ଏସ ଶୁଭଲକ୍ଷ୍ମୀ
ଏସ ଶୁଭଲକ୍ଷ୍ମୀ
ସକାଳ ଛଅଟା ନ ହେଉଣୁ ଗେଟ ବାଡେଇବା ଶବ୍ଦରେ ନିଦ ଭାଙ୍ଗିଗଲା ନେହା ମ୍ୟାଡ଼ାମ ଙ୍କର l ବିରକ୍ତ ଲାଗୁ ଥିଲେ ବି ଉଠିବାକୁ ବାଧ୍ୟ ହେଲେ l ଆଜି ରବିବାର, ଭାବିଥିଲେ ଟିକିଏ ଲେଟରେ ଉଠିବେ, ଶୋଉ ଶୋଉ ଯଥେଷ୍ଟ ବିଳମ୍ବ ହେଇ ଯାଇଥିଲା ରାତିରେ l ହେଲେ ଉପାୟ ଶୂନ୍ୟ l ମୋବାଇଲଟା ସୁଇଚ ଅନ୍ କରନ୍ତି ତ ସଙ୍ଗେ ସଙ୍ଗେ କଲ l ଏସ ଶୁଭଲକ୍ଷ୍ମୀର କଲ l ଧଡ଼ପଡ ହେଇ ଯାଇ ଗେଟର ତାଲା ଖୋଲିଲେ ନେହା ମ୍ୟାଡ଼ାମ l ଶୁଭଲକ୍ଷ୍ମୀକୁ ଆସିବାକୁ ସେ ହିଁ ଅନୁମତି ଦେଇଛନ୍ତି ଗତ କାଲି l ନୂଆ ନୂଆ କ୍ୱାଟରକୁ ଆସିଛନ୍ତି ନେହା ମ୍ୟାଡ଼ାମ l ଭଡା ଘରେ ରହି ରହି ବିରକ୍ତ ହେଇ ଗଲେଣି l ସ୍ୱାଧୀନତା ବୋଲି ଯେମିତି କିଛି ସେ ହରାଇ ବସିଥିଲେ l ଏପରି କି ସମ୍ପର୍କ ବି l ହାତ ଗଣତିରେ ଲୋକ ଯା'ଆସ କରି ପାରିବେ l ପୁଣି ସବୁ ସମୟରେ ସମ୍ଭବ ନୁହେଁ l ବିଚାରି ନେହା ମ୍ୟାଡ଼ାମ ଭାରି ପରୋପକାରୀ l ସହର ରେ ରହନ୍ତି ବୋଲି ଗାଁଟା ଯାକର ଲୋକ ବେଳ ଅବେଳରେ ତାଙ୍କ ସାହାଯ୍ୟ ଲୋଡ଼ନ୍ତି l ସେ ବି ପ୍ରାଣ ପଣେ ସେମାନଙ୍କୁ ସାହାଯ୍ୟ କରନ୍ତି l ଦରକାର ପଡିଲେ ପାଖରେ ରଖି ସେବା ଶୁଶ୍ରୁଷl ବି କରନ୍ତି l ସତରେ ଦେବୀଟିଏ ସେ l ବହୁତ ଦିନର ଚେଷ୍ଟା ପରେ ଭଲ ଲୋକେସନରେ କ୍ୱାଟରଟିଏ ପାଇଛନ୍ତି l ଆଉ ଏବେ ଏବେ ସିଫ୍ଟ ହେଇଛନ୍ତି l ମନେ ମନେ ଲୋକ ଜଣେ ଖୋଜୁ ଥିଲେ କାମରେ ସାହାଯ୍ୟ ପାଇଁ l ତାଙ୍କ ଟାଇପିଷ୍ଟ ଦେବାଶିଷ ଏଇ ଶୁଭଲକ୍ଷ୍ମୀକୁ ପଠାଇଛି l ଭଲ ହେଲା, ଆସୁ l କିଛି ଦିନ କାମ କରୁ, ଦେଖା ଯାଉ କେମିତି କରୁଛି l ବିଶ୍ୱସ୍ତ ବୋଲି ଦେବାଶିଷ କହୁଥିଲl l ଶୁଭଲକ୍ଷ୍ମୀ ପ୍ରଥମ ଦେଖାରେ ହାତ ଯୋଡ଼ି କହିଲା, ମା' ଜୁହାର l --ଆସ ଶୁଭଲକ୍ଷ୍ମୀ
--ମୋତେ ଯାହା ଯାହା କରିବାକୁ ହେବ ଥରେ କହିଦେଲେ, ମୁଁ ସେ ସବୁ କରି ଦେବି l ମା' ଦେଖିବେ ଆପଣଙ୍କୁ ମୋ କାମ ନିଶ୍ଚୟ ପସନ୍ଦ ଆସିବ l ଏଇ କଲୋନୀ ରେ ମୁଁ ପନ୍ଦର ବର୍ଷ ହେଲାଣି କାମ କରି ଆସୁଅଛି l ଆପଣ ଚାହିଁଲେ ସମସ୍ତଙ୍କ ଠୁ ମୋ କଥା ଜାଣି ପାରିବେ l
ମୁଁ ଆପଣଙ୍କୁ ଅଭିଯୋଗର ମଉକା ଦେବିନି ମା'l
--ହଉ, ହଉ, ଭଲ କଥା l
--ଚା' ପିଇବ ଶୁଭଲକ୍ଷ୍ମୀ ?
--ଚା' କୁ କେହି ମନା କରନ୍ତି କି ମା' ! ପାଇଲେ ଦିନଟା ଭଲ ରେ ଯିବ l
--ତେବେ ଟିକିଏ ଚା' ପିଅ l ତାପରେ ଘରଟା ଝାଡୁ କରି, ବାସନ ତକ ଧୋଆ ଧୋଇ କରି ଦେବ l
---ଚା' ଗ୍ଲାସ ଟା ବଢା଼ଉ ବଢା଼ଉ ମ୍ୟାଡ଼ାମ ପଚାରିଲେ, କହିଲନି ତ ଦରମା କେତେ ନେବ ?
---ମା'ଆପଣ ତ ଜାଣିଛନ୍ତି, ଆଜିକାଲି ସବୁ ଜିନିଷ ର ଦରଦାମ କେତେ ବଢ଼ି ଗଲାଣି l
--ଖାଲି ଝାଡୁ କଲେ ଏକ ହଜାର ନେବି l
--ତା ସହିତ ବାସନ ଧୋଇଲେ ଆଉ ହଜାରେ ଟଙ୍କା,
---କପଡା ଧୋଇଲେ ଆଉ ହଜାରେ l
--ଆପଣଙ୍କୁ କଣ ମା' ବେଶୀ କହି ହେବ ?
---ତିନି ହଜାର ଦେଲେ ମୁଁ ଏତକ ଖୁସି ରେ କରିଦେବି l
--- ଦିନକୁ ଯଦି ଦୁଇ ଥର ଆସିବି, ତେବେ ଆଉ ହଜାରେ ନେବି l ଗୋଟିଏ ଟାଇମ ରେ କଲେ ସେଇ ତିନି ହଜାର ଦେବେ ମା' l
--ଏତେ କଣ କହୁଚ ଶୁଭଲକ୍ଷ୍ମୀ l ସାର ତ ସପ୍ତାହରେ ଗୋଟିଏ ଦିନ ରହିବେ, ସେ ବି ସବୁବେଳେ ସମ୍ଭବ ହୁଏନି l କହିବାକୁ ଗଲେ ଅଧିକାଂଶ ଦିନ ମୁଁ ଏକା ଲୋକ l କେତେ ଆଉ ବାସନ ବାହାରିବ କି !
---ନାଇ ମା' ଆପଣ ବୁଝୁ ନାହାନ୍ତି l ଜଣେ ଲୋକ ରେ ଯେମିତି ସମୟ ସାରି ଆସିବି ଚାରି ଜଣରେ ବି ସେମିତି ସମୟ ସାରିବି l ତା ଛଡା ପେଟ ପାଇଁ ଲାଜ କଲେ ଚଳିବ ମା' !
---ହଉ ହେଲା l ଲୁଗା ସଫା କରିବା ଦରକାର ନାହିଁ l ବାକି ସବୁ କରିବ, କାଲି ଠୁ ଆସ l ହଁ ଦୁଇ ବେଳା ଆସିବ l ମୋ ଅଫିସ ଯିବା ଆଗରୁ ଏବଂ ଉପରବେଳା ସନ୍ଧ୍ୟା ପରେ ହେଲେ ଭଲ l କିଛି ଅସୁବିଧା ନାହିଁ ତ ତୁମର ?
--- ନାଇ ମା' ଆସିବି l ଏଇଠି ତ ପାଖରେ ରହୁଛି l ଅସୁବିଧା କିଛି ନାହିଁ l ତା' ଛଡା କାଲି ଠୁ କାହିଁକି ମା', ଆଜି ସବୁ କରି ଦେଇଯିବି l
--ଠିକ ଅଛି l
---ଚା' ପିଇ ସାରି ସକାଳର କାମ ତକ ବେଶ କମ ସମୟ ରେ ଶେଷ କରି ଶୁଭଲକ୍ଷ୍ମୀ ଜୁହାର ମା' ଆସୁଛି କହି ବିଦାୟ ନେଲା l
-----ସନ୍ଧ୍ୟା ହେଇଛି l ପୁଣି ଶୁଭଲକ୍ଷ୍ମୀ ଆସିଛି l ଏଥର କିନ୍ତୁ ଭିନ୍ନ ରୂପରେ l ନେହା ମ୍ୟାଡ଼ାମ ତାକୁ ଦେଖି ଚକିତ ହେଇ ଯାଇଛନ୍ତି l ସକାଳର ଶୁଭଲକ୍ଷ୍ମୀ ଆଉ ସନ୍ଧ୍ୟାର ଶୁଭଲକ୍ଷ୍ମୀ ଭିତରେ ଅନେକ ଫରକ l ସକାଳେ ଆସିଥିଲା ଛିଣ୍ଡl ମଇଳା ବେଶରେ l ଏବେର ବେଶଟା ସମ୍ପୂର୍ଣ୍ଣ ଭିନ୍ନ l ବେଶ ସୁନ୍ଦର ପରିପାଟୀରେ l ହାଲକା ଅତରର ବାସ୍ନା ଶୁଭଲକ୍ଷ୍ମୀର ମ୍ୟାଚିଙ୍ଗ ଶାଢ଼ୀ ଆଉ ବ୍ଲାଉଜରୁ ବେଶ ବାରି ହେଇ ପଡୁଛି l କେଶ ବିନ୍ୟାସ ଠୁ ଉଠରେ ହାଲକା ଲିପଷ୍ଟିକ ଯାଏ, ଏ ସବୁରେ ବେଶ ଆକର୍ଷଣୀୟ ଲାଗୁଛି ଶୁଭଲକ୍ଷ୍ମୀ l ମ୍ୟାଡ଼ାମ ପଚାରି ଦେଲେ କଣ ବୁଲାବୁଲି କରିବାକୁ ଯାଇ ଥିଲ କି ?
---ନାଇ ମା' ଅଫିସ ଯାଇଥିଲି l
--କି ଅଫିସ ?
--ସେ ମୁନିସିପାଲଟି ଅଫିସ ରେ ମୋତେ ପିଅନଟେ ରଖି ଦେବେ ବୋଲି ଦେ ବାବୁ କହିଛନ୍ତି l ସେମାନେ ଡାକି ଥିଲେ l
---- କଣ ଇଣ୍ଟରଭିଉ ନେଲେ ?
-----ନାଇ ମା' ମୁଁ କଣ ପାଠ ପଢିଛି ଯେ ଇଣ୍ଟରଭିଉ ଦେବି l ପିଲା ବେଳେ ଖୁବ କଷ୍ଟରେ ସ୍କୁଲ ଯାଉଥିଲି ଯେ, ହେଲେ ମେଟ୍ରିକ ଧରିପାରିଲିନି l ଦେ ବାବୁଙ୍କ ଘରେ ତିନି ବର୍ଷ ହେଲା କାମ କରୁଛି l ତିନି ତିନିଟା ଝିଅ ମୋର l ସେମାନଙ୍କୁ ପାଠ ପଢାଉଛି
l ଦେ ବାବୁ ଭାରି ଭଲ ଲୋକ l ମୋ ଦୁଃଖ ଦେଖି ମୋତେ ମୋ ସ୍ୱାମୀଙ୍କ ଚାକିରୀଟା କରେଇ ଦେବେ କହିଛନ୍ତି l ତାଙ୍କ ଚାକିରୀଟା ମିଳିଗଲେ ମୋ ଦୁଃଖ ଯାଆନ୍ତା l କେତେ ଆଉ ବାରଦୁଆର ହେବି ମା' !
---କଣ ନାଁ ପଚାରିଲେ ? ଆଉ କ'ଣ କ'ଣ ପଚାରିଲେ ?
---ନାଁ କ'ଣ ? ଠିକଣା ? ସ୍ୱାମୀଙ୍କ ନାଁ କ'ଣ ? ରହୁଛି କେଉଁଠି, ପିଲାପିଲି କେତେ ଜ'ଣ ?
---ହଁ ତୁମ ସ୍ୱାମୀ କଣ କରୁଥିଲେ କି ?
---ପଚାରନ୍ତୁ ନି ମା' l ସେ ଯାଇଛନ୍ତି, ସେ ଦିନ ବି ଯାଇଛି, ମୁଁ ଆଉ ମନେ ପକେଇବାକୁ ଚାହୁଁନି l
-- ସେ କଣ ବଦମାସ ଟା ଥିଲା କିରେ ?
---ନାଇ ମା' l ମୁଁ ତାଙ୍କୁ କେବେ ଦୋଷ ଦେଇନି l ସବୁ ମୋ ଭାଗ୍ୟର ଦୋଷ l ସେ ମୋତେ ଭଲ ପାଇ ବାହା ହେଲେ l ଗୋଟିଏ ଜାଗାରେ ଆମେ ଦୁଇଜଣ ମଜୁରି ଯାଇଥିଲୁ, ସେଇଠି ସେ ମୋତେ ଭଲ ପାଇଲେ l ବାହା ହେଇଗଲୁ ଆମେ ମନ୍ଦିର ରେ l ହେଲେ ତାଙ୍କ ଘର ଲୋକ ସଫା ସଫା ମନା କରିଦେଲେ ମୋତେ ଗ୍ରହଣ କରିବାକୁ l ସେ ଓଡ଼ିଆ ଆଉ ମୁଁ ତେଲୁଗୁ l ଓଡ଼ିଆ କହିବା ଶିଖି ନ ଥିଲି l
ସେଇଠୁ ସେ ଆଉ ମୁଁ ଏଇ ସହର ରେ ଆସି ରହିଲୁ l ଏଇଠି ସେ ମୁନିସିପାଲିଟି ଅଫିସ ରେ ପିଅନ ଚାକିରୀ ଖଣ୍ଡେ ଯୋଗାଡ଼ କଲେ, ଆଉ ଆମେ ଖୁସିରେ ରହିଲୁ l ତିନି ତିନିଟା ଝିଅଙ୍କୁ ମୁଁ ଜନ୍ମ ଦେଲି l ହଠାତ କଣ ହେଲା କେଜାଣି, ତାଙ୍କର ପେଟରେ କିଛି ରୋଗ ବାହାରିଲା l ପାଖରେ ସେତେ ସଂଚୟ ନ ଥିଲା ଯେ ତାଙ୍କୁ ଭଲରେ ଟ୍ରିଟମେଣ୍ଟ କରେଇ ଥାନ୍ତି l ବାପା ମା' ଙ୍କୁ ଯାଇ କହିଲି, ଭାଇ କହିଲା, "ତୋ ନିଜ ଇଚ୍ଛାରେ ଯାଇଛୁ, ଏଣିକି ତୋ କଥା ତୁ ବୁଝେ, ଆମକୁ କିଛି କହନା l "ସ୍ୱାମୀଙ୍କ ଘରକୁ ଗଲି, ସେମାନେ ମୋତେ ଘଉଡାଇ ଦେଲେ, କହିଲେ ତୁ କିଏ ଆମେ ଚିହ୍ନିନୁ l ବିପଦ ବେଳେ ନିଜ ଲୋକଙ୍କ ଗୋଡ଼ ଧରିଛି ମା' କେହି ଚାହିଁଲେନି l ଛୋଟ ପିଲା ଙ୍କୁ ଧରି କେତେ ଆଉ ଦୌଡl ଦଉଡି କରିପାରି ଥାନ୍ତି l ପାଖ ଆଖ ଘରେ କାମ କରିଦେବି କହି ପଇସା ଉଧାର ଆଣି ଡାକ୍ତର ଦେଖାଇଲି, ହେଲେ ସେତକ ପାଇଲlନି ମା' l ତାଙ୍କୁ ବଞ୍ଚାଇ ପାରିଲିନି l ତଥାପି ମୁଁ ଭାଙ୍ଗି ପଡିନାହିଁ l ପଇସା ଦେଇ ନ ପାରିବାରୁ ଭଡାଘର ମାଲିକ ଘରୁ ବାହାର କରି ଦେଲା l ଆପଣଙ୍କ ପାଚେରୀ ସେପଟେ ସେ ମହାନ୍ତି ବାବୁ, ସେଦିନ ଅଫିସରୁ ଫେରୁଥାନ୍ତି, ଛୋଟ ଝିଅଟି ମୋର, ମୋ ଅଜାଣତରେ ତାଙ୍କ ଗାଡି ଆଗକୁ ଚାଲିଯାଇଛି l ଭାଗ୍ୟ ଭଲ ଯେ ଗାଡି ସ୍ଲୋ ଥିଲା, ସେ ବାହାରି ଆସିଲେ, ଆଉ ପିଲାଟିକୁ ଧରି ଆଣିବାକୁ କହି ଗାଳି ଆରମ୍ଭ କରନ୍ତେ, ମୋତେ ଦେଖିଲେ l ସେତେବେଳେକୁ ମୁଁ ତାଙ୍କ ଘରେ ମଧ୍ୟ କିଛି ଦିନ ଧରି କାମ କରୁଛି l ସେ କହିଲେ, "ଶୁଭଲକ୍ଷ୍ମୀ ତୁମେ !"
--ଆଜ୍ଞା ସାରେ l
--ରାତି ଆଠଟା ହେଲାଣି, ରାସ୍ତାରେ ଏ ପିଲାଙ୍କୁ ଏମିତି ଛାଡି ଦେଇ କାନ୍ଦୁଛ କାହିଁକି ?
----ମୋ ଠାରୁ ସବୁକଥା ଶୁଣିବା ପରେ ନୀରବ ହେଇଗଲେ, ଆଉ କହିଲେ, "ତୁମେ ମୋ ଘରକୁ ଆସ l ସାଇଡ ରେ ଯେଉଁ ଗ୍ୟାରେଜଟା ଅଛି ସେଇଥିରେ ରୁହ l ମୁଁ ଗାଡି ବାହାରେ ରଖି ଦେବି l ସେଇଠି କିଛି ଦିନ ରହି ତୁମେ ତୁମର ରହିବା ବ୍ୟବସ୍ଥା କରିବ l"
---ହାତ ଯୋଡି କୃତଜ୍ଞତା ଜଣାଇଲି ଆଉ ରହିଲି ମହାନ୍ତି ବାବୁଙ୍କ ଗ୍ୟାରେଜରେ l
ମହାନ୍ତି ବାବୁଙ୍କର କେହି ପିଲା ଛୁଆ ନ ଥିଲେ l ତାଙ୍କ ମ୍ୟାଡ଼ାମ ମୋ ବଡ ଝିଅକୁ ଝିଅ କରି ନେଲେ l ମିଛ କହିବିନି ମା l ଈଶ୍ୱର ସେ ମୋ ପାଇଁ l ମୋତେ ତାଙ୍କ କ୍ଵlଟର ଆଗରେ ଛୋଟ ବଖରାଟିଏ କରି ଦେଲେ ସବୁଦିନ ରହିବା ଲାଗି l ସେଇ ଦିନଠୁ ରହୁଛି ସେଇଠି ଆଉ କାମ କରି ପେଟ ପୋଷି ଚାଲିଛି l ଜାଣିଛନ୍ତି ମା' ବଡ଼ଝିଅ ଏବେ ପଢୁଛି ଉତ୍କଳ ୟୁନିଭରସିଟି ରେ l ମହାନ୍ତି ବାବୁ ଆଉ ମା' ତାକୁ ଭଲରେ ରଖି ଛନ୍ତି l ମଝିଆ ଝିଅ ବିୟୁଟି ପାର୍ଲରରେ କାମ ଶିଖୁଛି l ସେ ହିଁ ମୋତେ ଏମିତି ସଜବାଜ କରି ଦିଏ l କହିବ କ'ଣ ନା ପ୍ରାକଟିସ କରୁଛି l ମନା କଲେ ବି ଶୁଣିବନି l ସାନ ଟା ଏଥର ମେଟ୍ରିକ ପରୀକ୍ଷା ଦେଇଛି l ତା ସାଙ୍ଗକୁ ଟେଲରିଙ୍ଗ କାମ ବି କରୁଛି l ଝିଅମାନଙ୍କ ପାଠପଢା ଖର୍ଚ୍ଚ ମୋତେ ଆଉ ଉଠେଇବାକୁ ପଡୁନି l ତଥାପି କହିଲେ ମା' ବାହାଘର ତ କରେଇବି ନା l ସେଇ କାମଟା ଲାଗି ଏ ଚାକିରୀ ବାକିରି ପଛରେ ପଡିବା କଥା l ଦେ ବାବୁ କହିଛନ୍ତି ମୋ ସ୍ୱାମୀର ଜାଗାରେ ମୋତେ ରଖେଇ ଦେବେ l ମୋର ବୁଦ୍ଧି କେତେ ଯେ ! ସେ ମୋତେ ବାଟ କହି ଦେଉଛନ୍ତି l ଠାକୁର ଙ୍କୁ ଡାକୁଛି ସେଇଟା ମିଳିଗଲେ ଟିକିଏ ସୁବିଧାରେ କାମ ଗୁଡିକ ସାରି ଦିଅନ୍ତି l ଯାହା ତାଙ୍କର ଇଚ୍ଛା ମା' l ଜନ୍ମ ଦେଇଛନ୍ତି ସୁରକ୍ଷା ବି ଦେବେ l
--ତୁମେ ନିଶ୍ଚିତ ରୁହ ଶୁଭଲକ୍ଷ୍ମୀ l ଦେ ବାବୁଙ୍କୁ ମୁଁ ଜାଣିଛି l ସେ ବିନା କାରଣ ରେ କିଛି କହନ୍ତିନି l
---ଖୁସିର ଝଲକଟିଏ ଖେଳିଗଲା ଶୁଭଲକ୍ଷ୍ମୀର ଚେହେରାରେ, କହିଲା ମା' ଆପଣ ଅଫିସରୁ ଫେରିଲେ, କ୍ଲାନ୍ତ ଲାଗୁଛନ୍ତି, ଟିକିଏ ମୁଣ୍ଡଟା ମାସେଜ କରିଦେବି l ମୋଝିଅ ମୋତେ ଶିଖେଇ ଦେଇଛି, ଆପଣଙ୍କୁ ଆରାମ ଲାଗିବ l ଏତକ କହି ନେହା ମ୍ୟାଡ଼ାମ ବସିଥିବା ସୋଫା ପଛପଟକୁ ଯାଇ ଶୁଭଲକ୍ଷ୍ମୀ ଆରମ୍ଭ କରିଦେଲା ମୁଣ୍ଡର ମସାଜ l
ତା ହାତର ଯାଦୁରେ ନେହା ମ୍ୟାଡ଼ାମ ଅନୁଭବ କରନ୍ତି ଏକ ଆପଣାପଣ, ଆଖି ମୁଦିହେଇ ଆସୁଥାଏ l ଆଉ ମନ ଆଇନାରେ ଭାସିଯାଉଥାଏ ଗୋଟିଏ ସଂଘର୍ଷମୟ ଜୀବନ ପୁଷ୍କରିଣୀରେ ହସୁ ଥିବା ପଦ୍ମଟିଏ, ଯାହା ଈଶ୍ୱରଙ୍କୁ ସମର୍ପିତ ହେଇସାରିଛି l