Dr Rashmita Panigrahi

Fantasy Others

3  

Dr Rashmita Panigrahi

Fantasy Others

ପୁନର୍ଜନ୍ମ

ପୁନର୍ଜନ୍ମ

7 mins
79



  ସୂର୍ଯ୍ୟୋଦୟ ପୂର୍ବରୁ ରାସ୍ତାରେ ଦୁଇ /ତିନି କିଲୋମିଟର ଦୌଡିବା ସାଙ୍ଗକୁ ପାର୍କ ରେ କିଛି ରାଉଣ୍ଡ ମାରିବା ଟା ଅନୁରାଗ ବାବୁଙ୍କର ପୁରୁଣା ଅଭ୍ୟାସ l ଦୀର୍ଘ କୋଡିଏ ବର୍ଷ ରୁ ବେଶୀ ହେଇ ଗଲାଣି, ବହୁତ କିଛି ବଦଳି ଗଲାଣି, ୟା ଭିତରେ, ଅନୁରାଗ ବାବୁ ବାହାସାହା ହେଇ ଗୋଟିଏ ପିଲା ର ବାପା ବି ହେଇ ସାରିଲେଣି, କିନ୍ତୁ ବଦଳି ନାହିଁ ତାଙ୍କର ଏଇ ଅଭ୍ୟାସ l ବଦଳିବ ବା କେମିତି, ଡାକ୍ତର ବି ଏଇ ପରାମର୍ଶ ଦେଉଛନ୍ତି ସୁଗାର କଣ୍ଟ୍ରୋଲ ପାଇଁ l ପାର୍କ ଭିତରେ କେତେ ଲୋକ ଭିଡ଼ କଲେଣି ଆଜିକାଲି l ସମସ୍ତ ଙ୍କୁ ଫିଟନେସ ର ନିଶା ଘାରିଛି l କିଏ ଯୋଗ କରୁଛି ତ କିଏ ପ୍ରାଣାୟାମ, କିଏ ଧୀରେ ଚାଲୁଛି ତ କିଏ ଦ୍ରୁତ ଗତିରେ l ଖୁବ ଆପଣାର ଲାଗେ ଏଇ ମୁହୂର୍ତ୍ତ ଟା l ବେଶ କିଛି ଦିନ ହେବ ଅନୁରାଗ ବାବୁ ଅନୁଭବ କରୁଛନ୍ତି ଏକ ନୂଆ ଶିହରଣ ନିଜ ଦେହ ଓ ମନ ରେ, ଠିକ ଯେତେବେଳେ ତାଙ୍କ ଆଖି ପଡିଯାଉଛି ପାର୍କର ଉତ୍ତର କଡ଼ ରେ ଥିବା ବେଞ୍ଚ ଉପରେ, ମାତ୍ର ଗୋଟିଏ ରାଉଣ୍ଡ ଦୌଡ଼ି ଆସି ବିଶ୍ରାମ ନେଉଥିବା ସେଇ ଭଦ୍ର ମହିଳା ଜଣଙ୍କୁ ସେଠାରେ ବସିଥିବାର ଦେଖିଦେଲେ l ପୋଷାକ ପରିପାଟୀ ରୁ ଜଣାପଡୁଛନ୍ତି ବେଶ ସମଭ୍ରାନ୍ତ ପରିବାର ରୁ ଆସିଛନ୍ତି l ବୟସ ବି ଖୁବ ଗୋଟେ କମ ନୁହେଁ କି ବେଶୀ ବି ନୁହଁ l ଚେହେରା ସୁନ୍ଦର ନହେଲେ ବି ଆକର୍ଷଣୀୟ l ସେ ଭଦ୍ର ମହିଳାଙ୍କ ଉପରେ ଟିକିଏ ନଜର ପଡିଗଲେ ଅନୁରାଗ ବାବୁଙ୍କ ମନରେ ଅଦ୍ଭୁତ ଆନନ୍ଦ ର ଲହରୀ ଖେଳି ଯାଉଛି l ଯେଉଁ ଦିନ କିଛି ବ୍ୟକ୍ତିଗତ ଅସୁବିଧା ରୁ ମହିଳା ଜଣକ ଆସୁ ନାହାନ୍ତି, ସେଦିନ କିନ୍ତୁ ପାର୍କ ଟା ଭାରି ଅଶାନ୍ତ ମନେ ହେଉଛି l ଅନୁରାଗ ବାବୁ ଆଉ ବେଞ୍ଚ ରେ ବସୁ ନାହାନ୍ତି କି ବିଶ୍ରାମ ନେବା ବି ଦରକାର ପଡୁନି l ଏମିତି ଚାଲିଛି ହେଇଗଲାଣି ପାଖାପାଖି ପାଞ୍ଚ /ଛଅ ମାସ ରୁ ଅଧିକ l ଯଦି କେଉଁ ଦିନ ଭଦ୍ରମହିଳା ଜଣକ ହସୁ ଥିବାର ସେ ଦେଖି ଦିଅନ୍ତି, ସେ ଦିନଟା ତାଙ୍କର ଖୁସିରେ ଭରିଯାଏ l ସବୁକାମ ଭଲ ରେ ଭଲରେ ସରିଯାଏ l ଏହାର କାରଣ ଖୋଜିବା ଖୁବ ଗୋଟେ ଆବଶ୍ୟକ ବୋଲି ମନେ କରି ନାହାନ୍ତି 

ଅନୁରାଗ ବାବୁ l

     ଏବେ କିନ୍ତୁ ରାସ୍ତାରେ ଦୌଡ଼ିବା ବନ୍ଦ କରି ସେ, ଭଦ୍ରମହିଳା ଙ୍କ ଆସିବା ଆଗରୁ ଆସିଯାଆନ୍ତି ପାର୍କ ଭିତରକୁ l ଦୌଡ଼ିବା ଟା ଏବେ ଏକ ବାହାନା, ସତ କଥା କିନ୍ତୁ ଭଦ୍ରମହିଳା ବସିଥିବା ବେଞ୍ଚ ଆଗ ଦେଇ ବାରମ୍ବାର ଅତିକ୍ରମ କରିବା ଆଉ ତାଙ୍କୁ ଆଖି ପୂରେଇ ଦେଖି ନେବା l

     ସେଦିନ କିନ୍ତୁ ଘଟଣାଟା ଭିନ୍ନ ପ୍ରକାର ର ଥିଲା l କ୍ୟାଲେଣ୍ଡର ର ତାରିଖଟା କେମିତି ଭୁଲିବେ ଅନୁରାଗ ବାବୁ l ଫେବୃୟାରୀ ଚଉଦ ତାରିଖ l ଭଦ୍ର ମହିଳା ଜଣକ ହଠାତ ବେଞ୍ଚରୁ ଉଠି ଆସି ଅନୁରାଗ ବାବୁଙ୍କ ସହ ଦୌଡ଼ିବା ଆରମ୍ଭ କରନ୍ତି ଆଉ ଗୁଡ଼ମର୍ଣ୍ଣି ବି କହନ୍ତି l କେଜାଣି କେମିତି ଅନୁରାଗ ବାବୁ ତାଙ୍କୁ ଭାଲେଣ୍ଟlଇନ ଡେ ର ଶୁଭେଚ୍ଛା ବି ଜଣାଇ ଦିଅନ୍ତି l ପ୍ରତି ଉତ୍ତର ରେ ସେ ମଧ୍ୟ ହ୍ୟାପି ଭାଲେଣ୍ଟlଇନ ଡେ କହି ବିଦାୟ ନିଅନ୍ତି l

    ଭଦ୍ରମହିଳା ପାର୍କ ରୁ ବାହାରି ଯାଆନ୍ତି ଆଉ ଅନୁରାଗ ବାବୁ ସେଇଠି ଧପ କିନା ଘାସ ଉପରେ ଆଣ୍ଠେଇ ପଡି ଈଶ୍ୱର ଙ୍କୁ ଶତ ଧନ୍ୟବାଦ ଜଣାନ୍ତି, ଏଇ ଅଦ୍ଭୁତ ଖୁସି ପ୍ରଦାନ କରିଥିବାରୁ l ଆଖିରୁ ଧାର ଧାର ଲୁହ ଅମାନିଆ ହେଇ ଗଡି ଆସୁଥାଏ, ଯାହାର କାରଣ ସେ ନିଜେ ବି ଖୋଜି ପାଉ ନାହାନ୍ତି l ନିଜକୁ ପ୍ରକୃତିସ୍ଥ କରି ଫେରି ଆସନ୍ତି ଅନୁରାଗ ବାବୁ l

     ଏଥର କିନ୍ତୁ ରାସ୍ତାରେ ଦୌଡ଼ିବା ପୂରା ବନ୍ଦ l ଭଦ୍ରମହିଳା ଙ୍କ ଉପସ୍ଥିତି ପୂର୍ବରୁ ଅନୁରାଗ ବାବୁ ପାର୍କରେ ହଜାର ହୁଅନ୍ତି l ତାଙ୍କ ସହ ଦୁଇ ରାଉଣ୍ଡ ଦୌଡ଼ିବା ପରେ ଆଉ ଦୌଡ଼ିବା ବି ବନ୍ଦ l ସେଇ ଦୁଇ ରାଉଣ୍ଡ ରେ ସଂସାର ଯାକର ସବୁ କଥା ଦୁହେଁ ହେଇ ଯାଆନ୍ତି l 

    ଦିନ ପରେ ଦିନ ଗଡି ଚାଲେ l କଥା ହେବା ଟା ପାର୍କ ରୁ ଯାଇ ମେସେଞ୍ଜର, ହ୍ଵାଟ୍ସଆପ ରେ ପହଞ୍ଚେ l ବନ୍ଧୁତ୍ବ ଧିରେ ଧିରେ ଗାଢ଼ ରଙ୍ଗ ମାଖିବା ଆରମ୍ଭ କରେ l ୟା ଭିତରେ ଗୋଟାଏ ବିରାଟ ପରିବର୍ତ୍ତନ ଆସେ ଅନୁରାଗ ବାବୁଙ୍କ ବ୍ୟକ୍ତିଗତ ଜୀବନ ରେ, ତାଙ୍କ ସ୍ୱାସ୍ଥ୍ୟ ରେ l ଆଜି ପର୍ଯ୍ୟନ୍ତ ପରିବାର ର ଯେଉଁ ସଦସ୍ୟ ମାନେ ତାଙ୍କୁ ହେୟ ଜ୍ଞାନ କରୁଥିଲେ, ସେମାନେ ଏବେ ପ୍ରଶଂସା କରିବା ଆରମ୍ଭ କରନ୍ତି l ସରକାରୀ ଚାକିରି ଛାଡି ବିଜିନେସ କରନ୍ତି ବୋଲି ବିବାହ ର ପ୍ରଥମ ମାସରୁ ଖାତିର କରୁ ନ ଥିବା ସ୍ତ୍ରୀ ଏବେ ଭାରି ଖାତିର କରିବା ଆରମ୍ଭ କରନ୍ତି l ବ୍ୟାପାର ରେ ଯେଉଁ ମାନେ ଟଙ୍କା ନେଇ ବସି ଯାଇଥିଲେ, ଏବେ ଜଣ ଜଣ କରି ଆସି ଫେରାଉ ଛନ୍ତି l 

      ସତରେ କେଡେ ଆଶ୍ଚର୍ଯ୍ୟ ! ଯେମିତି ଅନୁରାଗ ବାବୁ ଙ୍କ ଜୀବନ ରେ ଶ୍ରୀଲକ୍ଷ୍ମୀ ଙ୍କର ଆଗମନ ହେଇଛି l ଅସାମାହିତ ସମସ୍ୟା ର ଘେର ରେ ବର୍ଷ ବର୍ଷ ଧରି ବୁଡି ରହିଥିବା ଅନୁରାଗ ବାବୁ ଏବେ ଖୁବ ହସୁଛନ୍ତି l ନିଜକୁ ବିଶ୍ୱାସ କରି ପାରୁନାହାନ୍ତି ଏସବୁ ସମ୍ଭବ ହେଇ ପାରୁଛି କେମିତି ବୋଲି !

    ମାତ୍ରାଧିକ ଖୁସି ରେ କାହା ନଜର ଲାଗି ଗଲା କି କଣ, ତୁଚ୍ଛା ଟାରେ ପାଦ ସ୍ଲିପ କରିଗଲା ବାଥରୁମ ରେ, କଚାଡି ହେଇ ପଡିଲେ ସେଇଠି l କପାଳ ଟା କାନ୍ଥ ରେ ଲାଗି ଥିବା କଣ୍ଟା ରେ ଏମିତି ବାଡେଇଲା ଯେ ଝର ଝର ରକ୍ତ ବୋହି ଚାଲିଲା l ହାତ, କହୁଣୀ, ପାପୁଲି ପୂରା ବାଡେଇ କି ସଙ୍ଗେ ସଙ୍ଗେ ଫୁଲି ଗଲା l ଅବସ୍ଥା ଏମିତି ଅସମ୍ଭାଳ ହେଲା ଯେ ହସ୍ପିଟାଲ ନେବାକୁ ପଡିଲା l ରକ୍ତ ବନ୍ଦ ହେବା ର ନାଁ ନେଉ ନ ଥାଏ l ଇଞ୍ଜେକ୍ସନ ଟା ପଡିଲା ପରେ ଯାଇ ଥମିଲା l ଯନ୍ତ୍ରଣା କମିବା ଲାଗି ଡାକ୍ତର ପେନ କିଲର ନ ଦେଇ ନିଦ ପାଇଁ ଟାବଲେଟ ଦେଇ ଦେଲେ l ବିଚରା ଅନୁରାଗ ବାବୁ, ଡିସ୍ଚାର୍ଜ ତ ହେଇକି ଆସିଲେ, ହେଲେ ଘରେ ଶୋଇଲେ ଯେ ପୂରା ପର ଦିନ ସକାଳ ନଅଟା ଯାଏ l ନିଦ ଭାଙ୍ଗିଲା ପରେ କେଜାଣି କାହିଁକି ଯନ୍ତ୍ରଣା ବଢ଼ି ବଢ଼ି ଚାଲିଲା l ବୋଧ ହୁଏ ଦେହ ଠୁ ମନ ର ଯନ୍ତ୍ରଣା ଅଧିକ ଥିଲା l ଆଙ୍ଗୁଠି ରେ ମାଡ କାରଣ ରୁ ମୋବାଇଲ ଧରିବା ବି ସମ୍ଭବ ହେଉ ନ ଥିଲା l ନା ସେ ପାର୍କ ଯାଇ ପାରିଲେ, ନା ଭଦ୍ର ମହିଳା ଙ୍କ ସହ କଥା ଟିକେ ବି ହେଇ ପାରିଲେ l ଏମିତି ରେ ଚାରି ପାଞ୍ଚ ଦିନ ଖୁବ କଷ୍ଟ ରେ ଅତିବାହିତ କରିବା ପରେ ପୁଣି ବାହାରି ପଡିଲେ ମର୍ଣ୍ଣି ୱାକ ରେ l

      ପାର୍କ ରେ ଯାଇ ଦେଖନ୍ତି ତ ଭଦ୍ର ମହିଳା ଦୌଡ଼ିବା ବଦଳରେ ଚାଲୁଛନ୍ତି କେବଳ l କଣ ହେଇଛି ବୁଝିବା ବେଳକୁ କିଛି ହେଇନି ତଥାପି ଦେହ ହାତ ସବୁ ଭୀଷଣ ଭାବେ ବ୍ୟଥା ରେ ପୂର୍ଣ୍ଣ l ଖାଲି ସେତିକି ନୁହଁ, ମୁହଁ ଟା ବି ଶୁଖି ଯାଇଛି l ଯେମିତି ହସ୍ପିଟାଲ ରୁ ଉଠିକି ଆସିଛନ୍ତି l

କିଛି କାରଣ ନ ଥାଇ ଦେହ ହାତ ରେ ଯନ୍ତ୍ରଣା, ମେଡ଼ିସିନ କଣ କହି ମାଗିବେ ଡାକ୍ତର ଙ୍କୁ l ତେଣୁ ବିଶ୍ରାମ ନେଇ ଅପେକ୍ଷା କଲେ ଧିରେ ଧିରେ ଠିକ ହେବାକୁ l ଭାବିଲେ କାଳେ ଦୌଡ଼ିବା ଟା କେତେବେଳେ ଜୋର ରେ ହେଇ ଯାଇଛି କି କଣ l ତେବେ ବ୍ୟଥା ର କାରଣ ସମ୍ପୂର୍ଣ ଅସ୍ପଷ୍ଟ l ଅନୁରାଗ ବାବୁ ଏଥର ସୁସ୍ଥ ହେଇ ଆସିଲେଣି, ଆଉ ଯାହା ଯନ୍ତ୍ରଣା ଅଛି ସାମାନ୍ୟ, ସେପଟେ ସେ ଭଦ୍ର ମହିଳା ଙ୍କ ଶରୀର ର ଯନ୍ତ୍ରଣା ବି ଉପଶମ ହେଇଗଲା ଆପେ ଆପେ l

     ହେଇପାରନ୍ତି ଅନୁରାଗ ବାବୁ ବିଜ୍ଞାନ ର ଛାତ୍ର ତଥାପି ଆଷ୍ଟ୍ରଲୋଜି ଠୁ ଆରମ୍ଭ କରି ଈଶ୍ୱରତତ୍ତ୍ୱ ପର୍ଯ୍ୟନ୍ତ ସେ ବହୁତ କିଛି ଅଧ୍ୟୟନ କରିଛନ୍ତି l ମନେ ମନେ ଆଶଙ୍କିତ ହେଲେ ତାଙ୍କ ଶରୀର ର ଯନ୍ତ୍ରଣା ଟ୍ରାନ୍ସଫରମ ହେଇନି ତ ! ଯାହା ଦ୍ୱାପର ଯୁଗରେ ସମ୍ଭବ ହେଇ ପାରୁଥିଲl l ଆଗରୁ ମଧ୍ୟ ଲକ୍ଷ କରିଛନ୍ତି ଅନୁରାଗ ବାବୁ ଯେବେ ତାଙ୍କୁ ଥଣ୍ଡା, ଜ୍ୱର, ସେଇ ଏକା ସମୟ ରେ ସେ ଭଦ୍ର ମହିଳା ମଧ୍ୟ ସମାନ ସ୍ଥିତି ଦେଇ ଗତି କରିବାର l ମୁହଁ ରେ ପ୍ରକାଶ ନ କଲେ ବି ମନେ ମନେ ସନ୍ଦେହ ଓ ଆଶ୍ଚର୍ଯ୍ୟ ର ସୀମା ଅତିକ୍ରମ କରିଗଲେ ଅନୁରାଗ ବାବୁ l 

    ଲାଇକ ମାଇଣ୍ଡେଡ ପିଉପୁଲ ଯେମିତି ପରସ୍ପର କୁ ଭଲ ଲାଗନ୍ତି, ଏକା ପ୍ରକାର ର ଅନୁଭୂତି ମଧ୍ୟ ଦୁଇ ଜଣଙ୍କୁ ଆହୁରି ପାଖକୁ ନେଇ ଆସେ l ଧିରେ ଧିରେ ପରସ୍ପର ର ଲାଇକ, ଡ଼ିସଲାଇକ, ହବି ସବୁ ଖୋଜିଲା ବେଳକୁ ଅଧିକାଂଶ ସମାନ ଆସେ l ଏପରି କି ଉଭୟେ ଦାମ୍ପତ୍ୟ ଜୀବନ ରେ ଅସନ୍ତୁଷ୍ଟ ଓ ଅତିଷ୍ଠ

ଥିବା ଟା ବି l

      ସମୟ ଆଗକୁ ଗଡି ଚାଲେ l ଅନୁରାଗ ବାବୁ ଆଉ ସେ ଭଦ୍ର ମହିଳା ଙ୍କ ଭିତରେ ସମାନତା ର ସ୍ତର ବେଶ ଆଚମ୍ବିତ କରେ ସେ ଦୁହିଁଙ୍କୁ l ଭଦ୍ର ମହିଳା ଙ୍କ କହିବା କଥା ଏ ସୃଷ୍ଟି ନାନା ବିସ୍ମୟ ରେ ପରିପୂର୍ଣ l ସେ ଦୁଇ ଜଣଙ୍କ ଚରିତ୍ର ରେ ଦେଖା ଯାଉଥିବା ସମାନତା, ସେମାନଙ୍କ ସହ ଘଟୁ ଥିବା ଘଟଣା ରେ ସମାନତା , ସେହି ବିସ୍ମୟ ଭିତରୁ ଗୋଟିଏ l 

  ଅନୁରାଗ ବାବୁଙ୍କର ଦୃଢ଼ ଉକ୍ତି, "ନା ସେମାନେ ପୂର୍ବ ଜନ୍ମ ରୁ କର୍ମ ଦ୍ୱାରା ଜଡିତ l ଜନ୍ମ ଜନ୍ମ ରୁ ପରସ୍ପର ର ନିକଟ ତର, କେଉଁ କର୍ମ ଗତ ଦୋଷ ରୁ ଏଇ ଜନ୍ମ ରେ ଅଲଗା ହେଇ ଯାଇଛନ୍ତି, ଯାହାର ପରିଣାମ ସ୍ୱରୂପ ଜୀବନ ରେ ସଫଳତା ମିଳୁନି ସେମାନଙ୍କୁ, କେବଳ ବଞ୍ଚି ଛନ୍ତି l" 

  ଭଦ୍ର ମହିଳା ଆଶ୍ଚର୍ଯ୍ୟ ହେଇ ପଚାରି ଛନ୍ତି, ଏମିତି କଣ ସମ୍ଭବ ! 

ଅନୁରାଗ ବାବୁ କହି ଉଠନ୍ତି, "ଯାହା ବି ମୁଁ କହୁଛି ମନ କୁ ମନ କହୁନି ମ୍ୟାଡ଼ାମ l ମୋ ନିଜ ଅନୁଭବ କୁ ଆଧାର କରି କହୁଛି l ଆପଣଙ୍କୁ ଭେଟିବା ପରେ ମୋ ଭିତରେ ଶକ୍ତି ସଂଚାର ହେଉଛି, ମୁଁ ପରିପୂର୍ଣ୍ଣ ହେଇ ଉଠୁଛି l ଏତେ ବର୍ଷ ଧରି ଅନେକ ଚେଷ୍ଟା କରି ଯାହା କରି ପାରିନି, ଆଜି କ୍ଷଣିକ ରେ କରି ଦେଉଛି l ଆପଣ ମୋ କଥା ବିଶ୍ୱାସ କରନ୍ତୁ କି ନ କରନ୍ତୁ ପିଲା ଦିନ ରୁ ଆଜି ପର୍ଯ୍ୟନ୍ତ ଆମ ଦୁଇ ଜଣ ଙ୍କ ଜୀବନ କୁ ଅନୁଧ୍ୟାନ କରି ମୁଁ ଦେଖି ସାରିଛି, ଅନେକ ସମାନତା l ଗୋଟେ ସମୟ ରେ ମୃତ୍ୟୁ ସହ ଲଢେଇ କରି ଫେରିଛି ମୁଁ, ଆପଣ ବି ସେଇ ଏକା ସମୟ ରେ ମୃତ୍ୟୁବତ କଷ୍ଟ ପାଇଛନ୍ତି l ଆଜି ମୋର ଅନେକ ଶାରୀରିକ ସମସ୍ୟା ରହିଛି, ଆପଣ ଦେଖୁ ନାହାନ୍ତି, ସେଇ ଏକା ସମସ୍ୟା ଆପଣଙ୍କ ଭିତରେ ବି ! 

   ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେଉଁ ଦିନ 

ଆପଣଙ୍କୁ ପ୍ରଥମେ ଭେଟିଲି, ମୋତେ ଏକ ଅପୂର୍ବ ଆନନ୍ଦ ର ଅନୁଭବ ହେଇ ଥିଲା l ମୁଁ ଅଜାଣତରେ ଆପଣ ବସି ଥିବା ବେଞ୍ଚ ଯାଏ ଚାଲି ଯାଇଥିଲି l ମୋ ଚାରି ପାଖରେ ଘଟୁ ଥିବା ସୁନ୍ଦର ପରିବର୍ତ୍ତନ କୁ ମୁଁ ବୁଝି ପାରୁ ନଥିଲି l ସବୁଠୁ ବଡ଼ କଥା ହେଉଛି ପ୍ରଥମେ ଆପଣଙ୍କ ପରି ମୁଁ ବି ବିଶ୍ୱାସ କରୁ ନ ଥିଲି, କିନ୍ତୁ ଧିରେ ଧିରେ ଲାଗିଲା ଆପଣଙ୍କ ବିନା ମୋର ଅସ୍ତିତ୍ୱ ନାହିଁ l ତାପରେ ମୋର ଜନ୍ମ ଜାତକ ବାହାର କରି କିଛି ବିଶିଷ୍ଟ ଜ୍ୟୋତିଷlଚାର୍ଯ୍ୟ ମାନଙ୍କୁ ପଠାଇ ଏହାର କାରଣ ପଚାରିଲି l ଜଣେ ଦୁଇ ଜଣ କିଛି କହି ପାରିଲେନି,ଆଉ ଜଣେ କହିଲେ ଏଇଟା ଅସମ୍ଭବ l ହେଲେ ଯିଏ ପିଲା ବେଳୁ ମୋ ଜାତକ ବିଚାର କରିଛନ୍ତି, ସେ କିନ୍ତୁ ଖୁସି ପ୍ରକଟ କଲେ, କିଛି ଟା ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ଏମିତି ସମ୍ଭବ ସ୍ୱୀକାର ବି କଲେ l ଖାଲି ସେତିକି ନୁହଁ, କହିଲେ ତୁମ ଦୁଃଖ ଗଲା l କାରଣ ଦୁଇ ବର୍ଷ ତଳେ ସେ ହିଁ ସୂଚନା ଦେଇ ଥିଲେ, କେହି ଜଣେ ମୋ ଜୀବନ ରେ ଏମିତି ଆସିବେ, ଯାହାଙ୍କ ପାଇଁ ମୁଁ ବଦଳି ଯିବି, ମୋର ସମସ୍ୟା ସୁଧୁରି ଯିବ, ଉନ୍ନତି ର ସବୁ ମାର୍ଗ ଆପେ ଆପେ ଖୋଲି ଯିବ l ସେତେବେଳେ କିନ୍ତୁ ତାଙ୍କର ଏକଥା କୁ ମୁଁ ହସି କି ଉଡେଇ ଦେଇ ଥିଲି l

    ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ଅନ୍ୟ ମାନେ ଏ କଥା କୁ ଉପହାସ କରନ୍ତୁ ବା ନ କରନ୍ତୁ, ମୁଁ କିନ୍ତୁ ଗ୍ରହ, ନକ୍ଷତ୍ର ମାନଙ୍କର ଗତିଵିଧି କୁ ବିଶ୍ୱାସ କରେ, ଆଉ ବିଶ୍ୱାସ କରେ କର୍ମଫଳ ଓ ପୁନର୍ଜନ୍ମ କୁ, ଏବେ ବିଶ୍ୱାସ କରୁଛି ଆପଣ ଓ ମୋର ଜନ୍ମ ଜନ୍ମାନ୍ତର ର ସମ୍ପର୍କ କୁ l ଗୋଟାଏ ବିସ୍ମୟ ବିଜଡିତ ନେତ୍ର ରେ ଚାହିଁ ରହି ଥାଆନ୍ତି ଭଦ୍ର ମହିଳା ଅନୁରାଗ ବାବୁଙ୍କୁ ଆଉ ମନେ ମନେ ଜିଜ୍ଞାସା ବଢ଼ି ଚାଲିଥାଏ ପୁନର୍ଜନ୍ମ ର ସତ୍ୟତା କୁ ନେଇ l 


Rate this content
Log in

Similar oriya story from Fantasy