Rashmita Panigrahi

Tragedy

3  

Rashmita Panigrahi

Tragedy

ସ୍ଵୀକୃତି

ସ୍ଵୀକୃତି

3 mins
163



   ଷ୍ଟେସନର ଅନତି ଦୂରରେ ଅଧାଭଙ୍ଗା ବେଞ୍ଚ ଉପରେ ଶୋଇଛନ୍ତି ବ୍ୟକ୍ତି ଜଣକ । ବୟସର ଆଧିକ୍ୟ ଚେହେରାରୁ ବେଶ ସୁସ୍ପଷ୍ଟ । ପେଟରେ ଭୋକର ଅସହ୍ୟ ଜ୍ୱାଳା । ଦୁଇ ଦିନରୁ ଅଧିକ ହେବ ପେଟକୁ ଦାନା ଗଣ୍ଡିଏ ଯାଇ ନାହିଁ । ସେଇ ପାଖ ଦେଇ ଯାଉ ଥିବା ଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ପାଟିରୁ ବାହାରି ଆସୁ ଥିଲା କିଛି ଖାଇବାକୁ ମିଳିବ? ହେଲେ ଆଭିଜାତ୍ୟର ତାଲା ମୁହଁଟାକୁ ବନ୍ଦ କରି ଦେଉଥିଲା । ଦୁଇଦିନ ହେବ ଏଇ ଷ୍ଟେସନରେ ପଡି ରହିଛନ୍ତି । ପୁଅ ତାଙ୍କର ଟିକେଟ କରିବାକୁ ଯାଇଛି ଯେ ଆଉ ଫେରି ନାହିଁ । ପୁଅର ଫେରିବା ବାଟକୁ ଚାହିଁ ବସି ବସି ଥକି ପଡିବାରୁ ଶୋଇଛନ୍ତି । ଏପଟେ ପେଟ ତ ବୁଝୁନି, ଏଇଟା ଘର ନୁହଁ ଯେ ଭୋକ ହେବା ମାତ୍ରେ ଖାଦ୍ୟ ମିଳିଯିବ । ନିଜ କାନ୍ଧବ୍ୟାଗରେ ଥିବା ପାଣି ବୋତଲ ବି କେତେବେଳୁ ଖାଲି ହେଇ ସାରିଲାଣି । ସରାଗରେ ନାତି ଟୋକା କାନ୍ଧ ବ୍ୟାଗରେ ତା ଟିଫିନ ବିସ୍କୁଟଟା ଚୁପ କିନା ପୂରେଇ ଥିଲା । ସେଇ ଗୋଟିକ ବି କେତେବେଳୁ ସାରିଲାଣି ।

             ଧୀରେ ଧୀରେ ଭୋକର ଜ୍ୱାଳାରେ ମୁଣ୍ଡ ବୁଲାଇବା ଆରମ୍ଭ କଲାଣି, ଆଖିରୁ ଜୁଳୁ ଜୁଳିଆ ପୋକ ବାହାରିଲାଣି । ଏତିକି ବେଳେ କାହାର ମଉସା ଡାକରେ ବ୍ୟକ୍ତି ଜଣକ ଟିକେ ସଳଖି ଚାହିଁଲା ବେଳକୁ ଷ୍ଟେସନ ମାଷ୍ଟର ବାବୁ ପଚାରୁଛନ୍ତି ମଉସା କୁଆଡେ ଯିବେ ? ସାଙ୍ଗରେ ଆଉ କିଏ ଅଛନ୍ତି ! କାଲି ଠାରୁ ଦିନ ରାତି ଆପଣ ଏକୁଟିଆ ଏଇଠି ଶୋଇ ଥିବାର ଦେଖି ଭାବିଲି ଟିକିଏ ପଚାରି ବୁଝି ନିଏ । ବ୍ୟକ୍ତି ଜଣକ କିଛି କହି ବାକୁ ଚେଷ୍ଟା କରୁ ଥାନ୍ତି ହେଲେ ପାଟିରୁ ଭାଷା ବାହାରୁ ନ ଥାଏ । ଷ୍ଟେସନ ମାଷ୍ଟର ବାବୁ ଜଣଙ୍କୁ ଘଟଣା ଅନୁମାନ କରିବାକୁ ବେଶୀ ସମୟ ଲାଗିଲା ନାହିଁ । ସେ ସଂଗେ ସଂଗେ ବୃଦ୍ଧ ଜଣଙ୍କ ପାଇଁ କିଛି ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରି ତାଙ୍କୁ ଖୁଆଇ ପିଆଇ ସାଷ୍ଟାଙ୍ଗ କରିବା ପରେ ପଚାରିଲେ ମଉସା ଆପଣଙ୍କ ଘର ଠିକଣା କୁହନ୍ତୁ ମୁଁ ନେଇ ଛାଡି ଆସିବି । ବୃଦ୍ଧ ବ୍ୟକ୍ତି ଜଣକ ଏଥର ଭୋ ଭୋ ହେଇ କାନ୍ଦି ଉଠିଲେ । 

         ବୟସର ଆଧିକ୍ୟ ହେତୁ ତାଙ୍କର ସ୍ମରଣ ଶକ୍ତି ହ୍ରାସ ପାଇସାରିଛି । କିଛି କଥା ଠିକ ଠିକ ମନେ ପକେଇ କହିବା ତାଙ୍କ ପକ୍ଷରେ ସମ୍ଭବ ହେଉନି । ଖାଲି ଏତିକି କଥା ବାରମ୍ବାର କହୁଥାନ୍ତି । ମୋ ପୁଅ ଆସିବ, ସେ ଟିକେଟ କରିବାକୁ ଯାଇଛି । ମୁଁ ମୋ ପୁଅ ବୋହୂଙ୍କ ପାଖରେ ସହରରେ ରୁହେ । ମୋତେ ଜ୍ୱର ହେଇଚି, ଆଉ ମୋ ନାତି ମୋ ସହ ସବୁବେଳେ ଖେଳେ । ତେଣୁ ବୋହୂମା କହିଲେ ମୋ ସହ ଖେଳିଲେ ନାତିଟାକୁ ବି ଜ୍ୱର ହେଇଯିବ । ତେଣୁ ପୁଅ ମୋତେ ଡାକ୍ତରଙ୍କ ପାଖକୁ ନେଇ ଯିବ । ମୁଁ ଭଲ ହେଇଗଲେ ମୋ ନାତି ସହ ପୁଣି ଖେଳିବି । ହେଲେ ସିଏ ଏଯାଏଁ ଆସୁନି କାହିଁକି ! 

                 ବୃଦ୍ଧଙ୍କର ସ୍ମରଣ ଶକ୍ତିକୁ ଆଉ ଟିକିଏ ସକ୍ରିୟ କରିବା ଉଦ୍ଦେଶ୍ୟରେ ଷ୍ଟେସନ ମାଷ୍ଟର ବାବୁ ପୁଣି ପଚାରିଲେ, ମଉସା ମାଉସୀ ସାଥିରେ ଆସିନାହାନ୍ତି ! ବୁଢା ର ପାକୁଆ ପାଟିରେ ଚେନାଏ ହସ ଝଲସି ଉଠିଲା, ପୁଣି ପର ମୁହୂର୍ତ୍ତରେ ବିଷ।-ଦର ଛାୟା । ବୋଧ ହୁଏ ସେ କିଛି ମନେ ପକେଇ ପାରୁଛନ୍ତି । କହିଲେ ଆଜକୁ 22ବର୍ଷ ତଳୁ ବୁଢ଼ୀ ମୋତେ ଛାଡି ଆର ପାରିକୁ ଚାଲି ଯାଇଛି । ଏ ପୁଅର ମା 'ବି ମୁଁ, ବାପା ବି ମୁଁ । ଏ ଯାଏଁ କୁଆଡେ ଗଲା ? ନିଆଁ ଲଗା ବାର୍ଦ୍ଧକ୍ୟ ଆସି ମୋତେ ଏତେ ଦୁର୍ବଳ କରି ଦେଉଛି ଯେ, ମୋ ପୁଅକୁ ମୁଁ ଏକୁଟିଆ ଟିକେଟ କରିବାକୁ ପଠେଇ ଦେଲି । ସେ ଏଯାଏଁ ଟିକେଟ କରିପାରୁନି । ଜାଣେନି କେତେ ସମୟ ଏଇଠି ମୋତେ ଅପେକ୍ଷା କରିବାକୁ ପଡିବ ! ମଉସା ତୁମ ପୁଅର ନାଁ ଓ ଫୋନ ନମ୍ବର କିଛି ମନେ ଅଛି? ଅତି କଷ୍ଟରେ ବୁଢା ନିଜ ବ୍ୟାଗରୁ ପୁଅର ଫୋନ ନମ୍ବର ଖୋଜି ଲେଖି ନେବାକୁ କହିଲେ, ଯେଉଁଟା ନାତି ଟୋକାଟା ଖଣ୍ଡେ କାଗଜରେ ଲେଖି ତାଙ୍କୁ ଦେଇଥିଲା । ନମ୍ବର ଡାଏଲ କରିବାରୁ "ଆପ ଜିସ ନମ୍ବରକୁ କଲ କର ରହେ ହେଁ ୱ ନମ୍ବର ମହଜୁଦ ନେହିଁ ହେ ।"ବାରମ୍ବାର ଶୁଭିଲା ।

                ଆଉ ସମୟ ନଷ୍ଟ ନ କରି ଷ୍ଟେସନ ମାଷ୍ଟର ବାବୁ ବୃଦ୍ଧ ବ୍ୟକ୍ତିଙ୍କୁ ସେଲ୍ଟର ହୋମକୁ ନେଇ ଆସି ସେଠାରେ ତାଙ୍କର ରହିବାର ସମସ୍ତ ବ୍ୟବସ୍ଥା କରିଦେଲେ ଏବଂ ବୃଦ୍ଧ ବ୍ୟକ୍ତିଙ୍କୁ କହିଲେ, ମଉସା ଆପଣ ଅସୁସ୍ଥ ଅଛନ୍ତି ? ସେଇ ଭଙ୍ଗା ବେଞ୍ଚରେ ଖୋଲା ପବନରେ ଶୋଇଲେ ଆପଣ ଆହୁରି ଅସୁସ୍ଥ ହେଇଯିବେ । ବରଂ ଏହି ଘରେ ରହି ଆପଣ ସୁସ୍ଥ ହେଇ ଯାଆନ୍ତୁ । ତା'ପରେ ଆପଣଙ୍କ ପୁଅ ଟିକେଟ କରି ଫେରି ଆସିଲେ ତାଙ୍କ ସହ ଆପଣ ଘରକୁ ଯାଇ ନାତି ସହ ଖେଳିବେ । ନାତି ସହ ଖେଳିବାର ଲାଳସାରେ ବୃଦ୍ଧ ଜଣକ ସେଇ ଆଶ୍ରୟ ଗୃହରେ ରହିବାର ସ୍ୱୀକୃତି ଦେଇଦେଲେ । ଏତିକି କଥା ବାରମ୍ବାର କହୁଥାନ୍ତି । ମୋ ପୁଅ ଆସିବ, ସେ ଟିକେଟ କରିବାକୁ ଯାଇଛି !


Rate this content
Log in

Similar oriya story from Tragedy