Pradeep Kumar Panda

Abstract Inspirational

3  

Pradeep Kumar Panda

Abstract Inspirational

ସ୍ବାଧୀନ

ସ୍ବାଧୀନ

4 mins
551



ସମୟ ସକାଳ ସାଢେ ଦଶଟା ବାଜିଥାଏ । ବଦ୍ରିନାଥ ବାବୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଜର କୋଭିଡି ପରୀକ୍ଷା କରେଇ ଫେରୁଥାନ୍ତି । ସାଧାରଣତନ୍ତ୍ର ଦିବସର ମହକଟା ଧିରେ ଧିରେ ଫିକା ପଡି ପଡି ଆସୁଥାଏ । କୋଭିଡି କଟକଣା ଭିତରେ କିଏ କେମିତି କୋଉଠି ପତକାଟିଏ ଉଡେଇଦେଇ, ଯେଝା ବାଟରେ ଯିଏ ଯୁଆଡେ ପଳେଇ ଗଲେଣି । 


ନନା ଦୋକାନରେ ଅବଶ୍ୟ ଗହଳି ଟିକିଏ ବଢି ଯାଇଥାଏ ସକାଳୁଆ ଟିଫିନି ଖାଇବା ପାଇଁ । ଛଣା ସେଉ ଓ ବୁନ୍ଦିର ଡିମାଣ୍ଡଟା ଟିକିଏ ଅଧିକ ଥାଏ । ଅନ୍ୟ ସବୁଦିନ ସେଉ ଓ ବୁନ୍ଦିକୁ ଦେଖିଲେ ନାକ ଟେକୁଥିବା ଲୋକ ମଧ୍ୟ, ଅଗଷ୍ଟ ପନ୍ଦର ଆଉ ଜାନୁଆରୀ ଛବିଶିରେ ସେଉବୁନ୍ଦି ଟିକିଏ ଖାଇ ଦେଇଥାଏ । ନହେଲେ କୁଆଡେ ସ୍ବାଧୀନତା ଦିବସର ବା ନିଜେ ସ୍ବାଧିନ ଥିବାର ଫିଲିଙ୍ଗସ୍ ଆସେ ନାହିଁ । ଭଲ କଥା । ଅନ୍ତତଃ ଏଇ ହାୱାରେ ପିଜା ବର୍ଗର୍ ଯୁଗରେ ପୁରୁଣା କାଳିଆ ସୁସ୍ବାଦୁ ଖାଦ୍ୟଟିଏ ବଞ୍ଚିକି ରହିଛି ।


କୋଭିଡି ପରୀକ୍ଷା ରିପୋର୍ଟରେ ନେଗେଟିଭ ଆସିଥିବାରୁ ଖୁସିଥିଲେ ବଦ୍ରିନାଥ ବାବୁ । ସ୍ବାସ୍ଥ୍ୟ କେନ୍ଦ୍ରର ଅନତିଦୂରରେ ଥିବା ଗାନ୍ଧୀସ୍ମୃତିପୀଠ ସାମ୍ନାରେ ଥିବା ହମ୍ପ୍ସରେ ସ୍କୁଟରର ବ୍ରେକ୍ ଦେଲେ ବଦ୍ରିନାଥ ବାବୁ । ନଜର ପଡିଲା ନିକଟରେ ପଡିଥିବା ଏକ ଛୋଟ ଜାତୀୟ ପତାକା ଉପରେ । ବୋଧହୁଏ କୋଉ ପିଲା ହାତରୁ ଗଳି ପଡ଼ିଛି ଏବଂ ସିଏ ଆଉ ତଳୁ ନଉଠାଇ ପଳେଇ ଯାଇଛି । କେତେ ଲୋକ ସେଇବାଟେ ଯିବା ଆସିବା କରୁଛନ୍ତି, ପତାକାକୁ ଗୋଡ଼ରେ ମାଡିକି,ଗାଡି ଚଢେଇକି ଯିବା ଆସିବା କରୁଛନ୍ତି । ଅଥଚ କାହାରି ନଜରରେ ଆସୁନାହିଁ କେମିତି, କିମ୍ବା ଜାଣିଶୁଣି ଦେଖି ନଦେଖିଲା ପରି ହେଉଛନ୍ତି, ତାହା ମା' ଗଙ୍ଗେଇଙ୍କୁ ଜଣା । ସ୍କୁଟରକୁ ବନ୍ଦ କରି, ସାଇଡ଼ରେ ରଖି, ଆସି ପତାକାଟିକୁ ଉଠେଇଲେ ବଦ୍ରିନାଥ । ଝାଡିଝୁଡି, ପତାକାକୁ ମୁଣ୍ଡରେ ଲଗେଇ ସ୍କୁଟରର ଗୋଟିଏ ପଟ ମିରରରେ ବାନ୍ଧିଲେ ଲାଗିଥିବା କାଠି ଛାଆଁ ।


ବଡି ଅନ୍ଧାରରୁ ବଦ୍ରିକୁ ଉଠେଇ ଦେଇ ନିତ୍ୟକର୍ମ ସାରିବାକୁ କହିଲେ ମାଆ । ନିତ୍ୟକର୍ମ ସମାପନ ପରେ ମାଆ ଦେଇଥିବା ଚୁଡାଗୁଡ ଚକଟା ଖାଇଦେଇ, ପୂର୍ବରୁ ସଫା ହେଇ, କଂସାରେ ରଡ ନିଆଁର ଅଙ୍ଗାର ପୁରେଇ ଇସ୍ତ୍ରି କରାଯାଇଥିବା ସ୍କୁଲ୍ କୁର୍ତ୍ତା ଓ ପ୍ୟାଣ୍ଟ୍ ପିନ୍ଧି,ଏକ ମୁହାଁ ହେଇ ଦୌଡିଥିଲା ସ୍କଲକୁ । ବାଟରେ ଅବଶ୍ୟ ମଝିରେ ମଝିରେ ଲେଖା ଯାଇଥିବା ସ୍ଲୋଗାନ ସବୁ ଉପରେ ଆଉ ଥରେ ଥରେ ଆଖି ପକେଇ ଘୋଷି ପକଉ ଥିଲା ।

ଭାରତ ମାତାକୀ ଜୟ, ମହାତ୍ମାଗାନ୍ଧୀକୀ ଜୟ,ବନ୍ଦେ ମାତରଂ ଇତ୍ୟାଦି ଇତ୍ୟାଦି । ଶ୍ରେଣୀରେ ପ୍ରଥମ ହେଉଥିବାରୁ ତାକୁ ଏହି ଦାୟିତ୍ବ ଦେଇଛନ୍ତି ବଡ ସାର୍ । ପ୍ରଭାତ ଫେରିରେ ଗାଁ ବୁଲିବା ସମୟରେ ଦେଶାତ୍ମବୋଧକ ଗୀତ ସହିତ ମଝିରେ ମଝିରେ ଏହି ସବୁ ସ୍ଲୋଗାନ ଦିଆ ଯିବ । ଭାରି ଖୁସିଥିଲା ବଦ୍ରି । ରୋମାଞ୍ଚ ହେଇ ଉଠୁଥିଲା ସିଏ ଦେଶକଥା ଭାବି ଭାବି । ବଡ ହେଲେ ଦେଶସେବା କରିବ, ଦେଶକୁ ଆହୁରି ଆଗେଇ ନେବ, ଏମିତି ଅନେକ ଭାବନା ଆସୁଥିଲା ବଦ୍ରି ମନକୁ । ବୁଝୁଥିଲା ଦେଶର ମହତ୍ତ୍ଵ ଓ ସ୍ବାଧୀନତାର ଅର୍ଥ ।


ଓଭର ବ୍ରିଜ୍ ତଳବାଟେ ବାମ ପଟକୁ ଆସିବା ବେଳେ ପଛରୁ ଅନ୍ୟ ଏକ ଗାଡିର ହର୍ଣ୍ଣ ବାଜିବାର ଶଦ୍ଦରେ ପ୍ରକୃତିସ୍ଥ ହେଲେ ବଦ୍ରିନାଥ ବାବୁ । ହୁସିଆରି ସହକାରେ ବାମପଟକୁ ଆସି ସ୍କୁଟର ରୋକିଲେ ସିଏ । ପିଲାବେଳ କଥା ମନେ ପଡିଯାଇ ଆଖିରେ ଲୁହ ଆସିଯାଇଥିଲା ତାଙ୍କର । ରାସ୍ତାଘାଟ ଜାଲଜାଲୁଆ ଦେଖା ଯାଉଥିଲା ତାଙ୍କୁ । ଚଷମା କାଢି, ଆଖି ପୋଛି ପୁନର୍ବାର ସ୍କୁଟର ଚଳେଇଲେ ସିଏ । ସ୍କୁଲ୍ ବେଳର ଦେଶପାଇଁ ସେଇ ପାଗଳାମି, ଯଦିଓ କଲେଜ ବେଳରେ ଥିଲା, ମାତ୍ର ଅନେକାଂଶରେ କମି ଯାଇଥିଲା । ପେଟ ପାଟଣା ଚକରରେ ପଡିଯିବା ପରେ, ଚାକିରି ବାକିରି କରିବା ପରେ ବ୍ୟକ୍ତିଗତ ଚିନ୍ତା ଅକ୍ତିଆର କରିନେଇଥିଲା ତାଙ୍କୁ । ଦେଶଚିନ୍ତା ରହିଯାଇଥିଲା ବହୁତ ପଛରେ । ପିଲାବେଳୁ ଏପର୍ଯ୍ୟନ୍ତ, ତାଙ୍କର ଏ ଯୋଉ ପରିବର୍ତ୍ତନ, କେମିତି ହେଲା, କାହିଁକି ହେଲା, ତା'ର ସୁତ୍ର ଖୋଜି ପାଉ ନଥାନ୍ତି ବଦ୍ରିନାଥ ବାବୁ । ମାତ୍ର ମନ କହୁଥାଏ ଏବୟସରେ ଆଉଥରେ ହାତରେ ପତାକା ଧରି ପ୍ରଭାତଫେରି କରିବାକୁ । ଆଉଥରେ 'ଭାରତମାତାକୀ ଜୟ' କହିବାକୁ । ଆଉ ଥରେ ଦେଶମାଆ କଥା ଚିନ୍ତାକରି ମନ ଭିତରେ ଶିହରଣ ଆଣିବାକୁ ।


ନନା ଦୋକାନ ପାଖରେ ସ୍କୁଟର ଅଟକେଇଲେ ବଦ୍ରିନାଥ ବାବୁ ।

ସାଧାରଣତନ୍ତ୍ର ଦିବସଟା । ଘରକୁ କିଛି ଲଡୁ ନେବାପାଇଁ ତାଙ୍କର ଏଠାରେ ରହଣି । ନନା ଦୋକାନରେ କାମ କରୁଥିବା, ମୂଖ୍ୟତଃ ଅଇଁଠା ପ୍ଲେଟ୍ ଓ ଟେବୁଲ ସଫା କରୁଥିବା ବାର ଚଉଦ ବର୍ଷର ପିଲାଟି ଉପରେ ନଜର ପଡିଲା ତାଙ୍କର । ଟେବୁଲ୍ ସଫା ଅଳିଆକୁ ବାହାରେ ଥିବା ଡଷ୍ଟବିନରେ ପକେଇ ବାକୁ ବାହାରକୁ ଆସିଥାଏ ପିଲାଟି । ପିଲାଟିକୁ ପାଖକୁ ଡାକିଲେ ବଦ୍ରିନାଥ ବାବୁ । ସ୍କୁଟରରେ ବାନ୍ଧିଥିବା ପତାକାକୁ ଫିଟେଇ ପିଲାଟିକୁ ଦେଲେ । ଅତି ଆଗ୍ରହ ସହକାରେ ପତାକାକୁ ହାତରେ ଧରି ଉଡେଇବାକୁ ଲାଗିଲା । ବଦ୍ରିନାଥ ବାବୁଙ୍କୁ ଲାଗୁଥିଲା ସତେ ଯେମିତି ସିଏ ଛୁଆଟିଏ ହେଇ ଯାଇଛନ୍ତି ଓ ପତାକାକୁ ହାତରେ ଧରି ଉଡଉଛନ୍ତି ।


"ଅଳିଆ ପକେଇବାକୁ ଯାଇଛୁ ନା ଖେଳିବାକୁ ଯାଇଛୁ । ଟେବୁଲ୍ ସଫା କରିବ କିଏ, ମୁଁ ?" 


ମୂଖ୍ୟ ପରିଚାଳକର ଏମିତି କକର୍ଶ ସ୍ବରର କଥାଶୁଣି ଡରିଗଲା ପିଲାଟି । ପତାକାଟିକୁ ବିକଳରେ ଡଷ୍ଟବିନରେ ପକେଇ ଦେଇ ଏକାମୁହାଁ ପଳେଇଥିଲା ଜଳଖିଆ ଦୋକାନ ଭିତରକୁ । ବଦ୍ରିନାଥ ବାବୁ ଡଷ୍ଟବିନରୁ ପତାକାଟିକୁ କାଢି, ଝାଡିଝୁଡି ସ୍କୁଟର ଡିକିରେ ରଖି, ଦୋକାନ ଭିତରକୁ ପ୍ରବେଶ କଲେ ।


ଦୋକାନୀକୁ ଶହେ ଟଙ୍କାର ଲଡୁ ବରାଦ ଦେଲେ ବଦ୍ରିନାଥ ବାବୁ । ଦୋକାନରେ କାମ କରୁଥିବା ଅନ୍ୟଜଣେ ଲୋକ ଶହେ ଟଙ୍କାର ଲଡୁ ପ୍ୟାକକରି ଧରେଇଦେଲା ବଦ୍ରିନାଥ ବାବୁଙ୍କ ହାତରେ । ଦୋକାନୀକୁ ଟଙ୍କା ଦେଇ ବାହାରକୁ ଆସିବାକୁ ବାହାରିଛନ୍ତି, ନଜର ପଡିଲା ସେଇ ଛୋଟ ପିଲାଟି ଉପରେ । ପାଖକୁ ଡାକି ଲଡୁ ପ୍ୟାକେଟରୁ ଦୁଇଟି ଲଡୁ ବାହାର କରି ଧରେଇଦେଲେ ପିଲାଟିକୁ । ସଂକୋଚରେ ଲଡୁକୁ ଗ୍ରହଣ କଲା ପିଲାଟି । 


ବଦ୍ରିନାଥ ବାବୁ ଭାବୁଥିଲେ, " ପତାକା ଉତ୍ତୋଳନ ପରେ ଅତିଥି ଗୋଟିଏ ମୁଣ୍ଡରୁ ଲଡୁ ବାଣ୍ଟି ବାଣ୍ଟି ଆସୁଛନ୍ତି,ସିଏ ଧାଡିରେ ଛିଡାହେଇ ଅପେକ୍ଷା କରିଛନ୍ତି ତାଙ୍କ ପାଳିକୁ ।"


ପିଲାଟି ଲଡୁ ଖାଇସାରିବା ପରେ ବଦ୍ରିନାଥ ବାବୁ ପଚାରିଲେ, "ବାବୁ ! ତୋ'ର ନାଁ କ'ଣ ?"


ପିଲାଟି ବଡ ଖୁସିରେ କହିଲା, "ସ୍ବାଧିନ ନାୟକ ।"



Rate this content
Log in

Similar oriya story from Abstract