Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

ବି. ନିରୁପମା

Drama Comedy Abstract


5.0  

ବି. ନିରୁପମା

Drama Comedy Abstract


ରଙ୍ଗେଇନାନୀର ଅଭିଶାପ

ରଙ୍ଗେଇନାନୀର ଅଭିଶାପ

5 mins 235 5 mins 235

" ଆରେ ହେ, କୋଉ ଲକ୍ଷ୍ମୀଛଡ଼ା, ନିଅଂଶିଆକୁ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ଯେ-ସିଏ ମୋଅରି ବାଡ଼ିରୁ କାକୁଡ଼ି ଚୋରେଇବାକୁ ସାହସ କଲା ! ତୋଳିଲା ବେଳକୁ ଭଲା ତା' ହାତ ଛିଡ଼ି ପଡ଼ିଲାନି କେମିତି ? ମଞ୍ଜିପୋତି କେଡ଼େ ଯତନରେ କାକୁଡ଼ି ଗଛଟା ବଢ଼େଇ ଥିଲି ବାଡ଼ିରେ। ମନାସିଥିଲି-ପହିଲି କଷିଟା ଠାକୁର ପାଖରେ ଭୋଗ ଲଗେଇବାକୁ । ଭଲା,କୋଉ ଡାହାଣୀଖିଆର ନଜର ପଡ଼ିଲା ତହିଁରେ , ଆଖି ତା'ର ଫୁଟି ନ ଗଲା ଯାହା ; ମୋ'ରି ପରି ନିଆଶ୍ରୀ ନିରୀହା ତିରିଲାର ଦରବରେ ହାତ ମାରିଲା - ହେ ଦଇବ,ତୁ ତାକୁ ବୁଝିବୁ,ସାତବେଣ୍ଟି କରି ଲୋକହସା କରିବୁ । ତା' ସାତ ପୁରୁଷକୁ ନରକରେ ପକେଇବୁ । ମୋର ଯେତେ ରୋଗ ବ୍ୟାଧି ତାଆରି ଠେଇଁ ଫଳେଇବୁ....।"

      ଇଏ ଆମ ଗାଆଁର ରଙ୍ଗେଇନାନୀ । ଆଜି ପାଟିରେ ତା'ର ବାଟୁଳି ବାଜୁନି । ଦାନ୍ତକୁ ରଗଡ଼ି ହାତକୁ ଝାଡ଼ି ପଣତକୁ ଉଡ଼େଇ ଉଡ଼େଇ ଦୁମୁଦୁମୁ ହୋଇ ଗାଁ ଦାଣ୍ଡରେ ମାଡ଼ି ଚାଲିଛି ଆଗକୁ । ଶାଣଦେଲା କ୍ଷୁର ଭଳି ଧାର କଥାଗୁଡ଼ା,ସାଇ ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଘୁରି ଘୁରି ଲୋକଙ୍କୁ ଶୁଣେଇ ଚାଲିଛି ଅନର୍ଗଳ । ପୁଣି ଭଗବାନଙ୍କୁ ସେ ତା'ର ଆଜ୍ଞାବହ ବଚସ୍କର ମନେକରି ନିର୍ଦେଶ ବି ଦେଉଛି-ଅଭିଶାପକୁ ସତ ଫଳେଇବାକୁ !

       ନାନୀର କିଳିକିଳା ରଡ଼ି ଶୁଣି ଆଉ ରଣଚଣ୍ଡୀ ରୂପଦେଖି ସାଇ ଲୋକଙ୍କ ଭିତରେ ଆତଙ୍କ ଖେଳି ଗଲାଣି । କେତେଜଣ ତା' ଅଗୋଚରରେ ଫୁସୁରୁ ଫାସର ହେଲେ-

"ମଲା ,କାହାର ରାହୁଦଶା ନ ପଡିଲା ଯେ ଜାଣିଶୁଣି ନାଗ ଲାଙ୍ଗୁଡ଼ରେ ହାତ ମାରିଲା...!"

    ରଙ୍ଗେଇନାନୀ- ଏଇ ଗାଆଁର ଝିଅ ଆଉ ବୋହୂ ମଧ୍ୟ । ତା ବାହାଘର ମାସ ଛଅଟା ନ ପୂରୁଣୁ ରୋଗରେ ପଡ଼ି ସ୍ବାମୀ ଚାଲିଗଲା ଆର ପାରିକୁ । ଚାରିମାସ ପରେ ଜନ୍ମାନେଲା ପୁଅଟିଏ- ମାଧିଆ, ରଙ୍ଗେଇନାନୀର ଏକୋଇରବଳା ବିଶିକେଶନ । ବରଷକ ଅନ୍ତେ ଶାଶୁବୁଢ଼ୀଟା ମଧ୍ୟ ଆଖି ବୁଜିଲା । ନିରାଶ୍ରୟା ହୋଇଗଲା ସିଏ ।

        ଗାଆଁ ଝିଅଟା ଆଖି ଆଗରେ ହୀନିମାନ ହେବ ! ସାଇ ଲୋକଙ୍କ ଦେହ ସହିଲାନି । ସଭିଏଁ ମିଳିମିଶି ସହଯୋଗର ହାତ ବଢ଼ାଇଲେ । ଘର ଦୁଇ ବଖରା ଛପର କରିଦେବା ସହ ନାନୀର ପଡ଼ିଆ ପଡ଼ିଥିବା ଜମିକୁ ଭାଗଚାଷ କରିଦେଲେ କେତେଜଣ ।

ଏଥିରେ ପ୍ରସନ୍ନ ହୋଇ ନାନୀ ସାଇ ଲୋକଙ୍କ ମଙ୍ଗଳ ମନାସିଲା ଠାକୁରଙ୍କ କତିରେ । ବେଳ ଅବେଳରେ ବୋଲହାକ ମଧ୍ୟ କଲା ସେମାନଙ୍କର ।

        ଏମିତିରେ କିଛି ବର୍ଷ ବିତିଲା । ଭଲରେ ମନ୍ଦରେ ପାଇଟି କରାଇବାକୁ ଯେଉଁ ପଡ଼ୋଶୀମାନେ ରଙ୍ଗେଇନାନୀର ସାହାଯ୍ୟ ଲୋଡ଼ୁଥିଲେ ସେଇ ଲୋକଗୁଡ଼ା ବର୍ଷ କେତେଟାରେ କୋଠା ତୋଳିଲେ । ମଟର ଗାଡ଼ି ଚଢ଼ିଲେ । ତାଙ୍କ ଝିଅ-ବୋହୂଙ୍କ ଦେହରେ ଭଳିକିଭଳି ବସନ ଭୂଷଣ ଝଟକିଲା । ହାସ ପରିହାସରେ ଫାଟିପଡ଼ିଲା ଘର ଅଗଣା ; କିନ୍ତୁ ନାନୀର ଅବସ୍ଥା ରହିଗଲା ଯେମିତି କି ସେମିତି । ପରିଶ୍ରମ କରି ଯାହା ପାଇଲା ସେଥିରେ ନିଜେ ଚଳିବା ସହ ପୁଅକୁ ମଧ୍ୟ ପାଳିଲା । କୋଠା ତୋଳିଥା'ନ୍ତା କେମିତି ? ପଡ଼ୋଶୀମାନଙ୍କ ସୁଖ-ଶିରୀ ଦେଖି ଏଣିକି ନାନୀର ମରମ ଜଳିଲା। ଈର୍ଷା ବଢ଼ିଲା । ଧୀରେ ଧୀରେ ତା' ସ୍ୱଭାବରେ ଘଟିଲା ପରିବର୍ତ୍ତନ । ସେ ହସିବା ଭୁଲିଗଲା । ଯାହାକୁ ଦେଖିଲା ମୁହଁ ମୋଡ଼ିଲା,ଗାରୁ ଗାରୁ ହେଲା । ଛୋଟ ଛୋଟ କଥାରେ ୟା ତା' ସହ ଝଗଡ଼ା କଲା । ଅନ୍ୟର ଅମଙ୍ଗଳ ପାଞ୍ଚି ଅଭିଶାପ ଦେଲା । ଏଥର ନାନୀ ପାଲଟିଗଲା ଜଣେ ରାହାବାଳୀ,କଳିହୁଡ଼ି ପର ହିଂସୁକି ମହିଳା ।

      କେବଳ ସେତିକି ନୁହେଁ ,କିଏ କାଳେ ତା'ର ଅଦ୍ଭୁତ ଦୈବୀଶକ୍ତିର ପ୍ରଚଣ୍ଡ ପ୍ରଭାବକୁ ବିସ୍ମରଣ କରିଯିବେ -ତେଣୁ ତୁଣ୍ଡ ଖୋଲିଲେ ସେ ଅକାଟ୍ୟ ଯୁକ୍ତି ଦର୍ଶାଏ । ବାରବର୍ଷ ଧରି-ତା' ଗେରସ୍ତ ଯିବା ଉତ୍ତାରୁ ବାରଓଷା ତେରବ୍ରତ କରି ସେ କେତେ ଦିଅଁ ଦେବତା ପୂଜି ସିଦ୍ଧିଲାଭ କରିଛି । ନିରିମାଖୀ ଦେଖି ଯିଏ ତା'ର ଅନିଷ୍ଟ କରିବ ,ଅଭିଶାପ ଦେଇ ସେ ତାକୁ ଭସ୍ମ କରିଦେବ । ଅବଶ୍ୟ ପ୍ରଥମେ ପ୍ରଥମେ ସାଇ ଲୋକମାନେ ନାନୀର ଏ ଅଦ୍ଭୁତ ଶକ୍ତି ଥିବାର ଯୁକ୍ତିକୁ ହେୟଜ୍ଞାନ କରି ହସି ଉଡ଼େଇ ଦେଉଥିଲେ । ହେଲେ ସାହିର କେତେଜଣ ସ୍ତ୍ରୀ ଲୋକ ଯେତେବେଳେ ଏହାର ଚାକ୍ଷୁଷ ପ୍ରମାଣ ପାଇଲେ ,ସେତେବେଳେ ତାଙ୍କର ଅବିଶ୍ୱାସ କରିବାକୁ ଆଉ ବାଟ ନ ଥିଲା । ନାନୀର ଅଭିଶାପ ପ୍ରତି ଭୟ ଆଉ ଖାତର ମଧ୍ୟ ଆସିଗଲା ।

     ସେ ବର୍ଷ ତଳ ସାହି ସାହୁଘର ବାରବୁଲି ଛେଳିଟା ରଙ୍ଗେଇନାନୀର ବାଡ଼ିରେ ପଶି ଶାଗ ଖାଇଯିବାରୁ ସେ ତାକୁ ଶାପ ଦେଲା, " ତୁ ଅଳପ ଦିନରେ ହାଣ ମୁହଁକୁ ଯିବୁ ଲୋ ଛେଳି । ତୋତେ କଂସେଇ ନେବ ।"

      ବାସ, ନାନୀର ବଚନ ସତ ହେଲା । ଦୁଇଦିନ ପରେ ଛାଡ଼ଖାଇରେ ସେ ଛେଳି ବଳି ପଡ଼ିଲା । ଆଉଥରେ ମଦନ କକେଇ ଝିଅ ଚମେଲି ଦିନ ଦ୍ବିପହରେ ଲୁଚି ଲୁଚି ନାନୀର ବାଡିରୁ ପିଜୁଳି ତୋଳି ଖାଉଥିଲା । ମୁଣ୍ଡଫଟା-ଢୁ ଢୁ ଖରାରେ ବି ନାନୀ-ତୁଚ୍ଛା ବଗିଚାଟାରେ ମଝିରେ ମଝିରେ ଆସି ନଜର ପକାଏ । ସେଦିନ ଚମେଲି ଉପରେ ତା'ର ଦୃଷ୍ଟି ଯେମିତି ପଡ଼ିଯାଇଛି,ଛାଡ଼ିଲା ଗୋଟାଏ କିିଳିକିଳା ରଡ଼ି ।

    " ହଇଲୋ ହେ ଅଣ୍ଡିରି ଚଣ୍ଡୀ ,ତୋର ଏଡ଼େ ବହପ ,ମୋଅରି ବାଡ଼ିରେ ପଶି ,ଦିନ ଦିପହରେ ଗଛରେ ଚଢ଼ି ଚୋରି କରୁଛୁ ! ଦେଖିବୁ ରହ,ଯୋଉ ହାତରେ ମୋ ଗଛର ଡାଳ, ଫଳ ଛିଣ୍ଡେଇ ନଷ୍ଟ କରିଛୁ-ସେଇ ହାତଟା ତୋର ରଟକିନା ଭାଙ୍ଗିଯିବ। "

        ରଙ୍ଗେଇନାନୀର ତୁଣ୍ଡରୁ କଥା ଛିଡ଼ିନି-ଅସାବଧାନତାରୁ ହେଉ ବା ନାନୀର ଗର୍ଜନରେ ଚମକିପଡ଼ି ହେଉ ଚମେଲି ଗଛରୁ ଭୁସକିନା ଗଳି ପଡ଼ିଲା । ସେଇଠି ଡାଳ ବାଜି ତା' ହାତଟା ଭାଙ୍ଗିଗଲା । ଆଉ ହାତରେ ପଟି ବାନ୍ଧି, ବେକରେ ଝୁଲେଇ ଦୁଇ ମାସ ଯାଏ ଯେଉଁ କଷ୍ଟ ଭୋଗିଛି ଚମେଲି, ନାନୀର ଅଭିଶାପକୁ ସିଏ କେବେ କଣ ଭୁଲି ପାରିବ!

       ଆଉଥରେ ସାଇ ପିଲାମାନେ ତା' ଚାଳ ଉପରକୁ ହାତ ଦେଖାଇ ଆଙ୍ଗୁଠିରେ କଖାରୁ ଗଣୁଥିଲେ । ଏକ ଦୁଇ ତିନି ଚାରି..... କୁଆଡ଼େ ଥିଲା- ନାନୀ ଝପଟି ଆସି ନିଜର ଶାପମୁଣି ଝାଡ଼ିଲା ,

" ହଇରେ ହେ ଡାଆଣାପଲ ,ମୋଅରି କଖାରୁ ଉପରେ ନଜର ପକଉଛ ! ଆଖି ତମର ଫୁଟି ଯାଆନ୍ତା କି ,ଗାଆଁ ଠାକୁରାଣୀ କତିରେ ନଡ଼ିଆ ଫଟାନ୍ତି ।" ସତକୁସତ ଦିନଟାଏ ନ ଯାଉଣୁ ଦୁଇଜଣ ପିଲା ଆଖିଧରା ରୋଗରେ ଆକ୍ରାନ୍ତ ହେଲେ ,ସପ୍ତାହେ କାଳ କଷ୍ଟ ଭୋଗିଲେ ।

     ସେଇଦିନ ଠାରୁ ନାନୀର ନିଜ ଅଭିଶାପ ଉପରେ ପୂର୍ଣ୍ଣ ବିଶ୍ୱାସ ଆସିଲା । ଆଉ ଦୃଢ଼ ଦାବି ମଧ୍ୟ । ସାଇ ଲୋକମାନେ ବି କେବେ ପ୍ରତିବାଦ କରନ୍ତିନି ତା' ଦାବିରେ । ସେମାନେ ପରା ଭୁକ୍ତଭୋଗୀ !

        ଆଜି ପୁଣି ସେଇ ରଙ୍ଗେଇନାନୀର ତୁଣ୍ଡରୁ ଅଭିଶାପର ଆଗ୍ନେୟଲାଭା ଉଦ୍ଗୀରଣ ହେଉଛି । କିଏ ସେହି ହତଭାଗା ମନ୍ଦବୁଦ୍ଧି ମଣିଷ ! ନାନୀର ଦରବରେ ହାତମାରି,ଜାଣିଶୁଣି ନିଜ ଅମଙ୍ଗଳକୁ ବରଣ କରିଛି !!

    ରଙ୍ଗେଇନାନୀ ସାଇ ସେ ମୁଣ୍ଡରୁ ଏ ମୁଣ୍ଡଯାଏ ଦୁମୁ ଦୁମୁ ହୋଇ ସଅମ୍ପି ଚାଲିଥାଏ ସେମିତି । ହଠାତ ଆର ମୁଣ୍ଡରୁ ଗୋଳ ଶୁଭିଲା,

" ମାରି ପକେଇଲା ଗୋ କଚାଡ଼ି ଦେଲା ,କିଏ କେଉଁଠି ଅଛ ଦୌଡ଼ି ଆସ ।" ଯିଏ ଯେଉଁଠି ଥିଲେ ପାଟି ଶୁଣି ଧାଇଁଲେ ।

ଦେଖିଲେ ,ରଙ୍ଗେଇନାନୀର ଏକୋଇରବଳା ମାଧିଆ ଖଣ୍ଡିଆ ଖାବରା ହୋଇ ଧୂଳିରେ ଗଡ଼ୁଛି। ଦୁଇ ଚାରିଜଣ ଲୋକ ଠେଙ୍ଗାଧରି ଗୋଡ଼ାଇ ଘଉଡ଼ାଉଛନ୍ତି ଗୋଟାଏ ଷଣ୍ଢକୁ । କଥା କ'ଣକି,ମାଧିଆ ତେଣେ ସାଇ ମୁଣ୍ଡରେ ବୁଲି ବୁଲି କାକୁଡ଼ି ଚୋବାଉ ଥିଲା । ସାମନାରୁ ହାବୁଡ଼ିଲା ବୁଲା ଷଣ୍ଢଟାଏ । ନାନୀର ନନ୍ଦନ ତ ! ଡର କାହାକୁ !! ଆଡ଼େଇ ନ ଯାଇ ସଦର୍ପରେ ଢେଲାଟାଏ ଫୋପାଡ଼ିଲା ଷଣ୍ଢ ଉପରକୁ । ସେଇଠୁ ଷଣ୍ଢକୁ ଆଉ ସମ୍ଭାଳେ କିଏ ? ମାଧିଆକୁ ଭୁଷି କଚାଡ଼ି ଦେଲା ।

      ସାଇ ପଡ଼ିଶାର ଲୋକମାନେ ଝଡ଼ାଝଡ଼ି କରି ମାଧିଆକୁ ତଳୁ ଉଠାଉଥା'ନ୍ତି । କେଇଜଣ ସ୍ତ୍ରୀଲୋକ ଚୁପି ଚୁପି କଥା ହେଉଥାନ୍ତି- ଏଇଟା ନାନୀ ଅଭିଶାପର ଫଳ ନୁହେଁ ତ! ମାଧିଆ ମାଆକୁ ନ ଜଣେଇ ନିଜ ବାଡିରୁ କାକୁଡି ତୋଳି ଖାଇବାରୁ ଏ ଦୁର୍ଦଶା ଭୋଗିଲା କି ! ଧାଇଁ ଆସୁ ଆସୁ ପୁଅର ଅବସ୍ଥା ଦେଖି ନାନୀର ମୁଣ୍ଡ ଘୁରିଗଲା । ସେ ଲଥ କରି ବସି ପଡ଼ିଲା । ପୁଅକୁ କୋଳକୁ ଆଉଜାଇ ତା' ମୁଣ୍ଡକୁ ଆଉଁଶି ବାହୁନିବାକୁ ଲାଗିଲା ।

" ମୋ ଧନରେ....ମୋ ସୁନାରେ...ତୋର କଅଣ ହେଲାରେ ବାପ....।"

      ଗାଆଁ ଲୋକ ମିଶି ମାଧିଆକୁ ଡାକ୍ତରଖାନାକୁ ନେଇଗଲେ । ସେଠାରେ ତା'ର ଆଶୁ ଚିକିତ୍ସା କରାଇ ଔଷଧ ନେଇ ଘରକୁ ଫେରିଲେ ।

     ସେଇଦିନ ଠାରୁ ରଙ୍ଗେଇନାନୀର ଚେତା ପଶିଲା । ଈର୍ଷା କରି ଅନ୍ୟର ଅମଙ୍ଗଳ ଲାଗି ସେ ଦେଉଥିବା ଅଭିଶାପ ସବୁ ସତ ଫଳୁଛି । ଅଜାଣତରେ ହେଉପଛେ , କ୍ରୋଧ ଆଉ ଶାପ ଯୋଗୁଁ ଆଜି ତା'ର ନିଜ ପୁଅ ମହାବିପତ୍ତିରେ ପଡ଼ିଲା । ତେଣୁ ଏଣିକି ଆପଣାତୁଣ୍ଡ ଏବଂ ରାଗ ଉପରେ ଲଗାମ ଦେବାକୁ ସେ ମନସ୍ଥ କଲା ।

      ତା' ପରଠାରୁ ଶାଣଦେଲା କ୍ଷୁରଭଳି ଧାର କଥାକହି ନାନୀ ଆଉ କାହାର ମରମ ଦହୁନି । ମୁରୁକି ହସି ଫୁଲଭଳି କୋମଳ ବଚନ ଭାଷି , ଦଦେଇ, ଖୁଡ଼ୀ, ଦେଠେଇ ଏବଂ ସାଇ ଭାଇ ପୁତୁରା, ଝିଆରୀମାନଙ୍କ ଅନ୍ତର ଜିଣୁଛି ।


Rate this content
Log in

More oriya story from ବି. ନିରୁପମା

Similar oriya story from Drama