ସ୍ବର୍ଗୀୟ ସ୍ବପ୍ନ
ସ୍ବର୍ଗୀୟ ସ୍ବପ୍ନ
ସ୍ୱପ୍ନର ଘରଟେ ପାଇଁ ସମସ୍ତେ କଳ୍ପନା କରୁଥାନ୍ତି. ଘରଟି କେବଳ କଂକ୍ରିଟର ନୁହେଁ ଘର ଭିତରେ ବସବାସ କରୁଥିବା ଲୋକ ପରସ୍ପର ପ୍ରତି ଅନୁରକ୍ତ ରହିଥିବେ. ମାଆ ବାପା ଗୁରୁଜନଙ୍କ ପ୍ରତି ଭକ୍ତି ଥିବ, ପିଲାମାନେ ଅନୁଗତ ଥିବେ. ସ୍ତ୍ରୀ ପରଷି ଦେଉଥିବେ ପ୍ରେମ ଭରା ଅନୁରାଗ. ପୁଅ ଝିଅ ଖାଲି ପୋଥି ବାଇଗଣ ନୁହେଁ ବରଂ ବାରି ବାଇଗଣ ହୋଇଥିବେ. ଏମିତି ଗୋଟେ ସ୍ବପ୍ନ ଦେଖୁ ଦେଖୁ ରତିକାନ୍ତଙ୍କ ପାଖରେ ସେହିପରି ଘରଟିଏ ଥିଲା. ସ୍ତ୍ରୀ ଥିଲେ ଓ ପୁଅ ଝିଅ ମଧ୍ୟ ଥିଲେ କିନ୍ତୁ ନଥିଲେ ବାପା ମାଆ କିନ୍ତୁ ବାପା ମାଆ ଦେଇଥିବା ସଂସ୍କାରକୁ ମାନନ୍ତି ରତିକାନ୍ତ. ବାପାଙ୍କ ଅନୁଭୂତିସମ୍ପର୍ଣ୍ଣ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ଆଉ ମାଆଙ୍କ ହାତ ପରଷା ସ୍ୱାଦ ନପାଇଲେ ମଧ୍ୟ ସ୍ତ୍ରୀଙ୍କୁ କେବେ ଅବମାନନା କରନ୍ତି ନାହିଁ. ପୁଅ ଝିଅଙ୍କୁ ବ୍ୟବହାରିକ ଜ୍ଞାନ ଦେଲାବେଳେ କଟକଣା କରନ୍ତି ନାହିଁ କେବେ. ସ୍ତ୍ରୀଙ୍କ ସହିତ ସେହି ଗୋଟିଏ କଥାରେ ମାନମନାନ୍ତର ରତିକାନ୍ତଙ୍କର. ଆଜି ପୁଅ ଫେରିନି ଏଯାଏଁ ଘରକୁ କି ଝିଅ ମଧ୍ୟ ଫେରିନି ଘରକୁ. ରାତି ଏତେ ହେଲାଣି ତଥାପି ରତିକାନ୍ତ ନିଦାବିଷ୍ଣୁ ସାଜିଛନ୍ତି. କିଛିପ୍ରତିକ୍ରିୟା ନାହିଁ ତ ସ୍ତ୍ରୀ ବ୍ୟସ୍ତ ହୋଇପଡୁଥିଲା ବେଳେ ରତିକାନ୍ତ କହୁଥିଲେ ମୋ ପୁଅ କୌଣସି ଝିଅକୁ ରେପ କରିବନି କି ଚୋରି କରିବନି କି ନିଶା କାରବାର କେବେ ବି କରିବନି ଆଉ ଝିଅ ମୋର କୌଣସି ବାର ଯାଇନଥିବ, କି ପାର୍କରେ କେବେବି ବୁଲୁନଥିବ, ସିନେମା ଦେଖିବାକୁ କୋଉ ଲଫାଙ୍ଗା ସାଙ୍ଗରେ ମଧ୍ୟ ଯାଇନଥିବ.
ସ୍ତ୍ରୀ ବିବ୍ରତ ହୋଇ କହୁଥିଲେ ଆଜିକାଲି ଯୁଗରେ ତୁମେ ବାପା ହିସାବରେ ଜଣେ ବ୍ୟତିକ୍ରମ ଦେଖୁଛି. ରାତି ଏଗାର ଟପି ସରିଲାଣି. ବଢିଲା ପୁଅ ଝିଅ ଏଯାଏଁ ଘରକୁ ଫେରିନାହାଁନ୍ତି ଅଥଚ ତୁମେ ଥାନାକୁ ଯିବା ପରିବର୍ତ୍ତେ ନିଶ୍ଚିନ୍ତ ହୋଇ ବସିରହିଛ କିପରି? ଏତିକି ବେଳେ ଝିଅର ଫୋନ ଆସିଥିଲା ବାପା ରତିକାନ୍ତଙ୍କ ପାଖକୁ. ଝିଅ କହୁଥିଲା ସତରେ ବାପା ତୁମେ ଜିତିଗଲ. ତୁମ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ଆଜି ନିର୍ଦୋନ୍ଦରେ ରାତି ଏଗାର ପରେ ବି ସ୍ୱାଧୀନ ଭାବେ ରାସ୍ତାରେ ଚାଲୁଛି ମୁଁ. ସେମିନାର ସରୁ ସରୁ ରାତି ଅଧିକା ହୋଇଗଲା. ଜଣେ ଦିଜଣ ସାଙ୍ଗ ତାଙ୍କ ସ୍କୁଟିରେ ଡାକୁଥିଲେ ଯିବାକୁ କିନ୍ତୁ ନିଜର ଆଚାର,ବିଚାର, ପୋଷାକ, ଚଳଣି, କଥାବାର୍ତ୍ତା ସୁସଂଯତ ଥିଲେ କୌଣସି ଝିଅକୁ କେହି କିଛି କ୍ଷତି ପହଞ୍ଚାଇବେନି ବରଂ ସାହାଯ୍ୟର ହାତ ଲମ୍ବି ଆସିବ. ସତରେ ବାପା ତୁମ ସ୍ବାଧୀନତାକୁ ହାତ ମୁଠାରେ ଧରି ନିର୍ଭୟରେ ବାଟ ଚାଲୁଛି ମୁଁ. ଆଉ ଦଶ ପନ୍ଦର ମିନିଟ ପରେ ଘରେ ପହଞ୍ଚିଯିବି, ବ୍ୟସ୍ତ ହେବନି. ପୁଅ ମଧ୍ୟ ଠିକ ଝିଅ ପରେ ପରେ ଘରକୁ ଫେରି ନିଜେ ନିଜେ ତା ତରଫରୁ କୈଫତ ଦେଉଥିଲା ଯେ ପାଖ ସହରରେ ବସ ଦୁର୍ଘଟଣାରେ ଆହତ ଓ ମୃତ ବ୍ୟକ୍ତିମାନଙ୍କ ଥଇଥାନପାଇଁ ଡେରି ହେଲା ଘରକୁ ଫେରିବାକୁ. ତୁମେ ଥାନାକୁ ଫୋନ କରିନାହଁତ ବାପା? ବାପା କିଛି ଉତ୍ତର ଦେବା ଆଗରୁ ମାଆ କହୁଥିଲେ ଆରେ ତୋ ବାପାଙ୍କ ସ୍ବାଧୀନତାର ସ୍ବପ୍ନ ପୁରଣ କରିଛ ତୁମେ ଦୁଇ ଭାଇଭଉଣୀ ପ୍ରଥମ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛ ଯେତେବେଳେ ବାପା ନୁହଁନ୍ତି ବରଂ ମୁଁ ଅଯଥା ବ୍ୟସ୍ତ ହେଉଥିଲି. ଝିଅ ମାଆ ଗଳାରେ ଓହଳି କହୁଥିଲା ସବୁ ମାଆମାନେ ଏମିତି ଡରିବାରୁ ଆଜି ରାସ୍ତାରେ ଝିଅଟିଏ ଏକା ବାଟ ଚାଲିପାରୁନି କି ପୁଅଟିଏ କର୍ତ୍ତବ୍ୟ କଣ ବୁଝିପାରୁନି. ଆଖି ଖୋଲ ମାଆ. ଦେଖନା ଆଜି ଦିନ ରାତି ସମାନ ହୋଇଯିବାକୁ ବେଶୀ ଡେରି ନାହିଁ.
ଦିନ ରାତି ସମାନ ହୋଇ ଦେଶ ଓ ରାଜ୍ୟରେ କି କି ବୈପ୍ଲବିକ ପରିବର୍ତ୍ତନ ହେଲା କି ନହେଲା କିନ୍ତୁ ରତିକାନ୍ତଙ୍କ ସ୍ବପ୍ନ ସତ ହେଲା କି ନହେଲା ଦେଖିବାକୁ ବାକି ଥିଲା ବେଳେ ରାତିକାନ୍ତଙ୍କ ପୁଅ ଚାକିରୀ ଖୋଜିବା ପରିବର୍ତ୍ତେ ସମାଜ ସେବା କରୁଥିଲା. ସମାଜ ସେବା କହିଲେ ନିସ୍ଵାର୍ଥପର ଭାବେ ମଣିଷର ସେବାକୁ ମାଧବ ସେବା ରୂପେ ଜୀବନର ବ୍ରତ କରିଥିଲା. କୋଉଠି କୋଉ ଅସହାୟ ବ୍ୟକ୍ତି କୋଉ ଅସୁବିଧାରେ ପଡିଛି ତ ସେଠି ରତିକାନ୍ତଙ୍କ ପୁଅ ହାଜର ହୋଇଯାଉଥିଲା. କୋଉଠି କୋଉ ଅଚିହ୍ନା ଶବ ପଡିଛି ତ ତାର ଶବ ସଂସ୍କାର କରାଉଥିଲା. ଏମିତି ଏକ ଶବ ସଂସ୍କାର କାର୍ଯ୍ୟ ଚାଲୁଥିଲା ବେଳେ ସେଦିନ ରାତିକାନ୍ତଙ୍କ ପୁଅ ବିପ୍ଳବ ଦେଖିଲା ସଦ୍ୟ ବିବାହିତ ବଧୂ ପରି କେହି ତା ସ୍ୱାମୀର ଜୁଇରେ ଜଳିଯିବାକୁ ଚାହୁଁଛି. କେହି ଘର ଲୋକ ବା ଶାଶୁଘର ଲୋକ ତାକୁ ସେଥିରୁ ନିବୃତ୍ତ କରିବା ପରିବର୍ତ୍ତେ କହୁଥିଲେ ଅଲକ୍ଷଣୀର ଆଉ ବଞ୍ଚିରହିବାରେ କଣ ଅଛି. ଭିଡ଼ିଆଣିଥିଲା ଝିଅଟିକୁ ବିପ୍ଳବ. ଜନ୍ମ ହେବା ଓ ମରିବା ଅଧିକାର କେବଳ ଉପରବାଲାଙ୍କର. ତାଙ୍କ ନିର୍ଦ୍ଦେଶ ଅବମାନନା କରି ସ୍ୱାମୀଙ୍କ ଜୁଇରେ ପ୍ରାଣାବଳୀ ଦେଇ ସତୀପ୍ରଥାକୁ ଉଜ୍ଜୀବିତ ତଥା ପ୍ରୋତ୍ସାହନ କରିବାରେ ତୁମକୁ ଜେଲ ହେବା ଜରୁରୀ. ଝିଅ ସ୍ନିଗ୍ଧା କହୁଥିଲା ଆଜି ବାହାଘର ପ୍ରଥମ ରାତି ଆସିବା ପୂର୍ବରୁ ମୋ ସ୍ୱାମୀ ବାଇକ ଆକ୍ସିଡେଣ୍ଟରେ ଚାଲିଗଲେ ତ ମୁଁ କାହା ପାଇଁ ବଞ୍ଚିବି. ବିପ୍ଳବ ନିଜ ହାତ କାଟି ସେହି ରକ୍ତରେ ସ୍ନିଗ୍ଧା କପାଳ ଓ ସିନ୍ଥି ଭରି କହୁଥିଲା ତୁମକୁ ବଞ୍ଚିବାକୁ ହେବ. ରତିକାନ୍ତ ଦୁଃଖ ପରିବର୍ତ୍ତେ ସୁଖ ଅନୁଭବ କରିଥିଲେ. ମାଆ କିନ୍ତୁ ଜଳି ପୋଡି ଯାଉଥିଲେ ପୁଅ ଜନ୍ମ ଦେଇ ଆଜି ସେ ପାଇଲେ କଣ କହୁଥିଲା ବେଳେ ରତିକାନ୍ତ କହୁଥିଲେ ମୋ ପୁଅ ନବଦିଗନ୍ତର ସାମ୍ନା କରିପାରିଛି.
ପୁଅତ ଯାହା କଲା କଲା ଅନ୍ତତଃ ଝିଅର ବାହାଘର କଥା ଟିକେ ଚିନ୍ତାକର ବୋଲି ଅନେକଥର ସ୍ତ୍ରୀ କମଳା ବିବ୍ରତ ହୋଇ କହୁଥିଲା ବେଳେ ରତିକାନ୍ତ କଥାଟାକୁ ଜମା ଦେହକୁ ନେଉନଥିଲେ. ସେଦିନ ନିରାଶ୍ରୟ ଅନାଥ ପୁଅ ରାଜୁକୁ ବିବାହ କରିବାକୁ ଚାହୁଁଥିବା ଝିଅକୁ ବାପା କୋଳାଗ୍ରତ କରିଥିଲେ. ସୁନ୍ଦରୀ, ଶିକ୍ଷିତା, ଗୁଣବତୀ ଝିଅର ଏପରି ପତିବରଣ ମାଆ କମଳାଙ୍କୁ ମର୍ମାହତ କଲାବେଳେ ରତିକାନ୍ତଙ୍କ ସ୍ବପ୍ନ ଯେମିତି ସବୁ ପୁରଣ ହେଇଯାଉଥିଲା.ସେଦିନ ସ୍ତ୍ରୀ କମଳାଙ୍କ ହାତ ଧରି ଛାତ ଉପରକୁ ନେଇଥିଲେ ରାତିକାନ୍ତ. ଦେଖାଇଦେଲେ ବାମ ପଟ ପଡୋଶୀଙ୍କ ଆଡକୁ ବୋହୁ ତାଙ୍କର ବୁଢା ବୁଢୀଙ୍କୁ ରଫ ବ୍ୟବହାର ଦେଖାଇ ସ୍ୱାମୀଙ୍କୁ କହୁଥିଲା ଏବୁଢା ବୁଢ଼ୀଙ୍କ ଯାବତୀୟ ଜଞ୍ଜାଳ ମୁଁ ଆଉ କରିପାରିବିନି. ଏମାନଙ୍କୁ ଶୀଘ୍ର ନେଇ ବୃଦ୍ଧାଶ୍ରମରେ ଛାଡିଦେଇ ଆସ. କମଳାଙ୍କୁ ପୁଣି ଭିଡ଼ିନେଲେ ଦକ୍ଷିଣ ପଟ ବା ଡାହାଣ ହାତ ପଡୋଶୀଙ୍କ ପଟକୁ. ସେଠି ଜୋଇଁ ତାଙ୍କର ପାଟି କରୁଥିଲା କଣ ତୁମେ ମତେ ଯୌତୁକ ଦେଇଛ ଯେ ତୁମ ଝିଅ ଆମ ଘରେ ବସି ବସି ଅନ୍ନ ଧ୍ବଂସ କରୁଛି.ନା ମୋ ବାପା ମାଆଙ୍କ ସେବା ନା ମୋର ସେବା. ଖାଲି ତା ଦେହ କଣ ହୋଇଯାଉଛି. ରଖ ତୁମ ଝିଅକୁ. ବାହାଘର ବେଳେ ବାକି ଥିବା ପଚାଶ ହଜାର ନେଇକି ଗଲେ ଆମ ଘରକୁ ତୁମ ଝିଅ ଯିବାର ଅନୁମତି ପାଇବ ନଚେତ ଏଇଠି ରହିଲା. ଏସବୁ ଦେଖି ହୋସରୁ ବେହୋସ ହେବାକୁ ଯାଉଥିବା କମଳାଙ୍କ ସ୍ୱାମୀ ରତିକାନ୍ତ କହୁଥିଲେ ଆମ ପୁଅ ଝିଅ ଆମ ପାଇଁ ସୁନାମୁଣ୍ଡା କି ନୁହଁ କହିବକି ପ୍ରିୟତ୍ତମା!କମଳା ହସିବେ ନା କାନ୍ଦିବେ ବୁଝିପାରୁନଥିଲେ.
ସତକୁ ସତ କମଳା ସେଦିନ କାନ୍ଦି ପକେଇଥିଲେ ଯୋଉଦିନ ବାମ ପଟ ପଡୋଶୀ ବୃଦ୍ଧ ବୃଦ୍ଧାଙ୍କୁ ଅନାଥାଶ୍ରମ ଛଡାଗଲା. କିନ୍ତୁ ହସିଥିଲେ ବିମଳା ଯେବେ ତାଙ୍କ ପୁଅ ବୋହୁ ସେହି ଅନାଥାଆଶ୍ରମକୁ ଯାଇ ବୁଢା ବୁଢୀଙ୍କୁ ତାଙ୍କ ନିଜ ଘରକୁ ନେଇଆସିଥିଲେ. ସେହିଭଳି ଝିଅ ତାଙ୍କର ଡାକ୍ତର ହୋଇ ଦକ୍ଷିଣ ପଟ ପଡୋଶୀଙ୍କ ବିବାହିତ ସ୍ୱାମୀ ପରିତ୍ୟକ୍ତା ଝିଅର ପିଲାପିଲି ହେବା ଯାଏଁ ସମସ୍ତ ଖର୍ଚ୍ଚ, ଦାଇତ୍ୱ ଓ କର୍ତ୍ତବ୍ୟ କରିଚାଲିଥିଲା. ସ୍ୱାମୀ ତାର ଯୌତୁକ ଲୋଭରେ ସ୍ତ୍ରୀକୁ ବାପଘରେ ଛାଡିଦେଲା ବେଳେ ସ୍ତ୍ରୀ ଅନ୍ତସତ୍ଵା ଥିଲା ଜାଣି ଛାଡିଦେଲା ପରେ ପୁଅ ହେଲା ଶୁଣି ନେବାକୁ ଆସିଥିଲା ତ କମଳା ହସୁଥିଲେ କିନ୍ତୁ ନିଜ ଝିଅର ପିଲାପିଲି ନଥିଲା ତ ଦୁଃଖରେ ଭାଙ୍ଗି ପଡୁଥିଲେ. ଝିଅ ତାଙ୍କର ଅନାଥ ଶିଶୁମାନଙ୍କ ପାଇଁ ଅନାଥଆଶ୍ରମଟିଏ କରି ସେମାନଙ୍କ ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ ପଥରେ ଆଗେଇ ଗଲାବେଳେ କାମଳଙ୍କୁ ତାଙ୍କ ସ୍ୱାମୀ ବୁଝେଇ ଦେଇଥିଲେ ଯେ ଆଜିକାଲି ପିଲାମାନେ ଟିକେ ବଡ଼ ହୋଇ ପାଠ ପଢି ବହୁତ ବହୁତ ମାର୍କ ତଥା ପରସେଣ୍ଟେଜ ରଖୁଛନ୍ତି ସତ ହେଲେ ବାପା ମାଆଙ୍କୁ ସମ୍ମାନ ଦେବା, ତାଙ୍କ ଉପଦେଶ ଓ ମୂଲ୍ୟବୋଧ ନେଇ ଆଗେଇବାକୁ କେତେଜଣ ପସନ୍ଦ କରୁଛନ୍ତି କହିପାରିବ?ଏହି ସମୟରେ ପୁଅ ବିପ୍ଳବ ଏକ ଝିଅର ବାପା ହୋଇଥିଲା ତ କାମଳାଙ୍କ ପାଟିରୁ ସ୍ୱତଃ ମା ମହାଲଷ୍ମୀ ମୋ ଘରକୁ ଆସିଛନ୍ତି କହିବାର ଶୁଣାଯାଉଥିଲା.ସେପଟେ ଝିଅ ମାଙ୍ଗଳିକା ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲା.
ରାତିକାନ୍ତଙ୍କ ବାମ ପଡୋଶୀ ବୃଦ୍ଧ ବୃଦ୍ଧାଙ୍କୁ ଏଣିକି ପୁଅ ବୋହୁ ନିଜ ଭୁଲ ବୁଝି ଫେରାଇ ନେଇଥିଲେ ମଧ୍ୟ ପଡୋଶୀ ସମ୍ପର୍କରେ କୌଣସି ତିକ୍ତତା ଦେଖାଯାଇନଥିଲା. ସେହିପରି ଆଉ ଯୌତୁକ କଥା ନକହି ଦକ୍ଷିଣ ପଟ ପଡୋଶୀଙ୍କ ଝିଅ ସହ ତାର ପୁତ୍ର ସନ୍ତାନକୁ ସ୍ୱାମୀ ଓ ଶାଶୁ ଶଶୁର ଫେରାଇ ନେଇଥିଲେ ତ ରତିକାନ୍ତଙ୍କ ଘରେ ଆନନ୍ଦର ଲହରୀ ଖେଳି ଯାଇଥିଲା.ରାତିକାନ୍ତଙ୍କ ଝିଅ ମାଙ୍ଗଳିକା ଯୋଉଦିନ ପୁଅ ଜନ୍ମ କରି ମାଆ ହେଲା ସେଦିନ ସମସ୍ତେ କହୁଥିଲେ ଯେ ଜନ ଥାଏ ପ୍ରାଣୀହିତେ ଓ ପରହିତେ ତାହାର ସବୁବେଳେ ଭଲ ହିଁ ଭଲ ହୋଇଥାଏ.ସତରେ ରତିକାନ୍ତଙ୍କ ସ୍ବପ୍ନ ଆଜି ବାସ୍ତବ ରୂପ ନେଇଥିଲା ବେଳେ କମଳା ବୁଝିଯାଇଥିଲେ ସ୍ୱାମୀଙ୍କ ସ୍ୱପ୍ନର ମହନୀୟତା ଏହିକି ଯେ ବସୁଧୈଇବ କୁଟୁମ୍ବକମ କଥାଟାର ମଧୁରତା.ସତରେ ଏ ଅଳିକ ସଂସାରରେ କିଏ କେତେ ଦିନ ଅବା ବଞ୍ଚିବ!ବଞ୍ଚିଥିଲା ବେଳେ ସବାନ୍ଧବଙ୍କୁ ଅର୍ଥାତ ନିଜର ନିଜ ଚତୁଃପାଶ୍ୱର ମଣିଷ, ପଶୁ,ପକ୍ଷୀ,ଗଛ ଓ କୀଟଙ୍କ ବନ୍ଧୁ ହୋଇପାରିବା ଏକ ସ୍ବର୍ଗୀୟ ସ୍ବପ୍ନ ସତରେ.।
