STORYMIRROR

Pravanjan Dash

Abstract Classics Inspirational

3  

Pravanjan Dash

Abstract Classics Inspirational

ଶୋଷ

ଶୋଷ

2 mins
139

ଏଇ ନୂଆ ନୂଆ ବୈଶାଖ ଆସିଛି, ହେଲେ ଏ ଟାଇଁ ଟାଇଁ ଖରଟା ଜ୍ୟେଷ୍ଠଠୁ ବି ବଳିଗଲାଣି। ଚାରିଆଡେ ପାଣିଟୋପାଟେ ପାଇଁ ଡହଳ ବିକଳ। ସେଥିରେ ପୁଣି ଲସି, ଆଖୁରସ, ପଇଡ଼, ଆଇସ୍କ୍ରିମ୍ ର ଚାହିଦା ବେଶ୍ ବଢ଼ିଗଲାଣି। ସେଦିନ ପୁରୁଣା ବସ୍ ଷ୍ଟାଣ୍ଡ ଛକରେ ସୁନ୍ଦର ଠେଲାଟେରେ ତଟକା ତଟକା ପାଚିଲା ଆମ୍ବର ପସରା ମେଲେଇ ବସିଥିବା ଦୋକାନୀଟି ଗରାଖମାନଙ୍କ ହାତକୁ ନଡ଼ିଆ, କାଜୁ, ଚେରୀ ପକା ସୁସଜିତ ଆମ୍ବ ରସର ଗ୍ଲାସଟେ ବଢ଼େଇ ଦଉ ଦଉ କହୁଥିଲା, “ବାବୁ ତାଜା ଆମ୍ବର ରସ, ଭାରି ମିଠା, ଗୋଟେ ଢ଼ୋକରେ ଶୋଷ ପୁରା ଗାଏବ”। ସେ ଜରିଗୋଟାଳି ପିଲାଟା ବିକଳ ଚାହାଁଣୀରେ କେତେବେଳୁ ଠିଆ ହେଇଛି, ପାଖରେ ତ ଟଙ୍କାଟେ ନାହିଁ ହେଲେ ପେଟରେ ଅଛି ପ୍ରବଳ ଶୋଷ। ମନ ହଉଛି ଆମ୍ବରସ ଗିଲାସେ ପିଇବ ହେଲେ ଏଯାଏଁ ସାହସରେ ମନ କଥା କାହାକୁ ମୁହଁ ଖୋଲି କହିପାରୁନି କି ନିଜ ମନର ଲୋଭକୁ ନିଜେ ସମ୍ଭାଳି ପାରୁନି। ତା’ ଆଡେ ବି କାହାର ନଜର ନାହିଁ। ମନେ ମନେ ଭାବୁଛି, କାଳେ କୋଉ ବଡ଼ ବଡ଼ିଆ ଲୋକ ତା’ ମନ କଥା ବୁଝି ତାକୁ ଗିଲାସେ ଆମ୍ବରସ ଯାଚିବ ହେଲେ “ଇଏ ତ ସହର ଏଠି କେହି ନୁହେଁ କାହାର”। ଯିଏ ଯାହା ବାଟରେ ଆସି ନିଜ କାମ ସାରି ଯୁଆଡେ ଚାଲିଯାଉଛନ୍ତି। ସମସ୍ତଙ୍କର ଏଠି ନିଜ ପେଟ ଚିନ୍ତା ଆଉ ଏମିତିରେ ବି ବଡ଼ ବଡ଼ ବାବୁ ମାନଙ୍କ ନଜରରେ ଏ ଅଳିଆ ମଳିଆ ଜରି ଗୋଟାଳି ଛୁଆର ମୂଲ୍ୟ କେତେ? ଏ ଦୁନିଆରେ ତା’ର ପରିଚୟ କଣ? କେତେବେଳୁ ଠିଆ ହେଇ ତା’ ପେଟର ଅଧା ଶୋଷ ମଲାଣି, ତଣ୍ଟି ଶୁଖି ଶୁଖି ଆସିଲାଣି। ଏପଟେ ପୁଣି କାନ୍ଧରେ ବଡ଼ ଜରିବସ୍ତାର ଓଜନରେ ଦେହରୁ ଗମ୍ଗମ୍ ଝାଳ ପାଣିପରି ନିଗିଡିଯାଇ ମୁଣ୍ଡଟା ବୁଲେଇ ଦଉଛି। ଆଖିକୁ ଅନ୍ଧାର ଦେଖାଗଲାଣି ତଥାପି ମନରୁ ଆମ୍ବରସର ଲୋଭଟା କମୁନି। ବିଚରା ଆଉ କିଛି ଉପାୟ ନପାଇ ଶୋଷର ଦାଉରେ ଧାଇଁଗଲା ଆଗରେ ଥିବା ମୁନିସିପାଲିଟି ନଳକୂଅ ପାଖକୁ। ନଳକୂଅରୁ ମୁହଁ ଲଗେଇ ପାଣି ପିଉଥିବା ବେଳେ ନିଜ ମନକୁ ବୁଝେଇ ନିଜେ ବଡ଼ ପାଟିରେ କହିଉଠୁଥିଲା, “ଓଃ କି ଥଣ୍ଡା, ଭାରି ମିଠା, କି ରସୁଆଳିଆ ଆମ୍ବରସ ପୁରା ଅମୃତ ତ ”। ଜରି ଗୋଟାଳି ପିଲାଟିର ଏପରି କଥା ଶୁଣି ପାଖରେ ଥିବା କିଛି ଲୋକ କହୁଥିଲେ, “ହେ ଏଇଟା ଗୋଟେ ପାଗଳଟା”। 


Rate this content
Log in

Similar oriya story from Abstract