Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narayan chandra Senapati

Romance


3  

Narayan chandra Senapati

Romance


ସେଇ ଝିଅଟି

ସେଇ ଝିଅଟି

9 mins 629 9 mins 629


ସେଦିନ ନୂଆ କରି ଅଫିସ୍ ରେ ଜଏନ କରିଥାଏ ସମ୍ଭବ। ନୂଆ ଜାଗା ନୂଆ ଲୋକ ତାକୁ ସବୁ କିଛି ଖାଁ ଖାଁ ଲାଗୁଥାଏ । ଜାଗାଟା ବି ସେତେ ଭଲ ଲାଗୁ ନ ଥାଏ। ପରିବେଶ ଟା ଟିକେ ଅପରିଷ୍କାର ଆଉ ଟିକେ ଅନୁନ୍ନତ ବି। ଅଳ୍ପ କେଇଦିନ ହେବ ନିଜକୁ ଆଡ୍ ଜଷ୍ଟ କରିବାକୁ ବହୁ ଚେଷ୍ଟା ବି ସେ କରିଛି। ହଠାତ୍ ଦିନେ ଗୋଟିଏ ନାଁ ତା କାନରେ ବାଜିଲା। ସତେ ଯେମିତି ସେ ନାଁ ଶୁଣିଥିଲା ଆଗରୁ। ନାଁ ଟା ବି ବହୁତ ଖାସ ଆଉ ଉନ୍ନତ ଥିଲା। ଭାବିଲା ନାଁ ଟି ଯେହେତୁ ଏତେ ଉନ୍ନତ,ପ୍ରାୟତଃ ସେ ବି ସେମିତି ହୋଇଥିବ। ଦିନେ ଦୈବାତ କୌଣସି କାରଣରୁ ତା ସହ ଦେଖା ସାକ୍ଷାତ ହୋଇଗଲା। ଆଉ ସେ ବି ଆସି ସମ୍ମାନର ସହ ଅଭିବାଦନ ଜଣାଇଲା। ସମ୍ଭବର ଖୁସି କହିଲେ ନ ସରେ। ଖାଲି ସେତିକି ନୁହଁ ତା ରୂପ ଲାବଣ୍ୟ ବିଶେଷ କରି ତା ଗୋଲାପି ଓଠର ସୁନେଲି ହସ ତା ମନକୁ ପୁରାପୁରି କିଣିନେଲା। ସତରେ କି ଚେହେରା। ଗୋରା ତକ ତକ ଦେହ,ଢଳ ଢଳ ଆଖି,ଆଉ ଅଧା ଫୁଟା ଗୋଲାପ ପରି ହସରେ ଲୁଚା ଲୁଚା ଚାହାଣୀ। ସମ୍ଭବ ବି ଦୁଇ ଚାରିପଦ କଥା ନହୋଇ ରହିପାରିଲା ନାହିଁ। ଆଃ କି ସୁମଧୁର କଣ୍ଠସ୍ୱର ତାର! ତା ପେଟ ପୁରିଗଲା। ତାକୁ ଯେମିତି ସବୁଆଡ଼ ବସନ୍ତ ବସନ୍ତ ଲାଗିଲା। ଆସୁଛି କହି ସିନା ଚାଲିଗଲା ହେଲେ କିଛି ବାଟ ଯାଇ ପଛକୁ ଚାହିଁ ଯେଉଁ ମୁରୁକି ହସାଟା ଯେଉଁ ମାରିଦେଲା ତାହା ଥିଲା ସମ୍ଭବ ପାଇଁ ଅଭୁଲା । ଏତିକି ଭିତରେ ସମ୍ଭବ ପାଇଗଲା କିଛି କୋମଳ ସ୍ପର୍ଶ ଆଉ ସରାଗର ପହିଲି ବାର୍ତ୍ତା। ସତେ ଯେମିତି ତାର ହସର ମନ୍ଦ ମଳୟ ଛୁଇଁ ଦେଲା ତା ଗାଲକୁ।ତା କଣ୍ଠର ମାଧୁରୀମା ଆଉଁସିଦେଲା ତା ହୃଦୟକୁ।ତା ଚାହାଣୀର ଜୁଆର ଦୋଳି ଖେଳେଇଦେଲା ତା ପ୍ରେମର ମଧୁ ଝରଣାକୁ।ଆଖି ବୁଜିଲେ ବି ତା ହଲଦୀବସନ୍ତ ଚେହେରା ଆଉ କୋଇଲର ମଧୁତାନ।ଆଖି ଖୋଲିଲେ ବି ତା ହସ ହସ ତୋଫା ଚେହେରା।ଆନନ୍ଦର ପାରିଜାତ ସତେ ଯେମିତି ତା ଉପରେ ବୃଷ୍ଟି।କ'ଣ ଯାଦୁକାରୀ ଶକ୍ତି ଥିଲା ତା ପାଖରେ...କି କୁହୁକ ଜାଲରେ ଛନ୍ଦିଦେଲା ସେ।ସତରେ ଚଗଲି ଟାଏ ସେ।ନହେଲେ କେମିତି ଚହଲାଇ ଦେଇଥାନ୍ତା ତା ଧୀର ଅବିଚଳିତ ମନକୁ।


 ତାର ଅନୁପସ୍ଥିତି ତାକୁ ଖାଁ ଖାଁ ଲାଗିଲା।କେମିତି ଜାଣିବ ସେ କିଏ,କ'ଣ କରୁଛି ଭାଳିହେଲା ସମ୍ଭବ।ଶେଷରେ ଜାଣିଲା ସେ ଭଲଭାବେ ପରିଚିତ କୁନି ଝିଅ ସପନାର ସେ ବଡ଼ ଭଉଣୀ।ସପନାକୁ ଏସବୁ କେମିତି ପଚାରିବି ଯେ।ଚତୁରତାର ସହ ମଜା ଖୁସି କରି ପଚାରି ଜାଣିଲା ସେ ଏଇଠୁ ପଚାଶ କିଲୋମିଟର ଦୂର ଏକ ସରକାରୀ ମହାବିଦ୍ୟାଳୟରେ ପଢୁଛି।ଉଚ୍ଚ ମେଧାବୀ ସମ୍ପନ୍ନ ଝିଅବୋଲି ଜାଣିବାକୁ ତାକୁ ବାକି ରହିଲା ନାହିଁ।କଣ କରିବ,ତା ବିନା ତାକୁ ଶୂନ୍ୟ ଶୂନ୍ୟ ଲାଗୁଛି,ଅନ୍ଧାର ବି ଲାଗୁଛି।ଆଦୌ ଭଲ ଲାଗୁନାହିଁ ତାକୁ,କାହାକୁ ବା କହିବ।ମଝିରେ ମଝିରେ ତା କଥା ସେ ସପନାକୁ ବୁଝି ଜାଣିଦିଏ ଆଉ ବହୁତ ଖୁସିହୁଏ ମଧ୍ୟ। ତାର ଇଚ୍ଛା ହେଉଥିଲା ଚାଲିଯାଆନ୍ତିକି ତାଙ୍କ କଲେଜ କୁ ଟିକିଏ, ତା ସୁନ୍ଦର ଚେହେରାକୁ ଦେଖି ଆସନ୍ତି,ତା ଓଠରୁ ମିଠା ମିଠା କଥା କେଇପଦ ଶୁଣି ଆସନ୍ତି।ହେଲେ ଏ କଣ ସମ୍ଭବ?କେଉଁ ପରିଚୟ ନେଇ ସେ ଯିବ ଯେ ?କେଉଁ ପରିଚୟ ନେଇ ସେ ଦେଖା କରିବ ? ମନକୁ ମନ ମାରି ସେ ନିଜ କାମରେ ଲାଗିଲା।ଦିନେ ଦିନେ ପଚାରେ ଏ ସପନା କେବେ ସିଏ ଆସିବ ? ସପନା ହସି ହସି କହେ, ଏଇ ଗଣେଶ ପୂଜା ବେଳକୁ ଆସିବ।ଆମ ପୂଜାକୁ ଡାକି ଆଣିବୁ ତ?ସପନା ହସି ହସି ହଁ କହି ଚାଲିଗଲା।ସତକୁ ସତ ଥରେ ଦୁଇଥର ସେ ସମ୍ଭବର ଅନୁଷ୍ଠାନର ପୂଜାକୁ ଆସିଛି।ସମ୍ଭବର ଖୁସି କ'ଣ ଦେଖିବ!ତାକୁ ଆଖି ପୁରେଇ ଦେଖେ,ସୁଯୋଗ ପାଇଲେ ଦି ଚାରିପଦ କଥା ହୋଇ ଖୁସି ହୋଇଯାଏ।କେମିତି ନ ହୋଇଥାନ୍ତା ସେ ପରା ତା ସରଗ ପରୀ,ହୃଦୟର ରାଣୀ।


 ଅଧିକ ଦିନ ଗ୍ୟାପ ହେଲେ ତାକୁ ଆଦୌ ଭଲ ଲାଗେନାହିଁ।ଏମିତିକି ସେ ଅସମ୍ଭାଳ ହୋଇ ଦୁଇ ତିନି ଥର ତାଙ୍କ କଲେଜକୁ ଯାଇଛି,ମାତ୍ର ଦୁର୍ଭାଗ୍ୟ ବଶତଃ ଦେଖାକରିପାରି ନାହିଁ।


 ଏଇମିତି ଦିନ ପରେ ଦିନ,ମାସ ପରେ ମାସ ପୁରା ଦୁଇବର୍ଷ ଚାଲିଗଲା । ଗ୍ରୀଷ୍ମ ଛୁଟିରେ ବାହାରିଲା ତା ପରୀକ୍ଷାଫଳ। ସମ୍ଭବ ବ୍ୟତିବ୍ୟସ୍ତ ହୋଇଗଲେ ଫଳ ଜାଣିବାକୁ।ଜାଣିଲା ସତ, ହେଲେ ଶୁଭେଛାଟିକକ ଜଣାଇପାରିଲା ନାହିଁ। ତାପରେ ଜାଣିଲା ନିକଟ ଆଞ୍ଚଳିକ କଲେଜରେ ହୋଇଛି ତାର ନାମ ଲେଖା। ଏଥର ପ୍ରତ୍ୟହ ଦେଖା ସାକ୍ଷାତ ସମୟର ମୁଚୁମୁଚୁ ହସରେ ଉତ୍ଫୁଲ୍କିତ ହେଉଥାଏ ସମ୍ଭବ।ସତେ କି ଆନନ୍ଦର ପାହାଡ଼ରୁ ତୋଳିଛି ସେ ପ୍ରେମର ବଣମଲ୍ଲୀ।ସରଗ ସୁଷମା ଖସି ପଡିଛିକି ତା ହାତମୁଠାରେ।ରମ୍ଭା ମେନକା ଖସି ପଡିଛନ୍ତି କି ତା ବାହୁବନ୍ଧନରେ।ହେଲେ ଯେଉଁଦିନ ତା ସହ ଦେଖା ହୁଏନା, ତା ମନ ବହୁତ... ଦୁଃଖ ହୁଏ।ସପନାକୁ ପଚାରେ କୁଆଡେ ଗଲା କି?ସପନା ଲାଗେ ସତେ ଯେମିତି ଶାନ୍ତି ମୈତ୍ରୀର କପୋତଟିଏ। ସମ୍ଭବ ଓ ତା ନାନୀ ଦୁହିଙ୍କ ଖବର ଦେବା ନେବାରେ ଆନନ୍ଦ ପାଇ ଆନନ୍ଦ ବାଣ୍ଟେ। ସେଦିନ ସପନା ଆସି କହିଲା,ଜାଣିଛନ୍ତି ନା ଆଜ୍ଞା,ମୋ ନାନୀ ଯିବ ଟ୍ରେନିଂ ଝାରସୁଗୁଡା।ତାର ସିଲେକ୍ସନ ହୋଇଯାଇଛି।ସମ୍ଭବର ମୁହଁଟା ଶୁଖିଗଲା।ଭାବିଲା ମୋ ମନର ମଇନାକୁ ମୁଁ କେମିତି ଏତେ ଦୂରରେ ଛାଡି ରହିବି ଯେ?ଦିନେ ନ ଦେଖିଲେ ପାଗଳି ପରି ଲାଗୁଛି,ହେଲେ ମାସ ମାସ ବର୍ଷ ବର୍ଷ ସେ ତାକୁ ଛାଡି ରହିବ ବା କେମିତି?ନିଜ ମନକୁ ବୁଝାଇଲା ସେ।ତା ବିବେକ କହିଲା,ସେ କଣ ଏଡ଼େ ସ୍ୱାର୍ଥପର।ସେ ଜଣେ ଭଲ ଷ୍ଟୁଡେଣ୍ଟ।ତାର ଭବିଷ୍ୟତ ଅଛି।ତାର କୃତୀରେ ପରା ସବୁଠୁ ବେଶୀ ଖୁସି ହେବା କଥା।ସେ ହସି ହସି ବିଦାୟ ଦେଇ ଶୁଭ ମନାସିବା କଥା।ନିଜ ମନକୁ ଶକ୍ତ କଲା ସମ୍ଭବ।ଯେଉଁଦିନ ସେ ଯିବ, ତା ପୂର୍ବରୁ ତା ସହ ନିଶ୍ଚୟ କଥା ଦୁଇପଦ ହେବ।ତା ବିଷୟରେ ଟିକେ ପଚାରିବ।ଆଉ ଯାହାହେଲେ ବି ମଝିରେ ୧/୨ମାସରେ ଥରେ ଦେଖାକରିବ।


 କିଛିଦିନ ଗଲା,ସମ୍ଭବ ଶୁଣିଲା ତାର ଏଜ୍ ନ ହେବାରୁ ଟ୍ରେନିଂ କ୍ୟାନସେଲ।ଅବଶ୍ୟ ସେ ଏବେ ସବୁଦିନ ପାଖରେ ତାକୁ ଦେଖିବ,ମାତ୍ର ଭବିଷ୍ୟତ ଗଢିବାର ସୁଯୋଗଟେ ତାର ହାତଛଡା ହୋଇଗଲା ଭାବି ସାମୟିକ ଦୁଃଖ ପ୍ରକାଶ କଲା। ପୁଣି ଚାଲିଲା ଦେଖା ସାକ୍ଷାତର ମଧୁର ସ୍ପର୍ଶ,ଖଟା ମିଠା ଲୁଚକାଳି ଖେଳ।ସତେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ ପଠାଯାଇଛନ୍ତି।ରବି ସରୋଜ କିମ୍ବା ଜହ୍ନ କୁମୁଦର ନିଗୁଢ଼ ସମ୍ପର୍କ। ବାୟୁ,ଆଲୋକ,ପରିବେଶ ସତେ ଯେମିତି ଦୁହିଁଙ୍କ ଉଦ୍ଦୀପନାରେ ବିଭୋର।କିଛିଦିନ ଦେଖିଲାନି ତାକୁ।ମନରେ ଉଙ୍କିମାରିଲ ଅନେକ ଅସମାହିତ ପ୍ରଶ୍ନ।ସେ କ'ଣ ତାକୁ ଭୁଲିଗଲା କି? ତା ବିବାହ ପ୍ରସ୍ତାବ ଆସିଛି କି? ସେ ଅନ୍ୟ କେଉଁଠି ପଢିଲାକି?ଏଇମିତି ଅନେକ ମନଗଢା ପ୍ରଶ୍ନ ଗୁଡିକ ତାକୁ ବ୍ୟସ୍ତ ବିବ୍ରତ କରି ପକାଉଥାଏ। ସପନା ଠାରୁ ଜାଣିଲା,ତା ଗୋଡ଼ ଫୁଲିଯାଇଛି,ସେ ଚାଲିପାରୁନାହିଁ। ଘରେ ଶୋଇ କାନ୍ଦୁଛି। ସମ୍ଭବର ଆଖିରୁ ଧାର ଧାର ଲୁହ ବହିଗଲା। ତାକୁ କେତେ କଷ୍ଟ ଲାଗୁ ନ ଥିବ?କେଉଁଆଡ଼େ ଯାଇ ନ ପାରିବାରୁ କେତେ ବୋର ଲାଗୁ ନଥିବ?ମନରେ ଆହୁରି ପ୍ରଶ୍ନ କରୁଥାଏ ସମ୍ଭବ, ସତରେ ସେ କଣ ତାକୁ ଖୋଜୁଥିବ,ଦେଖା ହୋଇନପାରିବାରୁ ମନ ଦୁଃଖ କରୁ ନ ଥିବ? ହଁ ନିଶ୍ଚୟ କରୁଥିବ,କାରଣ ସେ ପରା ବିଜ୍ଞାନରେ ପଢ଼ିଛି ନ୍ୟୁଟନଙ୍କ ତୃତୀୟ ନିୟମ,ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ବଳ ଥାଏ।ସେ ନିଶ୍ଚୟ ମନେ ପକାଉଥିବ। ହଁ ସେ ମନେ ପକାଉ ନ ପକାଉ ! କେମିତି ଶୀଘ୍ର ଭଲ ହୋଇଯାଉ ଠାକୁରଙ୍କୁ ଡାକିଲା,ମା ତାରିଣୀଙ୍କୁ ନଡ଼ିଆ ସୈହିଲା।ମନ ତାର କହୁଥିଲା ଏଇନେ ଗାଡ଼ିରେ ବସାଇ ମେଡ଼ିକାଲ ନେଇ ଭଲ କରି ଆଣନ୍ତା କି।ତାର ବହୁତ ଇଚ୍ଛା ହେଲା ଟିକେ ତାକୁ ଦେଖି ଆସିବାକୁ? କେମିତି କେଉଁ ପରିଚୟରେ ସେ ଯିବ ତାଙ୍କ ଘରକୁ। ଯଦି ତାଙ୍କ ଘରଲୋକ ତାକୁ ତିରସ୍କାର କରନ୍ତି। ତାକୁ ଅପମାନ କଲେ ସେ ସହିଯିବ କିନ୍ତୁ ଯଦି ତା ମନର ମାନସୀକୁ ସନ୍ଦେହ ଧମକ କି ଅପମାନ ଦିଅନ୍ତି ତେବେ ତା ହୃତ୍ ପିଣ୍ଡ ଟା ଫାଟିଯିବ ଯେ । ତା ଆଖିର ଲୁହ କଣ ସେ କେବେ ସହି ପାରିବ? ଯାହେଉ ସନ୍ଧାନ ନେଲା ସେ ଭଲହୋଇଯାଇଛି । ଆଖିରୁ ଗଡ଼ିଗଲା ସମ୍ଭବର ଆନନ୍ଦାଶ୍ରୁ। ମନେ ମନେ କେତେ ପ୍ରଣାମ ଜଣାଇଲା ମା ତାରିଣୀଙ୍କୁ ତା ଡାକ ଶୁଣିଥିବାରୁ।


  ସେଦିନ ଏକ ସୁଯୋଗର ହାତଛଡା କରିନଥିଲା ସମ୍ଭବ।ସପନାର ଆନ୍ତରିକତାର ଡକରାରେ ସେ ଯାଇଥିଲା ତାଙ୍କ ଘରକୁ।ମନେ ମନେ ଖୋଜୁଥାଏ ତାକୁ।କାହିଁ ସେ ତ ଆସୁନାହିଁ।କ'ଣ ରାଗିଛି କି ? ନା ମୁଁ ତାଙ୍କ ଘରକୁ କାହିଁକି ଆସିଛି ବୋଲି ଠିକ୍ ନୁହଁ ଭାବି ଦେଖା କରୁନାହିଁ।ସମ୍ଭବ ଭାବୁଥାଏ ତାର କିଛି ଭୁଲ ହୋଇନାହିଁ ତ?ସପନା ଆସି ଚୁପ କି ତାକୁ କହିଦେଲା, ବ୍ୟସ୍ତ ହୁଅନ୍ତୁ ନାହିଁ ସେ.... ମୋ ନାନୀ ଆସୁଛି।ଆରେ ଏ ସପନା ଟା ଦୁଷ୍ଟ ହୋଇଗଲାଣି।ଉପରେ ରାଗ ଓ ଭିତରେ ପ୍ରେମ ରଖି ଚାହିଁଲା ବେଳକୁ ସପନା ହସି ହସି ଚାଲିଗଲା ଆଉ ଛୁଟିଆସିଲା ତା ମନର ହୃଦୟର ଆତ୍ମାର ମଣିଷଟି।ହସ ହସ ମୁହଁ ସୁଢ଼ଳ ଚାଲି,ଆଖିରେ ଆଖିଏ ଉଦ୍ଦୀପନା,ମନରେ ମେଞ୍ଚାଏ ଆବେଗ ଆସି ଅଭିବାଦନ ଜଣାଇ ଡାକିନେଲା ଭିତର ଘରକୁ।ସମ୍ଭବର ଆଶାର ଦୀପଶିଖାଟା ଉଜ୍ଜ୍ୱଳ ହୋଇଉଠିଲା।ହୃଦୟର ସ୍ପନ୍ଦନଟା କହୁଥିଲା କୁଛ କୁଛ ହୋତା ହେ।ଛିଡା ହୋଇଥାଏ ସେ।ଛେପ ଢୋକି କହିଲି, ବସୁନ,ବସ।ମୋ କଥାକୁ ମାନି ସେ ତା ପାଖରେ ବସିଲା।ସତରେ ତାର କି ସୌଭାଗ୍ୟ।ବହୁଦିନର ଇପ୍ସିତ ଅଭୀପ୍ସା ତାର ଧୀରେ ଧୀରେ ପୁରଣ ହେବାକୁ ଯାଉଛି।କ'ଣ ପଚାରିବ... କେଉଁଠୁ ଆରମ୍ଭ କରିବ... ଜାଣି ପାରିଲାନି।ଦୁହେଁ ଦୁହିଁଙ୍କୁ ଚହାଚହିଁ ହେଉଛନ୍ତି କ୍ଷଣକୁ କ୍ଷଣ।ସମ୍ଭବ ଭାବୁଥାଏ ଆରେ କ'ଣ ସବୁ ମୋର କହିବାର ଥିଲା କିଛି ତ ମନେ ପଡୁନାହିଁ।କାଗଜରେ ଲେଖି ଆଣିଥିଲେ ବୋଧେ ଠିକ୍ ହୋଇଥାନ୍ତା।ତଥାପି ଛେପ ଢୋକି କହିଲା,ପଢା ପଢି ଠିକ୍ ଚାଲିଛି ତ?ନରମ ମଧୁର ଗଳାର ପ୍ରୀତିବୋଳା ସ୍ୱରଟେ ତା କାନକୁ ଚୁମ୍ବନ ଦେଉଥିଲା ଆଜ୍ଞା...।ଆପଣ ବସିଥାନ୍ତୁ ମୁଁ ଟିକେ ଆସୁଛି।ସମ୍ଭବ ଭାବିଲା ଆରେ ଏ.... ମୁଁ କଣ ଖରାପ କହିଦେଲି କି?ସେ କ'ଣ ମୋ ଠାରୁ ପଳାଇଗଲା?ହେ ପ୍ରଭୁ,ମୋତେ ରକ୍ଷାକର କହି ଆଖିଟାକୁ ଟିକେ ବୁଜିଦେଲା।ହଠାତ୍ ଏକ ପାଉଁଜି ସ୍ୱରରେ ଆଖିଖୋଲେ ତ ସେ କିଛି ଧରି ତା ଆଗରେ ଠିଆ।ମନେ ମନେ ଭାବିଲା ଯାହେଉ ଠାକୁର ମୋତେ ରକ୍ଷା କରିଛନ୍ତି।ପୁଣି ହସ ହସ ମୁହଁରେ ସେଇ ମଧୁର କଣ୍ଠସ୍ୱର,ଖାଇ ଦିଅନ୍ତୁ ନା।ଭାବିଲା ନ ଖାଇଲେ ସେ ମୋତେ ରାଗିବ କେତେ ଶ୍ରଦ୍ଧାରେ ସେ ମୋ ପାଇଁ ଆଣିଛି ଯେ। ଛେପ ଢୋକି ଢୋକି କହିଲା ତୁମେ ବସୁନ?ସେ ପୁଣି କଥାରଖି ବସିଲା।ସମ୍ଭବ ଭାବିଲା ସେ କେମିତି ଏକୁଟିଆ ଖାଇଦେବ ଯେ?ଖାଉନ କହିଲା ସେ। ହେଲେ ପୁଣି ସେଇ ଉତ୍ତର ଆପଣ ଖାଆନ୍ତୁ ନା?ଇଚ୍ଛା ହେଉଥିଲା ତାକୁ ଖୁଆଇ ଦିଅନ୍ତି କି?ଆରେ ଏ ସେ ଯଦି ଭାବେ ଏ ଅଭଦ୍ର ଟେ କି,ମୋତେ ଖୁଆଇ ଦେଉଛି ତଥାପି ତା ଭଲ ପାଇବାର ସାହସ ରଖି ଦୁଇଟି ପକୁଡି ତାକୁ ଖୁଆଇ ଦେଲା।ଯାହେଉ ସେ ଆନନ୍ଦରେ ଖାଇଦେଲା।ଏଥର ସମ୍ଭବର ସମ୍ଭାବନା ସୁଦୃଢ଼ ହେଲା।ହେଲେ ନିଜେ ଖାଉ ଖାଉ ଭାବିଲା ସେ ମୋତେ ଟିକେ ଖୁଆଇ ଦିଅନ୍ତା ନି?ପ୍ରତୀକ୍ଷା ଶେଷ ହେଲା ହେଲେ ତା ଅଭିଳାଷ ପୂରଣ ହେଲାନାହିଁ।ତା ହାତରୁ ଖାଇବା ଟା ପାଇଲା ନାହିଁ।ନିଜକୁ ବୁଝାଇ ଦେଲା ସେ ଝିଅପିଲାଟା,କାଳେ କିଏ ଦେଖିବେ,କି କିଛି ଅସୁବିଧା ହେବ ତେଣୁ ନ ଖୁଆଇଛି ଭଲ କରିଛି।ଅନିଚ୍ଛା ସତ୍ତ୍ୱେ ହି ସେ ବିଦାୟ ନେଇ ଆସିଲା ସପନା ଘରୁ।ସପନା କିଛି କିଛି ଜାଣୁଥାଏ ଆଉ ମୁରୁକି ମୁରୁକି ହସୁଥାଏ।ହଁ କେମିତି ନ ହସିବ ସେ ପରା କପୋତଟିଏ। ସମ୍ଭବର ଇଚ୍ଛା ହେଉଥିଲା ବହୁତ ସମୟ ସେ ବସନ୍ତା କି ତା ପାଖରେ।ଫେରିଲା ସତ କିନ୍ତୁ ମନରୁ ଗଲାନାହିଁ ସେ ତାକୁ ସରାଗରେ ହାତରେ ଖୁଆଇଥିବା ମୁହୂର୍ତ୍ତର ସ୍ମୃତିଛିଟା।ସବୁଦିନ ସେଇ ମୁହୂର୍ତ୍ତକୁ ମନେ ପକାଇ ହସୁଥାଏ ସେ।


 ସେଦିନ ଯିବା ଆସିବା ବାଟରେ ହଠାତ୍ ସମ୍ଭବର ମୁଣ୍ଡଟା ଭୀଷଣ ବିନ୍ଧିଲା।ବୁଦ୍ଧି ବାଟ ବଣା ହେଲାପରି ଲାଗିଲା।ନଥ କରି ବସିପିଡ଼ିଲା ସେ ଏକ କାଠ ଉପରେ।ଆକସ୍ମିକ ତାର ଉପସ୍ଥିତି ସମ୍ଭାବକୁ ବି ଆଶ୍ଚର୍ଯ୍ୟ ଲାଗିଲା।ଶୁଭିଲା ସେହି ନରମ ଗଳାର ମଧୁର ସ୍ୱର...କଣ ହୋଇଛି ଆପଣଙ୍କର?ନାଁ ଏଇ ମୁଣ୍ଡଟା ବହୁତ ବିନ୍ଧୁଛି ତ ବସିପିଡ଼ିଲି.?..ସମ୍ଭବର ଉତ୍ତର ଥିଲା।ହଠାତ୍ ତା ଭେନିଟିରୁ ମେନ୍ଥୋପ୍ଲସ୍ ଖୋଲି ତାର ବାରଣ ସତ୍ତ୍ୱେ ବି ମୁଣ୍ଡରେ ଲଗାଇଦେଲା ନିସଙ୍କୋଚରେ। ସତରେ ତା କୋମଳ ହାତର ଯାଦୁକାରୀ ସ୍ପର୍ଶ ଆଉ ଆନ୍ତରିକତାର ମଧୁ ଛୁଆଁ ମୋତେ ଆଶ୍ୱସ୍ତି ଓ ନବ ଉନ୍ମାଦନା ଆଣିଦେଲା।ସତରେ ସେ କ'ଣ ମୋତେ ଏତେ ଭଲ ପାଏ?ସମ୍ଭବ ମନକୁ ଏ ପ୍ରଶ୍ନ ଶୀତକ ଛୁଆଁ ଦେଉଥାଏ।


  ସେଦିନ କାହିଁକି କେଜାଣି ସମ୍ଭବର ମନଟା ହେଉଥାଏ ସେ ତା ସହ ଟିକେ କଥା ହୁଅନ୍ତା କି?ହେଲେ ଆଶ୍ଚର୍ଯ୍ୟ କଥା ତା ଫୋନ୍ ନମ୍ବର ତ ନାହିଁ ଏମିତିକି ଏତେ ଥର ଦେଖାସାକ୍ଷାତରେ ସେ ତା ପ୍ରକୃତ ନାଁଟା ବି ପଚାରିନାହିଁ। କେବଳ ଜାଣିଛି ସପନାର ନାନୀ ବୋଲି।ସପନା ବିଜ୍ଞାନ ମେଳାକୁ ଯିବାପାଇଁ ସିଲେକ୍ଟ ହୋଇଥାଏ।ସମ୍ଭବକୁ କହିଥିଲା ଟିକେ ଚିତ୍ର କରିଦେବା ପାଇଁ।ସମ୍ଭବ ତାକୁ ଦେଇଥିଲା ଫୋନ୍ ନମ୍ବର ଆଉ ଆବଶ୍ୟକ ହେଲେ ପଚାରିବାକୁ ସମ୍ମତି ବି ଦେଇଥିଲା।ସନ୍ଧ୍ୟା ସମୟ ସେ ବସିଥାଏ ପାର୍କରେ।ହଠାତ୍ ଫୋନ୍ କଲ ଟିଏ ପାଇଲା ଯାହା ଥିଲା ସପନାର।ଶୁଣିଲା ସମ୍ଭବ ଭାଇ,ମୋର ଚିତ୍ର କରିଦେବ ବିଜ୍ଞାନ ମେଳା ପାଇଁ।ସମ୍ଭବ କହିଲା ଆରେ କ'ଣ କ'ଣ ଚିତ୍ର କହ?ହଁ ତୁମେ ମୋ ନାନୀ ସାଙ୍ଗରେ କଥା ହୁଅ କହି ଧରାଇଦେଲା ତାକୁ।ପ୍ରୀତିର କୋମଳ ଛୁଆଁ ଶ୍ରଦ୍ଧାର ମଧୁର ସ୍ୱର ଆଉ ମମତାର ଅଫୁରନ୍ତ ଜୁଆର ଭରା ଅମୃତବଚନ କେଇପଦ।ଆଜ୍ଞା ନମସ୍କାର କାରଖାନା,ଗୋବର ଗ୍ୟାସ ପ୍ଲାଣ୍ଟ,ମଣିଷ ଶ୍ବାସ ତନ୍ତ୍ର ଚିତ୍ର କରିଦେବେ। ହଁ ଆଉ କ'ଣ ଦରକାର କି,ସମ୍ଭବର ପ୍ରଶ୍ନରେ ତାର ଉତ୍ତର ଥିଲା ନାଁ ଏତିକି।ସମ୍ଭବ ଭାବୁଥିଲା ଏଇ ସୁଯୋଗରେ ଆଉ କିଛି କଥା ହୁଅନ୍ତା କି?ହେଲେ...ହୋଇପାରିଲା ନାହିଁ।ସମ୍ଭବ କହିଲା କିଛି ଆବଶ୍ୟକ ହେଲେ କଥା ହୋଇପାରିବି କି?ତାର ଉତ୍ତର ଥିଲା ହଁ ନିଶ୍ଚୟ..କାହିଁକି ନୁହଁ? ହେଲେ ନମ୍ବର ? ମୁଁ ଜଣେଇବି?


  ସମ୍ଭବର ଆନନ୍ଦ କହିଲେ ନ ସରେ । ବାସ୍ତବ ଦୁନିଆଁରୁ ସେ ଟିକେ ବାହାରକୁ ଚାଲିଗଲା।ହଠାତ୍ ଆବିର୍ଭାବ କଲା ଏକ ସ୍ୱପ୍ନର ମହଲରେ ସେ ଦୁହେଁ।ସେ କହୁଛି, ଆରେ ଏତେବେଳଯାଏଁ ଶୋଇଛ ଉଠ ଶୀଘ୍ର ଆମେ ମନ୍ଦିର ଯିବା ପରା।ସେ କହୁଥାଏ ବହୁତ ଟାଏଡ଼ ଲାଗୁଛି ମ?ଟିକେ ପିଠିଟା ମାଡି ଦିଅନା।ସେ ତା ପିଠିକୁ ମାଡୁ ମାଡୁ କହୁଥାଏ ବହୁତ ଅୟସୀ କରୁଛ କି ପ୍ରେମ...ମୋ ହାତ ନ ବାଜିଲେ ନା, ତୁମ ପରି ଦୁଷ୍ଟର ନିଦ ଭାଙ୍ଗେ ନାହିଁ।ପୁଣି କହୁଥାଏ,ଏ...ଆଜି ସନ୍ଧ୍ୟାରେ ସମୁଦ୍ର କୂଳ ଯିବା ନା?ସମ୍ଭବ କହୁଥାଏ ହଁ ପ୍ରିୟେ, ସବୁ ବୁଲାଇବି ହେଲେ ମୋ ବକ୍ସିସ ଟା ମାନେ ପାଉଣାଟା ଟିକେ ଆଡ଼ଭାନ୍ସ ଦେଇ ଦିଅନା। ବକ୍ସିସ...କି ବକ୍ସିସ..ମୁଁ ତ ଜାଣିପାରୁନି? ହଉ ମୋ ପାଖକୁ ଆସ,ମୁଁ କାନ ପାଖରେ କହିଦେବି ସମ୍ଭବ କହିଲା।ଆରେ ବାବା ନାଁ ନାଁ ତୁମେ କଣ ଦୁଷ୍ଟାମି କରିବ। ସମ୍ଭବ କହିଲା,ତାହେଲେ ମୁଁ ଦୁଷ୍ଟ,ବଦମାସ। ହଉ ତୁମ ସହ କଟି କଟି କଟି।ଆଉ କଥା ହେବି ନି।ସେ କହୁଥାଏ ଆରେ ବାବା ନାଁ ରାଗନା, ହଉ କୁହ,ମୁଁ କାନ ଦେଖାଉଛି।ଏଇ ସୁଯୋଗରେ ସମ୍ଭବ ତା ଗାଲରେ ଏକ ଶକ୍ତ ମିଠା ଚୁମ୍ବନ ଆଙ୍କିଦେଲା।ଏ ମା, ତୁମେ କେତେ ଦୁଷ୍ଟ କହି ସମ୍ଭବର ନାକକୁ ଚିପି ଉଠି ଚାଲିଗଲା ସେ।ହଠାତ୍ ଟେଲିଫୋନ ଟା ରିଂ ହେଲା।ସମ୍ଭବ ଭାବିଲା ଆରେ ଏ,ଏଯାଏଁ ମୁଁ ସ୍ବପ୍ନ ଦେଖୁଥିଲି।ଫୋନ୍ କଲ ରିସିଭ କଲା।ଏକ ପରିଚିତା ନାରୀର କଣ୍ଠସ୍ୱର।ଆପଣ କିଏ?ସମ୍ଭବର ପ୍ରଶ୍ନରେ.... ଆପଣ ଏତେ ଶୀଘ୍ର ମଣିଷକୁ ଭୁଲିଯାନ୍ତି... ତାର ଉତ୍ତର ଥିଲା।ସମ୍ଭବ ଜାଣିପାରିଲା ସେ ସପନାର ନାନୀ ବୋଲି।ସଂଗେ ସଂଗେ କହିଲା,ସରି... ମୁଁ ଟିକେ ଅନ୍ୟମନସ୍କ ଥିଲି ତ?ଆପଣ କଣ ଏଇମିତି ସବୁବେଳେ ଅନ୍ୟମନସ୍କ ରହନ୍ତି ତାର ପ୍ରଶ୍ନରେ ସମ୍ଭବ କଣ ଉତ୍ତର ଦେବ ଜାଣିପାରିଲା ନାହିଁ।ସେ କହିଲା ମୋତେ କ୍ଷମା କରିଦେବ,ସେ ଭୁଲ ଆଉ ଆଦୌ ହେବ ନାହିଁ।ପ୍ଲିଜ...।ହେଲେ ତୁମ ନାଁ ଟା କାହିଁ କହିଲ ନାହିଁ ଯେ।ହଁ ଆପଣ କଲ କରି ପଚାରିବେ,ଏଇ ନମ୍ବରରେ ମୁଁ ନିଶ୍ଚୟ କହିଦେବି।ଏତିକିରେ ଫୋନ୍ କଟିଗଲା।ସମ୍ଭବର ଏ କି ଅବସ୍ଥା।ତାର ଏବେ ସବୁ କଣ ଭୁଲ ହୋଇଯାଉଛି।ଏ ସ୍ବପ୍ନ ବି ଆସୁଛି।ତାର ସପନା ଭଉଣୀ ସାଙ୍ଗେ ଗୋଟେ କଣ ହୋଇଯାଇଛି କି?ତାର ଆଉ ଏ ସପନା ଭଉଣୀ ଜୀବନ ଭିତରେ ପ୍ରେମ ପ୍ରଣୟର ରାସ୍ତାଟା ବହୁତ ଲମ୍ବା।କିନ୍ତୁ ଅସମ୍ଭବ ବି ନୁହଁ।ଯଦି ଅସମ୍ଭବ ତେବେ ଏ ସମ୍ଭବ ନାଁ କଣ ପାଇଁ? ତେବେ...।ଆଜିଯାଏଁ ତ ସେ ତାର ନାଁ ତା ପାଖରୁ ଜାଣିନାହିଁ,ଆଉ କିଛି କହିବାକୁ ଥିଲେ ବି ସେ କେମିତି କହିବ ଯେ?ମନରେ ଦମ୍ଭ ଧରିଲା,କହିଲା ଆଜି ଯାହା ହୋଇଯାଉ ପଛେ କିନ୍ତୁ ତା ନାଁ ପଚାରିବ ଓ ସିକ୍ରେଟ କଥାଟି ପଚାରିବ।କଣ କହିବି କେମିତି କହିବ ରିହେଲସେଲ କଲା।ଭାବିଲା ନାଁ ତା ନିଶ୍ଚୟ ପଚାରିଦେଵ,ହେଲେ ଆର ଲାଜ କଥାଟା କେମିତି କହିବ ଯେ। ଯଦି ସିଏ ତାକୁ ଭଲ ପାଉନଥାଏ ତେବେ ଏତେ ସୁନ୍ଦର ମଣିଷଟାକୁ ସେ ସାରା ଜୀବନ ହରାଇବ ?ତାକୁ ଛାଡି ସେ କଣ ରହିପାରିବ?ସେ କଥାଟା ସିଏ ତାକୁ କହୁ।ନିଜକୁ ପ୍ରସ୍ତୁତ କରିଦେଲା ସେ।ତା ଆଖିରେ ନାଚିଉଠିଲା ତା ସୁନ୍ଦର ଚେହେରା।କି ସୁମଧୁର ହସ।ତା ଗୋରା ତକ ତକ ମୁଖମଣ୍ଡଳରେ ମୁରୁକି ହସ,ସତେ ଯେମିତି ବିଦ୍ୟୁତ,ତା ଟଣା ଟଣା ଆଖିର ସରୁ କାଜଲ ଗାର ଆଉ ଲାଜୁଆ ଚୋରା ଚାହାଣୀ।ନିଜକୁ ସମ୍ଭାଳି ପାରିଲାନି ସେ,ହଠାତ୍ ରିଂ କଲା ତାକୁ।କଲ ରିସିଭ ହେଲା,ଜାଣିବାକୁ ଚାହିଁଲା ସେଇ ପରିଚିତ କଣ୍ଠସ୍ୱର।ହଁ କୁହନ୍ତୁ,ମୁଁ... ଧରିଛି।ହଁ ମୁଁ ସମ୍ଭବ କହୁଛି।ହଁ ମୁଁ ଜାଣିଛି,କୁହନ୍ତୁ କଣ ପଚାରିବେ ପରା? ଛେପ ଢ଼ୋକିଲା ସମ୍ଭବ କହିଲା ହଁ ତୁମେ କହୁନ? ସେ କହିଲା ନାଁ ଆପଣ କୁହନ୍ତୁ,ମୁଁ ଦେଖାହେଲେ ନିଶ୍ଚୟ କହିଦେବି।ସମ୍ଭବର ବୁଦ୍ଧି ବଣା ହୋଇଗଲା।କଣ ବା ପଚାରିବ ସେ।ସେ ତ ତାଲିକା କରିନାହିଁ।ହଁ ମନକୁ ଆସିଲା ସେ ତା ନାଁ ପଚାରିବ।କହିଲା ହଁ, ତୁମ ନାଁ ଟା କହିଲ ନାହିଁ।ସେ କହିଲା,ହଁ ତୁମ ନାକଟା ଦେଖାଅ।ସମ୍ଭବ ନାକଟା ଦେଖେଇଲା।ସେ ତା ଆଖିରୁ କାଜଲ ଟିକେ ଆଣି ସମ୍ଭବର ଆଖିରେ ଲଗାଇଦେଲା।ତା ଲମ୍ବା ନାକକୁ ଚିପି ଦେଇ କହିଲା,ଆରେ ବୁଦ୍ଦୁ,ମୁଁ ପରା ତୁମ ଆଖିର କାଜଲ।ସମ୍ଭବ ଫେଁ କିନା ହସିଦେଇ କହିଲା,ମୁଁ କିନ୍ତୁ ତୁମକୁ.....କିଛି...ପଚାରିବି ବୋଲି ଭାବୁଥିଲି...


 ସେଇ ଝିଅଟି ହଠାତ୍ କଥା ଛଡାଇ କହିଦେଲା......

ଭଲ ପାଅ କି ନାହିଁ...ଏଇଆ ନା। ଦୁହେଁ ଏକ ସାଙ୍ଗରେ ହସିଉଠିଲେ ବହୁ ଦିନରୁ ସାଇତି କରି ରଖିଥିବା ଚମ୍ପାଫୁଲିଆ ହସକୁ ତୋଫାଦେଇ...



Rate this content
Log in

More oriya story from Narayan chandra Senapati

Similar oriya story from Romance