ଛାଡ଼ପତ୍ର
ଛାଡ଼ପତ୍ର
ଦୀର୍ଘ ବର୍ଷେ କାଳ କୋର୍ଟ ଏବଂ ଓକିଲଙ୍କ ଦୁଆରେ ଚକ୍କର କାଟିବା ପରେ ଆମର ବିବାହ ବିଚ୍ଛେଦ ଅନୁମତି ମିଳିଗଲା ଆଉ ମୁଁ ଅର୍ଡର୍ କପି ଟା ଧରି କୋର୍ଟରୁ ବାହାରି ସାମ୍ନାରେ ଥିବା ସେ ଚାହା ଦୋକାନର ଲମ୍ବା ବେଞ୍ଚ ଟା ରେ ଲଥ କିନା ବସି ପଡ଼ିଲି ।
ଆଉ ଠିକ୍ ସେତିକି ବେଳେ ମୋତେ ଛାଡ଼ପତ୍ର ଦେଇଥିବା ମୋର ପ୍ରାଣର ପତ୍ନୀ ଆସି ମୋ ପାଖରେ ସେଇ ବେଞ୍ଚ ଉପରେ ବସି ପଡ଼ିଲେ ଆଉ ସିଏ ମୋତେ ନ ପଚାରି ଚାହା ଦୋକାନୀଙ୍କୁ ଦୁଇଟା କଡା ଚାହା ଅଦା ପକାଇ ତିଆରି କରିବାକୁ କହିଲେ । ସେ ଜାଣିଥିଲେ ମୋର ଅଦା ପକା କଡା ଚାହା ପ୍ରତି କେତେ ଦୁର୍ବଳତା!
କେମିତି କେଜାଣି କିଛି ସମୟ ପରେ ମୁଁ ଘୁଞ୍ଚି ଯାଇ ତାଙ୍କୁ ଲାଗିକି ବସିଲି ।
କିଛି ସମୟ ଏମିତି ନୀରବ ରହିବା ପରେ, ମୁଁ ମୋ ମେଡ଼ିସିନ ରେଗୁଲାର ଖାଉଛି କି ନାହିଁ' ସେ ପଚାରିଲେ ।
ନିରବତା ଭାଙ୍ଗି କହିଲି, ଡାକ୍ତର କହିଛନ୍ତି ମୋ ପାଖରେ ଅତି ବେଶିରେ ଆଉ ବର୍ଷେ ସମୟ ରହିଛି । ଆସନ୍ତା ସପ୍ତାହରୁ ବୋଧେ କେମୋ ନେବା ଆରମ୍ଭ ହେବ ବୋଲି କହିଛନ୍ତି । କୋର୍ଟଙ୍କ ଆଦେଶ ଅନୁଯାୟୀ ତୁମକୁ ଆଠ ଲକ୍ଷ ଟଙ୍କା ଦେବାକୁ ପଡିବ। ତାହା ଏବେ ମୋ ପାଖରେ ନାହିଁ । ତୁମେ ମୋ ନାଆଁ ରେ ଥିବା ସେ ନୂଆ ଫ୍ଲାଟ୍ ଟା ନେଇଯାଅ । ସୁନା ଅଳଙ୍କାର ଯାହା ମୋର ଅଛି, ତୁମେ ନେଇଯାଅ । ଆଗକୁ ପୁଅର ପାଠ ପଢା ପାଇଁ କାମରେ ଆସିବ। ମୋ ଘରଟା ବି ତୁମ ନାଆଁରେ କରିଦେବି, ଯାହା ମୁଁ ଗଲାପରେ ତୁମେ ପାଇବ।
ଏକା ଥରକରେ ମୁଁ ଏତେ କଥା କହିଗଲା ପରେ ସେ କହିଲେ... ଚୁପ୍ ....! ତୁମେ ଯଦି ଆଉ ପଦେ ବି କହିବ, ମୁଁ ତୁମକୁ ଜମା ଛାଡ଼ିକି ଯିବିନି । ତୁମେ କଣ ଭାବୁଛ ସବୁ ତୁମ ମନ ମୁତାବକ ହେବ ଆଉ... ଆଉ କିଛି କହି ନପାରି ସେ ଜୋର୍ ଜୋର୍ କି କାନ୍ଦିବାକୁ ଲାଗିଲେ….।
ତାଙ୍କ ଆଖିରେ ଏତେ ଲୁହ ଦେଖି ମୁଁ ବି କାନ୍ଦିବାକୁ ଲାଗିଲି । କାନ୍ଦି କାନ୍ଦି କହିଲି "ପ୍ଲିଜ୍ ମୋତେ ତୁମେ ଛାଡିକି ଚାଲିଯାଅ ନାହିଁ । ମୁଁ ଏତେ ଶୀଘ୍ର ମରିବାକୁ ଚାହୁଁ ନାହିଁ ।"
ମୋ ଲୁହ ଭିଜା କରୁଣ ମୁହିଁ ଦେଖି ସେ ସହି ପାରିଲେ ନାହିଁ ଆଉ ଜୋରରେ କୋହ ଉଠାଇ କାନ୍ଦି କାନ୍ଦି ମୋତେ ଖୁବ୍ ଜୋର୍ ରେ ଆଲିଙ୍ଗନ କରି ଗେଲ କରି ଚାଲିଲେ ଆଉ ସେତେବେଳକୁ ଉଭୟଙ୍କ ହାତରେ ଥିବା ସେ କୋର୍ଟ ର ଛାଡ଼ପତ୍ର ଅର୍ଡର ଟା ପୁରା ଭିଜି ସାରିଥିଲା..।
