Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Dr Pratimarani Mishra Sarangi

Romance


2  

Dr Pratimarani Mishra Sarangi

Romance


ଶକ୍ତିମୟୀ

ଶକ୍ତିମୟୀ

8 mins 223 8 mins 223


ଗ୍ରୀଷ୍ମଋତୁର ଆରମ୍ଭ ମାତ୍ର । ବୈଶାଖ ମାସର ପ୍ରଥମ ପ୍ରହର ଧରାରେ ପଦାର୍ପଣ କରିଛି । ଶୁଷ୍କ ତରୁବର, ଶୁଷ୍କ ବାତାବରଣ, କାହାରି ମନରେ ସରସତା ନାହିଁ । ଘରବାହାର ସର୍ବତ୍ର ତପ୍ତ ବାୟୁର ଲୀଳା । ସାଧାରଣ ପରିବାରରେ ଏଇ ଗ୍ରୀଷ୍ମ, ତା’ର ପ୍ରକୋପ ଅଧିକ ଦେଖାଇଦିଏ । ବଡ ଲୋକଙ୍କୁ ତ କେହିପାରି ନାହାଁନ୍ତି । ଗ୍ରୀଷ୍ମ ବା କେତେକ ? ଅବଶ୍ୟ କେବଳ ଯମ ପାଖରେ ସେମାନେ ହାରମାନି ଯାଆନ୍ତି ।

ସନ୍ଧ୍ୟା ଆଗତ ପ୍ରାୟ । ଗ୍ରୀଷ୍ମକାଳୀନ ସୂର୍ଯ୍ୟଉଦୟ ଓ ସୂର୍ଯ୍ୟାସ୍ତ ପ୍ରାୟ ଛଅଟା ପନ୍ଦର ମିନିଟରେ ହୋଇଥାଏ । ସୂର୍ଯ୍ୟ ଦିନାନ୍ତରେ ଅସ୍ତ ହୋଇଯାଇଥିଲେ ମଧ୍ୟ ଅନ୍ଧକାର ଆସିବାକୁ ଢେର ସମୟ ନିଏ । ଦିନ ବଡ଼ , ରାତି ଛୋଟ । ଗୋଧୂଳି ଯାଇ ସନ୍ଧ୍ୟା ଆସିବା ବେଳକୁ ସାଢେ ଛଅରୁ ଅଧିକ ହୋଇଯାଏ । ନିରୁପମାର ବାନ୍ଧବୀ, କଟକ ଯାଇ, କବିତା ପାଠୋତ୍ସବରେ ଯୋଗ ଦେବାକୁ ଫୋନ ଜରିଆରେ ନିମନ୍ତ୍ରଣ ଜଣାଇଛି । ତେଣୁ ତରବରିଆ ହୋଇ କବିତା ଖାତାରୁ କେତୋଟି କବିତା ସାଧା କାଗଜକୁ ଉଠାଇବାରେ ଲାଗିଛି । ଏଣେ ସମୟ ହୋଇଯାଉଛି । ତେଣେ ଲେଖା ସରୁନି । ହୃଦସ୍ପନ୍ଦନ ବଢିଯାଉଛି । ସିଦ୍ଧିବିହାର ଛକ ପର୍ଯ୍ୟନ୍ତ ଯାଇ ଅପେକ୍ଷା କରିବାକୁ ହେବ । ସେଠାରେ ଅନ୍ୟ କବିବନ୍ଧୁମାନେ ଏକତ୍ର ହୋଇସାରି କଟକ ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା ହୋଇଛି ବୋଲି ମଧ୍ୟ ଖବର ମିଳିଛି ।

ନିରୁପମା ଏଇ ଅଳ୍ପଦିନ ହେଲା, ନୂଆ ନୂଆ ହୋଇ ବାହାରକୁ ଗୋଡ଼ କାଢିଛି । ନୂଆ ଭୂଆସୁଣୀ ପରି ଘରେ ତାର ଯାବତୀୟ କାମକୁ ନିଜେ ନିଜେ କରୁ କରୁ ତା’ର ସମୟ ଚାଲିଯାଏ । ସ୍ବାମୀଙ୍କୁ କେବେ କହିବନି ସିଦ୍ଧିବିହାର ପର୍ଯ୍ୟନ୍ତ ନେଇ ଛାଡ଼ି ଆସିବାକୁ ବା ଘରେ କେହି ଆଉ ନାହାନ୍ତି ଯେ କେହି ନେଇ ଛାଡିଆସିବ । ଆବଶ୍ୟକ ପଡ଼ିଲେ ଚାଲି ଚାଲି ଯାଇ ପହଞ୍ଚିବାକୁ ପଡ଼ିବ । ଦୀର୍ଘ ତିନି କି.ମି. ରାସ୍ତା । ନିଜର ମଧ୍ୟ ବାହାରକୁ ଯିବାଆସିବାର ଅଭ୍ୟାସ ବେଶୀ ନାହିଁ । ତଥାପି କବିତା ପଢିବାର ମୋହ ଓ ତା’ପରେ ତା’ର ଯେଉଁ ପ୍ରଶଂସା ଅଧ୍ୟାୟର ନିଶା, ତାକୁ ଭାରି ଭଲ ଲାଗେ ତେଣୁ ଟିକିଏ ଖବର ପାଇଲେ ସଙ୍ଗେ ସଙ୍ଗେ ଗୋଡ଼ ଟେକି ବାହାରି ପଡୁଛି ।

ଯାହାହେଉ ସବୁ କାମ ସରିଗଲା । ଠିକ ଲୁଗା ପିନ୍ଧିବାକୁ ଯାଉଛି, କଲିଂବେଳ ବାଜିଲା । ଦାଣ୍ଡ ଦୁଆର ଖୋଲିବାକୁ ଯାଇ ଯେଉଁ ବ୍ୟକ୍ତିକୁ ଦେଖିଲା, ସେ ବ୍ୟକ୍ତିଙ୍କୁ ଦେଖି ନିରୁପମା ସାମାନ୍ୟ ବିବ୍ରତ ହୋଇ ଉଠିଲା । କାରଣ ସେ’ ଯେବେ ଘରକୁ ଆସିଛନ୍ତି , ଅନ୍ତତଃ ଦିନଟିଏ ଦୁଇଦିନ ରହି ଯାଆନ୍ତି । ସହଜେ ଘରୁ ବାହାରନ୍ତି ନାହିଁ । ନିରୁପମା ନିରୁତ୍ସାହିତ ହୋଇ ପଡିଲା । ହୁଏତ ତା’ର କବିତା ପାଠକୁ ଯିବା ବନ୍ଦ ହୋଇଯିବ । ମାତ୍ର ମନ ଦମ୍ଭ କଲା । ନାଁ ଆଜି ଆଉ ଏମାନଙ୍କର କଥାରେ ସେ ରହିବନି । ତାକୁ ଯିବାକୁ ହେବ । ସେ ମନା କରିଦେବ, ସେ ବ୍ୟକ୍ତିଙ୍କୁ, ଘରେ ରହିବାକୁ । ତା’ର ଏଇ ଭାବନାକୁ ଭାଙ୍ଗି ସ୍ଵାମୀ ଆସି କହିଲେ , “ନିରୁ ! ସେ ଆଜି ରହିବେ ମୁଁ ତ ଟୁରକୁ ଯାଉଛି । ତା’ କଥା ବୁଝିବୁ । “

“ନାଁ ! ମୁଁ କିଛି ବୁଝିବିନି ! ସେ ବ୍ୟକ୍ତି ଆଜି ଆମ ଘରେ ରହିପାରିବେନି । ସବୁଦିନ ସମାନ ନାହିଁ । ଝିଅମାନେ ପରୀକ୍ଷା ପାଇଁ ପଢାରେ ବ୍ୟସ୍ତ । ତୁମେ ଯିବ ଟୁରରେ । ମୁଁ ଯିବି କଟକ, କେତେବେଳ ହେବ, ଫେରିବାକୁ ଏବେଠାରୁ କହିପାରିବିନି । ତାଙ୍କର କଥା କିଏ ବୁଝିବ ? ବେବିକୁ କହି ସର୍ବତ ଦେଇ ତାଙ୍କୁ ତୁମେ ଘରୁ ଯିବା ପୂର୍ବରୁ ବିଦା କର ତା’ ସହିତ ଏମିତି କିଛି ଅଛି ଯେ, ତୁମେ ତା’ ପାଖରେ ନୀରବରେ ସବୁ ମାନିନେଉଛ ? ଆଜି କିନ୍ତୁ ହେବନି । ମୁଁ ନିଶ୍ଚୟ କଟକ ଯିବି । “

ଏକା ନିଃଶ୍ଵାସରେ କହିପକାଇଲା ନିରୁପମା । ଶିକାରୀ ଶିକାରକୁ ଦେଖି ବ୍ୟଗ୍ରତା ପ୍ରକାଶ କଲାପରି , ନିରୁପମା ସ୍ବାମୀଙ୍କ ଉପରେ ଥିବା ଅଭିମାନକୁ , ଅଭିଯୋଗକୁ, ମନଟାଣ କରି ଏକା ଥରକେ ଅନର୍ଗଳ କହିପକାଇଲା ।

ସ୍ବାମୀଙ୍କୁ ସେ ଖୁବ ଡରେ । କେବେ ମୁହଁ ଉପରେ କହିବାକୁ ସାହସ କରେନି । ସେଥିପାଇଁ ସେ ସର୍ବଗୁଣ ସମ୍ପନ୍ନା ହୋଇଥିଲେ ମଧ୍ୟ ଘର ଚାରିକାନ୍ଥ ଓ କର୍ମକ୍ଷେତ୍ର ବ୍ୟତୀତ କୌଣସି ସାଙ୍ଗଠନିକ କାର୍ଯ୍ୟକର୍ମରେ ଯୋଗ ଦେଇପାରେନି । ମାତ୍ର ଆଜି ସେ ଗଡ଼ ଜୟ କରିଛି । ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇଛି ।

ସ୍ବାମୀଙ୍କ ମୁଖମଣ୍ଡଳରେ ବିରକ୍ତିର ରେଖା ସ୍ପଷ୍ଟ ବଋ ହୋଇଯାଉଥିଲେ ମଧ୍ୟ କିଛି ଉତ୍ତର ନ ଦେଇ ଚାଲିଗଲେ । ନିରୁପମା ଲୁଗା ପିନ୍ଧିସାରି, ବ୍ୟାଗରେ ପାଣି ବୋତଲ , ରୁମାଲ ଓ କିଛି ଔଷଧ ଏକାଠି କରି ରଖୁଛି । ଡାଇନିଙ୍ଗ ଟେବୁଲରୁ ବୋତଲଟି ଆଣିଲା ବେଳକୁ ଦେଖିଲା, ସ୍ଵାମୀ ହାତଟିକୁ ମୁଠାଇ ରଖି ଚାଲିଛନ୍ତି । ଭଦ୍ରବ୍ୟକ୍ତି ଜଣକ ପଛକୁ ଲେଉଟି ଲେଉଟି ଚାହିଁ ଚାହିଁ ତାଙ୍କ ପଛେ ପଛେ ଚାଲିଛନ୍ତି । ଗେଟ ପାଖରେ ସ୍ଵାମୀ ତା’ର ହାତମୁଠାରୁ କେତୋଟି ଶହେଟଙ୍କିଆ ନୋଟ କାଢି ତା’ ହାତକୁ ବଢାଇ ଦେଲେ । ସେ ମଧ୍ୟ ଖୁବ ଖୁସି ହୋଇ କ’ଣ କହି କହି ଚାଲିଯାଉଛି । ନିରୁପମା ଏତକ ଦେଖିବା ମାତ୍ରକେ ଅନ୍ତର ଦାହରେ ଛଟପଟ ହୋଇଗଲା । କ’ଣ ହୋଇପାରେ ? ପୁଣି ଟଙ୍କା, ଘରେ ନ ଦେଇ ଗେଟ ପାଖରେ ! ସନ୍ଦେହର କୁହେଳି ଭିତରେ ନିରୁର ମନ ଅଶାନ୍ତ ହୋଇଉଠିଲା । ଆଗରୁ ରହିଥିବା ସନ୍ଦେହରେ ତା’ର ଘୃତାହୁତି ପଡ଼ିବା ଭଳି ଆହୁରି ପ୍ରଜ୍ଵଳିତ ହୋଇଉଠିଲା, ମାତ୍ର ମନକୁ ସଂଯତ କରି କଟକ ବାହାରିଗଲା । ସମୟକୁ ଅପେକ୍ଷା କଲା ।

କବିତା ପାଠରେ ବେଶ ପ୍ରଶଂସା ପାଇ ଆନନ୍ଦିତ ହେଲା । ବିଭିନ୍ନ ସଂଗଠନର ଅଧ୍ୟକ୍ଷମାନେ ତାକୁ ବଧେଇ ଜଣାଇଲେ । କବିତା ଓ କଣ୍ଠ ଦୁଇଟିର ଗୁରୁତ୍ଵକୁ ସମସ୍ତେ ତାରିଫ କାଲେ । ଭବିଷ୍ୟତରେ ସେମାନଙ୍କର ନିମନ୍ତ୍ରଣକୁ ରକ୍ଷା କରି , ଯୋଗ ଦେବାକୁ ଅନୁରୋଧ ରକ୍ଷା କରି ଫେରିଆସିଲା ନିରୁପମା ସେଇ ଘରକୁ , ଯେଉଁଠାରୁ ଅଗ୍ନି ସ୍ଫୁଲିଙ୍ଗ ହୃଦୟରେ ପୋତି ଯାଇ ଥିଲା ।

ଘରେ ସମସ୍ତେ ଅଛନ୍ତି । ତଥାପି ନୀରବତାର ରାଜତ୍ଵ ଖେଳିଗଲା ଘରର କୋଣ ଅନୁକୋଣରେ । ଉଭୟଙ୍କର ମୁହାଁମୁହିଁ କଥାବାର୍ତ୍ତା ବନ୍ଦ । ନିରୁପମାର ବ୍ୟର୍ଥ ମନ ତାକୁ ବ୍ୟସ୍ତ କରୁଛି । ଏତେଦିନର ଦାମ୍ପତ୍ୟ ଜୀବନ ଭିତରେ ସେ ସ୍ବାମୀଠାରୁ ଶତକଡା ଶହେ ବିଶ୍ଵାସ ପାଇପାରୁନି । କ୍ଷଣକୁ କ୍ଷଣ ମନ ପରିବର୍ତ୍ତନ ହୋଇଯାଉଛି । ସତେ ଏ ମନ ବହୁରୂପୀ ଏଣ୍ଡୁଅ । ଯେତେ ମନକୁ ସ୍ଥିର କରୁଛି , ଆଉ କିଛି ଭାବିବନି, କହିବନି, ତଥାପି ଅବୁଝା ମନଟା ଜମା ବୁଝୁନି, ମନକଥା କାହାକୁ ବା କହିବ ? “ଅଜାଗା ଘା’ ଦେଖି ହୁଏନି କି ଦେଖାଇ ହୁଏନି ।“ ଯେଉଁ ଦିଗଟି ପାଇଁ ସେ ଅତୃପ୍ତ ସେ ଦିଗଟି ସମ୍ପୂର୍ଣ ଗୋପନୀୟ ଓ ନିବୃତ୍ତ କୋଣର କାହାଣୀ । ଯାହାକୁ ବି କହିବ, କେହି କେବେ ବିଶ୍ଵାସ କରିବେନି ବରଂ ନିଜେ ଅପବାଦ ପାଇବ । ସ୍ବାମୀଙ୍କର ଆନନ୍ଦରେ ସେ ଆନନ୍ଦ ହେବା କଥା । ପୁଣି ନିଜ ମନକୁ ବୁଝାଇ ସୁଝାଇ ରହିଗଲା । ମାତ୍ର ସ୍ବାମୀଙ୍କ ସଙ୍ଗେ ମୁହଁ ଖୋଲି କଥାବାର୍ତ୍ତା ହେବାକୁ ସାହାସ ବାନ୍ଧି ପାରୁନି । କାଳେ ଆଉ କିଛି କହି ପକାଇବେ । ବଚସା ଲାଗିପାରେ । ଏ ଦଶାରୁ ସେ ଦଶା ବଳି ପଡ଼ିବ । ପୁଣି ମାସ ମାସ ଧରି ସେଇ ଅଶାନ୍ତିର ଝଡି ଲାଗି ତା’ ମନର ବୀଣାର ଝଙ୍କାର ତୋଳୁଥିବା ତାର ଗୁଡ଼ିକୁ ଛିଣ୍ଡାଇ , ଅସ୍ତବ୍ୟସ୍ତ କରିପକାଇବ । ସେ କ୍ଷତି ତ ତା’ ସ୍ଵାମୀଙ୍କର ହେବନି । ତା’ର ନିଜର ହେବ । ଗ୍ରୀଷ୍ମର ପ୍ରକୋପ ଆହୁରି ବଢିଯିବ । ଛାଡ ! କାହିଁକି ଏପରି ଗୁଡ଼ାଏ ଭାବୁଛି । ନିଜକୁ ନିଜେ କହି , ଉଠିପଡ଼ି ଥଣ୍ଡାପାଣି ଦି ଗ୍ଳାସ ପିଇମନକୁ ଶାନ୍ତ ରଖିବାକୁ ଚେଷ୍ଟା କଲା ।

ଏହା ମଧ୍ୟରେ ସପ୍ତାହଟିଏ ବିତିଗଲା, ନୀରବତାର ରାଜ୍ୟରେ ମୂକ ବଧିର ରାଜାରାଣୀ ସାଜି, ବିରସ ମନରେ ସରସତାର ଅଗମନକୁ ଚାହିଁବା ସମୟରେ ପୁଣି ଆସିଗଲା ରବିବାର । ଆଜି କୌଣସିଠାରେ କିଛି କାର୍ଯ୍ୟକ୍ରମ ନାହିଁ । ଫୋନରେ ସାଙ୍ଗ ଦେବପ୍ରିୟା ତା’ର ପୁଅ ବ୍ରତଘର ପାଇଁ ଗୀତଟିଏ ଲେଖିବା ପାଇଁ ଜଣାଇଛି । ସେଇ କାମଟି କରିବାକୁ ଅନ୍ତତଃ ସମୟ ମିଳିବ । ସେଇ ଭିତରେ ସେ କିଛି ସମୟ ବୁଡ଼ିରହିବ ଆନନ୍ଦ ସାଗରରେ । ହୁଏତ ଏଇ ସୁଯୋଗ ଆସି ପହଞ୍ଚିଯାଇଛି , ତା’ର ମନ ପରିବର୍ତ୍ତନ ପାଇଁ ।

ମାତ୍ର ହାଏ ! କଲିଂବେଲ ଶୁଣି ଦାଣ୍ଡ କବାଟ ଖୋଲିବାକୁ ଯିବାବେଳକୁ ସେଇ ଭଦ୍ରବ୍ୟକ୍ତି, କ’ଣ କରିବ ! କିଛି ଭାବିପାରିଲାନି । କବାଟ ଖୋଲିବ ନାଁ ନାହିଁ । ଝରକା ପାଖରେ ଠିଆ ହୋଇ ଭାବୁଛି । ଭଦ୍ରବ୍ୟକ୍ତି ହୁଏତ ତାକୁ ଦେଖିନାହାନ୍ତି । ଘରେ ସ୍ଵାମୀ ନାହାନ୍ତି । ଏଇ ମଉକାରେ ତାଙ୍କୁ ଫେରାଇ ଦେବ । ଘରକୁ ଆସିବାକୁ ଦେଲେ ସିନା ସେ ରହିଯିବେ କାରଣ ଆଜି ରବିବାର । କୌଣସି କାର୍ଯ୍ୟକ୍ରମ ବାହାରେ ନାହିଁ । ଘରେ ରହିବ । ପୁଣି ସେ ଅନାବଶ୍ୟକ ଅଧ୍ୟାୟର ପୃଷ୍ଠା ଖୋଲିବ । ଟଙ୍କା ନେଇ ଯିବେ । ଗ୍ରୀଷ୍ମାବକାଶ ଅବସରରେ ଯେତେ ରବିବାର ଆସିବ, ସବୁ ରବିବାର ଆସିପାରନ୍ତି । ଏଇ ଭାବନା ଭିତରେ କେତେବେଳେ କବାଟ ଖୋଲି ଠିଆ ହୋଇ ଭାବିଚାଲିଛି । ପୁଣି କଲିଂ ବେଲ ଶବ୍ଦ ଶୁଣି ସେ ପ୍ରକୃତିସ୍ଥ ହେଲା । “ଆରେ ! ମୁଁ ଏଇଠି ଠିଆ ହୋଇ ଭାବୁଛି, ମୋତେ ଦେଖି ସେ କ’ଣ ଭାବୁଥିବେ ?”

ବଡ ସ୍ନେହପୂର୍ଣ୍ଣ ଗଳାରେ ନାନୀ ଡାକଟେ ଡାକି କବାଟ ଖୋଲିବାକୁ ଇଙ୍ଗିତ ଦେଲେ ଭଦ୍ରବ୍ୟକ୍ତି । ଚମକିପଡିଲା ନିରୁପମା । ନାନୀ ! କିଏ ? ମୁଁ କ’ଣ ଏଙ୍କର ନାନୀ ? କେମିତି ? ମୁଁ ତ ଏଙ୍କୁ ଭଲକରି ଚିହ୍ନିନି । କେବଳ ଜାଣେ , ସେ ସ୍ବାମୀଙ୍କର ବହୁତ ଦିନର ପରିଚିତ ବନ୍ଧୁଙ୍କର ସାନଭାଇ । ଶିକ୍ଷକତା କରେ । ଅଭାବି । ତେଣୁ ସେ ଘରକୁ ଆସିଲେ ଦିନେ, ଦି’ଦିନ ରହି ବାଟଖର୍ଚ୍ଚ ନେଇଯାଆନ୍ତି । ଏ ଡାକଟା ନିଶ୍ଚୟ ତାଙ୍କର ମନଗଢା । ମୋତେ ମଧ୍ୟ ତାଙ୍କର ଫାନ୍ଦରେ ପକାଇବାର ଯୋଜନା କରିଆସିଛନ୍ତି ନୁହେଁ ? ଆଉ ନାହିଁ । ଏ ଲୋକକୁ, ଏ ଘର ଦୁଆର ବନ୍ଦ କରିବାକୁ ହେବ । ନଚେତ ଏ, ତା’ର ଜୀବନକୁ ହଳାହଳମୟ କରି ପକାଇବ । “ଲେଡିଗୁଡ଼ କହୁଣୀକୁ ବୋହିଗଲେ କଥା ସରିବ । ଏଇମାତ୍ର ଛୁଟି ଆରମ୍ଭ ହୋଇଛି । ଦୁଇଥର ଦେଖା ଦେଲାଣି, ପୁରା ଛୁଟିଟି ଏ ବ୍ୟକ୍ତି ବ୍ୟର୍ଥ କରିଦେବ । ନିଜକୁ ଦୃଢ କରିବାକୁ ହେବ । ନଚେତ ଏହାକୁ ପାରି ହେବନି ।

ମନର ଭାରସ୍ୟାମ ରକ୍ଷା କରି ନିରୁପମା କବାଟ ଖୋଲି ବରଣ୍ଡାକୁ ଆସିବାକୁ ଦେଇ ସେହିଠାରେ ତା’ର ମନର ଅରମା ମେଣ୍ଟିଲା ପରି ଦୁଇ ଚାରିପଦ କହିପକାଇଲା । ସିଧା ସିଧା ବଙ୍କେଇ କରି କହି ଲାଭ ନାହିଁ ।

“ତୁମେ ଆଉ ଏ ଘରକୁ ଆସିବ ନାହିଁ । ତୁମେ ଆସିବାରେ ଆମ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି । ପିଲାଙ୍କର ପଢାରେ ବ୍ୟାଘାତ ଉପୁଜୁଛି । ତା’ପରେ ଆମର ତ ପୁଣି ନିଜର ବ୍ୟକ୍ତିଗତ ଅଛି, କେତେବେଳେ କେଉଁ କଥା ।“ ମାତ୍ର ସେ ବ୍ୟକ୍ତିଙ୍କର ମୁହଁରେ ଭୟ ବା ଲଜ୍ଜ୍ୟାର ଚିହ୍ନବର୍ଣ୍ଣ ଦିଶିଲାନି । ବରଂ ହସି ହସି ପଚାରିଲା, “ଭିଣୋଇବାବୁ ନାହାଁନ୍ତି କି ? କୁଆଡ଼େ ଯାଇଛନ୍ତି ? ତା’ଙ୍କୁ ଡାକୁନ ! ତୁମେ କେମିତି ଜାଣିବ ଆମର ସମ୍ପର୍କ ବିଷୟରେ ? ତୁମେ ପଛରେ ଆସିଛ । ତୁମ ସ୍ଥାନରେ ମୋ ନାନୀ ରହିଥାଆନ୍ତା । ସବୁ ଠିକ୍ ଠାକ ହୋଇସାରିଥିଲା । ମୋ ନାନୀକୁ ମନା କରିଦିଆଗଲା । କାନ୍ଦି କାନ୍ଦି ନାନୀ ମୋର କଣ୍ଟା ହୋଇଗଲା । ତା’ର ଆମେ ଅନ୍ୟତ୍ର ବିବାହ କରାଇଦେଲୁ । ହେଲେ ନାନୀଙ୍କୁ ଭାଇନା କ’ଣ କେବେ ଭୁଲିପାରିବେ ? ନା, ନାନୀ ଭାଇନାଙ୍କୁ ଭୁଲିପାରିବେ ? ଏମାନଙ୍କ ମଧ୍ୟରେ ମୁଁ ହିଁ ଏକମାତ୍ର ଯୋଗସୂତ୍ରକାରୀ, ମୋର ଯିବାଆସିବା ଖର୍ଚ୍ଚଟା ମିଳିଗଲେ କେବଳ ଖବର ଟିକେ ଦିଆନିଆ କରିଦିଏ , ଆଉ କିଛି ନାଇମ ! ଭବିଷ୍ୟତରେ କ’ଣ ହେବ କିଏ କହିବ ?”

“ଚୁପକର !” ବହୁତ ସାହସ ତ ! ମୋ ଘରକୁ ଆସି, ରହି, ଖାଇପିଇ ଟଙ୍କା ନେଇଯାଉଛ । ପୁଣି ମୋ ସ୍ଵାମୀଙ୍କର ନିନ୍ଦା ? ଚାଲିଯାଅ ଏଠୁ ! ବର୍ତ୍ତମାନ ପୋଲିସକୁ ଫୋନ କରି ଡକାଇବି, ଆଉ ମନଗଢା କାହାଣୀ ଶୁଣାଅନା, ଚାଲିଯାଅ !”

କ୍ରୋଧ ଜର୍ଜରିତ , ନିରୁପମାର ଦେହ ଥରୁଥାଏ । ଲଜ୍ଜ୍ୟା, ଭୟ, ଘୃଣାରେ ସେ ଜଡସଡ ହୋଇଯାଉଥାଏ । ମାତ୍ର ମୁହଁ ଦମ୍ଭ ଭାଙ୍ଗୁ ନଥାଏ । ଘର କବାଟ ବନ୍ଦ କରି ଠିଆ ହୋଇଛି । ଦୁର୍ଗାରୂପ ଧାରଣ କରିଛି , ମହିଷାମର୍ଦ୍ଦିନୀ ସାଜି ଆଜିର ମହିଷାସୁରକୁ ମରିବ ନିଶ୍ଚୟ, ପରାଜୟ ସ୍ଵୀକାର କରିବନି । ଆଜି ତା’ର ମନବଳ ବଢିଯାଇଛି । ନିଜ ଘରକୁ ସେ ନିଜେ ବଞ୍ଚାଇବ । ମିଥ୍ୟାଚାରୀ, ଲମ୍ପଟ, ଦଲାଲମାନଙ୍କର ମୁଖା ଖୋଲିଦେବ । ସୁସ୍ଥ ସମାଜ ଗଢିବ , ପରିବାରକୁ ସଜାଡିବ । ଆଜି ସେ କାନ୍ଦୁନି , ଭୟ ବି ତା’ର ଦୂରେଇଗଲାଣି । କଥାବାର୍ତ୍ତା ହେବା ମଧ୍ୟରେ ସେ ଆଗକୁ ଆଗକୁ ମାଡିଚାଲିଛି । ଭୟଙ୍କର ପ୍ରଳୟଙ୍କରୀ ରୂପ ଦେଖି,ଭଦ୍ରବ୍ୟକ୍ତି ପିଣ୍ଡା ତଳକୁ ପଛେଇ ପଛେଇ ଚାଲିଗଲେଣି । ଗ୍ରୀଷ୍ମଦିନର ଚଲାବାଦଲରେ ଆକାଶ ଘୋଡେଇ ହୋଇ କ୍ଷଣକ ପାଇଁ ଅନ୍ଧାରକୁ ଖେଳାଇ ଦେଇଥିଲା, ସଂପୂର୍ଣ୍ଣ ରୂପେ ଅପସରି ଗଲାଣି ମେଘ, ସୂର୍ଯ୍ୟଙ୍କର ସୁନେଲି କିରଣ ବିଛାଡି ହୋଇ ପଡ଼ିଛି । ଆଉ କିଛି ସମୟରେ ସନ୍ଧ୍ୟା ପହଞ୍ଚିବ । ତା’ପରେ ରାତି , ଏ ବ୍ୟକ୍ତି ! ଏ ବ୍ୟକ୍ତିଙ୍କର ମୋ ଉପରେ ସୃଷ୍ଟି ହେବ ବିରକ୍ତି । ହେଉ । ! ଚିନ୍ତା ନାହିଁ । ଚଳିଯିବ । ସବୁ ଚଳିଯିବ । ନିଜକୁ ଦୃଢ କଲେ ସବୁ ଠିକ ହୋଇଯିବ । “ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି !”

ଭଦ୍ରବ୍ୟକ୍ତିଙ୍କର ମୁହଁରେ ବିରକ୍ତିର ଚିହ୍ନ ଦେଖାଯାଉଥିଲେ ବି ମୁହଁ ଭଡଙ୍ଗ ରକ୍ଷା କରିବାକୁ ଯାଇ, ପୁଣି ଆସିବେ ବୋଲି କହି ଚାଲିଗଲେ । ସମୟର ଚକ ଘୁରୁ ଘୁରୁ କେତେବେଳେ ଯେ ମଣିଷକୁ କି ପରିସ୍ଥିତିରେ ପକାଇ ଦିଏ, ତାହା ସ୍ଥିର ମନରେ ମୁକାବିଲା କରୁଥିବା ବ୍ୟକ୍ତି ହିଁ ବୁଝିପାରେ । “ ଚକ୍ରବତ ପରିବର୍ତ୍ତନ୍ତେ, ଦୁଃଖାନିଚ ସୁଖାନିଚ ।“

ନିରୁପମା ଦୀର୍ଘଶ୍ଵାସ ପକାଇ ଠାକୁରଙ୍କର ନୀତି କରିବାକୁ ଗଲା । ଗୋଡହାତ ଧୋଇ ସନ୍ଧ୍ୟା ଆରତୀ କରି ପ୍ରାର୍ଥନା କଲା । ଈଶ୍ଵରଙ୍କୁ ଧନ୍ୟବାଦ ଜଣାଇଲା । ଦୀର୍ଘଦିନର ଦାମ୍ପତ୍ୟ ଜୀବନରେ ଯାହା କରିପାରି ନଥିଲା ତାହା ଆଜି କରିପାରିଛି । ନିଜ ମଧ୍ୟରେ ଥିବା ଶକ୍ତିର ପରିଚୟ ପାଇଛି ।

ଦାଣ୍ଡ ଦୁଆରେ ସ୍ଵାମୀଙ୍କର ପାଟି ଶୁଣି ନିରୁପମା ଉଠିଗଲା, ସ୍ବାମୀଙ୍କୁ ସବୁକଥା ଏକା ନିଃଶ୍ଵାସକେ କହିପକାଇଲା । ଖୁସିରେ ଚନ୍ଦ୍ରକାନ୍ତ ନିରୁପମାକୁ କୋଳେଇ ନେଲେ । “ ବାଃ କି ଚମତ୍କାର ତୁମର କଲ୍ପନା ! ତୁମେ ପ୍ରକୃତରେ ଶକ୍ତିମୟୀ, ମୁଁ ଯାହା ଏପର୍ଯ୍ୟନ୍ତ କରିପାରି ନଥିଲି, ତୁମେ କରିପାରିଲ । ବାସ୍ତବିକ ତୁମେ ହିଁ ମୋର ଶକ୍ତି, ଶକ୍ତିମୟୀ ।“

ତା ପରଠାରୁ ସୁଖରେ ସୁଖରେ ବାକି ଦିନଗୁଡ଼ିକ କଟିଗଲା । ପୁରାତନ ଅଧ୍ୟାୟର ଆଉ କେବେ ପୁନରାବୃତ୍ତି ବା ପୁନରାଲୋଚନ ହୋଇନି, ନୂତନ ଅଧ୍ୟାୟଗୁଡ଼ିକ ବେଶ ରୋମାଣ୍ଟିକ ହୋଇଥିଲା । କାରଣ ସେ କଥା ସେ ବ୍ୟକ୍ତି ସହିତ ଗଲା ଯେ ଗଲା । ଆଉ ଭଦ୍ରବ୍ୟକ୍ତିଙ୍କର କେବେ ଦେଖା ହୋଇନି ।



Rate this content
Log in

More oriya story from Dr Pratimarani Mishra Sarangi

Similar oriya story from Romance