SANJAY HATI

Others

3.9  

SANJAY HATI

Others

କାଗଜବାଘ

କାଗଜବାଘ

3 mins
129



ପିଲାଦିନେ ମା'ଠୁ ଏ ଗପଟି ବହୁତ ଥର ଶୁଣିଛି। ଶୁଣିଛି କଣ, ଏ ଗପଟି ମା'କୁ ବାରମ୍ବାର କହିବାକୁ ପଡୁଥିଲା ମୋ ବରାଦରେ। ରାଜକୁମାର ଅଭିଶାପ ପାଇଥିଲେ, ତାଙ୍କୁ ବାଘ ଖାଇଦବ ଆଉ ସେଇଥିରେ ସେ ମରିବେ। ରାଜା ଓ ରାଣୀ ତାକୁ ଯଥାସମ୍ଭବ ଅଲଗା କରି ଅନେକ ପ୍ରହରୀ, ସୈନିକମାନଙ୍କ ଆଢୁଆଳରେ ରଖୁଥିଲେ। ଦିନେ ସେ ରାଜକୁମାର ଗୋଟିଏ ସୁନ୍ଦରୀ ରାଜକୁମାରୀକୁ ବାହା ହେଲେ। ବାହାଘରର ପ୍ରଥମ ରାତି। ସୁନ୍ଦରୀ ରାଜକୁମାରୀ ରାଜକୁମାରକୁ ପଚାରିଲେ, ଏମିତି ଗୋଟିଏ ନିର୍ଜନ ଦ୍ଵୀପରେ ସେମାନେ କାହିଁକି ଅଛନ୍ତି? ରାଜକୁମାର ନିଜର ସବୁ କଥା ତାକୁ ଖୋଲି କହିଦେଲେ ଆଉ ଜଣେଇଲେ ଯଦି ଆଜି ବିବାହର ଏଇ ପ୍ରଥମ ରାତିଟି ମୁଁ ବଞ୍ଚିଯାଏ, ତେବେ ଏ ରିଷ୍ଟ ସବୁଦିନ ପାଇଁ କଟିଯିବ। ଆମେ ତା'ପରେ ଏଠୁ ବାହାରି ମହଲରେ ରହିବା।ରାଜକୁମାରୀ ବଡ଼ ଉତ୍ସାହର ସହ କହିଲେ "ହେ ରାଜକୁମାର! ମୁଁ ବାଘ କେମିତି ଦେଖିନି କି ଜାଣିନି। ତମେ ଦେଖିଛ?" ରାଜକୁମାର ସୁନ୍ଦରୀ ରାଜକୁମାରୀର ଅନୁରୋଧରେ କାଗଜରେ ଗୋଟିଏ ବାଘର ଛବି ଆଙ୍କିଦେଇ ଦେଖାଇଦେଲେ ବାଘ ଦେଖିବାକୁ ଏମିତି। ହଠାତ୍ ସେ କାଗଜ ବାଘଟି ସତ ବାଘ ହେଇଗଲା ଆଉ ରାଜକୁମାରଙ୍କୁ ଖାଇଦେଲା। ଆହା! ମୋ ମନଟା ସତରେ ଖରାପ ହେଇଯାଏ।

ମୋର ପ୍ରତିଥର ମା'କୁ ଏଇ ଗପଟି ଶୁଣେଇବାକୁ ବାଧ୍ୟ କରିବା ମୂଳରେ ଥିଲା ଦି'ଟା କାରଣ। ପ୍ରଥମ କାରଣ, ଆଉଥରକୁ କାଳେ ଗପର କ୍ଲାଇମାକ୍ସ(ପରିଣତି) କିଛି ବଦଳିଯିବ। କାଳେ ରାଜକୁମାର ବଞ୍ଚିଯିବ। ମା' ଯଦି ବନେଇଚୁନେଇ ଆଉ କିଛି ଗୋଟେ ସେଥିରେ ଯୋଡ଼ିଦେଇପାରେ। କିନ୍ତୁ ସେମିତି କେବେ ହୁଏନି। ମା' ଯେତେଥର ଯାହା ଯୋଡ଼ିକି କହିଲେବି ଶେଷରେ ରାଜକୁମାର ମରିବାଟା ସ୍ଥିର ଥାଏ। କାଗଜ ବାଘଟି କାଗଜରୁ ସତ ବାଘ ହେଇ ଡେଇଁ ପଡେ ଆଉ ରାଜକୁମାରକୁ ଖାଇଦିଏ। 

ଦ୍ଵିତୀୟ କାରଣଟି ଥିଲା ସେଇ ସୁନ୍ଦରୀ ରାଜକୁମାରୀ। ସୁନ୍ଦରୀ ମାନେ କେମିତି? କାହାପରି? ମା' ରାଜକୁମାରୀର ପାଟଶାଢ଼ୀଠୁ ଆରମ୍ଭ କରି ଗହଣାଗାଣ୍ଠି ପର୍ଯ୍ୟନ୍ତ ସବୁର ବର୍ଣ୍ଣନା ଦେଇଦିଏ। ମୁଁ ପଚାରେ "ତୋର ସେମିତି ଶାଢ଼ୀ ଅଛି? ସୁନାଗହଣା ଅଛି? ମୁଁ ଦେଖନ୍ତି। ମା' କିଛି କହେନି। ଖାଲି କହେ-"ତୁ ବଡ଼ ହେଇଯା, ସବୁ ଦେଖିବୁ।" ଧେତ୍, ଏଇଟା କଣ ଉତ୍ତର? ବଡ଼ ହେଇଗଲେ କଣଟା ଦେଖିବି? ସେ ରାଜକୁମାରୀ ତ ବୁଢ଼ୀ ହେଇଯାଇଥିବ ସେତେବେଳକୁ ନା? ଓଃ! ନା, ମା'କୁ ପଚାରି କିଛି ଲାଭ ନାହିଁ। ତାକୁ କିଛି ଜଣାନାହିଁ। ଖାଲି ମିଛକଥା କହୁଛି। ମୁଁ ନିଦ ଆସିବା ଯାଏ, ମୋ ଆଖପାଖ, ଜଣାଶୁଣା ବା କ୍ଳାସରେ ପଢ଼ୁଥିବା କିଛି ଝିଅଙ୍କ ମୁହଁକୁ ମା' ବର୍ଣ୍ଣନା କରିଥିବା ସେଇ ପାଟଶାଢ଼ୀ ଆଉ ଗହଣା ଭିତରେ ରଖି ରାଜକୁମାରୀକୁ ଦେଖିବାକୁ ଚେଷ୍ଟା କରେ, କିନ୍ତୁ ମା' କହିଥିବା ସୁନ୍ଦରୀ ପରି କେହି ଲାଗନ୍ତିନି। ବଡ଼ ଅବଶୋଷ। ରାଜକୁମାରକୁ ବାଘ ଖାଇଦେବା ପରେ ବାଘ ଗଲା କୁଆଡ଼େ? ଆଉ ସେ ରାଜକୁମାରୀ? ତାକୁ ତ ବାଘ ଖାଇନିନା? ତାହାଲେ? ସେ ନିର୍ଜନ ଦ୍ଵୀପରୁ ତାକୁ ଆଣିବାକୁ ତା' ବାପା ମା ଗଲେ କି ନା? ଏମିତି ଅନେକ ପ୍ରଶ୍ନ ରାତିରେ ନିଦ ହବାଯାଏ ମୋତେ ଅସ୍ତବ୍ୟସ୍ତ କରୁଥିଲା। ମା'କୁ ବେଶି ପଚାରିବାକୁ ଭଲ ଲାଗେନି କାହିଁକିନା ମୁଁ ଜାଣେ ଯେତେ ଯାହା ପଚାରିଲେ'ବି କାହାଣୀ ସେଇଠି ଶେଷ ହେବ। ତା' ପାଖେ ଆଉ ଅଲଗା ରାସ୍ତା ନାହିଁ। ତା' ଭିତରେ ଦିନ ବିତିଗଲା। ବଡ଼ ହେବା ପରେ ଜାଣିଲି, ମା' ପାଖରେ ପାଟଶାଢ଼ୀ ନଥିଲା କି ଗହଣାବି ଏତେ ନଥିଲା। ସବୁ ମଣିଷତ ଏମିତି ନା! ନପାଇଥିବା ଜିନିଷକୁ କଳ୍ପନାରେ ଦେଖି ଭାବି ଖୁସି ହୁଅନ୍ତି। ଆଉ ଯଦିବି ମୋ ମା' ପାଖରେ ସେସବୁ ଥାଆନ୍ତା, ତାହାଲେ ସେତକ ମୁଁ ଦେଖିଥିଲେବି କଣ କରିଥାନ୍ତି? ମୁଁ ସେମିତି ରାଜକୁମାରୀକୁ ଖୋଜିଥାଆନ୍ତି କିନ୍ତୁ ପାଇତ ନଥାନ୍ତି ନା।

କିନ୍ତୁ ଗୋଟିଏ କଥା ହେଇଛି ନିଶ୍ଚୟ। ମା' ଯେତେବେଳେ ରାଜକୁମାରର ବର୍ଣ୍ଣନା ଦିଏ, ମୋତେ ଲାଗେ ସେ ମୋରି ମୁହଁଟାକୁ ମୋତେ ଦେଖଉଛି। ମୁଁ କିଛି କହେନି। ମନେମନେ ଖୁସି ହୁଏ। ଅନ୍ଧାରରେ ମୋ ନାକରେ ହାତ ମାରେ, ହଁ, ସତରେ ମୋ ନାକଟା ରାଜକୁମାର ନାକ ପରି ଲମ୍ବା। ତା' ମାନେ ମୁଁ'ବି ରାଜକୁମାର ହେଇପାରେ। ପୁଣି ସେଇ ଅବଶୋଷ। ଏମିତି ରାଜକୁମାର ହେଇ ଲାଭ କଣ, ଯାହାକୁ ଶେଷରେ ବାଘ ଖାଇଯିବ...? ନା, ନା, ମା'କୁ ବାଧ୍ୟ କରେ। କହେ "ଆଛା, ତୁ' ତ ନିଜେ କହିଛୁ ରାଜକୁମାରମାନେ ସାହସୀ ଆଉ ବୀର। ସେ କଣ ବାଘଟାକୁ ମାରିପାରିବନି?" ମା' କହେ "ତା' ଭାଗ୍ୟରେ ତ ସେଇଆ ଲେଖାଥିଲା। ସେ କଣ କରିଥାନ୍ତା?" 

ମୁଁ ମା' କଥାରେ ଜମାରୁ ଏକମତ ହେଇପାରେନା। ଶେଷରେ ତାକୁ କହିଦିଏ-"ତୁ କିଛି ଜାଣିନୁ। ଦେଖିବୁ, ବଡ଼ ହେଲେ ମୁଁ କେମିତିକା ଗପ ଲେଖିବି।" ମା' ହସିଦିଏ, କହେ ନିଶ୍ଚୟ ଲେଖିବୁ।

ସତରେ ଆଜି ମୁଁ ବଡ଼ ହେଇଯାଇଛି। ବହୁତ ବଡ଼। ତଥାପି ମା' ଶୁଣେଇଥିବା ଗପ ପରି ଗୋଟିଏ ବି ଗପ ଆଜିଯାଏ ଲେଖିପାରିନି। 


Rate this content
Log in