Sanuja Meghamala

Abstract

3.5  

Sanuja Meghamala

Abstract

ସ୍ୱାଧୀନତା ର ରଙ୍ଗ

ସ୍ୱାଧୀନତା ର ରଙ୍ଗ

4 mins
121



ଆକାଶ ରେ ହଠାତ୍ କଳାହାଣ୍ଡିଆ ମେଘଟା ଉଠେଇ ଚାରିଆଡ ଅନ୍ଧାରୁଆ ଦେଖା ଯାଉଥିଲା । ତା ସାଙ୍ଗରେ ପବନ ଘଡ ଘଡି ଆଉ ବିଜୁଳି.. ସ୍କୁଲ ରୁ ତର ତର ହୋଇ ଫେରୁଥିଲି.। ଗାଆଁ ମୁଣ୍ଡ ରେ ଦେଖା ହେଇଗଲା ଆମ ଗାଁ ର ସ୍ବାଧିନ ଭାରତ ରଥ( ଶୁଭ କାକା) ଙ୍କ ସହିତ।ତାଙ୍କର ଗୋଟେ ସ୍ଵତନ୍ତ୍ର ପରିଚୟ ରହିଛି ଆମ ପାଞ୍ଚଖଣ୍ଡି ଗାଆଁ ରେ।୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭୋର ୫ ଟା ୧୩ ମିନିଟ ରେ ତାଙ୍କର ଜନ୍ମ। ଆଜି ବି ସେଥିପାଇଁ ସେ ଗୋଟେ ପ୍ରକାର ଖୁସି ବା ଗର୍ବ ଅନୁଭବ କରନ୍ତି। ଯାହା ହେଲେ ସ୍ବାଧିନ ଭାରତର ପ୍ରଥମ ଦିନରେ ତାଙ୍କର ଜନ୍ମ ।

   ଆଜିକା ପିଲା କିଛି କହିଲେ ଯୁକ୍ତି କରିବାକୁ ପଛେଇବେନି..ସେ , ଆରେ ଖାଲି ଅଗଷ୍ଟ ୧୫ ନୁହେଁ ବା ୧୯୪୭ ମସିହା ..ସେଦିନ ଭାରତ ସ୍ବାଧିନ ହେଇଥିଲା, ଜାଣିଚୁ ତ..। ସେ ନିଜେ ଜନ୍ମଦିନ ହେଉ ବା ସ୍ୱାଧୀନତା ଦିବସ ପାଳନ ର ପରମ୍ପରା ସୃଷ୍ଟି କରି ନ ଥିଲେ । ତାଙ୍କ ବାପା ସ୍ୱାଧୀନତାର ଶୁଭ ମୁହୂର୍ତ୍ତରେ ଦ୍ଵିଗୁଣ ଉତ୍ସାହିତ ହୋଇ ଏମିତି ନିଆରା ଢଙ୍ଗରେ ପାଳି ଆସିଥିଲେ ତାଙ୍କ ଜନ୍ମ ଦିନକୁ ।ପ୍ରତି ବର୍ଷ ନିଶ୍ଚୟ ପତାକା ଉତ୍ତୋଳନ ହେବ...ଲଡୁ ବଣ୍ଟା ହେବ ଯାହା ଆଜି ବି ଚାଲିଛି.। ତାଙ୍କ ବାପା ଅନେକ ଦିନ ପର୍ଯ୍ୟନ୍ତ ଗାଆଁରେ ସେଦିନ ଗୋଟେ ଭୋଜିର ବି ଆୟୋଜନ କରୁଥିଲେ।ଖୁସି କୁହନ୍ତୁ ବା ଗୋଟେ ପ୍ରକାର ଆନନ୍ଦ ଥିଲା ତାଙ୍କ ମନରେ। ବାପା ଗଲା ଦିନୁ କିଛି ନ ହେଲେ ବି ସେ ପିଲାଙ୍କ ମୁହଁ ଟିକେ ମିଠା କରାନ୍ତି। ବାପାଙ୍କ ଆତ୍ମାକୁ ନ ହେଲେ କଷ୍ଟ ହେବ ଯେ !

       ହଁ ଅସଲ କଥାକୁ ଆସିବା । କରୋନା ପାଇଁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବାରୁ ଚଳିତ ବର୍ଷ ବିଦ୍ୟାଳୟ ରେ କିପରି ସ୍ଵାଧୀନତା ଦିବସ ପାଳନ ହେବ ତାହା ହିଁ ଥିଲା ତାଙ୍କର ମୁଖ୍ୟ ପ୍ରଶ୍ନ । ମୁଁ କହିଲି ସ୍କୁଲ୍ ରେ ପତାକା ଉତ୍ତୋଳନ ହେବ ,ପିଲାମାନେ ଆସିବେ ନାହିଁ। ଅତି ବେଶୀରେ ୧୦ ଜଣ ଉପସ୍ଥିତ ରହି ପାରିବେ କୋଭିଡ୍ ନିୟମ ଅନୁଯାୟୀ ।ପ୍ରତିବର୍ଷ ସ୍ବାଧୀନତା ଦିବସ ରେ ପ୍ରଭାତ ଫେରିରେ ସ୍କୁଲ ପିଲାମାନେ ଗାଆଁ ବୁଲିଲା ବେଳେ ତାଙ୍କ ଘର ସମ୍ମୁଖରେ ବାଉଁଶରେ ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡୁ ଥିବ ଆଉ ସେ ପିଲା ମାନଙ୍କୁ ଲଡୁ ବାଣ୍ଟିବେ..ସେମାନଙ୍କ ସହିତ" ଭାରତ ମାତା କି ଜୟ " "ବନ୍ଦେ ମାତରଂ " ନାରା ଦେଉଥିବେ। ସେ ଦିନ ପିଲା ମାନଙ୍କ ସହିତ ସେ ବି ହୋଇ ଉଠନ୍ତି ଛୋଟ ପିଲା ଟିଏ..। ଗାଇ ବୁଲନ୍ତି  " ବଜାରେ ବଜାରେ ବାଇଦ ବଜା" । ଏବେକାର କଥା ନୁହେଁ, ମୁଁ ସ୍କୁଲ୍ ରେ ପଢିବା ଦିନରୁ ତାଙ୍କୁ ଏମିତି ଦେଖି ଆସିଚି ପ୍ରତି ସ୍ୱାଧୀନତା ଦିବସରେ ସେ ଉତଫୁଲିତ ହୋଇ ଉଠନ୍ତି ଯେମିତି ସେ ପୁରା ସ୍ବାଧିନ , ତାଙ୍କ ମନ ଯାହା ହବ ତା କରିବେ କିନ୍ତୁ କେବେ ଉତ୍ସୃଙ୍ଖଳ ହୋଇ ନାହାନ୍ତି।ସେତେବେଳେ ସେ ଯୁବକ ଥିଲେ ଆଉ ଆଜି ବି ସେ ସେମିତି।

ତାଙ୍କ ମନ ଦୁଃଖ ହେବା ସ୍ଵାଭାବିକ ,ମୁଁ ବି ବୁଝି ପାରୁଥଲି..।ମୋର ନୀରବତା ଟା ସେ ସହି ପାରିଲେନି କହିଲେ, କହ ଏଥର ଏହାର ସମାଧାନ କେମିତି କରିହେବ ? ତୁ ଆଜିକା ପିଲା ଚିନ୍ତା କରି କହ ? ମୋତେ ଜମା ଭଲ ଲାଗିବନି.. ବଞ୍ଚି ଥାଉଁ ଥାଉଁ ମରିଗଲା ପରି ଲାଗିବ ରେ । ବର୍ଷା ଟା ଜୋରରେ ପକେଇ ଆସିଲା କଥା ଭିତରେ ଘର ପାଖେଇ ଆସୁଥିଲା ,ମୁଁ କାଲି ସକାଳେ କଥା ହେବା କହି ରହିଗଲି ଏବଂ ସେ ଆଗକୁ ବଢ଼ିଲେ ତାଙ୍କ ଘରକୁ । ଓଦା ଲୁଗା ପଟା ବଦଳାଇ ମୁଁ ଟିକେ ଅନ୍ୟ ମନସ୍କ ହୋଇ ବସି ପଡ଼ିଲି ।କଣ କରାଯାଇ ପାରିବ ମନେ ମନେ ଭାବୁଥାଏ । ସରକାରୀ ନିୟମ ଅନୁସାରେ ପିଲା ତ ସ୍କୁଲ ଆସିବେନି ।କିଛି ଗୋଟେ ନ କଲେ ଶୁଭ କାକା ବି ମନ ଊଣା କରିବେ।

ପରଦିନ ସକାଳୁ ଶୁଭ କାକା  ଆମ ଘର ଦାଣ୍ଡରୁ ଡାକ ଛାଡ଼ିଲେ ଆରେ ସଂକେତ , କଣ କିଛି ଉପାୟ ମିଳିଲା ନା ନାହିଁ । ମୁଁ ଘରୁ ବାହାରି ଆସୁ ଆସୁ କହିଲି ବୁଝିଲ କାକା ମୁଁ ଭାବୁଛି ତମ ଘର ଆଗରେ ଯେମିତି ପତାକା ଉତ୍ତୋଳନ ହୁଏ ସେମିତି କରିବା..। ଆଉ ଆମ ଗାଆଁ ପିଲାମାନେ ତ ସ୍କୁଲ ଯିବେନି ସେମାନଙ୍କୁ କହିବା ଦୁରତ୍ଵ ରଖି ଓ ମାସ୍କ୍ ପିନ୍ଧି  ପାଞ୍ଚ ଜଣ ଲେଖା ଛାଡ଼ି ଛାଡ଼ି ବସିଯିବେ। ଆଜି ସମସ୍ତ ଙ୍କ ଘରେ ଟିକେ କହିଦେବା କିନ୍ତୁ କାହାକୁ ବାଧ୍ୟ କରିବାନି..। କିଛି ନ ହେଲେ ବି ତମ ଦୁଇ ପୁଅ ଦୁଇ ନାତି ଏବଂ ନାତୁଣୀ ଆଉ ମୋ ପୁଅ ଓ ଆମେ ଦୁଇ ଜଣ ମିଶି ସ୍ୱାଧୀନତା ଦିବସ ପାଳନ କରିବା। ଦେଖିଲି ତାଙ୍କ ମୁହଁଟା ଖୁସିରେ ଭରିଗଲା । କହିଲେ , ଜାଣିଚି ପରା ତୋ ପାଖରେ ସବୁ ସମସ୍ୟାର ସମାଧାନ ଅଛି। ମୁଁ କହିଲି ଠିକ୍ ଅଛି କାକା କାଲି (ଅଗଷ୍ଟ୧୫ ) ସକାଳ ୭ ଟା ସମୟ ରେ ପତାକା ଉତ୍ତୋଳନ ହେବ ବୋଲି ସମସ୍ତଙ୍କୁ ଟିକେ ଜଣେଇ ଦେବା।

ଆଶ୍ଚର୍ଯ୍ୟ ହେଲି ସକାଳୁ ଆମ ଗାଁ ର ଅନେକ ପିଲା ଏକତ୍ରିତ ନ ହୋଇ ସାମାନ୍ୟ ଦୁରତ୍ଵରେ କେହି କେହି ନିଜ ଘର ସାମନାରେ ସମୟ ପୂର୍ବରୁ ସ୍ଥାନ ଅକ୍ତିଆର କରି ବସି ଚନ୍ତି । ପିଲା ମାନଙ୍କ ଉତ୍ସାହ ଦେଖି ମନେ ମନେ ଖୁସି ହେଲି ଦୁଃଖ ବି ଲାଗିଲା କରୋନା ପାଇଁ ପିଲା ଗୁଡାକ ଘରେ ରହି ରହି ସତରେ କେତେ ବ୍ୟସ୍ତ ହେଉଛନ୍ତି..ତାଙ୍କର ସବୁ ସ୍ୱାଧୀନତା, ଯେମିତି କରାେନା ପାଇଁ ହିଁ ହଜି ଯାଇଛି । ଆଜି ସ୍କୁଲରେ ସେମାନେ ତ୍ରିରଙ୍ଗା ପତାକା ଉଡେଇ କେତେ ଖୁସି ହେଉଥାନ୍ତେ ସାଙ୍ଗ ସାଥି ଗହଣରେ । ପିଲାଗୁଡିକ କେବେ ଆଶା କରି ନ ଥିବେ ଏମିତି ଗୋଟେ ସ୍ଵତନ୍ତ୍ର ସ୍ୱାଧୀନତା ଦିବସ ପାଳନର ଅବସରକୁ । ଯାହା ବି ହେଉ ସେହି ଆକାଂକ୍ଷିତ ଶୁଭ ସମୟଟି ଆସିଲା ..ଶୁଭ କାକା ପତାକା ଉତ୍ତୋଳନ କଲେ, ପିଲାଙ୍କ କରତାଳି ରେ ଗାଆଁ ଟା ଫାଟି ପଡୁଥାଏ।

ତା ପରେ ଶୁଭ କାକା "ଜନ ମନ ଗଣ ଅଧିନାୟକ" ବୋଲିବା ଆରମ୍ଭ କରିବା ମାତ୍ରେ ପିଲା ମାନେ ବି ବୋଲିବା ଆରମ୍ଭ କଲେ..ସେତେବେଳେ ଗାଁର ଘର ମାନଙ୍କରୁ ପ୍ରାୟ ପୁରୁଷ ଓ ମହିଳା ମାନେ ମଧ୍ୟ ବାହାରି ଆସି ଜନ ମନ ଗଣ ବୋଲିବା ଆରମ୍ଭ କରିଦେଲେ ।ଯାହାର ଶବ୍ଦ ପୁରା ଗାଆଁ ଟାକୁ ପ୍ରକମ୍ପିତ କରୁଥିଲା। ଗୋଟେ ଅତି ସୁନ୍ଦର ଭାବ ବିହ୍ୱୋଳ ପରିବେଶ ,ଏମିତି କିଛି କଳ୍ପନା ମୁଁ କେବେ କରି ପାରି ନଥିଲି । ଗାଆଁ ର ଦୁଇ ପଟକୁ ଚାହିଁଲେ ଦେଖା ଯାଉଥିଲା.. ଅନେକ ସ୍ୱାଧୀନତା ସଂଗ୍ରାମୀ ଏକାଠି ଠୁଳ ହୋଇଛନ୍ତି ଆଖି ଝଲସି ଯାଉଥିଲା । କାନରେ ଖାଲି "ବନ୍ଦେ ମାତରଂ ," "ଭାରତ ମାତା କି ଜୟ "ପ୍ରତିଧ୍ଵନି ସୃଷ୍ଟି କରୁଥିଲା। କି ଆଗ୍ରହ ଓ ଆନ୍ତରିକତା ସତରେ ଏଇ ଲୋକ ମାନଙ୍କର। ସ୍ବାଧିନ ଭାରତ ର ନାଗରିକ ,ଭାବରେ ଶିକ୍ଷା ସ୍ବାସ୍ଥ୍ୟ ,ଅର୍ଥନୈତିକ ବା,ରାଜନୈତିକ ହେଉ ନିଜର ସ୍ବାଧିନ ମତ ପୋଷଣ କରିବାର ସ୍ଵତନ୍ତ୍ର ଅଧିକାର ରହିଛି ବୋଲି ଅନେକ ଥର ଯୁକ୍ତି ତର୍କ ଗାଆଁ ରେ ହେବା ଦେଖିଚି। ବିଶେଷ କରି କିଛି ସରକାରୀ ଯୋଜନା ର ଘୋଷଣା ହେଲେ ,ସୁବିଧା ପାଉଥିବା ଓ ନ ପାଉଥିବା ବ୍ୟକ୍ତି ଙ୍କ ର ଦୁଇ ଗୋଷ୍ଠୀ ହୋଇ ଯୁକ୍ତି ତର୍କ ଚାଲେ ଅନେକ ଦିନ ପର୍ଯ୍ୟନ୍ତ।  କିନ୍ତୁ ସ୍ୱାଧୀନତା ଦିବସକୁ ପାଳନ କରିବା ନେଇ ଏକଜୁଟ ହେବା ଆଗରୁ କେବେ ଦେଖି ନ ଥିଲି।।ଏବେ ଜାଣିଲି ସେମାନେ ବି ଛୋଟ ସୁଯୋଗ ଟିଏ ପାଇଲେ ଭାରତ ମାତା ପ୍ରତି ଥିବା ତାଙ୍କର ଭଲ ପାଇବାକୁ ପ୍ରକାଶ କରିବାକୁ କୁଣ୍ଠା ବୋଧ କରନ୍ତି ନାହିଁ। 

ପ୍ରଥମ ଥର ପାଇଁ ହୃଦବୋଧ ହେଲା ସ୍ୱାଧୀନତା କେବଳ ଏକ ଶବ୍ଦ ନୁହେଁ କିମ୍ବା ସ୍ୱାଧୀନତା ଦିବସ ପାଳନ ବି ଗୋଟେ ପରମ୍ପରା ବା ଦେଶର ମହାନ୍ ପର୍ବ ଖାଲି ନୁହେଁ ଯାହା ବର୍ଷକରେ ଥରେ ଆସିଛି ପୁଣି ଆସିବ, ।ଏହା ସହିତ ଏହି ମାଟି ମଣିଷ ମାନଙ୍କ ର ଏକ ଆତ୍ମିକ ଆବେଗ ଓ ମାନସିକ ସମ୍ପର୍କ ଯୋଡ଼ି ହୋଇ ରହିଛି। ,ଯାହା ପ୍ରତି ମୁହୂର୍ତ୍ତରେ ଆମକୁ "ଭାରତୀୟ" ବୋଲି ଗର୍ବିତ କରାଏ।


Rate this content
Log in

Similar oriya story from Abstract