Amit Bal

Tragedy Action Classics

4.5  

Amit Bal

Tragedy Action Classics

ଶେଷ ଅଭିମାନ

ଶେଷ ଅଭିମାନ

7 mins
274


     ବୋଉ କହେ ମାଉସୀର ବାହାଘର ବେଳକୁ ମୁଁ ଜନ୍ମ ହୋଇ ସାରିଥିଲି । ମୋର କିନ୍ତୁ ମାଉସୀର ବାହାଘର କଥା ଜମାରୁ ମନେ ନାହିଁ । ହୁଏତ ମୁଁ ସେତେ ବେଳକୁ ଅଢେଇ ତିନି ବର୍ଷର ହୋଇ ଥିବି ।

ମାଉସୀ ବୋଉଠୁ ବୟସରେ ବଡ଼ । ଆଈ କହେ ସେ ଦେଖିବାକୁ ଟିକିଏ ଶ୍ୟାମଳ ବର୍ଣ୍ଣର ଥିବାରୁ ତା' ବାହାଘର ବାରମ୍ବାର ଭାଙ୍ଗି ଯାଉଥିଲା । 

ସମସ୍ତେ ଝିଅ ପସନ୍ଦ ହୋଇଛି କହି, ଖାଇ ପିଇ କେତେ କଥା ଗପି ଚାଲି ଯାଉଥିଲେ । କିନ୍ତୁ ପରେ ନାନା ବାହାନା କରି ମନା କରି ଦେଉଥିଲେ ।

ତେଣୁ ସମସ୍ତଙ୍କ ଇଛା ଅନିଚ୍ଛା ସତ୍ତ୍ୱେ ବୋଉର ବାହାଘର ଆଗ ହୋଇ ଗଲା । 

ମୁଁ ଯାହା ବୋଉଠୁ ଶୁଣିଛି, ଅଜା କୁଆଡେ ଏ ବାହାଘର ପାଇଁ ଆଦୌ ରାଜି ନଥିଲେ । କହୁଥିଲେ ଲୋକେ କ'ଣ କହିବେ ! ସାନ ଭଉଣୀଟା ଆଗ ବାହା ହୋଇଗଲା । ବଡ ଆଜି ଯାଏ ଅଭିଆଡି । ତା'ର କିଛି ଗୋଟାଏ ଅସୁବିଧା ଥିବ । ତେଣେ ତା' ବିବାହ କଷ୍ଟ କର ହେବ ।

ଆଈ କିନ୍ତୁ ଅଜା କଥାରେ ସହମତ ହୋଇ ନଥିଲା । କହିଲା ଘରେ ଦୁଇ ଦୁଇଟା ବଢିଲା ଝିଅ । ଦେଖ, ବର ମିଳୁଛି ଯେତେବେଳେ, ସାନର ହେଉପଛେ ବାହାଘର କରି ଦେବା । ଚାକିରୀଆ ବର, ପରେ ମିଳି ପାରେ ନ ପାରେ ।

ଅଜା ଆଈର କଥାକୁ କାଟି ପାରିନଥିଲେ । ଅଳ୍ପ ଦିନ ଭିତରେ ବୋଉର ବାହାଘର ହୋଇଗଲା । ସେ ଶାଶୁ ଘରକୁ ଚାଲିଗଲା ।

ଏପଟେ ବୋଉର ବାହାଘର ପରେ ମାଉସୀ ବିଚାରୀ ଏକା ହୋଇଗଲା । 

ସେତେବେଳେ ମାଉସୀର ପଢା ସରି ଯାଇଥିଲା । ଚାକିରୀ କରିବାର ସୁଯୋଗ ମଧ୍ୟ ମିଳୁଥିଲା । ସେ କିନ୍ତୁ ଚାକିରୀ କଲା ନାହିଁ ।

ସେଦିନମାନଙ୍କରେ ମ୍ୟାଟ୍ରିକ କିମ୍ବା ଆ.ଏ. ପାସ କଲା ମାତ୍ରେ ହିଁ ଚାକିରୀ ଯାଚିକି ଦିଆ ଯାଉଥିଲା । ବୋଉ କହେ ମାଉସୀକୁ ବି ମାଷ୍ଟରାଣୀ ହେବା ପାଇଁ ଡକା ଯାଇଥିଲା । ହେଲେ ଇଣ୍ଟରଭ୍ୟୁରେ ଗୀତଟିଏ ଗାଇବାକୁ କହିଲେ ଯେ, ସେ ରାଗିଗଲା । ପରୀକ୍ଷକଙ୍କ ଆଗେ ମୁହଁ ଖୋଲି କିଛି ବୋଲି କିଛି କହିଲା ନାହିଁ । ଚାକିରୀ କରିବି ନାହିଁ କହି ଘରକୁ ପଳାଇ ଆସିଲା ।

ସମସ୍ତେ କେତେ ବୁଝେଇଲେ । ସେ କିନ୍ତୁ ବୁଝିଲା ନାହିଁ । ତା'ର ଗୋଟାଏ କଥା ମୁଁ ମାଷ୍ଟର ଚାକିରୀ କରିବା ପାଇଁ ଯାଇଥିଲି । ଗୀତ ଗାଇବାକୁ ନୁହେଁ । 

ସେତେବେଳେ ଚାକିରୀ ସେମିତି ମିଳୁଥିଲା । ଗପଟେ କହିବାକୁ ହେଉଥିଲା ଅଥବା ଗାଇବାକୁ ହେଉଥିଲା ଗୀତଟିଏ । ତେଣିକି ଆଗେ ଚାକିରୀ ମିଳି ଯାଉଥିଲା, ପରେ ଚାକିରୀ ପିରିୟଡ଼ରେ ଟ୍ରେନିଂ ଦିଆଯାଉଥିଲା ।

ସେ ଯାହା ହେଉ, ମାଉସୀ ମାଷ୍ଟରାଣୀ ଚାକିରୀ ପାଇଁ ଆଉ ଆଗ୍ରହ ଦେଖାଇଲା ନାହିଁ । ବୋଉ କହେ ଆହୁରି ବି ଅନେକ ଚାକିରୀ କରିବାର ସୁଯୋଗ ମାଉସୀକୁ ମିଳୁଥିଲା । ହେଲେ ତା'ର ଚାକିରୀ ବାକିରୀରେ ଆଗ୍ରହ ନଥିଲା ।

ମାଉସୀ ସବୁଦିନେ ସ୍ଵାଭିମାନୀ । ଟିକେ ଜିଦ୍ ଖୋର, ବେଶୀ ଅଭିମାନୀ । ନିଜ ସୁବିଧା ଅସୁବିଧା କାହା ଆଗରେ କହିବାକୁ ପସନ୍ଦ କରେନା । କେହି ତାକୁ ବୁଝିଲା ତ ଭଲ ନହେଲେ ନାହିଁ ।

ଈଶ୍ଵରଙ୍କ ଆଶୀର୍ବାଦରୁ ଏହାରି ଭିତରେ ତା'ର ବାହାଘର ଠିକ୍ ହୋଇ ଗଲା ।

ମଉସା ସରକାରୀ ଚାକିରୀ କରିଥିଲେ । ବାପ ମା'ର ଗୋଟେ ବୋଲି ପୁଅ । ଚାଷ ବାସ ମଧ୍ୟ ବେଶ୍ ଥିଲା । ଗାଈଗୋରୁ କୁକୁଡ଼ା ଛେଳି ଘରେ ଭରି ରହି ଥିଲା । ଚାରି ଛଅ ଜଣ ବାରମାସିଆ ବର୍ଷ ସାରା ଘରେ ରହି ଚାଷ କାମ କରୁଥିଲେ । 

ତେଣୁ କୁହା ଯାଇ ପାରେ ମାଉସୀର ବାହାଘର ଗୋଟେ ସ୍ୱଚ୍ଛଳ ଚାଷୀ ବାସୀ ପରିବାର ହୋଇଥିଲା ।

ବୋଉ କହେ ମାଉସୀ ସବୁଦିନେ ଏମିତି ହିଁ ଘରକୁ ବାହା ହୋଇ ଯିବାକୁ ଚାହୁଁଥିଲା । ଯେଉଁଠି ଚାଷ ବାସ ଗଡିଆ ପୋଖରୀ ଧାନ ଚାଉଳ ମୂଲିଆ ମଜୁରୀ ଲୋକ ବାକ ଭରି ରହିଥିବେ ।

ବିଳମ୍ବରେ ହେଉ ପଛେ ତାକୁ ତା'ର ମନ ମୁତାବକ ପରିବାରଟେ ମିଳିଥିଲା । ତେଣୁ ମାଉସୀ ଖୁସି ଥିଲା । 

ମାଉସୀର ମାଛରେ ଖୁବ୍ ଆଗ୍ରହ । ତେଣୁ ବାହାଘର ପରେ ଗଡିଆ ପୋଖରୀରୁ ମାଛ ଖାଇବାକୁ ତା'ର ସୁବିଧା ହୋଇଗଲା । ବୋଉ କହେ ପିଲାଦିନେ ବି କୁଆଡେ ବିନା ଆମିଷରେ ତା'ର ଭାତ ଗଳୁ ନଥିଲା ।

ଏପଟେ ମାଉସୀର ବାହାଘର ପରେ ଅଜା ଆଈ ଶାନ୍ତିରେ ନିଃଶ୍ୱାସ ମାରିଥିଲେ । ଘର କିନ୍ତୁ ଖାଁ ଖାଁ ଲାଗୁଥିଲା । 

ବୋଉ ଆଉ ମାଉସୀ ଆଈର ଦୁଇ ଝିଅ । ବୋଉର ଭାଇ ନଥିଲେ । ତେଣୁ ଆଈ ଅଜାର ସବୁ ହାନିଲାଭ ବୋଉ ଓ ମାଉସୀକୁ ନେଇ ।

ଦେଖୁ ଦେଖୁ ଅନେକ ବର୍ଷ ବିତି ଯାଇଥିଲା । ଅଜା ଚାକିରୀରୁ ରିଟାୟାର୍ଡ ହୋଇ ଆଈ ସହ ଗାଁ ଘରେ ରହୁଥିଲେ ।

ମୁଁ ଓ ମୋ ସାନ ଭାଇ କଲେଜରେ ପଢୁଥାଉ ।

ମାଉସୀର ଦୁଇ ପୁଅ ଆଉ ଝିଅ ବି ପାଠ ପଢୁଥାନ୍ତି । ତା'ର ଶାଶୁ ଶ୍ୱଶୁର ଆରପାରିରେ । ନଣନ୍ଦମାନେ ଶାଶୁ ଘରେ । 

ହଠାତ୍ ମାଉସୀର ଆଣ୍ଠୁ ଗଣ୍ଠି ବାତରୋଗ ବାହାରିଲା । ପଟ୍ଟନାୟକ ଘରର ଏକ ମାତ୍ର ବୋହୁ ହିସାବରେ ଦିନ ରାତି ଖଟି ଖଟି, ଗୋଟାପଣେ ସେ ରୁଗଣା ହୋଇ ସାରିଥିଲା । ହାଣ୍ତି ମାରା ହୋଇ ଯିବ ବୋଲି ମାଉସୀ ଛଡା ତା' ରୋଷେଇ ଘରେ କେହି ପଶୁ ନଥିଲେ । ତେଣୁ ସବୁ କାମ ମାଉସୀକୁ ଏକା କରିବା ପାଇଁ ହେଉଥିଲା ।

ମୂଲିଆ ମଜୁରୀ ବାରମାସିଆ ସହ ଏତେ ଲୋକଙ୍କର ତିନି ଓଳି ରନ୍ଧା ବଢ଼ା କରି କରି ସେ ଚିଡ୍ ଚିଡ଼ା ହୋଇ ଉଠିଥିଲା ।

ମଉସା ନିଜର ଚାକିରୀ ଏବଂ ଗାଡ଼ି ବ୍ୟବସାୟକୁ ନେଇ ସବୁ ସମୟରେ ବ୍ୟସ୍ତ ରହୁଥିଲେ । ଘରକଥା ବୁଝିବାକୁ ତାଙ୍କ ପାଖରେ ଟାଇମ୍ ନଥିଲା ।

ଏପରିକି ବାହାର କାମରେ ମଉସା ଏତେ ମଗ୍ନ ରହି ବାକୁ ଆରମ୍ଭ କରିଥିଲେ ଯେ ମାଉସୀ ଓ ତାଙ୍କ ମଧ୍ୟରେ‌ ଧିରେ ଧିରେ ବ୍ୟବଧାନ ବଢ଼ି ଚାଲିଲା ।

ମାଉସୀ ନିଜର କୈାଣସି କଥା ମଉସାଙ୍କୁ କହିଲା ନାହିଁ । ଏତେ ଅସୁସ୍ଥତାରେ ମଧ୍ୟ ସୁସ୍ଥ ଥିବା ଭଳି ଅଭିନୟ କଲା । ପିଲାମାନେ ବଡ଼ ହୋଇ ବି କେବେ ତାକୁ ବୁଝିବାକୁ ଚେଷ୍ଟା କଲେ ନାହିଁ ।

ସେତେବେଳକୁ ଅଭିମାନ ମାଉସୀର ମନ ଭିତରେ ଘର କରି ସାରିଥାଏ । 

ଯେଉଁ ମାନଙ୍କ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲା, ସେମାନେ କେହି ତାକୁ ବୁଝି ପାରିଲେ ନାହିଁ ।ଏଇ କଥା ଦିନ ରାତି ତା ମନରେ ଘାରି ହେଉଥିଲା ।

ଶେଷରେ ଦିନେ ବାଧ୍ୟ ହୋଇ ବୋଉ ନିଜେ ବାପାଙ୍କୁ ନେଇ ତା ଘରକୁ ଗଲା । ଆଉ ତାକୁ ଆଣି ଆଈ ପାଖରେ ଛାଡ଼ିଲା ।

ଅଜା ଆଈ ଆଉ ମୋ ବୋଉ ବାପାଙ୍କ ଶତ ଚେଷ୍ଟା ପରେ ମାଉସୀ ସୁସ୍ଥ ହୋଇ ଘରକୁ ଫେରିଲା । 

ତଥାପି ମଉସାଙ୍କ କୈାଣସି ପରିବର୍ତ୍ତନ, ତାକୁ ନେଇ ମାଉସୀ ଲକ୍ଷ୍ୟ କଲା ନାହିଁ । ବେଳେ ବେଳେ ମାଉସୀ ଭାବୁଥିଲା, ଏ କ'ଣ ସେଇ ଲୋକ, ଯାହାର ହାତ ଧରି ସେ ନିଜ ଘର ଛାଡ଼ି ଥିଲା !

ଆଖିରୁ ତା'ର ଲୁହ ଝରିଆସେ । ସେ ଏକା ଏକା ବସି ପଛ କଥା ଭାବେ । ଜୀବନକୁ ନେଇ ତା'ର ବିତୃଷ୍ଣା ଆସେ । ନିଜେ ନିଜ ଉପରେ ଅଭିମାନ କରେ । ହେଲେ ନିଜ ଦୁଃଖ କଷ୍ଟ ଲୁହ କାହାକୁ ଦେଖାଏନା ।

ସମୟ କ୍ରମେ ଅଜାଙ୍କର ସ୍ୱର୍ଗ ବାସ ହୁଏ । ଅନିଛା ସତ୍ତ୍ୱେ ଆଈ ଆସି ଆମ ଘରେ ରହେ ।

ମଝିରେ ମଝିରେ ଆଈ ବୋଉ ସହ ମାଉସୀକୁ ଦେଖିବାକୁ ଯାଏ । ତାକୁ ତା ଅବସ୍ଥା ଦେଖି ଦୟା ଲାଗେ । ଅବଶୋଶ ଲାଗେ ଏଭଳି ବିବେକ ହୀନ ଲୋକ ହାତରେ ନିଜ ଝିଅର ହାତ ଦେଇଥିବାରୁ । ସେ ନିଜେ ପ୍ରାୟଶ୍ଚିତ କରିବାକୁ ଇଛା କରି ମଧ୍ୟ କିଛି କରି ପାରେନା । ଦିନେ ଦୁଇ ଦିନ ମାଉସୀ ପାଖରେ ରହି ସେ ଆମ ଘରକୁ ଫେରି ଆସେ ।

ବେଳେ ବେଳେ ମାଉସୀର କଥା ଭାବିଲେ ମୋତେ ଲାଗେ, ମାଉସୀର ଭାଗ୍ୟ ସତରେ ପଥର ତଳେ । ନହେଲେ ସେ ଯୁଗରେ ପାଠ ପଢି ଚାକିରୀ ନକରି କିଏ ଏପରି ଜୀବନ ବିତାଇବା ଥାନ୍ତା !

ଦିନ ଗଡି ଚାଲିଥିଲା । ମାଉସୀର ବଡ ପୁଅ ବାହାରେ ଗୋଟେ କମ୍ପାନୀରେ ଚାକିରି କରିବାପାଇଁ ଚାଲିଗଲା । ସାନ ପୁଅ ମଧ୍ୟ ଦୂରରେ ରହି ପାଠ ପଢୁଥାଏ । ଘରେ ରହିଥିଲେ କେବଳ ମାଆ ଝିଅ ।

ମଉସାଙ୍କର ଘରେ ରହିବା ନ ରହିବା ସମାନ ଥିଲା । ସେ ନିଜ ଦୁନିଆରେ ମସଗୁଲ ରହୁଥିଲେ । ଏପରିକି ମାଉସୀ କଥା ଅବା ଝିଅ ବାହାଘର କଥା ବୁଝିବା ପାଇଁ ବି ତାଙ୍କ ପାଖେ ସମୟର ଅଭାବ ଥିଲା ।

ମାଉସୀ କିନ୍ତୁ ଚୁପ୍ ହୋଇ ବସି ପାରୁନଥିଲା । ଝିଅର ପଢା ସରିବାପରେ ତା'ର ବାହାଘର ଚିନ୍ତା ତାକୁ ବ୍ୟତିବ୍ୟସ୍ତ କରି ପକାଉଥିଲା । ୟା ପାଶେ ତା'ର ପାଶେ ଭଲ ପ୍ରସ୍ତାବଟେ ଲାଗି ସେ ନେହୁରା ହେଉଥିଲା ।

ଭାଗ୍ୟକୁ ହଠାତ୍ ବାହାଘର ଠିକ୍ ହୋଇ ଗଲା । ମାଉସୀର କାମ ବଢ଼ିଗଲା । ଦିନରାତି ସେ କାମରେ ବ୍ୟସ୍ତ ରହିଲା ।

ଯଦିଓ ମଝିରେ ମଝିରେ ବୋଉ ଯାଇ ଜିନିଷ ପତ୍ର ସୁନା ଗହଣା କିଣା କିଣିରେ କିଛିଟା ସାହାଯ୍ୟ କରି ଦେଇ ଆସୁଥିଲା । ସେତିକିରେ କିନ୍ତୁ ମାଉସୀର ଖଟଣି କମୁ ନଥିଲା ।

ସେ ଯାହା ହେଉ କୈାଣସି ମତେ ବାହାଘରର ଆୟୋଜନ ଶେଷ ହୋଇଗଲା । ବାହାଘରର ଶୁଭ ମୁହୂର୍ତ୍ତ ବି ଆସି ପହଞ୍ଚିଲା ।

ଧୂମଧାମରେ ବାହାଘର ସରିଲା ପରେ ଝିଅ ଜୋଇଁ ବିଦା ହୋଇଗଲେ । ବନ୍ଧୁବାନ୍ଧବ ମଧ୍ୟ ଯେ ଯାହା ଘରକୁ ଭାର ଥୁର ନେଇ ଫେରିଗଲେ । 

ଆଈକୁ ମାଉସୀ ପାଖରେ କିଛି ଦିନ ରହିବା ପାଇଁ ଛାଡି ବୋଉ ଘରକୁ ଫେରିଆସିଲା ।

କିନ୍ତୁ ତା ପରଦିନ ହଠାତ୍ ଯେମିତି ଦୂର୍ଯୋଗ ଆସି ପହଞ୍ଚିଲା । ଆଈ, ଜଣକ ହାତରେ ବୋଉ ପାଖକୁ ଖବର ପଠାଇଲା ଯେ, ମାଉସୀର ଦେହ ଭୀଷଣ ଖରାପ । ସେ ଚଲାବୁଲା କରି ପାରୁନାହିଁ । ତା'ର ପୁରୁଣା ବାତ ରୋଗ ବାହାରିଛି । ସେ ଖୁବ୍ କଷ୍ଟ ପାଉଛି ।

ତା ପୁଅ ମାନେ ସେତେବେଳକୁ ନିଜ ନିଜର କାର୍ଯ୍ୟ କ୍ଷେତ୍ରକୁ ଫେରି ଯାଇଥିଲେ । ମଉସା ଦୁଇ ଦିନ ପାଇଁ କୁଆଡେ ବାହରକୁ ଯାଇଥିଲେ । 

ତେଣୁ ତାକୁ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ବି କେହି ଘରେ ନଥିଲେ ।

ସଙ୍ଗେ ସଙ୍ଗେ ବୋଉ ବ୍ୟସ୍ତ ହୋଇ ବାପାଙ୍କ ସହ ତାକୁ ଆଣିବା ପାଇଁ ବାହାରି ଗଲା ।

ମାଉସୀ ଆମ ଘରେ ଆସି ରହିବାର ଏ ଭିତରେ ସପ୍ତାହେ ହୋଇ ସାରିଥିଲା । କିନ୍ତୁ ତା ଘର ଲୋକଙ୍କ କାହାରି ଦେଖା ନଥିଲା । ସମସ୍ତେ ଆଶ୍ୱସ୍ତ ଥିଲେ ଯେ ମାଉସୀ ବୋଉ ପାଖରେ ଅଛି । ଭଲରେ ଥିବ । ଆଗରୁ ମଧ୍ୟ ଏପରି ହୋଇଛି, ବୋଉ ମାଉସୀକୁ ସୁସ୍ଥ କରି, ନେଇ ଘରେ ଛାଡିଛି ।

ଏଥର ବି ଟ୍ରିଟମେଣ୍ଟ ଚାଲିଥିବ । ସୁବିଧା ଦେଖି ସେମାନେ ଆସିବେ ।

ଏବେକାର ଘଟଣା କିନ୍ତୁ ଭିନ୍ନ ଥିଲା । ମାଉସୀ ତା' ଘରର କାହାକୁ ଖୋଜୁ ନଥିଲା । ସତେ ଯେମିତି ଏହା ତା'ର ଅଭିଯୋଗ ନୁହେଁ ବରଂ ଶେଷ ଅଭିମାନଥିଲା ସମସ୍ତଙ୍କ ଉପରେ । 

ତା' ସ୍ୱାମୀ ପୁଅ ଝିଅ ଏପରିକି ନିଜ ଉପରେ ମଧ୍ୟ ।

ବୋଉ ଯେତେ ଯାହା କରି ଖାଇବାକୁ ଦେଲେ ବି, ସେ ଅଳ୍ପ ନେଇ ବାକି ସବୁ ରଖି ଦେଉଥିଲା । ସତେକି କିଛିରେ ତା'ର ଆଉ ମୋହ ନଥିଲା । ଧୀରେ ଧୀରେ ସେ ନିର୍ବାକ ନିସ୍ପନ୍ଦ ହୋଇ ଯାଉଥିଲା ।

ବୋଉକୁ ତା'ର ହାବଭାବ କିଛି ଠିକ୍ ଲାଗିଲାନି ।ସେ ତା ପୁଅକୁ ଶୀଘ୍ର ଆସିବା ପାଇଁ ଖବର କଲା । ମଉସାଙ୍କୁ ବି ଫୋନ୍ କରି ଜଲଦି ଆସିବାକୁ କହିଲା ।

ସେଦିନ ଥିଲା ବୈଶାଖ ମାସରେ ଏକାଦଶୀ ତିଥି । ମାଉସୀ ଆମ ଘରେ ରହିବାର ମାସେ ପାଖାପାଖି ହେଲାଣି । ତା'ର ବଡ଼ ପୁଅ ଆସି ଫେରିଗଲାଣି । ମଉସା ମଧ୍ୟ ଦିନେ ଆସି ଦେଖି ଦେଇ ଯାଇଛନ୍ତି ଯେ ଯାଇଛନ୍ତି ।

ବିଛଣାରେ ଶୋଇ ବୋଉକୁ ଡାକିଲା ମାଉସୀ । କହିଲା ମୋତେ ଭଲ ଲାଗୁନାହିଁ । ତା ଆଖିରେ କାରୁଣ୍ୟର ପ୍ରଳାପ । ମୁହଁରେ ଝଡର ସୂଚନା ।

ପରିସ୍ଥିତିକୁ ହୃଦୟଙ୍ଗମ କରି ବୋଉ ମୋତେ ଆଉ ବାପାଙ୍କୁ ଡାକିଲା । ଆମେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ତାକୁ ହସ୍ପିଟାଲ ନେଇଗଲୁ ।

ପ୍ରଳୟ କିନ୍ତୁ ସେତେବେଳକୁ ଆମ ଜୀବନରେ ପଶି ଆସି ସାରିଥିଲା ବିଭୀଷିକା ସୃଷ୍ଟି କରିବା ପାଇଁ । ହସ୍ପିଟାଲରେ କେହି କିଛି କରିବା ପୂର୍ବରୁ ହିଁ ବ୍ରେନ ଷ୍ଟୋକ୍ ରେ, ମାଉସୀ ମାତ୍ର ତେପନ ବର୍ଷ ବୟସରେ ଚାଲିଗଲା ଏ ଦୁନିଆରୁ ।

ସବୁ କିଛି ଓଲଟ ପାଲଟ ହୋଇ ଗଲା ଆମ ଜୀବନରେ । ମାଉସୀର ଏ ଅସମୟ ନିଧନରେ, ନିସ୍ତରଙ୍ଗ ନିଃସଙ୍ଗତା ବେଢି ହୋଇ ଯାଇଥିଲା ଆମ ଚାରିପାଖେ । ହୃଦୟ ଯେମିତି କୋରି ହୋଇ ଯାଉଥିଲା ।

ସେଦିନ ସେଇ କରୁଣ ମୁହୂର୍ତ୍ତରେ ହସ୍ପିଟାଲର ବେଡ଼ ଉପରେ ମାଉସୀକୁ ଦେଖି, ମୋର ମନେହେଲା ବିନା ଅଭିଯୋଗରେ ସବୁଦିନ ପାଇଁ ସେ ଯେପରି ଶୋଇ ପଡ଼ିଛି ସମୟ କୋଳରେ । ମୃତ୍ୟୁ ମୋହିନୀର ଅନ୍ତରଙ୍ଗ ଆଲିଙ୍ଗନରେ । ଜୀବନାୟନ କବିତାର ଅନ୍ତିମ ପଦ୍ୟକୁ ଲେଖି ଦେଇ, ଅଭିମାନର ଶେଷହୀନ ସ୍ୟାହିରେ ।



Rate this content
Log in

Similar oriya story from Tragedy