Patitapaban Pani

Drama Tragedy Others

4.4  

Patitapaban Pani

Drama Tragedy Others

ଅକୁହା ପ୍ରେମ କାହାଣୀ

ଅକୁହା ପ୍ରେମ କାହାଣୀ

4 mins
235


କଥା କହିବାର ଶକ୍ତି, ସ୍ବାଧୀନତା ଥାଇ ବି ଅନେକ ସମୟରେ ମୂକ ପାଲଟିଛି ମୁଁ । ଅନୁଭବ କରିଛି କେହି ଯେମିତି ମୋର ବାଟ ଓଗାଳିଛି । ମୋ ତଣ୍ଟିକି ଚିପି ଧରିଛି । 


ପ୍ରତିଟି ହୃଦୟର ରହିଥାଏ କିଛି ନିଭୃତ ସଂଳାପ,କେବେ ନିଶବ୍ଦ ଆଉ କେବେ ଶବ୍ଦାୟିତ ।କିନ୍ତୁ ମଣିଷ ସବୁବେଳେ ସେଇ ଶବ୍ଦ ସମ୍ଭାରକୁ ଅଶୁଣା କରିବାର ଅପଚେଷ୍ଟା କରେ ସମାଜିକତାର ଦ୍ୱାହି ଦେଇ।


ମୋର କଣ ହେଲା କେଜାଣି ଧୀରେ ଧୀରେ ଶଦ୍ଦଙ୍କୁ ଭଲ ପାଇ ବସିଲି । ଗପ ଲେଖିଲି । ଗୀତ ଲେଖିଲି । ଯେଉଁ ମଣିଷ ଟି ଦିନେ ଅତି ନିଷ୍ଠୁର ଥିଲା, ଆଜି ତା ମନ ରେ ଉଦାରତା ଆଉ ମାନବିକତା ର ମୂଲ୍ୟବୋଧତା ।


***


 ପି. ଏଚ. ଡ଼ି ଆଡିମିଶନ ସରି ଯାଇଥାଏ, କ୍ଲାସ କରିବା ପାଇଁ N.I.T. ରାଉରକେଲା କ୍ୟାମ୍ପସ ରେ ପହଁଚିଲା ଶୁଭ୍ରା । ହଠାତ ମନେ ପଡିଗଲା ତା'ର ସଜଳ B.Tech କଲେଜ ଜୀବନ। ଉନ୍ମୁକ୍ତ , ଉତ୍ତାଳ,ଉର୍ଜାମୟ , ଅନନ୍ୟ ମୁହୂର୍ତ୍ତ ସବୁ। ଗୋଟେ ସତ ସତିକା ଟାଇମ ମେସିନ ଥାନ୍ତା କି ବୁଲି ଆସନ୍ତା ସେ ଆଉ ବେଷ୍ଟ ସଙ୍ଗାତ ସ୍ମୃତି ସହ ଦେଖା କରି ଫେରି ଆସନ୍ତା। ଆଉ ଥରେ ମନରେ ସେ ଅପୂର୍ବ ଶିହରଣ ନେଇ ଆସନ୍ତା ଯାହା ସେ ଭୁଲି ଯାଇଥିଲା ଅଂଶୁମାନ ଠୁ ଦୁରେଇ ଯିବାପରେ, ଆଃ! ସ୍ମୃତି ସବୁ ରୁପା ଜହ୍ନ , ସ୍ନିଗ୍ଧ, ଶୀତଳ, ଉଜ୍ଜ୍ୱଳ ,କିନ୍ତୁ ଅପହଞ୍ଚ!..


କ୍ଲାସ ଆଜି ଆରମ୍ଭ ହେବାର ସୂଚନା ମିଳିଥିଲା। ସେ ସମସ୍ତ ପ୍ରସ୍ତୁତି ସହ ଆସିଥିଲା କିନ୍ତୁ କିଛି ଅନିର୍ବାର୍ଯ୍ୟ କାରଣ ହେତୁ ଆଜି କେବଳ ଲଞ୍ଚ ବ୍ରେକ ପର୍ଯ୍ୟନ୍ତ ପଢ଼ା ହେବ ଆଉ ପରେ B.Tech ପିଲାଙ୍କ ଷ୍ଟ୍ରାଇକ ପାଈଁ 10 ଦିନ ର ସାଇନ ଡେ଼ । ଖବରଟା ଭାରି ସୁଖଦ ନିଶ୍ଚିତ । ଗୋଟେ ହାଲ୍କା ସୁଖପଣରେ ହଜିଗଲା ଶୁଭ୍ରା ଆଉ ତା' ଅଜାଣତରେ ତିନୋଟି କ୍ଲାସ ବି ସରିଗଲା। ମନରେ ଖୁସି, ଭଦ୍ରକ ଫେରିଯିବ ସ୍ୱାମୀ ଆଉ ପୁଅ ପାଖକୁ ।


ଏବେ ବହୁଡ଼ିବା ପାଳି। ଭାରି ଭଲ ଲାଗିଲା କ୍ୟାଣ୍ଟିନ୍ ରେ ଗରମ କଫି ଆଉ ବିସ୍କୁଟ। ସେତକ ଆତ୍ମସାତ କରି ବାହାରିଆସିଲା ଶୁଭ୍ରା । ରାଉରକେଲା ଆସି ଭୁବନେଶ୍ୱର ରେ ପହଁଚିଲା, 

ବେଶ କିଛି ସମୟ ପ୍ରତୀକ୍ଷା ପରେ ଆସିଲା ଭଦ୍ରକ ବସ। ଆଉ ଶୁଭ୍ରା ଆରମ୍ଭ କଲା ତା'ର ପ୍ରତ୍ୟାବର୍ତ୍ତନ ।


***


ଭଦ୍ରକ ରେ ପହଞ୍ଚିଲା ବେଳକୁ ତିନିଟା ପନ୍ଦର , ଧୁ ଧୁ ଖରା । ତା' ଶ୍ୱଶୁର ଘର କଲୋନି ଟିକେ ଦୂର। ଯିବାକୁ କୌଣସି ରିକ୍ସା ରାଜି ହେଲେନି ଏଇ ନିଛାଟିଆ ଖରାବେଳେ। ସେଠୁ ଫେରିଲେ କିଛି ଗ୍ରାହକ ମିଳିିବେନି ଏଇ ଖରାରେ ତେଣୁ ସବୁ ମନା କଲେ। ଟେମ୍ପୁ ତା' କଲୋନି ଆଡେ ଯିବ ରିଜର୍ଭ କଲେ। ପୁରା ଦୁଇ ଶହ ଟଙ୍କା ନେବ ହୁଏତ କିଛି ଅଧିକ ବି କହିପାରେ ଖରା କୁ ଦେଖି । କ'ଣ କରିବ ଶୁଭ୍ରା ଭାବୁଛି , ଏତିକି ବେଳେ ହଠାତ୍ ଶୁଣିଲା ଗୋଟେ ପରିଚିତ ସ୍ୱର, " କି ,ଏଇ ଖରାବେଳେ ଏକା ଏକା କ'ଣ କରୁଛୁ ଏଠି ?"


ନିଜ ଚେହେରାକୁ ହେଲମେଟ ତଳେ ଢାଙ୍କି ଦେଇଥିବା ପିଲାଟିକୁ କିନ୍ତୁ ଖୁବ୍ ଭଲ ଭାବେ ଚିହ୍ନି ଗଲା ସେ , ଅଂଶୁମାନ , ହଁ ଆଉ କିଏ ଅଛି ଏମିତି କହିବ। କାହାଠୁ ଆଉ ଏତେ ନିଜରପଣିଆ ପାଇବ ଶୁଭ୍ରା ।


ଅଂଶୁମାନର ନାଁ ଥିଲା ଉଡାଚଢେଇ , ସାଙ୍ଗ ସବୁ ଖୁସି ରେ ଦେଇଥିଲେ ନାଁ।ଘରକୁ ଆସିଛି ବୋଧେ, ହଁ ପଢା ସାରି ସେ ଏବେ ସଫ୍ଟୱାର ଇଞ୍ଜିନିଅର ବାଙ୍ଗାଲୋର ରେ ।


ଅଛି ନା ଥିଲା ....ହୁଁ ହୁଏତ ଉଭୟ ସତ। ଶୁଭ୍ରା ର ଏକ ଏକାନ୍ତ ଅଧିକାର ଅଛି, ଥିଲା ଆଉ ରହିବ ଉଡାଚଢ଼େଇ ଉପରେ। ଯଦିଚ ସେମିତି ଗୋଟେ ସଜ୍ଞା ନାହିଁ ସେ ଦୁହିଁଙ୍କ ସମ୍ପର୍କର ।


***


ଏଇ ଧୁ ଧୁ ଖରାରେ ଏଠି ଅଂଶୁମାନ ମିଳିିଯିବା ସତରେ ଭାରି ଖୁସି ଖବର। ମନ ପୁରା ହାଲ୍କା ହେଇଗଲା ତା'ର ଆଉ ବିନା ଉପକ୍ରମରେ ଯାଇ ଅଂଶୁ ପାଖରେ ପହଞ୍ଚି ସେ କହିଲା , "ଶୁଣ ଯିବୁ କି ତୁ ଘରକୁ , ମୋତେ ଟିକେ ମୋ ଘରେ ଡ୍ରପ କରିଦେବୁ। "


ଶୁଭ୍ରା କୁ କି ମନା କରିହୁଏ ! ଅଂଶୁମାନ ହସିଲା ଆଉ କହିଲା, " ତୁ ମୋତେ ପଚାରୁଛୁ ନା' ଅର୍ଡର ଦେଉଛୁ ଯେ? ବସ ଯିବା !.......


ଗୋଟେ ନିଶ୍ଚିନ୍ତ ଅନୁଭବ ଆବୋରି ନେଲା ଶୁଭ୍ରା କୁ ଦାୟିତ୍ୱ ସମ୍ପନ୍ନ ଚାଳକ ହାତରେ ନିଜକୁ ସାମର୍ପି ଦେଇ। ନିର୍ଜୀବ ବାଇକ୍ ଟା ମୁହୂର୍ତ୍ତରେ ଜୀବନ୍ତ ହେଇ ଧାଇଁଲା ଗନ୍ତବ୍ୟ ପଥରେ।


ଶୁଭ୍ରା ,ଖରାରୁ ନିଜକୁ ବଞ୍ଚେଇ ସନଗ୍ଲାସ ଭିତରେ ଆଖିକୁ ବୁଜି ନେଇ ହଜିଗଲା ଟିକେ ଅତୀତରେ। .....

କଲେଜ ଆସିବା ପରେ ଜଣା ଗଲା କଲେଜର ସବୁଠୁ ଚର୍ଚ୍ଚିତ ନାଁ ହେଉଛି ଅଂଶୁମାନ ରାୟ, ଯାହାକୁ ଝିଅ ଆଉ ପୁଅ ସବୁ ଡରୁଥିଲେ। ଶୁଭ୍ରାର ସଙ୍ଗାତ ସ୍ମୃତି ପାଖେ ସବୁଦିନ କିଛି ନା କିଛି ଖବର ଥିଲା ତା' ନାଁରେ। କିନ୍ତୁ ଯେବେ ଶୁଭ୍ରା ଭେଟିଲା ଅଂଶୁକୁ , ମିଳିଗଲା ଉଡାଚଢ଼େଇ ପୁଣି ଥରେ ଆଉ ଲାଗିଲା ଭାରି ଭଲ।


ଗୋଟେ ସ୍ୱଚ୍ଛ ନିର୍ମଳ ମଣିଷ ଟେ ଥିଲା ଲୁଚିକି ବଦନାମ ପିଲା ଭିତରେ। ଯାହାକୁ ଆବିଷ୍କାର କରିଥିଲା ଶୁଭ୍ରା ଖୁବ୍ ନିଖୁଣ ଭାବେ। ସତରେ ଉଡାଚଢ଼େଇ, ବାପାଙ୍କ ଠାରୁ ଦୂରରେ ରହି ବିଗିଡି ଯାଇଥିଲା ଆଉ ଏମିତି ହଜେଇ ଦେଇଥିଲା ନିଜ ପରିଚୟ। ଶୁଭ୍ରାର ସହଚାର୍ଯ୍ୟରେ ପୁଣି ଝଲସି ଉଠିଥିଲା ଭଲ ମଣିଷର ରୂପ। ଆଉ ସବୁଠୁ ଭଲ ବନ୍ଧୁଟିଏ ମିଳିଯାଇଥିଲା ଶୁଭ୍ରା କୁ।


ଯେବେ କିଛି ସମସ୍ୟା ହେଉଥିଲା ଗୋଟେ ଫୋନ୍ ରେ ଆସିଯାଉଥିଲା ଅଂଶୁ।


ଯେବେ ଭଉଣୀ ଦେହ ଖରାପ ଥିଲା ,ଅଂଶୁ ହିଁ ଥିଲା ଶୁଭ୍ରା ସହ । ଶୁଭ୍ରା ର ଲୁହ ସହ ନିଜ ଲୁହକୁ ମିଶେଇ ଦେଇଥିଲା ଅଂଶୁମାନ। ଛୋଟ ବଡ଼ ସମସ୍ୟାରେ ଅଂଶୁ କୁ ସେ ଯେମିତି ସାହସ ଦେଉଥିଲା ଠିକ ସେମିତି ଅଂଶୁ ତାକୁ ସହାରା ଦେଉଥିଲା। ଭାରି ଦାୟିତ୍ୱବାନ ଥିଲା ଅଂଶୁ ଆଉ ଖୁବ୍ ନିର୍ଭରଶୀଳ ଥିଲା ଶୁଭ୍ରା ତା ଉପରେ। ଏଇ ଆନ୍ତରିକତା କିନ୍ତୁ କେବେ ନିର୍ଦ୍ଧିଷ୍ଟ ନାମ ଭିତରେ ବାନ୍ଧି ନଥିଲେ କେହି।ନା' କେବେ ଅଂଶୁ ଯତେଇ ଥିଲା ନା' କେବେ ଶୁଭ୍ରା କିଛି କହିଥିଲା। ହେଲେ ସଜଳ ସଜ୍ଞାହୀନ ସମ୍ପର୍କଟେ ଥିଲା ସାଇତା ହେଇ।


ଏଇ ଅଂଶୁକୁ ଯେବେ ସେ ଫୋନ୍ କରି ଜଣେଇଥିଲା ନିଜ ବହାଘର କଥା । କାହିଁକି କେଜାଣି ପ୍ରଥମେ ସେ ବିଶ୍ୱାସ କରିନଥିଲା। ଆସିଥିଲା ଧାଇଁ ସନ୍ଧ୍ୟାରେ ଦେଖିବାକୁ ତା'କୁ। ସେ ଟିକେ ଲାଜ ଲାଜ ହେଇ ଦେଖେଇଥିଲା ତା' ଏନଗେଜମେଣ୍ଟ୍ ରିଙ୍ଗ । ଅଂଶୁ ସେ ରିଙ୍ଗ ଦେଖି ନିରବ ହେଇଯାଇଥିଲା । ମାମା ଯେତେ ବାଧ୍ୟ କଲା ସେଦିନ ଅଂଶୁ ତା' ଫେଭରାଇଟ୍ ପୁରୀ ଉପମା ଆଉ ଘୁଗୁନି ବି ଖାଇ ନଥିଲା। ଚାଲିଯାଇଥିଲା ବିନା କିଛି କହି ।


***


ସେଇ ସ୍ୱପ୍ନିଳ ଅତୀତ ପୃଷ୍ଠାରୁ ଫେରି କିଛି ସମୟ ପରେ ଶୁଭ୍ରା ଖୋଲିଲା ଯେବେ ଆଖି , ଆଶ୍ଚର୍ଯ୍ୟ ହେଇଗଲା। ସେମାନେ ଥିଲେ ଗୋଟେ ଅଜଣା ରାସ୍ତାରେ। ଟିକେ ଶଙ୍କିତ ସ୍ୱରରେ କହିଲା ସେ , " ଅଂଶୁ କୁଆଡେ ଯାଉଛୁ , ଏଇଟା ତ' ଘର ରାସ୍ତା ନୁହେଁ?"


ଅଂଶୁମାନ ଟିକେ ରହସ୍ୟ କରି କହିଲା, " ଯେବେ ତୋତେ ନେଇଯିବାର ଥିଲା ସେବେ ତ ନେଇନି ଆଉ ଆଜି କ'ଣ ନେବି। ଏବେ ତ' ବହୁତ ଡେରି ହେଇଗଲାଣି"।


ସେପଟ ରାସ୍ତାରେ କାମ ଚାଲୁଛି ତେଣୁ ଏପଟେ ଯାଉଛି ତୋତେ ନେଇ ଘରେ ହିଁ ଛାଡ଼ିବି।


Rate this content
Log in

Similar oriya story from Drama