ରଙ୍ଗବତୀ ନା ସାବିତ୍ରୀ
ରଙ୍ଗବତୀ ନା ସାବିତ୍ରୀ


ଦିନ ଆସି ବାରଟା ବାଜିଲାଣି । ରଙ୍ଗବତୀ ଘରକୁ ବାହାରକୁ ହେଉଛନ୍ତି ଘଡ଼ିଏ ହେଲାଣି। ହେଲେ ଷଣ୍ତବାବୁଙ୍କ ଦେଖାନାହିଁ।ସେ ଗାଁ ସରପଞ୍ଚ ପୁଣି ଏଭଳି ପରିସ୍ଥିତି ରେ ସେ କେତେ ଯେ ବ୍ୟସ୍ତ ସେ କଥା କାହୁଁ ବୁଝିବେ ରଙ୍ଗବତୀ ? ସୂର୍ଯ୍ୟ ମୁଣ୍ଡ ଉପରକୁ ଯେତେ ଯେତେ ଚଢୁଥାଏ ରଙ୍ଗବତୀ ଙ୍କ ପିତ ସେତେ ସେତେ ଚଢୁଥାଏ । ଏଇ ବିପର୍ଯ୍ୟସ୍ତ ପରିସ୍ଥିତି ରେ ହିଁ ସାବିତ୍ରୀ ବ୍ରତ ପଡ଼ିବାକୁ ଥିଲା। ନେଇ ଦେଇ ଏଇ ଗୋଟିଏ ବ୍ରତ ସେ ନିଷ୍ଠାର ସହିତ ପାଳନ କରନ୍ତି । ବିବାହ ର ପଚିଶ ବର୍ଷ ହେଲାଣି , ହେଲେ ଏବେବି ବାପଘରୁ ଆଡାଚଉଡା ରେ ଭାର ବେଭାର ଆସି ପହଞ୍ଚି ଯାଏ । କିନ୍ତୁ ଏଇ ନିଆଁଗିଳା ଲକଡାଉନ୍ ସମୟରେ କେମିତି ଆସିବ ସେ ସବୁ ? ମା ଫୋନ୍ କରି କହିଦେଲା "ଝୁଅ କିଛି ମନରେ ଧରିବୁନି , ଆଉ କ'ଣ କରିବା ? ଯାଇ ଆସି ହେଉନି, ତୋତେ ପଇସା ପଠେଇ ଦଉଚୁ ଏ ସନ, ମନ ଉଣା କରିବୁନି ମୋ ଧନଟା ପରା" ।
ଚଡ଼କ ପଡ଼ିଲା ବେଙ୍ଗବତୀ ଙ୍କ ମୁଣ୍ଡ ରେ ଫଳମୂଳ,ଲୁଗାପଟା ପୂଜା ଜିନିଷ ଆସିବ କେମିତି ? ଦୁଇ ଦିନ ହେଲା ପୁରା ଚିଠା କରି ଷଣ୍ତବାବୁଙ୍କ ପକେଟ୍ ରେ ଗୁଞି ଦେଇଛନ୍ତି । ହେଲେ ସେ ଚିଠା ପକେଟ୍ ରେ ସେମିତି ଯାଉଛି ଆଉ ଘରକୁ ଆସୁଛି। ଧର୍ଯ୍ୟର ତ ଗୋଟେ ସୀମା ଅଛି ନା ! ଷଣ୍ଢବାବୁ ପହଞ୍ଚି ଗାଡିରୁ ଓହ୍ଲାଇଲେ , ଆଜି ବି ହାତ ଖାଲି । ଓଃ ! ରଙ୍ଗବତୀ ଙ୍କ ଧର୍ଯ୍ୟର ବନ୍ଧଟା ସେଇଠି ଧୂସକିନା ଭାଙ୍ଗି ଗଲା। ଘରେ ପସୁପସୁ "ହୋଇ ହେ ! ତମକୁ ପରା ଦୁଇଦିନ ହେଲା କିଛି କହିଲିଣି । ଆଉ ଦୁଇ ଦିନ ରହିଲା ବ୍ରତ... ପଚିଶି ବର୍ଷ ପରେ ଥରେ ଦାୟିତ୍ଵ ଟେ ନେଲ, ହେଲେ ତମର ସେଥିରେ ନିଘା ନାହିଁ"। ଅଣ୍ଟାରେ ଲୁଗା କାନିଟା ଭିଡାହେବାର ଦେଖି, ଷଣ୍ଢବାବୁ ପରିସ୍ଥିତି ର ଜଟିଳତା ଭାପି ନେଲେ । ତମେ କାଳେ କଲେଟର ହେଇଛ ? କଲେଟର ସ୍ତ୍ରୀମାନଙ୍କୁ କେମିତି ରଖନ୍ତି ଜାଣିଚ ? ଆଖି ତରାଟି ବାବୁ ଅନେଇଲେ, ରଙ୍ଗବତୀ କ'ଣ କହିବାକୁ ଚାହାଁନ୍ତି । ହଇହେ ! ମୁଖ୍ୟମନ୍ତ୍ରୀ କହିଲେନି ସବୁ ସରପଞ୍ଚ କଲେଟର । ଅଳ୍ପ ବୁଦ୍ଧି ଭୟଙ୍କରୀ ତା ସହିତ ପାହାଡ଼ ପ୍ରମାଣେ ଅଭିମାନ । କୌଣସି ମହାବାତ୍ୟା ର ମୁକାବିଲା ଠାରୁ କମ୍ ନୁହେଁ । ଖଣ୍ଡି କାଶ ଦେଇ ବାବୁ କହିଲେ ତମେ କିଛି ବି ବୁଝୁନ । କାଲି କଲେକ୍ଟର ଆସିଥିଲେ ସବୁ ତଦାରଖ କରିବା ପାଇଁ , ସବୁ କାମ ସରିଲା ପରେ ଚୁପ୍ କିନା ପଚାରିଲେ ଆରେ ଏଠି ସୋନପୁରୀ ପାଟ କେଉଁ ଦୋକାନରେ ଭଲ ମିଳିବ? କଲେଟର କ'ଣ ଖାଲି ଲୋକଙ୍କ କଥା ବୁଝିବେ, ପତ୍ନୀଙ୍କ କଥା ବି ବୁଝିବେ ନା ନାହିଁ ? ମୁଁ ନେଇ ଗଲି ସିଧା ସରକାରୀ ସେଣ୍ଟର କୁ ସେଠି ସେ ଗୋଟେ ଶାଢ଼ୀ ପସନ୍ଦ କଲେ । ମୁଁ କୋଉ ଛାଡିବା ଲୋକ ସେ ନେଲା ପରେ ବାନା କୁ କହିଲି ମୋର ବି ଗୋଟେ ଏଥିରୁ ପ୍ୟାକ କରେ । ହେଲେ ସେ କହିଲା ଏ ପିସ୍ ଗୋଟିଏ ଥିଲା । ମୁଁ କହିଲି ନା ମୋର ଦରକାର ସେମିତି । ସେ ମୁଣ୍ଡ ଫୁଣ୍ଡ କୁଣ୍ଡେଇ କହିଲା ପହରି ଦିନ ଆସ ଭାଇନା ଯୋଗାଡ଼ ହେଇଯିବ । ଏତିକି ଶୁଣି, ରଙ୍ଗବତୀ ଙ୍କ ମୁହଁ ରେ ମଲ୍ଲୀଫୁଲିଆ ହସ ଚେନାଏ ଦେଖାଦେଲା । ଷଣ୍ଢବାବୁ ଟିକେ ଆଶ୍ବସ୍ତ ହେଲେ । ନିଶ୍ଚିତ ବଜ୍ରପାତକୁ ଏଡାଇ ଯେବେ ଦଲକାଏ ଶୀତଳ ପବନ ବହେ ଯେମିତି ତୃପ୍ତି ଦିଏ ସେମିତି ଲାଗିଲା । ପୁଣି କଥା ଜୋଡିଲେ ନଟିଆ ତା ବାଡିର ପଣସ ଆଣିବ, ମନୁଆ ତା ବାଡିର ଆମ୍ବ ଆଉ କଦଳୀ ଦେବ । ସିରିଆ ତା ଗଛ ପାଚିଲା ଲିଚୁ ଦେବ । ସମସ୍ତଙ୍କୁ ଯେଝା ପଇସା ଦେଇ ଆସିଛି। ତମେ ତ କିଛି ବୁଝିବନି, ସୁନା ଇଲିଶିକୁ ତାମ୍ପେଡା ଶୁଖୂଆ ଭାବି ଦେବ । ରଙ୍ଗବତୀ ଙ୍କ ଖୁସି ରେ ଆଉ ପାଦ ତଳେ ଲାଗୁ ନଥାଏ। ହଉ ହଉ ଚାଲ ଖାଇବ ।
ଓପରବେଳି କୁ ହଠାତ୍ ଷଣ୍ଢବାବୁଙ୍କୁ ଜର ଆସିଲା । ରଙ୍ଗବତୀ ଙ୍କ ଅକଲଗୁଡୁମ । ଆଜିକାଲି ଜର ଆସିଲେ ଛାନିଆ ପଶିଯାଉଚି । ଘରେ ବୁଢ଼ାବୁଢ଼ୀ ଦୁଇ ପ୍ରାଣୀ । ପିଲାମାନେ ସବୁ ବାହାରେ । ଆଉ କିଛି ବାଟ ନ ପାଇ ନିକଟସ୍ଥ ସରକାରୀ ଡ଼ାକ୍ତରଖାନାକୁ ନେଇଗଲେ । କିନ୍ତୁ ରକ୍ତ ନମୁନା ନିଆଗଲା ଦୁହିଁଙ୍କର ସରପଞ୍ଚ ବାବୁଙ୍କ ଅନୁରୋଧରେ। ଦୁହେଁ ଆଡମିଟ୍ ହେଲେ ସେଠି । ଦୀର୍ଘ ଚବିଶ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ରିପୋର୍ଟ ପାଇଁ । ରଙ୍ଗବତୀ ଙ୍କୁ ତ ଗୋଟେ ଯୁଗ ଭଳି ଲାଗୁଥିଲା । ଶେଷରେ ରିପୋର୍ଟ ଆସିଲା । ଷଣ୍ଢବାବୁ ଙ୍କ ପଜେଟିଭ୍ ଆଉ ରଙ୍ଗବତୀ ଙ୍କ ନେଗେଟିଭ୍ । ରଙ୍ଗବତୀ ଅନିଚ୍ଛା ସତ୍ତ୍ବେ ଘରକୁ ଫେରିଲେ । ହେଲେ ଘରେ କ୍ୱଆରେଣ୍ଟିନ ରେ ରହିବାକୁ ହେଲା । କେହି ଆସିବେନି କି ସେ ବାହାରି ପାରିବେ ନାହିଁ । ଖବରଟା ବଣନିଆଁ ଭଳି ଗାଁ ସାରା ମାଡ଼ିଗଲା । ଆଖି ର ଲୁହ ବୋଲମାନୁ ନଥାଏ । ଖାଇବା ପିଇବା ନିଦ ସବୁ ରଙ୍ଗବତୀ ଙ୍କ ହଜିଯାଇଥାଏ । ରାତିରେ ଖବର ଆସିଲା ଷଣ୍ଢବାବୁ ଙ୍କ ଦେହ ସିରିୟେସ୍ ଅଛି । ଆଇ.ସି.ୟୁରେ ଅଛନ୍ତି । ଆଉ ରଙ୍ଗବତୀ ଙ୍କୁ ସମ୍ଭାଳେ କିଏ ? ଦୌଡ଼ି ଯାଇ ଠାକୁର ଘରେ ପଶିଲେ । ଖାଲି ଲୁହ ଲୁହ ଆଉ ଲୁହ...। ରାତି ପାହିଲେ ସାବିତ୍ରୀ , ଆଉ କିଛି ନିଘା ନାଇ । ସେମିତି ଠାକୁର ଘରେ ପଡିଛନ୍ତି । କେତେ ବେଳେ ରାତି ପାହି ସକାଳ ହେଲା ଜଣା ନାହିଁ। ପାଖ ଘରୁ ଶଂଖ ହୁଳହୁଳି ଶୁଣି ସେ ଠାକୁର ଘରୁ ବାହାରିଲେ । ନିତ୍ୟକର୍ମ ସାରି ବିନା ଫଳମୂଳ, ବିନା ନୂଆ ଲୁଗାରେ ନିଆରା ସାବିତ୍ରୀ ବ୍ରତ ପାଇଁ ପ୍ରସ୍ତୁତ ହେଲେ । ପୁଣି ଯାଇ ଠାକୁର ଘରେ ପଶିଲେ । ସେଇ ବିଭୋରତା ସେଇ ନିଷ୍ଠା .... ମୋର ସ୍ୱାମୀ ଦରକାର ।
ଦିନ ସାରା ଅଖିଆ ଅପିଆ ପଡିଛନ୍ତି । ହଠାତ୍ ଦାଣ୍ଡକବାଟ ଜୋର୍ ରେ କିଏ ବାଡେଇଲା... ରଙ୍ଗବତୀ ସାଷ୍ଟାମ ହେଲେ । ଢଳି ଢଳି ଠାକୁର ଘର ବାହାର କୁ ଆସିଲେ ।ଚାରିଆଡେ ନଜର ପକେଇଲେ ଆରେ ଅନେକ ରାତି ହେଲାଣି ବୋଧେ । ଏତେ ରାତି ରେ କିଏ ? ବାହାରୁ ଶୁଭିଲା ସଦେଇର ପାଟି "ଭାଉଜ କବାଟ ଖୋଲ" । କବାଟ ଖୋଲିଲା ପରେ ସଦେଇ ହଠାତ୍ ଚମକି ପଡ଼ିଲା । ସାମ୍ନାରେ ଇଏ କିଏ ଠିଆ ହୋଇଛନ୍ତି ? କେଶବାସ ଅଲୁଳାଇତ, ମୁଖରେ ଏକ ଅପୂର୍ବ ଜ୍ୟୋତି, ସିନ୍ଥି ଓ କପାଳରେ ସିନ୍ଦୂର ଦାଉ ଦାଉ ହୋଇ ଜଳୁଥାଏ । ସତରେ ଦେବୀ ପ୍ରତିମା । ନିଜକୁ ସାଷ୍ଟାମ କରି ସଦେଇ ପଚାରିଲେ ଭାଉଜ ତୁମେ ମୋବାଇଲ ଉଠଉନ କାହିଁକି ? ଭାଇ ପରା ସନ୍ଧ୍ୟା ବେଳୁ ଫୋନ୍ କରିଚାଲିଛନ୍ତି । ଟିକିଏ ଆଶ୍ଚର୍ଯ୍ୟ ହେଇ ଖନେଇ ଖନେଇ ପଚାରିଲେ "କିଏ ଫୋନ୍ କରୁଛନ୍ତି" ? ସଦେଇ ବିଭୋର ହୋଇ କହିଲେ ଭାଇ ଭାଇ ...ଭାଇ ପରା । ଖରାବେଳୁ ସେ ଆଇ.ସି.ୟୁ ରୁ ବାହାରି ସାରିଲେଣି । ନିଅ ନିଅ ମୁଁ ଫୋନ୍ ଲଗେଇ ଦଉଚି ତୁମେ କଥା ହେଇଯାଅ । ସଦେଇ ନମ୍ବର ଲଗେଇ ମୋବାଇଲ ବଢେଇ ଦେଲା ..... ସେପଟୁ ହ୍ୟାଲୋ ରଙ୍ଗ...ଏପଟେ ଖାଲି ଲୁହ ର ବର୍ଷା । ଅକୁହା କୋହ ସବୁ ଧର୍ଯ୍ୟ ର ବନ୍ଧବାଡ ଭାଙ୍ଗି ଅନବରତ ବୋହି ଚାଲିଛି । ସେପଟୁ "କିଛି ଖାଇଲଣି ? ମୁଁ ଜାଣେ ତୁମେ କିଛି ଖାଇ ନଥିବ , ମୋ ରାଣ କିଛି ଖାଇ ନେବ । ହଉ ରଖୁଛି" । ମୋବାଇଲ ଟିକୁ ସଦେଇକୁ ବଢେଇ ଦେଇ ଢଳି ଢଳି ଭିତରକୁ ଚାଲି ଯାଉଥିଲେ । ସଦେଇ ସେମିତି ସ୍ତବ୍ଧ ହୋଇ ଚାହିଁ ରହି ଥାଏ ଅପସୃୟମାନ ସାକ୍ଷାତ ଦେବୀ ପ୍ରତିମା କୁ.......।