Rabinarayan Senapati

Inspirational

3  

Rabinarayan Senapati

Inspirational

ଶହେ ଟଙ୍କା

ଶହେ ଟଙ୍କା

9 mins
244



ସମର ବହୁଦିନ ପରେ ବନ୍ଧୁ ଶରତଙ୍କ ଘରକୁ ବାହାରିଛନ୍ତି। ଶରତଙ୍କ ପିତା ଅସୁସ୍ଥ। ସମ୍ଭବତଃ ମଉସାଙ୍କ ସହ ଭବିଷ୍ୟତରେ ଆଉ ଦେଖା ହୋଇ ନପାରେ। ସାଥୀ ଖବର ଦେଇଛି ମଉସା କୁଆଡେ ବିଳିବିଳଉଛନ୍ତି, “ସମରକୁ ଡାକ, ତାକୁ ଟିକେ ଦେଖିବି”। ତାଙ୍କ ସହ ଦେଖା ପ୍ରାୟ ପନ୍ଦର ବର୍ଷ ତଳେ ଯେତେବେଳେ ସେ ମାଉସୀଙ୍କ କ୍ରୀୟାକର୍ମକୁ ଯାଇଥିଲେ। ପୂର୍ବରୁ ବୈତରଣୀ କୂଳର ଏହି ରାମଗଡ ଗ୍ରାମକୁ ଯିବା ଆସିବା ପ୍ରାୟ ଲାଗି ରହିଥିଲା। କଲେଜ ଛୁଟିର ଅଧେ ଦିନ କଟୁଥିଲା ଶରତ ଘରେ ବାକି ଅଧା ଛୁଟି ଉଭୟ ବନ୍ଧୁ କଟାଉଥିଲେ ବ୍ରାହ୍ମଣୀ କୂଳର ନିଜଗ୍ରାମ ଗଡମଧୁପୁରରେ। ମଧୁପୁରରେ ଆଉ କେହି ରହୁନାହାନ୍ତି ଭାଇ ମାନେ ସମସ୍ତେ ବାହାରେ ରୁହନ୍ତି।ଘରଟି ଭାଇଆଳିଆଙ୍କ ନିଘାରେ ଯାହା ଥାଏ। ଶରତ କିନ୍ତୁ ଗ୍ରାମ ସ୍କୁଲ’ରେ ଶିକ୍ଷକତା କରନ୍ତି, ଏଣୁ ତାଙ୍କ ଘରଟି ଅଦ୍ୟାବଧି ଝୋଟିଚିତା, ପିଠାପଣା ଓ ହସ ଖୁସିରେ ଭରା। ସମର ରାଜଧାନୀ କଲେଜର ଗଣିତ ବିଭାଗର ବରିଷ୍ଠ ଅଧ୍ୟାପକ ଓ ତା ବାଦ ତାଙ୍କର ଗଣିତ ଟିଉଟରିଆଲ୍ ସେଣ୍ଟର ‘ରାମାନୁଜମ୍’ ବି ବେଶ ନାମକରା।

ରାମଗଡକୁ ଯିବାକୁ ହେଲେ ପାସେଞର ଟ୍ରେନରେ ଯାଇ କେନ୍ଦୁଆପଦା ଷ୍ଟେସନରୁ ପ୍ରାୟ ତିନି କିଲୋ ମିଟର ଅଣଓସାରି ଅଙ୍କାବଙ୍କା ରାସ୍ତାରେ ଚାଲି ଯିବାକୁ ପଡେ। ଏ ରାସ୍ତାରେ ଚାଲିଟା ନିଆରା। ଭାରୀ ଭଲଲାଗେ, ନଦୀକୂଳିଆ ସବୁଜ ଖେତ ଚିରି ରାସ୍ତାଟି ନିର୍ବାକ ଶୋଇଥାଏ। ଉଭୟ କଡରେ ଭରପୁର କିଆବୁଦାର ମହକ, କାଶତଣ୍ଡି ଓ କାଇଁଚ ବୁଦାର ଝୁମର, ନାନା କିସମର କଣ୍ଟାଜାତୀୟ ବୁଦୁବୁଦୁକିଆ କୋଳିଗଛର ସବୁଜ, ହଳଦିଆ ଅବା ଲାଲ ଟୁକୁ ଟୁକୁ ଖଟା,ମିଠା, କଶା କିମ୍ବା ପିତା କୋଳି ଆଉ କେତେ କିସମର ଅନାବନା ଉଲ୍ଲସିତ ବିପ୍ଳବ। ଅବଶ୍ୟ ସେମାନେ ନିଜ ନିଜର ଅସ୍ତିତ୍ୱ ଭିନ୍ନ ଭିନ୍ନ ଋତୁରେ ଜାହିର କରୁଥିଲେ, କିନ୍ତୁ ତହିଁ ଆଶ୍ରୀତ ଏଣ୍ଡୁଅ, ଗୋଧି, ନେଉଳ ଓ ଉଡି ବୁଲୁଥିବା କଙ୍କି, ପ୍ରଜାପତି କିମ୍ବା କ୍ଷୂଦ୍ରାତିକ୍ଷୂଦ୍ର ନାମ ଅଜଣା ବିହଙ୍ଗଙ୍କ ଋତୁଚକ୍ର ନିରପେକ୍ଷ ନିରବିଛିନ୍ନ ଚଳ ପ୍ରଚଳ ପ୍ରତି ମୂହୁର୍ତ୍ତରେ ନୂତନ ପୁଲକର ସମ୍ଭାବନା ରଖୁଥିଲା। ସେହି ରାସ୍ତାରେ ସାଇକେଲ, ରିକ୍ସା କିମ୍ବା ଶଗଡ ଗାଡିର ଚଳ ପ୍ରଚଳ ଥିଲା ନଗଣ୍ୟ ଯେହେତୁ ରାସ୍ତାଟି କେବଳ ଏହି ଭୁଗୋଳ ପୋଥିପତ୍ରରେ ବିଶେଷ ନାମ ନଥିବା ଛୋଟିଆ ଗ୍ରାମକୁ ତା’ର ସେବା ଯୋଗାଉ ଥିଲା। ଏକ ବିଶାଳ ବୃକ୍ଷପ୍ରାୟ ଦେଖା ଯାଉଥିବା ଗ୍ରାମଟିକୁ ବୃତ୍ତାକାରେ ଘେରିରହିଥିଲା କୃଷିକ୍ଷେତ୍ର। ନଦୀକୂଳରେ ଏମିତି ଏକ ବିଛିନ୍ନ ଜନବସତି ପ୍ରାୟତଃ ଦେଖାଯାଏ ନାହିଁ।

ବାଇକ କିମ୍ବା କାର ନେଇ ଯିବା ପାଇଁ, ପତ୍ନୀ ସୁମୀ, ସ୍ମରଣ କରାଇ ଦେଇଥିଲେ। କିନ୍ତୁ ସମର, ବିଗତ ଦିନର ଭାବକୁ ପୁନଶ୍ଚ ଅନୁଭବ ଅଥବା ଆବିଷ୍କାର କରିବାର ଅକୁହା ଆବେଗ ବା ପ୍ରେରଣା ପରିଚାଳିତ ହୋଇ ସକାଳ ଡି.ଏମ୍.ଉ ପାସେଞ୍ଜର ଧରିବା ପାଇଁ ଛୁଟିଥିଲେ ଷ୍ଟେସନ ଏକ ସେୟାର୍ଡ ଅଟୋରେ। ଅଟୋରୁ ଓଲ୍ହାଇ ସାତ ଟଙ୍କା ଦେବାକୁ ପକେଟ ଅଣ୍ଡାଳି ଜାଣିଲେଯେ ପର୍ସଟି ଘରେ ରହିଗଲା। ସବୁ ପକେଟ ଅଣ୍ଡାଳିଲା ପରେ ଦୈବାତ କେଉଁ କଣରୁ ଶହେଟଙ୍କା ମିଳିଗଲା।

ଓ ହୋ!

“ଆଜ୍ଞା ଖୁଚୁରା ନାହିଁ, ସମୁଦାୟ ରୋଜଗାର ଏକୋଇଶ ଟଙ୍କା।“

ଏତେ ସକାଳୁ କେଉଁଠୁ ଖୁଚୁରା ଆଣିବା ବେଳକୁ ଟ୍ରେନ ଚାଲିଯିବ ପୁଣି ଆଠ ଘଣ୍ଟାପରେ ଦ୍ୱିତୀୟ ପାସେଞ୍ଜର ।

“ଆଜ୍ଞା ବ୍ୟସ୍ତ ହୁଅନ୍ତୁ ନାହଁ ଆମ ପିଙ୍କି ମାଙ୍କୁ କହିଦେବେ ଦେଇ ଦେବାକୁ, ସେ ମୋ ପିଙ୍କ୍ ଅଟୋରେ କଲେଜ ଯାଆନ୍ତି।“

ସମର ପ୍ରୀତ ହେଲେ, ପୁଣି ଭାବିଲେ, ଛିଃ, ସେ କେତେ ଆତ୍ମକୈଂଦ୍ରୀକ ତାଙ୍କରି ଗଳିରେ ରହୁଥିବା ଏହି ବିନୟୀ ଅଟୋବାଲାକୁ ସେ ଜାଣି ନାହାନ୍ତି ଅଥଚ ତହିଁରେ ନିରାପଦରେ ନିଜ ଝିଅ ଯିବା ଆସିବା କରୁଛି ଧିକ୍। ଝିଅକୁ ସ୍କୁଟର ନଦେଇଥିବା, ସଂଯୋଗ ବଶତଃ ସାହାଯ୍ୟ କଲା। ନଚେତ ଶହେଟଙ୍କା’ଟା ହୋଇ ଯାଇଥାନ୍ତା ତେୟାନବେ। ଏତେ ଦିନ ପରେ ଅନ୍ତରଙ୍ଗ ସାଥିର ଅସୁସ୍ଥ ବାପାଙ୍କ ଡକରାରେ ଯାଉଛନ୍ତି, ସେ ପୁଣି ପ୍ରାୟ ଶେଷ ଡାକରା, ହର୍ଲିକ୍ସଟିଏ କିଣି ନେବେ ନାହିଁ! ସେଓ ଅଙ୍ଗୁର୍’ବି ନୁହେଁ? ଘରକୁ ଫେରିଯାଇ କାର କିମ୍ବା ବାଇକ ନେଇ ଯିବେକି? କିଏ ଯାଣେ ଏହା ଏକ ପରୀକ୍ଷା ହୋଇପାରେ ହୁଏତ ଏବେ ଗଲେ ଦେଖିବେ, ଡେରିକଲେ ମଉସା ଠକିଦେବେ। ଫୁଃ! ଶରତକୁ କଥାଟା ଫିଟାଇ କହି ଦେବାରେ କେଉଁ ଲାଜ ଯେ! ତାକୁ କିଛି ମଗାଯାଇ ପାରେ, ମଲା ମାଗିବା କି’ଶ ଦରକାର ସେ ବଳେ ବୁଝିବ ନାହିଁକି। ସେ କଣ ପର ହୋଇଛି। ନା ସେ ଯିବେ ଅଲବତ ଯିବେ, କିଛି ନନେଇକି ଯିବେ ଦରକାର ପଡିଲେ ବିନା ଟିକଟରେ ଫେରିବେ। ଷ୍ଟେସନରୁ ଘରକୁ ଚାଲି ଚାଲି ଫେରିବେ। ଏଇ ଦେଖୁନ ଅଟୋବାଲା ପଇସା ନେଲା ନାହିଁ ଏଥିରୁ କଣ ଜଣା ପଡୁନି ପ୍ରଭୁଙ୍କ ଇଛା ସେ ଯାଆନ୍ତୁ।


ତାଙ୍କ ବ୍ୟାକ୍ ପ୍ୟାକ୍ ବ୍ୟାଗଟା ପିଠିରେ ପକାଇ କଲେଜ ପିଲାଙ୍କ ଭଳି ଚାଲିଲେ ଟିକେଟ ଘରକୁ। ବ୍ୟାଗଟାରେ ମା ଆଉ ସୁମୀ ନାନାଦି ଚିଜ ଭରିଛନ୍ତି। ମା ଜାଣନ୍ତି ଶରତର ପସନ୍ଦ। ସଂଧ୍ୟାରେ ଖବର ଆସିବା ଠାରୁ ରାତି ଅଧ ପର୍ଯ୍ୟନ୍ତ ସେମାନେ ମାତିଥିଲେ ଯୁଦ୍ଧକାଳୀନ ଭିତ୍ତିରେ। ମା ଆଉ ପାରନ୍ତି ନାହିଁ ତାଙ୍କ ସମୟର କେତେ କିସମର ସୁଆଦିଆ ତୁଣ ଶାଗ, ପିଠାପଣା ପ୍ରସ୍ତୁତ କରିବାକୁ କାଲି କିନ୍ତୁ ଶାଶୁ ବୋହୁ ପାରମ୍ପରିକ ଦୁର୍ମୂଲ୍ୟ ଚିଜ ଗୁଡିଏ ଆଧୁନିକ ମେସିନ ଲଗାଇ ତୁରନ୍ତ କରିଛନ୍ତି।

ସୁମୀ ଡେରି ରାତିରେ କହିଲେ, “ମାଆଙ୍କର ପାଦ ଆଉ ତଳେ ଲାଗୁନି, ଏ ଶରତଟି ତୁମ ସାଙ୍ଗ ଅବା ଯମଜ ଭ୍ରାତା! କେଜାଣି କାଲି ପରିସ୍ଥିତି କଣ ଥିବ! ଆମ ଏତିକି ମେହନତର ସ୍ୱାଦ ନେବାପାଇଁ ମଉସାଙ୍କ ଅବସ୍ଥା ଅନୁକୁଳ ଥିବ’କି ନାହିଁ। ମାଆ ଜାଣି ନାହାନ୍ତି ତୁମେ କି କାରଣେ ରାମଗଡ ଯାଉଛ। ତୁମେ ଯଦି କାର ନେଇ ଯାଇଥାନ୍ତ ସେ ନିଶ୍ଚେ ବାହାରିଥାନ୍ତେ, ରେଳଗାଡିକୁ ସାହାସ କରୁନହାନ୍ତି। ତାଙ୍କ ବର୍ଣ୍ଣନାରୁ ମୁଁ ,ସ୍ୱଚକ୍ଷୁରେ ତୁମ ବନ୍ଧୁଙ୍କ ଘର ଦେଖିଥିବାର ମନେ ହେଲାଣି। ଏତେ ଘନିଷ୍ଠତା ମଧ୍ୟକୁ ତାଙ୍କ ସ୍ତ୍ରୀ ରାନୁ ଆଉ ମତେ କାହିଁକି ଯୋଡ କଲନି। କଣ ଅସୁବିଧା ଥିଲା!”

ସତେ’ତ, ଏତେ ନିବିଡତା ମଧ୍ୟରେ ଭଟ୍ଟା କେମିତି ଆସିଲା! ତା ପରିବାର ଆଉ ସମରଙ୍କ ପରିବାର ଏମିତି ଦୂର କାହିଁକି ରହିଗଲେ! ଏହା ଉଦ୍ଦେଶ୍ୟମୂଳକ ଶିଥିଳତା ଅବା କାର୍ଯ୍ୟ ବ୍ୟସ୍ତତା କାରଣରୁ! ଧେତ୍, କାର ନେଇ ଯାଇଥିଲେ ଭଲ ହୋଇଥାଆନ୍ତା ମା, ସୁମୀ ଓ ପିଙ୍କିକୁ ଧରି। କେଜାଣି ସେମାନେ ଯାଇଥାଆନ୍ତେ କି ନାହିଁ! ସେ ଅଙ୍କା ବଙ୍କା ଗ୍ରାମ ସଡକଟି ହୁଏତ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କଙ୍କ୍ରୀଟ ହେବଣି! ବୋଧହୁଏ ପୂର୍ବର ସେ ଛୋଟିଆ କାରଟା ଥିଲେ ସେ ନେଇ ପାରିଥାନ୍ତେ। ଏବେ ସେ ଏକ ଅତ୍ୟାଧୁନୀକ ‘ଅଡି’ କିଣିଛନ୍ତି। ସେ ଗାଡିକୁ ଗ୍ରାମ୍ୟ ରାସ୍ତାର ରିସ୍କ ନେବାକୁ ସେ ଚାହିଁଲେ ନାହିଁ। ଏ ପରିସ୍ଥିତିରେ କେମିତି ଗୋଟେ ଅବାଗିଆ ଲାଗିଥାଆନ୍ତା ସମରଙ୍କୁ।

ସେ ଟିକେଟ ଲାଇନରେ ଠିଆ ହୋଇ କଛପଗତିରେ ଆଗକୁ ଚାଲିଲେ। ତାଙ୍କୁ ଭାରି ହସ ଲାଗିଲା ବୋର୍ଡରେ ଲେଖା, କେନ୍ଦୁଆପଦାକୁ ଟିକେଟ ପଚିଶ ଟଙ୍କା! ସେମାନେ ଶେଷଥର ଯେବେ କଲେଜ ଜୀବନରେ ସାଥିରେ ଯାଇଥିଲେ ସମ୍ଭବତଃ ଏହାଥିଲା ଦଶଟଙ୍କା। ଖୁବ ଗୋଟେ ଫୁଟାଣି ଥିଲା ସେ’ଦୁହେଁ ଅନ୍ୟମାନଙ୍କ ଭଳି ବିନାଟିକେଟିଆ କଲେଜ ପଢୁଆ ନୁହନ୍ତି। ପଚୋସ୍ତରୀ ଟଙ୍କାର ପେଟ୍ରୋଲରେ ଦଶ କିଲୋମିଟର କାରରେ ଯିବାରେ ଅଭ୍ୟସ୍ତ ସମରବାବୁଙ୍କୁ ରାଗ ଲାଗିଲା ରେଳବାଇ ଉପରେ। ଏତେ ଭଡା ପୁଣି ପାସେଞ୍ଜର ଗାଡିରେ। ସେ ଶହେଟଙ୍କିଆ ନୋଟଟିକୁ ଯତନେଇକି ଧରିଛନ୍ତି। ମୁହଁରେ ତାଙ୍କର ବ୍ୟାକୁଳତା। ଟିକେଟ ମେସିନ ଲାଗିଛି ସେଠି ଗହଳି ବି ନାହିଁ। ଡର ଲାଗିଲା କାଳେ ଯଦି ମେସିନର ମୁଣ୍ଡ ବିଗିଡିଗଲା ଓ ତାହା ବଳକା ପଚୋସ୍ତରୀ ନଫେରେଇଲା! ନା ବରଂ ସେ ଲାଇନରେ ରହିବେ ଦେଖୁନ ମେସିନ କେମିତି ଫାଙ୍କା, ଅଥଚ ଲାଇନରେ ଠେଲାପେଲା ଓ ଝଗଡାଝାଣ୍ଟି। ସେ ପୁଣିଥରେ ସକାଳର ସେହି ପିଙ୍କ୍ ଅଟୋଚାଳକ କଥା ମନେ ପକାଇ ଖୁସିହେଲେ ଓ ଏକ ବିମର୍ଷ ଓ ଉଲ୍ଲାସର ମିଶାଣିଆ ଭାବନାରେ ସେହି ପ୍ରିୟ ନୋଟଟିକୁ କାଉଣ୍ଟରରେ ଦେଇ, କହିଲେ ଆଜ୍ଞା କେନ୍ଦୁଆପଦା।

ସେପଟୁ ଉତ୍ତର ମିଳିଲା, “ପାଞ୍ଚଟଙ୍କା ଖୁଚୁରା ଦିଅନ୍ତୁ”। ତାଙ୍କୁ ପୁଣି କଡରେ ଅପେକ୍ଷା କରିବାକୁ ପଡିଲା। ରେଳର ବେଳ ରତ ରତ। ଅଜାଣତରେ ଏକ ଦୀର୍ଘଶ୍ୱାସ ଓ ମଉସାଙ୍କ ସମ୍ଭାବ୍ୟ ଅବସ୍ଥାର ଆଶଙ୍କା ତାଙ୍କ ଅପେକ୍ଷାକୁ ଏକକାଳୀନ ସାଥିଦେଲେ। ପର୍ସ ପାଖରେ ନାହିଁ ଥିଲେବି ସେ କଏନ ରଖିବାକୁ କେଉଁ ଅବା ଭଲ ପାଆନ୍ତି! ପାଞ୍ଚଜଣ ଟିକେଟ କାଟିଲାପରେ ସେ ତାଙ୍କ ଟିକେଟ ଓ ମହର୍ଘ ପଚୋସ୍ତରୀ ଫେରି ପାଇଲେ। ଛୁଟିଲେ ପ୍ଳାଟଫର୍ମ ଆଡକୁ।

ଗାଡି ଲେଟ୍, ଅଧ ଘଣ୍ଟା। ତାହା ଏକ ଘଣ୍ଟା ହୋଇପାରେ।ଏତିକି ସମୟ ଅଛିବୋଲି କିଏ ଜାଣିଥିଲା। ହୁଏତ ଘରକୁ ଯାଇ ଟଙ୍କା ଅଣାଯାଇ ପାରିଥାନ୍ତା। ପୁରୁଣା ଦିନର ସେ ଯେଉଁ ଖବରକାଗଜ ବାଲା ଏବେ ବି ବସିଛି। ତା ପାଖକୁ ଅଜାଣତରେ ଟାଣି ହୋଇଗଲେ। ନିଜଆଡୁ ଚିହ୍ନାମଣିଷ ଭଳି କଥା ହେଲେ କିନ୍ତୁ ସେ କୌଣସି ଆନ୍ତରିକତା ଦେଖାଇବା ଜଣାପଡିଲା ନାହିଁ। ସମର ସିନା ଏହି ଜଣଙ୍କଠାରୁ ବାରମ୍ବାର ଖବରକାଗଜ କିଣିଛନ୍ତି ବୋଲି ମନେ ରଖିଛନ୍ତି ହେଲେ ସେ ଇତି ମଧ୍ୟରେ ଲକ୍ଷେ ଗରାଖଙ୍କୁ ଭେଟିଥିବ, ସବୁ ପୁଣି ନବ ଯାଯାବର, କେତେ ଲୋକଙ୍କୁ ମନେ ରଖିବ? ଉଦାର ମନରେ କିଛି ଦୁଃଖ ନକରି ‘ସମାଜ’ଟିଏ ଓ ଇଂରେଜୀ ପେପରଟି ଧରି ଟଙ୍କା ଦେବାକୁ ଗଲେ, କିନ୍ତୁ ନା ସେ ଅଟକିଗଲେ, କଉଡି ଆଜି ଗୋଟି ଗଣତା ଅଗତ୍ୟା ପେପର ଦୁଇଟି ଯଥା ସ୍ଥାନରେ ସଯତ୍ନେ ରଖିଦେଲେ। ଖବର କାଗଜ ବାଲା ବିରକ୍ତ ହେଲାନି ତ!

“କି ଅଜବ ଲୋକ, ପେପରଟିଏ କିଣିବ ନ କିଣିବ ଠିକ କରିପାରୁନା।“

ସ୍ମିତହାସ୍ୟର ଲାଜୁଆ ଓ ଅକୁହା କ୍ଷମାଟିଏ ମାଗିବା ବ୍ୟତିରେକେ ସେ ନାଚାର। ଦୋକାନୀର ଦୃଷ୍ଟି ଅଗମ୍ୟ, ଏକ ବେଞ୍ଚରେ ବସି ସେ ରୋମନ୍ଥନ କଲେ ଅନେକ ପୁରୁଣା ସ୍ମୃତ୍ତି। କିନ୍ତୁ ମଉସାଙ୍କ ଅବସ୍ଥା ଦୃଷ୍ଟିରୁ ତାହା ମଧ୍ୟ ସ୍ୱଭାବିକ ଲାଗିଲା ନାହିଁ। ସମୟତକ ଏଣିକି କଟିଗଲା ଦୁଃଖ ଅବା ସୁଖ ନିରପେକ୍ଷ ପ୍ରାୟ।

ଟ୍ରେନ୍ ଅସ୍ୱଭାବିକ ଭାବେ ଭୀଡ ଥିଲା। ବାହୁଡା ବାସି ଟ୍ରେନ୍, ଅବଶ୍ୟ ଓହ୍ଲାଇଲେ ଅଧିକ। ସମର କଷ୍ଟେମଷ୍ଟେ ସିଟରେ ଗେଞ୍ଜିହୋଇ ବସି ପଡିଲେ ପ୍ରାୟ ଯେପରି ସେ କଲେଜ ଦିନରେ କରୁଥିଲେ। ଶରତ ଏସବୁକୁ ପାରେ ନାହିଁ ଏଣୁ ସେ ତା'କୁ ନିଜ ସିଟ ଦେଇ ଅନ୍ୟ ସିଟ ଦେଖନ୍ତି। ଅବଶ୍ୟ ଏ ଅସୁବିଧା ରାଜଧାନୀରୁ ଛାଡୁଥିବା ଟ୍ରେନରେ ହୁଏ ନାହିଁ। 


ସମରବାବୁ ନୂଆ କାର କିଣିବାର ଯୁକ୍ତିମାନ ଥିଲା ପାଦପାଇଁ , କହୁଣୀ ପାଇଁ, ମୁଣ୍ଡ ଉପରେ, ଗାଡିତଳେ ଶୂନ୍ୟସ୍ଥାନ କେତେ କେତେ ସେଣ୍ଟିମିଟର କେଉଁ କାରରେ। ନିରାପତ୍ତା ପାଇଁ କଣ ସବୁ ବ୍ୟବସ୍ଥା ଅଛି, ଚାଳକ ପାଇଁ ଗାଡି ଆରାମ ଦାୟକ’କି ନୁହେଁ। ‘ଅଟୋକାର୍’ ପତ୍ରିକାଟିକୁ ଘାଣ୍ଟି ଚକଟି ସେ ମନସ୍ଥ କଲେ ‘ଅଡି’ ଠିକ ହେବ। ତାଙ୍କ କୋଡିଏ କିଲୋମିଟର ପ୍ରତି ଲିଟର ଚାଲୁଥିବା ଛୋଟ ଗାଡିଟି ବଦଳାଇ ତାର ଦୁଇଗୁଣ ତେଲ ପିଉଥିବା ଓ ଦଶଗୁଣ ଦାମୀ କାର’ଟି କିଣିଲେ। ଆଗେ କହୁଥିଲେ ହଁ’ମ ଲେଡି ଡାଏନାଙ୍କ ଗାଡିରେ କଣ ନିରାପତ୍ତା ନଥିଲା ସେ ତ ପୁଣି ଦୈବ ଦୁର୍ଘଟଣାରେ ଗଲେ। ପକେଟକୁ କଞ୍ଚା ଟଙ୍କା ଆସିଲା କଥା ବଦଲିଗଲା। ଆଜି ସାମାନ୍ୟ ଶହେ ଟଙ୍କିଆ ନୋଟ’ଟି ତାଙ୍କୁ ହିସାବ ମାଗୁଛି। କୈଫିୟତ!

ସେ ବହୁଦିନପରେ ଆଜି ସାଧାରଣ ଜନତା ତିନି ଜଣିଆ ସିଟରେ ବସିଛନ୍ତି ପାଞ୍ଚ ଜଣ। ମୁଣ୍ଡ ଉପର ଲଗେଜ ରାକ ଅଥବା ଜାଲି ସ୍ଲିପରରେ’ରେ ବସିଛନ୍ତି ଲୋକେ। ତହିଁରେ ପୁଣି ଜନୈକ ଭଦ୍ରବ୍ୟକ୍ତି ତାଙ୍କ ଜୋତା’ବି ପିନ୍ଧି ରହିଛନ୍ତି, ସମର ଗାଲରୁ ଧୁଳି ପୋଛୁ ପୋଛୁ ଭାବୁଥିଲେ। ସେ ଟିକେ ଘୁଞ୍ଚିଯିବାକୁ ଚେଷ୍ଟାକରି ହେଲେ ବିଫଳ। ତାଙ୍କ ବ୍ୟାଗଟା ଜାବୁଡି ଧରି ବସିବାରୁ ଅହେତୁକ ଭାବେ ଆଉ ଅସନା ଲାଗିଲା ନାହିଁ। ଦୁଇ ଧାଡି ସିଟ ମଝିରେ ବି ଲୋକେ ଖୁନ୍ଦି ହୋଇଛନ୍ତି। ଅଧିକାଂଶ ପୁରୀ ଫେରନ୍ତା। ଆଗରେ ବସିଥିବା ବୃଦ୍ଧ ଦମ୍ପତ୍ତି ସାରା ଭାରତ ତୀର୍ଥ ଶେଷରେ ଜଗନ୍ନାଥ ଦର୍ଶନ କରି ଫେରିଛନ୍ତି। ଏକ ଛୋଟ ଜାରିକେନରେ ଗଙ୍ଗାଜଳ ବି ରଖିଛନ୍ତି କେତୋଟି ଛୋଟ ଶିଶିରେ ମଧ୍ୟ। ହୁଏତ ବାରଣାସୀରୁ ଆଣିଥିବେ। ପୁରୀରୁ ନିର୍ମାଲ୍ୟ ସଂଗ୍ରହ କରିଛନ୍ତି। କୋଳରେ ଧରି ବସିଛନ୍ତି।


ସେହି ଗହଳି ମଧ୍ୟରେ ବି ନାନା କିସମର ପାଟି ଟକଳିଆ ଖାଦ୍ୟ ଦ୍ରବ୍ୟର ବିକ୍ରିବଟା ଚାଲିଥାଏ। ଖବରକାଗଜ ଘଟଣାରୁ ସମର ଡରି ଯାଇଥାନ୍ତି, ଜିହ୍ବା ଲାଳସାରେ କିଛି ବରାଦ କରିଦେବେ ଯଦି, ସେ ଦାନ୍ତ ଚିପି ବସିଲେ। କଟକ ପହଞ୍ଚିଗଲା। ଭୀଡ କିଛି କମହେଲା ବୋଧେ। କେତୋଟି ଷ୍ଟେସନ ପରେ, ଡାକ ଶୁଭିଲା, "ଝାଲ ମୁଢି-ଝାଲ୍ ମୁଢି"। ସେ ଶୁଣି ନଶୁଣିଲା ପରି ବସି ରହିଲେ। କିଏ ଜଣେ ଅର୍ଡର ଦେଲେ। ଆଶ୍ଚର୍ଯ୍ୟ, ମୁଢିବାଲା କେତେ ସମୟ ମନ ଧ୍ୟାନ ଦେଇ ନାନା ମହକର ମସଲା ପକାଇ ଯେଉଁ ପ୍ୟାକେଟଟି ତିଆରି କଲା ସେଇଟା ସେହି ଗ୍ରାହକକୁ ନଦେଇ ଧରାଇଲା ସମରଙ୍କୁ, "ଆରେ ସମା, କି ଭାଗ୍ୟ, ନେ ନେ ସେହି ଅସିଆ କାଳର ମସିଆ, -ନା, ନା, ବଢିଆ ଝାଲ୍ ମୁଢି। ଆଜି ତୋ ଗାଡି? କଣ, ଘରକୁ ଯାଉଛୁ? ନା ଆଉ କୁଆଡେ? ତୁ କାହିଁକି ଏସନ ରଜକୁ ଆସିଲୁ ନାହିଁ? ଆମେ ସବୁ ତୋ ଉପରେ ରାଗିଛୁ। ତୋ ବିନା ଭୋଜିଟା ଅଧୁରା ଲାଗିଲା।“


ଜଗା ତାଙ୍କ ଗାଆଁର । ବାଲ୍ୟବନ୍ଧୁ କାଳକ କଟିଗଲା ଏହି ବେପାରରେ । ଦିନସାରା ଟ୍ରେନରେ । କଟକରୁ ଗଡମଧୁପୁର, ଗଡ ମଧୁପୁରରୁ କଟକ, କେବଳ ଯାହା ପାସେଞ୍ଜର ଗାଡି ରବିବାର ଘରେ ରୁହେ ସୋମବାର ଦିନ ଗାଆଁ ଶିବ ମନ୍ଦିରରେ ଓଳିକର ବେଉସା ତାପରେ ଛୁଟି। ସାରା ଗ୍ରାମରେ ତା’ର ଆଦର ଖୁବ୍ ମେଳାପି।

ଅନ୍ୟ ମାନଙ୍କ ମୁଢି ବରାଦ ମେଣ୍ଟାଇବା ପରେ ବେଶ୍ କିଛି ସମୟ ଗାଆଁ ମଜଲିସର ପସରା ମେଲାଇଲା ପରେ ଗଲା। ସମରଙ୍କୁ ଗଡଟିଏ ଜିତିଲା ଭଳି ଲାଗିଲା। ନୁହେଁ ଆଉ କଣ ଏ ଲାଇନ’ର ସର୍ବଶ୍ରେଷ୍ଠ ଝାଲ ମୁଢି ବାଲା ତାଙ୍କ ଗାଆଁ ଲୋକ ଓ ଏକାନ୍ତ ଘନିଷ୍ଠ ଏହା କ’ଣ କମ କଥା! ସକାଳୁ ଏପର୍ଯ୍ୟନ୍ତ ଉଦାସ ରହୁଥିବା ସମର ବେଶ ପ୍ରଫୁଲ ଦେଖାଗଲେ।


କିଛି ସମୟ ପରେ ପୁଣି ମଉସାଙ୍କ ଅବସ୍ଥା କଥା ମନେ ପଡିଲା। ସେ ଭାବିଲେ ସାମନାର ବସିଥିବା ସେ ତୀର୍ଥ ଫେରନ୍ତା ଯାତ୍ରୀଙ୍କଠାରୁ ଟିକେ ଗଙ୍ଗାଜଳ ଓ ନିର୍ମାଲ୍ୟ ମାଗିବେକି? ନା’ମଁ, ମଉସାଙ୍କର କିଛି ହୋଇ ନଥିବ ଶରତ କ’ଣ ଭାବିବ! ଓ ହୋ, ସେଥିରେ କିଶ ଅଛି ଘର କରିକି ନିର୍ମାଲ୍ୟ, ଗଙ୍ଗାଜଳ ଟିକେ ରଖିବା କଥା ନୁହେଁ।

“ଆଜ୍ଞା ମଉସା .........”।

“ଇଏ ଗୋଟେ କଥା ପୁଅ, ଶାସ୍ତ୍ର କହିଛି ଆଚଣ୍ଡାଳ ବ୍ରାହ୍ମଣ ପରସ୍ପର ଛଡାଛଡି ହୋଇ ଖାଇବେ ନିର୍ମାଲ୍ୟ କାହାକୁ ଦେଲେ ବହୁ ପୂଣ୍ୟ ଆଉ କିଏ ଆଶାକଲେ ଓ ତାଙ୍କ ଆଶା ପୂରଣ କଲେ ତେବେ ସେ ଲୋକ ଜୀବନ ସାରା ଯାହାକୁ ଯେତେ ଦେଲେବି ତାର ଉଣା ହେବନି। ଏହା ଅତି ଭାଗ୍ଯର କଥା।“

ସତେ!

ଲୋକେ ବଲ ବଲକି ଅନାଇଲେ।

ଏତିକି କହି ସେ ଦୁଇ ଦାନା ନିର୍ମାଲ୍ୟ ସମରଙ୍କ ହାତ ପାପୁଲିରେ ଦେବା ସହ ଏକ ପ୍ଯାକେଟ ମଧ୍ୟ ଦେଲେ ଓ ଛୋଟ ଗଙ୍ଗାଜଳ ଶିଶିଟାଏ ଦେଲେ। ମାଉସୀ ସେ ପର୍ଯ୍ୟନ୍ତ ମୁରୁକି ମୁରୁକି ହସୁଥିଲେ, ଏବେ କହିଲେ, “ ନିର୍ମାଲ୍ୟ ଦେଇ ପୁତ୍ର କଲ, ସାତ ଯୁଗକୁ ଆବୋରିଲ”।

ଯେତେ ମନା କଲେବି ଏକ କୁଡୁଆ ପୁରୀ ଭୋଗ ଦେଲେ ଓ ଘରକୁ ନେବାକୁ କହିଲେ। ତା ପରେ ଘର ପରିବାର, ଠିକଣା, ତୀର୍ଥ ବୁଲା, ଚାକିରି ଇତ୍ୟାଦି ଇତ୍ୟାଦି ସମ୍ପର୍କରେ ବେଶ ଆଲୋଚନା ଜମିଲା। ସମରଙ୍କ ବ୍ୟାଗକୁ ଓଡିଆ ସଂସ୍କୃତିର ଏହି ଅମୂଲ୍ୟ ଚିଜ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ସ୍ଫୀତ କଲା।

ପୁଣି ନାନା କିସମର ଆଲୋଚନାରେ ଅବଶିଷ୍ଟ ସମୟ କଟିଗଲା ଓ କେନ୍ଦୁଆପଦା ଆସିଗଲା। ସେ ସେହି ନୂତନ ସମ୍ମାନୀୟ ଆତ୍ମୀୟଙ୍କୁ ପ୍ରଣାମ ଜଣାଇ ଟ୍ରେନରୁ ଓହ୍ଲାଇ ପଡିଲେ।

ଷ୍ଟେସନ ବଜାର ବେସ ବଡ ହୋଇ ଯାଇଛି। ସେ ଫଳ ଦୋକାନ ପାଖକୁ ଗଲେ ଭାବିଲେ କ’ଣ ବା କିଣି ପାରିବେ। ପ୍ରତ୍ୟକ ଫଳର ଦାମ ପଚାରିଲେ। ସେଓ କିଲୋ ନବେ, କୁହା ବୋଲାରେ ଖସିଲା ଅଶିକୁ, ପଚୋସ୍ତରୀରେ ରାଜିହେଲା ନାହିଁ ଦୋକାନୀ। ବାଧ୍ୟହୋଇ ତାଙ୍କୁ କହିଲେ ହିସାବ କରି, ସେତିକି ଟଙ୍କାରେ ଯେତିକି ହେଉଛି ସେତିକି ଦେବା ପାଇଁ। ତାଙ୍କର ହିସାବ କରିବାରେ ଆଦୌ ଇଛାହେଲା ନାହିଁ। ସେ ବାଛି ବାଛି ଛୋଟ ଛୋଟ ସେଓ ପାଲାରେ ଥୋଇଲେ ଯେମିତି ସଂଖ୍ୟାରେ ଅଧିକ ହେବ ଏବଂ ଏହା କରିବା ଯୋଗୁ ସେ ଅପେକ୍ଷାକୃତ ଅପକ୍ୱ ସେଓକୁ ବାଛି ଦୋକାନୀ ମନରେ, ବେକୁବ ବୋଲି ସାବସ୍ତ୍ୟ ହେଲେ। ସେ ନିଜକୁ ବୁଝାଉଥିଲେ ହଁ’ମ ଛୋଟ ହେଲେବି ସୁଆଦିଆ ଲାଗିବ। ଦୋକାନୀ ଅଛିଣ୍ଡା ହିସାବ ନକରି ଅଥବା ନିକୃଷ୍ଟ ଫଳ ବିକୁଥିବା ହେତୁ ପୁରା ଏକ କିଲୋ ଓଜନ କଲା।

ଖୁବ ଶୀଘ୍ର ସେହି ଅଙ୍କା ବଙ୍କା ରାସ୍ତା ଉପରେ ସେ ଚାଲୁଥିଲେ। ରାସ୍ତାଟି କଙ୍କ୍ରିଟ ଓ ଚଉଡା ହୋଇଛି କିନ୍ତୁ ସବୁଜୀମା ଓ ସାଥି ଜୀବଜନ୍ତୁମାନେ ବିଲୁପ୍ତ।

ଶରତ କହିଲା, “ତୁ ଟ୍ରେନରେ ଆସିବୁ ଜାଣିଥିଲେ ମୁଁ ଯାଇଥାନ୍ତି ଅବା କାହକୁ ପଠାଇଥାନ୍ତି, ମୁଁ ଭାବିଲି ତୁ କାରରେ ଆସିବୁ। ବ୍ୟସ୍ତ ହେବାର କିଛି ନାହିଁ, ବାପାଙ୍କର ଜର କମିଗଲା ପରେ ସେ ପୁରାଭଲ ଓ ସକାଳୁ ବ୍ୟସ୍ତ- ତୋ ଆସିବା ଓ ତୋର ରୁଚି ଓ ପସନ୍ଦ ଉପରେ ଚାଲିଛି ତାଙ୍କର ନିର୍ଦ୍ଦେଶ। କାଲି ଏତେବେଳକୁ ବାପାଙ୍କୁ ଡାକ୍ତରବାବୁ ଦେଖି କଟକ ରିଫର କରିଥିଲେ। ବାପା ଆଦୌ ରାଜି ହେଲେ ନାହିଁ କହିଲେ ମୁଁ ହୋସରେ ଥିଲା ପର୍ଯ୍ୟନ୍ତ କେହି ମତେ ଏଠୁ ନେଇ ପାରିବେ ନାହିଁ। ମୁଁ ଭାବିଲି ତୁ ଆସି କହିଲେ ସେ ରାଜି ହେବେ। ପୁଣି କାଲି କଣ ହୋଇ ପାରେ, ତୁ ତାଙ୍କୁ ଟିକେ ବୁଝା।“


କହିବା ବାହୁଲ୍ୟ, ବେସ ହସଖୁସିରେ ସମୟ କଟିଥିଲା ରାନୁ ଏବଂ ଦୁଇ ପୁଅ ଝିଅଙ୍କ ଆଦର କହିଲେ ନସରେ।

ପରଦିନ ଏକ ଭଡା ଗାଡିରେ ସମସ୍ତେ କଟକ ଆସିଲୁ।

ଇତି ମଧ୍ୟରେ ସେ ସୁମୀଙ୍କୁ ସବିଶେଶ ବିବରଣୀ ଫୋନରେ କହିଲି। ପରଦିନ ସମସ୍ତେ କଟକ ପହଞ୍ଚିବା ବେଳକୁ କୋଚିଂ ସେଣ୍ଟରର ଷ୍ଟାଫ ଆଣି ଆସିଥିଲେ ପର୍ସ ଓ କାର୍ଡ୍।


ସେ ବହୁତ ଖୁସି, ପୁଣି ଏକ ପରୀକ୍ଷାରେ ଶହେରୁ ଶହେରେ ଉତ୍ତୀର୍ଣ୍ଣ। 



Rate this content
Log in

Similar oriya story from Inspirational