Rashmita Panigrahi

Tragedy

3  

Rashmita Panigrahi

Tragedy

ମାୟାଵିନୀ

ମାୟାଵିନୀ

6 mins
16


 

  ଲିପ୍ସା ଦାସ ସହରର ଜଣାଶୁଣା ନାଁ ଟିଏ l ଆଜି ରବିବାର l ସହର ଠୁ ପନ୍ଦର କିଲୋମିଟର ଦୂର ଵୃଦ୍ଧାଶ୍ରମରେ ରହିଛି ଆଜିର କାର୍ଯ୍ୟକ୍ରମ l ଅନ୍ତେବାସୀ ମାନଙ୍କ ଲାଗି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ସରିଛି, କେବଳ ନିଆଯାଇ ବଣ୍ଟନ କରିବେ ଲିପ୍ସା ମ୍ୟାମଙ୍କ ଟିମ l ସେ ଟିମ ରେ ମୋନାଲିସା ନୂଆ ସଦସ୍ୟା l ପେଶା ତାଙ୍କର ସାମ୍ବାଦିକତା ଆଉ ନିଶା ଲୋକଙ୍କର ଉପକାର l ଲିପ୍ସାମ୍ୟାମଙ୍କର ସେ ଜଣେ ଖୁବ ପ୍ରଶଂସିକା l ଲିପ୍ସା ମ୍ୟାମଙ୍କର ଖାସ ଗୁଣ ହେଉଛି ସହର ତଳି ଅଞ୍ଚଳର ବସ୍ତି ଲୋକଙ୍କ ପ୍ରତି ତାଙ୍କର ଶ୍ରଦ୍ଧା, ଭଲପାଇବା, ସେମାନଙ୍କୁ ଅନ୍ନବସ୍ତ୍ର ଦେବା, ଵୃଦ୍ଧାଶ୍ରମ ଯାଇ ବରିଷ୍ଠ ନାଗରିକ ମାନଙ୍କର ଯତ୍ନ ନେବା ଇତ୍ୟାଦି l କେବେ ଫଳମୂଳ, ଔଷଧ ତ କେବେ ପୁଣି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ବଣ୍ଟନ ସହିତ ସେମାନଙ୍କ ସୁବିଧା ଅସୁବିଧା ସବୁ ପଚାରି ବୁଝନ୍ତି ସେ l ସହରର ସବୁ ପ୍ରତିଷ୍ଠିତ ଅନୁଷ୍ଠାନ ରେ ଲିପ୍ସା ମ୍ୟାମଙ୍କର ସ୍ୱତନ୍ତ୍ର ଆସନ ଟିଏ ରହିଛି l ଆର୍ଥିକ ସାହାଯ୍ୟ କରିବାରେ ସେ କେବେ କୁଣ୍ଠାବୋଧ କରି ନାହାନ୍ତି ଏଇ ଅନୁଷ୍ଠାନ ଗୁଡିକୁ l କେବେ କେବେ ମୋନାଲିସାଙ୍କର ଇଚ୍ଛା ହୁଏ ଲିପ୍ସା ମ୍ୟାମଙ୍କ ପାଦରୁ ଧୂଳି ଟିକିଏ ନେଇ ତାଙ୍କ ନିଜ ମୁଣ୍ଡରେ ମାରନ୍ତେ ଆଉ ନିଜକୁ ତାଙ୍କ ପରି ହେବାର ଆଶୀର୍ବାଦ ମାଗି ନିଅନ୍ତେ l

    ସେଦିନ କିନ୍ତୁ ଆସୁ ଆସୁ ବାଟରେ ସ୍କୁଟିରେ ଲୁହାକଣ୍ଟାଟେ ଫୁଟିଯାଇ ପଙ୍କଚର ହେଇଯାଇଛି , ତାକୁ ସଜାଡି ସାରି ଲିପ୍ସା ମ୍ୟାମଙ୍କ ଘରେ ପହଞ୍ଚିଲା ବେଳକୁ ବହୁତ ବିଳମ୍ବ ହେଇ ଯାଇଛି l ତେଣୁ ସେମାନେ ଆଗୁଆ ବାହାରି ଯାଇଛନ୍ତି ଵୃଦ୍ଧାଶ୍ରମ ଅଭିମୁଖେ l ଠିକ ସମୟ ରେ ଖାଦ୍ୟ ନ ପହଁଚିଲେ ଏତେ ପରିଶ୍ରମ ବୃଥାରେ ଯିବ l 

      ଏତିକି ବେଳେ ତାଙ୍କ ଲାଗି ଚା' ଆଉ ସ୍ନାକ୍ସ ଟିକିଏ ନେଇ ଆସେ ଶାନ୍ତାବାଈ l ସାରା ଦିନ ଏଇଠି ରହି ସବୁ କାମ କରେ, ସନ୍ଧ୍ୟା ପୂର୍ବରୁ ନିଜ ଘରକୁ ଫେରିଯାଏ ଶାନ୍ତାବାଈ l ସ୍ନାକ୍ସ ଟା ପାଟିରେ ଦେଉ ଦେଉ କାନରେ କିଛି ଅସ୍ପଷ୍ଟ ଶବ୍ଦ ପଡିଲା l ଯେମିତି କେହି ବଳ ପୂର୍ବକ କିଛି ଠେଲା ଠେଲି କରିବା ବେଳେ ପାଟିରୁ ବାହାରୁ ଥିବା ଶବ୍ଦ କିମ୍ବା ହେଇପାରେ କାହାର ଯନ୍ତ୍ରଣାର ଓହୋ ସ୍ୱର l ଶାନ୍ତାବାଈ ରୋଷଇ ଘରେ କାମରେ ବ୍ୟସ୍ତ l ମୋନାଲିସା ଯେତିକି ଜାଣନ୍ତି ଏ ଘରେ ଲିପ୍ସା ମ୍ୟାମ ଓ ତାଙ୍କ ସ୍ୱାମୀ ଆସିଷ୍ଟାଣ୍ଟ ଡିରେକ୍ଟର ବିକାଶ ଦାସ ରହନ୍ତି l ଗୋଟିଏ ବୋଲି ପୁଅ, ସେ ତ ବେଙ୍ଗାଲୁରୁ ରେ l ତେବେ ଏ ଶବ୍ଦ କରୁଛି କିଏ ! ସେ ପୁଣି ଚା'ପିଇବାରେ ମନ ଦେଇଛନ୍ତି l ପୁଣି ସେହି ଭୟଙ୍କର ବେଦନା ସିକ୍ତ ସ୍ୱର l ସେ ଆଉ ନିଜକୁ ଅଟକାଇ ପାରିନାହାନ୍ତି l ଧିରେ ଧିରେ ସେଇ ସ୍ୱର ଅଭିମୁଖେ ଆଗେଇଛନ୍ତି l ସ୍ୱର ଶୁଭୁ ଥିବା କୋଠରୀ ସାମ୍ନାରେ ଅଟକିଗଲେ କାରଣ ସେଇଟା ତାଲା ପଡିଥିଲା l ଶାନ୍ତାବାଈକୁ ଡାକି ପଚାରିଲେ, 

-କହିଲ ଏ ସ୍ୱର କାହାର ? 

--ଏଇଟା ବୁଢାବାବୁଙ୍କର l 

--ସେ ପୁଣି କିଏ ? 

--ବାବୁଙ୍କର ବାପା l ମିଲିଟାରୀ ରେ ବଡ଼ ଚାକିରି କରିଥିଲେ l

---ତାଙ୍କୁ ତାଲା ପକାଯାଇଛି କାହିଁକି ? 

--ତାଙ୍କ ମୁଣ୍ଡ ଖରାପ l ସେ କାଳେ ପୂରା ପାଗଳ l

--ଚାବି କେଉଁଠି ଅଛି ଆଣିଲ l

--ନାଇ ମୋ ଝିଅ l ସେଇଟା ମା'ରଖନ୍ତି l ମୋ ଆଖିରେ କେବେ ପଡିନି l

--ଆଚ୍ଛା ତେବେ ତୁମ କାମ କର, ମୁଁ ବି ଆସୁଛି l ମନରେ ଅନେକ ପ୍ରଶ୍ନ ର ଢେଉ ଅସ୍ତବ୍ୟସ୍ତ କରି ଦେଉଥିଲା, ତଥାପି ଚୁପଚାପ ସେଇଠୁ ସିଧା ଯାଇ ଵୃଦ୍ଧାଶ୍ରମରେ ଯୋଗ ଦେଲେ ମୋନାଲିସା l ଲିପ୍ସା ମ୍ୟାମଙ୍କର ସେଇ ଅନ୍ତେବାସୀ ମାନଙ୍କ ସହ ବ୍ୟବହାରକୁ କିଛି ନିଜ କ୍ୟାମେରାରେ ଆବଦ୍ଧ କଲେ ତହିଁ ପରଦିନର ଖବର କାଗଜ ପୃଷ୍ଠା ପାଇଁ l

    ବେଶ କିଛି ଦିନ ଲିପ୍ସା ମ୍ୟାମଙ୍କ ସହ ବିଭିନ୍ନ ଜାଗାକୁ ଗଲେ, ତାଙ୍କ ସେବା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ବି କଲେ l ମନରେ ଉଙ୍କି ମାରୁଥିବା ପ୍ରଶ୍ନଗୁଡିକୁ ପଚାରିବା କିନ୍ତୁ ଉଚିତ ମନେକଲେ ନାହିଁ l ପୁନଶ୍ଚ ଏକ ରବିବାରର ପ୍ରତୀକ୍ଷା ରେ ରହିଲେ ମୋନାଲିସା l ମାସର ଶେଷ ରବିବାର l ସେଇ ଗୋଟିଏ ଦିନ ମ୍ୟାମ ଵୃଦ୍ଧାଶ୍ରମ ରେ ଅଧିକ ସମୟ ରହନ୍ତି, ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଖବର ନିଅନ୍ତି l ୟା ଭିତରେ ଲିପ୍ସା ମ୍ୟାମଙ୍କ ସହ ମୋନାଲିସାଙ୍କର ସମ୍ପର୍କ ଆହୁରି ନିବିଡ ହେଇ ଉଠିଛି l

      ସମୟ ଆସିଛି l ମୋନାଲିସା ଏଥର ଜାଣିଶୁଣି ବିଳମ୍ବ କରି ଆସିଛନ୍ତି l ଡ୍ରଇଂ ରୁମରେ ବସିବା ପରେ ଶାନ୍ତାବାଈ କଫି କପଟେ ବଢ଼ାଇ ଦେଇଛି l ମୋନାଲିସା ହସି ହସି ଶାନ୍ତାବାଈ ର ହାତ ତିଆରି କଫିକୁ ପ୍ରଶଂସା କରି କହିଛନ୍ତି, 

--ତୁମେ ଏତେ ସୁନ୍ଦର ଖାଦ୍ୟ ସବୁ ରୋଷେଇ କରୁଛ, ତୁମ ପୁଅକୁ ଟିକିଏ ଖୁଆଇ ବାକୁ ଇଚ୍ଛା ହୁଏନି କେବେ ? 

--ହୁଏ ଝିଅ l

--ତେବେ ଅସୁବିଧା କେଉଁଠି ? 

--ଘରକୁ ଫେରିବି ସନ୍ଧ୍ୟାରେ, ସେତେବେଳକୁ ଏ ଖାଦ୍ୟ ସବୁ ବାସି ହେଇ ଯାଇଥିବ l 

--ଆଜି ମୋର ଗୁଡ଼ାଏ ଲେଖା ଲେଖି ରହିଛି l ସନ୍ଧ୍ୟା ପୂର୍ବରୁ ସେତକ ରିପୋର୍ଟ ରେଡି କରି ଦେବାକୁ ପଡିବ l ତୁମେ ଯଦି ଚାହିଁବ ଏ ଖାଦ୍ୟ କିଛି ନେଇ ଏବେ ତୁମ ଘରେ ଦେଇ ଆସି ପାରିବ l 

--ତୁମ ରୁଣ ମୁଁ କିପରି ଶୁଝିବି ? 

--ଏଥିରେ ରୁଣ କେଉଁଠୁ ଆସିଲା ? ମୁଁ ତ ଏଠି ବସି କିଛି ସମୟ ଲେଖାଲେଖି କରିବି, ତୁମେ ଆସ, ତାପରେ ମୁଁ ଆଶ୍ରମ ଯିବି l

--ଧନ୍ୟବାଦ ଝିଅ l ଏତକ କହି ଶାନ୍ତାବାଈ ଆଶ୍ରମ କୁ ଯାଇଥିବା ଖାଦ୍ୟର ଅବଶିଷ୍ଟ ଅଂଶ ଧରି ଦୌଡ଼ିଲା ନିଜ ଘର ଅଭିମୁଖେ l ଫେରୁ ଫେରୁ ନିହାତି ତାକୁ ଘଣ୍ଟାଏ /ଦେଢ଼ ଘଣ୍ଟା ଲାଗି ଯିବ, ଏକଥା ଜାଣି ଥିଲେ ମୋନାଲିସା l

   ଆଜି ଆଉ ଶବ୍ଦକୁ ଅପେକ୍ଷା କଲେନି ସେ l ୟା ଭିତରେ ଘରର କୋଣ ଅନୁକୋଣ ସହ ପରିଚିତl ହେଇ ସାରିଥିଲେ l ଖୁବ ସହଜରେ ଚାବି ପେନ୍ଥା ନେଇ ସେ କବାଟ ଖୋଲିବା ରେ ସଫଳ ହେଲେ l ଏ କଣ ଦେଖୁଛନ୍ତି ସେ ! ଗୋଟିଏ ଅଧା ଭଙ୍ଗା କାଠ ଚେୟାରରେ ବସିଛନ୍ତି ଜଣେ ହାତେ ଲମ୍ବା ନିଶଦାଢ଼ି ଥିବା ବୃଦ୍ଧ ବ୍ୟକ୍ତି l ସେ ମୋନାଲିସାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇ ପଚାରିଲେ, 

--କିଏ ତୁମେ ମା ? 

--ଆପଣ ? 

--ମୁଁ ଦୟାନିଧି ଦାସ, ରିଟାୟାରଡ଼ ଆର୍ମି ଜେନେରାଲ l ହେଲେ ଆଜି ନିଜ   ଘରେ ନିଜେ ବନ୍ଦୀ ! ଏତକ କହୁ କହୁ ଭୋ ଭୋ ହେଇ କାନ୍ଦି ଉଠିଲେ ବୃଦ୍ଧ ଜଣକ l

--ଆପଣ ଦେଶର ସୁରକ୍ଷା ଲାଗି କାମ କରିଛନ୍ତି l ଆଉ ନିଜ ସୁରକ୍ଷା ବେଳକୁ.... ? 

--କେମିତି କରିବି ମା ? ଏବେ ମୁଁ ସମ୍ପୂର୍ଣ୍ଣ ଅସହାୟ l

--ଆପଣ ଚାହିଁଥିଲେ ପ୍ରଥମରୁ ଅନ୍ୟ ଜାଗାରେ ରହିପାରିଥାନ୍ତେ l ପେନସନ ଟଙ୍କାରେ ଆରାମରେ ଚଳିଥାନ୍ତେ !

--ସେତକ ବି ନାହିଁ ମା l ବୋହୂମା ମୋ ପାସବୁକ ଛଡାଇ ନେଇଛନ୍ତି l ତା ପୂର୍ବରୁ ଛଳନାରେ ମୋ ଠୁ ଗୁଡ଼ାଏ ଦସ୍ତଖତ ବି ନେଇ ଯାଇଛନ୍ତି l

---ଆପଣଙ୍କ ଶରୀର ରେ ଏ ଦାଗ ସବୁ ... ? 

--ଯେବେ ଚେକରେ ଆଉ ଦସ୍ତଖତ ନ କରେ, ଏମିତି ଚେଙ୍କ ସହିବାକୁ ପଡେ l

-- ହାତରେ ନଖ ଏତେ ବଡ଼ କାହିଁକି ଆଜ୍ଞା ? 

--କାଟି ପାରୁନି l ଆଖିକୁ ତ ଦେଖା ଯାଉନି ଭଲରେ l

-- ମୁଣ୍ଡରେ ଏତେ ଲମ୍ବା ବାଳ ? 

--ଏତେ ଲମ୍ବା ଦାଢ଼ି...? 

--ବାରିକ ଘରକୁ ଆସି କାଟି ଦେଉ ଥିଲା, ତାକୁ ଏମାନେ ମନା କରି ଦେଇଛନ୍ତି l

--ବଞ୍ଚିବାକୁ ଭାରି କଷ୍ଟ ଲାଗୁଛି l ଇଚ୍ଛା ହେଉଛି ଆତ୍ମହତ୍ୟା କରିନେବି, ହେଲେ ସେତକ ସାଧନ ବି ଅମିଳକ l

--ଆପଣ କେବେ ଚେଷ୍ଟା କରିଛନ୍ତି ଏଠାରୁ ବାହାରିବା ପାଇଁ l 

-- ବୟସ 85 ରୁ ଅଧିକ ହେଲାଣି l ଦେହରେ ଆଉ ଆଗର ସେ ବଳ ନାହିଁ l ଠିକ ରେ ଦେଖି ବି ପାରୁନି l ପାଦ ଫୁଲି ଆସିଲାଣି l କମର ରେ ଭୀଷଣ ଯନ୍ତ୍ରଣା l ଡାକ୍ତରଙ୍କ ପାଖକୁ ଆଉ ନେଉ ନାହାନ୍ତି l ନା କାନକୁ ଶୁଭୁଛି, ନା ପାଟି କଲେ କେହି ଶୁଣୁଛନ୍ତି, ଓଲଟା ମୋତେ ପାଗଳ କହି ଘରେ ପୂରାଇ ତାଲା ପକାଇ ଦେଉଛନ୍ତି l 

--ଆପଣଙ୍କ ସ୍ତ୍ରୀ ? 

--ସେ ଥିଲେ ମୋର କିଛି ଚିନ୍ତା ନ ଥିଲା l ମୋର ସବୁ କଥା ସେ ବୁଝି ପାରୁ ଥିଲା l

-- କାହାନ୍ତି ସେ ? 

--ଦଇବ ତାକୁ ନେଇଗଲା ମା' l ଯେତେ ଦିନ ଯାଏ ସେ ଘରର ସବୁ କାମ କରି ପାରୁଥିଲା, ତା'କଥା ଏମାନେ ବୁଝୁ ଥିଲେ, ହଠାତ ତା'ର ଏକ ଅଙ୍ଗ ଅଚଳ ହେଇଗଲା l ବିଚାରି ବହୁ କଷ୍ଟ ପାଇ ପାଇ ମଲା l ତାକୁ ଟିକିଏ ଭଲରେ ଚିକିତ୍ସା କରେଇଲେ ନି, କି ସେବା ବି କଲେନି l ମୁଁ ଭଲ ସ୍ୱାମୀ ଟିଏ ହେଇ ପାରିଲିନି l ତା' କଷ୍ଟ ଦୂର କରି ପାରିଲିନି l କେହି ମୋତେ ସହଯୋଗ ବି କଲେନି l ବୁଢ଼ା କାଳେ ପ୍ରେମ ଉଛୁଳୁଚି କହି ଓଲଟି ଗାଳି ଗୁଲଜ କଲେ l କେତେ ଆଉ ସହିଥାନ୍ତା ! ଶେଷରେ ଆଖି ବୁଜି ଦେଲା ମୋହରି ସାମ୍ନାରେ l ଭଲ ହେଇଛି ଯନ୍ତ୍ରଣା ରୁ ମୁକ୍ତି ତ ପାଇଲା l

-- ପାରିବ ଯଦି ବିଷ ଟିକିଏ ଆଣି ଦିଅ ମା' l 

--ଏ ଆପଣ କଣ କହୁଛନ୍ତି ! କୁହନ୍ତୁ ମୁଁ ଆପଣଙ୍କୁ କି ସାହାଯ୍ୟ କରିବି ? 

--ଏଠାରୁ ମୋତେ ମୁକ୍ତ କରିଦିଅ l

--କୁଆଡେ ଯିବେ ଆପଣ ? 

---ଯୁଆଡେ ଇଚ୍ଛା l

--ଘର ଲୋକେ ମୋତେ ଦୋଷ ଦେବେ l 

--କାହିଁକି ? 

--ଗୃହକର୍ତ୍ତାଙ୍କ ଅଗୋଚରରେ..... !

--ପ୍ରକୃତ ଗୃହକର୍ତ୍ତା ତ ମୁଁ l ମୁଁ କହିବାରୁ ତୁମେ କେବଳ ମୋତେ ସାହାଯ୍ୟ କରୁଛ l

--ଚିନ୍ତା କରନ୍ତୁ ନି l ମୋତେ ଆପଣ ମା'ଡାକିଛନ୍ତି l ମୁଁ ଆପଣଙ୍କ ସୁରକ୍ଷା ସୁନିଶ୍ଚିତ କରିବି l 

     ମୋନାଲିସା ନିଜେ ମା'ବାପା ଛେଉଣ୍ଡ ଝିଅଟିଏ l ଶୁଣି ଥିଲେ ମା'ବାପା ଈଶ୍ୱରଙ୍କ ରୂପ l ତେବେ ଏଇ କଣ ସେ ଈଶ୍ୱର ଆଉ ଏୟା ତାଙ୍କର ସ୍ଥିତି ! ପୁଣି ସେ ଅନାଥାଶ୍ରମକୁ ଫେରି ଯାଇଛନ୍ତି, ଯେଉଁଠି ସେ ବଡ଼ ହେଇଛନ୍ତି, କାରଣ ସେଇଠି ଵୃଦ୍ଧାଶ୍ରମ ବି ରହିଛି l ଫୋନ ରେ ସହାୟତା ମାଗିଛନ୍ତି, ଆଶ୍ରମ ରୁ ଜଣେ ଆସି ସସମ୍ମାନେ ନେଇଯାଇଛନ୍ତି ବୁଢ଼ାବାବୁଙ୍କୁ l

--ଏବେ ଶାନ୍ତାବାଈ ଫେରିବା ପରେ ମୋନାଲିସା ବିଦାୟ ନେଇଛନ୍ତି ସେ  ଘରୁ l 

    ତହିଁ ପରଦିନର କାର୍ଯ୍ୟ ସୂଚୀ ଅନୁଯାୟୀ ବସ୍ତିର ପିଲାଙ୍କ ନିମନ୍ତେ ପୋଷାକ ବଣ୍ଟନ କରିବା ସକାଶେ ସମସ୍ତେ ଏକତ୍ରିତ ହେଇଛନ୍ତି ଲିପ୍ସା ମ୍ୟାମଙ୍କ ଘରେ l ଗାଡି ରେ ରଖାଯାଉଛି ପୋଷାକ ବସ୍ତା ସବୁ l ଲିପ୍ସା ମ୍ୟାମଙ୍କ ମୁଖ ମଣ୍ଡଳ ପୂର୍ବଦିନ ମାନଙ୍କ ପରି ସତେଜ, ନା ଅଛି ଚିନ୍ତା, ନା ଅଛି ଭୟ, ନା କିଛି ଅବଶୋଷ l ତାଲା ବନ୍ଦ କୋଠରୀ ଟି ଆଜି ମୁକୁଳା ପଡିଛି l ମୋନାଲିସା ସେଠିକି ଚାହିଁ ଦେବାରୁ ଲିପ୍ସା ମ୍ୟାମ କହି ଉଠିଲେ, "ସେ ଗାଁ କୁ ଚାଲି ଯାଇଛନ୍ତି l ତାଙ୍କୁ କାଳେ ଏଠିକା ପାଣି ପବନ ଆଉ ଭଲ ଲାଗୁନି l ଯାଇଛନ୍ତି ଏକ ପ୍ରକାର ଭଲ କରିଛନ୍ତି l ଜନ୍ମମାଟିରେ ଶେଷ ସମୟଟା କାଟିବା ତାଙ୍କର ଇଚ୍ଛା ଥିଲା, ଈଶ୍ୱର ତାଙ୍କୁ ଭଲରେ ରଖନ୍ତୁ l

   ମନେ ମନେ ଖୁବ ହସି ଛନ୍ତି ମୋନାଲିସା l ନିଜ ବୃଦ୍ଧ ମା'ବାପାଙ୍କୁ ନିର୍ଯ୍ୟାତିତ, ଶୋଷିତ କରି ଵୃଦ୍ଧାଶ୍ରମରେ ସେବା ଦେବାର ଯଥାର୍ଥତାକୁ ଖୋଜି ପାଉ ନାହାନ୍ତି ସେ l କେବଳ ଏତିକି ବୁଝି ଛନ୍ତି ଯାହାଙ୍କୁ ଦେବୀ ଆସନରେ ବସାଇ ତାଙ୍କ ଆଦର୍ଶରେ ନିଜକୁ ଗଢିବାକୁ ଚାହୁଁଥିଲେ, ସେ ଯେ ଜଣେ ମାୟାବିନୀ l


Rate this content
Log in

Similar oriya story from Tragedy