ସେ ଶୈଶବ ଆଉ ସେ ଅଭୁଲା ସ୍ମୃତି
ସେ ଶୈଶବ ଆଉ ସେ ଅଭୁଲା ସ୍ମୃତି


ଗାଁ ରେ ସେ ମାଟି ଘର ଟା ଆଉ ନାହିଁ | ଗୋଟେ ମଙ୍ଗଳା ଙ୍କ ମନ୍ଦିର ସେଠି ଛିଡା ହେଇଚି | ଜାଣେନି ସେଠି ଠାକୁରାଣୀ ରହୁଛନ୍ତି କି ନାଁ | ଖରା ଛୁଟିରେ ସପରିବାର ବାହାରିଯାଉ ସେ ଭିଟାମାଟି ରେ ସମୟ ଅତିବାହିତ କରିବାକୁ | ମୋ ଶୈଶବ ର ଏକ ଅଭୁଲା ଅଙ୍ଗ ସେ ଭିଟାମାଟି | ନାଲି ସରକାରୀ ବସ ରେ ଟିକେଟ କଟା ହୁଏ ପନ୍ଦରଦିନ ଆଗରୁ | ଦିନ ଯେତେ ପାଖେଇ ଆସେ ଉତ୍କଣ୍ଠା ସେତିକି ବଢିଚାଲେ | ଗାଁ କୁ ଯାଇ ପହଂଚିବା ର ଅଦମ୍ୟ ଇଚ୍ଛା କୁ ସେତେବେଳେ ସାଙ୍ଗସାଥି ଙ୍କ ଆଗରେ ପ୍ରକାଶ କରି ଏକ ଅଜଣା ଖୁସି ମିଳେ | ସେଦିନ ଆସିଯାଏ, ବାପାଙ୍କ ସହ ମିଶି ଆମ୍ବ ପେଟି ଠୁ ଆରମ୍ଭ କରି ଚିନି ବସ୍ତା ପର୍ଯ୍ୟନ୍ତ ଗାଡି ରେ ଲଦା ହୁଏ | ଆଉ ତା ପରେ ଆରମ୍ଭ ହୁଏ ଗନ୍ତବ୍ୟ ସ୍ଥଳ କୁ ଯାତ୍ରା | କୋରାପୁଟ ଆଉ ରାୟଗଡା ର ସେ ଅଙ୍କାବଙ୍କା ଘାଟି ଦେଇ ଗାଡି ଯାଇ ପହଞ୍ଚେ ଅଡବା ରେ | ଢ଼ାବା ରେ ରାତ୍ରିଭୋଜନ.. ସେ ପୁଣି ସବୁ ସହଯାତ୍ରୀ ଙ୍କ ସହ | ଆଜି ଏସବୁ ଅତିସହଜ କିନ୍ତୁ ସେତେବେଳର ସେ ଯଉ ମଜା.. ଭାବିଲେ ଏବେ ବି ଆନନ୍ଦ ଲାଗେ | ସମସ୍ତେ ଖାଇସାରି ଶୋଇଯାନ୍ତି କିନ୍ତୁ ମୋ ଆଖିକି ନିଦ ନଥାଏ.. କେମିତି ସକାଳ ହବ ଆଉ ବସ କଟକ ରେ ପହଂଚିବ | ଭୋରୁ ବସ ପହଂଚି ଯାଏ ବାଦାମବାଡ଼ି ରେ | ଆଉ ତା ପରେ ଭଦ୍ରକ ବସ ରେ ବସି ଆରମ୍ଭ ହୁଏ ଗାଁ କୁ ପହଂଚିବାର ପ୍ରୟାସ | ସେ ଦୁଇ ଘଣ୍ଟା ମୋତେ ଲାଗେ ଦୁଇଟା ଯୁଗ ଭଳି | ଗାଁ ରେ ପହଂଚିବି ଆଉ ବୁଢାବାପା ଆଉ ବୁଢୀମା କୁ ଦେଖିବି - ମୁଁ ଏଇ ଭାବନା ରେ ବୁଡି ରହିଥାଏ ଆଉ ବସ ପହଞ୍ଚେ ଭଦ୍ରକ ରେ, ସେତେବେଳେ ଏ ନୂଆ ବସ ଷ୍ଟାଣ୍ଡ କି ବନ୍ତ ଛକ ବସ ଷ୍ଟାଣ୍ଡ ନଥାଏ | ଅପର୍ତିବିନ୍ଧା ଛକ ରୁ ରିକ୍ସା ଧରି ବାହାରୁ ଗାଁ କୁ | ରିକ୍ସା ସାତଭଉଣୀ ପାର ହେଲାବେଳକୁ ମୋ ଗୋଡ ହାତ ଆଉ ସମ୍ଭାଳ ହୁଏନି | ଠିକ ସଞ୍ଜ ନଇଁ ଆସୁଥିବ ଆଉ ରିକ୍ସା ପସିବ ଆମ ଗାଁ ସୀମା ରେ.. ଗାଁ ଆରମ୍ଭ ରୁ ମାଧବ ମନ୍ଦିର ଆଉ ଗାଁ ଗାଡ଼ିଆ | ମାଧବ ଙ୍କୁ ମୁଣ୍ଡ ନୁଆଇଁ ପ୍ରଣିପାତ କରି ପଶେ ଗାଁ ଭିତରକୁ | ଗାଁ ଦାଣ୍ଡରେ ପିଲା ଙ୍କ ଭିଡ ଆଉ ବୟୋଜ୍ୟୋଷ୍ଠ ଲୋକ ଙ୍କ ମେଳି କୁନି ବୁଢୀମା ର ଚଉତରା ଉପରେ | ବାପା ଙ୍କୁ ଦେଖି ସେମାନେ ବହୁତ ଖୁସି ହେଇଯାନ୍ତି ଆଉ ସାହି ଟା ସାରା ଲୋକ ଙ୍କ ଭିଡ ଜମେ ଆମ ଘରେ | ବୁଢ଼ୀମା ର ଗୋଡ ତଳେ ଲାଗୁନଥିବ, ସିଏ ଖାଲି ବ୍ୟସ୍ତ ହଉଥିବ ବଡ ପୁଅ ଆସିଛି ଆଉ କଣ ଆଣିଛି | ଯାହା ପାଏ ତାକୁ ନେଇ 2/3 ଟା ସାହି ରେ ବାଣ୍ଟି ଦେଇ ଆସିବ | ବୁଢୀମା ଆଉ ନାହିଁ କି ତାର ବଡପଣିଆ ଆଉ ନାହିଁ | ମୁଁ ଗୋଡ ହାତ ଟିକେଟ ଧୋଇଦେଇ ଦଉଡ଼େ ଚଗୁଲୁ କାକା ଘରକୁ, କାକା ହେଲେବି ସିଏ ବୟସ ରେ ଜମା ଦୁଇ ବର୍ଷ ବଡ ମୋଠୁଁ, ଆମେ ଦୁହେଁ ସାଂଗଭଳି| ମୁଁ ତା ଘରେ ପହଂଚି କେତେ କଥା ପଚରିଯାଏ ତାକୁ - ଏବର୍ଷ ଖଜୁରୀ କୋଳି ହେଇଚି ନାଁ ନାହିଁ, ରଜ ରେ ଦୋଳି କଉଠି ଲାଗିବ, ବାଉଁଶ ଝୁଲା କେମିତି ତିଆରି ହବ, ରଜ ରେ ପାଲା ଦେଖିବାକୁ ଯିବା ନାଁ ନାହିଁ, କଉ ଗାଁ ବୁଲିବା ରଜ ରେ.. ଏମିତି ବହୁତ କଥା.. ସେ ସମୟ ର ମଜା ନିଆରା, କେତେ ସ୍ନେହ ଆଉ ଶ୍ରଦ୍ଧା ଗାଁ ଲୋକଙ୍କ ମଧ୍ୟରେ, ସବୁ ଯାନୀ ଜାତ ଏକା ସହ ମିଳିମିଶି ପାଳିବା, ଗାଁ ର ସବୁ ସମସ୍ୟାର ସମାଧାନ ମିଳିମିଶି କରିବା .. ଏମିତି କେତେ କଥା | କେମିତି ମାସ ଟିଏ ବିତିଯାଏ ଜାଣି ହୁଏନି ଆଉ ଯିବା ସମୟ ଆସିଯାଏ, ଲୁହ ଛଳ ଛଳ ଆଖିରେ ସମସ୍ତଙ୍କୁ ବିଦାୟ ଜଣେଇ ଚାଲିଆସୁ ଆମେ ଚାରିଜଣ ପୁଣି ବର୍ଷକ ପାଇଁ |