The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Bismita Sahoo

Thriller Abstract

4.8  

Bismita Sahoo

Thriller Abstract

ରିମା ଓ ବୁଢିଆଣି

ରିମା ଓ ବୁଢିଆଣି

5 mins
853


ଘର କାନ୍ଥର ଏକ କୋଣରେ ବୁଢିଆଣୀଟିଏ ଜାଲ ବୁଣୁଛି । ଧୀରେ ଧୀରେ ଜାଲଟିର ପରିସୀମା ବୃଦ୍ଧି ପାଉଛି । ବିଦ୍ୟୁତ ଆଲୋକରେ ଜାଲଟି ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି । ଗୋଡ଼ ଲମ୍ବେଇ ଖାଦ୍ୟର ସନ୍ଧାନରେ ଜଗି ବସିଛି ବୁଢିଆଣୀଟି । କେତେବେଳେ କୀଟ ଟିଏ ଆସିବ ଓ ତାର ଏ ସୁନ୍ଦର ମନଲୋଭା ଫାସରେ ଫସିବ । ମନେମନେ ଖୁସିରେ କୁରୁଳି ଉଠୁଛି ସେ ।

ନୀଳ ରଙ୍ଗର ମାଛିଟି ସେତେବେଳୁ ଫଡ଼ ଫଡ଼ ହେଇ ଘର ଭିତରେ ଉଡ଼ି ବୁଲୁଛି । ଟିକି ଟିକି ଡେଣା ତାର ଅବଶ ହେଇ ଉଠିଲାଣି । ନା ଆଉ ଉଡ଼ି ପାରୁନି ସେ । ତାକୁ ଏଥର ଆରାମ ଦରକାର । ଶରୀର ବି ମନର ବୋଲ ମାନୁନି । ତାର ନଜର ପଡ଼ିଲା ବୁଢିଆଣୀର ଜାଲ ଉପରେ । କି ସୁନ୍ଦର ସତେ! ପୁରା ରାଜମହଲ । ଟିକିଏ ଆରାମ କରିନେବ ଏ ରାଜପ୍ରାସାଦରେ । ତା ପରେ ପୁଣି ଖୁସିରେ ଉଡ଼ି ବୁଲିବ ଏପାଖରୁ ସେପାଖ । ସାରା ଘରଟିକୁ କବଜା କରିନେବ ।

ଏହେ-- ହେ କଣ କରୁଛୁ ମୂର୍ଖ? ବୋକାଟା କି, ଜାଣିପାରୁନୁ? ତୋ ପାଇଁ ସେ ରାଜମହଲ ନୁହେଁ । ମାୟାମହଲ । ଥରେ ଯଦି ତା ଭିତରେ ପଡ଼ିଯିବୁ, ଯେତେ ଛାଟିପିଟି କି ଛେଚି ବାଡେଇ ହେଲେବି ଆଉ ବାହାରି ପାରିବୁନି । ତୋ ଶରୀରକୁ ମୋଡ଼ି, ଭାଙ୍ଗିରୁଜି ତୋତେ ଗୁଣ୍ଡ କରି ଖାଇଦେଵ ଏଇ ରାକ୍ଷସୀ ବୁଢିଆଣୀ ।

ଯା’…ଉଡ଼ି ଯା’...ଯା’… ପଳେଇ ଯା’…ବସନା ଏଠି । ମୋ ସୁନାଟା ପରା ।

- ମା’, ନିଜ ସହିତ ବାୟାଣୀଙ୍କ ପରି କ’ଣ କଥା ହେଉଛ?

ପ୍ରକୃତିସ୍ଥ ହେଲା ରିମା । ଆରେ ଏ କ’ଣ? ସେ ପୁରା ମାଛି ଓ ବୁଢିଆଣୀ ଭିତରେ ଏମିତି ବୁଡି ଯାଇଥିଲା ଯେ ନିଜ ସଂସାରକୁ ବି ଭୁଲି ଯାଇଛି । ଏଇଟା ତାର ପାଗେଳାମୀ ନୁହେଁ ତ ଆଉ କ’ଣ?

- ମା’ ଜଲଦି ହଜାରେ ଟଙ୍କା ଦେଲ । କଲେଜ ଯିବି ।

ପୁଅ ସାଇକୃପା କହିଲା ।

- ଆରେ, ଏବେ ପରା ୫୦୦ଟଙ୍କା ନେଇଥିଲୁ । କହିଲୁ କଲେଜରୁ ପିକନିକ ଯାଉଛୁ । ପୁଣି ଏ ଟଙ୍କା କଣ କରିବୁ?

- ଅଯଥାରେ ବକବକ ହେଲେ ତୁମ ପାଟି କାଟେନା କି? ଆରେ କେତେଥର କହିଛି ସେଇଟା ଡିପାର୍ଟମେଣ୍ଟ ପିକନିକ ଥିଲା । ଏଇଟା ପୁରା କଲେଜ ତରଫରୁ । ହଁ କହିଦେଉଛି, ଆର ମାସରେ ସାହି ପିଲାମାନେ ମିଶି ପିକନିକ ଯିବୁ । ସେତେବେଳେ ଆଉ ପଇସା ଦେବାକୁ ମୁଣ୍ଡ ଖାଇବନି ।

ରିମା ଯନ୍ତ୍ରଚାଳିତ ମନୁଷ୍ୟ ପରି ପର୍ସ ରୁ ଟଙ୍କା ବାହାର କରି ପୁଅ ହାତକୁ ବଢ଼େଇ ଦେଲା । ପୁଅ ତାର ଝଡ଼ ପରି ଯେଉଁ ବେଗରେ ଆସିଥିଲା ସେହି ବେଗରେ ଆଖି ଉହାଡ଼ରୁ ଅଦୃଶ୍ୟ ହେଇଗଲା ।

ଇଏ କ’ଣ ସେହି ରିମା । ଯିଏ କଲେଜରେ ପଢ଼ିଲା ବେଳେ ଅନ୍ୟାୟର ଦୃଢ଼ ପ୍ରତିବାଦ କରୁଥିଲା? ପିଲାଟେ କମେଣ୍ଟ ମାରିଥିଲା ବୋଲି ଚପଲ ଖୋଲି ସର୍ବ ସମ୍ମୁଖରେ ତାକୁ ମାରିବା ସହ ପୋଲିସରେ ବି ଅଭିଯୋଗ କରିଥିଲା । ବିଚାରି ସେ ପୁଅର ମା’ କେତେ ନେହୁରା ହେଇଥିଲା ତା ପୁଅ ନାଁରେ କରିଥିବା ଅଭିଯୋଗକୁ ଫେରାଇ ନେବା ପାଇଁ । ସେ କିନ୍ତୁ ନିଷ୍ପତ୍ତି ନେଇଥିଲା ଦୋଷୀକୁ ଦଣ୍ଡ ଦେବ । ଆଶ୍ଚର୍ଯ୍ୟ ବି ହେଇଥିଲା ମା’ ମାନେ କିପରି ନିଜ ଦୋଷୀ ପୁଅକୁ ପଣତ ଉହାଡରେ ଲୁଚେଇ ରଖିବାକୁ ଚେଷ୍ଟା କରନ୍ତି ।

ସତରେ ମା ହେଲେ କଣ ସମସ୍ତେ ଏପରି ବଦଳି ଯାଆନ୍ତି ? ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହେଉଥିବା ଆଖିରୁ କ’ଣ ମମତା ଉଦ୍ଗିରଣ ହୁଏ? ଶରୀରର ପ୍ରତ୍ୟେକଟି ଲୋମକୂପରେ ଭରିଯାଏ ବାତ୍ସଲ୍ୟ ଭାବ । ଏସବୁ ସନ୍ତାନ ପ୍ରତି ଭଲ ପାଇବା ନା ଆସକ୍ତି?

କୁଆଡ଼େ ଗଲା ସେ ଚଣ୍ଡୀ ରିମା? ଯିଏ ଟିକିଏ ବି ଅନ୍ୟାୟ ବରଦାସ୍ତ କରି ପାରୁନଥିଲା ? ଏଇ ରିମା ତ ପୂର୍ବ ରିମାର ପ୍ରତିକୃତି ମାତ୍ର । ପ୍ରିନ୍ସିପାଲଙ୍କ ପାଖରୁ କେତେଥର ଫେରାଦ ଆସିଛି ପୁଅ ନାଁରେ । କଲେଜରେ ଆଜି କାହା ସହ ଝଗଡ଼ା କଲାଣି ତ କେତେବେଳେ କୋଉ ଝିଅର ଓଢଣୀ ଟାଣିଲାଣି । ସ୍ୱାମୀଙ୍କୁ କିଛି ନ କହି ଲୁଚି ଲୁଚି କଲେଜ ଯାଇ ପ୍ରିନ୍ସିପାଲଙ୍କୁ ପୁଅର ବ୍ୟବହାର ପାଇଁ କ୍ଷମା ମାଗିଛି, ଅନେକଥର ଅନୁରୋଧ ବି କରିଛି ପୁଅ ବିରୁଦ୍ଧରେ କିଛି ପଦକ୍ଷେପ ନ ନେବା ପାଇଁ । ପୁଅର କୃତକର୍ମ ପାଇଁ କ୍ଷମା ମାଗିଥିଲେ ମଧ୍ୟ ପୁଅ ତାର ଓଲଟା ଜବାବ ଦିଏ । କୁହେ ସେ କୁଆଡ଼େ ପ୍ରିନ୍ସିପାଲଙ୍କୁ କ୍ଷମା ମାଗି ପୁଅର ସବୁ ପ୍ରେଷ୍ଟିଜ ତଳେ ପକେଇ ଦେଲା ।

କିଏ କାହାର ମାନ ସମ୍ମାନ ତଳେ ପକେଇଲା? ସୁମି ନିଜକୁ ପ୍ରଶ୍ନ ପଚାରୁଥିଲା । ବାହାଘରର ପାଞ୍ଚ ବର୍ଷ ଯାଏଁ କୋଳକୁ ଛୁଆଟିଏ ଆସିଲାନି ବୋଲି କେତେ ଦିଅଁ ଦେବତା ପୂଜା କରିଛି । କେତେ ଓଷା ବ୍ରତ କରିଛି । ଯିଏ ଯାହା କହିଲା ତାହା ମାନିଛି । ଔଷଧ ଚେରମୂଳି ଖାଇଛି । ଏପରିକି ଛୁଆ ଆଶାରେ ଅସମ୍ଭବ କଥା ଗୁଡ଼ିକୁ ବିନା ପ୍ରତିବାଦରେ ମାନିଛି । ପ୍ରତିଦିନ ସକାଳୁ ଗାଧେଇ ପାଧେଇ ବର ଓସ୍ତ ଗଛ ମୂଳେ ପାଣିଦେଇଛି । ସନ୍ତାନ ଆଶାରେ ତା ମାଉସୀ ଶାଶୁ ତାକୁ ଜଣେ ବୈଦ୍ୟଙ୍କ ପାଖକୁ ନେଇଥିଲେ । ସେ ଜୀଅନ୍ତା ଛୋଟ ମାଛ ଗୋଟା  ଗିଳିବାକୁ ଦେଇଥିଲେ, ସେ ତାକୁ କରିବାକୁ ବି ପଶ୍ଚାଦପଦ ହେଇନଥିଲା । ବହୁ ପୂଜା ଉପାସନା ପରେ ତା କୋଳ ପୂର୍ଣ୍ଣ ହେଇଥିଲା ବୋଲି ପୁଅ ନାଁ ଦେଇଥିଲା ସାଇକୃପା ।

ତା ସାଇ ଜନ୍ମ ହେବା ପରେ ତାକୁ ଲାଗିଥିଲା ତା ନାରୀ ଜନ୍ମ ସାର୍ଥକ ହେଲା, କିନ୍ତୁ ସାଇ ଛୋଟ ବେଳୁ ଥିଲା ବଦରାଗୀ । ଭୋକ ଲାଗିଲେ କି ଖାଇବା ଦେବାରେ ଡେରି କଲେ ପଛପଟୁ ଆସି ତା ପିଠିରେ ଦୁମଦୁମ କରି ବିଧା ମାରିବ ନଚେତ ତା ଚୁଟି ଟାଣି ଚଟକଣି ମାରିବ । ହେଲେ ସେ ନ ରାଗି ମୋ ସୁନାଟା ପରା ଖାଇବା ଦେଉଛି କହି କୋଳେଇ ନେଲେ ତା’ ରାଗ ଶାନ୍ତ ହେଇଯାଏ । ସାଇ ବି ସରି ମମି ସରି । ମୁଁ ଆଉ ଦୁଷ୍ଟ ହେବିନି କି ତୁମ ଉପରକୁ ହାତ ଉଠେଇବିନି । ଆଇ ଲଭ ୟୁ ମମି କହି ତା କାନ୍ଧରେ ଖୁସିରେ ଓହଳି ଯାଏ ।

ସେଇ ପୁଅର ଏପରି ବିରାଟ ପରିବର୍ତ୍ତନ କିପରି ହେଲା? ସରି କହିବା ତ ଦୂରର କଥା ଭୁଲ କାମ କଲେ ବି ମାନିବାକୁ ନାରାଜ । ପ୍ରତିଟି କଥାରେ ଚିଲ୍ଲେଇବା, ରାଗି ଖାଇବା ଥାଳି ଫୋଫାଡ଼ି ଦେବା ଏସବୁ ସାଧାରଣ କଥା । ସାଇକୁ କ’ଣ ତା ମମି ଆଖିର ଲୁହ ଦେଖା ଯାଉନି ? ପୁଅର ବ୍ୟବହାରରେ ଅତିଷ୍ଠ ହେଇ ତା ବାପା ବି ତା ସହିତ କଥା ହେବା ବନ୍ଦ କରିଦେଲେଣି । ଅତି ଜରୁରୀ ଥିଲେ ହିଁ ବାପ- ପୁଅ କଥା ହୁଅନ୍ତି । ସେ ସିନା ବାପା , ପୁଅ ସହିତ କଥା ନହେଇ ରହିଯିବେ? ହେଲେ ସୁମି ପରା ମା । ଛୁଆକୁ ଅନ୍ତଫାଡ଼ି ଜନ୍ମ ଦେଇଛି । ପିଲାଦିନୁ ତା ଅଳି ଅର୍ଦ୍ଦଳି ସହିଛି । ସେ କେବେ ବି ନିଜ ପୁଅ ପ୍ରତି ନିଷ୍ଠୁର ହେଇ ପାରିବନି ।

ଯେଉଁ ଠାକୁର କୃପା କରି ତା ଖାଲି କୋଳ ପୂର୍ଣ୍ଣ କରିଥିଲେ ସେଇ ପ୍ରଭୁ କଣ ତା ପୁଅର ରୁକ୍ଷ ବ୍ୟବହାରକୁ ସୁଧାରି ଦେବେନି? ତା ପୁଅ ଦିନେ ନା ଦିନେ ତା ଭୁଲ ବୁଝିବ । ସେ ନିଶ୍ଚୟ ସୁଧୁରିଯିବ । ଏପରି ଭାବିବା କଣ ତାର ଭୁଲ? ନିଜର ଆଗ୍ରହ, ଅନାଗ୍ରହକୁ ପାଦରେ ଠେଲି ଦେଇ ପୁଅର ପ୍ରତ୍ୟେକଟି ଇଚ୍ଛାକୁ ସେ ପୂରଣ କରିବାରେ ଲାଗିଛି । ଏଥିରେ ତାର ଭୁଲ କେଉଁଠି? ମା ହିସାବରେ ତାର ପୁଅ ଖୁସି ଭିତରେ ନିଜର ଖୁସି ଖୋଜିବାଟା କଣ ଭୁଲ?

ଆରେ ଆରେ ଏ କଣ ହେଲା? ନୀଳମାଛିଟି ଜାଲରେ ଛନ୍ଦି ହେଇ ଛଟପଟ ହେଉଛି । ସେ ନିରୀହ ମାଛିଟି ଜାଲରୁ ବାହାରିବା ପାଇଁ ଅନେକ ଫନ୍ଦି ଫିକର କରୁଛି କିନ୍ତୁ ବେଳକୁବେଳ ବେଶୀ ତା ଭିତରେ ଫସି ଯାଉଛି । ରିମାର ନିଃଶ୍ୱାସ ରୁନ୍ଧି ହେଇଗଲା । ତା ହୃତସ୍ପନ୍ଦନ କମିଗଲା ପରି ତାକୁ ହୃଦବୋଧ ହେଲା । ଓଃ କି କଷ୍ଟ! ସୁମି ନିଜର ଆତ୍ମସମୀକ୍ଷା କରୁଥିଲା ।

ପୁଅର ହାତରେ ରାଜମହଲ ଦେବାକୁ ଯାଇ ସେ ନିଜେ ପୁଅକୁ ମାୟାମହଲକୁ ଠେଲି ଦେଉନି ତ? ଆଜି ଯଦି ସାଇ ବଡମାନଙ୍କୁ ସମ୍ମାନ ଦେବା ଜାଣିଲାନି କି ଛୋଟ ଛୋଟ କଥାରେ ଉତ୍ତ୍ୟକ୍ତ ହେଇଯାଉଛି ଏହା ସୁମିର ମାତ୍ରାଧିକ ଭଲ ପାଇବାର ପରିଣାମ ନୁହେଁ ତ? ତା ପାଇଁ ତା ପୁଅ ଏପରି ଅବାଟରେ ଯାଉନି ତ? ପିଲାଦିନେ ଯେତେବେଳେ ଭୋକ ବିକଳରେ ତା ପୁଅ ତା ଉପରକୁ ହାତ ଉଠାଉଥିଲା, ରାଗିଲେ ଖାଇବା ଫୋପାଡୁଥିଲା ଯଦି ସେ ଆକଟ କରି ତା ଗାଲକୁ ଧୀରେ ଚଟକଣି ଟିଏ ଦେଇଥାନ୍ତା ତେବେ ପୁଅ କଣ ଆଜି କଥା କଥାକେ ଜବାବ ଦେଉଥାନ୍ତା? ମା’ ଟିଏ ହେଇ ଖାଲି ପୁଅକୁ ସେ ଭଲ ପାଇଲା କିନ୍ତୁ ପୁଅକୁ ଶାସନ କେବେ କଲାନି, ଭଲ ମନ୍ଦ କ’ଣ ବୁଝେଇଲାନି । ପୁଅର ହଁ ରେ ଖାଲି ହଁ ଭରିଲା । ଯାହା ଫଳରେ ପୁଅ ତାର ଅମଣିଷ ହେବାକୁ ବସିଲାଣି ।

ଦୃଶ୍ୟପଟ୍ଟ ବଦଳୁଥିଲା । ନୀଳ ମାଛିର ମୁହଁ ପୁରା ତା ପୁଅର ମୁହଁ ସହ ମେଳ ଖାଉଥିଲା ଓ ସେ ନିଜକୁ ରାକ୍ଷସୀ ବୁଢିଆଣୀ ଜାଗାରେ ଆବିଷ୍କାର କରୁଥିଲା ।


Rate this content
Log in

More oriya story from Bismita Sahoo

Similar oriya story from Thriller