SANJAY HATI

Romance

3  

SANJAY HATI

Romance

ଶ୍ଵେତପଦ୍ମା

ଶ୍ଵେତପଦ୍ମା

7 mins
232


ଭୋର୍ ହବାକୁ ତଥାପି ଆଉ କିଛି ସମୟ ବାକି ଅଛି।ପ୍ଳାଟଫର୍ମର ଚା'ବିକାଳିର ଡାକରେ ନିଦ ଭାଙ୍ଗିଗଲା ଆୟୁଷ୍ମାନର। ଝରକା ଦେଇ ଝାପସା ଅନ୍ଧାରରେ ଜାଣିବାକୁ ଚେଷ୍ଟା କଲା କୋଉ ଷ୍ଟେସନ୍,କିଛି ଦେଖାଯାଉନଥିଲା। ବାଧ୍ୟ ହୋଇ ଚା'ବାଲାଠୁ ଗୋଟେ ଚା' କିଣି ତାକୁ ପଚାରିଲା। ତା'ଠୁ ଜାଣିଲା ଆଉ ଦି'ଘଣ୍ଟାର ବାଟ ତଥାପି ରହିଲାଣି ତାର ପହଞ୍ଚିବା ଷ୍ଟେସନ୍। ଚା'ପିଇ ପୁଣିଥରେ ଶୋଇପଡ଼ିଲା ବର୍ଥରେ। ଆଉ ଟିକିଏ ପରେ ଶ୍ଵେତପଦ୍ମାର ଫୋନ୍ ଆସିଯିବ। ସବୁଦିନେ ରାତିରେ ଫୋନରେ ତାଗିଦା କରି ଶୋଇବାକୁ କହିବ ଆଉ ସକାଳୁ ଥରେ ଫୋନ୍ କରି ଉଠେଇବ। ବାକି ଦିନ ଭିତରେ କେତେବେଳେବି ଫୋନ୍ ଆସିପାରେ। ଏଇ ଯେମିତି ଲଞ୍ଚ୍ ଟାଇମ୍ ଗଡ଼ିଗଲେ ଫୋନରେ ପାଟି କରୁଥିବ ସେପଟୁ-"ଖାଇଲୁଣି? କି କାମ ଏମିତି କରୁଛୁ କି? ଟାଇମରେ ଖାଇପାରୁନୁ? ଦେହ ଖରାପ ହେଲେ କିଏ ବୁଝିବ?" ଓଃ! ବେଳେବେଳେ ବିରକ୍ତ ହେଇଯାଏ ସେ ଶ୍ଵେତପଦ୍ମା ଉପରେ। ଶ୍ଵେତପଦ୍ମା ବି କହିଦିଏ-"ହଉ ଠିକ୍ ଅଛି। ଆଉ ଫୋନ୍ କରିବିନି। ତୋ କଥା କିଏ ବୁଝୁଛି ବୁଝୁ।" ସେମିତି କେବେ ହୁଏନି। ଫୋନ୍ ଆସିବା ସମୟ ଗଡ଼ିଗଲେ ଆୟୁଷ୍ମାନକୁ ଭଲଲାଗେନି। ଶ୍ଵେତପଦ୍ମାବି ରାଗିପାରେନି ତା'ଉପରେ। ଫୋନ୍ କରି ପଚାରେ-"ମୋ ଫୋନକୁ ଅପେକ୍ଷା କରିଥିଲୁନା?" ହସିଦିଏ ଆୟୁଷ୍ମାନ୍। ପଚାରେ-"ତୁ ଏତେକଥା କେମିତି ଜାଣିପାରୁଛୁ?" ଶ୍ଵେତପଦ୍ମା କହେ-"ତୁ ସେସବୁ ବୁଝିପାରିବୁନି।" ପିଲାଦିନର ସାଙ୍ଗ ଶ୍ଵେତପଦ୍ମା। କିଛି ବର୍ଷ ତଳେ ଆୟୁଷ୍ମାନର ମା'ବାପା ଆକ୍ସିଡେଣ୍ଟରେ ଚାଲିଯାଇଥିଲେ। ତାର ବର୍ଷେ ପରେ ଶ୍ଵେତପଦ୍ମାର ମା'ବି ହାର୍ଟଆଟାକରେ ଚାଲିଗଲେ। ବାପା ଅଛନ୍ତି, ସବୁବେଳେ ବେଡ଼ରେ। ଚିକିତ୍ସା ଚାଲିଛି। ତାଙ୍କରି କଥା ବୁଝିବାରେ ଶ୍ଵେତପଦ୍ମାର ସମୟ ବିତିଯାଏ। କଲେଜ ପାଠପଢ଼ା ସରିଗଲାଣି ଆଠବର୍ଷ ତଳୁ। ଚାକିରି କଲାନି ବାପାଙ୍କ ପାଇଁ। ଆୟୁଷ୍ମାନ୍ ଚାକିରି ପାଇ ଚାଲିଗଲା ଅନ୍ୟ ସହରକୁ। ମଝିରେ ମଝିରେ ଆୟୁଷ୍ମାନ୍ ଆସେ। ଦିନେ ଦି'ଦିନ ସେମାନେ ବେଶ୍ ହସଖୁସିରେ ଗପସପ କରି ସମୟ କାଟନ୍ତି। ତା'ପରେ ଆୟୁଷ୍ମାନ୍ ଫେରିଯାଏ। ଶ୍ଵେତପଦ୍ମାର ଆଖି କୋଣରେ ଲୁହବିନ୍ଦୁକୁ ସେ ଠିକ୍ ଦେଖିପାରେ। କିଛି କହେନି, ଖାଲି ଅନ୍ୟମନସ୍କ ହେଇଯାଏ। ପଚାରିଥିଲା ଦିନେ-"ତୁ କଣ ସତରେ କେବେ ବାହା ହବୁନି?" ଶ୍ଵେତପଦ୍ମା କହିଥିଲା-"ହେବି, ତୋ ବାହାଘର ଦେଖିସାରିବା ପରେ..." ହସିଦେଇ ଆୟୁଷ୍ମାନ୍ କହିଲା-"ଆଉ ଯଦି ମୁଁ ବାହା ନହୁଏ?" ଶ୍ଵେତପଦ୍ମା କହିଥିଲା-"ତାହାଲେ ତ ଆହୁରି ବଢ଼ିଆ। ମୋତେ ବି କଷ୍ଟ କରିବାକୁ ହବନି।" ଏମିତି କେତେକଥା।

ମନେପଡିଗଲା କଲେଜ ପଢ଼ିବା ବେଳର କଥା।କବିତା'କୁ ଭଲ ପାଉଥିଲା ଆୟୁଷ୍ମାନ୍। କିନ୍ତୁ କବିତା ତା'ଠୁ ଦୂରେଇ ଯାଇଥିଲା ନିଜ ସ୍ଵପ୍ନକୁ ନେଇ। କଷ୍ଟ ଲାଗିଥିଲା ଭାରି। ସେ କିନ୍ତୁ ଏକଥା ଶ୍ଵେତପଦ୍ମାକୁ କେବେ କହିନି। ଶ୍ଵେତପଦ୍ମା ତା' ଶୁଖିଲା ମୁହଁ ଦେଖି ଖାଲି କହିଥିଲା-"ଶୁଣ୍, ତୋ ଶୁଖିଲା ମୁହଁ ଦେଖିଲେ ମୋତେ ଜମା ଭଲ ଲାଗେନି। ତୋର ଯାହାବି କହିବାକୁ ଅଛି ମୋତେ କହିଦେ। ନହେଲେ ତୁ'ତ ଭଲ ଲେଖାଲେଖି କରୁ, ଏଇ ଦୁଃଖ ସବୁକୁ କାଗଜରେ ଲେଖିପକା। ଦେଖିବୁ, କେମିତି ମୁକ୍ତି ପାଇଯିବୁ ସବୁ କଷ୍ଟରୁ। ସତକୁସତ ସେ ଲେଖିଚାଲିଲା। ତା'ର ସବୁ ଲେଖାର ପ୍ରଥମ ପାଠିକା ଶ୍ଵେତପଦ୍ମା। ସବୁ ମନଦେଇ ପଢେ ନହେଲେ ଶୁଣେ। ଯୋଉଠି ତାକୁ ଭଲଲାଗେନି, ସେ କହିଦିଏ। ଆୟୁଷ୍ମାନ୍ ଚେଷ୍ଟାକରେ ପୁଣିଥରେ ସେ ଲେଖାକୁ ସଜାଡ଼ିବାକୁ। ଆଜି ଛ'ମାସ ପରେ ଆୟୁଷ୍ମାନ୍ ଯାଉଛି ଶ୍ଵେତପଦ୍ମା ପାଖକୁ। ଅଚାନକ୍ ପହଞ୍ଚି ତାକୁ ସରପ୍ରାଇଜ୍ ଦବ ବୋଲି ଆଗରୁ କିଛି କହିନି।ଆଜି ସେଇ ସହରରେ ଗୋଟିଏ ସାହିତ୍ୟ ଅନୁଷ୍ଠାନ ତରଫରୁ ତାକୁ ଯୁବ ଗାଳ୍ପିକର ସମ୍ମାନ ମିଳିବାର ଅଛି। ସେଥିପାଇଁ ଆସିଛି। ସେମିତି ଶୋଇଥିଲା ବର୍ଥରେ। ଉଠିବାକୁ ଜମାରୁ ଇଚ୍ଛା ନଥିଲା । ବେଳେବେଳେ ଅତୀତ ଭାରି କଷ୍ଟ ଦିଏ। ଆଜି କେଜାଣି କାହିଁକି, ତାକୁ ଖୁସି ଲାଗୁଥିଲା। ସହଯାତ୍ରୀମାନଙ୍କ ହଠାତ୍ ବ୍ୟାଗ୍ ଇତ୍ୟାଦି ଉଠାଉଠିରୁ ଜାଣିଲା ତା' ଷ୍ଟେସନ୍ ଆସିଗଲାଣି। ଘଡ଼ି ଦେଖିଲା, ସାଢ଼େ ପାଞ୍ଚଟା। ଏବେ ଶ୍ଵେତପଦ୍ମାର ଫୋନ୍ ଆସିଯିବ। ହେ ପ୍ରଭୂ, ଏବେ ତା' କଲ୍ ନଆସୁ। ନହେଲେ ଏ ହୋ ହାଲ୍ଲା ଆଉ ଟ୍ରେନର ଶବ୍ଦରୁ ସେ ଜାଣିଯିବ ସବୁକିଛି। ନା, ଭଗବାନ ରକ୍ଷା କଲେ। କଲ୍ ଆସିଲାନି।ସେ ଅଟୋରେ ବସିଲା। ଦଶମିନିଟର ରାସ୍ତା। ଛ'ଟା ଆଗରୁ ପହଞ୍ଚିଗଲା ଶ୍ଵେତପଦ୍ମା ଘରେ। କଲିଂବେଲ୍ ବଜେଇ ଠିଆହେଲା, ଶ୍ଵେତପଦ୍ମା ମୁହଁରେ ଖୁସିମିଶା ଆଶ୍ଚର୍ଯ୍ୟକୁ ଦେଖିବା ଲାଗି। କବାଟ ଖୋଲିଲା। ଶ୍ଵେତପଦ୍ମା କହିଲା-"ଆ ଭିତରକୁ।ମୁଁ ଚାରିଟା ରାତିରୁ ଉଠିକି ବସିଛି। ଆଜି ଟ୍ରେନ୍ ଲେଟ୍ ଥିଲା। ତୋ ପାଇଁ ପାଣି ଗରମ କରିଦେଇଛି। ଯା, ମୁହଁ ହାତ ଧୋଇକି ଆ। ଚା' ପିଇ ତାପରେ କାମ ସାରିବୁ।" କାବା ହେଇ ଚାହିଁଥିଲା ଆୟୁଷ୍ମାନ୍। ସରପ୍ରାଇଜ୍ କିଏ କାହାକୁ ଦେଲା ବୁଝିପାରୁନଥିଲା। ସେ କିଛି କହିବା ଆଗରୁ ଶ୍ଵେତପଦ୍ମା କହିଲା-"ଆରେ ଅନେଇଛୁ କଣ? କାଲିଠୁ ମୋ ପାଖକୁ ନିମନ୍ତ୍ରଣ ପତ୍ର ଆସିସାରିଛି। ସେ କାର୍ଡରେ ସମ୍ମାନିତ ହେବାକୁ ଥିବା ଯୁବ ଗାଳ୍ପିକଙ୍କ ନାମଟି ଛପାହେଇଛି। ତୁ'ବି ଏଡିକି ବୋକା ବୋଲି ମୁଁ ଜାଣିନଥିଲି। କି ଲେଖାଲେଖି କରୁଛୁ କେଜାଣି? ହଉ ଚାଲ୍, ମୁଁ'ବି ଚା' ପିଇନି। ସାଙ୍ଗ ହେଇ ପିଇବା।" ହସିଦେଲା ଆୟୁଷ୍ମାନ୍। ଚେଷ୍ଟା କରିବି ସେ କେବେ ଶ୍ଵେତପଦ୍ମାଠୁ ଜିତିପାରିନି। ଚା' ପିଇବା ଭିତରେ କେତେ କଥା ପଚାରିଦେଇ ଗଲା ତାକୁ। ଆଠଟା ବାଜିଗଲା ଦେଖି ଶ୍ଵେତପଦ୍ମା କହିଲା-"ତୁ ଯା, ତୋ କାମ ସାରିଦେ। ମୁଁ ୟା ଭିତରେ ବାପାଙ୍କ କାମ ସାରି, ତାଙ୍କୁ ବ୍ରେକଫାଷ୍ଟ୍, ମେଡିସିନ୍ ଇତ୍ୟାଦି ଦେଇ ମୋ କାମ ସାରିଦିଏ। ତୁ ବ୍ରେକଫାଷ୍ଟ୍ କରି ଟିକିଏ ରେଷ୍ଟ୍ ନେଇଯା।ଆଉ ଟିକେ ଗପିବାକୁ ଇଚ୍ଛା ଥିଲେବି ବାଧ୍ୟ ହୋଇ ଉଠିଲା। ଗାଧୁଆପାଧୁଆ ସାରି ମଉସାଙ୍କୁ ଦେଖାକଲା, ଆସିଲା ଡାଇନିଂ ହଲକୁ। ତା'ପାଇଁ ଖାଇବା ରଖିଛି ଶ୍ଵେତପଦ୍ମା। ପଚାରିଲା-"ତୁ ଖାଇବୁନି?" ଶ୍ଵେତପଦ୍ମା କହିଲା-"ମୋର ଡେରିହବ। କିଛି କାମ ସରିନି। ଲଞ୍ଚରେ କଣ ଖାଇବୁ କହ। ସାଙ୍ଗ ହେଇ ଖାଇବା।" ଆୟୁଷ୍ମାନ୍ ତାକୁ ଚାହିଁ ହସିଦେଲା, କହିଲା "ତୁ କଣ ଜାଣିନୁ?" ଶ୍ଵେତପଦ୍ମା କହିଲା-"ହଉ, ବ୍ରେକଫାଷ୍ଟ୍ ସାରି ମୋ ରୁମରେ ରେଷ୍ଟ୍ ନଉଥା। ମୁଁ କାମ ସାରି ଆସିଲେ କଥାହବା।"

ଆୟୁଷ୍ମାନ୍ ବିଛଣା ଧରୁଧରୁ ଶୋଇପଡ଼ିଲା। ତାକୁ ଭାରି ଭଲଲାଗେ ଶ୍ଵେତପଦ୍ମାର ଏ ବେଡ଼ରେ ଶୋଇବାକୁ। ସବୁବେଳେ କହେ-"ସତରେ ତୋ ବିଛଣାରେ ପଡ଼ିଲା ମାନେ ମୋତେ ନିଦ ଆସିଯାଏ।" ସେପଟେ କଲିଂବେଲ୍ ବାଜିଛି। ଶ୍ଵେତପଦ୍ମା ଭାବୁଛି ଏ ଅବେଳରେ ମାନେ ଦିନ ଏଗାରଟାରେ କିଏ ଆସିପାରେ? କବାଟ ଖୋଲି ଆହୁରି ଆଶ୍ଚର୍ଯ୍ୟ ହେଲା କବିତାକୁ ଦେଖି। "ଏତେଦିନ ପରେ ଆସିଛୁ? ମୁଁ ତ ଭାବିନେଇଛି ତୁ ବାହାହେଇ ତୋ ସଂସାରରେ ସେ'ବି ଆମେରିକାରେ ପୁରା ବ୍ୟସ୍ତ ଥିବୁ। ଆମକଥା କାହିଁକି ମନେପକେଇବୁ?" କବିତା କାନ୍ଦି ପକେଇଛି। ତାକୁ ଭିତରକୁ ନେଇଆସିଛି, ପଚାରିଛି "କଣ ହେଇଛି କହ? କାନ୍ଦୁଛୁ କାହିଁକି?" କବିତା ତା'ଜୀବନର ପୃଷ୍ଠା ଖୋଲିଛି। କେମିତି ଦିନେ ତାକୁ ଭଲପାଉଥିଲା ଆୟୁଷ୍ମାନ୍। ସେ ନିଜେ କିନ୍ତୁ ଋଷିକେତନର ଷ୍ଟାଟସକୁ ଦେଖି ସ୍ଵପ୍ନ ଦେଖିଥିଲା ତା' ସହ ଆମେରିକାରେ ଜୀବନ ବିତେଇବା ଲାଗି। ଋଷିକେତନ ଆମେରିକାରେ ରହେ। ଶେଷରେ କିନ୍ତୁ ସେ କବିତାକୁ ଧୋକା ଦେଇଛି। ବିବାହ କରିବାକୁ ମନା କରିଦେଇଛି। ଆଜି କବିତା ଚାହେଁ ଆୟୁଷ୍ମାନ୍ ପାଖକୁ ପୁଣି ଥରେ ଫେରିବାକୁ। କବିତା ଭଲଭାବରେ ଜାଣେ ଆୟୁଷ୍ମାନ୍ କାହାକଥା ଶୁଣୁ କି ନଶୁଣୁ, ଶ୍ଵେତପଦ୍ମା କଥା ଶୁଣିବ ଆଉ ସେ ଯାହା କହିବ ମାନିବ ନିଶ୍ଚୟ।

ଏପଟେ ଆୟୁଷ୍ମାନର ନିଦ ଭାଙ୍ଗିଯାଇଛି। ସେ ଆଖି ଖୋଲି ଦେଖିଲା ସାମ୍ନାରେ ଗୋଟିଏ ବହି ଆଲମାରୀ। ତା'ଭିତରେ ତା'ର ସବୁ ବହି ରଖାଯାଇଛି। ଶ୍ଵେତପଦ୍ମା ତାହେଲେ ତାର ସବୁ ଲେଖା ସାଇତି ରଖିଛି। ସେ ଖୋଲିଲା ସେ ଆଲମାରୀ। ସବୁ ବହିରେ କିଛି ନା କିଛି ଲେଖା ରହିଛି, ଯାହାକୁ ଲେଖିଛି ଶ୍ଵେତପଦ୍ମା। ଲେଖାରେ ଏତେ ଆପଣାପଣିଆ ଥାଏ ବୋଲି ସେ ଅନୁଭବ କଲା ଏଇ ପ୍ରଥମ ଥର। ଗୋଟିଏ ବହି ଖୋଲିଲା। "ତୁ ଯଦି ଯୋଗୀ ହେଇଯାଆନ୍ତୁ, ତାହାଲେ ମୁଁ ତୋର ଦାସୀ ହେଇ ରହିବାକୁ ବି ମନା କରନ୍ତିନି। ତୁ କେବେ ଦୁଃଖ କରିବୁନି। ମୁଁ ସବୁବେଳେ ତୋ ପାଖରେ ଅଛି। ଜୀବନସାରା ଏମିତି ରହିଥିବି। ମୁଁ ବାହାହେଇ ଚାଲିଗଲେ ତୋ କଥା ବୁଝିବାକୁ କେହି ରହିବେନି। ତୁ ପୁଣି ଏକା ହେଇଯିବୁ। ତୁ ଏକା ହେଇଗଲେ ହାରିଯିବୁ ମୁଁ ଜାଣେ। ମୁଁ କେବେ ଚାହେଁନି ତୁ ହାରିଯା ବୋଲି। ବାସ୍, ତୁ ଏମିତି ଥା ସବୁବେଳେ। ତୋତେ ମୁଁ ଭଲପାଏ, ହେଲେ କହିବାକୁ ଡର ଲାଗୁଛି। କାଳେ ମୋତେ ସ୍ଵାର୍ଥପର ବୋଲି ଭାବିବୁ। ଭାବିବୁ ଏଇ ସ୍ଵାର୍ଥରେ ବୋଧେ ମୁଁ ତୋ କଥା ବୁଝୁଛି। ଏମିତି ଥାଉ ଆମ ସମ୍ପର୍କ। ସବୁ ବୁଝିକିବି ମୁଁ ନବୁଝିବାର ବାହାନା କରୁଥାଏ ଆଉ ତୁ ସବୁଥିରେ ଅଜଣା ହେଇ ଥା। ଜାଣିଛୁ, ତୁ ଶୋଇଯିବା ପରେ ମୁଁ ଲୁଚିଲୁଚି ତୋ ପାଖରେ କେତେଥର ଶୋଇଛି, ଖାଲି ଗୋଟିଏ ଅଜଣା ଆବେଗରେ। ତୋ ଅଜାଣତରେ ତୋ ଓଠରେ କେତେଥର ମୋ ଓଠକୁ ଛୁଏଁଇଛି, ସେକଥା ଖାଲି ମୁଁ ଜାଣିଛି। ତୋଠୁ କିଛି ଦାବୀ କରିପାରିବିନି କାରଣ ମୁଁ ତୋର ପ୍ରେମ ନୁହେଁ। ତଥାପି ମୁଁ ତୋତେ ଭଲପାଏ। ଭାରି ଇଚ୍ଛା ହୁଏ, ତୋତେ ସବୁକଥା କହିଦବାକୁ, ହେଲେ କିଛି କହିପାରେନିରେ...." ଆଉ ପଢ଼ିବାକୁ ଧୈର୍ଯ୍ୟ ନଥିଲା ଆୟୁଷ୍ମାନର। ଶୋଇପଡ଼ିଲା ଆଉଥରେ ତକିଆରେ ମୁହଁ ମାଡ଼ି।

ସେପଟେ କବିତା ବାହାରିଲା ଯିବାକୁ ଶ୍ଵେତପଦ୍ମାକୁ ଶେଷ ଅନୁରୋଧ କରି। ଶ୍ଵେତପଦ୍ମା ତାକୁ କହିଛି ସେ ନିଶ୍ଚୟ ଚେଷ୍ଟା କରିବ ଆୟୁଷ୍ମାନକୁ ବୁଝେଇବା ଲାଗି। ଆୟୁଷ୍ମାନ୍ ଯେ ଆସିଛି, ଆଉ ଉପରଘରେ ଶୋଇଛି, ଏକଥା କାହିଁକି କେଜାଣି ସେ କବିତାକୁ ଜଣେଇଲା ନାହିଁ। ବାହାରିଯାଇଛି କବିତା। ଉପର ଘରକୁ ଆସିଛି ଶ୍ଵେତପଦ୍ମା। ଆୟୁଷ୍ମାନ୍ ଶୋଇଛି। ତାକୁ ଡାକିଛି-"ଚାଲ୍, ଲଞ୍ଚ୍ ହେଇଗଲାଣି। ଖାଇଦେଇ ପୁଣି ଶୋଇପଡ଼ିବୁ।" ଆୟୁଷ୍ମାନ୍ ଉଠିନି, କହିଛି ଆଉ ଟିକେ ଶୋଇବାକୁ ଦେ। ଶ୍ଵେତପଦ୍ମା କହିଛି-"ତୋତେ ଗୋଟିଏ କଥା କହିବାର ଥିଲା।" ଆୟୁଷ୍ମାନ୍ ତା' କୋଳରେ ମୁଣ୍ଡ ରଖି ଶୋଇପଡ଼ି କହିଲା-"ଶୁଣ୍, ଗୋଟିଏ ନଭେଲ୍ ଲେଖିଛି ଯେ, ତାର ଶେଷ କେମିତି କରିବି ଜାଣିପାରୁନି। ଏଇ ଧରିନେ, ତୋ, ମୋ ଭଳି ଦୁଇଟି ଚରିତ୍ର। ପୁଅଟି ଜଣକୁ ଭଲ ପାଉଥିଲା, କିନ୍ତୁ ସେକଥା ତା' ପିଲାଦିନର ସାଙ୍ଗ ଜାଣିନି। ସେଇ ସାଙ୍ଗଟି ତାକୁ ଭଲପାଏ, ସେକଥାବି ସେ କେବେ କହିନି। ଦିନେ ତାକୁ ଛାଡ଼ି ଚାଲିଯାଇଥିବା ଝିଅଟି ଫେରୁଛି। ସାଙ୍ଗ ଝିଅଟି କିନ୍ତୁ ପୁଅର ସବୁ ସୁଖଦୁଃଖର ସାଥୀ ହୋଇ ରହିଛି। କେବଳ ତା'ରି ପାଇଁ ବାହାବି ହେଇନି। ଏବେ କହ, ପୁଅର କର୍ତ୍ତବ୍ୟ କଣ? ତାକୁ ଦିନେ ଛାଡ଼ିକି ଚାଲିଯାଇଥିବା ଝିଅ ପାଖକୁ ଯିବ ନା ତା' ସବୁଦିନର ସାଙ୍ଗ ପାଖରେ ରହିବ?" ଶ୍ଵେତପଦ୍ମାର ପାଟିରୁ ବାହାରିଗଲା-"ଏଇଥିପାଇଁ ତୋତେ କହେ ବୋକା ବୋଲି। ସାଙ୍ଗ ପାଖରେ ରହିବା ଉଚିତ୍। ଏମିତି ସାଙ୍ଗ କଣ ସେ କେବେ ପାଇବ?" ସାଙ୍ଗେସାଙ୍ଗେ ଆୟୁଷ୍ମାନ୍ କଥା ବୁଲେଇଦେଇଛି। "ଆଛା ହଉ, ଆଜି ସଂଧ୍ୟାରେ ଫଙ୍କସନକୁ କୋଉ ଡ୍ରେସ୍ ପିନ୍ଧିକି ଯିବୁ କହତ?" ଶ୍ଵେତପଦ୍ମା ଆଶ୍ଚର୍ଯ୍ୟରେ କହିଲା-"ମାନେ? ମୁଁ କଣ ତୋର ଗାର୍ଲଫ୍ରେଣ୍ଡ ଯେ ତୋ ସହ ମ୍ୟାଚିଂ କରି ପିନ୍ଧିବି?" ଆୟୁଷ୍ମାନ୍ କହିଛି-"ଆରେ କହନା ପ୍ଳିଜ୍, ମୋ ସହ ଯାଉଛୁ ମାନେ ତୋ ଉପରେ ସମସ୍ତଙ୍କ ନଜରତ ପଡ଼ିବ ନିଶ୍ଚୟ।" ଶ୍ଵେତପଦ୍ମା କହିଲା-"ଓ, ଏମିତି କଥା? ତାହାଲେ ମୁଁ ଶାଢ଼ୀ ପିନ୍ଧି ଯିବି। ହବ?" ଆୟୁଷ୍ମାନ୍ କହିଲା-"ଓ, ତୁ କଣ ମୋ ଓ୍ଵାଇଫ୍ କି? ସେଠିକି ମୋ ସହ ଶାଢ଼ୀ ପିନ୍ଧିକି ଯିବୁ?" ଶ୍ଵେତପଦ୍ମା ହସିଦେଇ କହିଲା -"ନାଇଁରେ, ରାଗୁଛୁ କାହିଁକି? ସଂଧ୍ୟାରେ ସେକଥା ଦେଖିବା। ଚାଲ୍, ଖାଇଦବା। ଆୟୁଷ୍ମାନ୍ ଶ୍ଵେତପଦ୍ମାକୁ ଦେଖୁଥିଲା। ସେ ଯେମିତି ଆଜି ନୂଆନୂଆ ଲାଗୁଥିଲା।

ସଂଧ୍ୟାରେ ଆୟୁଷ୍ମାନ୍ ନିଜେ କପବୋର୍ଡରୁ ଗୋଟିଏ ଡ୍ରେସ୍ ବାଛିଲା ଶ୍ଵେତପଦ୍ମା ଲାଗି। ଦିହେଁ ସାଙ୍ଗ ହେଇ ବାହାରିଲେ। ଡ୍ରାଇଭରକୁ ଫେରେଇଦେଇ ନିଜେ ଡ୍ରାଇଭ୍ କଲା ଆୟୁଷ୍ମାନ୍। ସେଠି ଭବ୍ୟ ସମ୍ବର୍ଦ୍ଧନାରେ ମଞ୍ଚ ଉପରେ ଆୟୁଷ୍ମାନ୍। ଦର୍ଶକମାନଙ୍କ ମେଳରେ ଶ୍ଵେତପଦ୍ମା। ତା' ଆଖିରେ ଖୁସିର ଲୁହ। ଆୟୁଷ୍ମାନ୍ ସମ୍ବର୍ଦ୍ଧନାର ଉତ୍ତରରେ କହିଛି -"ପ୍ରକୃତରେ ଏ ଲେଖକ ଜୀବନର ଶ୍ରେୟ ତା' ପ୍ରିୟ ସାଙ୍ଗର, ଯିଏ ତାକୁ ଆଜିଯାଏ ଏତେ ଯତ୍ନରେ ବାଟ କଢେଇ ଆଣିଛି। ଦେଖେଇଦେଇଛି ଶ୍ଵେତପଦ୍ମାକୁ। ସମସ୍ତଙ୍କ ନଜର ବୁଲିପଡିଛି ଶ୍ଵେତପଦ୍ମା ଆଡ଼କୁ। ସେଠି କବିତାବି ଥିଲା, କିନ୍ତୁ ସାମ୍ନାକୁ ଆସିପାରିନି। ସେଠୁ ଫେରିବା ବାଟରେ ଆୟୁଷ୍ମାନ୍ କହିଛି-"ଚାଲ୍, ଆଜି ବାହାରେ ଖାଇବା। ତା'ପରେ ଘରକୁ ଫେରିବା। ଚିନ୍ତା କରନି। ମଉସାଙ୍କ ପାଇଁ ପ୍ୟାକ୍ କରି ନେଇଆସିବା।" ଦିହେଁ ଯାଇଛନ୍ତି ବଡ଼ ରେଷ୍ଟୁରାଣ୍ଟକୁ। ସେଠି ଆୟୁଷ୍ମାନ୍ ଶ୍ଵେତପଦ୍ମାର ସବୁ ମନପସନ୍ଦର ଖାଇବା ଅର୍ଡର୍ କରିଛି। ଶ୍ଵେତପଦ୍ମା ଆଶ୍ଚର୍ଯ୍ୟ ହୋଇ ଦେଖୁଛି। କଣ ହେଇଛି ଆଜି ଆୟୁଷ୍ମାନର?

ଘରକୁ ଫେରିବା ପରେ ଆୟୁଷ୍ମାନକୁ ସେ ସିଧାସିଧା କବିତା କଥା କହିଛି ଆଉ ଜାଣିବାକୁ ଚାହିଁଛି ସେ କବିତାକୁ କଣ କହିବ? ଆୟୁଷ୍ମାନ୍ ପୁଣିଥରେ ତା' ଜୀବନକୁ ଫେରିଯାଉ, ସେଇଟା କବିତାର ଇଚ୍ଛା। ଆୟୁଷ୍ମାନ୍ ଚାହିଁଲା ଶ୍ଵେତପଦ୍ମାକୁ। କହିଲା- "ଗୋଟିଏ କଥାର ଉତ୍ତର ସତକରି ଦବୁ। ମୁଁ ଆଉ କାହା ପାଖକୁ ଚାଲିଗଲେ ତୁ ନିଜେ ଖୁସିରେ ରହିପାରିବୁ? ୟା'ର ଉତ୍ତର ତୁ ନିଜେ ଖରାବେଳେ ଦେଇସାରିଛୁ, ମୋ ନଭେଲର ଶେଷକଥା....."। ଶ୍ଵେତପଦ୍ମା କିଛି କହିପାରିନି। ତାକୁ କୋଳେଇ ନେଇଛି ଆୟୁଷ୍ମାନ୍। କହିଛି-"ଶୁଣ୍, ତୋ ବେଡରୁମରେ ମୁଁ ଆଜି ଶାନ୍ତିରେ ଶୋଇବାକୁ ଚାହେଁ। ତୁ ଯଦି ଚାହୁଁ, ତାହେଲେ ଆସିପାରୁ। ଲୁଚିକି ଆସିବା ଦରକାର ନାହିଁ। ହୁଏତ ତୁ ଯାହା ସ୍ଥିର କରିପାରିନୁ, ସେଇଠି ସ୍ଥିର କରିପାରିବୁ। ଯଦି ସ୍ଥିର କରିଦେଉ, ମୋ ଓଠରେ ତୋ ଓଠକୁ ଛୁଏଁଇ ଦେଇ ସ୍ଵୀକୃତି ଦେଇଦବୁ, ହେଲା?" ଶ୍ଵେତପଦ୍ମା ଜୋରରେ କୁଣ୍ଢେଇ ପକେଇଛି ଆୟୁଷ୍ମାନକୁ। କହିଛି-"ତୁ ଚାଲ୍, ମୁଁ ବାପାଙ୍କୁ ଖାଇବାକୁ ଦେଇ, ସବୁକାମ ସାରି ଆସୁଛି। ଆଜି ସତରେ ମୋର'ବି ଭାରି ଇଚ୍ଛା, ତୋ ପାଖରେ ଶାନ୍ତିରେ ଶୋଇବାକୁ। ଖବରଦାର୍, ମୁଁ ଆସିବାଯାଏ ଶୋଇନଥିବୁ।" ଦୁହିଁଙ୍କ ଆଖିରେ ଲୁହ ଟଳମଳ ହଉଥିଲା। ଆୟୁଷ୍ମାନ୍ ଶ୍ଵେତପଦ୍ମାର କପାଳରେ ନିଜ ଓଠରେ ପ୍ରତିଶ୍ରୁତିର ସ୍ପର୍ଶ ଦେଉଥିଲା।


Rate this content
Log in

Similar oriya story from Romance