STORYMIRROR

Mrutyunjay Patra

Children

3  

Mrutyunjay Patra

Children

ଅନଲାଇନରେ ପାଠ ପଢା

ଅନଲାଇନରେ ପାଠ ପଢା

3 mins
227


ଦିନ ତମାମ ଏ ଗଳିରୁ ସେ ଗଳି। ଚିଣ୍ଡା,ମଇଳା,ପୁରୁଣା ବହି,ଖାତା, ଲୁଗା ପଟା,ଟିଣ ଭଙ୍ଗା,ଲୁହା ଲକଡ଼ କିଲୋ ଦଶ ଟଙ୍କା ଡାକ ଛାଡି ଯାଉଥାଏ। ଯୋଉଠି ପାଇଲା ସେଠି ଦାଣ୍ଡେ ଠିଆ ହୋଇ ପୁଣି ଆଉ କୋଉ ଗଳିକୁ ତା ଭଙ୍ଗା ଦଦରା ସାଇକେଲଟିକୁ ଆଗକୁ ବଢାଏ। ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ବଡ଼ ଝିଅ ଏଥର +2 ପରୀକ୍ଷା ଦେବ,ଆଉ ପୁଅଟି 10th ପରୀକ୍ଷା ଦେବ।

ଘରେ ସ୍ୱାମୀ ସ୍ତ୍ରୀ ଆଉ ବୁଢ଼ୀ ମା। ଏଇ ବେପାରରେ ସେମାନେ ଚାଲି ଯାଉଥିଲେ କୌଣସି ପ୍ରକାରରେ। ଅସୁବିଧା ହଉଥିଲେ ବି ବଢ଼ାଉ ନଥିଲା। ଯୋଉ ୱାର୍ଡରେ ସେ ରହୁଛି ସେ ୱାର୍ଡର କାଉନସିଲର ତାର ରେଶନ କାର୍ଡ କରିଦେଇଛନ୍ତି । ଚାଉଳ,ଗହମ ଓ କିରାସିନି ପ୍ରତେକ ମାସ ମିଳିଯାଏ । ବଡ ଝିଅଟି ଭଲ ପାଠ ପଢୁଛି ବୋଲି ତା କଲେଜର ସାର ମାନେ କହୁଥିଲେ।ସାର ମାନଙ୍କ ପାଖରୁ ଝିଅର ପାଠ କଥା ଶୁଣି ନିଜକୁ ବହୁତ ଖୁସି ଲାଗେ।

ପୁଅଟା କଥା ଏତେ ଚିନ୍ତା କରନି,ପୁଅ ପିଲା ଯେମିତି ହେଲେ ଲାଗିଯିବ। ଝିଅକୁ ବେଶୀ ପାଠ ପଢ଼ାଇବାକୁ ତାର ବହୁତ ଇଛା। ଝିଅଟେ ବି ସେମିତି। ଘରର ପରିସ୍ଥିତିକୁ ଦେଖି କେବେ କିଛି କୁହେନା। ବରଂ ବାପାଙ୍କୁ ସାହାଯ୍ୟ କରବାକୁ ସେ ଓ ତା ମା ସହ ମିଶି ପୁରୁଣା ଖାତା ବହି ଓ ପୁରୁଣା ଖବର କାଗଜରୁ ଠୁଙ୍ଗା ତିଆରି କରନ୍ତି । ଯାହା ଦୁଇ ପଇସା ହୁଏ ତାର ଖାତା ବହି ହୋଇଯାଏ । ବାପା ସକାଳୁ ଯେ ବାହାରି ଯାଆନ୍ତି ଆସନ୍ତି ରାତି ହେଲେ।


ଏମିତି ନୀତି ଦିନ ଘଟଣା ଭିତରେ ଚାଲିଥିବା ବେଳେ ହଠାତ ସବୁ ବନ୍ଦ ହୋଇଗଲା । କେହି କୁଆଡେ ଯାଇ ପାରିବେନି। କରୋନା ଆସିଛି। କରୋନାକୁ ହରେଇ ବାକୁ ପଡିବ। ସେଥିପାଇଁ ସାରା ଦେଶ ତାଲା ବନ୍ଦ । ସଦେ ଚାରିଟା ହେଲେ ସୁବ୍ରତ ବାଗଚି କାଁ କହିବେ ସମସ୍ତେ ଅନେଇ ବସି ଥାଆନ୍ତି।

ଦେଖୁ ଦେଖୁ ମାସେ ନୁହଁ,ଦୁଇ ମାସ ନୁହଁ ପୁରା ସାତ ମାସ ହୋଇ ଗଲାଣି। ଖାଲି ବନ୍ଦ ଆଉ ବନ୍ଦ। ଆଜି ପରି ବଜାର ଆଉ ଗହଳି ଚହଳି ନାହିଁ। ସନ୍ଧ୍ୟା ଆଗରୁ ପୁରା ଶୁନ ଶାନ । ଆଗ ପରି ବେପାର ବି ନାହିଁ। କବାଡି ଖାନାର ମହାଜନ ଆଉ ଆଗପରି ଏଡଭାନ୍ସ ଆକାରରେ ଟଙ୍କା ମଧ୍ୟ ଦେଉନାହିଁ। ବରଂ କହୁଚି ଯେତିକି ମାଲ ଆଣିଛ ସେତିକିର ପଇସା ନିଅ। ଗୋଟେ ଟଙ୍କା ମଧ୍ୟ ଅଧିକା ଦେବି ନାହିଁ। ଏ ଭିତରେ ଝିଅ ପୁଅର ସ୍କୁଲ ଯିବା ବନ୍ଦ ହୋଇଯାଇଛି। ସରକାର ମନା କରିଛନ୍ତି। ପିଲାମାନେ ସବୁ ଅନଲାଇନରେ ପାଠ ପଢିବେ।

ସେ କିଛି ବୁଝି ପାରୁନଥିଲା ଏ ଅନଲାଇନ ପାଠ ପଢା କଣ ? ପୁଣି ମୋବାଇଲରେ। ଘରେ ତ ଗୋଟେ ମୋବାଇଲ ଅଛି ସେଇଟାରେ ତ ହେଇଯିବ ଭାବି ଝିଅକୁ ପଚାରିଲା । ଝିଅ ବୁଝେଇ ଦେଲା ଘରେ ଥିବା ଟିପା ମୋବାଇଲରେ ପାଠ ପଢି ହବନି। ଏଠି ପାଇଁ ଅଣ୍ଡ୍ରାଏଡ ସେଟ ମୋବାଇଲ ଦରକାର।ପୁଣି ଗୋଟେ ନୁହଁ ଦୁଇଟା। ଅଣ୍ଡ୍ରାଏଡ ସେଟ ମୋବାଇଲ ର ଦାମ ଶୁଣି ତା ମଥାଟା ଘାଇଁ ଘାଇଁ କରି ଘୁରିଗଲା। ଏତେ ଗୁଡା ପଇସା ଆଣିବ କୋଉଠୁ,କିଏ ବା ଦବ?

ଏ କଥା ଭାବୁ ଭାବୁ ଝିଅକୁ ବେଶୀ ପଢ଼ିବାର ସ୍ୱପ୍ନ ଆସ୍ତେ ଆସ୍ତେ ଭାଙ୍ଗିଯାଉଥିଲା। ଏବେ ତ ବେପାର ପୁରା ମାନ୍ଦା। କୋଉଦିନ ମିଳୁଚି ତ କୋଉଦିନ ନାହିଁ। ଏବେ ପୁଣି ବଜାର ସାତ ଦିନ ବନ୍ଦ। କଣ କରିବ ଭାବୁ ଭାବୁ ରାସ୍ତା କଡରେ ମୋବାଇଲ କମ୍ପାନୀର ବଡ଼ ବଡ଼ ହୋର୍ଡିଙ୍ଗ ଲାଗିଥିବାର ଦେଖିଲା। ମୋବାଇଲକୁ ହାତରେ ଧରି କେମିତି ନାଚି ଉଠୁଛନ୍ତି ।

ସାଇକେଲ ଧରି ଆଗକୁ ଗଡ଼ିଲା,ଭାବୁଥାଏ କୋଉଠୁ କିଛି ନହେଲେ ଝିଅ ପାଇଁ ଗୋଟେ ମୋବାଇଲ କିଣିଦେବି ବରଂ ମୋ ଏ ସାଇକେଲ ଆଉ ତା ମାର କାନ ଫୁଲ ହଳକ ବିକି ଦେଇ ଯେମିତି ହଉ ମୋବାଇଲ ଆଣିଦେବି। ଭାବୁ ଭାବୁ ସେ କେତେବେଳେ ଘରେ ପହଞ୍ଚି ଯାଇଛି ଜାଣି ପାରିଲା ନାହିଁ। ଘରେ ପହଂଚି ସେ ଦେଖିଲା ତାକୁ ଦେଖି ସମସ୍ତେ ହସୁଛନ୍ତି।

କିଛି ବୁଝିବା ଆଗରୁ ପୁଅ ଆସି କହିଲା ବାପା ଜାଣିଛ ଦିଦିର କଲେଜରୁ ଜଣେ ମାଡାମ ଆସିଥିଲେ,ଆଉ ଦିଦିକୁ ଏଇ ମୋବାଇଲଟି ଦେଇ କହିଲେ ଏଇଟା ରଖ ଅନଲାଇନରେ ପାଠ ପଢ଼ିବୁ,ଯାହା ଅସୁବିଧା ହେବ ସାର ମାନଙ୍କୁ ପଚାରିବୁ।

ବାପା ଦିଦି ର ତ ହୋଇଗଲା, ହେଲେ ମୋର ବି ତ ଦରକାର।

ମୁଁ କେମିତି ପଢିବି ?

ପାଖରେ ଛିଡା ହୋଇଥିବା ଝିଅ ତା ଭାଇ ମୁଣ୍ଡରେ ହାତ ରଖି କହିଲା ଏଇଟା ତୋର।

ତୁ ପଢି ସାରିଲେ ମୁଁ ପଢିବି।

ବାପା କେବଳ ଚାହିଁଥାଏ ସେମାନଙ୍କ ମୁହଁକୁ......



Rate this content
Log in

Similar oriya story from Children