Rashmita Panigrahi

Inspirational

4.0  

Rashmita Panigrahi

Inspirational

ଉପହାର

ଉପହାର

4 mins
166


 

  ସକାଳୁ ସକାଳୁ କଲିଙ୍ଗ ବେଲର ଶବ୍ଦରେ ସୁଜାତା ମ୍ୟାମ ଠାକୁର ଘରୁ ବାହାରି ଆସନ୍ତି l ଗ୍ରିଲ ବାହାରେ ଛିଡା ହେଇଛି କିରଣ ହାତରେ ଫୁଲତୋଡ଼ା ଓ ପ୍ୟାକେଟଟିଏ ଧରି l ଯଦିଓ କରୋନା ସମୟରେ ସେ ଆଉଟ ସାଇଡରଙ୍କୁ ଘରେ ପୂରାଉ ନାହାନ୍ତି, ତଥାପି ପିଲା ଲୋକଟା ପୁଣି ତାଙ୍କ ଛାତ୍ର, ବାଧ୍ୟ ହେଇ ଗେଟ ଖୋଲିଛନ୍ତି l 

---କିରେ କିରଣ ! ତୁମେ ଏଠି !

---ଗୁଡ଼ମର୍ଣ୍ଣି ମ୍ୟାମ l

--ଭେରି ଗୁଡ଼ମର୍ଣ୍ଣି l 

--କଣ ସକାଳୁ ସକାଳୁ !

---"ହେପି ଟିଚର'ସ ଡେ ମ୍ୟାମ " କହି ଫୁଲ ତୋଡ଼ାଟା ପ୍ୟାକେଟ ସହ ବଢ଼ାଇ ଦେଇ ଦୂରରୁ ମୁଣ୍ଡିଆଟେ ପକେଇଛି l

---ଆରେ... l ଆରେ.... l ଏ ବର୍ଷ ଅନ ଲାଇନ ଅବଜରଭେସନ ହେଉଛି l ତୁମେ କାହିଁକି ଏତେ ରିସ୍କ ନେଉଛ l ତା' ଛଡା କରୋନା ସଂକ୍ରମଣର ଭୟକୁ ଏତେ ହାଲକାରେ ନେଉଛ କେମିତି !

---ମ୍ୟାମ ମୁଁ ଜାଣିଛି l ତେବେ ସ୍କୁଲକୁ ଯାଇ ପାଳନ କରିବା ଲାଗି ଆମକୁ ଅନୁମତି ନ ଥିବାରୁ ବାଧ୍ୟ ହେଇ ଆସିଛି l

---କିନ୍ତୁ ଏଇଟା ଜମା ଠିକ କରିନ l ଆଉ କୁଆଡେ ବି ନ ଯାଇ ଏଇଠୁ ସିଧା ଘରକୁ ଫେରିବ l ପ୍ୟାକେଟଟାକୁ ଟିପୟ ଉପରେ ଥୋଇ ଦେଇ ପିଲାଟା ଲାଗି କଣ ଟିକିଏ ଟିଫିନ ଆରେଞ୍ଜ କରିବା ଉଦ୍ଦେଶ୍ୟରେ ତାକୁ ବସିବାକୁ କହି କିଚେନକୁ ଯାଇଛନ୍ତି l

--କିରଣ ମ୍ୟାମଙ୍କ ଡ୍ରଇଂ ରୁମରେ ବସି ଟିଭିକୁ ଦେଖିଛି l ପିଲାମାନେ କେମିତି ହ୍ଵାଟ୍ସଆପରେ ଟିଚର'ସ ଡେ ପାଳନ କରୁଛନ୍ତି ନିଜର ସେଲ୍ଫି ସହିତ l କିରଣ କିନ୍ତୁ ମନେ ମନେ ଭାରି ଖୁସି ଆଜି l କାରଣଟା ହେଉଛି ବହୁତ ଦିନ ପରେ ମ୍ୟାମଙ୍କୁ ସାକ୍ଷlତ କରିବାର ସୁଯୋଗ ଟିକିଏ ମିଳିଛି l ତା ଜୀବନରେ ଯେତେ ଜଣ ଟିଚର ତାକୁ ପଢ଼େଇଛନ୍ତି, ସୁଜାତା ମ୍ୟାମ ତା'ର ଫେଭରାଇଟ l ମ୍ୟାମଙ୍କର ବୁଝେଇବାର ଶୈଳୀ, ତାଙ୍କର ପ୍ରତିଟି କଥାରେ ରହିଛି ଜୀବନର ଜଟିଳ ପ୍ରଶ୍ନର ସରଳ ସମାଧାନ, ନିଜକୁ ଭଲ ମଣିଷଟିଏ କରି ଗଢି ତୋଳିବାର ସାମର୍ଥ୍ୟ l

  ଏଇ ଯେମିତି ଅଷ୍ଟମ ଶ୍ରେଣୀ ଯାଏ ତା' ପାଟିରୁ ଭାଷାଟିଏ ବି କେବେ ବାହାରେନି l ଯଦିଓ ପରୀକ୍ଷାରେ ଭଲ ନମ୍ବର ଆଣେ, ତେବେ କୌଣସି କ୍ଲାସରୁମ ଇଣ୍ଟରlକସନ ବେଳେ କିଛି ଉତ୍ତର ଦେବା କେହି କେବେ ଶୁଣି ନାହାନ୍ତି l ଯେବେଠୁ ସୁଜାତା ମ୍ୟାମ ତାଙ୍କ ସ୍କୁଲକୁ ଆସିଛନ୍ତି, ପ୍ରଥମେ ପ୍ରଥମେ ସେ ଭାରି ଚିଡୁ ଥାଏ ମ୍ୟାମଙ୍କ ଉପରେ l ସବୁ କଥାରେ ତାକୁ ଗାଳି ଶୁଣିବାକୁ ପଡ଼ୁଥାଏ, କେବେ କେବେ ହାଲକା ମାଡ ବି l ମ୍ୟାମ କହନ୍ତି "ଚାକିରି ମୁଁ ପଇସା ଲୋଭରେ କରି ନାହିଁ ଯେ ଡରି କି ତୁମକୁ ତାଗିଦ କରିବା ଛାଡି ଦେବି l ତୁମେ ଭଲ ମଣିଷ ହେବ, ଏଇ ଚେଷ୍ଟା ମୁଁ କରୁଛି, କରୁଥିବି, ତେଣିକି ଚାକିରି ରହୁ କି ନ ରହୁ l" ସବୁ ପିଲାଙ୍କର ମ୍ୟାମଙ୍କୁ ଭାରି ଭୟ l ମାତ୍ର ଖୁବ କମ ଦିନରେ ସବୁ ପିଲା ଜାଣି ଯାଆନ୍ତି ମ୍ୟାମଙ୍କ ଠୁଁ ଭଲ ଆଉ କେହି ହେଇ ପାରିବେନି ଏ ଦୁନିଆରେ l ଭଲ ସାଙ୍ଗଠୁ ବି ଆହୁରି ନିଜର ହେଇ ଯାଆନ୍ତି ସେ ଯେତେବେଳେ ସେମାନଙ୍କ ଲୁହ ଦେଖି ଦିଅନ୍ତି l  

  ଆଶ୍ଚର୍ଯ୍ୟର କଥା ହେଉଛି, ତା' ଭଳି ଆଦୌ କଥା କହି ପାରୁ ନ ଥିବା ଲାଜକୁଳl ପିଲାଟିକୁ ସେ ଡିବେଟରେ ଫାଷ୍ଟ କରେଇ ପାରିଛନ୍ତି, ସେଇଟା ପୁଣି ଡିଷ୍ଟ୍ରିକ୍ଟ ଲେବେଲରେ l ଖାଲି ସେତିକି ନୁହଁ l ବିଜ୍ଞାନକୁ ତା'ର ଭାରି ଡର l ମ୍ୟାମ ନିଜେ ନେଟରୁ ପ୍ରୋଜେକ୍ଟ ସିଲେକ୍ଟ କରି ତାକୁ ଓ ତାର ସାଙ୍ଗମାନଙ୍କୁ ବି ପ୍ରିପେୟାର କରାନ୍ତି, ଏବେ ତ ସେ ନିଜେ ନୂଆ ନୂଆ ପ୍ରୋଜେକ୍ଟ ଆଇଡ଼ିଆ କରି କରି ପାରୁଛି l ସବୁଠୁ ବଡ଼ କଥା ହେଉଛି ତା'ର ପ୍ରୋଜେକ୍ଟ ନେସନାଲ ଲେବେଲ ଯାଏ ଯାଇ ପାରିଛି l କହିବାକୁ ଗଲେ ମ୍ୟାମ ଜଣେ ଅଲରାଉଣ୍ଡର l ନିଜ ବିଷୟ ଛଡା ଅନ୍ୟ ସମସ୍ତ ବିଷୟରେ ସେମାନଙ୍କର ପ୍ରୋଗ୍ରେସକୁ ସେ ତଦାରଖ କରନ୍ତି l ପ୍ରତିଟି ପିଲାକୁ ସେ ନିଜର ପୁଅ ଝିଅ ଭଳି ଦେଖନ୍ତି, କିଛି ଭୁଲ କଲେ ଆକଟ ବି କରନ୍ତି । କେତେଥର ଏଇଥି ଲାଗି ତାଙ୍କୁ ଅପମାନିତ ହେବାକୁ ପଡିଛି l କିଛି ଅବୁଝା ଅଭିଭାବକଙ୍କ ଅଭିଯୋଗ କାରଣରୁ l ତଥାପି ସେ ଡରି ଯାଇନାହାନ୍ତି l

   ସତରେ କି ଯାଦୁ ରହିଛି ମ୍ୟାମଙ୍କ ବ୍ୟକ୍ତିତ୍ବରେ ବୁଝିବାର ସାମର୍ଥ୍ୟ ସେମାନଙ୍କର ବା କାହିଁ ! ତା'ର ଭଲ ଭାବେ ମନେ ଅଛି ଘରେ ମା'ବାପା କେତେ ବିରକ୍ତ ହେଉ ଥାନ୍ତି ତା ଉପରେ , ତା'ର ଏକ ଜିଦିଆ ସ୍ଵଭାବ ଉପରେ। କେବେ କେବେ ଗୋଟାଏ କଥାକୁ ଯେତେ ପଚାରିଲେ ବି ସେ ଜମା ଉତ୍ତର ଦିଏ ନି l ସେମାନେ ରାଗନ୍ତି, ମାରନ୍ତି, ତାକୁ କିଛି ଫରକ ପଡ଼େନି l ଏବେ କିନ୍ତୁ ସେ ପୂରା ସୁନା ପିଲା l

 ଖେଳ ନାଁ ଶୁଣିଲେ ତାକୁ ଡର ଲାଗେ, ଲୁଚି ଯାଉଥାଏ ସେ l ଟିକିଏ ଅଧିକ ସ୍ୱାସ୍ଥ୍ୟ କାରଣରୁ ହେଉ କିମ୍ବା ତା'ର ଅଳସୁଆମି ପାଇଁ ହେଉ ସେ କେବେ ଖେଳର ପାଖ ମାଡୁ ନ ଥାଏ l ଖାଲି ମ୍ୟାମଙ୍କ ତାଗିଦ ଡରରେ ଏଥର ସେ ତିନି ତିନିଟା ଖେଳରେ ଫାଷ୍ଟ ପ୍ରାଇଜ ଆଣିଛି l ସବୁଠୁ ମଜା କଥା ହେଉଛି ଗତ ବର୍ଷର ଆନୁଏଲ ଡ୍ରାମା l ସେଇଟା ବି ବାଦ ଯାଇନି l ସେ ବାପା ଭୂମିକାରେ ରହି ବେଷ୍ଟ ଆକ୍ଟରର ଟ୍ରଫି ନେଇଛି l କହିବାକୁ ଗଲେ ତାର ପୁନର୍ଜନ୍ମ ହେଇଛି l କେମିତି ଗୁରୁ ଦିବସରେ ତାଙ୍କ ଆଶୀର୍ବାଦ ନ ନେଇ ରହି ପାରିବ ! 

  ତେଣୁ ନିଜ ପକେଟ ମନିରୁ ପାର୍କରର ପେନଟିଏ କିଣିଛି l ପେନ ଟିକୁ ନିଜ ସାନ ଭଉଣୀର ଲୋଭିଲା ଆଖିରୁ କେତେ କଷ୍ଟରେ ବଞ୍ଚେଇ ରଖିଛି ଖାସ ମ୍ୟାମଙ୍କ ପାଇଁ l କରୋନା ଗାଢ଼lର ଗରମl ଗରମ କପଟାକୁ ମ୍ୟାମ ତା ହାତକୁ ବଢ଼ାଇ ଦେଉଛନ୍ତି, ଆଉ ସେ ଚମକି ଉଠିଚି l କିଛି ସ୍ନାକ୍ସ ଓ ଲଡ଼ୁ ବି ସାମ୍ନାରେ ଥୋଇ ଦେଇଛନ୍ତି l

--"-ଏଇ ପ୍ୟାକେଟରେ କଣ ଅଛି ? " ମ୍ୟାମ ପଚାରି ଛନ୍ତି l

--ମ୍ୟାମ ପେନ l

--କଣ ପାଇଁ ଆଣିଛ ? 

--ଗୁରୁ ଦିବସରେ ଉପହାର l

--କଣ ସବୁ ସାର ଓ ମ୍ୟାମଙ୍କୁ ବି ଦେଇଛ !

--ନା l ଧିର ସ୍ୱରରେ ଉତ୍ତର ଦେଇଛି କିରଣ l

--ଏ ପେନ ଟିକୁ ଫେରାଇ ଦେଇ ତୁମେ ତୁମ ଆବଶ୍ୟକ ଖାତା, ବହି, ଜ୍ୟlମିତି ବକ୍ସ, ଯାହା ହେଇ ପାରିବ ନେଇ ଆସ l

--ମ୍ୟାମ ପ୍ଲିଜ... l ଆଜି ଦିନଟା ହେଲେ ଏଇ ସାମାନ୍ୟ ଉପହାର ଟିକୁ ଗ୍ରହଣ କରି ନିଅନ୍ତୁ l

--ନୋ l

---ତୁମେ ଯଦି ସତରେ ଉପହାର ଦେବାକୁ ଚାହୁଁଛ ତେବେ, ଭଲ ମଣିଷଟିଏ ହେବାକୁ ଚେଷ୍ଟା କର l ବଡ ହେଇ ଯେଉଁ ଦିନ ତୁମେ ନିଜ ରୋଜଗାର ଅର୍ଥରେ ଚଳି ପାରୁଥିବ, ଅନ୍ୟର କଷ୍ଟ ଦେଖି ତୁମ ଆଖିରେ ଲୁହ ଆସୁଥିବ, ଜାଣିବ ସେଇ ଲୁହ ହିଁ ମୋ ପାଇଁ ତୁମର ପ୍ରକୃତ ଉପହାର l

--ଆସ, ଏଇଠି ସେଲ୍ଫି ନେଇ ଅନ୍ୟ ସାର ଓ ମ୍ୟାମମାନଙ୍କୁ ଆଜିର ଉଇସ ଜଣେଇ ଦିଅ l

--ୟେସ ମ୍ୟାମ କହି ଉଠି ଯାଇଛି କିରଣ, ଦୁମ କିନା ତଳେ ପଡିଯାଇଛି ଖଟ ଉପରୁ l

--କଣ ଶବ୍ଦ ହେଲା ବୋଲି ମା'ଦୌଡ଼ି ଆସି ଦେଖନ୍ତି ତ କିରଣ ଚଟାଣରେ ବସି ଆଖି ମଳୁଚି l


(ଗୁରୁ ଦିବସ ଉପଲକ୍ଷେ ଛୋଟିଆ ଉପହାର ‌)



Rate this content
Log in

Similar oriya story from Inspirational