STORYMIRROR

Arati Sahoo

Abstract

3  

Arati Sahoo

Abstract

ଶୀତ ରାତି

ଶୀତ ରାତି

1 min
219

ଏମିତି ବି ହୁଏ 

ଶୀତ ରାତିର 

ସେହି ଅମା ଅନ୍ଧାରର ଜାଙ୍ଗୁଲିଆ ନିଃଷ୍ପ୍ରଭି ଯାଉଥିବା

ମୁହୂର୍ତ୍ତମାନଙ୍କୁ ଗଣନା କରିବାକୁ

କିଛି ଆଖି ବାଧ୍ୟ ହେଇ ଯାଆନ୍ତି।

ପୁରଷ୍କୃତ ହୁଅନ୍ତୁ କି ନ ହୁଅନ୍ତୁ।

ମାନପତ୍ର ପୁଣି କ'ଣ ହେବ?

ନିହାତି ଦରକାର ହେଲେ

ଖବର କାଗଜ ଥାକେ ଥୋଇ

ବିଛେଇ ହେଇଯିବେ

ଛନ୍ଦାଛନ୍ଦି ହେଇ।

ନଳିଆ ଗୋଡ଼  ଶୀରୁଆ ହାତ

ଆଙ୍ଗୁଠି ବହଳ ମଳି ଜମି ଯାଇଥିବା

ଚମ ଉକୁଣୀ ଖିଆ ସରୁଆ ବେକ।

ଥରୁଥିବା ପୃଥିବୀର କାଲୁଆ ଛାତିରେ 

ଆକାଶରୁ ବର୍ଷୁଥିବା 

ବିବର୍ଣ୍ଣ କାକରିଆ ଲୁହରେ ତିନ୍ତି ଯାଇଥିବା

ଅଲରା ମଲରା ହେମାଳିଆ କୁହୁଡି ଚାଦରକୁ

ଘୋଡି଼ ହେଇ ରାତିର ଗୋଇନ୍ଦା ଗିରୀ କରିବାକୁ

କେହି କହି ନଥିଲେ ବି  

ଆଖିମାନଙ୍କ ସହ କାନ ଓଠ ଜିଭ ଦାନ୍ତ

ସମସ୍ତେ ତତ୍ପର ହେଇ ଉଠନ୍ତି।

ଯେତିକ ଯେତିକି ବୟସ ବଢ଼େ ରାତିର

ଯେତିକି ଯେତିକି ବୁଢ଼ା ହୁଏ ସମୟ 

ନ ଚାହିଁଲେ ବି ବାର୍ଦ୍ଧକ୍ୟକୁ ଆଦରି ନିଅନ୍ତି

କିଛି ମସ୍ତିଷ୍କହୀନ ହୃଦୟ।

ଧକ୍ ଧକ୍ ବଦଳରେ ଦିକ୍ ଦିକ୍

ଡାକୁଥିବା ନିଥରିଆ ନାଡ଼ୀର ସ୍ପନ୍ଦନ

କେବେକେବେ ନୀରବି ଯାଆନ୍ତି।

ବୟସ ପାକଳ ହେବା ପୂର୍ବରୁ

ପାଚି ଯାଇ ପଚି ଯାଇ ଝଡ଼ି ପଡ଼ନ୍ତି।

ବଳକା ଆୟୁଷ ମାନଙ୍କୁ ସାଇତି ଦେଇ

ସେମିତି ପାଲ ମରା କାନ୍ଥର ଖୋପ ଭିତରେ

କିମ୍ବା ଚାଉଳ ବସ୍ତାର ଛିଦ୍ରାଳ ଅଥଚ ନିବୁଜ

ଛାତ ମାନଙ୍କର ଗନ୍ତାଘର ମାନଙ୍କରେ।

ଆଗତ ନିଗତର ଉତ୍ତର ଦାୟାଦ ମାନଙ୍କ ପାଇଁ।

କାଳେ ବେଳେ ଦରକାର ପଡ଼ି ଗଲେ ଆୟୁଷ

କାମକୁ ତ ଆସିବ।

ଆୟୁଷଟା ତ ଆଉ ଭିକ୍ଷାଥାଳରେ 

ପଡ଼ିବାର ବସ୍ତୁ ନୁହେଁ ନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract