ବାପା ମାଆ'ଙ୍କ ଠାରୁ ବଳି କିଏ ହେବ
ବାପା ମାଆ'ଙ୍କ ଠାରୁ ବଳି କିଏ ହେବ
ସହରତଳି ଅଞ୍ଚଳରେ ଏକ ବୃଦ୍ଧ ଦମ୍ପତ୍ତି ତାଙ୍କର ଏକମାତ୍ର ପୁତ୍ରକୁ ମଣିଷ କରିବା ପାଇଁ ତାଙ୍କର ସର୍ବସ୍ୱ ତ୍ୟାଗି ନିଜର ପ୍ରତ୍ୟେକଟି ସୁଖ ସୁବିଧାକୁ ବଳି ପକାଇ ଆଦର ସହକାରେ ପୁଅକୁ ପାଠ ପଢାଇ ମଣିଷ କଲେ । କାଳକ୍ରମେ ପୁଅ ଚାକିରି କଲା ଏବଂ ଭଲ ଦି ପଇସା ମଧ୍ୟ ରୋଜଗାର କଲା । ବାପା ମାଆଙ୍କର ଖୁସି ଯେ କାହିଁରେ କଣ । କାଳକ୍ରମେ ସେମାନେ ପୁଅର ବିବାହ ମଧ୍ୟ କରିଦେଲେ । ବିବାହର ଦିନ କେଇଟା ପରେ, ପୁଅ ବୋହୁକୁ ନେଇ ଦୂର ସହରକୁ ଚାଲିଗଲା । ଚାଲିଗଲା ଯେ ଚାଲିଗଲା, ଏପରିକି ବୁଢା ବାପା ମାଆଙ୍କ କଥା ପୁରା ମନରୁ ପାସୋରି ଦେଲା ।
ଏଣେ ବୁଢା ବୁଢୀ ଖାଇବାକୁ ଟିକେ ନପାଇ ଦୁଃଖ ଓ ଅନାହାରରେ କାଳ କାଟିଲେ । ଏମିତି ଦିନେ ମା' ଖୁବ୍ ମନ ଦୁଃଖରେ ଠାକୁରଙ୍କୁ ଗୁହାରି କଲେ, ହେ ଠାକୁରେ ଆମେ ଦୁଇଜଣ ଯାକ ଆମ ଜୀବନରେ କେବେ କାହାର କିଛି ଅନିଷ୍ଟ କରିନାହୁଁ, କାହିଁକି ତୁମେ ଆମକୁ ଏତେ କଷ୍ଟ ଦେଉଛ ?
ଠାକୁରେ କିଛି ମାଗୁନି ମୁଁ ତୁମକୁ, କେବଳ ଏତିକି ମାଗୁଛି, ଆମ ଦୁହିଁଙ୍କ ମୁହଁରେ ମୁଠେ ଅନ୍ନର ବ୍ୟବସ୍ଥା କର, ନାହିଁ ତ ଆମ ବୁଢା ବୁଢୀ ଦୁହିଁଙ୍କ ଜୀବନ ନେଇଯାଅ, କାହିଁକି ବା ଆମେ ଆଉ ବଞ୍ଚିବୁ ?
ଲୀଳାମୟଙ୍କ ହୃଦୟ ତରଳିବାରେ ଲାଗିଲା ।ଆଉ ବୁଢା ବୁଢୀ ଦୁହିଁଙ୍କୁ ଶୂନ୍ୟ ବାଣୀ କଲେ, ଆଜିଠାରୁ ତୁମ ଦୁହିଁଙ୍କ ପେଟ ଅପୋଷା ରହିବନି କି କିଛି ଅସୁବିଧା ହେବନାହିଁ ।
ହେ ଠାକୁରେ କିନ୍ତୁ କେମିତି ?
ବୁଢା ବୁଢୀ ଦୁହିଁଙ୍କ ମୁହଁରେ ପ୍ରଶ୍ନ !
ମୁଁ ତୁମକୁ ଅଜସ୍ର ଧନ ପ୍ରଦାନ କରିବି ଆଉ, ତୁମେମାନେ ତା ସାହାଯ୍ୟରେ ତୁମମାନଙ୍କର ମନ ମୁତାବକ ଖାଦ୍ୟ ଖାଇ ପାରିବ ।
ଏହା ଶୁଣି ବୁଢା ବୁଢୀ ଦୁଇଜଣ ଯାକ ଏକ ସ୍ୱରରେ କହିଲେ, ଠାକୁରେ ଆମର ତ ଆଉ ଗୋଡ ହାତ ଚଳୁନି, ବୋହୁ ଥିଲା ବୋଲି ରାନ୍ଧି ବାଢି ଖାଇବାକୁ ଦେଉଥିଲା । ଆଉ ଏ ଟଙ୍କା ପଇସା ନେଇ ଆମେ କଣ କରିବୁ, ବରଂ ଆମ ପାଇଁ ଏପରି ଏକ ବ୍ୟବସ୍ଥା କର, ଯେପରି ଆମେ ଦୁଇ ଓଳି ଦୁଇ ମୁଠା ଖାଇ ଜୀବ ଥିବାଯାଏ ବଞ୍ଚି ପାରିବୁ ।
ଠାକୁର ଦ୍ୱନ୍ଦ୍ୱରେ ପଡିଗଲେ, ଚିନ୍ତା କଲେ କଣ୍ ତାହେଲେ କରାଯାଇ ପାରିବ ? ତତକ୍ଷଣାତ୍ ବୁଢା କହିଲା ଠାକୁରେ, ଆମକୁ ଏପରି ଏକ ଖାଦ୍ୟ ଥଳି ଦିଅ, ଆମେ ଦୁଇଜଣ ଯାକ ତା ଭିତରେ ହାତ ପୁରାଇ ଯେତେବେଳେ ଯାହା ଖାଦ୍ୟ ମାଗିବୁ, ଆମକୁ ସେ ସେହି ଖାଦ୍ୟ ଦେବ ।
ଟିକେ ଚିନ୍ତା କରି ଠାକୁର କହିଲେ, ଠିକ୍ ଅଛି ମୁଁ ଦେବି କିନ୍ତୁ ମୋର ଗୋଟେ ସର୍ତ୍ତ ରହିବ । ଆଉ ସର୍ତ୍ତ ଅନୁସାରେ ଖାଦ୍ୟ ଥଳିରୁ ତୁମେ ଦୁଇଜଣ ଯାକ ଦୁଇଜଣଙ୍କ ପାଇଁ ହାତ ପୁରାଇ ଖାଦ୍ୟ ଆଣି ଖାଇ ପାରିବ । ଆଉ ତୁମ ଦୁଇଜଣଙ୍କ ବ୍ୟତୀତ ଯଦି କେବେ ତୃତୀୟ ବ୍ୟକ୍ତିକୁ ତୁମେ ଏ ଖାଦ୍ୟଥଳିରୁ ଖାଦ୍ୟ ନେଇ ଖାଇବାକୁ ଦିଅ, ତାହାଲେ ପରବର୍ତ୍ତୀ ଅବସ୍ଥାରେ ସେ ଖାଦ୍ୟ ଥଳିରୁ ଖାଦ୍ୟ ଆଉ ବାହାରିବ ନାହିଁ । ବୁଢା ବୁଢୀ ଦୁହେଁ ଏକ ସ୍ୱରରେ ହଁ ମାରିଲେ । ଦୁଇଜଣ ଯାକ ମନ ଖୁସିରେ ଖାଦ୍ୟ ଥଳିରୁ ଖାଦ୍ୟ ଖାଇ ଆନନ୍ଦରେ କାଳ କାଟିଲେ ।
କିଛି ଦିନ ଅତିବାହିତ ପରେ, ହଠାତ୍ ଦିନେ ପୁଅ ବୋହୁ ଆସି ଘରେ ପହଞ୍ଚିଲେ, ବାପା ମାଆଙ୍କର ହାତ ଗୋଡ ଧରି, କରିଥିବା ଭୁଲ୍ ପାଇଁ କ୍ଷମା ମାଗିଲେ ଏବଂ ପୁଅ କହିଲା ବାପା, ମୋର ଚାକିରୀ ଚାଲିଯାଇଛି ଓ ବହୁତ ଚେଷ୍ଟା କଲାପରେ ମଧ୍ୟ ଚାକିରି ଖଣ୍ତେ ଯୋଗାଡ ହୋଇ ପାରିଲାନି, ତେଣୁ ଏଠାକୁ ଚାଲି ଆସିଲୁ ।
ଭୋକ ବିକଳରେ ପୁଅ କହିଲା ମା' ମୋତେ ବହୁତ ଜୋରରେ ଭୋକ, ଦୁଇ ଦିନ ହେବ ଆମେ କିଛି ଖାଇନୁ । କଣ୍ ଟିକେ ଅଛି କିଛି ଖାଇବାକୁ ଦେବ ?
ମାଆ ମନ, ସମ୍ଭାଳନ୍ତା ବା କିପରି ? ବାପା କିନ୍ତୁ କିଂକର୍ତ୍ତବ୍ୟବିମୂଢ ହୋଇ ଠାକୁରଙ୍କ ସର୍ତ୍ତ କଥା ଭାବୁଥାନ୍ତି । ମା' ତୁରନ୍ତ ଖାଦ୍ୟ ଥଳିରୁ ପୁଅ ବୋହୁଙ୍କ ପସନ୍ଦର ଖାଦ୍ୟମାନ ଆଣି ପରଷି ଦେଲେ । ଦୁଇଜଣ ଯାକ ବେଶ୍ ଆନନ୍ଦରେ ଖାଇବାରେ ଲାଗିଲେ । ପୁଅ ଖାଇସାରି ଖୁସିରେ କହିଲା ମାଆ' ଖିରିରୁ ଆଉ ଟିକେ ଦେବକି ! ବହୁତ ସୁସ୍ୱାଦୁ ହେଇଛି ।
ମା' ଅତି ସରାଗରେ ଧାଇଁଗଲେ ଖାଦ୍ୟ ଥଳି ନିକଟକୁ । ଆଉ ଯେତେବେଳେ ହାତ ପୁରାନ୍ତି ତ ଖାଦ୍ୟ ଆଉ ବାହାରିଲାନି । ବୁଢୀ ଆଶ୍ଚର୍ଯ୍ୟ ହେଇ ବୁଢା ମୁହଁକୁ ଅନେଇବାରୁ ବୁଢା କହିଲା, କେମିତି ଆଉ ବାହାରିବ, ତୁମେ କଣ ଠାକୁରଙ୍କ ସର୍ତ୍ତ ଭୁଲିଗଲ ? ଏ କଥା ଶୁଣି ପୁଅ, ଠାକୁର ଆଉ ପୁଣି ଠାକୁରଙ୍କ ସର୍ତ୍ତ ! କଣ ବୋଲି ପଚାରିଲା । ବାପା ମାଆଙ୍କ ଠାରୁ ସବୁ କଥା ଶୁଣି ସାରି ଆଖିରୁ ତାର ଧାର ଧାର ଲୁହ ବୋହିଗଲା, ଆଉ ଚିନ୍ତା କଲା ସତରେ ବାପା ମାଆଙ୍କ ଠାରୁ ବଳି ଆଉ କିଏ ହେବ........
