Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narayan chandra Senapati

Classics


2  

Narayan chandra Senapati

Classics


ମୋ ରାଣୀ ମୋତେ ଠକିଦେଲା

ମୋ ରାଣୀ ମୋତେ ଠକିଦେଲା

8 mins 407 8 mins 407

 ଆଉ ସବୁଦିନ ପରି ରାଜାର କଲ୍ ରେ ଫୋନ୍ ଟା ବାଜୁ ନ ଥିଲା କି ତା ହ୍ଵାଟ୍ସଆପ୍ ଚାଟ୍ ବି ନ ଥିଲା। ଏମିତି କେଉଁ ଦିନ ନ ଥିଲା ରାଣୀ ଶରଧାର ଫୁଲଟିଏ ତା ରାଜା ପାଖକୁ ପଠାଇବାକୁ ଭୁଲିଯାଉଥିଲା କି ମୋବାଇଲରେ ତା ହୃଦୟର କଥା କହିବାକୁ ଭୁଲି ଯାଉଥିଲା। ହେଲେ ଆଜିକାଲି ଏସବୁ କଣ ହେଉଛି ସେ ଜାଣିପାରୁନାହିଁ। ତା ରାଣୀ କଣ ତାକୁ ଭୁଲିଗଲା,ନା ତା ଘରଲୋକ ତାକୁ ମନା କରିଛନ୍ତି ଏସବୁ କରିବାକୁ। ରାଜା ଆଉ ରାଣୀ ମୁହୂର୍ତ୍ତେ ବି ମନ ପବନରୁ ଦୁରେଉ ନ ଥିଲେ। ଆଜି ଆଶଂକାର ପାହାଡ଼ଟା ସତେ ଯେମିତି ରାଜା ଉପରେ ଛିଡି ପଡ଼ୁଛି। ମନଟା ତାର ସନ୍ଦେହର ଅଡୁଆ ସୂତାରେ ଛନ୍ଦି ହେଉଥାଏ। ଯେତେ ଚେଷ୍ଟା କରୁଛି ସେ ବନ୍ଧନରୁ ଫିଟିବାକୁ ସେ କଣ ବାହାରି ପାରୁଛି ସେ ପଙ୍କରୁ। ଭାବିଲା ଟିକେ ଦଶହରା ମେଢ଼ ଦେଖି ଯିବ,ମନଟା ଠିକ ହୋଇଯିବ।

  ବକ୍ସି ବଜାରର ଦୁର୍ଗା ମେଢ଼,ଚାହିଁଲେ ଆଖି ଝଲସି ଯିବ। ରାଜା ଶୁଖିଲା ମନକୁ ଟିକେ ଓଦା କରିବାକୁ ବୁଲୁଥାଏ । ହେଲେ ମନଟା ଆଦୌ ରହୁ ନ ଥାଏ ସେଇଠି। ଅଵ୍ୟର୍ଥ ଭାବନା ପରି ଇଆଡୁ ସିଆଡୁ ଭାବୁଥାଏ କେତେ କଅଣ। ତାର ଗୋଟେ ସ୍ୱପ୍ନ ଥିଲା,ଏଇମିତି ଦଶହରାରେ ସେ ତା ରାଣୀ ସାଙ୍ଗେ ବୁଲୁଥିବ। କାହାରିକୁ ଚାହାଁଇ ଦେବ ନାହିଁ। ଯଦି କିଏ ଚାହେଁ ସେ ରାଗି କରି କହିବ,ସାବଧାନ...ମୋ ରାଣୀ ଉପରେ ଆଖି ପକାଇଲେ ତୋ ଆଖି ତାଡ଼ିଦେବି।"ହେଲେ ଆଜି ତା ରାଣୀଟା.... କେମିତି ଛାଡି ତାକୁ ଚାଲିଗଲା?

   ଏଇମିତି ଏଣୁତେଣୁ ଭାବୁ ଭାବୁ ହଠାତ ପହଁଚିଗଲା ମେଢ଼ ନିକଟରେ। ଶହ ଶହ ଲୋକଙ୍କ ଭିଡ଼। ସେ ଭିଡ଼ ଭିତରେ କଣ ଦେଖିଲା କେଜାଣି ତା ଆଖିକୁ ସେ ବିଶ୍ୱାସ କରି ପାରିଲା ନାହିଁ। ସେଇ ଆଖି,ସେଇ ଓଠ,ସେଇ ନରମ ନରମ ଗାଲ..କିନ୍ତୁ ବେଶ ଭୁଷା,ଚାଲି,ଆଉ କିଛି କିଛି ସ୍ୱତନ୍ତ୍ର ଲାଗୁଛି। ପୁଣି ସାଥିରେ ଜଣେ ଭଦ୍ରବ୍ୟକ୍ତି ଏବଂ ତା ମଥାରେ ଓଡ଼ିଆ ବୋହୂର ପ୍ରତୀକ। ଏ କଣ ତା ମନ ଗହନ ଵନର ସୁକୁମାରୀ ରାଣୀ। ନାଁ ତା ଆଖି ଠିକ ଦେଖୁନି କି ମନ ଭଲ ଭାବୁନି? ପାଖେଇ ଆସିଲା ସେ,ପୁରା ଶହେରୁ ୧୦୦ ଲାଗୁଥାଏ ତା ସ୍ୱପ୍ନ ରାଇଜର ମହାରାଣୀ ବିନ୍ଦୁ । ହେଲେ ରାଜା ଭାବୁଥାଏ ନାଁ ନାଁ ତା ରାଣୀ କେବଳ ତାର,ସେ ତାକୁ ଛାଡି ଟିକିଏ ବି ରହି ପାରେନା? ସେ ପୁଣି ବିବାହ କରିବ,ଆଉ ରାଜା ଜାଣିବ ନାହିଁ। ସନ୍ଦେହର ଖଣ୍ଡିଆଭୂତଟା ତା ଚାରିପଟେ ଘୁରୁ ଥାଏ। ପାଖରେ ପହଁଚି ଗଲା ସେ।

  ଭାବିଲା ତାକୁ ପଚାରିବ କି କିଏ ସେ? ପୁଣି ଭାବୁଥାଏ,ରାଜା ପୁଣି ପଚାରିବ ରାଣୀକୁ। ଯଦି ସେ ରାଣୀ ହୋଇଥାଏ,ସେ କଣ ଭାବିବ। ଫି କିଣି ହସିଦେଇ କହିବ ବୁଦ୍ଧୁ,ମୋତେ ତ ଚିହ୍ନି ପାରୁ ନାହଁ,ସାରାଜୀବନ କେମିତି ରଖିବ ବୋଲି ସ୍ବପ୍ନ ଦେଖିଛ? ଜୀଇଁ ଜୀଇଁ ମରିଗଲା ପରି ଲାଗିବ ତାକୁ। ଯଦି ହୋଇଥିବ ତେବେ ଅବଶୋଷ ରହିଯିବ।

  ସେ ମନକୁ ଦୃଢ଼ କଲା। ଲିଫ୍ଟ ରେ ଥାର୍ଡ ଫ୍ଲୋର କୁ ଯାଇ ପହଁଚି ସାମନା ସାମନି ହେଲା ପରେ କହିଲା,କ୍ଷମା କରିବେ,ଆପଣ ବିନ୍ଦୁ ତ?

  ପଛକୁ ଚାହିଁଲା ବିନ୍ଦୁ। ସେ ପୁଣି ପଚାରିଲା ଆପଣଙ୍କୁ କହୁଛି। ବିନ୍ଦୁ ପାଟି ଖନୀ ମାରିନେଉଥାଏ। କହିଲା...କା..ଇଁ...ନାଇଁ...ତ,ମୁଁ... ସିନ୍ଧୁ...ବିନ୍ଦୁ ନୁହଁ। ତୁମେ ମା ଦୁର୍ଗାଙ୍କୁ ଚାହିଁ କହିଲ, ତୁମେ ବିନ୍ଦୁ ନୁହଁ। କିଂକାର୍ତ୍ତବ୍ୟ ବିମୁଢ ହୋଇ ସେ କହିଲା,ପ୍ଲିଜ୍ ରାଜା ମୋତେ କ୍ଷମା କର,ମୁଁ ବିବାହିତା,ମୋ ସ୍ୱାମୀ ମୋ ପାଖରେ...ଏ ମହାରାଣୀ ତୁମକୁ ହାତ ଜୋଡୁଛି, ମୋତେ ଚିହ୍ନିଛ ବୋଲି କେବେ କୁହନା। ଜାଣେ ଆମ ଭିତରେ କୌଣସି ଖରାପ ସମ୍ପର୍କ ନାହିଁ,ଆମ ନିବିଡ଼ତା ନିର୍ମଳ, ହେଲେ ସେ ଜାଣିଲେ ମୋ ସଂସାର ଭାଙ୍ଗିଯିବ। ରାଜାର ଆଶାର ଆକାଶରେ ଦୁଃଖର ଧୂମକେତୁଟା ଦେଖାଦେଲା। ତା ହାତ ପାଆନ୍ତାର ତାଜମହଲଟା ଆଖିଆଗରେ ଭାଙ୍ଗି ତୁଟି ଚୁରମାର ହୋଇଗଲା। ଫାଟିଗଲା ତା ହୃଦୟ ଫରୁଆ। ତା ଆତ୍ମାଟା ବୁକୁଫଟା ଚିତ୍କାର କଲା। ଆଖିକୁ ବୁଜି ଲୁହରେ ଭିଜି କୋହରେ ସିଝି ସିଝି ହଜିଗଲା ଯନ୍ତ୍ରଣାର ଦୁନିଆଁରେ। ବିନ୍ଦୁକୁ ଏସବୁ ବହୁତ ବାଢୁଥାଏ...ହେଲେ କଣ କରିବ ସେ। ସେ ତ ଭିନ୍ନ ପଥର ଯାତ୍ରୀ। ହଠାତ୍ ବିନ୍ଦୁର ସ୍ୱାମୀ ଚନ୍ଦନ ପହଁଚିଗଲା ସେଠାରେ। ବାରମ୍ବାର ପୂର୍ବରୁ ଭେଟି ସନ୍ଦେହ କରୁଥିବା ଏ ଲୋକଟିକୁ ତିରସ୍କାର କଲା। ରାଜାର କଲର ଧରି ଦୁଇ ଚାରି ମୁଥା ମାରିଲା। କହୁଥାଏ ବିନ୍ଦୁ,ଏ ନନସେନ୍ସ ଲୋକଟା ଆଦୌ ଭଲ ନୁହଁ,ତୁମ ପରି ସୁନ୍ଦରୀ ସ୍ତ୍ରୀକୁ ଦେଖି ସେ ତୁମ ପିଛା କରୁଛି ନା? ଏଇନା ଯିଏ ଆମକୁ ବାରମ୍ବାର ଫଲୋ କରୁଥିଲା। ବିନ୍ଦୁ ହୁଁ କହି ଖାଲି ମୁଣ୍ଡ ଟୁଙ୍ଗାରୁଥାଏ। ଏପଟେ ତା ହୃଦୟ ବି କ୍ଷତ ବିକ୍ଷତ ହୋଇଯାଉଥାଏ। ଚନ୍ଦନ କହିଲା,ବିନ୍ଦୁ ଏ ନିଅ ଜୋତା,ଏଥିରେ ଏ ଲୋକକୁ ଦୁଇ ଚାରି ପାହାର ଦିଅ। ବିନ୍ଦୁ କେମିତି ଏସବୁ କରିବ ଯେ? ଚନ୍ଦନ ବହୁତ ଜୋର୍ ରେ ଧମକ ଦେଇ କହିଲା,ବିନ୍ଦୁ ଏଭଳି ଅଭଦ୍ର,ଅସାମାଜିକାକୁ ଆଦୌ ଛାଡ଼ ନାହିଁ,ମୁଁ କହିଲି ପରା। ଡର ଭୟରେ ବିନ୍ଦୁ ଜୋତା ଧରିଲା ସିନା ହେଲେ ତା ହାତ ଥରୁଥାଏ,ହୃଦ କାନ୍ଦୁଥାଏ,ସ୍ମୃତି ଜଳୁଥାଏ,ପ୍ରୀତି ଧକେଇ ହେଉଥାଏ। ଶେଷରେ ଚନ୍ଦନର ଧମକରେ ବିନ୍ଦୁ ଜୋତାରେ ଦୁଇ ଚାରି ପାହାର ପକାଇଲା ରାଜାକୁ। ରାଣୀର ଏ ପ୍ରତୀକ୍ଷିତ ବହୁଦିନର ସାଇତା ଉପହାର ତାକୁ ବହୁତ ଆମୋଦ ଦେଲା। ତା ବହୁ ଦିନର କଳ୍ପନାର ପରୀଟା ତାକୁ କି ମଧୁ ଚୁମ୍ବନ ଦେଲା। ଯାହା ପାଇଁ ତା ହୃଦୟ କାନ୍ଦୁଥିଲା,ଟିକିଏ କାନ୍ଦିଲେ ସେ କହୁଥିଲା, ଏ...ତୁମେ ଛୋଟ ପିଲା ପରି କାନ୍ଦନା,ତୁମ କାନ୍ଦ ଦେଖିଲେ ମୋ ଶରୀରରୁ ପ୍ରାଣ ଚାଲିଯିବ। ରାଜା ଚାହିଁଲା ସେଇ ରାଣୀ ହାତରେ ଥିବା ସେଇ ଜୋତାକୁ। ଦିନେ କହୁଥିଲା, ବିନ୍ଦୁ...ଏ ବିନ୍ଦୁ,ତୁମ ହିଲ ଟା ମସ୍ତ ହୋଇଛି। ପୁରା ହିରୋଇନ୍ ମାର୍କା ମ ? ଦିନେ ରାସ୍ତାରେ ଯାଉ ଯାଉ ଅଜାଣତରେ ତା ଏଇ ହିଲ ଟା କାଦୁଅରେ ପଶିଗଲା,ସେ କହୁଥିଲା, ୟେ ମାଁ, ମୋ ହିଲ୍ କି ଅସନା ହୋଇଗଲା,ମୁଁ କଣ ପିନ୍ଧିବି? ରାଜା ହଠାତ୍ ତା ପାଦରୁ ଟାଣିଆଣି ତା ଗାଡିରୁ କପଡା ଆଣି ପୋଛିଦେଲା। ସଙ୍କୋଚରେ ସେ କହୁଥିଲା, ଏ କଣ କରୁଛ?ତୁମର ଆସନ ପରା ମୋ ମୁଣ୍ଡ ଉପରେ,ମୋ ଜୋତାକୁ ହାତରେ ଧରିବାରେ ନୁହଁ? ତୁମ ପାଦରେ ମୋ ମଥା ଲାଗିବା କଥା,ହେଲେ ତୁମେ ମୋ ଜୋତାକୁ ସମ୍ମାନ ଦେଇ ମୋତେ ଛୋଟ କରିଦେଲ ନା? ରାଜା କହିଥିଲା,ରାଣୀ ପରା ସଦା ରାଜାର,ତେବେ ଏ ଛୋଟ ବଡ଼ ଭାବନା କେଉଁଠୁ ଆସିଲା। ଯାହେଉ ସେଇ ସଫା କରିଦେଇଥିବା ଜୋତାଟା ଶେଷରେ ତା ଗାଲରେ ବି ବାଜିଲା। ଚନ୍ଦନ କହିଲା,ଏ ବିନ୍ଦୁ,ଏ ଲୋକଟା ଜୋତା ମାଡ଼ ଖାଇଲା ପରେ ବି କିଛି ରିଆକ୍ଟ କରୁନାହିଁ,ଏ ତୁମକୁ ଚିହ୍ନି ନାହିଁ ତ? ପାଟି ଆଫା ଆଫା କରି ବିନ୍ଦୁ କହୁଥାଏ,ନାଁ....ନାଁ ...ଆଦୌ ନୁହଁ...ୟାଙ୍କୁ ମୁଁ କାହିଁକି ଜାଣିବି। ଗାଲରୁ ମୁହଁରୁ ନାକରୁ ପାଟିରୁ ରକ୍ତ ବାହାରି ଯାଉଥାଏ। ଦିନେ ରାଣୀ ସହ ଯାଉ ଯାଉ ଅସାଵଧାନତାରେ ଏକ କଣ୍ଟା ପଶି ଯାଇଥିଲା ବିନ୍ଦୁ ପାଦରେ,ଆଉ ତା ପାଦରୁ ବିନ୍ଦୁଏ ରକ୍ତ ଦେଖି ରାଜା ଚିତ୍କାର କରି ତା ରୁମାଲରେ ରକ୍ତ କୁ ପୋଛି ଦେଇ ବିଚଳିତ ହୋଇ କହିଲା,ରାଣୀ...ବହୁତ କଷ୍ଟ ହେଉଥିବ ନା ରାଣୀ।

  ଆସ ବିନ୍ଦୁ,ଆସ କହି ଚନ୍ଦନ ଟାଣି ନେଲା ବିନ୍ଦୁକୁ। ଏକ ଲୟରେ ରାଜା ଚାହିଁଥାଏ ତାର ବଦଳା ରାଣୀକୁ।

 କାଲିପରି ଲାଗୁଛି,ଯେଉଁଦିନ ଏକ ଉତ୍ସବରେ ତା ଆଖିପଡ଼ିଲା ତା ରାଣୀ ଉପରେ। ସୁନ୍ଦର ସୁକୁମାରୀ କୋମଳାଙ୍ଗି ଥିଲା ସେ। ସାକ୍ଷାତ ପୋଖରୀର ପଦ୍ମ ଫୁଲଟିଏ କି? ବିଧାତା କେମିତି ଏହାକୁ ଦେବୀ କରି ଗଢିଛନ୍ତି,ସେ କଥା ଚିନ୍ତା କରି ଧନ୍ୟବାଦ ଜଣାଇଲା ଭଗବାନଙ୍କୁ। ସତରେ ଦେବୀଟିଏ। ଏ ଦେବୀକୁ ପୂଜା କରନ୍ତି କି ମୋ ପ୍ରେମର ମନ୍ଦିରରେ ଭାବିନେଲା ସେ।କେମିତି ବା ଭାବି ନ ଥାନ୍ତା?ଏତେ ସୁନ୍ଦରୀ କୁ ଦେଖିଲେ କାହା ଆଖି ଖୋସି ନ ହେବ ଯେ?ଲମ୍ବା କେଶ,ଗୋଲାପି ଓଠ,ମୁରୁକି ହସ,....ସବୁକିଛି ମନଲୋଭା। ହେଲେ ରାଜା ମନରେ ଦୁଃଖ ସେ ରାଣୀଟା ଆଉ ଜଣଙ୍କ ସହ ଘଣ୍ଟା ଘଣ୍ଟା ଗପୁଥିଲା। ଅବଶ୍ୟ ସେ ତା ସମ୍ପର୍କୀୟ ଥିଲା,ହେଲେ ଏସବୁ ଦେଖି ରାଜା ହିଂସାରେ ଜଳିଯାଉଥାଏ। ଭାବୁଥାଏ ଏ ଉତ୍ସବରେ ଦୁହେଁ ସାଥିହୋଇ ଟିକେ ବୁଲନ୍ତେ କି? ହେଲେ ମଣିଷ ଯାହା ଭାବେ ତାହା କଣ ତାକୁ ମିଳେ? ଯାହେଉ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଦୁହିଙ୍କ ସହ ଦୁଇପଦ କଥାବାର୍ତ୍ତା ସମ୍ଭବ ହେଲା। ଦୁହେଁ ଦୁହିଁଙ୍କ ନମ୍ବର ନେଇ ବିଦାୟ ନେଲେ ସିନା ହେଲେ ସେଇ କେଇପଦ କଥାର ସମ୍ପର୍କ ତାଙ୍କୁ ଅପୂର୍ବ ବନ୍ଧନରେ ବାନ୍ଧିଦେଲା।

 ଏଇମିତି କଥାହେଉ ହେଉ ଦୁହିଙ୍କର ଭାବବିନିମୟ ଅପୂର୍ବ ସମ୍ଭାର ଆଣିଲା। ଦିନେ ଦେଖିବା ପାଇଁ ଫଟୋଟିଏ ମାଗିବାରୁ ବିନ୍ଦୁ ସଂଗେ ସଂଗେ ପଠାଇଦେଲା। ଆଃ ସାକ୍ଷାତ ମହାରାଣୀ। ସେଇଦିନୁ ସେ ନାଁ ରଖିଲା ମହାରାଣୀ ଓ ଆଦରରେ ଡାକିଲା ରାଣୀ।ରାଣୀ ବି ସମାନ ଆଗ୍ରହରେ କହିଲା ତୁମେ ବି ମହାରାଜା ଆଉ ଡାକିଲା ସରାଗରେ ରାଜା। ସେଇଦିନୁ ରାଜା ଚାହିଁଥାଏ ରାଣୀର ସ୍ୱରକୁ ଅନାଇ। ଆଶ୍ଚର୍ଯ୍ୟ ଭଗବାନ ଏକ ସୁମଧୁର,କୋମଳ ସ୍ୱର ହିଁ ରାଣୀକୁ ଦେଇଥିଲେ,ଯେଉଁ ସ୍ୱର ଶୁଣିବାକୁ ରାଜା ବ୍ୟଗ୍ର ଓ ପାଗକ ପରି ହେଉଥାଏ। ହେଲେ ରାଣୀ କଣ ଭାବିବ,କହିବ ଏ କି ପାଗଳାମି, ସବୁବେଳେ ଫୋନ୍ କରୁଛ ଯେ? ହେଲେ ରାଣୀ ସେମିତି ନ ଥିଲା,ସେ ବହୁତ ଭଲ ଥିଲା। କେବେ ବି ରାଜା ମନରେ ଆଘାତ ଦେଇ ନ ଥିଲା। ରାଜା ବହୁତ ସେଣ୍ଟିମେଣ୍ଟାଲ୍,ଦିନେ ଦିନେ କହେ, ରାଣୀ...ତୁମେ ଏତେ ସୁନ୍ଦର,ଏତେ ଭଲ, ମୋ ସହ ଛଳନା କରୁ ନ ତ? ମୋତେ ଯଦି କେବେ ଆଘାତ ଦିଅ ମୁଁ ବଞ୍ଚି ପାରିବି ତ? କଥା ଛଡେଇ ରାଣୀ କହେ, ଛି ଏମିତି କଥା ସବୁ କୁହନ୍ତି? ତୁମେ ଏମିତି କେମିତି ଭାବିପାରୁଛ ଯେ?ଏମିତି କହିଲେ ମୁଁ କେବେ କଥା ହେବି ନି?

 ରାଜାର ମନର ବ୍ୟାକୁଳତା ବହୁତ ବଢିଗଲା। ଦିନ ରାତି ଚିନ୍ତା,ଥରେ କେବେ ଦେଖା ହୁଅନ୍ତାକି,ତା ରାଣୀ ସହ ସାଥି ହୋଇ ବୁଲନ୍ତେ। ରାଣୀ ଏକଥା ଶୁଣି ବହୁତ ଖୁସି ହେଲା,ସମ୍ମତି ଜଣାଇଲା। ଆସିଲା ଦୁର୍ଗା ପୂଜା। ନିର୍ଦ୍ଧାରିତ କଥା ଅନୁସାରେ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କଲା ରାଜା,ତା ରାଣୀକୁ।ବହୁତ ସମୟ ପରେ ବିରାଜମାନ କଲେ ମହାରାଣୀ। ରାଜାର ଦେହ ଅସୁସ୍ଥ ଥାଏ,ସେ କିନ୍ତୁ ପ୍ରକାଶ କରି ନି ତା ରାଣୀ ପାଖରେ।ରାଜା ରାଣୀଙ୍କର ଅପୂର୍ବ ମିଳନରେ ପୁରି ଉଠିଲା ଦୁର୍ଗା ବଜାର। ସାଥିହୋଇ ବୁଲିଲେ ବଜାର,ଦେଖିଲେ କେତେ ମେଢ଼। ରାଜା କିନ୍ତୁ ତା ଅସଲ ମେଢ଼ ସାଥିରେ ରହି ଆନନ୍ଦ ପାଉଥାଏ। ଆସିଲା ବିଦାୟ ବେଳା। ରାଣୀର ବିଦାୟ ଦେଖି ସହି ପାରିଲାନି ରାଜା। କିଛି ଦୂର ତା ପଛେ ଗଲା ସିନା,ହେଲେ ରାଣୀର ତା ଠାରୁ ବିଦାୟ ତାକୁ ବହୁତ ଦୁଃଖ ଲାଗିଲା। ବେଶି ଦୁଃଖିତ ହେଲା ଯେତେବେଳେ ରାଣୀ ତାକୁ କିଛି ନ କହି ଏକମୁହାଁ ଘରକୁ ଚାଲିଗଲା ତାଙ୍କ ମେନ ଗେଟ କୁ ବନ୍ଦ କରି।

 ଦିନ ପରେ ଦିନ ଗଡି ଚାଲିଲା। ସେ କଣ ଭାବିଥିଲା ସମୟ ସାଥିରେ ଆତ୍ମାମାନେ ବି ଏମିତି ବଦଳି ଯାଆନ୍ତି।ସମ୍ପୂର୍ଣ୍ଣ ବାସ୍ତବ ଲାଗୁଥିବା ସମ୍ପର୍କ କଥାଗୁଡ଼ାକ ମରୀଚିକା ଏମିତି ବି ପାଲଟିଯାଏ।

ଭାବିଲା ରାଣୀ ଓ ତାର ସମ୍ପର୍କର ଇତିହାସ ବର୍ଣ୍ଣିତ ପୃଷ୍ଠା। ତା ମନରେ ରାଣୀ ପ୍ରତି ଖରାପ ଭାବନା କେବେ ବି ଆସି ନ ଥିଲା।କିନ୍ତୁ ରାଣୀର ମନ ଦୁଃଖ ଦେଖିଲେ କି ଜାଣିଲେ ତା ହୃଦୟ କାହିଁକି ଫାଟିଯାଉଠିଲା।ଭାବେ ଏଇ ସାଥେ ସାଥେ ଚାଲିଯାଆନ୍ତି କି ତା ପାଖକୁ।ତା କଥା ବୁଝି ଆସନ୍ତି।ରାଣୀ ଟିକିଏ କଥା ନ ହେଲେ ତା ଆଖିରୁ ଆପେ ଆପେ କେଇ ବୁନ୍ଦା ଅଶ୍ରୁ ବିଗଳିତ ହେଉଥିଲା।ରାଣୀ ପାଇଁ ତା ମନ ଏମିତି ଆନ୍ଦୋଳିତ ହେଉଥିଲା କାହିଁକି କେଜାଣି ସେ ଜାଣି ପାରୁ ନ ଥିଲା।

 ରାଜା ଅନେକ ମଞ୍ଚରେ ଅଭିନବ ସମ୍ବର୍ଦ୍ଧନା ପାଇ ସାମାନ୍ୟ ଖୁସି ରହୁଥିଲା। ହେଲେ ଆଜି ସେ ଜୋତା ମାଡ଼,ତିରସ୍କାର ର ଶ୍ରେଷ୍ଠ ପ୍ରେମ ଉପହାର ଏତେ ବଡ଼ ସମ୍ବର୍ଦ୍ଧନା ପୁଣି ଏମିତି ଢଙ୍ଗରେ ପାଇବ ଆଦୌ କଳ୍ପନା କରି ନ ଥିଲା। ଏଭଳି ସମ୍ବର୍ଦ୍ଧନା ପାଇଁ ସେ ନିଜକୁ ଗୌରବାନ୍ୱିତ ମନେ କଲା,କାରଣ ଏଭଳି ସମ୍ବର୍ଦ୍ଧନା ତା ଜୀବନରେ କେବେ ବି ଆସିବ ନାହିଁ।

 ଭାବିଲା ଏ ଦୁସ୍ଥ ଶୁଷ୍କ ଜୀବନ ବଞ୍ଚି ଲାଭ କଣ?ଏ ଅଦରକାରୀ ଅବହେଳିତ ଜୀବନକୁ ଉତ୍ସର୍ଗ କରିଦେବା ଭଲ।ଚାଲିଲା ଆଗଜୁ ଆଗକୁ।ମନ ଖୋଲା ହସୁଥାଏ,ମଝିରେ ମଝିରେ ବି କାନ୍ଦୁଥାଏ।କାରଣ ହସ କାନ୍ଦର ସମ୍ମିଶ୍ରଣ ପରା ଜୀବନ।ଆଜି ତ ଏ ଜୀବନର ଶେଷ ଦିନ।ନିକଟସ୍ଥ ପାହାଡ଼ ଉପରକୁ ଉଠିଗଲା।ତଳକୁ ଚାହିଁଲା।କାହିଁକି କେଜାଣି ରାଣୀର ସେହି ସଜଫୁଟା ହସ,ଦରୋଟି କଥା,କରୁଣ ଚାହାଣୀ ତା ଆଖିରେ ନାଚିଗଲା।ସତେ ଯେମିତି କାନ୍ଦି କାନ୍ଦି ସେ କହୁଥାଏ,ଏ...ଜାଣିଛ..ପରିସ୍ଥିତିରେ ପଡି ମୁଁ ତୁମକୁ ଆଘାତ ଦେଇଛି ପରା। କେବେ ଭାବି ପାରୁଛ ? ଏ ରାଣୀ ଯାହା ହୃଦୟରେ ବନ୍ଧା, ତୁମକୁ ତା ହୃଦୟରୁ ଆଘାତ କେମିତି.... ଦେଇପାରିବ। ତୁମେ ପରା ମୋ ଆଖିର ଲୁହ ଦେଖି ସହି ପାରନା, ଭାବିଛ ସେଇଦିନୁ କେମିତି ଏଯାବତ ଆଖିର ଲୁହକୁ ସାକ୍ଷୀ ରଖି ବଂଚିଛି। କାହିଁକି ତୁମେ ଏତେ ଭଲ ହେଲ, ମୋତେ ଦେବୀ ଆଉ ପୂଜା ଫୁଲ କରିଦେଲ? ମୋତେ କଣ ପାରି ନ ଥାନ୍ତ ଆପଣେଇ? ମୁଁ କଣ ହୋଇପାରି ନ ଥାନ୍ତି ତୁମ ଜୀବନ ସାଥୀ? ଜୀବନ ସାଥୀ ନ କରି ସଖୀ କରିଦେଲ? ସମାଜ,ସଂସ୍କାର ଓ ସଭ୍ୟତା ତୁମ ଆଗରେ ମୋ ଠାରୁ ବହୁତ ବଡ଼ ନା? ଆତ୍ମସମ୍ମାନ ତୁମ ଅଳଙ୍କାର ହୋଇଗଲା ନା? ଜାଣିଛ କେମିତି ତୁମକୁ ଛାଡି ବଂଚିଛି? ଛି..ଏଭଳି ଆତ୍ମହତ୍ୟା ପରି ହୀନ କାମ...ପୁଣି ତୁମେ କରୁଛ? ତୁମ ପାଖରୁ ପରା ଶିଷ୍ୟା ପରି ସବୁ ଶୋଷୁଥିଲି। ହେଲେ ଶେଷରେ କଣ ଶୋଷିବି... ଏଇ ଆତ୍ମହତ୍ୟା ଆତ୍ମଜ୍ଞାନ। ଜାଣିଛ ଆଜି ତୁମେ ଗଲା ପରେ ଏ ରାଣୀ କଣ ରହିବ ଯେ? ତୁମେ ପରା କହିଥିଲ,"ରାଜା ରାଣୀର ସମ୍ପର୍କ କେଇ ଦିନର...କେଇ ବର୍ଷର...ନୁହଁ,ଯୁଗ ଯୁଗର,ଥିଲା,ଅଛି ଆଉ ରହିଥିବ। ହେଲେ ମୋତେ ଏକାକରି ଏମିତି ସ୍ୱାର୍ଥପର ହୋଇ ଚାଲିଯାଉଛ। ହଉ ଯାଅ,ମୋ ପରି ଅସ୍ଵଛ ଲୋକର ମୁହଁ କାହିଁକି ବା ତୁମ ସ୍ଵଛ ମନରେ ଦେଖିବ?" 

 ମନକୁ ବଦଳାଇ ଦେଲା ରାଜା,ଆତ୍ମହତ୍ୟା ନ କରିବାକୁ ନିଷ୍ପତ୍ତି ନେଲା। କିନ୍ତୁ ରାଣୀର କଥାରେ ଆଉ ପହଁରିଲା ନାହିଁ। ମନେ ମନେ କହୁଥାଏ,ଗଙ୍ଗା ଗଲି ଯେତିକି,ଫଳ ପାଇଲି ସେତିକି। ଏସବୁ ଭାବୁ ଭାବୁ ଦୀର୍ଘଶ୍ଵାସଟିଏ ଛାଡିଲା ରାଜା। ରାଣୀ ଦେଇଥିବା ନାଆଁଟିକୁ ସବୁଦିନ କାଟିଦେଇ ତା ପୂର୍ବ ନାଆଁ ଯାହା ତା ପିତା ମାତା ଦେଇଥିଲେ ତାକୁ ହିଁ ସ୍ମରଣ କଲା। ରାଣୀ ନାଆଁ ଟିକୁ ଭୁଲିବାକୁ ଚାହିଁଲେ ବି ତ ସେ ଭୁଲିପାରିବନି,ତା ରାଣୀକୁ କେବେ ମମତାଜ ସ୍ମୃତି କରିବାକୁ ଚାହିଁବିନି,ମାତ୍ର ତାର ଦେବୀ ପ୍ରତିମା ଆକୃତି କରି ଭଲ ଶାଢୀ଼ଟିଏ ପିନ୍ଧାଇଲା। ପ୍ରଥମ ଦେଖାଦିନର ରୂପକୁ ମନରେ ଆଣି ସମ୍ପୂର୍ଣ୍ଣ କଲା। ତା ରିଡିଙ୍ଗ ରୁମ ରେ ଟେବୁଲ ଉପରେ ରଖି ପ୍ରତ୍ୟହ ପ୍ରୀତିପୁଷ୍ପଟିଏ ଦେଇ ଆଖିରୁ ଗଙ୍ଗାଜଳରେ ଛିଞ୍ଚି ହୃଦୟର କୋହର ଧୂପ ଦେଇ ସବୁଦିନ ପାଇଁ ପୂଜା କଲା।

 ସେହିଦିନଠାରୁ ରାଜା ସର୍ବଦା ସବୁ ସଭା ସମିତି,ଉତ୍ସବରେ ଆଗଭର ନ ହୋଇ ମଞ୍ଚକୁ ନ ଯାଇ ନୀରବ ଦ୍ରଷ୍ଟା ଭାବେ ସବୁକିଛି ଉପଭୋଗ କରୁଥିଲା। କେହି କେହି ତା ଧିରତା ଦେଖି ମନଦୁଃଖ କରି ଯଦି କହୁଥିଲେ, ବିଚରା ରାଜାଟାକୁ ରାଣୀ ଠକିଦେଲା, ତା କାନରେ ବାଜିଲେ ସେ କହୁଥିଲା,ପ୍ଲିଜ୍ ଏମିତି କୁହନ୍ତୁ ନାହିଁ, ମୋ ରାଣୀ ସହ ମୋର ପରା ଯୁଗ ଯୁଗର ସମ୍ପର୍କ ଥିଲା,ଅଛି,ଆଉ ରହିବ। ରାଜା-ରାଣୀର ସମ୍ପର୍କ ପରା ଅକାଟ୍ୟ,ଅଛିଣ୍ଡା,ଅଭୁଲା,ରାଣୀ ପରା ସବୁବେଳେ ରାଜାର। କିଏ କହିଲା,"ମୋ ରାଣୀ ମୋତେ ଠକିଦେଲା"।



Rate this content
Log in

More oriya story from Narayan chandra Senapati

Similar oriya story from Classics