ABhimanyu Panda

Inspirational Tragedy

3  

ABhimanyu Panda

Inspirational Tragedy

ସାବିତ୍ରୀ

ସାବିତ୍ରୀ

6 mins
579


ଆଜି ପୁଣିସେଇ ପୁରୁଣା ଚର୍ଚ୍ଚା  ଗାଁ ମଣ୍ଡପ ଉପରେ କିଛି ବୟୋଜ୍ୟେଷ୍ଠ ମାନେ ବସି ସବୁଦିନ ପରି ଆଜି ବି ନରୋତ୍ତମ(ନିର) ନନା(ବଡ଼ଭାଇ) ଙ୍କ ବିଷୟରେ ଆଲୋଚନା ଚାଲିଛି ।

ନରୋତ୍ତମ ନନା ଜଣେ ଅବସରପ୍ରାପ୍ତ ଶିକ୍ଷକ । ବୟସ ପାଖାପାଖି ସତୁରୀ ମୁହଁରେ ସବୁବେଳେ ହସ । ଏକ ଅପୂର୍ବ ତେଜ ତାଙ୍କ ମୁହଁରେ । ପରିବାର କହିଲେ ଦୁଇପୁଅ ଆଉ ଗୋଟେ ଝିଅ ସମସ୍ତଙ୍କୁ ସୁଶିକ୍ଷିତ କରାଇଛନ୍ତି । ଦୁଇପୁଅ ତାଙ୍କ ପରିବାର ସହ ବିଦେଶରେ ରହୁଛନ୍ତି । ବିବାହିତା ଝିଅ ମଧ୍ୟ ସରକାରୀ ବିଦ୍ୟାଳୟ ରେ ଶିକ୍ଷିକା । ଘରେ କେବଳ ଦୁଇଜଣ ନିର ନନା ଆଉ ପଦ୍ମା ଭାଉଜ ।

ଗତ ଦଶବର୍ଷ ହେବ ପଦ୍ମା ଭାଉଜ ରୋଗଶଯ୍ୟାରେ । ପକ୍ଷଘାତ ସାଙ୍ଗକୁ ମାନସିକ ଭାରସାମ୍ୟ ମଧ୍ୟ ହରାଇଛନ୍ତି । ନରୋତ୍ତମ ନନାହିଁ ତାଙ୍କର ସବୁପ୍ରକାରର ସେବା ଶୁଶ୍ରୁଷା କରନ୍ତି । ଏଇ ଗୋଟିଏ କଥା ଖାଲି ମୋ ଗାଁର ନୁହେଁ ଆଖପାଖ ୧୦ ଖଣ୍ଡ ଗାଁରେ ଅଲୋଚ୍ୟର ବିଷୟ ହୋଇଛି ।

କିଛି ସମୟପରେ ନରୋତ୍ତମ ନନା ମନ୍ଦିର ଆଡ଼େ ଆସିବାର ଦେଖିଲି । ନନା ଆସ , ମୁଁ ତମକୁ ହିଁ ଅପେକ୍ଷା କରିଛି । ଘରର ସବୁ କାମ ସାରିବା ପରେ ନନା ସବୁଦିନ ଦ୍ବିପ୍ରହରରେ କିଛି ସମୟ ମନ୍ଦିର ଆଡ଼େ ଆସନ୍ତି । ମୁଁ ଥିଲେ ମୋ ପାଖରେ ବସନ୍ତି ନଚେତ ଏକା ଏକା କିଛି ସମୟ ବସି ପୁଣି ଘରକୁ ଫେରିଯାଆନ୍ତି । ନନାଙ୍କୁ କାହାସହ ସେମିତି ବେଶୀ ଗପିବା ବି ମୁଁ ଦେଖିନି ।

ଆରେ ତୁ ଏଠି ଏକା ଏକା ବସିଛୁଯେ , ସେମାନଙ୍କ ଆଲୋଚନାରେ ଭାଗ ନଉନୁ  ମୋ ମନ ଭିତରେ ଆଶ୍ଚର୍ଯ୍ୟ ର ସୀମା ନାହିଁ । ତଥାପି ନନାଙ୍କୁ ପଚାରିଲି  କି ଆଲୋଚନା କଉଠି ହଉଛି । ନନା ତାଙ୍କର ସେଇ ଚିରପରିଚିତ ହସ ହସିଦେଇ କହିଲେ  ତୁ ମୋ ଆଗରେ ବଢିଛୁ ମୁଁ ତୋ ଆଗରେ ନୁହଁ । ଆରେ ଏଇ ତାସ ଖେଳ ପାଖରେ ଯାହା ଚାଲିଛି  ମୋ ବିଷୟରେ ! ନନା ତମେ ସବୁ ଜାଣିଛ !? ମୁଁ ପ୍ରଶ୍ନ କଲି ।

ହଁ ମୁଁ ସବୁ ଜାଣିଛି । ହେଲେ ମତେ କାଇଁ ଦୋଷ ଦଉଛ ? ମୁତ କେବେ କଉଠି ତମ ବିଷୟରେ ଆଲୋଚନା କରିନି ? ମୁଁ ମୋ ନିଜ ସମସ୍ୟା ନେଇ କେବଳ ତମରି ପାଖକୁ ଆସେ ଆଉ ପ୍ରତ୍ୟେକଥର ତମେ ହିଁ ମତେ ସଠିକ ରାସ୍ତା ଦେଖେଇଛ । ମୋ ଅଭିମାନରେ ନନା ଟିକେ ଚିନ୍ତିତ ଲାଗିଲେ  ମଉକା ଦେଖି ମୋ ମନରେ ଥିବା ବହୁଦିନର କଳଙ୍କି ଲଗା ପ୍ରଶ୍ନକୁ ବହୁତ ସାହସ ବାନ୍ଧି ନନାଙ୍କୁ ପଚାରିଦେଲି । ଆଚ୍ଛା ନନା ତମେ ଯଦି ଏମାନଙ୍କ ଆଲୋଚନା , ଆକ୍ଷେପ , ଶୁଣିଛ କି ଜାଣିଛ କେବେ ପ୍ରତିବାଦ କରିନ କାହିଁକି ? ନନା ଭଲକରି ଥରେ ମତେ ଚାହିଁଲେ, ଆଉ କହିବା ଆରମ୍ଭ କଲେ।

୧୭ ବର୍ଷ ବୟସରେ ମତେ ବାପା ବାହା କରାଇଦେଇଥିଲେ ଆଉ ତୋ ଭାଉଜର ବୟସ ୧୧। ଘରସଂସାର , ପରିବାର ଏ ସବୁ କଣ ଜାଣିବୁ ସେ ବୟସରେ ? ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କଣ ସେ ବିଷୟରେ ମୋର ବିନ୍ଦୁ ବିସର୍ଗର ଧାରଣା ନଥିଲା । ଏକାଦଶ ପରୀକ୍ଷା ଉତ୍ତୀର୍ଣ୍ଣ ହେଲାପରେ ଭିଭିନ୍ନ ଚାକିରୀ ଭିତରୁ ବାପା ଶିକ୍ଷକତା କରିବାକୁ କହିଲେ ମୁଁ ବି ରାଜିହେଲି । ଯେତେବେଳେ ମତେ ୨୧ ସେତେବେଳେ ମୁଁ ବାପହେଲି ପ୍ରଥମ ଥର । ତାର କେଇଦିନ ପରେ ବାପା ଆରପରିକୁ ଚାଲିଗଲେ ,ବାପାଙ୍କ ଯିବାର ଛ ମାସ ନପୁରୁଣୁ ମୋ ବୋଉ ବି ବାପାଙ୍କୁ ଝୁରିଝୁରି ଆରପାରିକୁ ଚାଲିଗଲା । ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି ମନେମନେ । କିନ୍ତୁ ତୋର ଭାଉଜ ସେଇଠୁ ଆରମ୍ଭ କରିଥିଲା ତାର ଜୀବନଯାତ୍ରା ,ତିଆରି କରିବା ଆରମ୍ଭ କରିଥିଲା ତାର ସ୍ୱପ୍ନର ଘର ,ତାର ସ୍ୱପ୍ନର ପରିବାର । ଗୋଟିଏ ପରେ ଗୋଟିଏ ତିନୋଟି ପିଲାଙ୍କର ମା ହୋଇ ତାଙ୍କୁ ସମ୍ଭାଳିବା,ତାଙ୍କର ଶିକ୍ଷା ତାଙ୍କୁ ସୁସଂସ୍କୃତ କରିବାରେ ଲାଗିପଡିଥିଲା ତୋର ଭାଉଜ । ଯେଉଁ ଆଶା ଭରସା ଶିକ୍ଷା ଜଣେ ତା ବାପା ମାଙ୍କ ଠାରୁ ପାଏ ମୁଁ ସେସବୁ ତୋ ଭାଉଜ ପାଖରୁ ଶିଖିଛି । ତିନିଜଣ ପିଲାଙ୍କ ଭିତରେ ମୁଁ ବି ଗୋଟେ ପିଲାଥିଲି ତୋ ଭାଉଜ ପାଖରେ । ପିଲାମାନଙ୍କୁ ଯୋଗ୍ୟ କଲାପରେ ତୋ ଭାଉଜ ହିଁ ସେମାନଙ୍କୁ ସେମାଙ୍କ ପରିବାର ସହ ରହିବାକୁ କହିଲା । ଯେତେ ଯିଏ ଡାକିଲେ ବି ସେ କୁଆଡ଼େ ଯିବନି ବୋଲି ଜଣେଇଦେଇଥିଲା ସମସ୍ତଙ୍କୁ । ମୋ ଅବସର ନେବାର କିଛିଦିନ ପରେ ତୋ ଭାଉଜଙ୍କୁ ପକ୍ଷଘାତ ହେଲା । ଗୋଟେ ପାଖ ଅଙ୍ଗ ଅଚଳ ହେଇଗଲା । ବିଛଣାରେ ପଡ଼ିରହିଲା ,ଯିଏ ସକାଳୁ ସଞ୍ଜ ଯାଏ ଚଳଚଂଚଳ ରହୁଥିଲା ସେ ପୁରା ଶାନ୍ତ ହୋଇ ପଡ଼ିରହିଲା । ଅସ୍ପଷ୍ଟ ହେଇଗଲା ତାର ଭାଷା । କିନ୍ତୁ ଏଥର ମୁଁ ଭାଙ୍ଗିପଡ଼ିଲିନି , ତୋ ଭାଉଜ ମତେ ମଜଭୁତ କରିଦେଇଥିଲା । ବଂଚିବା ଶିଖେଇ ଦେଇଥିଲା । ଲାଗିପଡ଼ିଲି ମୋ କାର୍ତ୍ତବ୍ୟରେ । ଅର୍ଦ୍ଧାଙ୍ଗିନୀ ଶବ୍ଦକୁ ସାର୍ଥକ କରିବା ଲକ୍ଷ ହେଇଗଲା ମୋର । ଧୀରେ ଧୀରେ ମାନସିକ ଭାରସାମ୍ୟ ବି ହରେଇବସିଲା ତୋ ପଦ୍ମା ଭାଉଜ । ଦିନେ ଔଷଧ ଖାଇବାକୁ ମନାକଲାରୁ ମୁଁ ଗୋଟେ ଚାପୁଡ଼ା ମାରିଥିଲି । ତା ଆଖିରୁ ଧାର ଧାର ଲୁହ ବୋହିଯାଇଥିଲା । ନୀରବତାରେ ଯେମିତି ସେ ମତେ ଅନେକ ପ୍ରଶ୍ନ ପଚାରୁଥିଲା । ଯେମିତି .... ତମେ ଏଇଆ ଦେଲ ମତେ ? ମୁଁ ତମ ପାଇଁ କଣ ନକରିଛି ? ୪୦ ବର୍ଷ କାଳ ନିଜକୁ ଭୁଲି କେବଳ ତମ ପାଇଁ ବଂଚିଲି ଆଉ ତମେ ମତେ ? ତାର ସେ ଲୁହ ଭିଜା ଚେହେରା ଦେଖି ମୁଁ ନିଜକୁ ଲଜ୍ଜିତ ମନେକରୁଥିଲି , ବଡ଼ ଅପରାଧୀ ଟେ ହେଇଯାଇଥିଲି ନିଜ ପାଖରେ ମୁଁ । ଇଚ୍ଛା ହେଉଥାଏ ତୋ ଭାଉଜକୁ ବଡ଼ ପାଟିରେ ଚିଲେଇ କହିବି ମତେ କ୍ଷମା କରିଦେ ।

ମୋ ଆଖି ଭରିଯାଇଥାଏ । ନନା ମୋ ଆଡ଼କୁ ଦେଖି କହିଲେ ତୁ କାନ୍ଦୁଛୁ କଣ ପାଇଁ । ନାଇଁ ନନା ତମେ କହିଚାଲ ,ମୋ ଆଖିରେ କଣ ଗୋଟେ ପଡିଗଲା ।

ନନା ପୁଣି କହୁଛନ୍ତି । ମୁଁ କଣ ଯେ କରିଛି ତୋ ଭାଉଜର ? ଯାହା ସେ ଚାଳିଶ ବର୍ଷ କାଳ କରିଥିଲା ମୋର , ଏ ଘର ଲାଗି , ପିଲାମାନଙ୍କ ଲାଗି ମୁଁ ସେସବୁ ମାତ୍ର ଏଇ ଦଶ ଏଗାର ବର୍ଷ ହେଲା କରୁଛି । ଆଉ ପିଲାମାନଙ୍କର ଦାୟିତ୍ୱ ବି ତ ମୋ ଉପରେ ନାହିଁ ।

ତୁ କଣ ଭାବୁଛୁ ସ୍ତ୍ରୀ ଶସ୍ତାରେ ମିଳୁଥିବା ଗୋଟେ ଚାକର ? ଅର୍ଦ୍ଧାଙ୍ଗିନୀ ମାନେ କଣ ଶରୀରର କାମଜ୍ୱାଳା ମେଣ୍ଟାଇବା ? ଏ ସମାଜ ଆଉ ଲୋକଙ୍କ ଟାହିଟାପରାକୁ ମୁଁ ଖାତିର କରେନି । ଏ କଥାବି ଶୁଣ ଆଜି ଯାଏ କେହିଜଣେବି ତୋ ଭାଉଜ ବିଷୟରେ କେହି କିଛି ଖରାପ କହିନାହାନ୍ତି । କିଏ ଦେବୀ କହୁଛି ତ କିଏ ଲକ୍ଷ୍ମୀପ୍ରତୀମା । ଆଠାରୁ ବଡ଼ ଖୁସି କଥା ମୋ ଲାଗି ଆଉ କଣ ହବ ? ମତେ ସମସ୍ତେ ମାଇଚିଆ , ମାଇପ ଗୋଇଠା ଖିଆ କେତେ କଣ କହୁଛନ୍ତି । ସେ ସବୁକୁ ଖାତିର ନାହିଁ । ଯଦି ମୋ ବାପା ମା ଆଜି ବଞ୍ଚିଥାନ୍ତେ ତାଙ୍କର ସେବାଶୁଶ୍ରୁଷା ତ କରିଥାଆନ୍ତି । ସେଇ ରୋଗ ବିଛଣାରେ ତୋ ଭାଉଜ ଜାଗାରେ ଯଦି ମୁଁ ପଡ଼ିଥାନ୍ତି ?! ତୋ ଭାଉଜ କେବେବି ମତେ ଛାଡିଯାଇନଥାନ୍ତା ,। କେବଳ ଯୌବନ ଭୋଗ ଲାଗି ବିବାହ ନୁହେଁ । ସେତ କ୍ଷଣ ସ୍ଥାୟୀ ।

ମୁଁ ମୋର ଆବେଗକୁ ଆଉ ଲୁଚେଇପାରୁନଥାଏ । କିନ୍ତୁ ନନା କହିଚାଲିଲେ ।

ମୁଁ ଜାଣିଛି ଲୋକ ମୋ ପଛରେ ମତେ ସାବିତ୍ରୀ କହୁଛନ୍ତି ଆଉ ତୋ ଭାଉଜକୁ ସତ୍ୟବାନ । କେହିଜଣେ ତ ଅଛି ଆମଘରେ ସାବିତ୍ରୀ ।କିନ୍ତୁ ଯେଉଁମାନେ ମତେ କହୁଛନ୍ତି ,ସେମାନଙ୍କ ଘରେ ତୁ ଯାଇ ଟିକେ ଦେଖିଆସ ସାବିତ୍ରୀ ଶବ୍ଦର ଯଥାର୍ଥ । ଆଉ ଜାଣିଛୁ ତୋ ଭାଉଜସିନା କିଛି କହିପାରୁନି କିନ୍ତୁ ସବୁ ବୁଝୁଛି ,ସେ ମାନସିକ ବିକୃତ କିନ୍ତୁ ତା ଭାବନା ମରିନି ,। ମୁଁ ଔଷଧ ଦେଲାବେଳେ ଯେବେ ତାକୁ "କୁନି" ବୋଲି ଡାକେ ସେତେବେଳେ ତା ଆଖିର ଚମକ ଦେଖିଲା ଭଳି । ତା ଆଖିର ଚମକରେ ମୁଁ ତାକୁ ବଞ୍ଚେଇରଖିବାର ପ୍ରେରଣା ପାଉଛି । ମତେ ଲାଗୁଛି ମୁଁ ଆଉ ତାକୁ ରଖିପାରିବିନି ଦୁଇ ଚାରିଦିନ ହେବ କାଇଁ କିଛି ଠିକ ଲାଗୁନି । ଏତିକି କହୁକହୁ ନନାଙ୍କ ଆଖିରୁ ଦୁଇଟୋପା ଲୁହ ବାହାରିଆସିଲା । ହଉ ଚାଲ ଯିବା ସାବିତ୍ରୀ ଲାଗି ବଜାର ଯିବା । କାଲି ବ୍ରତ ତୁ ବି ସତ୍ୟବାନ କାହାର ବ୍ୟଙ୍ଗ କରି କହିଲେ

ମୁଁ ସ୍ଥାଣୁ ପାଲଟି ଯାଇଥିଲି ,। ନନା ଆଜି ମୋ ଆଖିରେ ମହାନ , ଦେବତା ମନେ ମନେ ଦେବ ଦେବ ମହାଦେବଙ୍କ ସହ ନନାଙ୍କୁ ମୁ ତୁଳନା କରୁଛି । ନନା ପ୍ରକୃତ ସାବିତ୍ରୀ ଶବ୍ଦକୁ ସାର୍ଥକ କରିଛନ୍ତି ।

ବଜାର ଗଲୁ ସାଙ୍ଗ ହେଇ । ଉଭୟ ନିରବ । ନନା ପୂର୍ବଭଳି  ସେଇ ହସ ହସ ମୁହଁ ,ଯେମିତି କିଛି ହେଇନି । ନନାଙ୍କ କଥା ଭାବି ରହି ରହି ମୋ ଆଖିରୁ ଲୁହ ବାହାରି ଆସୁଥାଏ ,. ଯାହାକୁ ଲୁଚେଇବାର ଅସଫଳ ଚେଷ୍ଟା କରୁଥାଏ ।ବଜାରରୁ ଆସିଲା ପରେ ମୁଁ ପଦ୍ମା ଭାଉଜଙ୍କୁ ଦେଖିବାକୁ ଯାଇଥିଲି ,। ଛୋଟ ଅବୋଧ ଶିଶୁ ପରି ବିଛଣାରେ ସୋଇରହିଛନ୍ତି । ମୁଁ ପାଦ ଛୁଇଁ ନମସ୍କାର ହେଲି । ତାଙ୍କ ଆଖି ଦେଖି ଲାଗିଲା ଯେମିତି ଆଉ କିଛି ପାଇବାର ଆଶା ନାହିଁ ତାଙ୍କର । ସବୁ ପାଇଯାଇଛନ୍ତି । ଆଜି ରାତିରେ ଦୁଇପୁଅ ପରିବାର ସହ ଆସୁଛନ୍ତି , ଝିଅ ବି ଏଇ କିଛି ସମୟ ଭିତରେ ପହଞ୍ଚିବ ବୋଲି ନନା କହିଲେ । ମୋ ମନ ଭିତରେ କେବଳ ଗୋଟିଏ ପ୍ରଶ୍ନ , ମୁଁ ସାବିତ୍ରୀ ନା ସତ୍ୟବାନ ,? କେଉଁ ଶବ୍ଦକୁ ମୁ ସାର୍ଥକ କରିଛି । ଏଇ ଦ୍ଵନ୍ଦ ଭିତରେ ରହି ମୁଁ ଫେରିଲି ।

ରାତି ପ୍ରାୟ ଦୁଇଟା ହେବ । ନିର ନନା ଆସି ଡାକିଲେ । ମୁଁ ବାହାରକୁ ଆସିଲା ପରେ ନନା କହିଲେ ମୋ କୁନି ଆଉ ନାହିଁରେ ,. । ପିଲାମାନେ ସବୁ ଆସିସାରିଛନ୍ତି । ବାସ୍ ଆଉ ଗୋଟିଏ ଦିନ ରହିଥାନ୍ତା କି ଏ ସାବିତ୍ରୀ ପରେ ଯଦି ଯାଇଥାନ୍ତା ....ମୁଁ ନନାଙ୍କୁ ଧରି ଜୋରରେ କାନ୍ଦିବାକୁ ଲାଗିଲି । ଯେଉଁ ଭାବନା କୁ ମୁଁ ବନ୍ଧ ବାନ୍ଧିରଖିଥିଲି ଦିନସାରା ,। ସେ ମୋ ଆଖିରେ ବନ୍ୟାର ରୂପ ନେଇସାରିଥିଲା .। ବହିଚାଲିଥିଲା ନିର ନନାଙ୍କ କାନ୍ଧଉପରେ ।

।। ଶରଣ ମାତେ ।।


Rate this content
Log in

Similar oriya story from Inspirational