ଶେଷ ଦେଖା
ଶେଷ ଦେଖା
ସମୁଦ୍ର କୂଳର ସେଇ ସୁଲ୍ ସୁଲ୍ ପବନ ସେଦିନ ଭାରି ଭଲ ଲାଗୁଥିଲା. ଲାଗୁ ନଥାନ୍ତା ଯେ କିପରି ? ସେଇ ପବନ ଯେ ତା ଦେହର ବାସ୍ନା କୁ ଦୁଇ ଗୁଣିତ କରି ଦେଉଥିଲା.
ସେଦିନ ମନଟା କାଇଁ କେଜାଣି ଗୋଳେଇ ଘାଣ୍ଟି ହେଉଥିଲା. ଆଉ ମୋ ଜାଣିବାରେ ତୁମେ ତାହା କେବଳ ମୋ ସ୍ଵର ରୁ ହିଁ ବାରି ନେଇଥିଲ. ଆଉ କହିଥିଲ ରେଡି ହେଇ ଯାଓ ମୁଁ ଆସୁଛି. ସମୁଦ୍ର ଯିବା. ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲି-"କିନ୍ତୁ ଏତେ ରାତିରେ??"
ତୁମେ କିଛି ନ ଶୁଣି ଫୋନ୍ କାଟି ଦେଇଥିଲ.
ମତେ ଶାନ୍ତ କରାଏ 'ସମୁଦ୍ର'. ସମୁଦ୍ର ର ଢେଉ ଯେତେବେଳେ ମୁହାଣ ରେ ବାଡ଼େଇ ହୋଇ ବେଳାଭୂମି ର ମୂର୍ତ୍ତୀକା କୁ ଠେଲି ଦିଏ ତାହା ଦେଖିବା ମୋ ପାଇଁ ଖୁବ୍ ରୋମାଞ୍ଚଭରା. କେବଳ ତୁମ ଉପସ୍ଥିତି ହିଁ ସାଧାରଣ କୁ ଅସାଧାରଣ କରିଦିଏ. ମାମୁଲି ଜିନିଷ ବି ଖୁବ୍ ଚମତ୍କାର ଲାଗେ.
ନିଶବ୍ଦ ମଧ୍ୟରାତ୍ରିରେ ପୂର୍ଣ୍ଣ ଚନ୍ଦ୍ରମା ର ଅବସ୍ଥାନ, ଦେହକୁ ଶୀତଳ କରୁଥିବା ସୁଲୁସୁଲିଆ ପବନ, ସମୁଦ୍ରରେ ଖେଳୁଥିବା ଉର୍ମି ର ଗର୍ଜନ ସେ ସବୁ ଭିତରେ ତୁମେ ଯେଉଁ ତୁମ ହାତ ମୋ ହାତରେ ଖଞ୍ଜିଥିଲ ତାହାର ଉଷ୍ମତା କୋଉ କବି ର ରୋମାଣ୍ଟିକ କବିତା ର ପଂକ୍ତି ପରି ମନେ ହେଉଥିଲା. ତୁମ ଆଖିର ପିଲାଳିଆମୀ ମୁଁ ଆଜି ବି ଭୁଲିନାହିଁ.
ତୁମର ସେଇ ଜଟିଳ କୁଞ୍ଚୁକୁଞ୍ଚିଆ ଚୁଟି କୁ ମୋ ସୁକ୍ଷ୍ମ ସୋରୁ ଆଙ୍ଗୁଠି ରେ ଆସ୍ତେ ସାଉଁଟୁଥିବା ବେଳେ ପଚାରିଥିଲି-" ଶୁଣ!! ଯଦି କେବେ ମୁଁ କୁଆଡେ ପଳେଇ ଯାଏ କିମ୍ବା ଯଦି ଏମିତି କିଛି ହୁଏ ଆଉ ମୁଁ ତୁମ ସହ ଦେଖା ହୋଇ ନପାରେ ତାହେଲେ ମତେ ଝରିବ କି??"
ତୁମେ ଥଟା ପରିହାସ ଭରା କଣ୍ଠରେ ହସି ହସି କହିଲ-"ନା!! ଜମା ନୁହଁ. ତୁମକୁ କାଇଁ ଝୁରି ହେବି?? ଏବେ ତୁମ ସହ ଆସୁଛି, ତୁମେ ନ ଆସିଲେ ଆଉ କାହା ସହ ଆସିବି.."
ରୁଦ୍ଧ କଣ୍ଠରେ ଛେପ ଢୋକି ଅଭିମାନ କଲା ଭଳି ଶକ୍ତ ଚାପୁଡ଼ା ତୁମ ପିଠି ରେ ବସାଇ କହିଥିଲି-"ବଦମାସ୍!! ଟିକିଏ ବି ମନେ ପକେଇବନି ମତେ?? ହଁ ହେଲା!! ତୁମ ଜୀବନରେ ମୋର କୋଉ ମୂଲ୍ୟ ଯେ ମତେ ଝରିବ.." ଏମିତି କହି ବେଳାଭୂମି ରୁ ବାହାରି ଯାଇଥିଲି.
ତୁମେ ସାନ ପିଲାଟି ପରି ପଛରେ ଦୌଡ଼ି ଆସି ମୋ କାନ୍ଧରେ ହାତ ଥୋଇ ପଚାରିଲ-" ଆଜି ହଠାତ୍ ଏମିତି ପ୍ରଶ୍ନ କାହିଁକି? କୁଆଡେ ଯାଉଛ କି ତମେ?"
ପ୍ରାୟ ସାତ ବର୍ଷ ହେଇଗଲାଣି ତୁମକୁ ଦେଖିବାର. ମନରେ ଇଚ୍ଛା ଥିଲେ ବି ସେ ସାହସ ମୋ ଭିତରେ ନାହିଁ ଯେ ମୁଁ ତୁମ ସାମ୍ନା ରେ ବି ଠିଆ ହୋଇ ପାରିବି. ତୁମର କିଛି ଦୋଷ ନଥାଇ ବି ତୁମକୁ ଦଣ୍ଡ ଦେଇଛି.
ଜାଣେନା ମୁଁ ତୁମେ କେମିତି ଅଛ? କୋଉଠି ଅଛ?? ସମୁଦ୍ର ଯାଓ କି ନା.. ଯଦି ଯାଓ ଏକା ନା କାହା ସହ? ଯଦି ଏକା ଯାଓ ତ ମତେ ମନେ ପକାଓ କି ନା..
କାହିଁକି ତୁମଠାରୁ ଦୁରେଇ ଗଲି ମତେ ପଚାରିବ ନାହିଁ. କାରଣ ତୁମ କାହିଁକି ର ଉତ୍ତର ମୋ ପାଖେ ନାହିଁ.
ତୁମ ସହ ବିତାଇ ଥିବା ସବୁ ମୁହୂର୍ତ୍ତ ମୋ ପାଇଁ ନିଆରା. ସେ ସ୍ମୃତି ମୋ ମନ ରୁ ଜମାରୁ ବି ଲିଭି ନାହିଁ. ଅପରାଧି ମନେକରେ ନିଜକୁ ଯେ ସେଦିନ ତମକୁ ମୋ ସମସ୍ୟା ବିଷୟରେ ଟିକିଏ ବି କହିପାରିନଥିଲି. କେମିତି ବା ଜାଣିଥାନ୍ତି କି ସେ ଦେଖା ଆମର ଶେଷ ଦେଖା ବୋଲି.

