Padmalaya Padhy

Abstract

4  

Padmalaya Padhy

Abstract

ରଙ୍ଗ ନମ୍ବର

ରଙ୍ଗ ନମ୍ବର

4 mins
471



 ଓଢ଼ଣୀଟା ଟିକିଏ ସଜାଡି ନେଲା ସେ l ଆଜି ବାଲକୋନୀରେ ବାଳ ଶୁଖାଇ ଅଳସେଇ ଅଳସେଇ ଜୁଡ଼ାଟିଏ ବାନ୍ଧି ହେବ l

—ହାରାମଜାଦୀ କୋଉ ଗରାଖ କୁ ନିରେଖୁ ଥିଲୁ ? ଖାଇବୁ ମୋର ଖୁଆଇବୁ ତାଙ୍କୁ ? ହଠାତ ଚମକି ପଡିଲା ସେ l ଓଦା ବାଳ ପୋଛୁ ପୋଛୁ ଦି ପାଦ ପଛକୁ ହଟିଗଲା l କେହି କୁଆଡେ ନାହିଁ l ଅଚାନକ ଡାହାଣା ହାତଟି ଗାଲ ପାଖକୁ ଚାଲିଗଲା l ଏବେ ବି ପୋଡୁଛି l ତିନି ଦିନ ହେଲାଣି ତଥାପି ଦୁଇ ଆଙ୍ଗୁଠିର ଛାପ ଗାଲ ଉପରେ ଆଜିଯାଏଁ ରହିଛି l


ତେଣେ ଫୋନ ବାଜିଲାଣି ସେ ଆଡେ ଧ୍ୟାନ ନାହିଁ l ଏତେ ସକାଳୁ ତାକୁ ବା କିଏ ଫୋନ କରିବ l 

—ହେଲୋ l

—କିଏ ମିଠି ? ମୁଁ ଗୋପାଳ…ମାନେ…ତୋର ଗୋପାଳ ମ l

—ହଁ.. ଜାଣିଲି ନହେଲେ ଏତେ ସକାଳୁ ମୋତେ କିଏ ଫୋନ କରନ୍ତା ଯେ ?

—କଣ କରିବି କହ ଲୋ ମିଠି l ଆସନ୍ତା ମାସରେ ବାପା ସିନା ନିର୍ବନ୍ଧ ହେବ ବୋଲି କହିଦେଲେ ଦେଖିଲୁ ପରଦିନ ଠାରୁ ପୁଣି ଲକ ଡାଉନ ଆରମ୍ଭ ହୋଇ ଗଲା l କେମିତି ଯିବି କହ l ଏଣେ ଫ୍ୟାକ୍ଟ୍ରି ବନ୍ଦ ଓ ପାଖରେ ଥିବା ଟଙ୍କା ପଇସା ସବୁ ସରି

ଆସିଲାଣି l 

—ଦେଖ ! କେମିତି କଣ କରି ଚାଲି ଆସ l ଆଜିକାଲି ଯାହା ପରିସ୍ଥିତି ନା କେବେ ଏଇ ସବୁ ସରିବ କିଛି ଠିକଣା ନାହିଁ l 

—ହଁ ଲୋ ତୁ ବ୍ୟସ୍ତ ହେବୁନି ମୁଁ ଦେଖୁଛି କଣ କରିବାକୁ ହେବ l

—ଦେହ ପା ର ଯତ୍ନ ନେଉଥିବ ହେଲା ରଖିଲି l 


ତାର ମନେ ନଥିଲା କାଲି ରାତିରେ ତ ସିଏ ଟିଭି ରେ ଲକ ଡାଉନ କଥା ଶୁଣୁଥିଲା l ଲକ ଡାଉନ ଖୋଲିବା ଭିତରେ ତା ଗାଲର ଚି଼ହ୍ନଟି ମିଶି ଯାଇଥିବ l ଗାଲଟା ଆଉଁସି ଦେଲା ଟିକିଏ l ଫୋନ ରଖି ଚା କପ ନେଇ ବାଲକୋନୀରେ ଝୁଙ୍କି ରହିଛି ଯେ ରହିଛି ତାଆରି ଭିତରେ କେତେବେଳୁ ଚା ଥଣ୍ଡା ହୋଇଗଲାଣି ସେ ଆଡେ ନଜର ନାହିଁ l


—ମାଧୁରୀ ଆଣ୍ଟି ଭଲ ଅଛ l

—ହଁ ଲୋ ମା ଏ ଦୁର୍ଦ୍ଦିନ ରେ କି ଭଲ ଆଉ କି ମନ୍ଦ l କେତେବେଳେ କଣ ହେଉଛି ବୁଝି ହେଉନାହିଁ l ବିନୋଦ କଣ ଘରେ ନାହିଁକି ?

—ନାହାନ୍ତି ଆଣ୍ଟି l ଅର୍ଡର ସପ୍ଲାଇ କରିବା ପାଇଁ ଯାଇଛନ୍ତି ହଠାତ ଲକଡାଉନ ଆରମ୍ଭ ହୋଇ ଯିବାରୁ ଆସି ପାରୁ ନାହାନ୍ତି l

—ଏକୁଟିଆ ଲାଗିଲେ ଫୋନ କରୁଥିବୁ ଲୋ ମା ? 

—ହଁ ଆଣ୍ଟି ନିଶ୍ଚୟ କରିବି l ତୁମ ଛଡା ଏଇ ଅସମୟରେ ଆଉ କିଏ ଅଛି ମୋର l


ଆଜି ଟିକିଏ ବିରିୟାନୀ କରିବ ଭାବିଲା ସେ l କଲେଜରେ କେତେ ରୋଷେଇ ପ୍ରତିଯୋଗିତା ଜିତିଛି l ସେ ପରା ବିରିୟାନୀ ମାଷ୍ଟର l ତାକୁ କିଏ ମାତ ଦେଇଦେବ ଭଲା l

—ବଜାତ ମାଇକିନା ଏଇଟା ବିରିୟାନୀ ନା ମାଣ୍ଡିଆ ଜାଉ କରିଛୁ ବେ ? ମନଟା କୋଉ ନାଗର ପାଖେ ଛାଡ଼ି ଆସିଛୁ ହାରାମଜାଦୀ l ହଠାତ ଛାତିଟା ଧଡ଼ ଧଡ଼ ହେଲା l ହାତ ଗୋଡ଼ ସବୁ ଥରି ଉଠିଲା l କେହି କୁଆଡେ ନାହିଁ l ଧୀରେ ଯାଇ ଆଳୁ ଦି ଟା କାଟି ଭାଜି ଦେଇ ଗତ କାଲିର ବଳକା ଭାତ ଲଗେଇ ଖାଇବା କାମଟା ଶେଷ କରି ଶୋଇଗଲା l ଉଠିଲା ବେଳକୁ ସନ୍ଧ୍ୟା ଛ ଟା ବାଜିଲାଣି l ସନ୍ଧ୍ୟା ଆଳତି ଦେବାକୁ ଅଛି l ରାତିରେ ଆଉ ରୋଷେଇ ନାହିଁ ଖାଲି ଉପମା ଟିକିଏ କରିଦେଲେ ଗଲା l ରାତିରେ ପୁଣି ଥରେ ଫୋନ ଆସିଲା l


—ମିଠି କଣ କରୁଛୁ ଲୋ ? ମୋ ପାଖରେ ପୁରୁଣା ଫୋନ ଅଛି ବୋଲି ମନ ଦୁଃଖ କରୁଛୁ କି ? ଏଥର ଗଲେ ମୁଁ ବି ତୋ ଭଳି ନୂଆ ଫୋନଟିଏ ଆଣିବି ଯେ ଭିଡିଓ କଲ କରି କଥା ହେବା l ଏପଟରୁ କହିଲା ନାହିଁ ନାହିଁ କାହିଁକି ଅଯଥାରେ ଏତେ ଟଙ୍କା ଖର୍ଚ୍ଚ କରିବ l କଥାବାର୍ତ୍ତା ତ ଚାଲିଛି ନା ଆଉ କଣ ଦରକାର l ସେ ଆଡୁ ପ୍ରଶଂସା ର ବର୍ଷା l ମୁଁ ଜାଣେ ପରା ମୋ ଭାବି ପତ୍ନୀ କଣ ଏମିତି ସେମିତି କି ? ଯେମିତି ଚତୁରି ସେମିତି ବୁଦ୍ଧିମତ୍ତି l ଯାଉଛି ଲୋ ରୋଷେଇ କଣ ଟିକେ କରିବାକୁ ହେବ l ଘରେ ଲକ ଡାଉନ ପାଇଁ ଆଜି କିଛି ପରିବା ନାହିଁ l ଦେଖୁଛି କଣ ହେଇ ପାରିବ l


ଶାନ୍ତି ଲାଗୁଥିଲା ଆଜି ତାକୁ l ଖୁସି ଖୁସି ଲାଗୁଥିଲା l କେତେଦିନ ପରେ ତାକୁ ଆଜି ପରସ୍ତେ ଭଲ ନିଦ ହେଲା l ସକାଳ ହେଉ ହେଉ ପୁଣି ଫୋନ କୁ ଅପେକ୍ଷା l ତୁମ ପାଇଁ ରବିବାର ଉପାସ ରଖିଛି ତୁମକୁ କିଛି ରୋଗ ନହେଉ l ଭଲରେ ଫେରିଆସ ତୁମେ l ସେ ପଟରୁ ଆସୁଥିଲା କାନ୍ଦ କାନ୍ଦ ପୁରୁଷ କଣ୍ଠ l ମୁଁ ଜାଣେ ଲୋ ତୁ ମୋ ପାଇଁ ବହୁତ ଚିନ୍ତା କରୁଛୁ l ଏତେ ଚିନ୍ତା କରନା ଲୋ ପାଗେଳୀ ଦେହ ଖରାପ ହେବ l ମୁଁ ଭଲରେ ପହଞ୍ଚି ଯିବି l ଆମ ନିର୍ବନ୍ଧ ସରୁ ସରୁ ମୁଁ ଭାଇଙ୍କୁ କହିବି ବାହାଘରଟି ମଧ୍ୟ ଶୀଘ୍ର ସାରିଦେବା ପାଇଁ l ବ୍ୟସ୍ତ ହେବୁନି l


ପ୍ରତିଦିନ ସକାଳେ ଶୀଘ୍ର ନିଦ ଭାଙ୍ଗିଯାଏ କାଳେ ଫୋନ ଆସିଥିବ ଆଉ ସେ ମିସ କରିଯିବ l ରାତିରେ ଫୋନ ସରିଲା ପରେ ବି ଶୋଇବା ପାଇଁ ଇଚ୍ଛା ହୁଏନାହିଁ l କାଳେ ଆଉଥରେ ଫୋନ ଆସି ପାରେ l ଟି ଭି ଖୋଲିବାକୁ ଇଚ୍ଛା ହୁଏନି l ଘଣ୍ଟା ଘଣ୍ଟା ଗପ ଚାଲେ l


ଅଢ଼େଇ ମାସ ପରେ ଦିନେ ଘୋଷଣା ହେଲା ଯେ ପନ୍ଦର ତାରିଖ ରୁ ଲକ ଡାଉନ ସରିଯିବ l

—ମିଠି ! ତୋ ଡାକ ଭଗବାନ ଶୁଣିଲେ ଲୋ l ଲକ ଡାଉନ ସରିଯିବ l ଏଥର ତୋର ମୋର ଭେଟ ହେବ l ତୋର ଫଟ ଖାଲି ଦେଖିଛି ଲୋ l ତୋତେ ଦେଖିନାହିଁ l ମୁଣ୍ଡରେ ଓଢ଼ଣା ଦେଲେ ତୁ କେମିତି ଦିଶିବୁ ବୋଲି କାଲି ରାତିରେ ଭାବୁଥିଲି l ନିର୍ବନ୍ଧ ସରିଲେ ମନ୍ଦିରରେ ଆମେ ଭେଟିବା ତୁ ଟିକିଏ ଓଢ଼ଣା ଦେଇ ମୋତେ ଦେଖାଇବୁ ନା ? କିଛି କହୁନୁ ଲାଜ କରୁଛୁ କି ? ହଁ ହଉ ଗଲେ କଥା ହେବା l ଆଉ ମାତ୍ର ଦୁଇ ଦିନ l ରଖୁଛି l


ଏପଟରୁ ଗୋଟେ ଏସ ଏମ ଏସ ମଧ୍ୟ ଗଲା l

—ମୁଁ ତୁମର ମିଠି ନୁହେଁ l ଏଇ ନମ୍ବରଟା ଲାଗି ଯାଇଥିଲା l ଭଗବାନ କରନ୍ତୁ ତୁମ ମିଠି ଭଲରେ ଥାଉ l ଶୀଘ୍ର ତା ସହିତ ତୁମର ଭେଟ ହେଉ l ଓଢ଼ଣା ଦେଲେ ସେ ନିଶ୍ଚୟ ଭଲ ଦିଶିବ l ଗତ ଜନ୍ମରେ କେତେ ତପସ୍ୟା କରିଥିବାରୁ ଏ ଜନ୍ମରେ ତୁମ ପରି ସ୍ୱାମୀଟିଏ ପାଇବ ସେ l ଆଜିଠୁ ତୁମ ନମ୍ବରକୁ ବ୍ଲକ କରୁଛି l


Rate this content
Log in

Similar oriya story from Abstract