Soumya Shubhadarshinee

Inspirational

3  

Soumya Shubhadarshinee

Inspirational

ରାସ୍ତା

ରାସ୍ତା

10 mins
267



 ସଂଯୋଗ ଶବ୍ଦର ଓଜନ ଖୁବ୍ । କେବେ ଜଣା ପଡେନି ଯୋଡି ହେବ ସଂଯୋଗର ଡୋର କାହା ସହ , କେଉଁଠି , କେତେବେଳେ , କେମିତି , କାହିଁକି , 

କି ଉଦ୍ଦେଶ୍ୟରେ ? ସତରେ ଭାରି ଅବୁଝା ସଂଯୋଗର କାରବାର ।


 ଠିକ ଛକ ପାଖରେ ଗାଡି ରଖିଲା 

ଆଦିତ୍ୟ । ଛୋଟ ଛୋଟ ପିଲା ଗୁଡିଏ ବୁଲୁଥିଲେ ଭାରି ଖୁସି ମନରେ । ଭଲ ଘି' ଅନ୍ନ , ଡାଲମାର ବାସ୍ନା ଆସୁଥିଲା

 ପବନରୁ । ସେଇ ସୁଗନ୍ଧର ପ୍ରଭାବରେ ନିଦ ଭାଙ୍ଗିଗଲା ବୋଧେ ଧନ୍ୟାର । ଆଖି ଖୋଲି ଦେଖିଲା ବେଳକୁ ଗାଡି ଆସି ରହିଛି ଶିରିଡି ସାଇ ମନ୍ଦିର ସାମ୍ନାରେ । ଓଃ ! କି ଅପୂର୍ବ ସଂଯୋଗ ଗୁରୁବାର ସକାଳୁ ସାଇ ଦର୍ଶନ । ଖୁସି ହେଇଗଲା ମନ ଧାନ୍ୟାର । 


 ଭଲ ଲାଗେ ସାଇଙ୍କ ସାନିଧ୍ୟ । କେମିତି ଗୋଟେ ମାୟା ଲାଗେ ତାଙ୍କ ପେଡା 

ପାଇଁ । ଭଲ ଲାଗେ ତାଙ୍କ ବିଭୁତି ଟିକେ ମୁଣ୍ଡରେ ଲଗେଇ ଦେଲେ । ଅଭୟ ଲାଗେ ମନେ ମନେ । ସେ ଅବଶ୍ୟ ସୁଯୋଗ ପାଇନି କେବେ ସାଇଙ୍କ ପୂଜା ପାଠ ପାଇଁ । ତଥାପି ମାନେ ସେ ମନେମନେ ତାଙ୍କୁ ଭକ୍ତି ସହକାରେ । ଏମିତି ସକାଳୁ ତାଙ୍କ ମନ୍ଦିର ସାମ୍ନାରେ ପହଞ୍ଚି ଭାରି ମନ ହେଲା ଟିକେ ମୁଣ୍ଡିଆ ମାରି ଆସିବ । କିନ୍ତୁ

ଭୁଲି ଯାଇଥିଲା ସେ , ଏବେ ମନ୍ଦିର ଯିବା ମନା । ପରିବାରର କେହି ଚାଲିଗଲେ ବର୍ଷେ ଯାଏଁ ମନ୍ଦିର ପ୍ରବେଶ ନିଷିଦ୍ଧ


 ପୁଣି ଆଖି ଭିଜିଗଲା ଧାନ୍ୟାର । ବାବା ତୁମେ କାହିଁକି ଚାଲିଗଲ ଯେ ?

 ନିୟତି ଆଗରେ ମଣିଷ କେଡେ ଅସହାୟ , କେଡେ ଦୁର୍ବଳ , କେଡେ ଦିନ ଦରିଦ୍ର । ନଥାଏ କିଛି ଆମ ହାତରେ , ଆମେ ସବୁ କେବଳ ସଖୀ କଣ୍ଢେଇ ସେଇ ଅଦୃଷ୍ଟ ହାତରେ । କେତେବେଳେ କାହା ଡୋର ଛିଣ୍ଡି ଯିବ , ନାଚ ସରି ଯିବ , ଜୀବ ଚାଲିଯିବ , ଘଟଶୁନ୍ୟ ହେବ କେହି ଜାଣିନି । କାହିଁକି କେଜାଣି ତଥାପି ମୋହ ଫାଶରେ , ମାୟା ଜାଲରେ ଛନ୍ଦା ହେଇଯାଏ ମଣିଷ । ଅବୁଝା ଏତକ 

ଖୁବ୍ । 


  ଅଦିତ୍ୟର ଡାକରେ ପ୍ରକୃତିସ୍ଥ ହେଲା ସେ , ଆଉ ବୁଝେଇଲା ନିଜକୁ । ସେ ଏବେ ଟୁର ରେ ବାହାରିଛି , ଏଇ ମୁହୂର୍ତ୍ତରେ ଏସବୁ ଭାବନା ପାଇଁ ସୁଯୋଗ ନାହିଁ । 


 କିନ୍ତୁ ମନ ତ ଏଇନେ ମନ୍ଦିର 

ପାଖରେ । ଦର୍ଶନ ନହେଲା ନାହିଁ ଅନ୍ତତଃ ଭୋଗ ଟିକେ ପାଇଲେ ବି ବହୁତ । ସେ ଟିକେ ଅସହାୟ ଦୃଷ୍ଟିରେ ଚାହିଁଲା ଅଦିତ୍ୟଙ୍କୁ । ଭାବିଲା କହିବ ନା କହିବ ନାହିଁ , '' ଟିକେ ମନ୍ଦିରରୁ ଭୋଗ ଲଗେଇ ଆଣିବ ପ୍ଲିଜ !"


 ଆଦିତ୍ୟ ଖରାପ ଭାବିବେ କି ?

ସଂଶୟ ଥିଲା ମନରେ , କିନ୍ତୁ ଈଶ୍ଵରଙ୍କ ପାଖରେ କି ସଂଶୟ ହାଁ


ଅଦିତ୍ୟଙ୍କୁ କହିଲା ଧାନ୍ୟା ଭୋଗ କଥା । ଆଦିତ୍ୟ ଅନେଇଲେ ଟିକେ ଆଉ ଭାବିଲେ ଝିଅଟେ ମନ୍ଦିର ଯିବାରେ ହଜାରେ ରୋକ , ବିଚାରି । ବୁଝିଲେ ନାହିଁ ସତ କଥା , ଭାବିଲେ ଖାଲି 

ଅଯଥା । କିନ୍ତୁ ମନ୍ଦିର ଗଲେ , ଭୋଗ ଲଗେଇ ଆଣିଲେ । ସୁନ୍ଦର ସଫେଦ ଗୋଲାପ ଟିଏ ମଧ୍ୟ ପୂଜା କରି ଆଣିଥିଲେ । ସୁଖୀ ହେଲା ଧାନ୍ୟା ଇପ୍ସିତ ବସ୍ତୁ ହାତେଇ ।


 ଲକ୍ଷ୍ମୀପୁର ଯାଉଥିଲେ ସେ ଦୁହେଁ । ସେଠି ଫାଦର୍ ଜୋନାଥନ୍ ଗୋଟିଏ ସ୍ୱାସ୍ଥ୍ୟ ଶିବୀର ଆୟୋଜନ କରିଛନ୍ତି ଶିଶୁ ଟୀକାକରଣ ପାଇଁ । ଖାସ କରି ହେପଟାଇଟିସ୍ ରୋଗ ପାଇଁ ଟୀକା ବନ୍ଦୋବସ୍ତ କରିଛନ୍ତି ଫାଦର୍ । ଆଜିର ସମୟରେ ଏଇ ରୋଗଟି ଖୁବ୍ 

ମାରାତ୍ମକ । ଛୋଟ ପିଲାଗୁଡିକ ଏହାର କବଳିତ ହେଲେ ଜୀବନ ଧରି ରଖିବା କଷ୍ଟକର । ଧାନ୍ୟା ଏଭଳି ସମାଜସେବା ପାଇଁ ଖୁବ୍ ଆଗ୍ରହୀ । ଆଉ ଆଦିତ୍ୟ ମଧ୍ୟ। ଦୁହେଁ ଏବେ ଡାକ୍ତରୀ ପଢୁଛନ୍ତି । ପି .ଜି . ଛାତ୍ର ଛାତ୍ରୀ ଏସବୁ କାମ ପାଇଁ ବେଶ ଉପଯୋଗୀ । ତେଣୁ ଫାଦର୍ ଖୋଜିଛନ୍ତି ଦୁହିଁଙ୍କୁ । 


 ମାସେ ତଳେ ଯେବେ ଫାଦର୍ ଅସୁସ୍ଥ ହେଇ ସରକାରୀ ଚିକିତ୍ସାଳୟରେ ପହଞ୍ଚିଥିଲେ ଏଇ ଧାନ୍ୟାହିଁ କରିଥିଲା 

ସେବା । ସାଧାରଣତଃ ଏଇ ଗ୍ରାମାଅଞ୍ଚଳରେ ଡାକ୍ତରଟିଏ ମିଳିବା ସ୍ୱପ୍ନ ,କିନ୍ତୁ ଏଇ ଛୋଟ ଝିଅଟି ଦେବଦୂତ ଭଳି ସ୍ପର୍ଶ ମାତ୍ରକେ ସୁସ୍ଥ କରିଦେଇଥିଲା ଫାଦର୍ ଙ୍କୁ । ଖୁସି ଲାଗିଥିଲା ଖୁବ୍ ଫାଦର୍ ଙ୍କୁ ଏଇ ଝିଅଟିର ମନୋଭାବ ଦେଖି । ସେବା ଭଳି ଏକ ପରମ ଧାର୍ମିକ କାର୍ଯ୍ୟ ପାଇଁ ଠିକ ଧାନ୍ୟା ଭଳି ମଣିଷ ଲୋଡ଼ା। ତେଣୁ ସେଇଠି ଗୋଟେ ସମ୍ପର୍କରେ ବାନ୍ଧି ନେଇଥିଲେ ସେ ଧାନ୍ୟାକୁ । 


'' ଯେବେ କିଛି ସେବା ପାଇଁ ଲୋଡିବି ଝିଅ ଟିକେ ସମୟ ଦେବ ମୋତେ । ମୋ ଅର୍ଫାନେଜ ପାଇଁ ତୁମର ନିଶୁଳ୍କ ସହଚାର୍ଯ୍ୟ ଲୋଡ଼ା ।''


 ଖୁସି ଖୁସି ମୁଣ୍ଡ ଟୁଙ୍ଗାରି ଦେଇଥିଲା ଧାନ୍ୟା

ସେଦିନ । ସେବା କରିବାର ସୁଯୋଗ କେତେଜଣ ବା ପାଉଛନ୍ତି ଯେ ?.....


 ସେ ନିଜେହିଁ ସେଥିପାଇଁ ଖୁବ୍ ଆଗ୍ରହୀ । ବାବା କେଵଳ ସେଇ ଉଦ୍ଦେଶ୍ୟରେ ପଢେଇଥିଲେ ମେଡ଼ିକାଲ । ସେଇ ସ୍ୱପ୍ନ ଥିଲା ତାଙ୍କ ଆଖିରେ । କିନ୍ତୁ ବାବା ଆଉ ନଥିଲେ ଦେଖିବାକୁ ଧାନ୍ୟାର ସଫଳତା।


 ଆଦିତ୍ୟଙ୍କ ସହ ଏଇଠି ଭେଟ ହେବାପରେ ଟିକେ ସମ୍ଭାଳି ଯାଇଥିଲା ଝିଅଟି । ଆଦିତ୍ୟ ପାଖରେ ଥିଲା ଗୋଟେ ଅଜଣା ନିଜପଣ । ଠିକ ତା' ଭଳି ମାନସିକତା ଅଦିତ୍ୟଙ୍କର , ସେବା ପ୍ରତି ସେ ମଧ୍ୟ ବେଶ ଅନୁରକ୍ତ । ମେଡ଼ିସିନ ପଢୁଛନ୍ତି ସେ ଖାସ କରି ସବୁ ରୋଗର ଚିକିତ୍ସା କରିବାର ଝୁଙ୍କରେ । ସେଥିପାଇଁ ଧାନ୍ୟାକୁ ଖୁବ୍ ପସନ୍ଦ ସେ । ତେଣୁ ଯେବେ ଫାଦର୍ ତାଙ୍କ ଟୀକାକରଣ ଶିବୀର ପାଇଁ ଅନୁରୋଧ କଲେ ସେ ଆଦିତ୍ୟଙ୍କୁ ଜଣେଇଲା ଆଉ ତାଙ୍କ ସହଚାର୍ଯ୍ୟ ମଧ୍ୟ ଆଶା କଲା । ଆଦିତ୍ୟ ବିନା ଉପକ୍ରମରେ ସମ୍ମତି ଜଣେଇଲେ ଆଉ ଦୁହେଁ ବାହାରିଗଲେ ଗନ୍ତବ୍ୟସ୍ଥଳ । 


 ସୁନ୍ଦରୀ ଲାଗୁଥିଲା ପରିବେଶ ହଲ୍କା 

ବର୍ଷାରେ ଧୋଇ ହେଇ । କେମିତି ଗୋଟେ ସାବଜା ଶାଢ଼ୀ ପିନ୍ଧା ଅନୁଢା ତରୁଣୀ ଭଳି ଦିଶୁଥିଲା ପୃଥିବୀ । ଏମିତି ମାନମୟୀ ରୂପ ଦେଖି ବିମୋହିତ ହେଇଗଲା ଧାନ୍ୟା । ପ୍ରକୃତିକୁ ଏତେ ବର୍ଣ୍ଣାଢ୍ୟ ରୂପରେ ଦେଖିନଥିଲା ସେ । ପ୍ରକୃତରେ ସହରର ମଣିଷଟେ ଏମିତି ସୁଯୋଗ ପାଏ ନାହିଁ ତା' ପରିଚିତ କଂକ୍ଟ୍ରିଟ୍ ଜଙ୍ଗଲରେ । 


 ଏଠିକାର ପରିବେଶ ସତରେ ଭାରି 

ସମୃଦ୍ଧ । ପରିବର୍ତ୍ତନ କରିପାରେ ମନର ଭାବ । ତିଆରିପାରେ କିଛି ବିଶେଷ ସ୍ପନ୍ଦନ । ସଜଳ କରିପାରେ ମଣିଷର ମନ । ଆଉ ଟିକେ ନିରିଖେଇ ଦେଖିଲା ଧାନ୍ୟା । କୁଳୁକୁଳୁ ବୋହିଯାଉଥିବା ଝରଣାଟିର ଶବ୍ଦ ମଧ୍ୟ ଲାଗୁଥିଲା ସଙ୍ଗୀତମୟ । ଭଲ ଲାଗିଲା ଖୁବ୍ ଏଇ ନିପଟ ମଫସଲି ଗାଁ । 


  କିନ୍ତୁ ଅଦିତ୍ୟଙ୍କୁ ବୋଧେ ବାଧୁଥିଲା କଚ୍ଚା ସଡ଼କର ଧକଡ଼ ଚକଡ଼ । ଏମିତି ରାସ୍ତା ଗାଡି ପାଇଁ କେବେ ସହଜ ନୁହେଁ । କିନ୍ତୁ ଜୀବନର ଲକ୍ଷ୍ୟ ପଥତ ସବୁବେଳେ ସେମିତିହିଁ ଆବଡା ଖାବଡା , ବନ୍ଧୁର । ସେଠି ମସୃଣ , ବ୍ୟବସ୍ଥିତ , ସୁଗମ୍ୟ ନଥାଏ କିଛି । 


ଯିଏ ପାର କରିପାରେ ସେଇ ପଥ ସେହିଁ ପାଇପାରେ ଇପ୍ସିତ ।.............. 


  ଜୀବନଟା ଗୋଟେ ଅସରନ୍ତି ରାସ୍ତା ଭଳି ଲାଗେ ଧାନ୍ୟାକୁ । କେବଳ ଚାଲିବାକୁ ପଡେ ଏଠି ନିରବିଛିନ୍ନ । ରହିବାର ଅର୍ଥ କେବଳ ମୃତ୍ୟୁ । ଯେମିତି ବାବା । କେବେ ଥକୁ ନଥିଲେ , ସକାଳୁ ରାତି ଯାଏଁ । ଚବିଶ ଘଣ୍ଟା ଦିନର ଅବଧି ଆହୁରି ବଢିଯାଉ ବୋଲି ଇଚ୍ଛା 

କରୁଥିଲେ । କାରଣ ବହୁତ କିଛି କରିବାର ଥିଲା ବାବାଙ୍କର । ମମି ଠକି ଦେଇ ଚାଲିଯାଇଥିଲା ନା' ସେ ଖୁବ୍ ଛୋଟ ଥିବା ସମୟରେ । ତେଣୁ ଉଭୟଙ୍କ ରୋଲ କରିବା ପାଇଁ ସମୟ କମ୍ ପଡୁଥିଲା । ଧାନ୍ୟାର ପ୍ରତିଟି ଅଵଶ୍ୟକତା ପ୍ରତି ସଚେତନ ରହୁଥିଲେ ବାବା । ବେଣୀ ପାରି ଦେବାଠୁ ନେଇ ଶାଢ଼ୀ ବାନ୍ଧିବା ଯାଏଁ ସବୁକିଛି ସେହିଁ ଶିଖେଇ ଥିଲେ । ଲୁହ ବୁନ୍ଦା ଆସିଗଲା ଆଖିରେ ତା'ର । ସେ ଏବେ କେତେ ଏକାକୀ ହେଇଗଲା ସତରେ । ମମି ଆଉ ବାବା ଉଭୟଙ୍କ ଅନୁପସ୍ଥିତିରେ ଆଃ



  ଋତୁଚକ୍ର ବଦଳୁଛି ଏବେ ଖୁବ୍ ଭୟଙ୍କର ଭାବରେ । ଏଇ ଦେଖୁନ ଏବେ ସେପ୍ଟେମ୍ବର ମାସରେ ମଧ୍ୟ ଅଗ୍ନିବର୍ଷି ଖରା ତ ପୁଣି କେତେବେଳେ ଅନାଧୁନିଆ ବର୍ଷା । ଶରତର ଭେଳା ଭେଳା କାଶତଣ୍ଡୀ ସହ ଏଇ ପାଗର ତାଳ ମେଳ ନାହିଁ ଟିକିଏବି । ଧାନ୍ୟା ଜାଣିବାରେ କାଶତଣ୍ଡୀ ସହ ଆସେ ହଲ୍କା ଶୀତର ଆସର , ମିଠା ପବନର ଛୁଆଁ , ମା' ଙ୍କ ଅଗମନର ଅବାହାନୀ । କିନ୍ତୁ ଆଜି ପ୍ରବଳ ବର୍ଷା ଓଃ !


 କିଛି ବାଟ ଯିବା ପରେ ଆଉ ଯାଇ ହେଲାନି ଗାଡି । ଅଜଣା କାଦୁଅ ରାସ୍ତା ତା' ଉପରେ ବର୍ଷା । ଯିବା ସହଜ ନୁହେଁ ଏଭଳି ପରିସ୍ଥିତିରେ । ଅଦିତ୍ୟଙ୍କୁ ବ୍ୟସ୍ତ ଲାଗିଲା , ଗନ୍ତବ୍ୟ ଆହୁରି ତିରିଶ କିଲୋମିଟର । କେମିତି ଯିବେ ଦୁହେଁ ବଡ଼ ହଇରାଣ


 ପରିସ୍ଥିତି ବେଳେବେଳେ ଏମିତି ରୁହେନି ମଣିଷର ଅକ୍ତିଆରରେ ।

 ଧନ୍ୟା ବେଶ ଭାବପ୍ରବଣ ଝିଅଟିଏ ତା ନହେଲେ ଏମିତି ଫାଦର୍ ଙ୍କ କଥାରେ ଆସିଯାଇନଥାନ୍ତା ଅଚିରେ । ସେ ବୁଝେ ଝିଅଟା ପ୍ରବଳ ଖାମ ଖିୟାଲ , ବଡ଼ ବେପରୁଆ । ଜୀବନ କୁ ନେଇ ଖୁବ୍ ଆଶାବାଦୀ । ସତରେ କ'ଣ ପୁସ୍ତକଗତ କଥା ଗୁଡିକ ପାଳିତ ହୁଏ ଜୀବନରେ । ଏଇ ଯେମିତି ସେବା


 କିଏ ଆସେ ଏମିତି ପାଗରେ ଅଜଣା ପଥରେ କେବଳ ସେବା କରିବାକୁ ? ଆଦିତ୍ୟ ମଧ୍ୟ ସମ୍ବେଦନଶୀଳ କିନ୍ତୁ ଏତେ ନୁହେଁ । ଏଇ ଅଗମ୍ୟ ଗାଁ ଗୁଡାକୁ ଆସିବା ବଡ଼ କଷ୍ଟ । ଝିଅଟି କିଛି ବୁଝେନି କେବଳ ଭାବପ୍ରବଣତା ବ୍ୟତୀତ । 


ଭଲ ମଣିଷ ହେବା ସହଜ ନୁହେଁ ଆଜିର ସମୟରେ ସତରେ


 ଭଲ ଲାଗେ ଅବଶ୍ୟ ଝିଅଟିର ଆବେଗିକତା । ଏକୁଟିଆ ମଣିଷ ବୋଧେ ଅଧିକ ଆବେଗିକ ହେଇଯାଏ ପରିସ୍ଥିତିର ଦାୟରେ । ଯେବେ ଜାଣିଲେ ଝିଅଟି ଏକଦମ ଏକା ଏଇ ପୃଥିବୀରେ କେମିତି ଟିକେ ତା' ପ୍ରତି ଆତ୍ମୀୟତା ଆସିଯାଇଥିଲା । ତେଣୁ ଆଜିର ଅନୁରୋଧ ଏଡାଇ ହେଲାନି ।ହେଲେ ଭାବପ୍ରବଣ ହେଲେ ହଇରାଣ ହେବାକୁ ହୁଏ ଏତକ ଜଣା ଥିଲେ ମଧ୍ୟ ଆଜି ଡେଇଁଗଲେ ସେ ଖାଇ ଭିତରକୁ । ଏବେ କିନ୍ତୁ ଅବସ୍ଥା ଅସମ୍ଭାଳ । କ'ଣ କରିବେ ଏବେ । 


 ବର୍ଷାର ତାଣ୍ଡବ ଫଳରେ ସବୁଆଡେ କେମିତି ଘନ ଅନ୍ଧକାରର ପରିବେଶ । ହଠାତ ସନ୍ଧ୍ୟା ହେଇଗଲା ଭଳି 

ଅନୁଭବ । ଆହୁରି ପୁଣି ଶୁନ୍ ଶାନ ଗାଁ ରାସ୍ତାରେ ଗୋଟେ ଦୁର୍ବୋଧ୍ୟ ନିର୍ଜନତା । ଟିକେ ଟିକେ ଭୟର ପ୍ରଭାବ ଧନ୍ୟା ମୁହଁରେ । 


 --'' ଭୟ କରନାହିଁ ତୁମେ ଏଇଟା ଅଦିନିଆ ବର୍ଷା , ଛାଡିଯିବ ଖୁବ୍ ଶିଘ୍ର ।"


--'' ଜାଣେ କିନ୍ତୁ ତା' ପରେ ରାସ୍ତାର ସ୍ଥିତି ବିଷୟରେ ଭାବି ଚିନ୍ତିତ ମୁଁ । ଯେତେହେଲେ କଚ୍ଚା ସଡକ । ଆମେ ଯିବା କେମିତି ?''


--'' ଦେଖିବା , ଏବେଠୁ କହିବା ସମ୍ଭବ ନୁହେଁ।"


--'' କିନ୍ତୁ ଆମର ଡେରି ହେଇଯିବ । ଫାଦର୍ ଅପେକ୍ଷା କରୁଥିବେ । ସେଇକଥା ଭାବି କଷ୍ଟ ଲାଗୁଛି ।''


--'' କ'ଣ କରିବା ପ୍ରକୃତି ଆଗରେ ଆମେ ନାଚାର । "


--'' ହୁଁ !"

   

  ଜୀବନ ଯଦି ଦୀର୍ଘ ଅସରନ୍ତି ରାସ୍ତା ତେବେ ନିଶ୍ଚିତ ଆଗକୁ ଯିବାର ସୁଯୋଗ ଅଛି । ଏଇଠି ଅନ୍ତିମ ପର୍ଯ୍ୟାୟ ନୁହେଁ । ନିଜକୁ ପ୍ରବୋଧନା ଦେଲା ଧାନ୍ୟା । 


  ବାବା କହୁଥିଲେ ଭୟ ହାରର ପ୍ରଥମ ଲକ୍ଷଣ । ଭୟଭୀତ ହେଇଯାଉଥିବା ମଣିଷ ହାର ମାନି ନିଏ ନିଜେ ନିଜେ । ପ୍ରତ୍ୟକ୍ଷ ଯୁଦ୍ଧକୁ ସାମ୍ନା କରିବା ପୂର୍ବରୁ ନେଇଯାଏ ଭୀରୁର ପରିଚୟ । ଯୋଧ୍ୟା କିନ୍ତୁ ଭୟ ନାମକ ଶବ୍ଦ ସହ କେବେବି ଯୋଡ଼େନି ସମ୍ପର୍କ । ସେଇ ଶବ୍ଦଟା ନଥାଏ ତା' ଅଭିଧାନରେ । ସେଇ ଶବ୍ଦହିଁ ଶତ୍ରୁ ଆମର । ପ୍ରତିବନ୍ଧକ ଆମ ପଥର । ନା' ଆମେ ହାରିବାର ନୁହେଁ । ଯିବାକୁ ହେବ ନିଶ୍ଚିତ । ଗାଡି ନ ଚାଲିଲେ ମଧ୍ୟ , ରାସ୍ତା ପିଚ୍ଛିଳ ହେଇଗଲେ ମଧ୍ୟ , ବର୍ଷାର ଭୟକୁ ପ୍ରତିହତ କରି ଯିବାକୁ ହେବ। ହଁ ନିଶ୍ଚିତ , ଫାଦର୍ ଅପେକ୍ଷା କରୁଛନ୍ତି ଯେତେବେଳେ । ତା' ଜୀବନର ଏଇଟି ପ୍ରଥମ ପରୀକ୍ଷା , ସେବାର 

ସୁଯୋଗ । କେମିତି ସେ ଓହରି ଯିବ , ହାରିଯିବ , ଅବହେଳା କରିବ । ନା' ଯିବ ଯେତେ କଷ୍ଟ ହେଉ ପଛେ


  ଠିକ ଭାବୁଥିଲା ଧାନ୍ୟା , ବର୍ଷା ସିନା ଛାଡ଼ିଗଲାଣି କିନ୍ତୁ ରାସ୍ତା ପରିଷ୍କାର ହେଇନି । ପାଣି କାଦୁଅ ପଚପଚ , ଖାଲଖମା ଭିତରେ ଆଉ କାର ଯିବା ସହଜ ନୁହେଁ । ଅସହାୟ ଦିଶୁଥିଲେ ଆଦିତ୍ୟ । ଏବେ କ'ଣ କରିବେ ନା ଆଗକୁ ଯାଇ ହେଉଛି ନା ପଛକୁ । ଆଉ ସେମାନେ ମଧ୍ୟ ନାହାଁନ୍ତି କୌଣସି 

ଗାଁରେ । ଗୋଟେ ଦୀର୍ଘ କଚ୍ଚା ରାସ୍ତା କେବଳ । ଆଦି ଅନ୍ତ ନାହିଁ ଯାହାର । 


  ଅପେକ୍ଷା କରିବାକୁ ହେବ । କେହି ଗାଁ ଲୋକ ହୁଏତ ଦେଖା ହେଇଯାଇପାରେ । କରିଦେଇ ପାରେ କିଛି ବିକଳ୍ପ ବ୍ୟବସ୍ଥା। କିନ୍ତୁ ଏମିତି ନିଛାଟିଆ ରାସ୍ତାରେ କେହି ମିଳିବା କ'ଣ ସହଜ ?


 ଧୀରେ ଧୀରେ ବଢ଼ୁଥିଲା ଅସହାୟତା ଉଭୟଙ୍କ ଭିତରେ । ଏବେ କାନ୍ଦ କାନ୍ଦ ଲାଗୁଥିଲା ଧାନ୍ୟା । ଆଉ ସେ ଦୁହିଁଙ୍କର ଅସହଜପଣକୁ ଆହୁରି ବଢେଇବାର ଉପକ୍ରମ କରୁଥିଲା ବଢ଼ନ୍ତା ସନ୍ଧ୍ୟା । ଅନ୍ଧକାର ପରେ ସବୁ କିଛି ଆହୁରି ଭୟଙ୍କର ଓଃ


 ସାଇଙ୍କ ଦର୍ଶନ ପରେ ଏମିତି ଦୁର୍ଦ୍ଦଶା କାହିଁକି ? ଧାନ୍ୟା ମନେ ମନେ ଗୁଣୁଗୁଣୁ ହେଲା '' ତୁମେ ତ ସବକା ମାଲିକ , ଆମ ପାଇଁ ଟିକେ ସଦୟ ହୁଅ ।''


 କିନ୍ତୁ ଈଶ୍ୱର କ'ଣ ସତରେ ଥାନ୍ତି ମଣିଷର ସାହାଯ୍ୟ ପାଇଁ ? ନା ଆମକୁ ହିଁ କରିବାକୁ ହୁଏ ନିଜର ସାହାଯ୍ୟ ନିଜେ ?.....


 ହୁଏତ ସେଇ ଆପ୍ତ ବାକ୍ଯହିଁ ସତ୍ୟ

 " ଈଶ୍ୱର ତାଙ୍କୁ ହିଁ ସାହାଯ୍ୟ କରନ୍ତି ଯେ ନିଜେ ନିଜକୁ ସାହାଯ୍ୟ କରନ୍ତି ।"


 ଧନ୍ୟା କଥା ଯଦିଓ ଜଣା ନାହିଁ କିନ୍ତୁ ଅଦିତ୍ୟ ଏବେବି ଚେଷ୍ଟା କରୁଥିଲେ । ଫୋନ୍ ଲଗେଇବାକୁ । ସାହାଯ୍ୟ ମାଗିବାକୁ । କିଛି ବିକଳ୍ପ ଖୋଜିବାକୁ । କିନ୍ତୁ ଫୋନ୍ ଲାଗୁନଥିଲା ହୁଏତ ଟାୱାର ନଥିଲା ସେଇ ଅଗମ୍ୟ ସ୍ଥାନରେ । କେହି ଯାଉନଥିଲେ ସେଇ ରାସ୍ତାରେ , ଆଲୋକର ଉତ୍ସ ଦିଶୁନଥିଲା କେଉଁଠି 

ବି । ଗାଁ ଟିଏ ହୁଏତ ନଥିଲା ଆଖପାଖରେ । ଯଦି କିଛି ଥିଲା ତେବେ ତାହା ଥିଲା ଏକ ଅସହ୍ୟ ନିର୍ଜନତା 

ବାସ । କାର ଭିତରେ ଥିଲେ ଦୁହେଁ ତେଣୁ ଟିକେ ସୁରକ୍ଷିତ ଅନୁଭବ କରୁଥିଲେ । ଜଣା ନଥିଲା ବାହାରେ କି ପରିସ୍ଥିତି । କିନ୍ତୁ ଏବେ ମଶା ଗୁଡିକର ଉପଦ୍ରବ ଆରମ୍ଭ ହେଇଯାଇଥିଲା । ଯାହା ସତରେ ବ୍ୟସ୍ତ କରୁଥିଲା ଦୁହିଁଙ୍କୁ । କିଛି ବି ହେଇପାରେ ଯେମିତି ମ୍ୟାଲେରିଆ ଓଃ !.........


 ଏଇ କରୁଣ ସ୍ଥିତିରେ ହଠାତ ଶୁଣା ଗଲା କୋଳାହଳ । ଓଃ ! ମଣିଷଙ୍କର ପାଟିତୁଣ୍ଡ ଯେ ଏତେ ଶୃତି ମଧୁର ଆଜି ଜାଣିଲା ଧାନ୍ୟା। ଖୁବ୍ ଗୋଟେ ଆନନ୍ଦ ଲାଗିଲା ଉଭୟଙ୍କୁ । ସାହାଯ୍ୟ ମିଳିବାର ସୂଚନା ସତରେ ସୁଖଦ !....


 ସେମାନେ ଆସୁଥିଲେ ଦଳବଦ୍ଧ ହେଇ ନିଜ ନିଜ ବାଇକ ରେ। ଆଲୋକମୟ ହେଇଯାଇଥିଲା ସାରା ପରିବେଶ । କେତେ ଜଣ ଥିଲେ କେଜାଣି କିନ୍ତୁ ତିନୋଟି ମୋଟର ବାଇକ ଥିଲା ରାସ୍ତାରେ ଆଗ ପଛ ହେଇ । 


 ଆଦିତ୍ୟ ସେମାନଙ୍କୁ ଅଟକେଇବାକୁ ବାହାରିଲେ । ଧାନ୍ୟାକୁ କିନ୍ତୁ କାହିଁକି କେଜାଣି ଭୟ ଲାଗିଲା । ଜଣା ନାହିଁ , ଏମାନେ ଭଲ ଲୋକ ତ ନା ଅସାମାଜିକ ??......


 ଯଦି ସେପରି ହୁଏ ତେବେ ରାସ୍ତା ସରିଯିବ ଜୀବନର । ଏମାନେ କେବେବି ଛାଡିବେ ନାହିଁ । ଭୟ ଭିତରେ ଗୋଟାପଣ ଜଡସଡ଼ ହେଇଗଲା 

ଝିଅଟା । ମୃତ୍ୟୁର ଭୟ ଏମିତି ଭୟଙ୍କର । ଦୋହଲେଇ ଦେଇ ପାରେ ସମଗ୍ର ଅସ୍ତିତ୍ୱ । ସତରେ ଜଣା ନଥିଲା ଧାନ୍ୟାକୁ ଏଇ ଅନୁଭବ । ସେ ଅଦିତ୍ୟଙ୍କୁ ଅଟକେଇ ଦେଲା ପଛରୁ ଭିଡ଼ିନେଇ । 


--" ଆରେ କ'ଣ ହେଲା ମୋତେ ଏମିତି ଭିଡିଲ କାହିଁକି ?''


--'' ସେମାନେ ଅସାମାଜିକ ନୁହଁନ୍ତି ତ ?''


--'' ଓଃ ! ଭାବିନଥିଲି !''


--'' ହଁ ଆମେ ଏବେ ହୁଏତ ଗୋଟେ ବଡ଼ ବିପଦରେ ଆଦିତ୍ୟ । ମୋତେ ଖୁବ୍ ଭୟ ଲାଗୁଛି । ''


 ମୁହୂର୍ତ୍ତକ ଆଗରୁ ଯେଉଁ ଆନନ୍ଦର ଅନୁଭବ ଥିଲା ଦୁହିଁଙ୍କ ଭିତରେ ଏଇ ସଂଶୟ ଟିକକ ସାରିଦେଲା ସବୁ ସୁଖ। 


 ଜାବୁଡି ଧରିଥିଲା ଧାନ୍ୟା ଅଦିତ୍ୟଙ୍କ ହାତ ବେଶ ଶକ୍ତ ଭାବରେ । ଯେମିତି କେବେ ଛାଡିବାର ଇଚ୍ଛା ନାହିଁ ସେଇ ହାତଟିକୁ । ଆଦିତ୍ୟ ମଧ୍ୟ ଆଶ୍ଲେଷରେ ବାନ୍ଧି ନେଲେ ଝିଅଟିକୁ । ଥରୁଥିଲା ଝିଅଟି ଭୟଙ୍କର । ସତରେ କ'ଣ ଏଇଟା ସେ ଦୁହିଁଙ୍କର ଶେଷ ସମୟ ? ଆଗରେ ଅପ୍ରତିହତ କାଳ ଅପେକ୍ଷା କରିଛି । ଆଉ କିଛି କ୍ଷଣ ବାସ । 


 ସେମାନେ ନିକଟବର୍ତ୍ତୀ ହେଲେ । କାର କାଚ ଖଡ଼ ଖଡ଼ କଲେ । ଆଉ ଦୁହିଁଙ୍କୁ ବାହାର କଲେ । ସେମାନେ ଚାରିଜଣ ଥିଲେ , ଆଉ ମାଓହିଁ ଥିଲେ । ଏଇ ଅଗମ୍ୟ ସ୍ଥାନରେ ଏଭଳି ମଣିଷ ହିଁ ମିଳନ୍ତି ଆଜିର ସମୟରେ  । ସତରେ ସୁରକ୍ଷା ନାହିଁ ଆଉ


 ସେମାନଙ୍କୁ ଅଦିତ୍ୟ ଜଣେଇଲେ ଫାଦର୍ ଜୋନାଥନ୍ ଙ୍କ କଥା , ଟୀକାକରଣ ଶୀବିର କଥା , ସେ ଦୁହିଁଙ୍କର ଏଠିକୁ ଆସିବା କଥା । ବିଚିତ୍ର ସେମାନେ ବେଶ ଧର୍ଯ୍ୟ ସହକାରେ ଶୁଣିଲେ ସବୁକିଛି ଟିକିନିଖି । ତାଙ୍କ ଭିତରରେ ଯେ ଥିଲେ ପ୍ରୌଢ , ହୁଏତ ତାଙ୍କ ଲିଡ଼ର , ବେଶ ପରିପକ୍ୱ ଦୃଷ୍ଟି ଯାହାଙ୍କର । ସେ ଧାନ୍ୟାର ଭୟାର୍ତ୍ତ ଦୃଷ୍ଟି ଦେଖି ହସିଲେ ବେଶ ମୁଗ୍ଧ ହସ । ଆଉ କହିଲେ , 

'' ଡାକ୍ତରାଣୀ ମା' ଏତେ ଡ଼ରୁଛୁ କିଆଁ ? ଆମେ ନେଇଯିବୁ ଫାଦର୍ ଙ୍କ ପାଖକୁ । ସେ ତ ଆମ ଅଞ୍ଚଳରେ ଜଣେ ଦେବତା ଭଳି ମଣିଷ । ଭୟ କରନି ମା' ''


  ଧାନ୍ୟା ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ । ଏଇଟା କ'ଣ ଗୋଟେ ଅସାମାଜିକ ମଣିଷର ସ୍ୱର । ବିଚିତ୍ର , ଏଇଟା ତ ବେଶ ନିଜର , ଭାରି ଆପଣାର । ଆମେ ବୋଧେ ଅଜାଣତରେ ଗଢି ନେଉ ଭୟର ପୃଥିବୀ । ପ୍ରକୃତରେ ପୃଥିବୀ ଆଜିବି ସୁନ୍ଦର , ବେଶ ସୁନ୍ଦର !


  ନେଇଗଲେ ସେମାନେ ଦୁହିଁଙ୍କୁ ନିଜ ସହ ,ପହଞ୍ଚେଇ ଦେଲେ ଫାଦର୍ ଙ୍କ 

ଅର୍ଫାନେଜ୍ ରେ । ବେଶ ସୁନ୍ଦର ଭାବେ ଖୁବ୍ ସହଜରେ ଗୁଡ଼େ ଅସାମାଜିକ ମଣିଷ ଗୋଟେ ସମାଜ ସେବାରେ ସହଯୋଗ ଦେଲେ । କିଛି ସମସ୍ୟାହିଁ ନଥିଲା ସେମାନଙ୍କ ସହ କିଛି ମୁହୂର୍ତ୍ତ ବିତେଇବାରେ। କେମିତି ହେଲା ଏଇ ସଂଯୋଗ ସତରେ ବୁଝା ପଡୁନଥିଲା ଧାନ୍ୟା କି ଅଦିତ୍ୟଙ୍କୁ । ପରିଚିତ ପୃଥିବୀରେ ଭୟ ସୃଷ୍ଟିକାରୀ ମଣିଷ ଗୁଡାକ ଯେ ଏତେ ସାଧାରଣ ଜଣା ନଥିଲା ।


 ଅନୁଭବ କଲା ଧାନ୍ୟା , '' ଏଇ ଲୋକ ଗୁଡିକ ଦୁର୍ଦ୍ଦାନ୍ତ ନୁହଁନ୍ତି ବରଞ୍ଚ ଏମାନେ ଦୁସ୍ଥ । ଆଧୁନିକ ପୃଥିବୀର ଦଗାବାଜ ମଣିଷଙ୍କ ଦ୍ଵାରା ନିଷ୍ପେସିତ ହେଉଥିବା ଗୁଡ଼େ ଅସହାୟ । ନିଜ ହକ ପାଇଁ ଏମାନେ ଲଢ଼ୁଛନ୍ତି କେବଳ । ଯାହାକୁ ଆମେ ହିଂସ୍ରତାର ନାଁ ଦେଇଛୁ ।''


 ଖୁବ୍ ସୁଖୀ ହେଲେ ଫାଦର୍ ଦୁହିଁଙ୍କୁ ଦେଖି । ଜଣେଇଲେ ଆଜିର ଶୀବିର ହେଇପାରିନାହିଁ । ପ୍ରବଳ ବର୍ଷା ହେତୁ ଗାଁ ଲୋକ ଗୁଡିକ ଆସିପାରି ନାହାଁନ୍ତି । ତେଣୁ କାର୍ଯ୍ୟକ୍ରମ ଆସନ୍ତା କାଲି ପାଇଁ ସ୍ଥଗିତ କରା ଯାଇଛି । 


 ଏଇତକ ଭାରି ଆଶ୍ୱସ୍ତ ଦାୟକ ଥିଲା ଧାନ୍ୟା ଓ ଅଦିତ୍ୟଙ୍କ ପାଇଁ । ଏତେ କଷ୍ଟ ସ୍ୱୀକାର କରି ଯେଉଁ କାର୍ଯ୍ୟ ପାଇଁ ବାହାରିଲେ ଦୁହେଁ ସେଇତକ କରିବାର ସୁଯୋଗ ହାତଛଡା ହେଇଯାଇନି। ଈଶ୍ୱର ଅଛନ୍ତି ନିଶ୍ଚିତ । 


 ଅର୍ଫାନେଜ୍ ଭିତରେ ପ୍ରଭୁ ଯୀଶୁଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ହାତ ଯୋଡି ଧାନ୍ୟା କୃତଜ୍ଞତା ଜଣେଇଲା । ମନେ ମନେ କହିଲା ,

 '' ସାଇଙ୍କ ଠାରୁ ଆରମ୍ଭ ହେଇ ଯୀଶୁଙ୍କ ପର୍ଯ୍ୟନ୍ତ ବ୍ୟାପ୍ତ ଏଇ ଦୀର୍ଘ ରାସ୍ତା ସ୍ମରଣୀୟ ସାରା ଜୀବନ ପାଇଁ।"......


     


Rate this content
Log in

Similar oriya story from Inspirational