ଶୀତରାତି
ଶୀତରାତି
ଗୋଟିଏ ଶୀତରାତି । ପୌଷମାସର ଏକ ଶୀତୁଆ ସଞ୍ଜ । ପାଞ୍ଚଟା ବାଜୁ ବାଜୁ ସୂର୍ଯ୍ୟ ଦେବ ପାହାଡର ମଥାନ ଡେଇଁ ବିଶ୍ରାମ ପାଇଁ ବାହୁଡି ଗଲେଣି ଦୂରପରବତ ଆରପଟକୁ । ପାହାଡି ଇଲାକା ସନ୍ଧ୍ୟା ହେଉ ହେଉ ଶୀତ ତାର ଭୟଙ୍କର ରୂପ ଧରି ମାଡିଆସେ ଗାଁର ପଲ୍ଲୀ କୁଡିଆର ବାଡ ଡେଇଁ ଭିତରକୁ । ଗରିବ ଗୁରୁବା ଆଦିବାସୀ ମାନେ ଶୀତ ଆରମ୍ଭ ହେବା ଆଗରୁ ବଡ ବଡ ଶୁଖିଲା ଗଣ୍ଡି ସବୁ ସଜାଡି ରଖିଥାନ୍ତି ଶୀତ ହେଲେ ଅଁତରା ଜାଳିବାକୁ । ଘର ମଝିରେ ଅଁତରାଟେ ଜାଳି ଦେହ ହାତ ସେକି ହୁଅନ୍ତି । ନିଆଁର ଆଞ୍ଚପାଇ କୁଡିଆ ହେଉକି ମାଟିଖପରଲି ଘରହେଉ ଟିକେ ଉଷୁମ ହେଇଯାଏ ।
ସେମିତି ଏକ ଶୀତରାତିରେ ଶ୍ୟାମଳୀ ଓ ଶ୍ୱେତାଙ୍ଗୀ ଦୁଇଭଉଣୀ ହଷ୍ଟେଲରୁ ଫେରୁଥିଲେ ବସରେ । ହେଲେ ବସଟା ରାସ୍ତାରେ ଖରାପ ହେଇଗଲା । ତାକୁ ସଜାଡି ଫେରୁ ଫେରୁ ରାତି ସାତ ବାଜିସାରିଥାଏ । ଶ୍ୟାମଳୀ ଓ ଶ୍ୱେତାଙ୍ଗୀ ମନରେ ଆଶଙ୍କାର ଘୂର୍ଣ୍ଣିଝଡ ଉଠିବା ଆରମ୍ଭ କରି ସାରିଥାଏ । ଗତଥର ଏମିତି ବସ ଦେରି ହେବାରୁ ସେମାନେ କେତେ ହଇରାଣ ହେଇଥିଲେ ।
ସୌଭାଗ୍ୟକୁ ବସ ଷ୍ଟାଣ୍ଡ ଛକରେ ଘରଟେ ଅଛି । ସେଠି ବିହାରି ପରିବାରଟେ ଆସି ବସିଯାଇଛନ୍ତି । ଛୋଟ ହୋଟେଲଟେ କରିଛନ୍ତି ବରା ପକୁଡି ଆଳୁଚପ୍ ଭାତ ରୁଟି ତରକାରି ବିକି ଜୀବିକା ନିର୍ବାହ କରନ୍ତି ।
ପାଖ ଆଖ ଗାଁର ଯେତିକି ଯାତ୍ରୀ ହିଁ ତାଙ୍କର ଗ୍ରାହକ । ଏଠି ଆଠ ଦଶ ବର୍ଷ ରହିବା ପରେ ପାଖଆଖ ଗାଁର ସବୁ ଲୋକଙ୍କୁ ଚିହ୍ନି ଗଲେଣି ସେମାନେ । ଶ୍ୟାମଳୀର ବାପାଙ୍କୁ ସେହି ବିହାରି ପିଲା ଦାମୋଦର କାକା ବୋଲି ଡାକେ । ଗାଁ ମାନଙ୍କରେ ରକ୍ତ ସଂପର୍କ ନ ହେଲେବି ଆପେ ଆପେ ସଂପର୍କଟେ ଯୋଡିନିଅଁନ୍ତ ବୟସର ଅନୁପାତ ଅନୁସାରେ । ଶ୍ୟାମଳୀ ଓ ଶ୍ୱେତାଙ୍ଗୀ ତାଙ୍କ ଆଶୟରେ ବସିଥାନ୍ତି ଅଁତରା ପାଖରେ । କାଠ ଗୁଡାକ ଫଟ୍ ଫାଟ୍ ଶବ୍ଦ କରି ଜଳୁଥାଏ । ଆଉ ଏକ ଆଶଙ୍କାରେ ଜଳୁଥାଏ ଏମାନଙ୍କ ମନ । ବାପା ବୋଧହୁଏ ବସ୍ ନ ଆସିବାରୁ ଫେରିଗଲେ ଘରକୁ । ଏବେ ରାତ୍ରିରେ ଯିବେ କିପରି? ରହିବେ ଏବେ କେଉଁଠ?
ଯଦିଓ ଦାମୋଦର ତାଙ୍କୁ ତାଙ୍କଘରେ ରହିଯିବ ବୋଲି ସାନ୍ତ୍ବନା ବାଣୀ ଶୁଣାଉଥାଏ ହେଲେ ବହିଲା ନଈରେ ବାଲିମୁଠାଏ ପରି ସେ ସାନ୍ୱ୍ରନା ଟିକକ ଏମାନଙ୍କ ପାଇଁ । ସେ କିଛି ଗରମ ପକୁଡି କରି ଏମାନଙ୍କୁ ଖାଇବାକୁ ଦେଲା । ଦାମୋଦରର ବୃଦ୍ଧ ବାପାମାଆ ବି ସାଙ୍ଗରେ ରୁହନ୍ତି । ମାତ୍ର ଦୁଇଟା ବଖରା ଗୋଟିଏ ବିଶ୍ରାମ ପାଇଁ ଓ ଅନ୍ୟଟି ହୋଟେଲ ରୂପେ ବ୍ୟବହୃତ ହୁଏ । ଏମିତି ଅବସ୍ଥାରେ ଦୁଇ ଭଉଣୀ ରହିବେ କିପରି?ତାଙ୍କ ପାଖରେ ସାଲ୍ ଖଣ୍ଡେ ଛଡା ଆଉ କିଛି ଶୀତବସ୍ତ୍ର ନାହିଁ ଏତେ ଶୀତରୁ ବଞ୍ଚିବାକୁ । ଦାମୋଦରକୁ ଏମାନଙ୍କର ମନୋଭାବ କଥା ଅଛପା ନଥିଲା ତେଣୁ ସେ ରାସ୍ତା କଡରେ ଅପେକ୍ଷା କରିଥାଏ କାଳେ କୌଣସି ସବାରି ମିଳିଯିବ ଯିଏ ତାଙ୍କ ଗାଁ ଦେଇ ଯାଉଥିବ । ତାର ପରିଶ୍ରମ ବେକାର ଗଲାନି ଜଣେ ମୋଟର ସାଇକେଲ୍ ସବାରି ମିଳିଗଲା । ଯିଏ ତାଙ୍କ ଗାଁ ଲଂଘି ଆଗ ଗାଁକୁ ଯାଉଥିଲା । ଦୋମୋଦରର ଅନୁରୋଧରେ ସେ ତାଙ୍କୁ ନେଇ ତାଙ୍କ ଘରେ ଛାଡିଦେଲା । ସତରେ ଆଗକାଳରେ ଗାଁର ଲୋକମାନଙ୍କ ଭିତରେ କେତେ ଆତ୍ମୀୟତା ଥିଲା । ସେ ଯେତେବେଳେ ଜାଣିଲା ସେମାନେ ଗଉନ୍ତିଆ ପରିବାରର ଝିଅ । ସେ କହିଲା ମୁଁ ତୁମ ବାପାଙ୍କୁ ବବା କହେ । ତୁମେ ମୋର ଭଉଣୀ ହେଲ । ବାବା ବହୁତ ଭଲ ଲୋକ ବଡ ଉପକାରୀ । ତାଙ୍କ ଝିଅମାନେ ଅସୁବିଧାରେ ଆଉ ମୁଁ ସାହାଯ୍ୟ କରିବିନି କିପରି?
ଆଜିକା ଯୁଗରେ ଏମିତି ଲୋକ ମିଳିବା ଅସମ୍ଭବ । ଆଜିକାଲି ତ ଆତ୍ମୀୟ ଲୋକମାନେ ହିଁ ଝିଅ ବୋହୁଙ୍କ ଇଜ୍ଜତ ଲୁଟି ନେଉଛନ୍ତି ।
ଆଜି ବି ସେମିତି ରାତ୍ରୀ ହୋଇଯାଇଥିଲା । ବାପାଙ୍କ କିଛି ଅସୁବିଧା ହେତୁ ଆସିପାରିନଥିଲେ । ତାଙ୍କ ବଦଳରେ ଦୁଇଜଣ ଗୁତିଙ୍କୁ ସାଇକେଲ ଦେଇ ପଠାଇଥ
ିଲେ । ଗାଡି ପାଞ୍ଚଟାରେ ପହଞ୍ଚିବା କଥା ଏବେ ରାତି ସାତଟା ହେଲାଣି । ଗୁତିମାନେ ଥରେ ଫେରିଯିବାକୁ ବାହାରିଥିଲେ । ପୁଣି ଭାବିଲେ ଯଦି ବିଳମ୍ବରେ ଗାଡି ଆସିବ ତେବେ ପିଲାଏ ହଇରାଣ ହେବେ କହି ଆଉ କିଛି ସମୟ ଅପେକ୍ଷାକରିଥାନ୍ତି ସେହି ବିହାରି ଦୋକାନରେ । ଶ୍ୟାମଳୀ ଆଉ ଶ୍ୱେତାଙ୍ଗୀ ଦି ଭଉଣୀ ବସ ରୁ ଓହ୍ଲାଇ ବସ ପାଖରେ କାହାକୁ ନ ଦେଖି ପୁଣି ଆଶଙ୍କିତ ହୋଇ ଉଠିଲେ । ଦୁଇଜଣ ଲଣ୍ଠନ ଓ ଟର୍ଚ୍ଚଧରି ତାଙ୍କ ଆଡକୁ ଆସୁଥିବାର ଦେଖିଲେ । ସେ ଦୁଇଜଣ ତାଙ୍କର ପୁରୁଣା ଗୁତି ହରି ଓ ହନୁ ଥିଲେ ।
ତାଙ୍କୁ ଦେଖି ମନରେ ଟିକେ ଦମ୍ଭ ଆସିଲା । ସେମାନେ ତାଙ୍କୁ ଦାଦା ସମ୍ବୋଧନ କରୁଥିଲେ । ଛୋଟ ଶିଶୁ ଥିବା ବେଳୁ ଏମାନେ ତାଙ୍କୁ କୋଳେଇ କାଖେଇ ବଡ କରିଛନ୍ଥି । ମାମୁଁଘର ଗଲା ବେଳେ ଦୁଇଜଣକୁ ଭାରରେ ବସାଇ ନେଇଛନ୍ତି । ସେତେବେଳେ ଏବେପରି ଗାଡି ମଟର ନଥିଲା ସେ ରାସ୍ତାରେ | ଲୋକେ ପଦଯାତ୍ରା କରୁଥିଲେ । ବହୁତ ବିଶ୍ୱସ୍ତ ସେମାନେ । ତାଙ୍କୁ ଦେଖି ଶ୍ୟାମଳୀ କହିଲା ଦାଦା ତୁମେମାନେ ଅଛତ? ଆମେ ଡରୁଥିଲୁ ତୁମେମାନେ ବସ ଡେରିକରିବା ଜାଣି କାଳେ ଫେରିଯାଇଥିବ? ତାହେଲେ ଆମେ କେମିତି ଯିବୁ ? ଛକରୁ ଗାଁ ଯଦିଓ ଏକ ଦୁଇ କିଲୋମିଟର ଦୂର ହେଲେ ଜଙ୍ଗଲ ଓ ହିଂସ୍ରପଶୁପୂର୍ଣ୍ଣ । ଭାଲୁ ଲକରା ବିଲୁଆ ତ ନିତିଦିନିଆ ମିଳନ୍ତି, ହେଲେ ବେଳେବେଳେ ହାତୀଦଳ ବି କୋଉଠୁ ଆସନ୍ତି । ଏମିତି ରାସ୍ତାରେ ଝିଅ ଦୁଇଜଣ ଯିବା ସମ୍ଭବ କି ? ଦୁଇଟା ସାଇକେଲରେ ଦୁଇଜଣ ପଛ କେରିଅରରେ ବସିଲେ । ଲଣ୍ଠନଟା ସାଇକେଲ୍ ଆଗରେ ବନ୍ଧା ହେଲା । ଧିରେ ଧିରେ ସାଇକେଲ୍ ଆଗକୁ ବଢିବାକୁ ଲାଗିଲା । ସାମନାରେ ଏକ ପୁରୁଣା ପୋଲଟିଏ ପଡିଲା । ସେଠି କୁନ୍ଥାଇଲା ପରି ଗୋଟେ ଶବ୍ଦ ହେଲା । ଶ୍ୟମଳୀ ପଚାରିଲା ଦାଦା ଏଇ ଶବ୍ଦଟା କଣ? ହରିଦାଦା କହିଲେ ବାନ୍ଦୁ ପକ୍ଷୀ ହେଇଥିବ । ପୁଣି ଏକ କେଚେର୍ ମେଚେର୍ ଶବ୍ଦଟେ ଶୁଭିଲା ଏବେ ଶ୍ୱେତାଙ୍ଗୀ ପଚାରିଲା ଦାଦା ଏଇଟା କି ଶବ୍ଦ?ହନୁଦାଦା କହିଲେ ଏଇଟା ପେଚାର ଶବ୍ଦ । ଦାଦାମାନେ ବୋଧହୁଏ ମିଛ କହୁଥିଲେ ସେମାନଙ୍କୁ ପିଲାଏ ଡରିବେ ବୋଲି । ଶ୍ୟାମଳୀ ଶୁଣିଥିଲା ପୋଲ ତଳେ ନଈ ବାଲିରେ ଏକ ପ୍ରସୁତି ଛୁଆଲି ସ୍ତ୍ରୀର ଶବ ପୋତି ଥିଲେ । ଯିଏ ପିଲା ପ୍ରସବ କରିନପାରି ମରିଯାଇଥିଲା । ସେମିତି ସ୍ତ୍ରୀ ମାନେ ପେତିନି ବା ଚିରୁଗୁଣି ହୁଅନ୍ତି ବୋଲି ଲୋକେ କୁହନ୍ତି । ଏମାନେ କଷ୍ଟ ହେତୁ କୁନ୍ଥାଉଥାନ୍ତି ବୋଲି କୁହନ୍ତି । ଯାହା ବି ହେଉ ସେମାନେ ପୋଲ ଅତିକ୍ରମୀ ଆଗକୁ ବଢିଲେ । ଆଗରେ ଏକ ବୃହତ ଝଙ୍କାଳିଆ ବରଗଛ ପଡିଲା । ଗଛଟି ଏତେ ପୁରୁଣା ଯେ ତାର ଓହଳ ମାନେ ଭୂମିରେ ପଶି ଆଉ ଗୋଟିଏ ଗଛ ସଦୃଶ୍ୟ ଦିଶିଲେଣି । ସେ ଗଛ ପାଖକୁ ପହଞ୍ଚିବାବେଳେ କଣ ଗୋଟେ ଲଥ୍ କରି ଡେଇଁବାର ଶବ୍ଦହେଲା । ଏବେ ଶ୍ୱେତାଙ୍ଗୀ ଡରିଯାଇ ହନୁଦାଦାକୁ ପଚାରିଲା । ଦାଦା ଏହା କଣଟେ ଡେଇଁଲା ? ହନୁ ଜାଣିଲା ପିଲାଏ ଡରିଗଲେଣି । ରାତି ବଢିବାକୁ ଲାଗିଛି ତେଣୁ ଜୀବଜନ୍ତୁଙ୍କ ବାହାରିବାର ସମୟ ହେଇଗଲାଣି ।
ସେମାନେ ଏକ ଟିଣ ଧରିଥିଲେ ତାକୁ ଠଣ୍ ଠଣ୍ କରି ବଜାଇବାକୁ କହିଲେ ଝିଅ ଦୁଇଟାକୁ । ଟିଣକୁ ଏକ ଲୁହା ଛଡରେ ପିଟିଲେ ସେମାନେ । ସେ ଶବ୍ଦ ଶୁଣି ବରଗଛ ଉପରୁ ଆଉ କେତୋଟି ଜୀବ ଡିଆଁ ମାରି ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ । କିଛି ଦୂର ଆସିଲାପରେ ହରିଦାଦା କହିଲେ ସେ ଗୁଡାକ ଭାଲୁ ଦଳ ଥିଲେ । ବର ଖାଇବାକୁ ଆସିଥିଲେ । ଟିଣ ଶବ୍ଦ ଶୁଣି ଚାଲିଗଲେ ।
ସେ ଦିନର ରାତ୍ରୀ କଥା ମନେପଡେ ଯେତେବେଳେ ଏମିତି ଶୀତ ରାତି ଆସେ । ଆଉ ସେଇ ବିଶ୍ୱସ୍ତ ଲୋକମାନେ ବି ମନେପଡନ୍ତି । ଯେଉଁମାନେ ପର ହୋଇବବି ଆପଣାର ଲାଗନ୍ତି । ଆଜି ସମସ୍ତେ ମରିବହଜି ଗଲେଣି ହେଲେ ସେ ଶୀତରାତିର ସ୍ମୃତି ଆଜିବି ସତେଜ ହେଇ ରହିଛି ହୃଦୟ ଭିତରେ ।