STORYMIRROR

Amitav Pattanaik

Others

3  

Amitav Pattanaik

Others

ସ୍ବାଦଖିଆ

ସ୍ବାଦଖିଆ

3 mins
189

ସମ୍ଭ୍ରାନ୍ତ ବଂଶର ହେଲେ କଣ ହେବ, ବାର ଦୁଆର ଶୁଣ୍ଡି ପିଣ୍ଡା ହେଇ ହେଇ ଛୋଟ କମ୍ପାନୀରେ ଛୋଟ ଚାକିରିଟିଏ ଭଲ ମଣିଷ କଲା ଯେ, ଘରଲୋକ ହାତକୁ ଦିହାତ କରିଦେଲେ । ଛୋଟ ଚାକିରିର ଛୋଟ ଦରମାରେ ରାଜଧାନୀରେ ଚଳିବା ଯେ କେତେ କଷ୍ଟ, ସେ କଥା ଅଙ୍ଗେ ନିଭେଇ ଥିବା ଲୋକ ହିଁ ଜାଣିଛି ।


ଘରମାଲିକଙ୍କର ଘର ତିଆରି ବେଳେ ଆଉଟ୍ ହାଉସ୍ ହୋଇଥିବା ବଖରାଏ ଘର ଆଉ ବାରଣ୍ଡାରେ ଯାହା ବିତୁଛି ଜୀବନ । ସେଥିରେ ପୁଣି ମା'ଙ୍କର ତାଗିଦ୍, ମୋ ବଂଶରେ ପ୍ରଥମ କରି ମୋର ନାତି କି ନାତୁଣି ଆସିବ ଆଉ ମୋ ବୋହୁର ସ୍ୱାଦଖିଆ ଉତ୍ସବ ପାଳନ ହେବନି !


ଆରେ ମାଆ ତୁମେ ବୁଝୁନ କାହିଁକି ? ଏଠି ଘର ମାଲିକ ଅଛନ୍ତି, ଆଉ ମୁଁ ପୁଣି ତାଙ୍କ କ୍ୟାମ୍ପସରେ ବଖରାଏ ଘରେ ରହୁଛି ଆଉ ଏସବୁ ଉତ୍ସବ କରି ଘର ଗହଳି କଲେ ମାଲିକ ରାଗିବେନି ? ମାଆ କିନ୍ତୁ ନାରାଜ୍ । କଣ ହେଲା ଆମେ କଣ ତାଙ୍କ ଘରେ ମାଗଣାରେ ଅଛୁ କି, ତାଛଡା ଆମେ କୋଉ ଛୋଟଲୋକ ଘରର କି ? ତୋ ବାପା ଥିଲାବେଳେ ଚୌଧୁରୀ ଘରର ବାରଣ୍ଡା ଚଢିବାକୁ କେହି ସାହାସ କରନ୍ତିନି, କଣ ତୁ କହୁଛୁ ?


ମା' ମୋର ପୁରୁଣାକାଳିଆ ଲୋକ । ସମ୍ଭ୍ରାନ୍ତ ବଂଶର ତଥା ନାମକରା ଚୌଧୁରୀ ବଂଶର ବୋହୁ । ଚାକର ବାକର ହାକିମ୍ ଆଦବ କାଇଦାରେ ବଢିଛନ୍ତି ସେ । କିନ୍ତୁ ସେ ବେଳର ସମୟ ଆଉ ଆଜି ନାହିଁ । ମୁଁ ସିନା ସରକାରଙ୍କର ସ୍ଥାନ ସଂରକ୍ଷଣ ରୀତିରେ ବଳି ପଡି ଘାସକୁ ମୋଟ ଆଉ ପାଳଠୁ ଛୋଟ ହୋଇଗଲି । ସେ ଯାହାହେଉ ମା'ଙ୍କୁ ସନ୍ତୁଷ୍ଟ କରିବାକୁ ବାଧ୍ୟ ହୋଇ ହଁ କଲି । ମା' ମୋ ପାଖରେ ଆସି ପହଞ୍ଚିଲେ ଏବଂ ସ୍ୱାଦଖିଆ ଉତ୍ସବର ପ୍ରସ୍ତୁତିରେ ଲାଗିପଡିଲେ ।


ଭଉଣୀ ଭିଣୋଇ, ବନ୍ଧୁ ବାନ୍ଧବ ଆସିବାରେ ଲାଗିଲେ ଏବଂ ତା ସାଙ୍ଗକୁ ସ୍ୱାଦଖିଆ ପାଇଁ ସାତ ମାଇପିଙ୍କ ବ୍ୟବସ୍ଥା ପାଇଁ ମା'ଙ୍କର ତାଗିଦ୍ । ଘର ଉତ୍ସବ ମୁଖର ହୋଇଉଠିଲା । ଇଆଡେ ଘର ଭିତରେ ଉତ୍ସବର ମାହୋଲ ଆଉ ସିଆଡେ ଘର ମାଲିକଙ୍କର ତାଗିଦର ଭୟ ତା ସାଙ୍ଗକୁ ଅଧିକ ଟଙ୍କା ପଇସା ଖର୍ଚ୍ଚର ଭୟ । ଭୟ ଓ ଆଶଙ୍କା ଭିତରେ ହଠାତ୍ ଗୋଟେ ଦୁର୍ଘଟଣା ଘଟିଗଲା । କଣ ହେଇଛି ବୁଝିଲା ବେଳକୁ କଣ ନା ମୋ ଭଣଜା ମାଲିକଙ୍କ ନାତିକୁ ଜୋରରେ ଠେଲି ଦେଇଛି ଆଉ ତାର ହାତ ଭାଙ୍ଗି ଯାଇଛି । ଆଉ ତାପରେ ଘର ମାଲିକଙ୍କର ରାଗ ଦେଖେ କିଏ ? ରାଗ ତ ନୁହଁ ସତେ ଯେମିତି ନିଆଁ ବର୍ଷୁଛି । ଭଣଜା ମୋର ଷ୍ଟାଣ୍ଡାର୍ଡ 7 ରେ ପଢେ ଏବଂ ଅସାଧ୍ୟ ବାଳୁଙ୍ଗା ସେ । ଚାଲିଲା ଶଗଡରେ ହାତ ମାରିଦେବା ପିଲା । ମାଲିକଙ୍କର ନାତି ଷ୍ଟାଣ୍ଡାର୍ଡ 5 ରେ ପଢେ । ଖେଳରେ ଖେଳରେ ରଗାରଗି ହୋଇ ଏସବୁ ଘଟଣା ।


ରାଗ ଗରଗର ହୋଇ ତତକ୍ଷଣାତ୍ ନାତିକୁ ତାଙ୍କର, ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଇଗଲେ । ଏଗୁଡାକ ହସ୍ପିଟାଲ୍ ତ ନୁହଁ ଗୋଟେ ଗୋଟେ କସେଂଇଖାନା । ସାମାନ୍ୟ ହାତ ଟିକେ କଣ ଭାଙ୍ଗିଗଲା ଯେ, ଲକ୍ଷେ ବାରହଜାର ଖର୍ଚ୍ଚ । ଘର ମାଲିକଙ୍କର ତ ଅଭାବ କିଛି ନାହିଁ ତେଣୁ ସେ ତୁରନ୍ତ ନାତିର ସମସ୍ତ ଚିକିତ୍ସାର ବ୍ୟବସ୍ଥା କରିଦେଲେ । ନହେଲେ ଆମ ଭଳିଆ ଗରିବ ଗୁରୁବାଙ୍କର ସେ ହସ୍ପିଟାଲରେ ସେବା ପାଇବା ତ ଦୂରର କଥା ତାର ଉଚ୍ଚତାକୁ ବି ଆଖି ପାଇବନି ।


ଘରମାଲିକଙ୍କର ତାଗିଦ୍ : ଦେଖ ବାବୁ ଅନୁରାଗ୍ ତମେ ଏଠି ଗୋଟେ ଭଲ ପାଲା ମୋ ଘରେ ଚଲେଇଲ ଯେ, ଯାହା ତ ମୋ ନାତି କଷ୍ଟ ପାଇଲା ପାଇଲା ତା ସାଙ୍ଗକୁ ମୋ ପରିବାରର ମାନସିକ କଷ୍ଟ ଆଉ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ । ସେ ସବୁକୁ ତ ତମେ ଭରଣା କରିପାରିବନି, କମ୍ ସେ କମ୍ ମୋର ହସ୍ପିଟାଲରେ ଖର୍ଚ୍ଚ ହୋଇଥିବା ଟଙ୍କାତକ ତୁମକୁ ପରିଶୋଧ କରିବାକୁ ପଡିବ । ତତକ୍ଷଣାତ୍ ମୋ ମୁଣ୍ଡରେ ଏକ ଶକ୍ତ ବଜ୍ର ପଡିଗଲା । ଯାହାହେଉ ବହୁତ୍ କାକୁତି ମିନତି ହେଲାପରେ ଘରମାଲିକ, ମାସକୁ ମାସ କିସ୍ତି ଆକାରରେ ସମସ୍ତ ଟଙ୍କା ଗ୍ରହଣ କରିବାକୁ ରାଜି ହେଲେ । ଆଉ ସେତେବେଳେ ମୋ ମା'ଙ୍କର ସ୍ୱାଦଖିଆ ପର୍ବର ସ୍ୱାଦ ବେଶ୍ ବାରି ହୋଇ ପଡୁଥିଲା......



Rate this content
Log in