ମାନସୀ
ମାନସୀ
ଶକୁନ୍ତଳାଟି ସୁଗୃହିଣୀ ହିସାବରେ ବଡ କର୍ମ-କୁଶଳା । ଘରର ଯାବତୀୟ କାର୍ଯ୍ୟ ସୁଚାରୁ ରୂପେ କରିବାର ନିପୁଣା । ସ୍ଵାମୀଙ୍କର ଯତକିଞ୍ଚିତ୍ ଆୟ ସାଙ୍ଗକୁ ଶକୁନ୍ତଳାର କର୍ମଠ ଓ ସୁଚିନ୍ତିତ, ସୁଶୃଙ୍ଖଳିତ କାର୍ଯ୍ୟଧାରା ପରିବାରକୁ ହସଖୁସି ଜୁଆରରେ ପୂର୍ଣ୍ଣ କରିଦିଏ । ସୁକୁନ୍ତଳା ସେ । କୁଞ୍ଚୁକୁଞ୍ଚିଆ ବୋଝେ କେଶକୁ ସଜାଇ ଗୁଜେଇ ସନ୍ଧ୍ୟା ପୂର୍ବରୁ ବେଶପଟ୍ଟା ହୋଇ ସ୍ଵାମୀଙ୍କୁ ଅପେକ୍ଷା କରି ରହିଥାଏ । ଅସୀମ ତାର କୋଳକୁ ଦୁଇ ବର୍ଷ ହେଲା ମଣ୍ଡନ କଲାଣି ! ଅସୀମର ପାଳନରେ ମଧ୍ୟ ତାର ଅବହେଳା କେବେ ପରିଲକ୍ଷିତ ହୋଇ ନାହିଁ । ମଣିଷ ପାଞ୍ଚ ମନ, ପଚିଶ ପ୍ରକୃତି ନେଇ ଜନ୍ମ ହୋଇଛି । ମନରେ କେତେବେଳେ କେଉଁ ଭାବନା ପଶିଯାଏ । ମନଖୁସି କରିବାକୁ ଯେମିତି ନାଟ ତାମସାର ଲୋଡା, ମାଇପି ଲୋକଙ୍କର ସେମିତି ପାଞ୍ଚ ମାଇପି ଲୋଡା । ଶକୁନ୍ତଳାଟି କିନ୍ତୁ ଭାରି ଗପୁଡି, ନଣନ୍ଦମାନଙ୍କ ସହିତ ଆଗେ ବେଶ ଗପୁଥିଲା ସିନା, ନଣନ୍ଦମାନଙ୍କ ବିବାହ ପରେ ସାଇପଡ଼ିଶାରେ ମନ ମିଳିଲା ପରି ସାଥୀ ନ ପାଇ ‘ଜଳ ବିନା ମାଛ’ ପରି ଛଟପଟ ହେଉଥିଲା ।
ସମୟର ଚକ ଘୁରୁ ଘୁରୁ କେତେବେଳେ କିଏ କେଉଁଠି ପୁଣି ମିଶିବ ସେ କଥା ତ କେହି କହିପାରିବନି । ସେଇ ସତ୍ୟକୁ ପ୍ରମାଣ କରି ନଣନ୍ଦ ତା’ର ଶକୁନ୍ତଳା ରହୁଥିବା କଲୋନୀ ପାଖରେ ଆସି ଭଡ଼ା ନେଇ ରହିଲେ । ଶକୁନ୍ତଳାକୁ ଏହା ବେଶ ସୁହାଇଲା, ଧୀରେ ଧୀରେ ତାର ବୁଲିଯିବାର ଅଭ୍ୟାସ ଆରମ୍ଭ କଲା । ସୁନୀତି ନାମକ ନଣନ୍ଦଟି ମଧ୍ୟ ତାର ବେଶ ନୀତି ନିପୁଣା । ଘରଦ୍ଵାର ପୋଛି ସୁନ୍ଦର ସାଜସଜ୍ଜା କରି ଘରକୁ ସୁନ୍ଦର କରିବାରେ ଲାଗିଥାଏ ।
ପ୍ରଥମେ ପ୍ରଥମେ ସ୍ଵାମୀ ସହିତ ନଣନ୍ଦଙ୍କ ଘରକୁ ବୁଲି ବାହାରିଲା । ପରେ ପରେ ଆଉ ସ୍ଵାମୀକୁ ଅପେକ୍ଷା କରିବାକୁ ପଡିଲାନି । ସ୍ଵାମୀଙ୍କଠାରୁ ଅନୁମତି ଆଗରୁ ନେଇ ସାରିଥାଏ ସେ । କେବେ ସମୟ ପାଇଲେ, ଅସୀମକୁ ଧରି ସୁନୀତିଙ୍କ ଘରକୁ ଚାଲିଯାଏ । ଏହି ବୁଲିଯିବା ତାର ଏମିତି ଅଭ୍ୟାସରେ ପରିଣତ ହୋଇଗଲା ଯେ, ସବୁଦିନ ନିତ୍ୟ ନୈମିତ୍ତିକ ଘରକରଣା ତରବରିଆରେ ଶେଷ କରି ବାହାରିଯାଏ ନଣନ୍ଦଙ୍କ ପାଖକୁ । ନଣନ୍ଦ ମଧ୍ୟ ଖୁସି ହୁଅନ୍ତି । ରାନ୍ଧିଥିବା ତରକାରି ଠାଏ ଦି’ଠା ଯାହା କରିଥାଏ, ସଙ୍ଗରେ ନେଇଯାଏ । ନଣନ୍ଦଙ୍କର ଘରର କିଛି ରୁଚିକର ତରକାରି ଥିଲେ, ଫେରିବା ବେଳକୁ ଅଭିଜିତଙ୍କ ପାଇଁ ନେଇଆସେ ।
ନୂଆ ନୂଆ ଘର ବଦଳାଇ ଆସିଥିବା ସମୟରେ ସୁନୀତି ସାଇପଡିଶାଙ୍କ ଘର ସହିତ ମିଶି ନଥିଲେ । ଧୀରେ ଧୀରେ ସେ ପାଖ ପଡୋଶୀଙ୍କ ଅନ୍ତରଙ୍ଗ ହୋଇଗଲେ । ସତେ ଯେମିତି ବାଇଗଣ ତ’, କେଉଁଠି ସେ ନାଇଁ ବୋଲି ନାଇଁ । ୟା’ ଘରକୁ ତା’ ଘର ହେଉ ହେଉ, ଆଙ୍ଗୁଳି ପ୍ରବେଶରୁ ବାହୁ ପ୍ରବେଶ ପରି ସବୁରି ଘରର ନାନାଦି ସମସ୍ୟାରେ ସେ ହସ୍ତକ୍ଷେପ କରିବାକୁ ଲାଗିଲା । ଏଣିକି ସେ ଏ ଘରର ମାଉସୀ ତ ସେ ଘରର ପିଉସୀ । ସମସ୍ତଙ୍କର ସୁନୀତି ପାଖରେ କାମ । କିଏ ସିଲେଇ ଶିଖିବାକୁ ଡାକିଲାଣି ତ, କିଏ ବଡି ପାରିବାକୁ ତ, ପୁଣି କିଏ ମୁଣ୍ଡରେ ଜୁଡା ବାନ୍ଧିବାକୁ । ଘରୁ ସ୍ଵାମୀମାନେ ଚାଲିଗଲେ କଲୋନୀ ଯାକର ସ୍ତ୍ରୀଲୋକ ଏକାଠି ମେଳ ହୁଅନ୍ତି । ଯାହାଘରେ ଯାହା ନୂଆ ଦରବ ଆସିଛି ତାର ବର୍ଣ୍ଣନା କରନ୍ତି ।
ସ୍ଵପ୍ନେଶ୍ଵର ବାବୁଙ୍କ ଘରଣୀ ସୁନା କରିବାରେ ଓସ୍ତାଦ । ସ୍ଵାମୀଙ୍କ ଦରମା ଆସିଲେ ପ୍ରଥମେ ସେ ଗୋଟି ଗୋଟି ପଇସା ଗଣି ସ୍ଵାମୀଙ୍କ ହାତରୁ ନେଇ ରଖିବେ । ସୁନା ଗହଣା ମନଲାଖି କିଣିଆଣିବେ । ଆଉ ଯାହା ରହିବ ଘର ଖର୍ଚ୍ଚ । ହେଲେ ଅଣ୍ଟିବ କେଉଁଠୁ ? କିରାଣି ଚାକିରି । ସ୍ବାମୀଙ୍କୁ ଖା’ସେ ଲଗେଇବେ, ‘ଦେଖିଲ ହରିଶଙ୍କର ବାବୁଙ୍କର ଘରେ କେତେ ଜିନିଷ ହେଲାଣି । ତମେ କ’ଣ ଚାକିରି କରୁନ କି ? ଆମ ଘରେ କ’ଣ ଅଛି ଯେ ? ତୁମକୁ ଆଉ କେତେ ଥର କହିବି ? ଆମେ ସହରରେ ରହିଲେ । ଯାଉଁଳି ପଲଙ୍କରେ ନ ଶୋଇଲେ କ’ଣ ଆମ ମାନ ରହିବ ? କେବେ ଆଉ ଆଣିବ ?” ସ୍ଵାମୀଙ୍କର ଅଫିସରୁ ଆସି ଶୋଇବା ଭିତରେ ପଚାଶ ଥର ସେଇ ଏକା କଥା ଶୁଣଉଥିବେ । “ଖଣ୍ଡା ଖାଇ ମଣ୍ଡା ଗିଳି’ ମାଇପ ଥିଲେ ସ୍ଵାମୀର କଥା ସଇଲା ।“ କ’ଣ କରିବେ ! କିଛି ସ୍ଥିର କରିପାରନ୍ତିନି । କେଉଁ କର୍ମଚାରୀର ବଦଳି ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତି ତାପରେ ପତ୍ନୀଙ୍କ ମନସ୍କାମନା ପୂର୍ଣ୍ଣ କରିବାକୁ ଯାଇ ଯାଉଁଳି ପଲଙ୍କ ଆଣି ଘରେ ଥୋଇ ଦିଅନ୍ତି । ପତ୍ନୀ ଦେବୀ ଖୁସିରେ କୁଣ୍ଢାଇ ପକାନ୍ତି ସ୍ଵାମୀଙ୍କୁ । କହି ପକାନ୍ତି, “ମୁଁ ଜାଣିଥିଲି ପରା ! ହଉ ହାତ ଗୋଡ଼ ଧୋଇ ଗଣ୍ଡେ ଖିଅପିଆ କଥାବାର୍ତ୍ତା ହେବାନି ।“
କ୍ରମେ ସ୍ଵପ୍ନେଶ୍ଵରବାବୁଙ୍କର ଏ ଜୀବନ ଦେହଘଷା ଦେହସୁହା ହୋଇଗଲାଣି । ଯାଉଁଳି ପଲଙ୍କ ପରେ ଗଡରେଜ ଆଲମୀରା । ଆଲମୀରା ଆସିବା ପରେ ଗ୍ରାଇଣ୍ଡର । ଗ୍ରାଇଣ୍ଡର ପରେ ଓଭନ, ଫ୍ରିଜ, କଲର ଟି.ଭି. ଏହିପରି ଗୋଟିଏ ପରେ ଆଉ ଗୋଟିଏ ପତ୍ନୀଙ୍କ ସ୍ଵପ୍ନକୁ ସାକାର କରିବାରେ ସ୍ଵପ୍ନେଶ୍ଵରବାବୁ ବେଶ ତତ୍ପର ହୋଇଯାଉଥିଲେ । ଅପେକ୍ଷା କରିଥିଲେ କେଉଁଦିନ ଆଉ ନୂଆ ବୈଜ୍ଞାନିକ ଉଦ୍ଭାବନ ହେବ ଘରଣୀ ନିମିତ୍ତ ତାକୁ ତାହା ପୂରଣ କରିବାକୁ କି ପଦକ୍ଷେପ ନେବାକୁ ହେବ ।
ଏଣେ ଶକୁନ୍ତଳା ନଣନ୍ଦ ଘରକୁ ଯିବା ଆସିବା କରି ଘରଣୀମାନଙ୍କ ମହାସଭାର ନେତ୍ରୀ ପାଲଟିଗଲାଣି । ସ୍ଵାମୀଙ୍କୁ ଖୁସିରେ ରଖିଥିବା ଶକୁନ୍ତଳାର ମଧ୍ୟ ନାରୀ ସମାଜରେ ମାନ ଅଛି ।
ସବୁଦିନ ସେ ଆସୁଥିବ ଓ ଖିଆପିଆ କରି ଯାଉଥିବ । ପୁଣି ସାହି ସଙ୍ଗାତଙ୍କୁ ଘରକୁ ନିମନ୍ତ୍ରଣ କରିବ ତ ! ତେଣୁ ଶୁଭ ମୁହୂର୍ତ୍ତ ଦେଖି ତା ଘରକୁ ନଣନ୍ଦ ଓ ସାହିପଡିଶା ସ୍ତ୍ରୀ ଲୋକମାନଙ୍କୁ ଖାଇବାକୁ ଡାକିଲା । ସମସ୍ତେ ଗଲେ । ଶକୁନ୍ତଳାର ଘର ସୁନ୍ଦର ସାଜସଜ୍ଜା ହେଲେ କ’ଣ ହେବ, ଆଧୁନିକ ବୈଜ୍ଞାନିକ ଯନ୍ତ୍ରପାତି ଘରକରଣା ଉପକରଣ କାଇଁ ? ସମସ୍ତଙ୍କ ଆଖି କୋଠରି ଚାରିପଟେ ବୁଲିଆସିଲା । ଥରେ ନୁହେଁ, ବାରମ୍ବାର । କେଜାଣି କେଉଁଠି ରହିଯାଇଥିବ ! ମାତ୍ର ଏଁ ! କିଛି ତ ନାହିଁ । ଶକୁନ୍ତଳାକୁ ଡାକି କହିଲେ, “ହଇହେ ଶକୁନ୍ତଳା ଦେବୀ, ତୁମର କ’ଣ ପଇସା ପତ୍ର ଅଣ୍ଟୁନି କି ଚଳିବାକୁ ?”
ଶକୁନ୍ତଳା ଆଶ୍ଚର୍ଯ୍ୟ ହୋଇ ପଚାରିଲା, କ’ଣ ଅଭାବ ଆପଣ ଦେଖିଲେ କି ? ଆସନ୍ତୁ ! ବସନ୍ତୁ ! ଖିଆପିଆ କରିସାରିଲେ କଥାବାର୍ତ୍ତା ହେବନି !
ଉପର ମନରେ ସିନା ଏପରି କହିଦେଲା, ହେଲେ ଭିତରେ ଭିତରେ ଦୁଃଖୀ ହୋଇ ଭାବିବାକୁ ଲାଗିଲା । କ’ଣ ତା’ର ଅଭାବ ଏମାନେ ଦେଖିଲେ ! ସ୍ଵାମୀ ତ ତା’ର କୌଣସିଥିରେ ଅଭାବ କରିନାହାନ୍ତି । ତେବେ କ’ଣ ପାଇଁ ଏପରି ଚିନ୍ତା ସେମାନଙ୍କ ମୁଣ୍ଡକୁ ଆସିଲା ! ମୁଁ କ’ଣ ତାଙ୍କୁ ଅଖାଡୁଆ କିଛି କହିଦେଲି କି ! ଏହିପରି ସନ୍ତୁଳି ହେଲା ମନେ ମନେ ।
ଖିଆପିଆ ସରିଲା । ଶକୁନ୍ତଳାକୁ ପାଖକୁ ଡାକି ସ୍ଵପ୍ନେଶ୍ଵର ବାବୁଙ୍କ ପତ୍ନୀ ମୁକୁତାଦେବୀ କହିବସିଲେ, “ତୁମେ ଏକା ଏତେ କାମ କରୁଛ ? ତୁମ ପାଇଁ ଗ୍ରାଇଣ୍ଡର କି ଓଭନ ଆଣି ଦେଉନାହାନ୍ତି କି ? କୁକର ଗୋଟିଏ ଦିଇଟା କିଣୁନ ? ଗ୍ୟାସ ଚୁଲା ପରା ଘରେ ଘରେ ! ପିଅନର ସ୍ତ୍ରୀ ବି ଗ୍ୟାସ ଚୁଲାରେ ରାନ୍ଧୁଛି । ଆଉ ତୁମେ କେଉଁ ମାନ୍ଧାତା ଅମଳରେ ଅଛ କିହୋ ? ଏତେ ଗୁଣର ତୁମେ ହୋଇଛ । ସ୍ଵାମୀ ତୁମର ଭଲମନ୍ଦ ଦେଖୁନାହାଁନ୍ତି ପରା” ? ପାଳି ଧରି ଭିକାରିବାବୁଙ୍କ ପତ୍ନୀ କହିଉଠିଲେ- “ଆଲୋ ପଇସା ଅଣ୍ଟିଲେ ସିନା । ଜଣଙ୍କର କମେଇ । ପିଲାଟିଏ । ଦୁଧ ବିସ୍କୁଟ କରୁ କରୁ ସରିଯାଉଥିବ । ପୁଣି ଦେହପା କଥା ଅଛି । ଏସବୁ କରିବାକୁ ତ ଟଙ୍କା ଦରକାର ।“ ପରସ୍ପର ମୁହଁକୁ ମୁହଁ ଚାହାଁଚୁହିଁ ହୋଇ ଚାପା ଗଳାରେ କେଇପଦ କୁହାକୁହିକୁ ଶକୁନ୍ତଳା ସହିପାରିଲାନି ।
ପତିବ୍ରତା ଶକୁନ୍ତଳାର ଦେହ ସହନ୍ତା କିପରି ? ସେ ଅଗ୍ନିଶର୍ମା ହୋଇ ଦୁମ୍ ଦୁମ୍ ହୋଇ ସେଠାରୁ ଚାଲିଗଲା ଓ ଦୁଃଖ ଓ ଗ୍ଲାନିରେ ତା’ର ମୁହଁ ଲାଲ ପଡିଗଲା । ଅପମାନର କୁହେଳି ତା ମନକୁ ଗ୍ରାସି ପକାଇଲା । ସ୍ଵାମୀଙ୍କୁ ଆଜି କହିବ । ଏପରି ଅନ୍ୟାୟ କରିଛନ୍ତି କାହିଁକି ?
ସମସ୍ତେ ଚାଲିଗଲେ । ଶକୁନ୍ତଳାର ଆଉ କୌଣସି କାମରେ ମନ ଲାଗୁ ନଥାଏ । ସ୍ଵାମୀଙ୍କ ଆସିବା ବାଟକୁ ଚାହିଁ ରହିଥାଏ । ରାତି ସାତଟାକୁ ଫେରିଲେ ଅଭିଜିତ । ଶକୁନ୍ତଳା ଦୁଆର ଖୋଲି ଦେଇ ସିଧା ଯାଇ ଖଟ ଉପରେ ଶୋଇଗଲା । ଅଭିଜିତ ସ୍ତ୍ରୀଙ୍କ ଏ ନୂଆ ରୂପ କେବେ ଦେଖିନଥିଲେ କି କଳ୍ପନା କରିନଥିଲେ । ଯେତେ ହେଲେ ବି ସ୍ତ୍ରୀ । ହୁଏତ ଶରୀରର ଯନ୍ତ୍ରଣା କିଛି ଥିବ । ବିଶ୍ରାମ ଦରକାର । ତେଣୁ ବ୍ୟସ୍ତ ନକରି ନିଜେ ନିଜେ ବାଢି ଆଣି ଖାଇବା ପାଇଁ ଡାକିବାକୁ ଗଲେ ପତ୍ନୀକୁ । ନାଗୁଣୀ ଫଣା ଟେକିଲା ପରି ଶକୁନ୍ତଳା ବେକ ଅଧା ଉଠାଇ ଚାହିଁ ସ୍ତ୍ରୀଙ୍କର ଗରଳ ଉଦଗାରିଲା ପରି ଅନର୍ଗଳ କହି ଚାଲିଲେ, ଅଭିଯୋଗ କରିଚାଲିଲେ, “କେତେ ଦିନ ମୁଁ ଆଉ ଏମିତି ଅରିକ୍ଷିତଆଣିଙ୍କ ପରି ଖଟି ଚାଲିଥିବି ? ମୁଁ ତ ଖଟି ଚାଲିଛି । ହେଲେ ତୁମେ ? ଖାଲି ସାହେବ ପରି ଖାଇ ପିଇ ଅଫିସ ଚାଲି ଯାଉଛ ! ମୋ କଥା ଥରେ ଭାବୁଛ ? ଆଉ କେତେ ଦିନ ବଞ୍ଚିବି ? ମୋର ଦେହ ହାତ ବିନ୍ଧା ବାହାରି ଗଲାଣି । ପିଲା କାମ , ଘର କାମ, ରୋଷେଇ, ବାଡିବଗିଚା, ବାସନମଜା, କ’ଣ ମୁଁ ନ କରୁଛି ! ତୁମକୁ ଠିକ୍ ସମୟରେ ଗଣ୍ଡେ ଖାଇବାକୁ ମିଳିଯାଉଛି ବୋଲି, ତୁମେ କିଛି ବି ଜାଣିବାକୁ ଚେଷ୍ଟା କରୁନ । ମୁଁ ଆଉ ଖଟି ପାରିବିନି !” କହି ପୁଣି ଦୁମ୍ କିନା ଶୋଇପଡିଲା ।
ଅଭିଜିତ ତଟସ୍ଥ ହୋଇ ଶୁଣୁଥିଲେ ତାହା । ମନକୁ ତାଙ୍କର କିଛି ଭାବନା ଆଣି ପାରୁନଥିଲେ । ଏପରି ଏକ ବିତର୍କିତ ଅବସ୍ଥା ଆସିବ ବୋଲି ସେ କେବେ ଭାବି ନଥିଲେ । ରାତି ସାଙ୍ଗକୁ କ୍ଳାନ୍ତି ଓ ନିଦ୍ରା ମାଡି ଆସି ଆକ୍ରାନ୍ତ କରିଗଲେଣି ଚତୁର୍ଦ୍ଦିଗରେ । ମାନ ଭଙ୍ଗ କରିବାକୁ ଯାଇ, “ମାନିନୀ ଗୋ ଆସ ଖାଇ ପିଇ ସାରିଲେ, ମନ ଶାନ୍ତ ହୋଇଯିବ । ତା’ପରେ କ’ଣ କରିବା, କି’ ନ କରିବା ଚିନ୍ତା କରିବା । ତୁମକୁ ମୋ ରାଣ ! ଆସ ଆଗ ଗଣ୍ଡେ ମୋତେ ଖୁଆଇ ସାରି ସିନା ଅଭିଯୋଗ ବାଢନ୍ତ ?” ଧୀର ଚୁମା ଟିଏ ଦେଇ ପତ୍ନୀଙ୍କ ମାନ ଭଙ୍ଗ କରି ଅଭିଜିତ ପତ୍ନୀଙ୍କୁ ଆଣି ଟେବୁଲ ପାଖରେ ପହଞ୍ଚାଇ ଦେଇ , ବଢା ବଢିକରି ନିଜେ ବସି ପଡି ଖାଇବାକୁ ଆରମ୍ଭ କରିଦେଲେ । ନିଜେ କିଛି ଖାଇ ପାଣି ଗିଲାସଟିଏ ପିଇ ଆଶ୍ଵସ୍ତ ହୋଇ ପତ୍ନୀଙ୍କୁ ଖୁଆଇ ଦେବାକୁ ଉଦ୍ୟତ ହେଲେ ।
ମାତ୍ର ପତ୍ନୀଙ୍କ ମାନ ସେ ପର୍ଯ୍ୟନ୍ତ ସରିନଥିଲା । ଜବରଦସ୍ତ ଚୌକି ଉପରେ ବସାଇ ଖୁଆଇ ଦେବାକୁ ଆରମ୍ଭ କରିବାରେ ପତ୍ନୀଙ୍କ ଆଖିରୁ ଝରଝର ଲୁହ ଖସିଗଲା । କିଛି ଜାଣିପାରିଲାନି ଶକୁନ୍ତଳା । ଭବିଲା, କ’ଣ ହୋଇଗଲା ? ମୋ’ର ଜୀବନରେ ତ ଏମିତି କଳି କଜିଆ ସ୍ଵାମୀଙ୍କ ସହ କରିନଥିଲି । ଆଉ, ଆଜି ଏ କ’ଣ ?” ସ୍ଵାମୀଙ୍କ କୋଳରେ ମୁହଁ ଲୁଚାଇ କଇଁ କଇଁ ହୋଇ କାନ୍ଦି ଉଠିଲା । ଅପରାଧୀଟିଏ ପରି ଲାଜରା ଲାଜରା ହୋଇ ଖାଇବାକୁ ଲାଗିଲା । ବାସନ କୁସନ ଉଠାଇବାକୁ ଯିବା ବେଳକୁ ଅଭିଜିତ ବାରଣ କରି, ନିଜେ ସେସବୁକୁ ଠୁଳ କରି ନଳା ମୁହଁରେ ଥୋଇ, ଟେବୁଲ ସଫା କରି ଶକୁନ୍ତଳାକୁ ସାଙ୍ଗରେ ଧରି ଶୟନ କକ୍ଷକୁ ଚାଲିଗଲେ ।
ଅସୀତ୍ ଶୋଇପଡିଥିଲା । ଅସୀତ ଯାହା ହେଉ ଏ ସବୁ ଅଭିନୟ ଦେଖିନାହିଁ । ଶକୁନ୍ତଳା ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଇ ଶୋଇଗଲା । ଅଭିଜିତଙ୍କ ଆଖିକୁ କିନ୍ତୁ ନିଦ ନାହିଁ । କ’ଣ ହୋଇଛି ଶକୁନ୍ତଳାର ? କେବେ ତ କାଇଁ ସେ ଏପରି ମତେ କହିନି ? ନାନା ବାସ୍ତବ, ଅବାସ୍ତବ, କଲ୍ପନା ଜଳ୍ପନା ତା’ ମନକୁ ଭାରାକ୍ରାନ୍ତ କରି ପକାଇଲା । ନାନା ସମ୍ଭାବନାର କୁହେଳି ଭିତରେ ଖୋଜି ବୁଲୁଥିଲେ ରାତିସାରା ତାରାଟିକୁ ।
ଶିଶିରସ୍ନାତ ହୋଇ ପୃଥିବୀ ଶୀତଳ ହୋଇଯାଇଥିଲା ଓ ତାହା ସହିତ ଶକୁନ୍ତଳାର କ୍ରୋଧ, ମାନ, ଅଭିମାନ ମଧ୍ୟ ସକାଳକୁ ଶାନ୍ତ ହୋଇଯାଇଥିଲା । ଅଭିଜିତ ଭୋରରୁ ଉଠି ଶକୁନ୍ତଳା ପାଇଁ ଚା କପଟିଏ ଆଣି ଠିଆ ହୋଇଛନ୍ତି । ପରିହାସ ଛଳରେ ପତ୍ନୀଦେବୀଙ୍କ ସେବା ପାଇଁ ଉପସ୍ଥିତ ରହିଥିବାର ଇଙ୍ଗିତ କରିବାରେ ସଲଜ ହସରେଖା ଟାଣି ଶକୁନ୍ତଳା ଉଠି ସ୍ଵାମୀଙ୍କୁ ପୂର୍ବ ରାତିର ଝଡ ପାଇଁ କ୍ଷମା ମାଗିନେଲା ।
‘ହେଲେ ଅଭିଜିତ ନଛୋଡବନ୍ଧା ।‘ ପାଖରେ ବସି ପଡିଲେ ଶକୁନ୍ତଳାର ଓ ଆଦରରେ ପଚାରିଲେ ଗତ ରାତିର ଅବ୍ୟବହିତ ପୂର୍ବରୁ ଯାହାସବୁ ଘଟିଥିଲା ଘରେ ଓ ଘରକୁ କିଏ ଆସିଥିଲେ କି ବୋଲି । ନିରୀହ ଚାହଁଣିଟିଏ ଦେଇ ଶଙ୍କାକୁଳ ହରିଣୀ ଭଙ୍ଗିରେ ସମସ୍ତ ଖବର ଗୋଟିଏ ଗୋଟିଏ କରି କହିଗଲା । ଅଭୟ ଦେଇ ଅଭିଜିତ ତା’ର ମନୋକାମନା ପୂରଣ କରିବାର ପତିଶ୍ରୁତି ଦେଇ ସନ୍ଧ୍ୟା ବେଳକୁ ଅଫିସରୁ ବେଳାବେଳି ଫେରି ବଜାରକୁ ଯିବା ବ୍ୟବସ୍ଥା କରିବାକୁ କହି ଉଠିଲେ ।
ନିତ୍ୟ ନୈମତ୍ତିକ କାର୍ଯ୍ୟ ସାରି ଆଜି ଆଉ ଶକୁନ୍ତଳା ନଣନ୍ଦଙ୍କ ଘରକୁ ଯାଇନି । ସନ୍ଧ୍ୟା ପୂର୍ବରୁ ଅଭିଜିତ ଆସିବେ । ସହଳ ସହଳ କାମ ସାରି ସ୍ଵାମୀଙ୍କ ଅପେକ୍ଷାରେ ପୁଅକୁ ଧରି ବସି ରହିଥାଏ ।
ସନ୍ଧ୍ୟା ଆଗତ ପ୍ରାୟ । ଗୋଧୂଳି ଲଗ୍ନରେ ଆକାଶ ସୂର୍ଯ୍ୟଙ୍କର ରକ୍ତିମ ଆଭାରେ ଉଜ୍ଜ୍ଵଳି ଉଠୁଛି । ବିରହ ପରେ ମିଳନ । ମିଳନ ପରେ ବିରହ । ଦୁଃଖ ପରେ ସୁଖ ଓ ସୁଖ ପରେ ଦୁଃଖ । ଏ ବିଧାତା ସୁନ୍ଦରଭାବେ ସଜେଇ ରଖିଛନ୍ତି । ଯା’ ମନ ଯେପରି ତା’ ପାଇଁ ଠିକ ସେହିପରି ସୁନ୍ଦର ପୃଥିବୀ ଗୋଚର ହୋଇଥାଏ । ବିଚାରୀ ଶକୁନ୍ତଳା କେବେ ଭାବି ନଥିବା ଘଟଣା ଘଟେଇ ଦେଇଥିବାରୁ ମନରେ ଯେଉଁ ଦୁଃଖ ଆଣୁଥିଲା , ଅଭିଜିତଙ୍କୁ ହସ ହସ ମୁହଁରେ ଆସୁଥିବାର ଦେଖି ଖୁସି ହୋଇଯାଇଥିଲା ।
ବଜାରରେ ବୁଲି ବୁଲି ପତ୍ନୀଙ୍କ ମନ ଲାଖି ଜିନିଷ କିଣିବାକୁ ମନସ୍ଥ କରିଛନ୍ତି ଅଭିଜିତ । ଘରକରଣା ସରଞ୍ଜାମ ଭିତରେ ପ୍ରେସର କୁକର, ଗ୍ରାଇଣ୍ଡର, ଓଭନ, ନନଷ୍ଟିକ ତାୱା କିଣି ଘରକୁ ଫେରିଲେ । ଘରକୁ ସୁନ୍ଦର ଘରଣୀ ଥିଲେ । ଘରଣୀ ଥିଲେ କି ହେବ, ଘରଣୀର ହସ ନ ଥିଲେ ? ଘରଣୀଙ୍କୁ ହସାଇ ରଖିବାକୁ ସ୍ଵାମୀଙ୍କ ଚେଷ୍ଟା ପ୍ରଶଂସାଯୋଗ୍ୟ । ତା’ ପରଦିନ ଫ୍ରିଜଟିଏ ଆଣି ଘରେ ପହଞ୍ଚାଇ ଦିଆଗଲା । ପୁରୁଣା ଫ୍ୟାନ କଢା ହୋଇ ନୂଆ ଫ୍ୟାନ ଲଗାଗଲା । ଝରକା କବାଟରେ ସୁନ୍ଦର କନାର ସ୍କ୍ରିନ ଲଗାଇ ଦିଆଗଲା । ସତେ ଅବା ନୂଆ ଭୁଆଷୁଣୀ ଆସିଛି । ଘରକୁ ସଜାଇ, ସୁନ୍ଦର ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଛି । ମନରେ ଅସୁମାରୀ ଆନନ୍ଦ । ‘ଗତସ୍ୟ ଶୋଚନା ନାସ୍ତି ।‘ ତେଣୁ ସେ ସବୁ ମନରୁ ପାଶୋରି ଦେବାକୁ ଚେଷ୍ଟା କଲେ । ପୁଣି ପୂର୍ବ ପରି ବଗୁଲା ବଗୁଲୀ ହସଖୁସିର ଘର କଲେ ।
ଅନେକ ଦିନ ବିତିଗଲା । ଶକୁନ୍ତଳା ଆଉ ନଣନ୍ଦଙ୍କ ଘରକୁ ଗଲାନି । ଘରେ ଚାଉଳ, ବିରି ଗ୍ରାଇଣ୍ଡରରେ ବାଟି ଓଭନରେ ପୋଡପିଠା କରି ସ୍ଵାମୀ, ପୁଅକୁ ଖୁଆଇବାରେ ସମୟ ଟିକେ ଅଧିକା ଲଗେଇଲା । କୁକରଟି ମଧ୍ୟ ତାକୁ ରନ୍ଧାରେ ବେଶ ସହାୟକ ହେଲା । ଫ୍ରିଜରେ ରଖିପାରିଲା ଭଳି ନାନାଦି ବ୍ୟଞ୍ଜନ କରି ମିଠା, ପିଠା କରି ନିଜର ଶ୍ରମ ଲାଘବ କରି ଅନ୍ୟାନ୍ୟ କାର୍ଯ୍ୟରେ ଲାଗି ପଡିଲା । ହେଲେ ନଣନ୍ଦଙ୍କୁ ଟିକେ ପିଠା ଦେବାକୁ ଇଚ୍ଛା କରି ଦିନେ ଚାଲିଗଲା । ସ୍ଵପ୍ନେଶ୍ଵର ବାବୁଙ୍କ ପତ୍ନୀ କଡା ହସଟେ ହସି ପାଛୋଟି ନେଲେ ଶକୁନ୍ତଳାକୁ । ହାତରେ ପିଠା ଦେଖି ମନେ ମନେ କ’ଣ ଭାବୁଥିଲେ । ସୁନୀତି ପହଞ୍ଚି ଭାଉଜକୁ ଘରକୁ ଡାକିନେଲେ । ବିଗତ ଦିନର ଘଟଣା ତାଙ୍କର ମନରୁ ଲିଭିନଥିଲା । ହେଲେ ନାରୀ ମନ ନଦୀ ସମ । ତାକୁ ବୁଝି ହୁଏନା । ବିଧାତା ନାରୀଟିକୁ ଗଢି ମଧ୍ୟ ତା’ପରେ ତା’ର ଭାବନାକୁ ବୁଝିବାକୁ ଅକ୍ଷମ ହେଲେ ବୋଲି ବହୁ ପୁରାଣ ବଖାଣି ଥାଏ । ଚଟପଟ କରି ଆସି ସେ ଶକୁନ୍ତଳାକୁ କହିଲେ, “ହଇହେ ! ଝିଅ ! ତୁମର ୱାସିଙ୍ଗ ମେସିନ ଆଣିଲଣି ନା ନାଇଁମ ? ଆମର ଗୋଟିଏ ଆଣିଛୁ ଯେ, ଲୁଗା ଭାରି ବଢିଆ ସଫା ହୋଇଯାଉଛି ମ ! ତୁମେ ବି ଏଥିରୁ ଗୋଟିଏ କିଣ । ଆଉ ଯାହାହେଉ ନହେଉ, ୱାସିଂମେସିନଟା ଘରକୁ ଭାରି ଦରକାର ପରା । ଆମର ଏ ତ ଭାରି ଗୁଣର ପୁରୁଷ । ମୋ କଷ୍ଟ ଜମା ସହି ପାରନ୍ତିନି । ଅରିକ୍ଷିତ ବାବୁଙ୍କର ମଧ୍ୟ ଗୋଟିଏ ଆଣିଛନ୍ତି ମ ! ଆଉ ତୁମ ନଣନ୍ଦ ସୁନ୍ଦରୀଙ୍କ ଘରକୁ ଦେଖୁନ ! ତାଙ୍କର ବି ଆଣି ସାରିଲେଣି । ଦେଖେଇ ଦେଉନ ହେ ସୁନୀତି ଭଉଣୀ ?” ସୁନୀତି ଦେଖାଇ ଦେଲେ । ଶକୁନ୍ତଳା ସହି ପାରିଲାନି । କ’ଣ ଏମାନେ ଏତେ ଆଗେଇଯିବେ ? ଆଉ ମୁଁ ? ଦୀର୍ଘଶ୍ଵାସ ପକାଇ ଘରକୁ ଫେରିବାକୁ ବାହାରିଲା ।
ଆଜି ସନ୍ଧ୍ୟାରେ ଅଭିଜିତଙ୍କ ଆସିବା ବାଟକୁ ଚାହିଁ ବସିଛି ଶକୁନ୍ତଳା । ଅଭିଜିତ କ୍ଳାନ୍ତ ଶ୍ରାନ୍ତ ହୋଇ ପହଞ୍ଚି ଥାନ୍ତି । ଶକୁନ୍ତଳା ଜଳଖିଆ ବଢି ଦେଇ ପାଖରେ ବସିପଡିଲାକି; ଆରମ୍ଭ କରିଦେଲା ୱାସିଙ୍ଗ ମେସିନ କଥା ।
ଅଭିଜିତ ଖାଇବା ପାଖରୁ ଉଠିପଡି ପଦାକୁ ବାହାରିଗଲେ । ଶକୁନ୍ତଳା କିଛି ବୁଝିପାରିଲାନି । ହେଲେ ତା ମନ ପାପ ଛୁଇଁଲା । ମନ ଘାଣ୍ଟି ଚକଟି ହେଲା । ଏପରି ନଖାଇ ଉଠିଗଲେ କାହିଁକି ? ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିଲା । କ’ଣ କରିବ ? କୁଆଡେ ଗଲେ ? ବିଚଳିତ ହୋଇ ଠାକୁରଙ୍କ ପାଖରେ ପ୍ରାର୍ଥନା କରି ବସିଲା । ଉପାୟହୀନା ଶକୁନ୍ତଳା ପ୍ରାର୍ଥନା କରୁ କରୁ ତା ମନରେ ଦିବ୍ୟ ଜ୍ଞାନ ଉଦୟ ହେଲା ।
ଅଭିଜିତ ଫେରିଆସିଛନ୍ତି । ନୀରବରେ ବସିରହିଛନ୍ତି ନିର୍ମଳ ଆକାଶକୁ ଚାହିଁ । ଚଇତି ପବନରେ ମନଛୁଆଁ ରାଗିଣୀ । ଚୋରା ପବନର ସ୍ପର୍ଶରେ ମନ ଆଉ ଉନ୍ମାଦଗ୍ରସ୍ତ ହେଉନି । ଜୀବନ ପ୍ରତି ଏକ ପ୍ରକାର ବିତୃଷ୍ଣାଭାବ । ଅଫିସରୁ ଆଡଭାନ୍ସ ଲୋନ ଆଣି ଘରଣୀର ମନଲାଖି ଆସବାବ କିଣିଆଣିଥିଲେ । ଦରମାରୁ ପଇସା କଟିଗଲା ପରେ ଆଉ ରହିଲା କେତେ ? ଘର ଚଳିବ କେମିତି ? ପୁଅ ପାଇଁ ଖାଦ୍ୟ, ଔଷଧ , ତେଲ, ସାବୁନ ହୋଇ ଅଧାଯିବ, ଆଉ ତେଲ ଲୁଣ ସଂସାରରେ ଆୟୋଜନ କରିବ ? ପୁଣି ପୁନିଅଁ ପରବ ଅଛି ।
ଭାବନାରେ ବୁଡି ଯାଇଥାନ୍ତି ଅଭିଜିତ । ଶକୁନ୍ତଳା ଆସି ଧୀରେ ଧୀରେ ପାଖରେ ବସିଲା । ବଡ ସନ୍ତର୍ପଣରେ କେବଳ ଚାହିଁରହିଲା । ଦୁହେଁ ନୀରବ । କେହି କାହାକୁ କିଛି କହୁନାହାଁନ୍ତି । କିଏ ନୀରବତା ଭାଙ୍ଗିବ ? ଶକୁନ୍ତଳା ପ୍ରକୃତରେ ଭୟ କରିଯାଇଛି । ଯାହାକୁ ବେଶୀ ଭଲ ପାଉଥିବ, ତା’ରି ପଦେ କଥା ଭାରି ବାଧିବ । ଶକୁନ୍ତଳା ଅଭିଜିତଙ୍କୁ ଯେତେ ଭଲ ପାଆନ୍ତି ତାହା କଳନା କରିହେବନି । ଆଜି ତାଙ୍କ ମନରେ ପୁନର୍ବାର ଦୁଃଖ ଦେଲା । ଅଭୁକ୍ତ ସ୍ଵାମୀ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ତା’ର ଆଉ ମନ ଭଲ ରହନ୍ତା କିପରି ? ଦୀର୍ଘ ସମୟ ପରେ ନୀରବତା ଭାଙ୍ଗି ଅଭିଜିତ ଶକୁନ୍ତଳାକୁ ଆହୁରି ପାଖକୁ ପାଖେଇ ଆସିବାକୁ ଇଙ୍ଗିତ ଦେଲେ ।
ଧୀର ନରମ ଗଳାରେ ତାଙ୍କର ମନର ଗଭୀରତମ ପ୍ରଦେଶରୁ ଦୀର୍ଘଶ୍ଵାସ ପକାଇ କହିବାକୁ ଆରମ୍ଭ କଲେ, ଦରମା ପଇସାର ଗୋଟି ଗୋଟି ହିସାବ ଦେଇ , ଆର୍ଥିକ ଅନଟନ ଯେ ଘନେଇ ଆସୁଛି । ତାକୁ ମୁକାବିଲା କରିବାକୁ ସାହସ ଧୈର୍ଯ୍ୟ ଆବଶ୍ୟକ । ଦୁଇଜଣ ମିଶି ଘର ଚଳାଇବାର ବ୍ୟବସ୍ଥା ଚିନ୍ତା କରିବାକୁ ପଡିବ । ମିତବ୍ୟୟୀ ହୋଇ ଆବଶ୍ୟକ ଖର୍ଚ୍ଚଗୁଡିକୁ ଅଗ୍ରାଧିକାର ଦେବାକୁ ପଡିବ । ପୁଣି ପର୍ବପର୍ବାଣୀ ଅଛି । ଏତିକି କହି ପ୍ରଶ୍ନବାଚୀ ନୟନରେ ଶକୁନ୍ତଳାକୁ ଚାହିଁ ରହିଲେ ।“ ଶକୁନ୍ତଳାର ମୁହଁରୁ ଆଉ ଭାଷା ସ୍ଫୁରିଲା ନାହିଁ । ବ୍ୟସ୍ତ ବିବ୍ରତ ହୋଇ କେବଳ ବଲବଲ ହୋଇ ଚାହିଁ ରହିଲା ସ୍ଵାମୀଙ୍କ ମୁହଁକୁ । “କେତେ ନିର୍ମାୟା । ଗାଳି ମନ୍ଦ ନଦେଇ ଏତେ ସୁନ୍ଦର ବୁଝାଇଦେଲେ । ମୋର ତାହେଲେ ଭୁଲ ହୋଇଛି ।“ ହେଲେ କ’ଣ କରିବ କିଛି ବୁଝି ପାରୁନଥାଏ । ତେଣୁ ନୀରବତାର ହିଁ ରାଜତ୍ଵ ଜାହିର ରହିଲା ।
ପୁନର୍ବାର ଅଭିଜିତ ନୀରବତା ଭଙ୍ଗ କରି ଅନୁରୋଧ ଗଳାରେ କହିଲେ, “ଦେଖ ! ତୁମେ ମୋର ମାନମୟୀ ମାନସୀ । ତୁମର ସୁଖ ମୋର ସୁଖ । ତୁମର ଦୁଃଖ ମୋର ଦୁଃଖ । ହେଲେ, ତୁମେ ଯେଉଁ ଜିନିଷପତ୍ରର ବରାଦ କରୁଛ, ତାହା କ’ଣ ତୁମର ସତରେ ନିହାତି ଦରକାର ? ତା’ ବିନା କ’ଣ ଆମେ ଚଳିପାରିବାନି ? ମୋର ମାସିକ ଦରମାକୁ ଚାହିଁ ଆମେ ଚଳିବା କ’ଣ ଆମର କର୍ତ୍ତବ୍ୟ ନୁହେଁ ? କରଜ କରି ଏସବୁ ସରଞ୍ଜାମ କିଣି ଘର ଭରିକରିବାରେ କି ବାହାଦୂରୀ ? ଏଗୁଡିକ ନଥିଲା ବେଳେ କ’ଣ ଆମେ ସୁଖରେ ଚଳୁନଥିଲେ ? ତେବେ ଏପରି ଅଶେଷ କାମନାର ବଶବର୍ତ୍ତୀ ହୋଇ ସୁଖର ସଂସାରକୁ ଦୁଃଖର ଅଥଳ ସାଗରକୁ ଠେଲି ଦେବାରେ ତମର କି ଆନନ୍ଦ ! ଦେଖ ଆମେ କି ସୁନ୍ଦର ଟୁଆଁ ଟୁଇଁ ପରି ଚଳିଲେ । କୋଳକୁ ଆମର ଅସୀମ ଆସିଲା । ଆନନ୍ଦରେ ଆଉ ଟିକେ ଆନନ୍ଦ ମିଶାଇ ଆମେ ଅତୀବ ଆନନ୍ଦରେ ଘର କରିଥିଲେ । ଥିଲା ସୁଖୀ ପରିବାରଟିଏ । ତୁମର ନୂତନ ଖିଆଲି ମନ ହେଲା ବେଳଠୁ ଏ ଅଶାନ୍ତି ଆସିଲା ? ତେବେ କୁହ କ’ଣ ତୁମର, ୱାସିଙ୍ଗ ମେସିନଟା ନିହାତି ଦରକାର ? ତେବେ ପୁଣି ଆଉ ଗୋଟିଏ ଲୋନ କରିବି ! ଦରମାରୁ ଆଉ ହଜାରେ କମ ଘରକୁ ଆଣିବି । କ’ଣ ଚଳାଇ ପାରିବ ତ ଘର ? ତୁମ ହାତକୁ ପଇସା ଦେଇ ଦେଉଛି ତୁମେ ଆଜିଠାରୁ ଘର ଖର୍ଚ୍ଚ ଯାହା ହେବ କରିବ । ହିସାବ ଲେଖି ରଖିବ । ମାସକୁ ଘରର ଖାଇବା ପିଇବା, ପିଲାର ପାଠ ପଢିବା ପାଇଁ ଅଗ୍ରିମ ସଞ୍ଚୟ, ପୂଜା ପର୍ବରେ କେତେ ଖର୍ଚ୍ଚ ହେଉଛି ଲେଖି ରଖିବ । ତେବେ କଣ କରିବା ଉଚିତ ଓ କଣ ଅନୁଚିତ ତୁମେ ସହଜରେ ହୃଦୟଙ୍ଗମ କରିପାରିବ ।“
ଏତକ କହି ଅଭିଜିତ ଦରମା ଟଙ୍କା ଗୋଟିଏ ଲଫାପାରେ ପୁରାଇ ଗୋଟିଏ ସାଧା ଖାତା ସହ ଶକୁନ୍ତଳା ହାତକୁ ବଢାଇ ଦେଲେ । ଟଙ୍କା ଓ ଖାତା ଧରି ଶକୁନ୍ତଳା ଦାରୁ ଭୂତ ମୁରାରୀ ପରି ଠିଆ ହୋଇ ରହିଥାଏ । ମୁହଁରେ କଥା ନାହିଁ କି ଆଖିରେ ଲୁହ ନାହିଁ । ପୁଣି ଅଭିଜିତ ବୁଝାଇଲେ, “ତୁମେ ବ୍ୟସ୍ତ ହୁଅନି, ମୁଁ ତୁମ ପାଖେ ପାଖେ ଅଛି । କେବଳ ତୁମର ଜାଣତରେ ସବୁ ହେବାଟା ମୁଁ ଉଚିତ ମନେ କରୁଛି । ଯାହା ଫଳରେ ତୁମେ ଏପରି ଅହେତୁକ ଚିନ୍ତାରୁ ନିସ୍ତାର ପାଇବ । ଘରକୁ ମନ ଲାଖି ଚଳାଇ ପାରିବ । ତୁମେ ଗୃହଲକ୍ଷ୍ମୀ, ତୁମେ ମୋ ପ୍ରାଣପ୍ରିୟା ପ୍ରେୟସୀ ଓ ତୁମେ- ଏତିକି କହିବା ଭିତରେ, ଶକୁନ୍ତଳା ଅଭିଜିତଙ୍କ କୋଳକୁ ଢଳି ପଡିଲା । କଇଁ କଇଁ ହୋଇ କାନ୍ଦିଲା । ମାତ୍ର ଅଭିଜିତ ଆଉ କିଛି କହିଲେନି । ଶକୁନ୍ତଳାକୁ କାନ୍ଦିବାକୁ ଛାଡିଦେଲେ । ତାଙ୍କର ବିଶ୍ଵାସ ଥିଲା, ଶକୁନ୍ତଳା ଅନ୍ୟର ପ୍ରରୋଚନାରେ ଏପରି ଭାବାନ୍ତର ସୃଷ୍ଟି କରିଛନ୍ତି । ସ୍ଵାମୀଙ୍କ ଉପରେ ତାଙ୍କର ଗଭୀର ବିଶ୍ଵାସ ବି ଅଛି । ସ୍ନେହ, ଶ୍ରଦ୍ଧା, ବିଶ୍ଵାସ ସବୁ ଯେତେବେଳେ ଏହି ସ୍ନେହମୟୀ ନାରୀଟିର ଅଛି, ଏ କାନ୍ଦ କେବଳ ମନକୁ ଧୋଇ ଦେବାକୁ କୂଳ ଲଙ୍ଘନ କରି ବହିଯାଉଛି । ନିଜର ଭୁଲକୁ ବି ବୁଝିପାରିଛନ୍ତି ନିଶ୍ଚୟ ଶକୁନ୍ତଳା ।
ସତକୁ ସତ ଦଶ ମିନିଟ ପରେ ମୁହଁ ଉଠାଇ ଅଜ୍ଞାନ ଅବୋଧ ବାଳିକାଟି ପରି ଭୁଲ ମାଗିନେଲା ଶକୁନ୍ତଳା । ଜୀବନରେ ଆଉ ଏପରି ହେବନି । “ତୁମେ ଯାହା ଆଣିଦେବ ସେପରି ଚଳିବି ।“ ମାତ୍ର ଅଭିଜିତଙ୍କର ଏକ ଜିଦ “ନା ! ତୁମେ ପଇସା ରଖିବ ଓ ଖାତାରେ ଲେଖିବ, ମୁଁ କେବଳ ଆଜ୍ଞା ପାଳନ କରି ବଜାରରୁ ତୁମେ କହିବା ମୁତାବକ ସଉଦାପତ୍ର ଆଣିବି । ତେବେ ଦେଖିବ ଆମ ଦୁଇ ଜଣଙ୍କ ବୁଦ୍ଧି ମିଶି ଘର ବଢିଆ ଚାଲିବ” ।
ଦିନ ପରେ ଦିନ ଗଡିଯାଏ । ଦୁଃଖ ସବୁ ଓଲଟପାଲଟ ହୋଇଯାଏ । ଶକୁନ୍ତଳା ଆଉ କେଉଁ ମହିଳା ସଭାକୁ ଗଲାନାହିଁ । ନିଜର ପୁଅକୁ ପଢାଇବାରେ ସମୟ ଦିଏ । ଘରେ ଘରକାମ, ଠାକୁର ସେବା, ପୁଅର ସେବା, ପଢାପଢି ଦେଖିବା ଆଦି କାମ ପରେ ମାସିକ ପତ୍ରପତ୍ରିକା ମଗାଇ ଘରେ ବିଭିନ୍ନ ପ୍ରକାରର ରନ୍ଧାରନ୍ଧି କରି ସ୍ଵାମୀଙ୍କୁ ଖୁଆଇବା କାମରେ ଲାଗି ପଡିଲା ।
ପୁଅଟି ଖୁବ ଗୁଣର ହୋଇଥାଏ । ସ୍କୁଲରେ ମଧ୍ୟ ଖୁବ ନାମ କରିଲାଣି । ଭଲ କଲେଜରେ ନାମ ଲେଖାଇବାରେ ମଧ୍ୟ ଇଚ୍ଛା ରଖି ପାଠ ପଢୁଛି । ଶକୁନ୍ତଳାର ନିଷ୍ଠା ହିଁ ପୁଅକୁ ଆଗେଇଯିବାରେ ସାହାଯ୍ୟ କରୁଛି ।
ସ୍ଵପ୍ନେଶ୍ଵରବାବୁଙ୍କ ପିଲାମାନଙ୍କର ପାଠପଢା ଖଇଚା ହୋଇଯାଇଛି । କେହି ସେପରି ଆଖିଦୃଷ୍ଟିଆ ନମ୍ବର ବା ପୁରସ୍କାର ପାଇନାହାଁନ୍ତି । କରବୀ ଦେବୀଙ୍କର ଆଣ୍ଠୁବାତ, ଅଣ୍ଟାଧରା ବେମାରି ବଢିଯାଇଛି । ଟଙ୍କା ପଇଠ କରିନପାରି ଘରର ଲାଇନ କଟାଯାଇଛି । ନା ଟେଲିଭିଜନ ଦେଖିପାରୁଛନ୍ତି ନା ୱାସିଙ୍ଗ ମେସିନ କି ଗ୍ରାଇଣ୍ଡର କାମ କରୁଛି । କେବେ କାମ ନକରି ଯନ୍ତ୍ରମାନଙ୍କ ଉପରେ ନିର୍ଭରଶୀଳା ହୋଇ ଚଳୁଥିବାରୁ ଆଜି ଲୁଗାକଚା, ମସଲାବଟା, କାମ କରିବାକୁ କଷ୍ଟ ହେଉଛି । ବାରଂବାର କରଜ କରିବାରେ ସେ ବାବଦକୁ ସୁଧ ବଢି ବଢି ଯାଉଛି । ଝିଅଟି ବଡ ହୋଇ ବିବାହ ଯୋଗ୍ୟା ହୋଇ ରହିଛି । ପୁଅମାନଙ୍କର ନମ୍ବର ଭଲ ନଥିବାରୁ ଭଲ କଲେଜକୁ ଯାଇ ନପାରି ମଫସଲରେ ଯାଇ ପଢିଲେ । ସେଠାରେ ମୁରବୀ କେହି ନଥିବାରୁ ମନଇଚ୍ଛା ବୁଲାବୁଲି କରି ପଢା ଖଇଚା ଧରିଲା ।
ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ ଦିନ କଳି ଲାଗୁଛି । ‘ଅଭାବେ ସ୍ଵଭାବ ନଷ୍ଟ’ । ଦାରିଦ୍ର୍ୟର କଷାଘାତରେ ଦୈନ୍ୟନ୍ଦିନ ଜୀବନ ଯାପନ ଅତି ଦୁଃସହ ହୋଇପଡିଛି ।
ଶକୁନ୍ତଳା ଅଭିଜିତଙ୍କ ସହିତ ଦଶହରା ମେଢ ଦେଖି ଯାଇଥାଏ । ମେଳାରୁ ବାହୁଡିବା ବାଟରେ ସ୍ଵପ୍ନେଶ୍ଵର ବାବୁ ଓ କରବୀ ଦେବୀଙ୍କୁ ଭେଟିଲେ । ଦୁହିଁଙ୍କ ମଧ୍ୟରେ ବହୁଦିନର ସମ୍ପର୍କ ଥିଲେ ମଧ୍ୟ ଶକୁନ୍ତଳା ଦେଖି ନଦେଖିଲା ପରି ରହୁଥାଏ । ଅଭିଜିତ ସ୍ଵପ୍ନେଶ୍ଵରବାବୁଙ୍କୁ କୁଶଳବାର୍ତ୍ତା ଦିପଦ ପଚାରି କଥାବାର୍ତ୍ତା ହେଲେ । ସ୍ନେହବୋଳା କଥା ଶୁଣି ମନର ଦୁଃଖ ସବୁ କହିଗଲେ ସ୍ଵପ୍ନେଶ୍ଵର ବାବୁ । ସତେ ଅବା ପର୍ବତ ଗହ୍ଵରରେ ବାହାର ଦୁନିଆଁର ଆଲୋକର ଆଶା ରଖି ଅପେକ୍ଷାରତ ଝରଣା ଅନୁକୂଳ ସୁଯୋଗ ପାଇଗଲା ! ପ୍ରତି ପଦରେ ଥିଲା ସ୍ତ୍ରୀଙ୍କ ଅଯୋଗ୍ୟ ପଣର ଧିକ୍ କାର । ଅଦୂରଦର୍ଶିତାର ପରିଣତି ସ୍ୱରୂପ ତାଙ୍କର ଘର ଆଜି ଦୁଃଖ ଦୁର୍ବିପାକରେ ଅତିଷ୍ଠ । ଅଭାବ ଅନଟନ ତାଙ୍କ ପରିବାରକୁ ଛାରଖାର କରିଦେବାକୁ ବସିଛି ।
ବନ୍ଧୁ ପାଖରେ ମନ ଖୋଲି ଦି’ପଦ କହିଦେଲେ ମନ ହାଲୁକା ହୋଇଯାଏ । ସ୍ଵପ୍ନେଶ୍ଵର ବାବୁ ଦୀର୍ଘଶ୍ଵାସ ପକାଇ ସେମାନଙ୍କ ପାଖରୁ ବିଦାୟ ନେଇ ଚାଲିଗଲେ । କରବୀ ଦେବୀ ମଧ୍ୟ ଅପରାଧିନୀଟିଏ ପରି ତଳକୁ ମୁହଁ କରି ସ୍ଵାମୀଙ୍କ ପଛେ ପଛେ ଚାଲିଥାଆନ୍ତି ।
ଜନାକୀର୍ଣ୍ଣ ରାସ୍ତାରେ କ୍ଷଣିକ ପାଇଁ ନିରୋଳାର ସୁଯୋଗ ନେଇ, ଅଭିଜିତ ସୁଯୋଗକୁ ହାତଛଡା ନ କରି ଶକୁନ୍ତଳା ପାଖକୁ ଲାଗିଯାଇ ଶୁଣେଇ କହିଲେ, “କ’ଣ କିଛି ବୁଝିପାରିଲ ତ ! ନିଶ୍ଚୟ ବୁଝିଥିବ ! ତୁମେ ପରା ମୋ ମାନମୟୀ ମାନସୀ ।“
ସଲଜ୍ଜ ହସଟିଏ ହସିଦେଇଥିଲା ଶକୁନ୍ତଳା । ଦୁଇଜଣ ହସି ହସି ଘରକୁ ଚାଲିଗଲେ । ଅସୀତ କ’ଣ ବୁଝିଲା କେଜାଣି ସେ ବି ବାପା ବୋଉଙ୍କ ମଝିକୁ ଯାଇ, ଦୁଇ ହାତରେ ବାପା ବୋଉଙ୍କର ଗୋଟିଏ ଗୋଟିଏ ହାତ ଧରି ହାତକୁ ହଲେଇ ହଲେଇ ଯାଉଥିଲା ।