ଚରିତ୍ର-୧୭
ଚରିତ୍ର-୧୭


ଧଳା ସାଲଓ୍ଵାର୍ କମିଜ୍ ଉପରେ ଧଳା ଚୁନୀ ପକେଇ ଜାହ୍ନବୀ ଯେତେବେଳେ ତା' ଘର ବାଟଦେଇ ସ୍କୁଲକୁ ଯାଏ, ତା' ବୋଉ ପାଟିରୁ ବାହାରିଯାଏ ମଲ୍ଲୀଫୁଲ ପରି ଦେଖାଯାଉଛି ଝିଅଟା। ବୋଉ ମୁହଁରେ ସବୁବେଳେ ଜାହ୍ନବୀର ପ୍ରଶଂସା, ରୂପ ଯେମିତି, ସେମିତି ଗୁଣ। ବୋଉର ଏମିତି କଥା ଶୁଣିଶୁଣି ସୀତେଶକୁ ବି ଲାଗେ ଜାହ୍ନବୀ ଚାଲିଗଲାବେଳେ ଯେମିତି ମେଞ୍ଚାଏ ମଲ୍ଲୀଫୁଲର ବାସ୍ନା ତା' ନାକରେ ବାଜିଯାଉଛି। ତା'ର ଅଭ୍ୟାସ ହେଇଗଲା ସେଇ ସମୟରେ ଗେଟ୍ ପାଖରେ କିଛି ନା କିଛି ବାହାନାରେ ଟହଲ ମାରିବା। କେବେକେବେ ଜାହ୍ନବୀ ତାକୁ ଚାହିଁଦେଇ ଟିକେ ହସିଦେଇ ଚାଲିଗଲେ ସେ ପୁରା ଅନ୍ୟମନସ୍କ ହେଇଯାଏ। ସେ ହସ ବା ଚାହାଣୀର କିଛି ଅର୍ଥ ନଥିଲେବି ତାକୁ ସେକଥା ବାରମ୍ବାର ଭାବିବାକୁ ଭଲ ଲାଗୁଥିଲା।
ଏମିତି ଦିନ ଗଡ଼ି ଚାଲିଲା। ଜାହ୍ନବୀର କଲେଜ ପଢା ସରିବା ଉପରେ ଆଉ ସୀତେଶର ନୂଆ ଚାକିରିରେ ଜଏନ୍ କରିବା ଦିନ ପାଖେଇ ଆସିଲାଣି। ସେଦିନ କିନ୍ତୁ ବୋଉ ଉପରେ ସୀତେଶ ଭାରି ରାଗିଗଲା। କାରଣ? ଜାହ୍ନବୀକୁ ଦେଖିବାକୁ କୋଉଠୁ ପୁଅଘରବାଲା ଆସିଥିଲେ। ସେ ପୁଅର ମା' କେମିତିବି ତା' ବୋଉର ଚିହ୍ନା। ସେ ଯେତେବେଳେ ବୋଉକୁ ଜାହ୍ନବୀ କଥା ପଚାରିଲେ, ବୋଉ ଏତେ ପ୍ରଶଂସା କଲା, ଯାହାକୁ ଜମା ବରଦାସ୍ତ କରିପାରୁନଥିଲା ସୀତେଶ। ଶେଷରେ ବୋଉ ପୁଣି କହିଦେଲା-"ଭାଗ୍ୟରେ ଥିଲେ ଏମିତି ବୋହୂ ମିଳେ। ଆଖିବୁଜି ସେଇଠି ପୁଅର ବାହାଘର କରିଦିଅ।" ସୀତେଶର ରାଗ ଆସୁଥିଲା କାରଣ ଏତିକି କଥା ବୋଉ ନିଜ ପୁଅ ପାଇଁ କି ନିଜ ଘରପାଇଁ ଭାବିପାରିଲାନି? ଏଡିକି ମୂର୍ଖ ତା' ବୋଉ! ଛାଡ଼। ଭାରି କଷ୍ଟ ଲାଗିଲେବି ଚୂପ ରହିଥିଲା। ସତକୁସତ ଜାହ୍ନବୀ ବାହାହେଇ ଚାଲିଗଲା। ସୀତେଶ ଚାକିରି ପାଇ ଚାଲିଗଲା ଅନ୍ୟ ଯାଗାକୁ।
ୟା' ଭିତରେ ଦି'ବର୍ଷ ବିତିଯାଇଛି। ଗଲାବର୍ଷ ବୋଉ ହାର୍ଟ୍ ଆଟାକରେ ଆରପାରିକୁ ଚାଲିଯାଇଛି। ବାପା ବହୁ ଆଗରୁ ଚାଲିଯାଇଥିଲେ। ସୀତେଶ ଏଇ କିଛି ଦିନ ହେଲା ନିଜ ସହରକୁ ବଦଳି ହେଇ ଆସିଛି। ଏଇ ଘରଟି ବୋଉର ଭାରି ପ୍ରିୟ। ଏଇଠି ସେ ମାଣ ବସେଇଛି। କେତେଥର ସୀତେଶକୁ ଦେଖେଇକି କହିଥିବ "ଆଜିକାଲିକା ବୋହୂ ଆଉକଣ ଏସବୁ ପୂଜାବିଧି ଜାଣିବେ ନା କରିବେ? ମୋ ବୋହୂକୁ କିନ୍ତୁ ମୁଁ ସବୁ ଶିଖେଇକି ଯିବି।" ହେଲାନି। ତା' ବୋହୂ ଆସିବା ଆଗରୁ ସେ ଚାଲିଗଲା।
ଆଜି ହୋଲି। ବାହାରକୁ ବାହାରିଲା ସୀତେଶ। ହଠାତ୍ ନଜର ପଡ଼ିଲା ଜାହ୍ନବୀ ଘର ଉପରେ। ଜାହ୍ନବୀ ବସିଛି ତା' ଘର ଅଗଣାରେ। ଦେହରେ ଧଳାଶାଢୀ। ଅବଶ୍ୟ ବୋଉଠୁ ଖବର ପାଇଥିଲା ତା' ସ୍ଵାମୀ ଆକ୍ସିଡେଣ୍ଟରେ ମରିଗଲେ ବୋଲି। ଆଜି କିନ୍ତୁ ଧଳାଶାଢୀ ଜାହ୍ନବୀକୁ ଜମା ମାନୁନଥିଲା। ଜାଣିଲା, ଧଳାରଙ୍ଗ ଚମକୁଥିଲା ଜାହ୍ନବୀ ମୁହଁର ଚମକରେ। ଆଜି ତା' ମୁହଁରେ ସେ ଚମକ୍ ନାହିଁ ବୋଲି ଧଳା ରଙ୍ଗ ବି ମଉଳି ଯାଇଛି। କ'ଣ ମନହେଲା କେଜାଣି ତା'ର? ହାତରେ ସବୁ ରଙ୍ଗର ଅବିର ମିଶାଇ, ଗଲା ତା' ପାଖକୁ ଆଉ ବିଞ୍ଚିଦେଲା ସବୁତକ ତା' ଉପରେ। ଜାହ୍ନବୀ କିଛି ବୁଝିବା ଆଗରୁ ତା' ହାତଧରି ନେଇଆସିଲା ନିଜ ଘରକୁ। କହିଲା -"ବୋଉର ଏ ମାଣ ବର୍ଷେହେଲା ପୂଜା ପାଇନି। ତୁ ଏ ଘରକୁ ବୋହୂ ହେଇ ଆସିବୁ?" ସୀତେଶର ପଛପାଖ କାନ୍ଥର ଦର୍ପଣରେ ଜାହ୍ନବୀ ନିଜକୁ ଦେଖୁଥିଲା। ମେଞ୍ଚାଏ ନାଲିହଳଦୀ ଅବିର ତା' ସୁନ୍ଥାରେ ନେସିହେଇ ଦାଉଦାଉ ଦିଶୁଥିଲା। ସୀତେଶ କହିଲା -"ବୁଝିଲୁ, ଆଜି ବୋଉ ଯଦି ଥା'ନ୍ତା, ନିଶ୍ଚୟ କହିଥାନ୍ତା,ଜାହ୍ନବୀ ପ୍ରଜାପତି ପରି ଦେଖାଯାଉଛି।" ଲାଜମିଶା ହସରେ ଜାହ୍ନବୀ ଟିକେ ରଙ୍ଗ ନେଇ ସୀତେଶର ଗାଲରେ ବୋଳିଦେଲା। ମେଞ୍ଚାଏ ମଲ୍ଲୀଫୁଲର ବାସ୍ନା ସୀତେଶକୁ ଅନ୍ୟମନସ୍କ କରୁଥିଲା।