Patitapaban Pani

Drama Inspirational

4  

Patitapaban Pani

Drama Inspirational

ବାଳି ଉପାଖ୍ୟାନ

ବାଳି ଉପାଖ୍ୟାନ

4 mins
298


ଟାଇଁ ଟାଇଁ ଖରାବେଳ, ମନହେଲା କିଛି ଥଣ୍ଡାପାନୀୟର ବ୍ୟବସ୍ଥା ଯଦି ହେଇ ପାରନ୍ତା ତାହେଲେ ଆତ୍ମା ଟିକେ ତୃପ୍ତି ଲାଭ କରନ୍ତା । ଆଜ୍ଞା ହଁ ମୋ ପୈତୃକ ଗ୍ରାମ ର ନାଁ ହେଉଛି ଓଲଟୁଙ୍ଗା । କିନ୍ତୁ ଯେତେବେଳେ ଇଂଜିନିୟରିଂ କରୁଥିଲି କେହି ପଚାରିଲେ ଲଜ୍ଜା କୁ ଏଡ଼ାଇବା ପାଇଁ ଚୁନିଦା କହିଦିଏ !ସେଥିପାଇଁ ଯଦିଅ ପରମୁହୂର୍ତ୍ତରେ ମୁଁ ନିଜକୁ ଧିକାର ବି କରିଛି ଏବେ କିନ୍ତୁ ପାଖାପାଖି ପଚିଶି ବର୍ଷ ହବ ଆମେ ସହରିଆ ହେଇଯାଇଛୁ, କେହି ପଚାରିଲେ ମୁଁ ଗର୍ବରେ କୁହେ ଭଦ୍ରକ ସହରରେ ଆମ ଘର । ଛାଡ଼ନ୍ତୁ ସେ କଥା ! ଗାଁ ପ୍ରତି କିନ୍ତୁ କେଜାଣି କାହିଁକି ମୋର ଥିଲା ଅହେତୁକ ଦୁର୍ବଳତା । ଛୋଟ ବେଳର ଅନେକ ସ୍ମୃତି ସେ ଗାଁ ରେ । ଆଜି ବାଳି ଉପାଖ୍ୟାନ ବି ସେଇ ଗାଁ କଥାକୁ ନେଇ । ହଁ ମୁଁ ରାମାୟଣ ର ବାଳି କଥା କହୁନାହିଁ ଆଜ୍ଞା , ମୁଁ କହୁଚି ଆଇସକ୍ରିମ ବିକାଳି ବାଳି କଥା ।

ଗଲା କିଛି ବର୍ଷ ହେଲା ପ୍ରକୃତି ଯେମିତି ଦାଉ ସାଧିଛି ଏ ମଣିଷ ସମାଜ ଉପରେ । ଚିଡିଆଖାନା ର ପଶୁ ଭଳି ବର୍ଷ ବର୍ଷ ବନ୍ଦ ରହିଲେ ଆମେ ଘର ଭିତରେ ଆଉ ଏବେ ଟିକେ ସେଥିରୁ ମୁକ୍ତି ମିଳିଲା କି ନାହିଁ ଯେ ଏ ଖରା ! ଆଃ ସତେକି ଜୀବନ ଟା ବାହାରିଯିବ। ଏ ସଫ୍ଟୱାର ଚାକିରୀ ଆଉ ଏ ମୀଟିଙ୍ଗ.. ବିରକ୍ତିକର ଲାଗିଲାଣି ସବୁ ! ମୀଟିଙ୍ଗ ରୁ ଅନ୍ୟମନସ୍କ ହୋଇ ମୁଁ ଅନେଇଥାଏ ଦିଦି ଙ୍କ ଘର ସାମ୍ନା ରେ ଥିବା ନଡ଼ିଆ ଗଛଗୁଡାକୁ ଠିକ ଛ ଫୁଟ ଦୂରତାରେ ଯେମିତି ମହାମାରୀ ରେ ଆମ ମାନଙ୍କ ଦୂରତ୍ୱ ଛ ଫୁଟ ହେଇଯାଇଛି । ଏମିତି ଅନ୍ୟମନସ୍କତା ଭିତରେ ଇଛା ହେଲା କେହି ଜଣେ ଆଇସକ୍ରିମ ଟିଏ ଦିଅନ୍ତାନି ! ଆଇସକ୍ରିମ ହେଉଛି ମୋର ଦୁର୍ବଳତା, ସମ୍ଭାଳି ପାରେନି ନିଜକୁ । ଆଉ ଆଇସକ୍ରିମ କଥା ଆସିଲେ ମୋତେ ମନେପଡେ ବାଳି କାକା । ଗାଁ ଶେଷ ମୁଣ୍ଡ ବରଗଛ ତଳେ ତାର ଚାଳି ଦୋକାନ , ନଡ଼ିଆ ଆଇସକ୍ରିମ ଆଉ ରଙ୍ଗବେରଙ୍ଗି ରସ୍ନା ବିକେ ସେ । ମଳିଛିଆ ପଟା ଖଣ୍ଡେ ପିଟା ହେଇ ଦିଖଣ୍ଡ ବାଉଁଶ ଉପରେ ଗୋଟେ ଲଂଗ ବେଞ୍ଚ ଟେ ବାଗେଇଦେଇଛି ସେ ନିଜ ହାତରେ । ଚାଳିରେ ଓଳା ହେଇଥିବା ମର୍ଫି ରେଡ଼ିଓ ଟା ସବୁବେଳେ ବାଜୁଥିବ ଆଉ ଖୋକା ଭାଇଙ୍କ ଗୀତ କିଛି ଅନତି ଦୂର ଯାଏଁ ଶୁଣା ଯାଉଥିବ । ମା ସହ ଜିଦି କରେ ସବୁଦିନ ଉପରବେଳା ଆଇସକ୍ରିମ ଖାଇବା ପାଇଁ, ଦି ଚଟକଣା ଦେଲେ ବି ବାପା ତାଙ୍କ ସାଇକଲରେ ବସେଇ ନେଇଯାନ୍ତି ବଜାରକୁ। ମୁଁ ବାପାଙ୍କୁ କୁହେ ବାଳି କାକା ଦୋକାନ କୁ ଯିବାପାଇଁ ହେଲେ ସେ କୁହନ୍ତି ତା ଆଇସକ୍ରିମ ରୁ କାଳେ କିରୋସିନ ପକେଇକି ଦେଖିଲେ ପୋକ ବାହାରେ । ସେଥିପାଇଁ ବାପା ମୋତେ ବଜାରରେ ନେଇ କପ ଆଇସକ୍ରିମ ଖୁଆଇଦିଅନ୍ତି । ବାଳି କାକା ଦୋକାନରୁ ଆଇସକ୍ରିମ ଖାଇବାର ଅଦମ୍ୟ ଇଛା ମୋର ସ୍ବପ୍ନରେ ହିଁ ରହି ଯାଇଥିଲା ।

ପଞ୍ଚମ ଶ୍ରେଣୀ ରେ ଥାଏ ସେତେବେଳେ । ଖରାଛୁଟି ହେଇଥାଏ , ବାପା ଘରେ ନଥାନ୍ତି, ପଚିଶି ପଇସା ଟେ ମା ପାଖରୁ ନେଇ ଲୁଚି ଲୁଚି ଚାଲିଲି ବାଳି କାକା ଦୋକାନ ଆଡେ ବସି ପଡିଲି ଯାଇ ତାର ସେ ବାଉଁଶ ଓ କାଠପଟା ର ବେଞ୍ଚ ଉପରେ । ହସିଦେଲା ମୋତେ ଅନେଇ, କହିଲା ବାବୁ କଣ ଆଇସକ୍ରିମ ଖାଇବ । ମୁଣ୍ଡ ଟୁଙ୍ଗାରି ହଁ କଲି, ପଚାରିଲା ନଡ଼ିଆ ନା କମଳା ଆଇସକ୍ରିମ ! ନଡ଼ିଆ ଵାଲା ଦବ - ତା ପାଖରୁ ନଡ଼ିଆ ଆଇସକ୍ରିମ ଖାଇବାର ଅଦମ୍ୟ ଇଛା କୁ ଗୋଟେ ନିଶ୍ୱାସ ରେ ପ୍ରକାଶ କରିଗଲି । ହାତକୁ ବଢ଼େଇ ଦେଲା ଧଳା ବରଫ ଉପରେ ନଡ଼ିଆ ଚାଦର ପଡିଥିବା ଆଇସକ୍ରିମ ଟେ । ସ୍ମିତହାସ୍ୟ ଟେ ବାହାରିଗଲା ଆଉ ତାକୁ ବାଳି କାକା ଠିକ ଅନୁଭବ କରି ପାରୁଥିଲା । ଖାଇସାରି ପଇସା ଯାଚିଲି, କହିଲା ବାବୁ ଆଜି ପ୍ରଥମଥର ଆସିଚ, ଏ ଆଇସକ୍ରିମ ଟା ମୋ ତରଫରୁ । ସେଇତ, ଗାଁ ଲୋକଙ୍କ ଏ ନିଷ୍କପଟ ଭାବରେ ହିଁ ତ ପ୍ରେମ ଆଉ ଅତ୍ମୀୟତା ଥାଏ । ବାହାରି ଆସିଲି ତା ଦୋକାନ ରୁ, ଚାଲିଲି ଘର ଅଭିମୁଖେ । ତାର ବାବୁ ଡାକ ଆଉ ଅନେକ ଦିନର ଆଇସକ୍ରିମ ଖାଇବାର ଆଶାପୂରଣ ମୋ ଚାଲିବାର ଦର୍ପ ଠିକ କହିଦେଉଥାଏ । ୟା ଭିତରେ ବୁଢୀମା କାନିରୁ ପଇସା ଚୋରି କରି କେତେ ଥର ଯେ ମୁଁ ବାଳି କାକା ପାଖରୁ ଆଇସକ୍ରିମ ଖାଇଛି ତାର ହିସାବ ନଥିଲା । ବାପା ବି ଭାବୁଥିଲେ ପିଲାଟା ସୁଧୁରି ଗଲାଣି ଆଉ ଜିଦି କରୁନି ଆଇସକ୍ରିମ ପାଇଁ ।

ପ୍ରତିବର୍ଷ ଖରାଛୁଟି ରେ ମୁଁ କୋରାପୁଟ ରୁ ଯେତେବେଳେ ଗାଁ କୁ ଯାଏ, ସେତେବେଳେ ନିଶ୍ଚିତ ବାଳି କାକା ଦୋକାନକୁ ଯାଏ ଆଇସକ୍ରିମ ଖାଇବା ପାଇଁ । ମୋର ବୟସ ବଢିବା ସହିତ ବାଳି କାକା ତାର ବୟସର ଅପରାହ୍ନ ଆଡକୁ ଗତି କରୁଥାଏ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପରେ ମୁଁ ଯାଇଥାଏ ଗାଁ କୁ, ଯଦିଓ ସେତେବେଳେ ଆମେ ଭଦ୍ରକ ସହରରେ ଘର କରିସାରିଥିଲୁ କିନ୍ତୁ ସମୟ ପାଇଲେ ମୁଁ ଦୌଡେ ଗାଁ କୁ । ପଶିଗଲି ତା ଦୋକାନ ରେ, ସେଇ ଚାଳ ଛପର ଦୋକାନ ଆଉ ସେଇ ମର୍ଫି ରେଡ଼ିଓ । ଦେଖିଦେଇ ଖୁସି ହେଇଗଲା, କହିଲା ବାବୁ ତୁମେ ଜମା ବଦଳିନ, ଯେମିତି ଥିଲ ଠିକ ସେମିତି । କହିଲା ସହରର ଅମୁଲ ଆଇସକ୍ରିମ ଛାଡି ମୋ ପାଖକୁ ଆସୁଚ ଯେ ବାବୁ, କଣ ଏମିତି ସ୍ୱାଦ ଅଛି ଏ ଆଇସକ୍ରିମ ରେ ! ମନେମନେ ଭାବିଲି ଏ ଅତ୍ମୀୟତା କଉଠୁ ପାଇବି ।

କହିଲା ବାବୁ ଆଇସକ୍ରିମ ଦାମ ବଢିଯାଇଛି, ଦୁଇ ଟଙ୍କା । ମୁଁ ହସିଲି, କହିଲି ହଉ ଦିଅ। ଥରଥର ହାତରେ ବଢ଼େଇଦେଲା ମୋ ହାତକୁ, ଠିକ ସେଇ ପୁରୁଣା ଦିନର ସ୍ମୃତି କୁ । ଖାଇଦେଇ ପାଞ୍ଚଟଙ୍କା ବଢ଼େଇ କହିଲି ଥାଉ ପୁଣି କେବେ ଆସିବି, କହିଲା ନାଇଁ ବାବୁ ପଇସା ନେଇଯାଅ । କେଉଁ ମୁହୂର୍ତ ରେ ଜୀବନ ଟା ଚାଲିଯିବ, ବାକି ପଇସା କଣ ଆଉ ଫେରି ପାଇବ ! ମନଟା ଆମ୍ବିଳା ଲାଗିଲା, କାକା ନିଜର ନହେଲେ ବି ମୋର ପିଲାଦିନର ସ୍ମୃତି କୁ ଜାବୁଡି ଧରିଥିଲା ସେ । ପଚାରିଲି -" କାକା ବୟସ କେତେ ହେଲା ?" ହସି ଦେଇ କହିଲା ପଚସ୍ତରି !

ଫେରି ଆସିଲି କାକା କୁ ପଛକରି, ସେ କିନ୍ତୁ ସେମିତି ଅନେଇଥାଏ ସେ ଟୁଙ୍ଗୀ ଘରୁ ।

ଇଂଜିନିୟରିଂ ଆଡ଼ମିସନ ହେଇଯାଇଥାଏ ମୋର, କଲେଜ ର କୋଳାହଳ ଜୀବନ ଭିତରେ ଗାଁ କଥା ଆଉ ବାଳି କାକା କଥା ମୁଁ ପାସୋରି ଯାଇଥାଏ । ସେତେବେଳେ ଦ୍ଵିତୀୟ ବର୍ଷରେ ଥାଏ , ସେମିଷ୍ଟାର ପରୀକ୍ଷା ସରିଥାଏ । ଅସହ୍ୟ ଗରମ । ହଠାତ ଘର ବାହାରେ ଆଇସକ୍ରିମ ଵାଲାର ଡବ ଡବ ଶବ୍ଦରେ ମୁଁ ଚମକି ପଡିଲି । ମନେ ପଡିଲା ବାଳି କାକା କଥା ସେଇ ଖରାବେଳଟାରେ ବାହାରିପଡ଼ିଲି ଗାଁ କୁ। ସେଦିନ କଣପାଇଁ କେଜାଣି ବାଳି କାକା ର ଆଇସକ୍ରିମ ଖାଇବାକୁ ଭାରି ଇଛା ହଉଥିଲା, ପହଂଚିଗଲି ଗାଁ ରେ । ବାଳି କାକା ଦୋକାନ ସାମ୍ନା ରେ ସ୍କୁଟି ରଖି ଅନେଇଲି ଏପଟ ସେପଟ, ମର୍ଫି ରେଡ଼ିଓ ଟା ବାଜୁଥିଲା - ହାତରେ ମୋ ମୁଠା ମୁଠା ଶରଧା ବାଲି ! 

ପାଖରେ ଥିବା ଗୋଟେ ଗାଁ ପିଲାକୁ ପଚାରିଲି - ବାଳି କାକା ଦୋକାନ ରେ ନାହାନ୍ତି କି ! କହିଲା କାକା ଙ୍କୁ ରାମ ନେଇଗଲେ ଅନେଇଲି ଦୁରକୁ ବାଳି କାକା ର ଶବଯାତ୍ରା ଯାଉଥିଲା ରାମନାମ ସତ୍ୟ ହେ ! ରାମନାମ ସତ୍ୟ ହେ ! ସ୍ମୃତି ସବୁ ପାଉଁଶ ହେଇଯାଉଥିଲା ! ତାପରେ ହାତରେ ମୋ ମୁଠା ମୁଠା ଶରଧାବାଲି ଗୀତ ଟି ମୋର ପ୍ରିୟ ହେଇଯାଇଥିଲା ! ହଁ ବାଳି କାକା ମାଟିରେ ମିଶି ସାରିଥିଲା ।


Rate this content
Log in

Similar oriya story from Drama