ରଜ ଆସିଛି
ରଜ ଆସିଛି
ଶ୍ୟାମା ପ୍ରଧାନ, ବେସରକାରୀ ଚାକିରୀ, 24 ଘଣ୍ଟିଆ ଡିୟୁଟି କହିଲେ ଚଳେ। କାହିଁକିନା ବାବୁଙ୍କର ଘରୁ ଗୋଡ କାଢିଲେ ଗାଡି । ସହଜେତ ସେ ତାଙ୍କ ଡ୍ରାଇଭର୍ । ବର୍ଷ ଯାକରେ ବାରଟା ଦିନ ଛୁଟି ମିଳୁଥିବ କି ନାହିଁ, ସିଏ ପୁଣି କିଛି ଗୋଟେ ସ୍ବତନ୍ତ୍ର କାରଣ ପାଇଁ । ଆଉ ଆଜି ପୁଣି ରଜ ! ଚାରିଆଡେ କିଏ କେତେ ପିଠା ପଣା ଖାଇ ମଉଜ୍ ମଜଲିସ୍ କରୁଛନ୍ତି । ଆଉ ମୋତେ ବାବୁ କହିଲେ, ଶ୍ୟାମ ନେ ଏ ଶହେ ଟଙ୍କା, ଆଜି ରଜଟା, ଯା ଘରେ ପିଲାଛୁଆଙ୍କ ସାଥିରେ ମଜା କର୍ । ହଁ ସଂଧ୍ୟା ବେଳକୁ ଆସିବୁ, ଟିକେ ଗୋଦାମ ଘର ଆଡେ ବୁଲି ଆସିବା । ହୁଁ କଣ୍ ନା ମଜା କର୍, ମଜା କରିବି ତ ତମକୁ ଗୋଦାମ ଘରକୁ କିଏ ନେଇଯିବ ? ମନେ ମନେ ବିରକ୍ତ ହୋଇ ଭାଗ୍ୟକୁ ନିନ୍ଦୁଥିଲା ଯାହା । ଏତିକି ବେଳେ ଝିଅ ଆସି କହିଲା, ବାପା ବାପା ମୁଁ ପୋଡପିଠା ଖାଇବି, ମୋ ପାଇଁ ପୋଡପିଠା ଆଣନା ! କିରେ ତୋ ବୋଉକୁ ତ ପିଠା ଫିଠା କରି ଆସୁନି ଆଉ ତୁ ଖାଇବୁ କେମିତି ? ନାଇଁ ବାପା ତମ ମାଲିକଙ୍କ ଝିଅ ସୀମା ଦେଇ କହୁଥିଲେ, ତାଙ୍କ ମାଆଙ୍କୁ ବି ପୋଡପିଠା କରି ଆସେନି । ଆଉ ସେଇଥିପାଇଁ ତାଙ୍କ ବାପା, ହଁ କୋଉ ଗୋଟେ ପାନ୍ଥନିବାସରୁ କିଣିକି ଆଣିଲେ । ବାପା ବାପା ଆମର ବି ତମେ ପାନ୍ଥନିବାସରୁ ପୋଡପିଠା କିଣିକି ଆଣନା ! ମୋ ଝିଅ ପୂଜା କ୍ଳାସ୍ 5 ରେ ପଢେ, ଛୋଟ ପିଲା, କୁଆଡୁ ସେ ଜାଣିବ ତା ବାପା ପକେଟର ଓଜନ୍। କେମିତିକା ତାକୁ କହିବ ମା'ରେ ବାବୁଙ୍କ ସାଙ୍ଗରେ ମୁଁ ହିଁ ଯାଇ କାଲି ପାନ୍ଥନିବାସରୁ ପୋଡପିଠା କିଣି ଆଣିଥିଲି ବୋଲି । ଆଉ ତା କିଲୋ ପଚାଶ କି ଶହେ ନୁହେଁ ପୁରା ତିନିଶହ ପଚାଶ ଟଙ୍କା । ଆଉ ଆମ ପରିକା ଗରିବ ଲୋକଗୁଡା ତାକୁ ଖାଇବା ତ ଦୂର, ତାର ବାସ୍ନା ନେବାକୁ ଖାଲି ଅସମର୍ଥ ନୁହେଁ ଅଯୋଗ୍ୟ ମଧ୍ୟ ।
ଠିକ୍ ଏତିକି ବେଳେ ଶ୍ୟାମାର ମୋବାଇଲ ବାଜି ଉଠିଲା ହେଲୋ, ଆଜ୍ଞା ବାବୁ ! ଆରେ ଶ୍ୟାମ, ଟିକେ ଆସି ପାରିବ, ଆରେ କାଲି ପାନ୍ଥନିବାସରୁ ଯୋଉ ପୋଡପିଠା ଆଣି ନଥିଲେ, ସୀମା ଜିଦ୍ କରୁଛି ସେଥିରୁ ଆଉ ଦିଇଟା ଖାଇବାକୁ । ଟିକେ ଯାଇ ଆଉ ଦି କିଲୋ ଆଣିବତ । ବିଚରା ଶ୍ୟାମା ଝିଅ ମୁହଁକୁ ଚାହିଁ ଲୁହ ଗଡାଇବା ବ୍ୟତିତ ତା ପାଖରେ ଅନ୍ୟ ଉପାୟ କିଛି ନଥିଲା ।
