STORYMIRROR

Siddhartha Tripathy

Abstract Tragedy Inspirational

3  

Siddhartha Tripathy

Abstract Tragedy Inspirational

ରାକ୍ଷୀ-ଏକବିଂଶ ଶତାବ୍ଦୀର

ରାକ୍ଷୀ-ଏକବିଂଶ ଶତାବ୍ଦୀର

3 mins
103



କରୋନା, ଛାରଖାର କରିଦେଲା ସବୁ। ତୁଳିତଳ୍ପ ଶଯ୍ୟାରେ ଶୋଇ ଚାକର ସୋମୁ ହାତରୁ କଫି କପେ ପିଇ ଲେଖୁଛି ସୋନା। ଭାଇ ଆସିବାରେ ବିଳମ୍ବ ଅଛି ତ, ଆସିଲେ ରାକ୍ଷୀ ବାନ୍ଧିବ। ଭାଇ ପାଇଁ ଦାମୀ ରାକ୍ଷୀଟେ ରଖିଛି, ଭାଇ ବି କିଛି ଗୋଟେ ବଡ ଉପହାର ଦେବା ଆଶାରେ। ହେଲେ କରୋନା...,ଏ କରୋନା.....ମୋ ଉପହାର ଫିକା କରିଦିଅନା। 


      ସୋନା ଲେଖୁଛି, ହେ ମୋର ଦୂର ସୁଦୂରର ନିଷ୍ଠୁର ଶତ୍ରୁ କରୋନା ! ସାରା ଜୀବନ କଣ ମୁଁ ଏହିପରି ଆପଣଙ୍କ ସ୍ମୃତିର କଣ୍ଟକିତ ଶରଶଯ୍ୟାରେ ଶୋଇଥିବି; ମୁହଁରେ ହସ ଫୁଟାଉଥିଲେ ବି ହ୍ରୁଦୟ ଭିତରେ ଅହରହ ଜଳୁଥିବି ? ବାହାଘର ଠିକ ହୋଇସାରିଥିଲେ ବି ହୋଇପାରୁନି। ବାଧକ ସାଜିଛନ୍ତି ଆପଣ।


      ହଠାତ ଭାଇଙ୍କ ପାଟି ଶୁଣାଗଲା, ଏ.....ସୋନା, ଜଲ୍ଦି ଆସେ ପୂଜା ସାରିବୁ। ହଁ ଭରି ପହଞ୍ଚିଗଲା ସୋନା। ଭାଇ କହିଲେ ତୋର ରାକ୍ଷୀ ଉପହାର ନେଇଯାଆ। କାରର ଚାବିଟିକୁ ହାତରେ ଧରି ଖୁସିରେ ନାଚି ଉଠୁଥିଲା ସୋନା। ଏକବିଂଶ ଶତାବ୍ଦୀରେ ପ୍ରଚାର ପ୍ରସାରର ପାହାଡ ତଳେ ଚାପି ହୋଇଯାଏ ସମ୍ପର୍କ। ଶ୍ୱାସରୁଦ୍ଧ ସେ। ଆରମ୍ଭ ହୋଇଗଲା ଫୋଟ, ଭିଡିଓ, ସୋସିଆଲ ମିଡିଆ ପାଇଁ। ଲିଭି ଲିଭି ଯାଉଛି ବନ୍ଦାଣ ଦୀପ, ପ୍ରଥମତଃ ଭେଜାଲ ଘିଅ, ଦ୍ୱିତୀୟତଃ ମେକଅପ ଉତୁରି ଯିବାର ଭୟ। ଅନତି ଦୁରରେ ଠିଆ ହୋଇ ଚାକର ସୋମୁ ନିଜ ଭଉଣୀ ବାନ୍ଧି ଦେଇଥିବା ଶସ୍ତା ରାକ୍ଷୀଟିକୁ ସ୍ନେହରେ ଦରାଣ୍ଡୁ ଦରାଣ୍ଡୁ ଅମାନିଆ ଲୁହ ଦୁଇଟୋପା ରାକ୍ଷୀ ଉପରେ ଗଳି ପଡୁଛି ଆଉ ଫରକ ଦେଖୁଛି ପାଞ୍ଚ ଟଙ୍କିଆ ରାକ୍ଷୀ ଓ କାରୱାଲା ରାକ୍ଷୀର। ବଡଘର ବଡ ଗୁମର କଥା। ସିନ୍ଦୂର ଅଛି, ରଙ୍ଗହୀନ, ଚନ୍ଦନ ଅଛି ଗନ୍ଧହୀନ , ମିଷ୍ଟାନ୍ନ ଅଛି ସ୍ୱାଦହୀନ , ଥାଳି ଅଛି ସମ୍ପର୍କ ହୀନ। ଏକବିଂଶ ଶତାବ୍ଦୀର ଧନାଢ୍ଯ ସହରୀ ରାକ୍ଷୀ ।


    

      ଭାଇ କହୁଥିଲେ, ଏ.... ସୋନା, ଦେଖ ସାଙ୍ଗେ ସାଙ୍ଗେ ଫେସବୁକରେ ଶହେ ଲାଇକ। ସୋନା କହିଉଠିଲା, ହଁ ଭାଇ, ଏଇ ଦେଖୁନ ଗଳ୍ପ ଗୁଡାକ ମୁଁ ଅଧା ଇଂରାଜୀ ଅଧା ଓଡିଆରେ ଗୁଗଲରୁ କପି କରି ଛାଡିଲେ ବି ପାଠକଙ୍କ ପସନ୍ଦ, କାହିଁକି ଜାଣିଛ? ଭାଇ ପଚାରିଲେ କାହିଁକି? ମୋର ଲେଖା ଆଧୁନିକ ଓ ସବୁଥିରେ ପ୍ରେମର ଛୁଙ୍କ ତାଛଡା ଲୋକ ସମ୍ପର୍କ। ସେ ଶଳା ଗୋଟେ ଲେଖକ ସିଦ୍ଧାର୍ଥ ଅଛି ଯେ ସବୁବେଳେ ଆମପରି ଲେଖିକା ଗୁଡାକୁ ଆପତ୍ତି କରେ। ତା ଲେଖା କେହି ପଢନ୍ତିନି ମ। ଆଜିକାଲିର ଛୁଆଙ୍କୁ କଠିନ ଶବ୍ଦ ବିଶ୍ଳେଷଣର ସମୟ କାହିଁ ଯେ, ସମସ୍ତଙ୍କୁ ଆବଶ୍ୟକ ଗଳ୍ପର ଧାରା। ହେଲେ ସେ........,ଅଟକାଇ ଭାଇ କହିଲେ ଛାଡ, ଯାଆ ନୂଆଁ ଗାଡିରେ ଘୁରିଆସେ। ବିଳମ୍ବ ହେଲେ ପୋଲିସ ଛାଡିବନି । ହଁ ଭାଇ ଯିବି, ଫେରିକି ସେ ମଫ ସାଙ୍ଗ ଅନିତା ସହ କଥାହେବି। ଗରୀବ ଝିଅ କିନ୍ତୁ ଭାରୀ ବଡ ବଡ କଥା।


       ଦ୍ରୁତ ଗତିରେ କାର ଚଲୋଉ ଚଲୋଉ ସୋନି ଫୋଟ ଉଠାଇ ଅନଲାଇନରେ ଦେଇ ଦେଖୁଥିଲା, ବାଃ ତାର ଅସଂଖ୍ଯ ପ୍ରଶଂସକ। ହଠାତ.......!

କାର ଧକ୍କା ହେଲା ପୋଲରେ। ରକ୍ତ ଜୁଡୁବୁଡୁ ଶରୀର। ଲୋକ ଫୋଟ ଉଠାଇବାରେ ବ୍ୟସ୍ତ। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭଙ୍କ ପ୍ରଶ୍ନ; ଏହି ଦୁର୍ଘଟଣାରେ ଆପଣ ଆଘାତପ୍ରାପ୍ତ, କଣ ଅନୁଭବ କରୁଛନ୍ତି ଆପଣ? ଅର୍ଦ୍ଧଚେତନ ଅବସ୍ଥାରେ ଦାନ୍ତ କାମୁଡି ଚୁପ ରହିବା ଛଡା କିଛି ଚାରା ନଥିଲା ତାର।


      ଭିଡ ଦେଖି ସେଇପଟେ ସଂଯୋଗବଶତଃ ଯାଉଥିବା ସିଦ୍ଧାର୍ଥ ଭିଡ ଆଡେଇ ପହଞ୍ଚିଲା ଓ ଜାଣିପାରିଲା ସୋନାକୁ।ବିଳମ୍ବ ନକରି ବା ଆମ୍ୱୁଲେନସର ଅପେକ୍ଷା ନକରି ନିଜ ବୁଲେଟରେ ସୋନାକୁ ଡାକ୍ତରଖାନା ନେଇଗଲା। ରାସ୍ତାରୁ ଫୋନନମ୍ବର ନେଇ ସୋନାର ଭାଇକୁ ଫୋନ କରି ସୋନା ବିଷୟ ଅବଗତ କରାଇଲା ସିଦ୍ଧାର୍ଥ। ସେପଟୁ ଉତ୍ତର ଥିଲା, ଆପଣ ତାକୁ ଭଲ ଡାକ୍ତରଖାନାରେ ଆଡମିସନ କରିଦିଅନ୍ତୁ, ମୁଁ ଗୋଟିଏ ମିଟିଙ୍ଗରେ ଅଛି, ପରେ ଆସିବି। ମନେ ମନେଭାବୁଥିଲା ସିଦ୍ଧାର୍ଥ, ଆମେ ସବୁ ଏକବିଂଶ ଶତାବ୍ଦୀରେ। ଯେଉଁଠି ସମ୍ପର୍କର ଓଜନ ଧନରେ। 


     ଡାକ୍ତରଖାନାରେ ଭର୍ତ୍ତି ହେଲା ପରେ ସିଦ୍ଧାର୍ଥର ପରିଚୟ ପାଇଲା ସୋନା। ଗରଗର ହୋଇ କହିଲା ଆପଣ ଏଥର ଆସିପାରନ୍ତି। ମୋର ଆକ୍ସିଡେଣ୍ଟ ଖବର ସୋସିଆଲ ମିଡିଆରେ ଛାଇ ଗଲାଣି, ମୋର ଶହଶହ ପ୍ରଶଂସକ ବର୍ତ୍ତମାନ ପହଞ୍ଚିଯିବେ। ମୁରୁକି ହସୁଥିଲା ସିଦ୍ଧାର୍ଥ।ଡାକ୍ତର ଚିକିତ୍ସା ଆରମ୍ଭ କଲା ପରେ ସେଠାରୁ ବାହାରିଗଲା ସିଦ୍ଧାର୍ଥ। 


    

   ବାରଣ୍ଡାରେ ଲକ୍ଷ୍ୟ କଲା ଝିଅଟିଏ ଛଟପଟ ହେଉଛି, ସାଲାଇନ ଲାଗିଛି। ଅନତିଦୂରରେ ଲୋକଟିଏ ଡାକ୍ତରଖାନାକୁ  ଆସୁଥିବା ଲୋକଙ୍କର ଯୋତା ପଲିଶ କରି ମଝିରେ ମଝିରେ ଝିଅଟିକୁ ଲକ୍ଷ୍ୟ କରୁଛି। ଝିଅଟିର ସମ୍ପର୍କିୟ ବୋଧେ। କୌତୁହଳରେ ପାଖରେ ପହଞ୍ଚିଗଲା ସିଦ୍ଧାର୍ଥ। ଲୋକଟି କହିଲା, ବାବୁ! ବୁଟପାଲିସ। ସିଦ୍ଧାର୍ଥ ପଚାରିଲା, ଏ ଝିଅ କଣ ତମର ଚିହ୍ନା ପରିଚୟ। ଲୋକଟି କହିଲା ହଁ ବାବୁ,ଆମେ ଗାଉଁଲି ଲୋକ, ସେ ମୋର ଭଉଣୀ। ଭଲ ପାଠପଢେ। ମୁଁ ମୁଲଲାଗି ପେଟପୋଷେ। ଆଜି ଭଉଣୀ ମୋ ହାତରେ ରାକ୍ଷୀ ବାନ୍ଧିଲା ପରେ ହଠାତ ଅଚେତ ହୋଇଗଲା। ଗାଆଁରୁ ଏଠାକୁ ଆଣିଲି। ପାଖରେ ବିଶେଷ ଅର୍ଥ ନଥିଲା, ତେଣୁ ବୁଟପାଲିସ କରୁଛି କିଛି ଅର୍ଥ ଯୋଗାଡ ହେଲେ ଭଉଣୀକୁ ହସ୍ପିଟାଲ ଭିତରେ ଦାଖିଲା ମିଳିବ। ସିଦ୍ଧାର୍ଥ କିଛି ସାହାଯ୍ଯ କରିବାକୁ ଚାହୁଁଥିଲା, ହଠାତ ପଛରୁ ଅନିତା ଡାକ ଶୁଣି ପଛକୁ ଅନେଇ ଦେଖିଲା ସୋନାକୁ। କହି ଉଠିଲା ସିଦ୍ଧାର୍ଥ, ଆରେ ସୋନା ତମେ ବିଶ୍ରାମ ନକରି କୁଆଡେ ଘୁରିବୁଲୁଛ? ଆଉ ତମ ପ୍ରଶଂସକ ଗଲେ କୁଆଡେ? ଆଖିଛଳଛଳ କରି ସୋନା ମୋବାଇଲ ଦେଖାଉଥିଲା, ଲେଖାଥିଲା " ଆଶୁ ଆରୋଗ୍ଯ କାମନା " । ସୋନାର ଭାଇ ବି ପହଞ୍ଚିନଥିଲେ। ଦୁହେଁ ଅନିତାକୁ କିଛି ସାହାଯ୍ଯ କରିବାକୁ ଚାହିଁଲେ। ଲୋକଟି କହିଲା ନା ବାବୁ! ମୋ ଭଉଣୀ ପରା ରାକ୍ଷୀ ବାନ୍ଧିଛି ଭରସାର, ଆତ୍ମବିଶ୍ୱାସର। ତମଠାରୁ ଅର୍ଥ ନେଲେ ମୁଁ ମୋ ଭଉଣୀର ରାକ୍ଷୀ ପାଖରେ ଅପରାଧି ହୋଇଯିବି, ତାଛଡା ମୋ ପ୍ରଚେଷ୍ଟାରେ ମୁଁ ଆବଶ୍ୟକୀୟ ଅର୍ଥ ଯୋଗାଡ କରିସାରିଛି। ଆପଣମାନଙ୍କୁ ଧନ୍ୟବାଦ ମାନବିକତାର ପରିଚୟ ଦେଇଥିବାରୁ। ଡାକ୍ତର ଆସି କହୁଥିଲେ ସୋନା ମ୍ୟାଡମ ଆପଣଙ୍କ ଭାଇ ଫୋନ କରିଥିଲେ, ସେ ଆସିପାରିବେ ନାହିଁ ହେଲେ ଆପଣଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ ବରାଦ କରିଛନ୍ତି। ସୋନାର ଆଖିର ଅଶ୍ରୁ ବୋଲମାନୁନଥିଲା। ଡାକ୍ତରଙ୍କୁ କହିଲା ସାଙ୍ଗ ଅନିତାକୁ ସେହି ଶୀତତାପ ନିୟନ୍ତ୍ରିତ କୋଠରୀକୁ ସ୍ଥାନାନ୍ତର ପାଇଁ ଓ କହୁଥିଲା, ସହରର କୋଟିପତି ନାଗରିକଗଣ, ତମେ କୁହ, ଧନୀ କିଏ? ସୋନା ନା ଅନିତା?? ହସିହସି ଆଗକୁ ବଢୁଥିଲା ସିଦ୍ଧାର୍ଥ, କିଏ ପଢୁ ବା ନପଢୁ ସେ କାହାଣୀ ପାଇସାରିଥିଲା ।


Rate this content
Log in

Similar oriya story from Abstract