କେବଳ ତୁମରି ପାଇଁ
କେବଳ ତୁମରି ପାଇଁ
ପ୍ରିୟମ୍ବିକା ଦୀର୍ଘଦିନ ଧରି ଭୁବନେଶ୍ବରରେ ସ୍ଵାମୀ ଓ ପିଲାଙ୍କ ସହ ରହିଆସିଛି । ସ୍ଵାମୀ ବରିଷ୍ଠ ଅଫିସର । ପିଲାମାନେ ସବୁ ବଡ ହୋଇଗଲେଣି । ପାଠପଢା ସାରି ଯେ’ ଯା ବାଟରେ ବାହାରେ ଚାକିରି କଲେଣି । ତେଣୁ ଅଫିସରେ ପ୍ରାୟ ଅଧିକ ସମୟ କଟାନ୍ତି । ଫେରିବା ବେଳ କିଛି ଠିକ ନଥାଏ । ଘରେ ପ୍ରିୟମ୍ବିକା ପ୍ରାୟ ଏକା ରହେ । ଘଣ୍ଟା ଘଣ୍ଟା ଧରି ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହେ । ଏତେ ବଡ ଘରେ, ଦିନର ଅଧିକାଂଶ ସମୟରେ ଏକା ଏକା କଟାଇବାକୁ ପଡ଼େ । ନିର୍ଜନ କୋଠରି ଗୁଡ଼ିକ ଖାଁ ଖାଁ ଲାଗେ ।
ଏଇ ନିଃସଙ୍ଗତାକୁ ଦୂରେଇବା ପାଇଁ ବିଭିନ୍ନ ପ୍ରକାରର ସମ୍ବାଦପତ୍ର ଓ ବିଭିନ୍ନ ରୁଚିର ସାହିତ୍ୟ ପତ୍ରିକା ମଗାଇ ପଢାପଢିରେ ସମୟ କଟେଇ ଦିଏ । ପତ୍ରପତ୍ରିକାଗୁଡ଼ିକ ପଢୁ ପଢୁ ବିଭିନ୍ନ ପ୍ରକାରର ଲେଖା ଦେଖି ଦିନେ ସେ ନିଜେ ଗୋଟିଏ ଗପ ଲେଖିବସିଲା । ଗପଟି ନିଜେ ପଢିଲା । ଭାରି ଭଲ ଲାଗିଲା । ତା’ପରେ ବାରମ୍ବାର ପଢିଲା । “ଆରେ ! ମୋ ଗପଟି ତ ବେଶ ସୁନ୍ଦର ହୋଇଛି ।“ ଭାବି ଭାବି ଖୁସି ହେଉଥାଏ । ଯେତେ ଯେତେ ଗପଟି ପଢୁଥାଏ, ତା’ଙ୍କୁ କଳେବର ବଢିବାରେ ଲାଗୁଥାଏ । ନୂଆ ନୂଆ ଶବ୍ଦ ମଧ୍ୟ ତା’ ଦେହରେ ଗୁନ୍ଥି ହେଉଥାଏ । ଗପଟି ଆହୁରି ସୁଖପାଠ୍ୟ ହେଉଥାଏ । ଭବିଲା, ସ୍ଵାମୀ ଆଜି ଆସିଲେ ଆଗ ତା’ର ଗପଟିକୁ ଦେଖେଇବ । ସ୍ଵାମୀ ତା’ର ନିଶ୍ଚୟ ଖୁସି ହୋଇଯିବେ । ଘର କାମ ସବୁ ସରିଲା ଓ ସ୍ବାମୀଙ୍କୁ ଅପେକ୍ଷା କରି ଚାହିଁବସିଲା । ସ୍ବାମୀଙ୍କୁ ଅପେକ୍ଷା କରି କରି ରାତି ବଢିବାରେ ଲାଗିଲା । ପ୍ରିୟମ୍ବିକା ସେଇମିତି ଚାହିଁ ବସିଥାଏ । ମାତ୍ର ସ୍ବାମୀଙ୍କର ଦର୍ଶନ ମିଳିଲା ନାହିଁ । ଶେଯରେ ଯାଇ ଠିକ ଗଡିପଡିଛି କି, ଆଖିପତା ଲାଗି ଆସିଲା । ଆଖି ଆଉ ତା’ କଥା ମାନିଲା ନାହିଁ । ମନ ଦୁଃଖରେ ବିଚାରୀ ଶୋଇପଡିଲା ।
ସବୁଦିନ ଅପେକ୍ଷା କରିବା ଓ ସେଦିନ ଅପେକ୍ଷା କରିବା ମଧ୍ୟରେ ବେଶ ପାର୍ଥକ୍ୟ ଥିଲା । ନୂଆ ଗପଟି ସ୍ବାମୀଙ୍କୁ ପଢାଇବାର ଉତ୍କଣ୍ଠାରେ ସେ ଅପେକ୍ଷା କରିଥିଲା । ତା’ର ମନ କ’ଣ ହେଉ ନଥିବ ? ତାହା କେବଳ ଅନୁଭବୀ ହିଁ ବୁଝିପାରିବ ।
ରାତି ଗୋଟାଏରେ କବାଟ ଖଟଖଟ ଶବ୍ଦରେ ତା’ର ନିଦ ହଠାତ ଭାଙ୍ଗିଗଲା । ଛାତି ଥଋ ଉଠିଲା । ଗୋଡ ଟଳମଳ ହେଉଥାଏ । କବାଟ ଖୋଲିଲା ବେଳକୁ ସ୍ବାମୀଙ୍କୁ ଅସ୍ବାଭାବିକ ଅବସ୍ଥାରେ ଦେଖି ଚମକି ଉଠିଲା । ଆଖି ଦୁଇଟି ଲାଲ ଦେଖାଯାଉଛି । ଗୋଡ ଟଳୁଛି । ପାଦ ଠିକ ପଡୁନି । ହତବାକ ହୋଇ ଚାହିଁରହିଥାଏ ପ୍ରିୟମ୍ବିକା ।
ଏ କ’ଣ ? କେବେ ତ ଏପରି ଅବସ୍ଥାରେ ସ୍ବାମୀଙ୍କୁ ଦେଖିନି ! ଆଜି ପୁଣି ! ଏ ବୟସରେ ! ହଠାତ ସ୍ବାମୀଙ୍କ ପାଖକୁ ଯିବାକୁ ଭୟ କରିଯାଇଥିଲା । ମାତ୍ର କ’ଣ ବା କରିବ ! ନିଜର ସ୍ଵାମୀ ତ ! କିଛି ସମୟ ପରେ ସ୍ବାମୀଙ୍କ ପାଖକୁ ଗଲା । ସ୍ବାମୀଙ୍କର ଯତ୍ନ ନେଇ, ଖାଇବା ପିଇବା ଶେଷ କରି, ଶୋଇବା ଘରକୁ ନେଇ ଯତ୍ନରେ ଶୁଆଇ ଦେଇଥିଲା । ସଙ୍ଗେସଙ୍ଗେ ନିଘୋଡ଼ ନିଦରେ ସ୍ଵାମୀ ତା’ର ଶୋଇଗଲେ । ମାତ୍ର ପ୍ରିୟମ୍ବିକାର ଆଖିରୁ ନିଦ ଚାଲିଗଲା । ସେ ଆଉ ସୋଇ ପାରିଲାନି । ନିଜର ସ୍ବାମୀଙ୍କର ଏପରି ଅବସ୍ଥାକୁ ନେଇ ଚିନ୍ତିତ ରହିଲା ।
ସ୍ବାମୀଙ୍କ ମୁହଁକୁ ଚାହିଁ ବସିଥାଏ । ଏଇ ଅବସ୍ଥାରେ ରାତି ପାହିଗଲା ।
ପ୍ରିୟମ୍ବିକାର ଯେ ଭାବନା ଆରମ୍ଭ ହେଲା, ସେ ଭାବନାର ଅନ୍ତ ନାହିଁ । ଭାବନା ସତରେ କେତେବେଳେ ଯମପୁର ଦର୍ଶନ କରାଇଦିଏ ତ କେବେ ସ୍ଵର୍ଗର ଅଳକାପୁରୀ । ପୁଣି କେବେ ନର୍କକୁଣ୍ଡ ତ କେବେ ସ୍ଵର୍ଗର ଅପସରା ଗହଣରେ ଦେବସଭାରେ ପହଞ୍ଚାଇ ଦିଏ । ଏଇ ଭାବନା ଆଜି ପ୍ରିୟମ୍ବିକା ମନରେ ସବାର ହୋଇଛି । କେତେ ଶୁଭ, ଅଶୁଭ ଭାବନା ତାକୁ ଘାଣ୍ଟି ପକାଉଛି ।
ସକାଳ ହେଲା । ପ୍ରିୟମ୍ବିକା ପ୍ରତିଦିନ ପରି ଘର କାମରେ ଲାଗିଗଲା । ମାତ୍ର ସତିକାନ୍ତ ଉଠିଲେ ନାହିଁ । ଯେଉଁ ଲୋକ ସକାଳୁ ଉଠି ନିତ୍ୟକର୍ମ ସାରି ଅଫିସକୁ ବାହାରି ପଡନ୍ତି, ସେ ଆଜି ଶେଯ ଛାଡୁ ନାହାନ୍ତି । ଦିନ ଦଶଟା ବାଜିଲାରୁ ପ୍ରିୟମ୍ବିକା ଯାଇ ଉଠାଇଲା । ମାତ୍ର ବିରକ୍ତ ହୋଇ ତା’ର ହାତକୁ ଛାଟି ପକେଇଲେ ସତିକାନ୍ତ । ସବୁବେଳେ ପ୍ରିୟମ୍ବିକା ଉଠାଇଲାବେଳେ ଦୁଇହାତ ତା’ର ଗଳାରେ ଛନ୍ଦି ଆଗ ବୁହେ ଭିଡିମୋଡି ହୁଅନ୍ତି । କେତେ ଗେହ୍ଲା ହେବାକୁ ମନ କରନ୍ତି । ମାତ୍ର ପ୍ରିୟମ୍ବିକା ସକାଳୁ ଉଠି ସ୍ନାନାଦି କର୍ମ ସାରିଥାଏ । ତେଣୁ ବାସି ଶେଯରେ ବସିବାକୁ ଇଚ୍ଛା କରେନି । ଅଥଚ ଆଜି ସେ ନିଜେ ତା’ ଆଡୁ ସ୍ବାମୀଙ୍କୁ ଗେହ୍ଲା କରିବାକୁ ଯାଉଛି, କାରଣ ସ୍ବାମୀଙ୍କର ଏ ଦୀନହୀନ ଅବସ୍ଥା ସେ ସହ୍ୟ କରିପାରୁନି । ସବୁ ସହିଯିବ, ମାତ୍ର ସ୍ବାମୀଙ୍କର ଟିକିଏ ଦୁଃଖ ତାକୁ ଲକ୍ଷେ ଦୁଃଖ ପରି ଲାଗିବ । କ’ଣ କରିବ କିଛି ସ୍ଥିର କରିପାରିଲାନି ।
ସ୍ଵାମୀଟି ସ୍ତ୍ରୀର ବଳ । ସ୍ବାମୀଠାରୁ ଦୁଃଖ ମିଳିଲେ ବାପା, ଭାଇଙ୍କର ସାହାରା ନେବାକୁ ପଡ଼େ । ମାତ୍ର ପ୍ରିୟମ୍ବିକା ସ୍ଵାମୀ ସେବା ପାଇଁ, ପିଲାଙ୍କର ଜଞ୍ଜାଳ ପାଇଁ ନିଜକୁ ଉତ୍ସର୍ଗୀକୃତ ଭାବେ, କେବଳ ସ୍ଵାମୀ ସର୍ବସ୍ଵ ହୋଇ , କେବେ ବାପଘରକୁ ଯାଏନି । ତେଣୁ ଆଜି ଯଦି ଏ ଅବସ୍ଥାରେ ବାପଘରେ ପହଞ୍ଚିବ, କ’ଣ କହିବେ ଭାଉଜମାନେ ? ଭାଉଜମାନେ ତାକୁ ସହଜରେ ଗ୍ରହଣ କରିବେ ତ ? ବାପା ତ କେବେଠୁ ପରପାରିକୁ ଗଲେଣି । ଏବେ ଏପରି ପରିସ୍ଥିତିରେ ସେ କ’ଣ କରିବ ? ଏହିପରି ଭାବି ଭାବି ସ୍ବାମୀଙ୍କର ମୁଣ୍ଡକୁ ଆଊଁସୁଥାଏ ।
ଦିନ ବାରଟାରେ ସତିକାନ୍ତ ଉଠିଲେ । ସିଧା ଗାଧୁଆ ଘରକୁ ଯାଇ, ସେଇ ଘର ଭିତରେ ଦାନ୍ତ ବ୍ରସ କରି ଗାଧୁଆପାଧୁଆ ସାରି ବାହାରିଲେ ଅଫିସକୁ ।
ପ୍ରିୟମ୍ବିକା ତରବରରେ ଜଳଖିଆ ବାଢିଦେଇଥିଲା । ସ୍ବାମୀଙ୍କ ପାଖରେ ବସି ରହିବା ଫଳରେ ରନ୍ଧାରେ ଆଜି ଖଇଚା ଧରିଛି । କ’ଣ କରିବ ? ସ୍ବାମୀଙ୍କ ପାଇଁ ଚିନ୍ତା ରହିଲା; ରୋଷେଇ ଘରକୁ ଆସିବାକୁ ମନ ହେଉନଥାଏ ; କେବଳ ରୁଟି ଓ ଦୁଧ ବାଢି ଦେଇଥାଏ । କଦଳୀ ଦୁଇଟି ଚକଟି ନେଇ ଥୋଇଲାବେଳକୁ ସତିକାନ୍ତ ପୋଷାକ ପିନ୍ଧି ବାହାରକୁ ବାହାରିଗଲେଣି । ପ୍ରିୟମ୍ବିକାର ଛାତିରୁ ଝଲକାଏ ଗରମ ପବନ ଖସିଗଲା । ହାତଗୋଡ ଝିମଝିମ ହୋଇଗଲା । ସେ ସଂଜ୍ଞାହୀନ ହୋଇ ପଡିଯିବେନି ତ ? ନିଜକୁ ସମ୍ଭାଳି ନେଲା ।
ପ୍ରିୟମ୍ବିକା ବହୁତ ପଢାପଢି କରେ । କେତେ ପ୍ରକାରର ଗପ ପଢିଛି, ପତ୍ର ପତ୍ରିକା ପଢିଛି । ଧୌର୍ଯ୍ୟ ଧରି କିଏ କେତେ ବିପଦରୁ ନିଜକୁ ଓ ନିଜ ପରିବାରକୁ ରକ୍ଷା କରିଥିବାର ପଢିଛି । ଆଜି ସେ କାହିଁକି ହାରିଯିବ ? ପତ୍ରିକା ମାନଙ୍କର ଗପ ଗୁଡିକ ଚଳଚ୍ଚିତ୍ର ରୂପନେଇ ତା’ର ଆଖି ଆଗରେ ଗତି କଲେ । ଅପେକ୍ଷା କଲେ ପରିଣାମ- ପରିଣତିକୁ ।
ଦିନଟାସାରା ଗତ ରାତିର କଥା ଭାବୁଥାଏ । ଆଜି ରାତିର ଭବିଷ୍ୟତ କ’ଣ ହେବ ଚିନ୍ତା କରୁଥାଏ । ଅପେକ୍ଷାକରି ବସିଥାଏ । ଠିକ ସେହିପରି ରାତି ଗୋଟାଏକୁ ଆସି ସ୍ଵାମୀ ସିଧା ଶୋଇବାଘରକୁ ଯାଇ ଶୋଇଗଲେ । ଆଜି ଆଉ ଖାଇଲେ ନାହିଁ । ପ୍ରିୟମ୍ବିକା ମନରେ ସନ୍ଦେହ ହେଲା । କିଛି ରହସ୍ୟ ରହିଛି ନିଶ୍ଚୟ ।
ପୂର୍ବଦିନ ପରି ଡେରିରେ ବିଛଣା ଛାଡି, ସିଧା ଗାଧୁଆ ଘର ଓ ତା’ପରେ ସୁଟ ବୁଟ ପିନ୍ଧି ଅଫିସ । ଲଗାତାର ଏହିପରି ଡେରିରେ ଫେରିବା ଓ ଶୋଇଲା ଶେଯରୁ ବିଳମ୍ବରେ ଉଠି ନିତ୍ୟକର୍ମ ସାରି ଅଖିଆ ଅପିଆ ଅଫିସ ଯିବା ଲାଗିରହିଲା ।
ପ୍ରିୟମ୍ବିକାର ଗୋଟିଏ ବଦଗୁଣ, ସେ କେବେ ଘରୁ ବାହାରକୁ ବାହାରେନି । କେବଳ ଘରେ ଘରକାମରେ ଲାଗିଥାଏ । ସମୟ ବହୁତ ମିଳେ, ହେଲେ ପତ୍ରପତ୍ରିକା ପଢାରେ କଟାଇ ଦିଏ । ସ୍ବାମୀଙ୍କ ସହିତ ବୁଲିଯିବାକୁ ପସନ୍ଦ କାରେନି । ଯେତେ ଭୋଜି ଉତ୍ସବ ହୁଏ, ନିଜେ ନଯାଇ ସତିକାନ୍ତଙ୍କ ସହିତ ପିଲାମାନଙ୍କୁ ପଠାଇ ଦିଏ । ଆଗ ପିଲାଙ୍କୁ ଧରି ବୁଲାବୁଲି କରିବାକୁ ଯାଉଥିଲେ । ଏବେ ପିଲାମାନେ ସମସ୍ତେ ବାହାରେ ଚାକିରି କ୍ଷେତ୍ରରେ ଅବସ୍ଥାପିତ । ବାପଙ୍କୁ ସାଙ୍ଗ ଦେବାକୁ କ’ଣ କିଏ ଚାକିରୀ ଛାଡି ଆସିବ ? ତେଣୁ ଗଲାବେଳେ ପ୍ରିୟମ୍ବିକାକୁ ଡାକନ୍ତି, ମାତ୍ର ସେଇ ପୁରୁଣା ରୋଗ ଦେଖାଇ କାମର ବାହାନା କରି କେବେ ଯାଏନି । ପିଲାମାନେ ପାଖରୁ ଗଲାଦିନଠାରୁ ସତିକାନ୍ତଙ୍କର ଧୀର ପରିବର୍ତ୍ତନ ହୋଇଥିଲେ ବି ପତିବ୍ରତା ପ୍ରିୟମ୍ବିକା ସେ ସବୁରେ ମନ ଦେଉନଥିଲେ , ମାତ୍ର ଆଜି ନେଡି ଗୁଡ କହୁଣିକୁ ବହିଗଲାଣି । କେବଳ ତା’ଋ ପାଇଁ । ସେ ଯଦି ସତିକାନ୍ତଙ୍କ ସହିତ ଯାଉଥାନ୍ତା, ପାଖେ ପାଖେ ରହୁଥାଆନ୍ତା, କେହି କ’ଣ ଏ ବିଦେଶୀ ରଙ୍ଗପାଣି ତା’ ସ୍ଵାମୀକୁ ପିଆଇଦେଇ ପାରିଥାନ୍ତେ ? ଭାବି ହେଉଥାଏ । ହେଲେ, ଏବେ କ’ଣ କରିପାରିବ ? ଏ ନିଉଛୁଣା ଜୀବନ ନେଇ ମୁହଁ ଲୁଚେଇ ରହିବାକୁ ହେବ ତାକୁ । ନହେଲେ ଘରୁ ବାହାର ହୋଇ ସତ୍ୟର ଉଦଘାଟନ ପାଇଁ ତଲାସି ନେବାକୁ ହେବ ସ୍ବାମୀଙ୍କର । ପ୍ରଥମଟିକୁ ଗ୍ରହଣ କଲେ , ବାକି ଜୀବନ କାନ୍ଦି କାନ୍ଦି , ସଢିସଢି ସନ୍ତୁଳି ହେବ । ଅଜାଗା ଘା’କୁ ସେ କେବେ ଦେଖିପାରିବନି, କି କାହାକୁ ଦେଖେଇ ପାରିବନି, ତା ସହିତ ସମ୍ପୂର୍ଣ ହାତଛଡା ହୋଇଯିବାର ସମ୍ଭାବନା ରହିଛି । ଆଜି ନ ହେଲେ କାଲି ଦୁନିଆଁ ଜାଣିବ । ତୁଣ୍ଡବାଇଦ ପରି ଚାରିଆଡେ ଟାହିଟାପରା ଶୁଭିବ । ସ୍ତ୍ରୀର ଅଯୋଗ୍ୟ ପଣ ପାଇଁ ସ୍ଵାମୀ କୁପଥଚାରୀ ବୋଲି ଲୋକେ କହିବେ । ପିଲାମାନେ ଆସି ତା’କୁ ଦୋଷ ଦେବେ । ବାପାର ଭୁଲ କେହି ଦେଖିବେନି । ମା’ର ଭୁଲ ହିଁ ସମସ୍ତଙ୍କୁ ଦେଖାଯିବ । ଘରେ ଯେତେ ଖଟିଲେ କ’ଣ ବାହାରକୁ ଦେଖାଯିବ ? ସେଇ ଗୋଟିଏ କଥାରେ ରହିଯିବ , କ’ଣ ନାଁ, ଘର କାମ କରି ଦିନଟି ପୁରାଇ ଦେଉଛି ଯେ, ସ୍ଵାମୀକୁ ସାଥିଦେଇ ସ୍ବାମୀଙ୍କ ମନନେଇ, ତାଙ୍କ ସହିତ ନିଜକୁ ଆଡଜଷ୍ଟ କରିପାରୁନି ।
ଦ୍ବିତୀୟଟି ? ଦ୍ଵିତୀୟ ପଥଟି ଯଦି ଆପଣେଇ ନିଏ, ତେବେ ସ୍ଵତନ୍ତ୍ର ଚିନ୍ତାଟା ଦୂରେଇବାକୁ ହେବ । ସ୍ଵାମୀ ନଥିଲେ ଘର
ନାହିଁ । ତେଣୁ ଘରର ଓ ସ୍ବାମୀଙ୍କର ଉଭୟଙ୍କର ମଙ୍ଗଳ ପାଇଁ ସେ ନିଜକୁ ପରିବର୍ତ୍ତନ କରିବ । ମାତ୍ର ଏ କଥା ହଠାତ କିପରି ହେବ ? କିଏ ସାହାଯ୍ୟ କରିବ ? କା’ଇଁ, ହଠାତ କ’ଣ ? ବେଳ ଗଡିଯାଉଛି, ବେଳ ଗଡିବା ସଙ୍ଗେ ସଙ୍ଗେ ଘରବୁଡି ଯାଉଛି । ଆଜି ଘରବୁଡି ପାଣି ଆଣ୍ଠୁଏ ହୋଇଗଲାଣି । ଆଉ ବେଳ ଆସୁଛି ? ନିଶାଗ୍ରସ୍ତର ନିଶାପ୍ରେମ ଦିନକୁ ଦିନ ବଢିଯାଏ । ମାତ୍ର ସେ ଭିତରୁ ତାକୁ ଟାଣି ଆଣିବାକୁ ବଳ ନୁହେଁ କୌଶଳର ଆବଶ୍ୟକତା ରହିଛି । ଯାହାହେଉ ପ୍ରିୟମ୍ବିକା ଆଜି ମହାରାଣୀ ଲକ୍ଷ୍ମୀବାଈ ସାଜିବ । ମହାସତୀ ସାବିତ୍ରୀ ସାଜିବ ନିଜ ଘରେ ବାହାର ଶତ୍ରୁ ପଶେଇ ଦେବ ନାହିଁ ଯମ ଦଉଡି ତା’ ସ୍ବାମୀର ଗଳାରେ ବେଢାଇ ଦେବନାହିଁ । ପତ୍ରପତ୍ରିକା ତାକୁ ବହୁତ ଉପାୟ ବତାଇଛନ୍ତି । କଳେବଳେ କଉଶଳେ ସେ ତା ସ୍ବାମୀଙ୍କୁ ତା କୋଳକୁ ଫେରେଇ ଆଣିବ ସେଥିପାଇଁ ତା ଜୀବନ ଗଲେ ମଧ୍ୟ ତାର ଚିନ୍ତା ନାହିଁ । ହୁଏତ, ସେ ସଧବା ହୋଇ ମରିବ । ବଞ୍ଚିଲେ, ସ୍ଵାମୀ ସହିତ ବଞ୍ଚିବ । ଏହିପରି ଭାବନା କରି କରି ପ୍ରିୟମ୍ବିକା ଘରକାମ ସାରୁଥାଏ । ମନେ ମନେ ବିଭିନ୍ନ ଯୋଜନାମାନ ଚିନ୍ତା କରୁଥାଏ ।
ସ୍ବାମୀଙ୍କ ପାଇଁ ଟିଫିନ କ୍ୟାରିୟରରେ ଖାଇବା ନେଇ ଦିନ ଦୁଇଟାରେ ଅଫିସରେ ପହଞ୍ଚିଲା । ଦରୱାନ ତାକୁ କେବେ ଦେଖିନାହିଁ , ପ୍ରଥମେ ବିଶ୍ବାସ କଲାନାହିଁ , ସାହେବ ତ ଆଉଜଣଙ୍କ ସହିତ ଗାଡିରେ ଯାଆନ୍ତି, ଆସନ୍ତି । ଏ କିଏ ? ବେଶ ପୋଷାକ ତ ସାହେବାଣୀଙ୍କ ପରି ଦିଶୁନି, ବହୁତ ଅନୁରୋଧ କରିବାରେ ଦରୱାନ ଅଫିସର ସିକ୍ୟୁରିଟି ଅଫିସରକୁ ଜଣାଇଲା । ସେ ଅଫିସର ବଡବାବୁକୁ ଜଣାଇଲେ, ବଡବାବୁ ଆସି ଗେଟ ପାଖରେ ପ୍ରିୟମ୍ବିକାକୁ ଦେଖି ସସମ୍ମାନେ ନେଇଗଲେ ଭିତରକୁ । ବାବୁଙ୍କ ଚାମ୍ବରକୁ ନନେଇ କିଛି ଦୂରରେ, ମାତ୍ର ବାବୁଙ୍କ କୋଠରୀ ଦେଖାଗଲାପରି ସ୍ଥାନରେ ବସାଇ ଦେଲେ । ଖାଇବା ଟିଫିନ କ୍ୟାରିୟରରୁ ଖାଦ୍ୟ କାଢି, ଟ୍ରେରେ ବାଢି, ପିଅନ ନେଇ ସତିକାନ୍ତଙ୍କ ଟେବୁଲରେ ପରଷିଦେଲା ।
ସତିକାନ୍ତ ଖାଦ୍ୟଖାଇ ଘରକଥା, ପ୍ରିୟମ୍ବିକା କଥା ମନେ ପକାଇଲେ । ଯାହାହେଲେ ଦୀର୍ଘ ତିରିଶି ବର୍ଷ ଯାହା ସହିତ ଲହୁ, ଲୁହ ମିଶାଇଛନ୍ତି, ଏତେ ସହଜରେ କଣ ଭୁଲିଯିବେ ? ଉପରକୁ ଦେଖେଇ ପରିଲେନି ସିନା, ମନେ ମନେ ବେଶ ଭାବି ହେଉଥିଲେ । ପିଅନକୁ ପଚାରିଲେ, “ଖାଦ୍ୟ କେଉଁଠାରୁ ଆଣିଥିଲ” ? ପିଅନ ଟିକେ ବଞ୍ଚାଇ କରି ଉତ୍ତର ଦେଲା, “ଘରୁ ଫୋନ ପାଇ ଘରକୁ ଯାଇ ଖାଇବା ଆଣିଥିଲି ।“ ‘ମା’ ଫୋନ କରିଥିଲେ ଯେ, ଆପଣଙ୍କ ଦେହ ଅସୁସ୍ଥ ଥିବାରୁ ଆଜି ଘରୁ କିଛି ନଖାଇ ଆସିଛନ୍ତି । ବାହାର ଖାଦ୍ୟ ଖାଇଲେ ଦେହ ବେଶି ଖରାପ ହେବାର ସମ୍ଭାବନା । ତେଣୁ ମୁଁ ବଡବାବୁଙ୍କୁ ପଚାରି ବାବୁଙ୍କ କହିବା ଅନୁସାରେ ଯାଇ ଖାଦ୍ୟ ନେଇ ଆସିଥିଲି ।“ ପିଅନର କଥାରେ କପଟତା ଥିବାପରି ଆଦୌ ଜଣାପଡୁନଥିଲା । ସତିକାନ୍ତ ଆଉକିଛି ନ କହି ନୀରବରେ କାମରେ ଲାଗିରହିଲେ ।
ମୁହଁ ବନ୍ଦ ରଖିଲେ କ’ଣ ମନ ବନ୍ଦ ହୁଏ ? ମନ ଭିତରେ ମନ ବିବେକର ଦ୍ଵନ୍ଦ ଆରମ୍ଭ ହୋଇଗଲା । ଠିକ ସେତିକିବେଳକୁ ସିପ୍ରାଦେବୀ ଆସି ପହଞ୍ଚିଗଲେ । ସିପ୍ରାଦେବୀ ଦେଖିବାକୁ ଭାରି ସୁନ୍ଦରୀ । ବଡ ଘରର ବୋହୂ । ତାଙ୍କ ସ୍ଵାମୀ ବମ୍ବେରେ ରହି ଏକ ଏନ.ଜି.ଓ.ରେ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ । ତେଣୁ ବହୁତ କମ ଘରକୁ ଆସିପାରନ୍ତି । ସେଇ ସୁଯୋଗକୁ ଦୁର୍ଯୋଗରେ ପରିଣତ କରି ସରଳ ଶ୍ରାନ୍ତ ପଥିକକୁ ଗ୍ରାସ କରନ୍ତି ସିପ୍ରା ଦେବୀ । ପ୍ରିୟମ୍ବିକାର ସେ ଥିଲେ ଦୂର ସମ୍ପର୍କୀୟା ।
ସିପ୍ରାଦେବୀ ସତିକାନ୍ତଙ୍କ କୋଠରି ଭିତରେ ପ୍ରବେଶ କରିବା ଦେଖି ପ୍ରିୟମ୍ବିକା ଉତ୍ୟକ୍ତ ହୋଇ ଉଠିଲେ । ଚଉକିରୁ ଉଠି ଯିବାକୁ ଉଦ୍ୟତ ହେଲା । ମାତ୍ର ବଡବାବୁ ଗଗନବିହାରୀ ରାଏ ବେଶ କୁଶଳୀ ଅଭିନେତା । ପ୍ରିୟମ୍ବିକାକୁ ବସାଇ ନିଜେ ସାହେବଙ୍କ ପାଖକୁ ଚାଲିଗଲେ । ସଙ୍ଗେ ସଙ୍ଗେ ସିପ୍ରାଦେବୀ ଅପ୍ରସ୍ତୁତ ହୋଇଉଠିଲେ । ଶୁଣିଲେ ଯେ ସତିକାନ୍ତ ଖାଇସାରିଲେଣି । ବଡବାବୁ ନିଜେ କହିଲେ, “ଆଜି ବାବୁ ଖାଇସାରିଲେଣି । ବାବୁଙ୍କ ଘର ଖାଦ୍ୟ ଆଣି ବାବୁଙ୍କୁ ଖାଇବାପାଇଁ ଦିଆଯାଇଛି । ବାବୁଙ୍କ ଦେହ ଭଲନାହିଁ । ଆପଣ କ’ଣ ରହିବେ କିଛି ସମୟ ?” ଘରୁ ମେମସାହେବ ଫୋନ କରିଛନ୍ତି ଆସିବେ । ବାବୁଙ୍କୁ ସାଙ୍ଗରେ ନେଇଯିବେ । ଆପଣ ଟିକେ ବସନ୍ତୁ । ମୁଁ ଗାଡି ପଠାଇ ମେମସାହେବଙ୍କୁ ନେଇ ଆସିବାର ବନ୍ଦୋବସ୍ତ କରିଦେଉଛି । ଏହା କହି ବଡବାବୁ ଚାଲିଗଲେ ।
ସିପ୍ରାର ମୁହଁ ଫିକା ପଡିଗଲା । ସତିକାନ୍ତଙ୍କୁ ଲାଲଆଖି ଦେଖାଇ ଚିତ୍କାର କରିବାକୁ ଆରମ୍ଭ କରନ୍ତେ ଦରୱାନ ଆସି ପହଞ୍ଚିଗଲା । ସାହେବ ମେମ ସାହେବ ଆସିଛନ୍ତି । ଏଠିକୁ ଡାକିବି ? ସିପ୍ରାର ଝିଲମିଲ ଚେହେରା କ୍ଷଣକରେ ଝାଉଁଳି ପଡିଲା । ଝଡବେଗରେ ସେ କୋଠରୀରୁ ବାହାରି ଗଲାବେଳକୁ କବାଟ ଖୋଲୁଥିଲେ ପ୍ରିୟମ୍ବିକା ।
ପ୍ରିୟମ୍ବିକା ହସ ହସ ମୁହଁରେ ସିପ୍ରାକୁ କୋଳେଇବାକୁ ହାତ ଦୁଇଟା ମେଲେଇ ଦେଲେ । “ଆରେ ସିପ୍ରା ! ତୁ କେବେଠୁ ଭୁବନେଶ୍ବର ଆସିଲୁଣି ? କେବେଠୁ ଆମର ଦେଖାହୋଇନି, ଯାହାହେଉ ଦେଖା ହୋଇଗଲା । ତୁ କ’ଣ, ଆଜି ଆସିଛୁ ? ଆ, ଆମ ଘରକୁ ଯିବା । ସିପ୍ରା ? ତୁ’ ମନେପକେଇ ପାରୁଛୁ କି ନାହିଁ; କେତେଥର ଆମେ ପୁଅ ଝିଅ ବାହାଘର ଆମ କଣ୍ଢେଇରେ କରୁଥିଲେ ! ଏବେ ତ ସମୟ ଆସିଛି, କ’ଣ ତୋର ପୁଅ ଝିଅ ? କ’ଣ ବାହା କଲୁଣି ନା ନାହିଁ ? ହଉ, ଆସିବୁ ! ନିଶ୍ଚୟ ଆସିବୁ । ପୁଅ ଝିଅଙ୍କୁ ବାହାକଲେ କର ନକଲେ ନାହିଁ, ମାତ୍ର ଭଉଣୀ ଘର ଭାବି ଆସିବୁ ।
ସିପ୍ରା କେବଳ ଚାହିଁ ରହିଥାଏ । ଲାଲ ଆଖି ତାର ଧିରେ ଧିରେ ନଇଁ ଆସିଲା । ଦୁଇ ହାତ ଭିତରକୁ ଆଉଳି ଗଲା, କଇଁ କଇଁ ହୋଇ କାନ୍ଦିପକାଇଲା । ଲାଜ ଓ ଭୟରେ ମୁହଁ ଆଉ ନଦେଖେଇ ଝଡ ବେଗରେ ସେଠାରୁ ଚାଲିଗଲା ।
ପ୍ରିୟମ୍ବିକା କୋଠରୀ ଭିତରକୁ ଗଲାବେଳକୁ ସତିକାନ୍ତଙ୍କର ମଧ୍ୟ ଆଖିରୁ ଦୁଇଧାର ଲୁହ ଝରିଯାଇଛି । ଦେହଟା ଝାଳେଇ ଯାଇଛି, କପାଳରେ ବିନ୍ଦୁ ବିନ୍ଦୁ ଝାଳ ଦେଖାଯାଉଛି । ପ୍ରିୟମ୍ବିକା ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଲାଗିଯାଇ ତା’ ଲୁଗା କାନିରେ ମୁହଁରୁ ଅତି ସ୍ନେହରେ ଝାଳ ପୋଛି ପକାଇଲେ । କ’ଣ , ଦେହ ଭଲ ଅଛି ତ ? ଖାଇଲ ନା ନାହିଁ ? ଆଉ କାମ କରିବ ନା ଘରକୁ ଯାଇ ଟିକେ ବିଶ୍ରାମ ନେବ ? ତା’ପରେ ପଛେ, ଆସି କାମ କରିବ, ଆଜି ସନ୍ଧ୍ୟାରେ ଟିକେ କୁଆଡେ ବୁଲାବୁଲି କରି ଆସିବା, ତେବେ ଭଲ ଲାଗିବ । ଆସ ତେବେ ଯିବା । ଏକାଥରକେ ଗୁଡାଏ ପ୍ରଶ୍ନ ଓ ତା’ର ସମାଧାନ କରିଚାଲିଲେ ପ୍ରିୟମ୍ବିକା ।
ସୁନା ପିଲାଟି ପରି ସତିକାନ୍ତ ପ୍ରିୟମ୍ବିକା ସହିତ ଚାଲିଗଲେ । ଅଫିସରେ ସମସ୍ତଙ୍କ ମୁହଁରେ ହସ ଉକୁଟି ଉଠୁଥିଲା । ପ୍ରକୃତ ମେମ ସାହେବଙ୍କୁ ଦେଖି ସମସ୍ତେ ପାଦଧୂଳି ନେଉଥାଆନ୍ତି । ପ୍ରିୟମ୍ବିକା ସମସ୍ତଙ୍କୁ ହସି ହସି କଥା କହୁଥାଆନ୍ତି । ସତିକାନ୍ତ ମୁହଁ ଭଡଙ୍ଗ ରଖି ଆଗେ ଆଗେ ଚାଲିଥାଆନ୍ତି । ତାଙ୍କ ପୌରୁଷତ୍ଵ ତାଙ୍କୁ ଧିକ୍କାର କରୁଥିଲେ ମଧ୍ୟ ଗୋପନ ରଖିବାକୁ ଚେଷ୍ଟା କରୁଥାନ୍ତି ।
ଘରେ ପହଞ୍ଚି ପ୍ରିୟମ୍ବିକା ଯଥାଯଥ ସେବା ଯତ୍ନ କରି ପାଖରେ ବସି ତା’ର ଲେଖିଥିବା ଗପଟି ପଢ଼ି ଶୁଣାଇଲା , ସତିକାନ୍ତ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଆନ୍ତି । ଆରେ, ପ୍ରିୟା, ତୁମେ କେବେ ଏ ଗଳ୍ପ ଲେଖିଲ ? କାଇଁ ମୋତେ କେବେ ଦେଖାଇନାହଁ ତ ? ପ୍ରିୟମ୍ବିକା ଏ ପର୍ଯ୍ୟନ୍ତ ଧୌର୍ଯ୍ୟଧରି, ଛାତିକୁ ପଥର କରି ସ୍ବାମୀଙ୍କୁ ସୁପଥକୁ ଫେରାଇବାର ବଜ୍ର ଶପଥ ପଥରେ ଚାଲିଥିଲେ । ତାଙ୍କ ଆଖିରୁ ଲୁହ ଏପର୍ଯ୍ୟନ୍ତ କେବେ ଝରି ନଥିଲା, ମାତ୍ର ସତିକାନ୍ତଙ୍କ ‘ପ୍ରିୟା’ ଡାକ ଶୁଣିଲା ପରେ ଆଖିର ଲୁହଧାର ତା’ କଥା ମାନି ନଥିଲା । ଟପ ଟପ ହୋଇ ଗଡିପଡିଲା ଓ ଅମାନିଆଁ ହୋଇ ଧାରଧାର ହୋଇ ବହି ଚାଲିଲା ।
ସତିକାନ୍ତ ନିଜର ଭୁଲକୁ ମନେମନେ ଅନୁଭବ କରୁଥିଲେ । ସ୍ନେହରେ ପୁଣି କହିଲେ, “ପ୍ରିୟା’ କାହିଁକି କାନ୍ଦିଲ ? ମୁଁ ପରା ତୁମ ପାଖରେ ଅଛି ! ଦେଲ ଦେଲ ତୁମର ସେ ଗପଟି, ମୁଁ ନେଇ ସବୁ ପତ୍ରିକାରେ ଗୋଟିଏ ଗୋଟିଏ କପି ଦେଇ ବାହାର କରେଇ ଦେବି । କୁହ ! କେଉଁ ପତ୍ରିକାରେ ତୁମ ଗପ ବାହାରିଲେ ତୁମକୁ ଭଲ ଲାଗିବ ? ସୁନ୍ଦର ଲେଖିଛ; ଆଉ ଲେଖିଛ କି ଏଇ ଗୋଟିକ ? ତେବେ ତୁମେ ଆହୁରି ଲେଖିଚାଲ । ତୁମେ ଦିନେ ଏଇ ଗଳ୍ପରେ ନିଶ୍ଚୟ ପ୍ରତିଷ୍ଠା ଲାଭ କରିବ ବୋଲି ଶୁଭେଚ୍ଛା ରହିଲା । ହଁ ଏଇ ଗଳ୍ପଟି କେବେ ଲେଖିଲ ମୋତେ କହିଲନି ତ ?”
ପ୍ରିୟମ୍ବିକା କାନ୍ଦ ବନ୍ଦ କରି ଲାଜ ଲାଜ ହୋଇ କହିଲା, ଯେଉଁଦିନ ତୁମେ ପ୍ରଥମ କରି ଘରକୁ ବିଳମ୍ବରେ ଫେରିଲ । ତୁମକୁ ପଢାଇ ଶୁଣାଇବି ବୋଲି ତୁମ ପଥ ଚାହିଁ ଚାହିଁ ରାତି ବାର ବାଜିଥିଲା, ତାପରେ ମୋ ଗଳ୍ପଟିକୁ ପଢିବା ବା କାହାକୁ ପଢାଇବାର ଅବକାଶ ମିଳିନଥିଲା । ଆଜି ପ୍ରଥମଥର ସୁଯୋଗ ପାଇ ତୁମକୁ ମୋ ଲେଖାଟି ଉପହାର ଦେଲି । ତେବେ ଏ ଗପଟିର ନାମକରଣ ହୋଇନି । ତୁମ ପାଇଁ ଛାଡି ଦେଇଛି ।
ତୁମର ମନ ପରିବର୍ତ୍ତନ କରିଛ, ଜୀବନଧାରା ପରିବର୍ତ୍ତନ କରିଛ । ମୋତେ ହଜେଇ ପୁଣି ପାଖକୁ ବୁଦ୍ଧି ଖଟେଇ ଫେରେଇ ଆଣିପାରିଛ । ତେବେ ଏ ନାଟକ ହେଲା କାହିଁକି କିଛି ଭବିଛ ? କେବଳ ତୁମର ସେଇ ଭୁଲ ପାଇଁ । ତେବେ ଗପଟିର ନାମକରଣରେ ସେ ଭୂମିକାର ଆବଶ୍ୟକ ମନେ କରୁନି, ଏତ ସୁନ୍ଦର ଗପ ପୁଣି ମୋତେ ଉପହାର ଦେଇଛ । କି ନାମ ଦେଲେ ତୁମକୁ ଭଲ ଲାଗିବ ! ତଥାପି ତୁମର ମନେ ରହିବା ଦରକାର ଏଇ ଘଟଣା ଓ ଦୁର୍ଘଟଣା , ତେଣୁ ଏ ଗପଟିର ନାମ ଦେବା “କେବଳ ତୁମରି ପାଇଁ” । କ’ଣ ଚଳିବ ?” ସତିକାନ୍ତ ହସି ହସି ପ୍ରିୟମ୍ବିକାକୁ ପଚାରିଲେ ।
ପ୍ରିୟମ୍ବିକା ମଧ୍ୟ ହସିଦେଲା, ହଁ ଚାଲିବନି କାହିଁକି ? ଦଉଡିବ ନାଁ । ଆଉ ସେ ଭୁଲ କେବେ କରିବିନି, ତୁମର ପାଖେ ପାଖେ ରହିବି । ଏହା କହି ଦୁହେଁ ହସି ହସି ବେଦମ ହୋଇଗଲେ । ସେଇ ଦିନଠାରୁ ଦୁହିଁଙ୍କୁ ଖୁବ ଆନନ୍ଦରେ ବୁଲିବା ଦେଖାଯାଇଥିଲା ।