Mrutyunjay Patra

Romance Fantasy

3  

Mrutyunjay Patra

Romance Fantasy

ସାୟନ୍ତନୀ

ସାୟନ୍ତନୀ

3 mins
294



ଷ୍ଟେସନରେ ପହଞ୍ଚି ବିତଶୋକ ଜାଣିଲା ଟ୍ରେନ୍ ଦି'ଘଣ୍ଟା ଲେଟ୍ ଅଛି। ଓଃ! ଦୂର୍ଭାଗ୍ୟ। ଏବେ ଆଉଥରେ ଘରକୁ ଫେରିବା ସମ୍ଭବ ନୁହେଁ। ଏ ସହରରେ ଯୋଉ ଟ୍ରାଫିକ୍, ରାସ୍ତାରେ ଘଣ୍ଟାଏ ଚାଲିଯିବ।କଣ କରିବ ଏତେ ସମୟ? ମନେପଡିଲା, ଷ୍ଟେସନ୍ ବାହାରେ ମାର୍କେଟ୍ କମ୍ପ୍ଲେକ୍ସ୍ ଭିତରେ ଗୋଟେ ସୁନ୍ଦର ବାର୍ ଅଛି। ସେଠି ଆରାମରେ ଦି'ପେଗ୍ ନିଆଯାଇପାରେ। ଦି'ଘଣ୍ଟା ବିତିଯିବ ଖୁସିରେ। ବୁଲିପଡ଼ିଲା ବାହାରକୁ ଯିବାକୁ। ଦେଖିଲା, ଗୋଟେ ହୁଇଲ୍ ଚେୟାରରେ ଝିଅଟିଏ ବସିଛି, ସାଙ୍ଗରେ ଜଣେ ନର୍ସ,ଆସୁଛନ୍ତି ପ୍ଳାଟଫର୍ମ ଭିତରକୁ। ବିତଶୋକ ଭଲକରି ଦେଖିବା ଆଗରୁ ଝିଅଟି ଚଟକରି ମୁହଁ ବୁଲେଇଦେଲା ଅନ୍ୟପଟକୁ। ନର୍ସ କହିଲା-"ସାୟନ୍ତନୀ ମ୍ୟାଡାମ୍! ଆପଣ ଟିକେ ବସିଥାନ୍ତୁ, ମୁଁ ଲଗେଜଟା ନେଇ ଆସୁଛି। ହଠାତ୍ ଚମକି ପଡ଼ିଲା ବିତଶୋକ ଏଇ ନାଁ' ଟି ଶୁଣି। ତଥାପି ଦେଖିବାକୁ ଚେଷ୍ଟା କଲା। ଝିଅଟି ମୁହଁରେ କେବଳ ଆଖିକୁ ଛାଡି ବାକି ସବୁ ଅଂଶ ସ୍କାର୍ଫରେ ଘୋଡିହେଇଥିଲା। ମୁଣ୍ଡରେ ଉଲ୍ ଟୋପି। ହଁ, ଶୀତଦିନ ଅବଶ୍ୟ। ତା'ଛଡ଼ା ଅବସ୍ଥା କହୁଛି, ନିହାତି ଜଣେ ରୋଗୀ। ନହେଲେ ପ୍ଲାଟଫର୍ମ ଭିତରକୁ ହୁଇଲ୍ ଚେୟାର ଆସିବା କ୍ଵଚିତ୍। କିନ୍ତୁ ଇଏ କଣ ସେଇ ସାୟନ୍ତନୀ? ବିଶ୍ୱାସ କରିବା ବା ପଚାରି ବୁଝିବା ଏସବୁ ବିଚାର ଠାରୁ ବାର୍ ଯିବାର ମୋହ ବେଶି ଥିଲା। ତେଣୁ ସେ ବାହାରକୁ ବାହାରିଗଲା। ବାରରେ ବସି ପେଗ୍ ଅର୍ଡର୍ କଲା। ଗୋଟେ ପେଗ୍ ସରିବା ପରେ ଦ୍ଵିତୀୟଟି ଅର୍ଡର୍ କରିବା ପରେ ହଠାତ୍ କାହିଁକି ସାୟନ୍ତନୀର ସ୍ମୃତି ତାକୁ ବ୍ୟସ୍ତ କଲା। ପୁଣି ଥରେ ପୁରୁଣା ରାଗ ତାକୁ ଯେମିତି କ୍ଷିପ୍ତ କରୁଥିଲା। ନା, ସାୟନ୍ତନୀ ତାକୁ ପ୍ରତାରଣା ଦେଇଛି। ବର୍ଷବର୍ଷର ଭଲପାଇବାକୁ ଗୋଟିଏ ମୁହୂର୍ତ୍ତରେ ଭୁଲିଯାଇଛି। କେତେ ରାଗଋଷା, ଚିଡାଚିଡି ବିଶେଷ କରି ଏଇ ନାଁ'କୁ ନେଇ...

ହସିଦେଲା ମନେମନେ ବିତଶୋକ। ମନେପଡିଲା, ଥରେ ତାକୁ ଚିଡେଇବାକୁ କହିଦେଲା-

"ତୋ ନାଁ'ଟା ସାୟନ୍ତନୀ କିଏ ଦେଲା କିରେ?"

"କାହିଁକି? ମୋ ବାପା ଦେଇଛନ୍ତି"

"ଲାଗୁଛି, ତୋ ବାପା ବହୁତ ରୋମାଣ୍ଟିକ ମିଜାଜର। ତୋ ମା'ଙ୍କୁ...."

"ଏଇ, ଖବରଦାର୍, ମୋ ବାପା ମା'ଙ୍କୁ ନେଇ କିଛି ଜୋକ୍ କରିବନି ପ୍ଲିଜ୍"

"ଆଛା, ତମ ନାଁ'ଟା ବିତଶୋକ ଯିଏବି ଦେଇଛନ୍ତି, ସେ କଣ ଅଶୋକଙ୍କ ଦରବାରରେ ଚାକିରି କରୁଥିଲେକି?"

"ହଉ, ଏତେ ରାଗନି। ବାବାରେ, ରାଗିକି ପୁରା ଲାଲି ପଡିଗଲୁଣି। ଦେଖିଲୁ ଟିକେ ତୋ ମୁହଁ। ଏ ଲାଲି!"

ବାସ୍ ଏତିକି। ସେଇଦିନଠୁ ବିତଶୋକ ତାକୁ ଲାଲି ବୋଲି ଡାକେ ଆଉ ସାୟନ୍ତନୀ ଅବଶ୍ୟ ସେ ନାଁ'କୁ ଖୁସିରେ ଗ୍ରହଣ କରିଥିଲା। ତା'ର ମନେଅଛି, ସେ କହିକି ଆସିଥିଲା ଠିକ୍ ମାସେ ପରେ ଆସିବ ଆଉ ସାୟନ୍ତନୀର ବାପା,ମା'ଙ୍କ ସହ ସେମାନଙ୍କ ବିବାହ ବିଷୟରେ କଥା ହେବ। ସେ'ତ ଆସିଲା, ହେଲେ ସାୟନ୍ତନୀ ନଥିଲା। ପଚାରିଲା ତା' ବାପା,ମା'ଙ୍କୁ। ସେମାନେ କହିଲେ ସେ ମ୍ୟାରେଜ କରି ମୁମ୍ବାଇ ଚାଲିଯାଇଛି। ସେଇଠି ତା' ସ୍ବାମୀ ଚାକିରି କରେ। ବିତଶୋକର ବିଶ୍ୱାସ ହେଉନଥିଲା, ହେଲେ ତା' ମା କହିଲେ 

"ସେ'ତ ତମକଥା ଆମକୁ କେବେ କହିନି। ଆମେ କେମିତି ଜାଣିଥାନ୍ତୁ? ଏ ବିବାହ ସେ ନିଜ ଇଚ୍ଛାରେ କରିଛି।" 

ଫେରି ଆସିଲା ସେଦିନ ଭଙ୍ଗା ମନକୁ ନେଇ। ମନରେ ପ୍ରଚଣ୍ଡ ରାଗ ଆଉ ଘୃଣା। ରାତିରେ ନିଆଁ ଜାଳି ସାୟନ୍ତନୀର ସାମାନ୍ୟତମ ସ୍ମୃତିର କାଗଜ ମଧ୍ୟ ଟିକିଟିକି କରି ନିଆଁକୁ ପକଉଥିଲା। ହେଲେ ଆଜି ପୁଣି ସେଇ ନାଁ କାହିଁକି ତାକୁ ଏତେ ବ୍ୟସ୍ତ କରୁଛି? ତିନି ପେଗ୍ ସରିଯାଇଥିଲା। ସମୟ ଅତିକ୍ରାନ୍ତ। ବିଲ୍ ପେମେଣ୍ଟ୍ କରି ଉଠିଲା।

ଗଲାବେଳକୁ ଟ୍ରେନ୍ ଠିଆ ହେଇଥିଲା ପ୍ଲାଟଫର୍ମରେ। ସେ ଉଠିଗଲା କମ୍ପାର୍ଟମେଣ୍ଟ୍ ଭିତରକୁ। ଟ୍ରେନ୍ ଛାଡିବାକୁ ତଥାପି ଆହୁରି ଦଶ ମିନିଟ୍ ବାକି। ଆଶ୍ଚର୍ଯ୍ୟ ହେଲା, ନର୍ସଟି ଠିଆ ହେଇଛି ଦି'ଟା ଧାଡ଼ି ଆଗକୁ ଗୋଟେ ସିଟ୍ ପାଖରେ ଆଉ କହୁଛି 

"ସାୟନ୍ତନୀ ମ୍ୟାଡାମ୍, ମୁଁ ଯାଉଛି। ଅଙ୍କଲଙ୍କୁ ଫୋନ୍ କରି କହିଦେଇଛି। ସେ ଷ୍ଟେସନରେ ଅପେକ୍ଷା କରିଥିବେ, ଭିତରକୁ ଆସି ନେଇଯିବେ। ତମେତ ଆରମାସରେ ଆସିବ, ସେତିକିବେଳେ ପୁଣି ଦେଖା ହବ।"

ଏତିକି କହି ନର୍ସଟି ବୁଲି ପଡ଼ିଲା ଓହ୍ଲେଇବାକୁ। କାହିଁକି କେଜାଣି ଗୋଟିଏ ଆବେଗରେ ତା' ପାଟିରୁ ବାହାରିଗଲା "ଲାଲି"??

ରହିଗଲା ନର୍ସ "ଆପଣ?"

"ମୁଁ ବିତଶୋକ, କଣ ହେଇଛି ସାୟନ୍ତନୀର?"

"କ୍ୟାନସର୍,କେମୋ ନବାର ଚତୁର୍ଥ ମାସ ଚାଲିଛି।"

ତିନି ପେଗର ନିଶା ଗୋଟାଏ ଝଟକାରେ ଖସିଗଲା। ଧାଇଁଗଲା ଆଗ ସିଟକୁ। ସାୟନ୍ତନୀ ତାକୁ ଚାହିଁପାରୁନଥିଲା।

"ଓଃ, ଏଇଥିପାଇଁ ତୋର ଏ ଅଜ୍ଞାତବାସ? କାହିଁକିରେ? ବିଶ୍ୱାସ ନଥିଲା ମୋ ଭଲପାଇବାରେ ନା ମୋ ଉପରେ?"

ତାକୁ ଆଉଜାଇ ନେଲା ନିଜ ଉପରକୁ। ସାୟନ୍ତନୀ କାନ୍ଦି ପକେଇଲା। କହିଲା

"ତମ ଜୀବନରେ କେବଳ ଗୋଟିଏ ଖୁସି ଥିଲି ମୁଁ। ପୁଣି ଥରେ ତମକୁ ଦୁଃଖୀ କରିବାକୁ କେମିତି ରହିଥାନ୍ତି?"

"ତାହାଲେ ଏଇଥିପାଇଁ ଅଙ୍କଲ୍ ଆଣ୍ଟି ସବୁ ଜାଣିବି ମୋତେ ମିଛ କହିଲେ? ହେ ପ୍ରଭୁ!"

ସାୟନ୍ତନୀ ଆଖିରୁ ଲୁହ ପୋଛି ଦେଇ ବିତଶୋକ କହିଲା-

"ତୋ ନାଁ' ସାୟନ୍ତନୀ ରଖି ତୋ ବାପା ଠିକ୍ କରିଛନ୍ତି। ଆଉ କୋଉ ନାଁ ହେଇଥିଲେ ମୁଁ ତୋତେ ଜୀବନସାରା ପାଇନଥାନ୍ତି।"

ସାୟନ୍ତନୀ ତା'ଦେହକୁ ଆଉ ଟିକେ ଆଉଜିପଡି କହିଲା -

"ତମେ ମୋ ଉପରେ ବହୁତ ରାଗିଛ'ନା?"

ବିତଶୋକ କହିଲା-

"ନା, ଆଉ ରାଗିପାରୁନି। ଚାଲ୍, ଶୋଇପଡ଼ ଏଥର। ମୁଁ ଏବେଠୁ ତୋ ନର୍ସ, ବିନା ଦରମାରେ। ଚଳିବ?"

ସାୟନ୍ତନୀର କିଛି କହିବାର ନଥିଲା। ନିରାପଦର ଶ୍ରେଷ୍ଠତମ ଆଶ୍ରୟ ପାଇସାରିଛି। ଆଉ ଜୀବନରେ କଣ ଦରକାର? ଏବେ ମୃତ୍ୟୁ ଯେବେ ଆସିବା କଥା ଆସୁ। ଶାନ୍ତିରେ ମରିପାରିବ ନିଶ୍ଚୟ।


రచనకు రేటింగ్ ఇవ్వండి
లాగిన్

Similar oriya story from Romance