ବେଳେ ସେମାନେ କଥା ହେଉଥିଲେ, ଏଇ ସମୟରେ ହେଡ ସାର ଆସି କହିଲେ,ପିଲେ କାଲି ଠୁ ସ୍କୁଲ ଛୁଟି। କୋରୋନା ରୋଗ ପାଇଁ। ସମସ୍ତେ ଘରେ ରହିବେ, କାହା ଘରକୁ ଯିବେନି, କାହା ସାଙ୍ଗେ ଖାଇବେନି, ମିଶିବେନି ଏମିତି କେତେ କଣ। ବାବୁଲା କଣ ତା ସାଙ୍ଗ ମାନଙ୍କ ଠୁ ଦୂରରେ ରହିପାରେ? ସେ ଚାହେଁ ସାଙ୍ଗ ହୋଇ ବଞ୍ଚିବାର ଜୀବନ, ଆଉ ସରକାର କୁହନ୍ତି ସଙ୍ଗରୋଧର କଥା। ହେଡ ସାର ଙ୍କ କଥା ଶୁଣି କାହିଁକି କେଜାଣି ତାର ନିୟମ ଭାଙ୍ଗିବାକୁ ଇଚ୍ଛା ହେଲା, ନିୟମ ଭାଙ୍ଗି କଣ ହେଉଛି ଦେଖିବା। କୋରୋନା ହେଲା କି ନଇଁ ଜଣା ନାଇଁ, କିନ୍ତୁ ବୋଉ ଠୁ ମାଡ଼ ଖାଇ ନୋଳା ଫାଟି ଯାଇଛି। ହଁ ,ମ ବୋଉର କି ରାଗ ମ! ଏଥରଦେଖା ହେଲେ ଛବିକି ପଚାରିବ, ଯଦି କଣ କଲେ ବୋଉର ମାଡ଼ କାଟିବନି। 


ଏବେ ତାଙ୍କ ଗାଁରେ ଦୁଇ ବେଳା ପୁଲିସ ପଇଁତରା ମାରୁଚି। ବୋଉ କିନ୍ତୁ ତାକୁ ପଡିଶା ଘର,ସୁରିଆ ଘରକୁ ପଠାଏ, ପଢିବାକୁ। ଏବେ ବାପା ବିଲକୁ ଯାଉନି। ବାରି ପଟେ ମକା ଲଗାଉଛି। ବାବୁଲା ତାକୁ ସାହାଯ୍ୟ କରୁଛି। ବୋଉ ର ଠାକୁର ପୂଜା ପାଇଁ ଫୁଲ ତୋଳିଦେବା ଠୁ ଆରମ୍ଭ କରି ଜେଜେ ଙ୍କ ପାଇଁ ବଂକୁଲି ବାଡ଼ି ତିଆରି କରିବା ଯାଏ,ସବୁ କାମ କରୁଛି ସେ। ମାଟିରେ ଅନେକ ମୂର୍ତ୍ତି ଗଢୁଛି। ତା ଜେଜେର, ତାର, ବୋଉ ର, ବାପାର ଏମିତି କେତେ କଣ। ସ୍କୁଲ ଖୋଲିଲେ ଛବି କୁ ଦେଖେଇବ। ନୂଆ ଗପ ବି ଶିଖୁଛି ଜେଜେଙ୍କ ଠୁ। ହେଲେ ତାର ସ୍କୁଲ କଥା ମନେ ପଡେ। ଆଗରୁ ଯୋଉ ସାଙ୍ଗ ମାନଙ୍କୁ ସବୁ଼ବେଳେ ଦେଖୁଥିଲା,ଏବେ ସେମାନେ, ଆଉ ଦିଶୁ ନାହାନ୍ତି। ବାବୁଲା ଏବେ ଘରେ ରହିବା ଦେଖି ପାର ଖୁସି। ସେ ବି ଭଲ ମନ୍ଦ ଟିକେ ଖୋଇ ପାରୁଛି ତାକୁ। ଖୁବ ଭଲ ଲାଗୁଛି ଏବେ, ସମସ୍ତେ ଏକାଠି ଖାଇ ପାରୁଛନ୍ତି, ରହୁଛନ୍ତି। ନହେଲେ ଘର ଟା କେଜାଣି କାହିଁ ଭାରି ଗୁମସୁମ ଲାଗେ। ଗୋହିରୀ ଆର ପଟୁ ସୂର୍ଯ୍ୟ ବୁଡ଼େ , କୃଷ୍ଣଚୂଡ଼ା ପାଖୁଡା ବୁଣି। ଆଉ ବାବୁଲା ତାଙ୍କ ଦାଣ୍ଡ ପିଣ୍ଡାରେ ମୁଢି ମୁଠେ ଖାଉ ଖାଉ ଦେଖେ ସୁନାମୁଣ୍ଡି ଗାଁ ର ସୌନ୍ଦର୍ଯ୍ୟ କୁ। ସେ କେବେ ଦେଖିନି ତାଙ୍କ ଘର ସାମ୍ନାରେ ଥିବା ନିମ୍ବ ଗଛରେ ପକ୍ଷୀଟେ ବସା ବାନ୍ଧିଛି, ଆଉ ଅଣ୍ଡା ଫୁଟି କୁନି କୁନି ଛୁଆ ମାନେ କିଚିରି ମିଚିରି ଶବ୍ଦ କରୁଛନ୍ତି। ବୋଉ କାନିତଳେ ଶୋଇ ସେ ଭାବେ, ସତରେ ଏତେ ସୁଖ ଥିଲା ଏଇ ଘରେ ଆଉ ସେ ବୁଲୁଥିଲା ବାହାରେ। ଜହ୍ନ ରାଇଜରେ ଘୁରି ବୁଲେ ସେ ଗୋଟେ ଧୋବ ଫରଫର ଛୋଟ ଘୋଡା ଉପରେ ବସି। ସେଇଠି ତାର ଭେଟ ହୁଏ, ମାଧିଆ, ରମେଶ, ଧୁରୁବା ଆଉ ଛବି ଙ୍କ ସାଙ୍ଗେ। ଏଇ ଲକଡାଉନ ବାରବୁଲା ବାବୁଲାକୁ କରି ଦେଇଛି ଅନେକ ପରିବର୍ତ୍ତନ। ସେ ଏବେ ଦାୟିତ୍ୱବାନ। ଘର ପରିବାର ପ୍ରତି ମମତା ଥିବା ପିଲାଟିଏ। ହେଲେ ଏବେ ବି ମନ ତାର ଉଡି ବୁଲେ ସିମିଳି ତୁଳା ପରି ଆକାଶରେ, ଅବା ବୁଡୁଥାଏ ପୋଖରୀରେ । ନହେଲେ ସାଇକେଲ ଚକ ଧରି ଧାଉଁଥାଏ ଗାଁ ଦାଣ୍ଡରେ। ଲକଡାଉନ ସିନା ଗାଁରେ ଲାଗିଛି, ତା ମନରେ ତ ଏବେ ଡେଣା ଲାଗି ଯାଇଛି।

ମଣିଷ ଗୁଡା ଏମିତି ଧାଉଁଛନ୍ତି ସହର ଆଡେ, ହେଲେ ଗାଁରେ ତା ଅସଲି ଜୀବନ। ନିଜ ପରିବାର କୁଟୁମ୍ବ ଭିତରେ ବଞ୍ଚିବାର ନିଆରା ମଜା । ଯୋଉ ଆନନ୍ଦ ଏଇ ମାଟି ଘରେ ମିଳେ, ସେ କଣ ସହରର ମାର୍ବଲ ଘରେ ମିଳେ! ଅନେକ କିଛି ଶିିଖେଇଦେଲା ଏ ଲକଡାଉନ। ଯାହା ଶିଖେଇ ପାରିଲେନି ବଡ଼ ବଡ଼ ଅଧ୍ୟାପକ ଓ ତଥାକହିତ ଧର୍ମଗୁରୁ ମାନେ।


Rate this content
Log in

Similar oriya story from Inspirational