Rashmita Panigrahi

Fantasy

2  

Rashmita Panigrahi

Fantasy

ଅନ୍ତର୍ମନ

ଅନ୍ତର୍ମନ

4 mins
18



   ସୁସଜ୍ଜିତ ସଭାମଞ୍ଚ । ଭାଷଣ ରତ ମାନ୍ୟବର ମନ୍ତ୍ରୀ ମହୋଦୟ । ଗୋରା ତକ ତକ ମୁହଁରେ ଲାଲ ତିଳକ ଟା ଆଜି ବେଶ ମାନୁଛି । ଧୋବ ଫରଫର ଧଳା ପଞ୍ଜାବୀ ଦେହରେ କମଳା ଉତ୍ତରୀୟ ଟା ମନେ ହେଉଛି ଖାସ ଯେମିତି ଆଜିର ଦିନ ପାଇଁ ବନେଇ ଛନ୍ତି । ସମ୍ମୁଖ ରେ କିଛି ଶ୍ରୋତା ବେଶ ମନ ଧ୍ୟାନ ଦେଇ ଶୁଣୁଛନ୍ତି ତାଙ୍କର ପ୍ରତ୍ୟେକ ଟି ଶବ୍ଦକୁ । ସ୍ୱାଧୀନତା ଦିବସ ଉପଲକ୍ଷେ ସାଇଲେନ୍ସ କ୍ଲବ ତରଫରୁ ଆୟୋଜିତ ସଭାରେ ସେ ଯେ ମୁଖ୍ୟ ଅତିଥି । ସାଥିରେ ଅଛନ୍ତି ତାଙ୍କର ପ୍ରିୟ ସହଯୋଗୀ ହଳଧର ବାବୁ । ସମସ୍ତେ କହନ୍ତି ସେ କାଳେ ସାରଙ୍କ ଡାହାଣ ହାତ । ଖାସ ତାଙ୍କରି କାରଣ ରୁ ସାର ଙ୍କୁ ଆଜି ପାଇବା ସମ୍ଭବ ହେଇ ପାରିଛି । ଜାତୀୟ ସଙ୍ଗୀତ ର ତାଳେ ତାଳେ ତ୍ରିରଙ୍ଗା ପତାକା ଫରଫର ହେଇ ଉଡୁଛି । ସ୍ୱାଧୀନ ଭାରତ ର ଜଣେ ଯୋଗ୍ୟ ସନ୍ତାନ ହିସାବରେ ସାର ଆଜି ଉତଫୁଲ୍ଲିତ ହେଇ ନିଜ ମନର କଥା ଖୋଲି ଚାଲିଛନ୍ତି ଶ୍ରୋତାଙ୍କ ଆଗରେ ।


----ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଆପଣ ମାନେ ଶହ ଶହ ସଂଖ୍ୟାରେ ଉପସ୍ଥିତ ହେଇ ଆଜିର ଏଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଛନ୍ତି । 

ଏତିକି ବେଳେ ପାଖରେ ଥିବା ହଳଧର ବାବୁ ସମସ୍ତଙ୍କ ଅଲକ୍ଷ୍ୟ ରେ ଭିଡିଛନ୍ତି ସାର ଙ୍କ ପଞ୍ଜାବୀ କୁ । ଆଉ ଠାରି ଦେଇଛନ୍ତି ସାମ୍ନା କୁ ଦେଖିବାକୁ, 

--ସାରେ...., ଏଇଟା କରୋନା ପିରିୟଡ଼ ଚାଲିଛି । ଜମାରୁ ପନ୍ଦର /କୋଡିଏ ହେବେ କି ନାହିଁ, ଟିକିଏ ଦେଖି କି..... ।


---- ହଁ ହଁ ଠିକ କଥା । ମୋର କହିବାର ତାତ୍ପର୍ଯ୍ୟ ଆପଣ ମାନେ ଜଣେ ଜଣେ ଶହେ ଜଣଙ୍କ ବରାବର । ଆପଣ ମାନେ ସମାଜ ର ମେରୁଦଣ୍ଡ । ଯେତେବେଳେ ସମସ୍ତେ ଘରେ ରହି (ଷ୍ଟେ ହୋମ ଷ୍ଟେ ସେଫ ) ନିଜକୁ ସୁରକ୍ଷିତ କରୁଛନ୍ତି, ସେ ସମୟ ରେ ଆପଣ ମାନେ ସଂକ୍ରମଣ କୁ ଖାତିର ନ କରି ମାଟି ମା'ର ସ୍ୱତନ୍ତ୍ରତା ର ଉତ୍ସବ ପାଳନ କରୁଛନ୍ତି । ପୁଣି କୋଭିଡ ଗାଇଡ଼ ଲାଇନ କୁ ଆଖିରେ ରଖି କି ।

    ---ବେଶ କିଛି କରତାଳି ରେ ସଭାସ୍ଥଳ ଟା ପ୍ରକମ୍ପିତ ହେଇ ଉଠିଚି । ମନ୍ତ୍ରୀ ମହୋଦୟ ଆହୁରି ଉତ୍ସାହିତ ହେଇ କ୍ଲବର ସଦସ୍ୟ ମାନଙ୍କ ର ଭୁରି ଭୁରି ପ୍ରଶଂସା କରିଛନ୍ତି । ବେଳ ଅବେଳ ରେ ସାହାଯ୍ୟ ର ହାତ ବଢ଼ାଇ ବାର ପ୍ରତିଶ୍ରୁତି ବି ଉଜାଡି ଦେଇଛନ୍ତି । ଏଥର ର କରତାଳି ରେ ସେ ଆହୁରି ଭାବ ବିହ୍ଵଳ ହେଇ ଉଠିଛନ୍ତି । କ୍ଲବ ର ସର୍ବାଙ୍ଗୀନ ଉନ୍ନତି ସହ ଗାଁ ର ଉନ୍ନତି କଥା ବି ବଖାଣି ଛନ୍ତି । ଏଇ ଯେମିତି ଗତବର୍ଷ ତାଙ୍କରି ପ୍ରଚେଷ୍ଟା ରେ ସେହି ଗାଁ ରେ ଖୋଲା ହେଇଛି ଭଲ ହସ୍ପିଟାଲ ଟିଏ । ଲୋକ ମାନେ ଦେହ ଖରାପ ହେଲେ ଆଗ ଭଳି ଆଉ ହଇରାଣ ହେବେନି । ଡାକ୍ତର ଟିଏ ବି ଅଛି ସେଥିରେ । ଅବଶ୍ୟ ଖୁବ ଦୌଡ଼ାଦୌଡ଼ି କରିଛନ୍ତି ସେ ଏଇ କାମ ଟିକକ ଲାଗି । ଖୁଦ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ହାତରେ ଉଦଘାଟନ ବି କରେଇଛନ୍ତି । କାରଣ  ସହରରେ ରହିଲେ ବି ଗାଁ କୁ ସେ ଖୁବ ଭଲ ପାଆନ୍ତି ।

   ହଳଧର ବାବୁ ପୁଣି ପଞ୍ଜାବୀ ରେ ହାତ ଦେଇ ଛନ୍ତି, " ସାରେ..., ସେଇଟା ପି ଏଚ ସି, ପୁଣି ଆର ପାର୍ଟି ଲୋକେ କରିଛନ୍ତି, ଆମେ ନୁହଁ ।"

---ହଁ ହଁ । ସେଇ ଏକା କଥା । ଔଷଧ ପାଇଲେ ହେଲା ଆଉ କଣ ! ତା ଛଡା ଭୁଲିଗଲଣି କି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜି କରେଇ ମୁଁ ହିଁ ଆଣିଥିଲି ।

   ନିଜର ଅବଶିଷ୍ଟ ଭାବାବେଗ କୁ ଉଜାଡି ବାରେ ଲାଗି ଯାଇଛନ୍ତି ସାର ପୁଣି ଥରେ । ଆପଣ ମାନଙ୍କ ଭଲ ପାଇବା ମୋତେ ମିଳିଛି, ତେଣୁ ଆପଣ ମାନଙ୍କ ଖୁସି, ମୋ ଖୁସି । ମୋର ଦିନରାତି ମୁଁ ଉତ୍ସର୍ଗ କରି ଦେଇଛି, ଆପଣ ମାନଙ୍କ ପାଇଁ । ପୁନଶ୍ଚ ବେଶ କିଛି କରତାଳି ର ଧ୍ଵନି ସହିତ ତାଙ୍କ ଭାବନା ର ଗାଡି ଦ୍ରୁତଗତି ରେ ମାଡି ଚାଲିଛି । 

----ଆପଣ ମାନଙ୍କ ର ସୁବିଧା, ଆପଣ ଙ୍କ ପିଲାମାନଙ୍କ ର ସୁବିଧା ନିମନ୍ତେ ଗାଁ ମୁଣ୍ଡରେ ଥିବା ନଦୀ ଉପରେ ବନ୍ଧ ନିର୍ମାଣ ର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବନ୍ୟା ଆପଣ ମାନଙ୍କୁ ଆଉ ହଇରାଣ କରି ପାରିବନି ।


  ଏଥର ହଳଧର ବାବୁ ଜୋର ରେ ଭିଡି ଛନ୍ତି ସାରଙ୍କ ପଞ୍ଜାବୀ ଟିକୁ । "ଆଜ୍ଞା ଏ ଗାଁ ମୁଣ୍ଡରେ ନଦୀ ନାହିଁ ଜମାରୁ ।" ଚାପା ସ୍ୱର ରେ କହିଛନ୍ତି କାନ ପାଖରେ ।

--କିଛି ଅସୁବିଧା ନାହିଁ । ନଈ ନ ଥାଉ । ଆମେ ଖନନ କାର୍ଯ୍ୟ କରି କୃତ୍ରିମ ନଦୀ ଟିଏ ସୃଷ୍ଟି କରି ଦେବା, ଯେଉଁ ଥିରେ ଚାଷୀ ଭାଇମାନେ ଉପକୃତ ହେବେ, ଆଉ ନଦୀ ରେ ବନ୍ଧ ବି ପକେଇ ଦେବା ଯାହା ଉପର ଦେଇ ଯାତାୟାତ କରିବେ ଗ୍ରାମବାସୀ ମାନେ ।


   ଏତିକି ବେଳେ ମନେ ହେଲା ଶ୍ରୋତା ମାନଙ୍କ ଭିତରେ ଅସନ୍ତୋଷ ର ଭାବନା ଖେଳେଇ ଯାଇଛି କି କଣ ! ଚାପା ସ୍ୱର ଟେ ଶୁଭିଛି, 

--ୟାଙ୍କୁ କିଏ ମନ୍ତ୍ରୀ କରିଛି ହେ !

--ଏଇ ଚୁପ । ଶୁଭିଯିବ ।

--ଶୁଭୁ ମ । ଏମିତି କା ମନ୍ତ୍ରୀ ଦେଶ ଟାକୁ ବି ଖାଇଯିବେ ।

--ଶଳା କୁ ମାର ହେ । 

--ହଁ ହଁ 

--ଠିକ କଥା ।

--ରହିଯା, ରହିଯା, .... 

    ହଠାତ କାହାର ପାଟି ରେ ଉଠି ପଡି ଛନ୍ତି ମନ୍ତ୍ରୀ ମହୋଦୟ । ଆରେ ୟେ କଣ ! ସେ ଯେ ନିଜ ବିଛଣା ରେ ! ଦୀର୍ଘ ନିଶ୍ୱାସ ଟେ ଛାଡି ସାମ୍ନାରେ ଟଙ୍ଗା ହେଇ ଥିବା ଜଗନ୍ନାଥ ଙ୍କୁ ମୁଣ୍ଡିଆ ଟେ ପକେଇ କହିଛନ୍ତି, "ବଞ୍ଚେଇ ଦେଲ ପ୍ରଭୁ" 

। 

   ଶ୍ରୀମତୀ ବେଡ଼ ଟି ଟା ବଢ଼େଇ ଦେଇ ପଚାରିଛନ୍ତି, ଆଜି କଣ ଫ୍ଲାଗ ଭେଷ୍ଟିଙ୍ଗ ନାହିଁ କି ? ଶୋଇଛ ଏ ଯାଏଁ ? 

---ହଁ ହଁ, ଅଛି । ପାର୍ଟି ଅଫିସ ରେ କେବଳ । ଏତକ କହି ଚଟାପଟ ଚା କପ ଟା ଫିନିଶ କରି ଦେଇ ବାଥରୁମ କୁ ଚାଲି ଯାଇଛନ୍ତି ସେ । ସାୱାର ରୁ ପାଣି ଝରି ଚାଲିଛି ତାଙ୍କ ମୁଣ୍ଡ ରୁ ଗୋଡ଼ ଯାଏଁ, ଆଉ ଧୋଇ ନେଉଛି ବଡିୱାଶ ର ସମସ୍ତ ଫେଣକୁ । କିନ୍ତୁ ସ୍ବପ୍ନ ର ଶିହରଣ ଏବେ ବି ମନ ରୁ ଧୋଇନି । ଚୁପଚାପ କିଛି କ୍ଷଣ ଛିଡା ହୋଇ ରହିଲେ ପାଣିର ନିର୍ଝର ତଳେ ଆଉ ଅପେକ୍ଷା କଲେ ନିଜ ଅନ୍ତର୍ମନ ରୁ ମଇଳା ତକ ଧୋଇ ହେଇ ଯିବାକୁ, ମିଛ ଆତ୍ମବଡ଼ିମ।ର ମୋହରୁ ସବୁଦିନ ଲାଗି ମୁକୁଳି ଯିବାକୁ ।



Rate this content
Log in

Similar oriya story from Fantasy