ଶେଫାଳୀର ମନ ମଣିଷ
ଶେଫାଳୀର ମନ ମଣିଷ


ଘରର ଅବସ୍ଥା ବହୁତ ଦୟନୀୟ | ବାପା ପାରଲିସିସରେ ଆକ୍ରାନ୍ତ ହେଲା ପରଠୁ ଆଉ ବିଛଣାରୁ ଉଠୁ ନାହାନ୍ତି | ଅର୍ଥବଳ ଆଉ ମନବଳ ଉଭୟର ଅଭାବ ଘରେ | ସେଥିରେ ସାନଭାଇର ଜିଦି ଇଞ୍ଜିନିଅରିଂ ପଢିବ | ମାଆ ଅଙ୍ଗନବାଡିରେ କାମ କରନ୍ତି | ଯେତିକି ପଇସା ମିଳେ ସେଥିରେ ଘର ଚଳିବା ତ ଦୂର କଥା ଖାଇବାକୁ ଠିକ ସେ ମିଳେନି |
ଶେଫାଳୀ ପାଠ ପଢ଼ିଚି, ଭାବିଲା ମାଆ ଉପରେ ବୋଝ ହେବାଠୁ ଭଲ ଯଦି କିଛି ପଇସା କମେଇ ମାଆକୁ ସାହାଯ୍ୟ କରି ପାରିବ |
ଘରୁ ପାଦ ବାହାର କଲା, ଅନେକ ଅନିଶ୍ଚିତତା ଭିତରେ | ବାଙ୍ଗାଲୋର ! କଂକ୍ରିଟର ସହର | କାହା ପାଖରେ ସମୟ ନାହିଁ ଏଠି | ଏକ ଅଜଣା ସହରରେ ପାଦ ଦଉ ଦଉ ଭାବିଲା ଘର ଖଣ୍ଡେ ଠିକ କରିନେବ | ସହରଠୁ ବେଶ କିଛି ଦୂରରେ ଘରଟିଏ ଠିକ କଲା, ଘରଭଡା କମ ପଡିବ ବୋଲି |
ମାଲିକାଣୀ ଜଣେ ବୃଦ୍ଧା, ବେଶୀ କଥାବାର୍ତ୍ତା କରନ୍ତିନି | ଦୁଇତିନି ଦିନ ଭିତରେ ଯାହା ଅନୁମାନ କଲା ସେ ଘରେ କେବଳ ସେ ବୃଦ୍ଧା ମହିଳା ଜଣକ ରୁହନ୍ତି | ବେଳେବେଳେ ହସି ହସି ଶେଫାଳୀର ଭଲମନ୍ଦ ପଚାରି ନିଅନ୍ତି | ବୃଦ୍ଧା ଜଣଙ୍କ ପାଖରେ ଶେଫାଳୀ ନିଜ ମାଆର ଅତ୍ମୀୟତା ପାଇଥିଲା |
ଭଗବାନଙ୍କ କୃପା ଓ କରୁଣାରୁ ଶେଫାଳୀ ଚାକିରୀଟିଏ ପାଇଗଲା | ଖୁସିରେ ଘରେ ଜଣେଇଲା ଓ ପାଖ ପଡୋଶୀ ବୃଦ୍ଧାଙ୍କୁ ବି | ଭୋଳାନାଥ ଙ୍କୁ ମୁଣ୍ଡିଆଟେ ମାରି ଚାକିରୀ ଚାକିରୀର ପ୍ରଥମ ଦିନ ଆରମ୍ଭ କଲା ଶେଫାଳୀ | ସବୁଦିନ ବସରେ ଯାଏ ଆଉ ବସରେ ଫେରେ | ଆଖିରେ ତାର ଅସୁମାରୀ ସ୍ବପ୍ନ | ବସର ଝରକା କଡରେ ବସି ଖୋଲା ଆକାଶକୁ ଅନେଇ ସ୍ବପ୍ନ ଦେଖିଚାଲେ " ଭାଇ ମୋର ଇଞ୍ଜିନିଅର ହବ, ବାପା ଭଲ ଡାକ୍ତର ପାଖରେ ଚିକିତ୍ସିତ ହେବେ" ଏମିତି ଅନେକ |
ଶୀତଦିନ ଥାଏ, ଶେଫାଳୀ ଅଫିସରୁ ଫେରି ବସରୁ ଓଲ୍ହାଇଲା | ବସଷ୍ଟାଣ୍ଡରୁ ବେଶ କିଛିଦୂର ଚାଲିବାକୁ ପଡେ ତାକୁ ଘରେ ପହଂଚିବା ପାଇଁ | ଶୀତଦିନ ହେଇଥିବାରୁ ଅନ୍ଧାର ମାଡି ଆସିଥାଏ |
ହଠାତ ସେ ଅନୁଭବ କଲା କେହି ଜଣେ ତାର ପିଛା କରୁଛି | ଶୂନଶାନ ସଡକ ହେଇଥିବାରୁ ପାଦଶବ୍ଦ ସେ ସ୍ପଷ୍ଟ ଶୁଣିପାରୁଥାଏ | ଡରରେ ତା ଦେହରୁ ଗମଗମ ହୋଇ ହାଲକାଏ ଝାଳ ବୋହିଗଲା | ସେ ଆଉ ପଛକୁ ନ ଅନାଇ ଜୋର ଜୋରରେ ପାଦ ବଢାଇବାକୁ ଲାଗିଲା | ଠିକ ଘରର ନିକଟବର୍ତ୍ତୀ ହୋଇଚି ପାଦଶବ୍ଦ ବନ୍ଦ ହୋଇଗଲା | ପଛକୁ ବୁଲି ଚାହିଁଲା କିନ୍ତୁ କେହି ନଥିଲେ, ଏ କଣ ତାର ଭ୍ରମ ଥିଲା !!! ହେଲେ ତା ପରଦିନ ପୁଣି ସେଇ ଜୋତା ଶବ୍ଦ, ତା ପାଦ ସହ ତାଳ ମିଳାଇ ଚାଲିଥାଏ | ଶେଫାଳୀ ଡରିଗଲା, ହେଲେ ଭାବିଲା କିଛି ତ କ୍ଷତି କରୁନି ବରଂ ତାକୁ ସାଥିଟିଏ ମିଳିଯାଉଛି ପ୍ରତିଦିନ | ଏମିତି ଚାଲିଥାଏ କିନ୍ତୁ ଶେଫାଳୀର ସାହସ ହେଉନଥାଏ ସେ ଅଜଣା ବ୍ୟକ୍ତିକୁ ପଛକୁ ବୁଲି ଦେଖିବା ପାଇଁ |
ସେଦିନ ମନସ୍ତ କଲା ଯାହା ବି ହଉ ଆଜି ଦେଖିବ ସେ ପିଲାଟି କିଏ | ହେଇ ତ ଶବ୍ଦ ଶୁଭିଲାଣି, ପଛକୁ ଫେରି ଚାହିଁଲା ଶେଫାଳୀ, ସୁନ୍ଦର ଆଉ ବଳିଷ୍ଠ ପିଲାଟିଏ | ତାକୁ ପ୍ରତିଦିନ ସେ ଅନ୍ଧାର ରାସ୍ତାରେ ସୁରକ୍ଷା ଦେବାର ସବୁ ଜିମା ଯେମିତି ସେ ପିଲା ପାଖରେ | ମନେ ମନେ ଖୁସି ହେଲା ଶେଫାଳୀ ଆଉ ଏମିତି କିଛିଦିନ ଭିତରେ ପିଲାଟିକୁ ଭଲପାଇ ବସିଲା | ଶେଫାଳୀର ମନର ମଣିଷ ଥିଲା ସେ, କିନ୍ତ କେବେ ବି କିଛି କହି ପାରିନଥିଲା ସେ ପିଲାଟି ପାଖରେ |
କିଛିଦିନ ବିତିଗଲା ଏମିତି, ଶେଫାଳୀ ଭାବିଲା ଘରକୁ ଯାଇ ବୁଲିଆସିବ ଆଉ ତାପରେ ନିଜ ମନ କଥା ନିଜ ମନର ମଣିଷ ପାଖେ କହିବ | କିଛିଦିନ ଘରେ ରହିଲା ପରେ ପୁଣି ଫେରିଲା ଶେଫାଳୀ | ମାଆ ବହୁତ କିଛି ମିଠା ଆଉ ଖାଦ୍ୟ ଜିନିଷ ଦେଇ ପଠେଇଥାନ୍ତି | ଶେଫାଳୀ ଭାବିଲା ବୃଦ୍ଧା ମାଲିକାଣୀଙ୍କୁ ବି କିଛି ଦେଇଆସିବ | କଲିଂବେଲ ବାଜିବା କ୍ଷଣି ବୃଦ୍ଧା ପାଛୋଟି ନେଲେ ଶେଫାଳୀକୁ, ମାଆ ଦେଇଥିବା ମିଠା ଦେଖି ବୃଦ୍ଧା ଜଣକ ଖୁସି ହେଇଗଲେ | ଘରୁ ବାହାରିଆସୁଥିବା ସମୟରେ ଶେଫାଳୀର ନଜର ପଡିଲା କାନ୍ଥରେ ଟଙ୍ଗା ଯାଇଥିବା ଫୋଟୋ ଫ୍ରେମ ଉପରେ !!! ଚମକି ପଡିଲା ଶେଫାଳୀ !! ଏ ତ ସେଇ ପିଲାଟି, ସେଇ ମନ ମଣିଷ !! ହେଲେ ତା ଫଟୋ ଏଠି ପୁଣି ସେଥିରେ ଫୁଲମାଳ !!!
ଏକ ନିଃଶ୍ୱାସରେ ବୃଦ୍ଧାଙ୍କୁ ଅନେକ ପ୍ରଶ୍ନ ପଚାରିଗଲା ଶେଫାଳୀ | ବୃଦ୍ଧା ଜଣକ କହୁଥାନ୍ତି ସେ ମୋ ପୁଅ, ମୋର ଏକଇରବୋଳା ବିଶିକେଶନ ଥିଲା | ବହୁତ ସାହସୀ ଆଉ ସାହାଯ୍ୟକାରୀ ପିଲାଟିଏ ଥିଲା | ରାସ୍ତାରେ ଆସିଲାବଳେ ଗୋଟେ ଝିଅକୁ କିଛି ପିଲା ହଇରାଣ କରୁଥିଲେ, ସେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ତାକୁ ମାରିଦେଲେ |
ପାଦ ତଳୁ ମାଟି ଖସି ଯାଉଥିଲା ଶେଫାଳୀର !! ତାହେଲେ ସେ ପିଲା.... !!!!!
ବୃଦ୍ଧାଙ୍କୁ ସମବେଦନା ଜଣେଇ ସେଠୁ ଚାଲିଆସିଥିଲା ଶେଫାଳୀ | ତା ମନର ମଣିଷ କଣ... !!!!
ବହୁତ ଅନିଶ୍ଚିତତା ଭିତରେ ଅଫିସ ବାହାରିଲା ସେ | ମନେ ମନେ ଭାବୁଥାଏ ଆଜି ଫେରିଲା ବେଳେ ନିଶ୍ଚୟ କଥା ହବ | ବସରୁ ଓଲ୍ହେଇଲା ଶେଫାଳୀ, ଚାଲିବାକୁ ଆରମ୍ଭ କଲା !! ହେଲେ ସେ ପାଦଶବ୍ଦ ଆଉ ନଥିଲା, ରାସ୍ତା ସରି ଆସୁଥାଏ ହେଲେ ଶେଫାଳୀ ଆଉ ଶୁଣି ପାରୁନଥାଏ ପାଦଶବ୍ଦ !! ପାଦଶବ୍ଦ ତା ମନର ମଣିଷର !!!