STORYMIRROR

Satyabati Swain

Abstract

2.0  

Satyabati Swain

Abstract

*ରକ୍ତ ଗୋଲାପ*

*ରକ୍ତ ଗୋଲାପ*

9 mins
296


ସେ ଧଇଁ ସଇଁ ହୋଇ ଦୌଡୁଥିଲା ମୋ ଗାଡି ପଛେ ପଛେ। ଘର ଫେରନ୍ତା ମନ ମୋର ପଚାଶ ଉପରେ କଣ୍ଟା ରଖି ପାର ହେଉଥିଲା ତାଙ୍କ ଗାଁ। ଆଗରେ ଉଠାଣି ପୋଲ। ଗାଡି ଟିକେ ଧୀର କରି ଉଠାଇଲା ବେଳକୁ ମିରର୍ ରେ ଦେଖିଲି ସେ ଦୌଡୁଛି ଚିଲ ବେଗରେ। ପୋଲ ଉପରେ ମୁଁ ଅଟକି ଗଲି। ସୁଦୁ ବାଳୁଙ୍ଗା,ଦୁଷ୍ଟ ପିଲାଟା। କେଉଁ ମତଲବରେ ଆସୁଛି କେଜାଣି। ଭୟ ବି ଲାଗିଲା। ଦଶମ ଶ୍ରେଣୀର ବାଜେ,ବଦମାସ୍,ବାଳୁଙ୍ଗା ତାଲିକାର ସର୍ବାଗେ ତା ନାଁ। ମୁଁ ନୂଆ ନୂଆ ଚୁକ୍ତିଭିତିକ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଛି ତିନି ମାସ ହେବ। ପୁଣି ଅବିବାହିତା ଝିଅ।


ଯେଉଁ ଦିନ ଦଶମ ଶ୍ରେଣୀରେ ପ୍ରଥମ କରି ବିଜ୍ଞାନ ପଢ଼ାଇବାକୁ ଗଲି; ସେଦିନର ଅନୁଭୂତି କେବେ ବି ଭୁଲି ପାରିବି ନାହିଁ। ବୟୋଜ୍ୟେଷ୍ଠ ସାର୍ ଓ ମାମ୍ ମାନେ ପ୍ରଥମ କରି ଯେଉଁ କ୍ଲାସକୁ ଯାଏ,ସେ କ୍ଳାସର ବାୟୋଡାଟା ପ୍ରଦାନ କରି ଦିଅନ୍ତି ଆଗୁଆ। ଏଇ ଯେମିତି କେଉଁ ପିଲା ମେଧାବୀ,କିଏ ବଦମାସ୍ ,କିଏ ଫୁସ୍ ଫାସ୍ କମେଣ୍ଟ ମାରିବାରେ ଓସ୍ତାତ୍ ବା ଗଣ୍ଡ ଗୋଳ କରିବାର ନାୟକ। ଯାହା ଦ୍ୱାରା ମୁଁ ହୁସିଆର ହୋଇ ଯାଏ।ଦଶମ ଶ୍ରେଣୀ ବିଜ୍ଞାନ କ୍ଲାସ୍ ପ୍ରଥମ ଦିନ ରୁମ୍ ଭିତରକୁ ପଶୁ ପଶୁ କିଏ ଶୁଣିଲା ପରି କହିଲା ଫୁଟ୍.... ଏଇଟା ମେଞ୍ଚେଡି ଟା କି ପାଠ ପଢେଇବ। ଆଉ ଜଣେ କହିଲା ବିଜ୍ଞାନ ବନାନ ଆସିବ ୟାକୁ। ପୁଣି ଶୁଭିଲା ବାଉଳାରେ ପଶି ଆସିଛି ସ୍କୁଲକୁ ବେ।


ଆଗରୁ ସାର୍ ମାମ୍ ମାନେ ତ ମୋତେ ସତର୍କ କରିଦେଇଥିଲେ। ମୁଁ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ମୋ ପଦ୍ଧତି ଅନୁଯାୟୀ କ୍ଲାସ୍ ଆରମ୍ଭ କରିଦେଲି। ସେଦିନ ବିଷୟ ଥିଲା ଗତି। ନିଉଟନ ଙ୍କ ଜୀବନରୁ ଆରମ୍ଭ କରି ଗପ ଛଳରେ ଗତିର ତିନୋଟି ଯାକ ନିୟମ ଏପରି ପଢ଼ାଇ ଦେଲି ଯେ ପିଲା ଜାଣି ପାରିଲେନି ମୁଁ ଗପ କହୁଛି ନା ପାଠ ପଢ଼ାଉଛି। ମୋ ଗପ ଶୁଣି କେହି ଜଣେ ଛାତ୍ର କହିଲା ସାହିତ୍ୟ ଦିଦିରେ ଭୁଲରେ ବିଜ୍ଞାନ କ୍ଲାସ୍ କୁ ପଶି ଆସିଛନ୍ତି। ଗପ କହି ସାରିବା ପରେ କହିଲି ନିଜ ନିଜ ବହି ଖୋଲ ଓ ଦେଖ ଆମ ଗପ ଭିତରେ ସେ ସବୁ କଥା ଥିଲା ତ....!


ବହିର ପୃଷ୍ଠା ଓଳଟାଇବା ପରେ ସବୁ ପିଲା ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁଲେ। ହଁ ମାମ୍ ଆପଣ କହିଥିବା ସବୁ ସୂତ୍ର,ସବୁ କଥା ଅବିକଳ ଟିକି ନିକି ବିଷୟ ଟିରେ ଅଛି। ଠିକ୍ ଅଛି ମୁଁ କହିଲି। ଏବେ ଆମେ ନୂଆ ଗେମ୍ ଖେଳିବା। ଖେଳିବା?? ଆରେ ଇଏ ପିଇଟି ଟିଚର୍ ରେ; ସେହି ସମାନ ଟୋନ୍ ଫୁସ୍ କି କହିଦେଲା। ମୁଁ ଶୁଣି ନ ଶୁଣିଲା ପରି କହିଲି ଖୁବ୍ ମଜା ଲାଗିବ ଖେଳିଲେ।

ରାଗରେ ଖାଲି ଜଳୁଥିଲା ମୋ ଦେହ ଏମିତି ଟିପ୍ପଣୀ ଶୁଣି। କିନ୍ତୁ ନିଜ ଉପରେ ନିୟନ୍ତ୍ରଣ ରଖି ପଚାରିଲି ଖେଳିବ ତ......। ହଁ ଅଁ...ଏକାସ୍ୱରରେ ସବୁ ପିଲା କହିଲେ। ଗୋଟିଏ ପିଲା କିନ୍ତୁ ଠିଆ ହୋଇ କହିଲା କଣ ଚାଲୁଛି? ଏଇଟା କ୍ଲାସ୍। ଖେଳ ପଡିଆ ନୁହେଁ କି ସାହିତ୍ୟ କ୍ଲାସ ନୁହେଁ। ଆମେ ଛୁଆ ହୋଇଛୁ ଗପ ଶୁଣିବୁ, ଖେଳିବୁ....।


ଅନ୍ୟ ପିଲା କହିଲେ ତୋର କଣ ଅଛି? ତୋ ଇଚ୍ଛା ହେଲେ ଶୁଣୁ 'ଡିବା',ତୋ ମୁଣ୍ଡ ତ ଟିଣ। ତୁ କଣ ବୁଝିବୁ ପାଠ,ଗପ,ଖେଳ ଭିତରେ କି ସମ୍ପର୍କ ଅଛି। ଆପଣ ତା କଥା ଶୁଣନ୍ତୁନି ମାମ୍। ସେଇଟା ବାଜେ ପିଲାଟା। ବଦମାସୀ କରିବା ତା କାମ। କ୍ଲାସ୍ ରେ ବିଶୃଙ୍ଖଳା,ମାର୍ ପିଟ୍ କରିବାକୁ ତ ସେ ସ୍କୁଲ ଆସେ।


ହେଉ ପିଲେ। ସେ ତୁମ ସାଙ୍ଗ ନା। ସେ କଣ ଚାହୁଁଛନ୍ତି ଟିକେ ଧୈର୍ଯ୍ୟର ସହ ଶୁଣିବା। କୁହତ ତୁମ ନାଁ କଣ,ମୁଁ ପଚାରିଲି?


ଦିବ୍ୟାଂଶୁ ବିଶ୍ବାସ,ଉଦ୍ଧତ ପଣିଆଁରେ ଫୋପାଡ଼ିଲା ପରି କହିଲା।


ଆରେ ବାଃ ଖୁବ୍ ସୁନ୍ଦର ନାଁ ଟିଏ ତ। ଡିବା କାହିଁକି ଡାକୁଛ ପିଲେ। ଆଜିଠାରୁ ତାଙ୍କୁ ଦିବ୍ୟାଂଶୁ ଡାକିବା। କଣ ପିଲେ ଡାକିବା ନା??


ହଁ...........


ତାର କଣ ହେଲା କେଜାଣି ଦୃଢୋକ୍ତି ଦେଇ କଥା କହୁଥିବା ମୁହଁଟି ତାର ଝାଉଁଳି ପଡିଲା। ତଳକୁ ମୁହଁ ପୋତି ସେ କହିଲା "ମେ ଆଇ ଗୋ ଆଉଟା ମାମ୍।"


ହଁ .... ଆସିପାର ମୁଁ କହିଲି।


ତା ପରଠୁ ପିଲାଟି କେମିତି ଅନ୍ୟ ମନସ୍କ ରହିଲା,ଗୁମ୍ ସୁମ୍। ଆଉ ବଦମାସୀ କଲାନି ମୋ କ୍ଲାସ୍ ରେ। ଯଦିଓ ବୟସ ମୋର ଅଳ୍ପ କିନ୍ତୁ ପିଲାଙ୍କ ମନ,ମସ୍ତିଷ୍କ ପଢିବାକୁ ମୋତେ ଖୁବ୍ କମ୍ ସମୟ ଲାଗେ। ପିଲାଙ୍କ ସହ ମିଶିବା ମୋର ଅଭ୍ୟାସ। ଯେତେ ସାନ ପିଲା ହେଉନା କାହିଁକି ମୁଁ ତା ସାଙ୍ଗେ ବନ୍ଧୁତା ଖୁବ୍ କମ୍ ସମୟରେ କରିପାରେ। ସାଙ୍ଗ ମାନେ କୁହନ୍ତି ମୁଁ କୁଆଡେ ଏଥିରେ ମାହିର୍। ଭାଗ୍ୟକୁ ସେଇ ପିଲାଙ୍କ ମେଳରେ ପିଲା ହେବା ପାଇଁ ଗୋଟିଏ ସୁନ୍ଦର ଜବ୍ ମିଳିଗଲା। ଦିବ୍ୟାଂଶୁ ଏମିତି କେଉଁ କ୍ଷେତର ମୁଳି କି?


କିନ୍ତୁ ଦିବ୍ୟାଂଶୁ ଭିତରେ କିଛି ତ କ୍ଷତ ଅଛି,ଯାହା ସେ ଦେଖାଇ ପାରୁନି କି ନିଜେ ଦେଖି ପାରୁନି। କଣ ହୋଇ ପାରେ.....ତା ଅଭାବ ବୋଧ.....। କାହିଁକି ପିଲାଟି ବିଗିଡି ଯାଇଛି। ପାଠ ଘରେ ତ ଶୁନ। ଶାଠ ଘର କିନ୍ତୁ ଶହେକୁ ଶହେ। ଯେତେ କୁ ଭାଷା ଗାଳି ଗୁଳଜ ତା ଜିଭ ଅଗରେ। ଯେତେ ଦୋ ଅକ୍ଷରୀ ଭାଷାର ମାଷ୍ଟର ସେ। ବହୁତ ଖରାପ ଲାଗେ ସେ ଯେଉଁ ଭାଷା କୁହେ ଶୁଣି। କେଉଠୁ ଶିଖିଲା ଏପରି ଭାଷା।


ପଚାରିଲି ଆମ ବରିଷ୍ଠ ଜଣେ ସାର୍ ଙ୍କୁ। ସାର୍ କହିଲେ ଡିବା ଭାରି ସୁଧାର ପିଲା ଥିଲା। ତା ମା ରାସ୍ତା କାମ କରୁଥିବା ପେଟି କଣ୍ଟ୍ରାକ୍ଟର ସାଙ୍ଗେ ଭାଵ ରଖିବାରୁ ତା ବାପା ଖପ୍ପା ହୋଇଗଲେ। ଖୁବ୍ ଝଗଡା ଲାଗିଲା। ଡିବା ମା ଖୋଲା ଖୋଲି କହିଲା "ଭଲ ହେଲା ଭାଵ ରଖିଲି। ତୁ ଟା ମୂର୍ଖ; ଦିନ ମଜୁରିଆ। ସେ ବାବୁ ମୋତେ ରାଣୀ କରି ରଖିବ କହୁଛି। ତୋ ପାଖେ ରହି ଚାକରାଣୀ ଜୀବନ ବଞ୍ଚିବି କାହିଁକି? ମୁଁ ଚାଲିଯିବି ତାଙ୍କ ସହ ତୋତେ ଛାଡି। କଣ କରିବୁ? ଝଗଡା ଏମିତି ହେଲା ଯେ କିରୋ ସିନୀ ଢାଳି ପୋଡି ମରିବା ଯାଏ କଥା ଗଲା। ଡିବା ମା ଉପରେ କିରୋସିନୀ ଢାଳି ତା ବାପା ଦିଆସିଲି ମାରି ଜଳାଇ ଦେଲେ। ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତା ମା ମରିଗଲା। ଦୁଇ ମାସ ଯାଇଛି କି ନାହିଁ ତା ବାପା ଆଉ ଗୋଟିଏ ବିବାହ କଲେ। ସେତେବେଳେକୁ ତୃତୀୟ ଶ୍ରେଣୀରେ ପଢୁଥିଲା ଡିବା। ନୂଆ ମା ଆଡ଼ ଆଖିରେ ଦେଖି ପାରିଲା ନାହିଁ ୟାକୁ। ମାଡ଼,ଗାଳି ତାର ନିତି ଦିନିଆ ଖାଦ୍ୟ ହେଲା। ଏପରିକି ତାର ଗୋଟିଏ ଦୁଇ ବର୍ଷର ସାନ ଭଉଣୀ ଥିଲା। ବିନା ଖାଦ୍ୟ,ଯତ୍ନ ଓ ଚିକିତ୍ସା ଅଭାବରୁ ମରିଗଲା। ଭଉଣୀଟିକୁ ମା ମଲା ପରେ କାଖେଇ କୁଣ୍ଢେଇ ଡିବା ସବୁବେଳେ କୋଳରେ ଜାକୁ ଥିଲା। ତା ମଲାଠାରୁ ଡିବା ପୁରା ବଦଳି ଗଲା।


ସ୍କୁଲ ମନ ହେଲେ ଆସିଲା ନ ହେଲେ ନାହିଁ। ଗୁଡ଼ି ଉଡାଇଲା,କାଦୁଅ,ପଙ୍କରେ ଲଟର ପଟର ହୋଇ ମାଛ ଧଇଲା,ଧାନ କାଟିଲା,ମୁଗ ଉପାଡିଲା ବାପା ସାଙ୍ଗେ। ଅହରହ ଧଣ୍ଡ ସାପ ପରି ବୁଲିଲା। ଆକଟ କରିବାକୁ କି ଆହା କହିବାକୁ କେହି ରହିଲେ ନାହିଁ। ଖାଇଲେ ଖାଇଲା ନହେଲେ ନାହିଁ। ଦିନେ ତା ନୂଆ ମା ବହେ ଛେଚିଲା ଡିବାକୁ। ଡିବାର ଦେହ, ହାତ ନୋଳାରେ ଫାଟିଗଲା। ଚଣ୍ଡାଳ ବାପାଟି କିଛି କହିଲା ନାହିଁ। ମାଡ଼ ଖାଇବାର କାରଣ ତା ନୂଆ ମାର ପୁଅ ଆଳୁଚପ୍ଟିଏ ଖାଉଥିଲା। ପିଲା ଲୋକ ସେ ସାନ ଛୁଆଠାରୁ ଆଣି ଟିକେ ଖାଇ ଦେଲା। ହେ ଭଗବାନ! କାହିଁକି ନେଲୁ ମୋ ଛୁଆଠାରୁ ବୋଲି ପାଞ୍ଚଣଟିଏ ଧରି କାଚି ଦେଇ ଗଲା। ବାସ୍! ସେଇଦିନରୁ ଡିବା ହୋଇଗଲା ଅସାମାଜିକ।


ଘରକୁ ଗଲା ନାହିଁ କି କେହି ତାକୁ ଆ ବୋଲି ଡାକିଲେ ନାହିଁ। ଗାଁ ମନ୍ଦିରରେ ଆଠ ଦିନ କାଳ ଶୋଇଲା। ଲୋକେ ତା ନୂଆ ମା ଓ ବାପାକୁ ଛି ଛା କର କଲେ ବୋଲି ବାପା ତାର ଯାଇ ତାକୁ ଘରକୁ ଆସିବାକୁ ଡାକିଲା। ଆଶ୍ଚର୍ଯ୍ୟ! ଡିବା ସର୍ତ୍ତ ରଖିଲା ନୂଆ ମା ତାକୁ କିଛି କହିବେ ନାହିଁ। ତା ଖାଇବା,ପିନ୍ଧିବାରେ ଅବହେଳା ହେବ ନାହିଁ କି କେହି ତାକୁ କାମ ବରାଦ କରିବେ ନାହିଁ। ଯଦି ଏପରି ହେବ ତ ସେ ଘରକୁ ଯିବ। ନଚେତ ନାହିଁ। ତା ମାକୁ ମାରିଛ,ଭଉଣୀକୁ ମାରିଛ। ଏଥର ତାକୁ ମାରିଦିଅ। କିଏ ଯେମିତି ଶିଖାଇ ଦେଇଛି ତାକୁ। ଆହୁରି ବି କହିଲା ଥାନାକୁ ଯିବି। ଜମିବାଡ଼ି,ଘର ଦ୍ୱାର ଭାଗ କରିଦିଅ। ମୁଁ ଯାହାକୁ ଦେବି ତା ପାଖେ ରହିବି। କିନ୍ତୁ ନୂଆ ମା ର ଅତ୍ୟାଚାର କି ବେହିଆ ବାପାର ଅବହ

େଳା ସହି ପାରିବି ନାହିଁ। ପରେ ଜଣା ପଡିଲା ତା ଲେଖା ଯୋଖା ବଡ଼ ବାପା ତାକୁ ଏସବୁ ଶିଖାଇ ଥିଲା।


ଗାଁ ଯାକର ଲୋକେ ରୁଣ୍ଡ ହୋଇ ଶୁଣୁଥିଲେ ଡିବା କଥା। ଏତେ ଛୋଟ ବୟସରେ କି କଥା କହୁଛି। ଅବଶ୍ୟ ସତ କହୁଛି। ବହୁତ ହିନସ୍ଥା ହେଉଛି ପିଲାଟା। କେହି ଯେତେବେଳେ ତାର ହୋଇ ନାହାନ୍ତି ନିଜେ ଲଢିଲା ନିଜ ଜୀବନ ପାଇଁ।


ତାପରଠାରୁ ଡିବା ଏକା ଏକା ବଞ୍ଚିବା ଶିଖିଲା। ବୟସ ଦଶ; କିନ୍ତୁ କାମ କଲା ପଚିଶି ବର୍ଷର ଭେଣ୍ଡିଆ ପରି। ଯାହାର କାମ ହେଉଥିବ ଡାକ କି ନ ଡାକ ଯାଇ କାମ କଲା। ଲୋକେ ଆହା ପାଇ କିଛି ହାତ ଖର୍ଚ୍ଚ ବି ଦେଲେ।

ତା ଭିତରେ ଏତେ ରୁକ୍ଷତା ଭରି ରହିଥିଲା ଯେ ସଦା ସର୍ବଦା ଗାଳି ଗୁଳଜ କଲା। ତା ମୁଣ୍ଡରେ କିଏ ପୁରେଇଛି ଦଶମ ଟି ପାସ୍ କରିଦେଲେ ବାହାର ରାଜ୍ୟକୁ ଯାଇ ଯେ କୌଣସି କମ୍ପାନୀରେ ରହି ଦି ପଇସା ରୋଜଗାର କରିବ। ଆ ତା ବୋଲ ହାକ କରେ। ମଝିରେ ମଝିରେ ସ୍କୁଲ ମନେ ପଡିଲେ ଆସେ। କେହି ଯଦି କିଛି ବି କହିଲା ଖୁବ୍ ଛେଚେ। ପିଲାଟି ମୁହଁକୁ ଚାହିଁଲେ ବିକଳ ଲାଗେ। ସେ ଯେ ଅସାମାଜିକ ହେବାରେ ନିଜେ ଦାୟୀ ନୁହେଁ,ତା ପରିବେଶ ଓ ପରିସ୍ଥିତି ତାକୁ ଏପରି ହେବାକୁ ବାଧ୍ୟ କରିଛି। ଶୁଣୁଛୁ ବଡ଼ ଟୋକା ମାନଙ୍କ ସାଙ୍ଗରେ ପଡି କାଳେ ପିଆ ପିଇ କଲାଣି। ହୁସିଆର ଥିବେ ମାମ୍ ସେ ବହୁତି ଭୟଙ୍କର ପିଲା।


ଏ ସବୁ ଶୁଣିଲା ପରେ ଭାରି ଇଛା ହେଲା ମୋ ନିଜ ଭାଇ ପରି ତାକୁ କୋଳେଇ ନିଅନ୍ତି,ଗେଲ କରନ୍ତି ,ଆକଟ କରନ୍ତି। କିନ୍ତୁ ଏସବୁ କରିବା ଏତେ ସହଜ ନଥିଲ।। ପ୍ରଥମେ ମୁଁ ତା ଭିତରେ ଭଲ ଡିବାଟିକୁ ଜଗାଇବାକୁ ଚେଷ୍ଟା କଲି। ସରସ୍ୱତୀ ପୂଜା ମେଢ଼ ସଜାଠାରୁ ଆରମ୍ବ କରି ମୂର୍ତ୍ତୀ ଆଣିବା ପର୍ଯ୍ୟନ୍ତ ସବୁ କାମ ତାକୁ ନ୍ୟସ୍ତ କଲି। ଅନ୍ୟ ପିଲା କହିଲେ ଏଥରକ ପୂଜା ନଷ୍ଟ ହେବ ଜାଣ। ଡିବା ପୁଣି ଦାୟିତ୍ୱ...!। ପଇସା ପାଇଲେ ପିଇ ଦେବ ଟାଙ୍କିଏ। ମାମ୍ ତା ଉପରେ ବିଶ୍ୱାସ କରିବା ଠିକ୍ ହେଲା ନାହିଁ। ପିଲା ମାନଙ୍କ ଚୁପ୍ ଚାପ୍ କୁହା କୋହି କଥା ମୋ କାନରେ ପଡୁଥାଏ। ତଥାପି ମୁଁ ଆଶା ହରାଉ ନଥାଏ। ଦେଖା ଯାଉ କେଉଁ ପାଣି କୁଆଡେ ଯାଉଛି।


ସମସ୍ତଙ୍କୁ ମିଛ ପ୍ରମାଣିତ କରି ଦ୍ଵିଗୁଣ ଉତ୍ସାହିତ ହୋଇ ଡିବା ଲିଡ଼ର ସାଜି ସବୁ କାମ ଠିକ୍ ଠାକ୍ କରିଦେଲା। ସବୁ ବର୍ଷ ଠାରୁ ଏ ବର୍ଷ ସରସ୍ୱତୀ ପୂଜା ମେଢ଼ ସମ୍ପୁର୍ଣ୍ଣ ଅଲଗା ଲାଗୁଥିଲା। ଲିଚୁ,ବେଲୁନ୍,ଝାଉଁ ଡାଳରେ ଝଲସୁଥିଲା ମେଢଟି। ସ୍କୁଲ ହତା ବି ଝକମକ କରୁଥିଲା ରଙ୍ଗୀନ ପତାକା ଓ ଫୁଲରେ। ଭୋଜିରେ ବି ଅଣ୍ଟାରେ ଗାମୁଛା ଭିଡି ଦଶଟି ଲୋକର ଖଟଣୀ ଖଟିଥିଲା ଡିବା। ହାଟରୁ ପରିବା ଓ ତେଜରାତି ସଉଦା ଟଲିରେ ଏକା ଏକା ଟାଣି ଆଣିଥିଲା। ଡିବାର କାମ କରିବା ଉତ୍ସାହ ଦେଖି ସବୁ ପିଲା ଓ ସାର୍ ମାନେ କା.. ବା.. ହୋଇ ଯାଉଥିଲେ। ସାର୍ ମାନେ କହୁଥିଲେ "ଜାହ୍ନବୀ ମାମ୍ ଆପଣ ଯାଦୁ ଜାଣିଛନ୍ତି। "ଗୋଟେ ଅସାମାଜିକ ଛାତ୍ରକୁ ଆପଣ ବାଟକୁ ନେଇ ଆସିଲେ ଏଇ କେଇଟା ମାସରେ! ଏଇଠି ସେ ପ୍ରଥମରୁ ଦଶ ବର୍ଷ ହେବ ପଡୁଛି। ସାତ ବର୍ଷ ହେବ ସେ ବାଳୁଙ୍ଗା ତାଲିକାକୁ ତା ନାଁ ଚଢେଇ ଦେଇଛି ଯେତେ ଯିଏ ଚେଷ୍ଟା କଲେ ବି ସେ ବାଟକୁ ଆସି ନଥିଲା । କିନ୍ତୁ ଆପଣ ଜାହ୍ନବୀ ମାମ୍,ଅସମ୍ଭବକୁ ସମ୍ଭବ କରି ଦେଲେ। ଆପଣଙ୍କ ପରି ଶିକ୍ଷୟିତ୍ରୀ ଆଜିକା ଡେଟ୍ ରେ ଅତି ଆବଶ୍ୟକ କହିଲେ ପ୍ରଧାନ ଶିକ୍ଷକ।


ଡିବା କିଛି କାମ କରି ଦେଇ ଆସି ମୋତେ କହିବ ଦେଖିଲେ ମାମ୍ "ହେଉଛି ତ ଠିକ୍ ଠାକ୍"। ମୁଁ ନିଃଶବ୍ଦେ ଆଙ୍ଗୁଠିରେ ଗୋଲ କରି ଠାରରେ କୁହେ 'କାଚ'। ସେ ପୁରା ଜୋଶରେ ଲାଗି ପଡେ କାମରେ।


ସରସ୍ୱତୀ ପୂଜାରେ ମୁଁ ମୋ ତରଫରୁ ଦଶମ ଶ୍ରେଣୀ ସମସ୍ତ ପିଲାମାନଙ୍କ ପାଇଁ ପେନ୍ ବସେଇଥିଲି। ବୋର୍ଡ ପରୀକ୍ଷାରେ ସମସ୍ତେ ଏଇ ପୂଜା ପେନ୍ ରେ ଲେଖିବେ। ଡିବା ପେନ୍ ଟି ସବୁବେଳେ ତା ଛାତି ପକେଟ୍ ରେ ଲଗାଇଥିବ। ଏବେ ସେ ସପ୍ତାହକୁ ଦୁଇ ତିନି ଦିନ ସ୍କୁଲ ଆସୁଛି। ଅନ୍ୟ ଦିନ ମାନଙ୍କରେ ନିଜ ଖର୍ଚ୍ଚ ପାଇଁ କେବେ ଟ୍ରାକ୍ଟରରେ ବାଲି,ଗୋଡି,ଇଟା,ସିମେଣ୍ଟ,କି ମାଟି ଲୋଡ଼

ଅନଲୋଡ଼ କରିବାକୁ ଯାଏ। ଭାରି କଷ୍ଟ ଲାଗେ ଡିବାର ଦୁଃଖ ଜାଣି। ଆହା କି କଅଁଳ ବୟସରେ ପେଟ କି ଦୁଃସହ କାର୍ଯ୍ୟ କରୁଛି। ଶିଶୁ ଶ୍ରମିକ ହେବା ମନା। ହେଲେ ଡିବା ପରି ପିଲା କାମ ନ କଲେ ବଞ୍ଚିବେ କିପରି? ଏ ପ୍ରଶ୍ନ ମୋତେ ବହୁତି ବିଚଳିତ କରେ। ଘଣ୍ଟାଏ ଦି ଘଣ୍ଟା କାମ କରିଦେଲେ ଦିନକୁ ଚାରିଶରୁ ପାଞ୍ଚ ଶହ ରୋଜଗାର କରିଦିଏ ଡିବା। ଭାରି କାମିକା। ଗୀତ ଗାଇବାରେ ବି ଏକ୍ସପର୍ଟ ସେ। ଏବର୍ଷ ସାଧାରଣ ତନ୍ତ୍ର ଦିବସ ଗୀତ ପ୍ରତି ଯୋଗୀତାରେ ସେ ଜିଲ୍ଲା ସ୍ତରକୁ ଉନ୍ନିତ ହୋଇଥିଲା ବି।


ସତରେ ଡିବା ଗୋଟିଏ ବଣ ମଲ୍ଲୀ। ବାସ ତ ଅଛି କିନ୍ତୁ ସେ ଫୁଟି ବାସିବାକୁ ନା ଅଛି ବଗିଚା ନା ଅଛନ୍ତି ମାଳୀ।

ସେଇ ଡିବା ମୋ ପଛରେ ଦୌଡୁଛି କାହିଁକି ସେ ସଅଁ ସଅଁ ହୋଇ କଥା କହି ପାରୁ ନଥାଏ। ପାଞ୍ଚ ପୁଟିଆ ଡେଙ୍ଗା ସର ସର ନହକା ଶ୍ୟାମଳ ରଙ୍ଗର କୈଶୋର ପାର ହୋଇ ଟିନ୍ ଏଜ୍ ରେ ପାଦ ଥାପିଥିବା ଡିବା କହିଲା ମାମ୍! ଟିକେ ରୁହନ୍ତୁ ମୁଁ ଆପଣଙ୍କୁ ଗୋଟେ ଜିନିଷ ଦେବି। ଜିନିଷ....!ସ୍କୁଲ ରେ ଦେଲୁନି।


ନା ସମସ୍ତ ଙ୍କ ଆଗରେ କଣ ଦେଇ ହେବ?


କେମିତିକା ଜିନିଷ କି ସମସ୍ତ ଆଗରେ ଦେଇ ହେବନି?


ସେ ତା ପ୍ୟାଣ୍ଟ ପକେଟ୍ ରୁ ଗୋଟିଏ ରକ୍ତ ଗୋଲାପ ବାହାର କରି ମୋ ହାତରେ ଗୁଞ୍ଜି ଦେଇ ହାପି ରୋଜ୍ ଡେ କହି ମାରିଲା ଗୋଟେ ଡିଆଁ।


ମୁଁ ଚକିତ ହୋଇ ଅନାଇଁ ଥିଲି ତା ଯିବା ବାଟକୁ? ଡିବା ମୋତେ ପ୍ରେମ କରୁଛି? ଟିକେ ହସ ଲାଗିଲା। କୋମଳ ଜିଜ୍ଞାସା ଡିବାର। ଆଦର ସ୍ନେହ ପାଇ ନ ଥିଲା। ଟିକେ ଆଦର ଦେଲି ତ ଢଳି ପଡିଲା।


ତାପର ଦିନ ସେ ସ୍କୁଲ ଆସି ମୋତେ ଲାଜୁଆ ଲାଜୁଆ ଚୋରା ଚାହାଣୀରେ ଚାହିଁଲା। ମୁଁ ତାକୁ ପାଖକୁ ଡାକିଲି। ସେ ଡରି ଡରି ଆସିଲା। କହିଲି ରିସେସ୍ ରେ କମନ୍ ରୁମ୍ ରେ ଦେଖା କରିବୁ। ସେ ମୁଣ୍ଡରେ ହାତ ମାରି ମାରି ହଁ କଲା।


ମୋ ଅପେକ୍ଷା ସେ ଅଧିକ ଅଧିର ଥିଲା ମୁଁ କଣ କହିବି ଶୁଣିବା ପାଇଁ।


ସେ କମନ୍ ରୁମ୍ ଦୁଆର ପାଖରେ ନାକେଇଁ ଥିଲା। ମୁଁ ଡାକିଲି ଶୁଣ୍।


ଆଛା କହତ କାଲି ମୋତେ ଗୋଟେ ରକ୍ତ ଗୋଲାପଟେ କାହିଁକି ଦେଲୁ?


ସେ ଲାଜ ଲାଜ ହୋଇ କହିଲା କାଲି ରୋଜ୍ ଡେ ଥିଲା।


ତୁ ଜାଣିଛୁ ରୋଜ୍ କାହାକୁ ଦିଅନ୍ତି?


ହଁ.....ଯାହାକୁ ଭଲ ପାଆନ୍ତି।


ଠିକ୍ ତ। ଏବେ କହ କିଏ କାହାକୁ ଭଲ ପାଆନ୍ତି,ମୁଁ ପଚାରିଲି।


ସେ ହଡ଼ ବଡେଇ ଥଙ୍ଗ ମଙ୍ଗ ହୋଇ କହିଲା ଯିଏ ଯାହାକୁ ଭଲ ଲାଗେ।


ଏକଦମ୍ ଠିକ୍। ମୁଁ ତାକୁ ପ୍ରୋତ୍ସାହିତ କଲା ପରି କହିଲି।


ମୁଁ ବି କାଲି ମୋ ମା,ବାବା,ଭାଇ,ଭଉଣୀ,ଜେଜେ ଓ ସାଙ୍ଗ ମାନଙ୍କୁ ରୋଜ୍ ଦେଇଛି। ମୁଁ ହସି ହସି କହିଲି। ଦେଖିଲି ତା ମଥାରେ ତିନୋଟି ଗାଁର ଆଶ୍ଚର୍ଯ୍ୟରେ ଆଙ୍କି ହୋଇ ଯାଇଛି। ତା ପିଠି ଥାପୁଡ଼ାଇ କହିଲି ମୁଁ ବି କାଲି ଭାବିଥିଲି ଗୁଡାଏ ରୋଜ୍ ଆଣି ଆମ ସ୍କୁଲ ପିଲାଙ୍କୁ ଦେବାକୁ। କିନ୍ତୁ ତିନି ଶହ ଗୋଲାପ ଫୁଲ ପାଇଲି ନାହିଁ। ସମସ୍ତଙ୍କୁ ନଦେଲେ କଣ ଭଲ ହେବ। ସେଇ ପାଇଁ ଆଣି ପାରିଲି ନାହିଁ। ତୁ ଜାଣିଛୁ ମୁଁ ମୋ ଛାତ୍ର ଛାତ୍ରୀ ମାନଙ୍କୁ ଖୁବ୍ ଭଲ ପାଏ। ସବୁଠାରୁ ଅଧିକ ତୋତେ। କରିବୁ ମୋତେ ତୋ ଦିଦି। ମାନିବୁ ମୋ କଥା! ଆଉ ତ ଆଠଟା ଦିନ ପରୀକ୍ଷା ରହିଲା। ପାସ୍ କରି ପାରିବୁ? ଯଦି ପାସ୍ କରିବୁ ମୁଁ କଥା ଦେଉଛି ତୋତେ କଲେଜରେ ପଢ଼ାଇବି। ତୁ ଦିବ୍ୟାଂଶୁ ବିଶ୍ୱାସ ରଖିବୁ ମୋ ବିଶ୍ୱାସ।


ସେ କାନ୍ଦି ପକାଇଲା। କହିଲା ଆପଣ ଆଗରୁ କାହିଁକି ଆସିଲେ ନାହିଁ ମୋ ଜୀବନରେ ମାମ୍। ପୁଣି ରକ୍ତ ଗୋଲାପ ଟେ ଆଣିଥିଲା। ମୋ ପାଦରେ ଥୋଇ ଭୁସ୍ କରି କମନ୍ ରୁମରୁ ବାହାରି ଗଲା।


ମୋ ଆଖିରେ ବି ଲୁହ ଆସି ଯାଇଥିଲା। ଭଗବାନ କରନ୍ତୁ ଡିବା ପାସ୍ କରୁ ,ମଣିଷ ହେଉ। ତା ରକ୍ତ ଗୋଲାପଟି ସଯତ୍ନେ ସାଉଁଟି ନେଇ ଗୋଟେ ଚୁମା ଦେଇ ପର୍ସରେ ସାଇତି ଦେଲି।


Rate this content
Log in

Similar oriya story from Abstract