ଆଜିର ଗୁରୁ ଦକ୍ଷିଣା
ଆଜିର ଗୁରୁ ଦକ୍ଷିଣା
ସେପ୍ଟେମ୍ବର ମାସ ଆରମ୍ଭ ହେଲେ ମନେ ପଡେ ଗୁରୁ ଦିବସ , 5 ତାରିଖ ଦିନ ଲୋକ ଦେଖାଣିଆ ଗୁରୁ ପୂଜା କରି କଲମ ଖଣ୍ଡିଏ ଧରେଇ ଦେଲେ ଆମର କର୍ତ୍ତବ୍ୟ ସରିଯାଏ I
ଏହି ଦିନ ଟି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ I ଭିକ ମାଗି ପଣ୍ଡିତ ମଦନମୋହନ ମାଲବ୍ୟ ଯେଉଁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ତାର ପ୍ରଥମ କୁଳପତି ଥିଲେ ରାଧାକ୍ରିଷ୍ଣନ I ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କରିବା ନିମନ୍ତେ ଏକ ଅନନ୍ୟ ତ୍ୟାଗ କରିଥିଲେ ସେ । ଏକମାତ୍ର ଲକ୍ଷ୍ୟ ଥିଲା "ବିଭିନ୍ନତା ମଧ୍ୟରେ ଏକତା "I
ହେଲେ ଆଜି ତାଙ୍କ ଜନ୍ମଦିନ ଏକ ପ୍ରହସନ ପାଲଟିଯିବା ହୃଦୟକୁ ଆଘାତ ଦିଏ I "ଗୁ" ଅର୍ଥ ଅନ୍ଧାର ଏବଂ "ରୁ " ଅର୍ଥ ଦୂରେଇବା I ଅନ୍ଧାର ରୁ ଯିଏ ଆଲୋକ ଦେଖାନ୍ତି ସେ ହିଁ ସଦଗୁରୁ I ହେଲେ କହିବା ବାହୁଲ୍ୟ ବୋଧହୁଏ ଆଜି କାଲି ବହୁତ କମ୍ ଗୁରୁ ଏ ଶବ୍ଦ ର ମର୍ଯ୍ୟାଦା ରଖିଛନ୍ତି I ସାମନାରେ ଦେଖି ମୁଣ୍ଡିଆ ଟାଏ ମାରିଦେଲେ ସେ ପ୍ରକୃତ ଗୁରୁ ହୋଇନଥାନ୍ତି, ଯଦି ଗୁରୁଙ୍କ ନାମ ଶୁଣିବା ମାତ୍ରେ ଆମ ମନରେ ସ୍ଵୟଂପୃତ ଭକ୍ତିଭାବ ଆସେ ତାହେଲେ ସେ ହେଉଛନ୍ତି ପ୍ରକୃତ ଗୁରୁ I
ବିଦ୍ୟାଧର ସାର, ଅବସରପ୍ରାପ୍ତ ଶିକ୍ଷକ । ରାଷ୍ଟ୍ରପତି ପୁରସ୍କାର, ରାଜ୍ୟପାଳ ପୁରସ୍କାର ଆଉ ଏମିତି ବହୁତ ପୁରସ୍କାର ପାଇଛନ୍ତି ଏକ ଆଦର୍ଶ ଶିକ୍ଷକ ହିସାବରେ । ହେଲେ ସେଦିନ ତାଙ୍କ ଘର ଚଉତରା ଉପରେ ବସି ମୋ ସହ କଥା ହେଲାବେଳେ ନିଜ କୋହ କୁ ସମ୍ଭାଳି ପାରିନଥିଲେ, ନିଜକୁ ଦୋଷୀ ମନେକରି ଭୋ ଭୋ କରି କାନ୍ଦି ଉଠିଥିଲେ । ହଁ, ସାର ଏକା ରୁହନ୍ତି, ସ୍ତ୍ରୀ ଆରପାରିରେ । ଏକ ମାତ୍ର ପୁଅ ଆମେରିକାରେ ବୈଜ୍ଞାନିକ, ସ୍ତ୍ରୀ ପିଲାଛୁଆ ସହ ସେଠି ରୁହେ ଆଉ ବୋଧେ ସେ ଭୁଲି ଯାଇଚି ଏ ଭାରତ ମାଟିକୁ । ଦୀର୍ଘ ସାତ ଵର୍ଷ ହେବ ତା ପାଦ ପଡିନି ଗାଁ ମାଟିରେ ।
ସାର ଆରମ୍ଭ କଲେ, ତିରିଶି ବର୍ଷ ତଳର କଥା । ମୁଁ ହେଡମାଷ୍ଟର ଥାଏ ଗାଁ ସ୍କୁଲ ରେ । ଆମର ମାଇନର ଆଉ ହାଇସ୍କୁଲ ଗୋଟିଏ କ୍ୟାମ୍ପସରେ ଥାଏ ଆଉ ମୁଁ ଦୁଇଟି ଯାକ ସ୍କୁଲର ଦାୟିତ୍ୱରେ ଥାଏ । ମୋ ପୁଅ ଶୁଭମ ବି ସେଇ ସ୍କୁଲରେ ପଢୁଥାଏ । ତା ପ୍ରତି ମୋର ଥିଲା ଅହେତୁକ ଦୁର୍ବଳତା । ସେ କେମିତି ଶ୍ରେଣରେ ପ୍ରଥମ ହେବ ସେଥିପାଇଁ ମୁଁ ସବୁବେଳେ ଚେଷ୍ଟା କରୁଥାଏ । ତା ସହ ପାଠ ପଢୁଥାଏ ଆଉଜଣେ ପିଲା - ଅଜୟ । ବହୁତ ଗରିବ ଘରର ପିଲାଟି, କିନ୍ତୁ ବହୁତ ମେଧାବୀ । ମୋତେ ସବୁବେଳେ ଡର ଲାଗିରହିଲା ଯେ ଅଜୟ ଶୁଭମ ଠାରୁ ଆଗେଇଯିବ ପାଠ ପଢ଼ାରେ । ନିଜ ଦାୟିତ୍ୱ ସବୁବେଳେ ନିଷ୍ଠାର ସହ କରିଚାଲିଥିଲେ ବି ପୁଅ ପାଖରେ ମୁଁ ଦୁର୍ବଳ ହେଇଯାଉଥିଲି । ଯେହେତୁ ପ୍ରଧାନ ଶିକ୍ଷକ ଥିଲି ତେଣୁ ପ୍ରଶ୍ନପତ୍ର ବିଭାଗଟି ମୋ ପାଖରେ ଥିଲା । ସେଥର ଥାଏ ଦଶମ ଶ୍ରେଣୀ ପରୀକ୍ଷା, ଅଜୟ ଆସିଥାଏ ମୋ ପାଖକୁ ସମ୍ଭାବିତ ପରୀକ୍ଷା ପ୍ରଶ୍ନ ପାଇଁ । ମୁଁ ଜାଣି ଶୁଣି ଯେଉଁ ପ୍ରଶ୍ନ ପରୀକ୍ଷାରେ ଆସିବା ସମ୍ଭାବନା କମ ସେ ଗୁଡାକ ହିଁ ଚୟନ କରି ଦେଇଥିଲି ତା ପାଇଁ । ଆଉ ପୁଅକୁ ପରୀକ୍ଷା ଆଗଦିନ ରାତିରେ ବୋର୍ଡ ପ୍ରଶ୍ନ ବାହାର କରି ଦେଉଥିଲି । ପରୀକ୍ଷା ସରିଗଲା ଆଉ ରେଜଲ୍ଟ ବାହାରିବାର ସମୟ । ସେଦିନ କଥା ମନେ ଅଛି, ପୁଅ ଓଡ଼ିଶାରେ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥାଏ ଆଉ ମୋ ପାଖକୁ ପ୍ରଶଂସାର ସୁଅ ଛୁଟି ଥାଏ । ମୋ ଛାତି କୁଣ୍ଢେମୋଟ ହେଇ ଯାଉଥାଏ, ପାଦ ତଳେ ଲାଗୁ ନଥାଏ । ହଠାତ୍ ସ୍ତ୍ରୀ ଡାକ ପକେଇଲେ ହେଇଟି ଶୁଣୁଛ ଅଜୟ ଆସିଚି ତୁମକୁ ଦେଖା କରିବା ପାଇଁ । ମୁଁ ନିଜକୁ ଦୋଷୀ ମନେ କରିବା ଆରମ୍ଭ କଲି, ଆଉ ଡରି ଡରି ତା ସାମ୍ନାକୁ ଗଲି I ଜୁହାର ଟିଏ ହେଲା ମୋତେ, କହିଲା ସାର୍ ପଢ଼ା ପଢି ଠିକ୍ ତ କରିଥିଲି ହେଲେ ରେଜଲ୍ଟ ଭଲ ହେଲାନି I କେବଳ ପ୍ରଥମ ଶ୍ରେଣୀରେ ଯାହା ଉତ୍ତୀର୍ଣ୍ଣ ହେଇ ପାରିଲି I ମିଠା ଆଣିଚି ରଖନ୍ତୁ I
ଅଜୟ ଚାଲିଗଲା ମିଠା ଦେଇ, ଆଉ
ମୁଁ ବି ଏକଥା ମନରୁ ଦୂର କରି ସାରିଥିଲି I ସମୟ ଚକ୍ର ରେ ପୁଅ IIT ରେ ପଢିଲା ଆଉ ନାସା ପାଇଁ କୃତକାର୍ଯ୍ୟ ହୋଇ ସୁଦୂର ଆମେରିକା ଚାଲିଗଲା I ଏକ ମାତ୍ର ପୁଅ, ସ୍ତ୍ରୀ ଙ୍କ ର ଜମା ଇଚ୍ଛା ନଥିଲା ସେ ଘର ଛାଡି ଯାଉ I ହେଲେ ମୋ ପାଇଁ ଥିଲା ସେ ମୋ ଗର୍ବ I ବନ୍ଧୁବାନ୍ଧବ ଆଉ ସହକର୍ମୀଙ୍କ ପାଖରୁ ଅନେକ ଶୁଭେଚ୍ଛା ଛୁଟି ଆସିଲା I ମୁଁ ବହୁତ୍ ଖୁସି ଥିଲି I
ହେଲେ ସେ ଖୁସି ବେଶୀଦିନ ପାଇଁ ନଥିଲା I ପୁଅ ଆମେରିକା ଯିବାର ବର୍ଷକ ଭିତରେ ସ୍ତ୍ରୀ ଆର ପାରି କି ଚାଲିଗଲେ I ହେଲେ ଛୁଟି ନ ମିଳିବାରୁ ପୁଅ ମା ର ଶେଷ ଦର୍ଶନ ପାଇଁ ବି ଆସି ପାରିଲାନି I
ମୃତ ଦେହ ପାଖରେ ବସି ନିଜେ କଥା ହଉଥିଲି ସ୍ତ୍ରୀ ଙ୍କ ସହ - କୋଇଲି ଲୋ ଗଲା ପୁତ୍ର ଆଉ ବାହୁଡି ନ ଆସିଲା I
କିଛି ଦିନ ପରେ ଶୁଣିଲି ପୁଅ ସେଠି ବିବାହ କରି ସାରିଚି I ବେଳେ ବେଳେ ଟେଲିଫୋନ କରୁଥିଲା ହେଲେ ବିବାହ କଲା ପରେ ତାର ଆଉ ଏ ବୁଢାବାପ କଥା ମନେ ପଡୁନି I ମୁଁ ବି କେବେ ବାଧ୍ୟ କରିନି ଫୋନ କରିବା ପାଇଁ I
ଆଜିକୁ ସାତ ବର୍ଷ ହେଇଗଲା, ଗଲା ପରେ ଆଉ ଥରେ ବି ଘର ମୁହାଁ ହେଇନାହିଁ I
ଛ ମାସ ତଳେ ମୋ ଦେହ ବହୁତ୍ ଖରାପ ହେଲା, ଡାକ୍ତର କହିଲେ ଦୁଇଟି ଯାକ କିଡ଼ନୀ ଖରାପ I ଯଦି ପଇସା ଖର୍ଚ୍ଚ କରିପାରିବେ ଆମେ କିଡ଼ନୀ ଯୋଗାଇପାରିବୁ ଅଥବା ଯଦି କେହି କିଡ଼ନୀ ଦାନ କରନ୍ତି ତାହେଲେ ଆପଣଙ୍କ ଜୀବନ ବଞ୍ଚେଇ ହବ I
ଘରକୁ ଫେରିଲି ଆଉ ପୁଅକୁ ଫୋନ ଲଗାଇଲି , ଏତେ କଷ୍ଟ କରିକି ପୁଅକୁ ମଣିଷ କରିଥିଲି କଣ ମୋ ପାଇଁ ଏତିକି କରିବନି, କଣ ମୋ କିଡ଼ନୀ ପାଇଁ ପଇସା ଦବନି I ପୁଅ ଫୋନ ଉଠାଇଲା ଆଉ ଯେତେବେଳେ ଶୁଣିଲା ମୋର ପଇସା ଦରକାର କହିଲା ମୋର ଏଠି ବହୁତ୍ ଖର୍ଚ୍ଚ, ପୁଅ ବି ବଢୁଚି ତା ପାଇଁ ବି ବହୁତ୍ ଖର୍ଚ ହଉଚି I ତେଣୁ ମୋ ପାଖେ ପଇସା ହବନି I ତୁମେ ଆମ ଗାଁ ଜମି ସବୁ ବିକ୍ରି କରିଦିଅ I ମୋ ପାଦ ତଳୁ ମାଟି ଖସି ପଡିଥିଲା, ଏ ସେଇ ପୁଅ ତ ଯାହା ପାଇଁ ମୁଁ ଅଜୟ ସହ ଅନ୍ୟାୟ କରିଥିଲି I
ଭଗବାନଙ୍କୁ ହାତ ଟେକି ଯେତେଦିନ ହବ ବଞ୍ଚିବି ଏ କଥା ସ୍ଥିର କରିନେଲି I ମୋ ଦେହ ଖରାପ ଶୁଣି ଅଜୟ ଆସି ପହଞ୍ଚିଲା ମୋ ପାଖରେ I କାନ୍ଦି ପକେଇଲା ସେଦିନ ମୋ ଅବସ୍ଥା ଦେଖି I କହିଲା ସାର୍ କିଛି ହବନି ଆପଣଙ୍କର I ଆପଣ ମୋ ପାଇଁ ଆଦର୍ଶ I ଆପଣଙ୍କ ପାଇଁ ମୁଁ ଆଜି ଏକ ସୁନାମଧନ୍ୟ ଶିକ୍ଷକ ହୋଇ ପାରିଛି I ହଁ ଆମରି ଗାଁ ସ୍କୁଲରେ ସେ ଶିକ୍ଷକ I ଖୁବ୍ ନାଁ ଡାକ ତାର ଆଖପାଖ ଅଞ୍ଚଳରେ । ମୋତେ ନେଇ ଡାକ୍ତରଖାନାକୁ ଗଲା, ମୋତେ ଅପରେଶନ ୱାର୍ଡରେ ଆଡ଼ମିସନ୍ କରାହେଲା I ମୁଁ କିଛି ବୁଝିବା ଆଗରୁ ମୋତେ ଚେତାଶୁନ୍ୟ କରିଦିଆଗଲା I ପ୍ରାୟ ଦୀର୍ଘ ଚାରି ଘଣ୍ଟା ପରେ ମୋ ଚେତା ଫେରିଲା I ମୁଁ ଡାକ୍ତର ଙ୍କୁ ଧନ୍ୟବାଦ ଦେଲି । ହେଲେ ଡାକ୍ତର ଙ୍କ କଥା ଶୁଣି ମୁଁ ଭଗବାନ ଙ୍କ ପାଖରେ ଆହୁରି ଦୋଷୀ ହେଇଯାଇଥିଲି I ଡାକ୍ତର୍ କହୁଥାନ୍ତି, ଧନ୍ୟବାଦ ମୋତେ ନୁହେଁ ଅଜୟ ବାବୁଙ୍କୁ ଦିଅନ୍ତୁ ଯିଏ ନିଜର ଗୋଟେ କିଡ଼ନୀ ଆପଣଙ୍କୁ ଦାନ କରିଦେଲେ ଆଉ ଅପରେଶନର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି I ମୋ ଆଖିରୁ ଲୁହ ଧାର ଧାର ହୋଇ ଗଡି ଯାଇଥିଲା ସେଦିନ I ଦୁଇ ଦିନ ପରେ ଆମ ଦୁହିଁଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିଲା I
ମୁଁ ଅଜୟ ଆଗରେ ହାତ ଯୋଡି ଅନୁରୋଧ କରି କହିଥିଲି, ତୁ ମୋ ପୁଅ ଠୁ ବଳି I ମୋର ଯାହା ସମ୍ପତ୍ତି ଅଛି ସବୁ ତୋ ନାଁ ରେ କରିଦଉଚି I ଅନୁନୟ ହୋଇ ମନା କରିଥିଲା ଅଜୟ I କହିଲା ସାର୍ ମୋର କିଛି ଦରକାର ନାହିଁ ଏ ଥିଲା ମୋର ଗୁରୁ ଦକ୍ଷିଣା, ଆପଣ ସ୍ଵୀକାର କରନ୍ତୁ I
କଥା ସରି ଆସିଲା ବେଳକୁ ବିଦ୍ୟାଧର ସାର୍ କୋହ ସମ୍ଭାଳି ନ ପାରି କାନ୍ଦି ଉଠିଥିଲେ ଆଉ ତାଙ୍କୁ ବୋଧ କରୁ କରୁ ମୋ ଆଖିରୁ ବି ଝରି ଯାଇଥିଲା ଲୁହ I ଭାବୁଥିଲି କଣ ସତରେ ଆଜିକା ଯୁଗରେ ବି ଏକଲବ୍ୟ ର ଆଦର୍ଶ ବଞ୍ଚିଛି!!!