Pranati Mahapatra

Inspirational Children

4.3  

Pranati Mahapatra

Inspirational Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

4 mins
228



ସହରର ଶେଷ ମୁଣ୍ଡରେ ପଡିଆଟିଏ ,ପଡିଆର ପୂର୍ବ ଦିଗରେ ଛୋଟିଆ ବସ୍ତିଟିଏ,ପଶ୍ଚିମ ଦିଗରେ ଛୋଟକାଟିଆ ବଜାରଟିଏ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରାୟ ସବୁ ମିଳେ, ତା ସହ ସୁସ୍ବାଦୁ ଚା' ଜଳଖିଆ ,ସନ୍ଧ୍ୟାରେ ଗରମାଗରମ ଛଣାଛଣି ଖାଇବା ମଧ୍ୟ ମିଳେ । ପାଖ କୋଠାଘର ମାନଙ୍କରୁ ବାବୁଘରର ପିଲାମାନେ ସନ୍ଧ୍ୟାରେ ଭିଡ଼ ଜମେଇବା ବେଳେ ବାବୁ ଓ ମାଆମାନେ ମଧ୍ୟ ଚା'ଜଳଖିଆ ଖାଇବା ସହ ବେଶ୍ ଗପ ଆସର ଜମେଇ ଦିଅନ୍ତି ।।


    ସୋମୁ ...

କାଉ କା' ନ କରୁଣୁ ଧାଇଁ ଥାଏ ଏକମୁହାଁ ହୋଇ, ସତେ ଯେମିତି ଫସଲ କିଆରିରେ ଷଣ୍ଢ ପଶିଛି ।

ବଡିଭୋରରୁ ଉଠି ନିଦୁଆ ଆଖିରେ ହାତରେ ଜରିଟିଏ ଧରି , ଦେହରେ ଛିଣ୍ଡା ଗଞ୍ଜିଟିଏ ପିନ୍ଧି ସଁ ସଁ ହୋଇ ଧାଏଁ । ଖରା ପଡିବା ପରେ ମେଞ୍ଚାଏ ଖାଇବା ଜିନିଷ ପତ୍ର ନେଇ ଘରକୁ ଆସେ । କେତେବେଳେ ମାଲିକ ଗୋଇଠା ବିଧା ମାରୁଥାଏ ତ କେତେବେଳେ ଝାଡୁରେ ପିଟିବାର ଆଖିରେ ପଡେ । ସଞ୍ଜ ବୁଡୁ ବୁଡୁ ମନ୍ଦିର ଦୁଆରେ ସାନ ଭଉଣୀକୁ ଧରି ବସିଯାଏ । ଅବଶ୍ୟ ଭିକ ମାଗିବାକୁ ନୁହେଁ, ରାମନାମ ସଂକୀର୍ତ୍ତନ ଶୁଣେ ,ଶେଷରେ ଚୁଡା ନଡ଼ିଆ ଚକଟା ଖାଇ ,ଆଉ ଗୋଟିଏ ପୁଟୁଳି ଭୋଗ ଧରି ଘରକୁ ଫେରେ । ମନ୍ଦିର ଦୁଆରେ ବସି କଣ ଗୋଟିଏ କାଗଜରେ ଲେଖି ପକାଏ ।

     ଆଜି ଗୁରୁବାର, ଜନରାଜ୍ୟ ଦିବସ ପୁଣି ବିଦ୍ୟାଳୟ ମାନଙ୍କରେ ବଗ୍ଦେବୀ ହଂସବାହିନୀଙ୍କର ପୂଜା । ଗୋଟିଏ ଜିନିଷ ସହ ଆଉ ଗୋଟିଏ ଜିନିଷକୁ ସିନା ବ୍ୟବସାୟୀ ମାନେ ବିକ୍ରି କରୁଥିଲେ ଗ୍ରାହକ ମାନଙ୍କ ସନ୍ତୁଷ୍ଟ କରିବା ପାଇଁ, ହେଲେ ଏ ବର୍ଷ ଛୁଟି କମ୍ କରିବା ପାଇଁ ଭଗବାନ ବିଷ୍ଣୁ ବି ସିଦ୍ଧାନ୍ତ ନେଇ ବିଦ୍ୟାଳୟରେ ପାଳିତ ହେଉଥିବା ଦୁଇଟି ଦିବସକୁ ଗୋଟିଏ ଦିନରେ ରଖିଦେଲେ । ଏ ଯେଉଁ ଜାଡ଼ ପୁଣି କୁହୁଡ଼ିରେ ଏଇଠୁ ସେଠିକୁ ଦେଖାଯାଉ ନ ଥାଏ । ଜନରାଜ୍ୟ ଦିବସରେ ପ୍ୟାରେଡ଼ ରେ ଭାଗ ନେଇଥିଲା ମିଲି । ପୂର୍ବ ରାତିରୁ ବାପାଙ୍କୁ କହି ଦେଇଛି ଯେ ,୫.୩୦ ସୁଦ୍ଧା ପଡିଆରେ ପହଞ୍ଚିବାକୁ ହେବ । 


     ତେଣୁ ବଡିଭୋରରୁ ଉଠି ନିତ୍ୟ କର୍ମ ସମାପନ ସହ ୫.୨୦ ସୁଦ୍ଧା ପ୍ରସ୍ତୁତ ହୋଇ ବାପାଙ୍କ ସହ ଚାଲିଲା ସ୍କୁଲ । ଗାଡିରେ ବସି ମିଲି ଚାଲିଛି ବାପାଙ୍କ ସହ, ଏପଟେ କେହି ଜଣେ ଦୌଡ଼ି ଦୌଡ଼ି ଯିବାର ଦେଖି ତା ପାଖରେ ଗାଡି ରଖିବାକୁ ବାପାଙ୍କୁ ଜିଦ୍ କରିବାରୁ ଗାଡି ଅଟକେଇ ମିଲିର ବାପା ପଚାରିଲେ, କିରେ ତୁ କିଏ ? ଏମିତି ଦୌଡାଦୌଡି କରି କ'ଣ କରୁଛୁ, କୁଆଡେ ଯାଉଛୁ ? ହଠାତ ଏତେ ଗୁଡିଏ ପ୍ରଶ୍ନ ଶୁଣି ଡରିଗଲା ପିଲାଟି ।

ବଡ଼ ଜୋରରେ ପଚାରିବାରୁ ଡରି ଡରି କହିଲା କି ବାବୁ, 

ଏହି ପାଖ ଦୋକାନରେ ବାସନ ମାଜିବାକୁ ଯାଉଛି । 

ମୋର ନାମ ସୋମୁ,ଏହି ପାଖ ବସ୍ତିରେ ରହେ ।

ମୁଁ ଯାଉଛି ବାବୁ ,ଡେରି ହେଲେ ମାଲିକ ମାରିବ ।

ମିଲି - ତୁ ଆଜି ସ୍କୁଲ ଯିବୁନି କି ? ଆଜି ପରା ପତାକା ଉତ୍ତୋଳନ ହେବ ,ସମ୍ବିଧାନ ପ୍ରଣେତାଙ୍କୁ ଶବ୍ଦର ଶ୍ରଦ୍ଧାଞ୍ଜଳି ସହ ଦେଶର ବୀର ପୁରୁଷଙ୍କ ସ୍ମୃତି ଚାରଣ ହେବ ।

  ପୁଣି ବିଦ୍ୟାଳୟରେ ଶ୍ରୀପଞ୍ଚମୀ ପୂଜା କରାଯିବ ।ପୁଷ୍ପାଞ୍ଜଳି ଦେଇ ପ୍ରସାଦ ସେବନ କରିବା । ଆସ ମୋ ସହ ସୋମୁ।

  -ନାହିଁ ମ ଦିଦି ,ପାଠପଢ଼ା ସବୁ ବାବୁଘରର ଛୁଆଙ୍କ ପାଇଁ । ଭୋକର ଭୂଗୋଳ ଭିତରେ ଅଣନିଶ୍ବାସୀ ହେଉଥିବା ମୋ ଭଳି ନିସ୍ଵ ମାନେ ଜ୍ଞାନର ଭୂଗୋଳ ପଢିବାକୁ ସମୟ କାହିଁ ?

-ଶୁଣ ସୋମୁ ,ତୁ ଆଠଟା ବେଳକୁ ଆସିବୁ । ପତକା ଉତ୍ତୋଳନ ପରେ ସମସ୍ତଙ୍କୁ ବୁନ୍ଦି ସେଓ ଦିଆଯିବ। ତୁ ବି ଖାଇବୁ ,ତା ପରେ ବିଦ୍ୟାଳୟରେ ପ୍ରସାଦ ଖାଇ ଘରକୁ ଆସିବୁ କହି ମିଲି ବାପାଙ୍କ ସହ ପଡିଆକୁ ଗଲା । ପଡିଆରେ ପ୍ୟାରେଡ଼ ସହ ପତାକା ଉତ୍ତୋଳନ ହେଲା । ମିଲି ଏଣେତେଣେ ସୋମୁକୁ ଖୋଜୁଥାଏ, ହେଲେ ପାଇଲା ନାହିଁ । ୯.୧୫ରେ ଜନରାଜ୍ୟ ଦିବସ ପାଳନ ଶେଷ ହେଲା, ବାପାଙ୍କ ସହ ସେହି ବାଟ ଦେଇ ଫେରିବା ବେଳକୁ ନଜର ପଡିଲା ସୋମୁ କାନ୍ଦି କାନ୍ଦି କଣ ଗୁଡାଏ ଧରି ଫେରୁଛି । ଗାଲ ଫୁଲି ଯାଇଛି, ହାତ ଗୋଡ ଦେହ ସବୁ ଓଦା ସରସର । ମିଲି କିଛି ନ କହି ଭାରାକ୍ରାନ୍ତ ମନରେ ଘରେ ପହଞ୍ଚି ପୋଷାକ ବଦଳେଇ ଅନ୍ୟ ପୋଷାକ ପିନ୍ଧିଲା ସ୍କୁଲ ପୂଜାକୁ ଯିବା ପାଇଁ ,କିନ୍ତୁ ମନରେ ଥାଏ ସୋମୁର ଇତିହାସ ପଢିବାକୁ । ତେଣୁ ତା ସାଙ୍ଗ ସିଲିକୁ ଫୋନରେ ଡାକି ଚାଲି ଚାଲି ଗଲା ସ୍କୁଲ ସେହି ବସ୍ତି ବାଟରେ । ଗୋଟିଏ ଝୁମ୍ପୁଡି ଘର ଭିତରକୁ ସୋମୁ ପଶୁଥିଲା । ଦୂରରୁ ଲୁଚି ଦେଖିଲା ମିଲି, ଛିଣ୍ଡା କନ୍ଥାରେ କେହି ଜଣେ ଶୋଇଛି, ତା ମାଆ ହେବ ବୋଧହୁଏ । ପାଖରେ ୩/୪ ବର୍ଷର ହାଡ଼ କଙ୍କାଳ ଦିଶୁଥିବା ଛୁଆଟିଏ କାନ୍ଦୁଥିଲା। ସୋମୁ ଆଣିଥିବା ଜରି ଖୋଲି ଛୁଆଟିକୁ କଣ ଖାଇବାକୁ ଦେଲା । କ୍ଷୀର ପ୍ୟାକେଟି ବାହାର କରି ଗରମ କଲା । ସେହି ମହିଳା ଜଣକୁ ଖାଇବାକଙ ଦେଇ ଔଷଧ ଦେଲା ସୋମୁ । ମିଲି ଓ ତା ସାଙ୍ଗ କାନ୍ଦି ପକେଇଲେ ଏ ଦୃଶ୍ୟ ଦେଖି । ସୋମୁ ଅଜାଣତରେ ସବୁ ଦେଖି ବିଦ୍ୟାଳୟକୁ ଗଲେ, ପୂଜା ପରେ ପ୍ରସାଦ ସେବନ କରି କିଛି ପ୍ରସାଦ ଆଣି ସୋମୁ ଘରେ ଦେଲେ ।

   ଗଡି ଚାଲିଲା ଏମିତି ଦିନ ପରେ ଦିନ । ହଠାତ୍ ଦିନେ ସୋମୁ ସେହି ହୋଟେଲରେ ମାଡ଼ ଖାଉଥିବା ଦୃଶ୍ୟ ଦେଖି ମିଲି ହୃଦୟ ତରଳି ଗଲା । ସୋମୁର ଦେହ ହାତ ଫାଟି ଯାଇଛି ,ଲାଲ୍ ଲାଲ୍ ହୋଇ ସତେ ଯେମିତି ରକ୍ତ ବାହାରୁଛି । ମିଲି ଯାଇ ହୋଟେଲ ମାଲିକଙ୍କୁ ଅନୁନୟ ବିନୟ ହୋଇ ନ ମାରିବାକୁ କାକୁତି ମିନତି କଲା। ହେଲେ ସେ ମାଡ଼ ପରେ ମାଡ଼ ମାରୁଥାଆନ୍ତି ।

 

-ତୁ ବ୍ୟସ୍ତ ହୁଅନା ସୋମୁ ।ମୁଁ ମୋ ବାପାଙ୍କୁ କହି କିଛି ଗୋଟିଏ ବ୍ୟବସ୍ଥା କରିବି । ସୋମୁକୁ ସାଙ୍ଗରେ ନେଇ ବାପାଙ୍କ ପାଖକୁ ଗଲା ମିଲି । ସୋମୁର ବାପା ବାଳାଶ୍ରମ ଯାଇ ସୋମୁର ରହିବା ପାଠ ପଢିବା ବ୍ୟବସ୍ଥା କରିବା ସହ ମାଆ ଓ ଭଉଣୀ ପାଇଁ ସୁବ୍ୟବସ୍ଥା କରିଦେଲେ । 

ସୋମୁର ପରିବାର ଏବେ ବହୁତ ଶାନ୍ତିରେ ଅଛନ୍ତି । ମଝିରେ ମଝିରେ ସୋମୁ ଆସି ମିଲି ଦିଦିକୁ ଧନ୍ୟବାଦ ଦେଇଯାଏ ,ଭଉଣୀ ଓ ମାଆକୁ ଦେଖା କରି ଯାଏ ।


 ମିଲିର ଏ କାମ ଦେଖି ଜିଲ୍ଲାପାଳ ମହୋଦୟ ମିଲିକୁ ସାହସିକତାର ସମ୍ମାନ ଦେଲେ । ଶିଶୁଶ୍ରମିକ ରଖିବା ଏକ ଦଣ୍ଡନୀୟ ଅପରାଧ ବୋଲି ଗାଁ ଓ ସହରର ପ୍ରତ୍ୟେକ କାନ୍ଥରେ ଲେଖିଦେଲେ। ଆମେ ସଭିଏଁ ମଧ୍ୟ ମିଲି ଭଳି ସାହସୀ ହେବା । ଏ ଦୁନିଆଁରୁ ଶିଶୁ ଶ୍ରମିକ ବନ୍ଦ କରିବା, ସଭିଏଁ ପଢିବା, ସାକ୍ଷର ହେବା ।


Rate this content
Log in

Similar oriya story from Inspirational