Dr Rashmita Panigrahi

Tragedy

4.1  

Dr Rashmita Panigrahi

Tragedy

ଅସହାୟ ବାପା

ଅସହାୟ ବାପା

4 mins
338



  ରାଜରାସ୍ତା ରକ୍ତାକ୍ତ l ଗଣ୍ଡି ମୁଣ୍ଡ ସବୁ ଚେପା l ଡୋଳା ଗୁଡିକ ଛିଟିକି ଯାଇଛି l ମାଂସ ବୁଜୁଳା ଏଣେ ତେଣେ ବିଚ୍ଛlଡି ପଡିଛି l ଦେଖଣାହାରୀଙ୍କ ଭିଡ ବଢ଼ିବାରେ ଲାଗିଛି l ଭିଡ଼ ପଛରୁ କିଏ କହୁଛି ଆଗ ହସ୍ପିଟାଲକୁ ନିଅ ।  ମୋବାଇଲରେ ରେକର୍ଡିଙ୍ଗ ବି ଚାଲିଛି l ରାସ୍ତା ଅବରୋଧ ହେଇ ଆସୁଛି l ଫୋନ କଲ୍ ପାଇ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସବୁକିଛି ନିୟନ୍ତ୍ରଣ କରିବାର ପ୍ରୟାସ ଜାରି ରଖିଛି l ପ୍ରଥମେ ଖଣ୍ଡ ବିଖଣ୍ଡିତ ଶରୀରର ଟୁକୁଡା ଗୁଡିକୁ ଏକାଠି କରି ପଲିଥିନ ଟେ ଢାଙ୍କି ଦେଇଛନ୍ତି l ପୋଷ୍ଟମର୍ଟମ ପାଇଁ କିଛି ବି ବଞ୍ଚିନି l ଭୋର ସମୟ ରେ ଭାରି ଟ୍ରକର ଚକା ତଳେ ଦେହଟା ରାସ୍ତା ଦେହରେ ମିଶି ଯାଇଛି l ତଥାପି କର୍ତ୍ତବ୍ୟ ଆଗରେ ଏସବୁ ର କିଛି ମାନେ ନାହିଁ l ହାତରେ ଗ୍ଲୋଭସ ପୂରାଇ ଗୋଟାଇ ଗୋଟାଇ ମାଂସ ହାଡ଼ ସବୁ ଅଖାରେ ରଖିଛନ୍ତି l ସେଇ ଘାଣ୍ଟିଯାଇ ଥିବା ଦେହ ସହିତ ଥିବା କପଡାରୁ ମିଳିଛି ଛିଣ୍ଡl ଚକଟା ପର୍ସ l ପର୍ସ ଭିତରଟାକୁ ତନ୍ନ ତନ୍ନ କରି ଦେଖୁଥାନ୍ତି ଇନ୍ସପେକ୍ଟର ମହୋଦୟ l କିଛି ବି ସୁରାକ କିମ୍ବା ଫୋନନମ୍ବର ଟେ

ମିଳିଗଲେ ସମ୍ପର୍କୀୟ ଙ୍କୁ ଯୋଗାଯୋଗ କରିବେ, ତାପରେ ପୁଣି କେତେ ଫର୍ମାଲିଟିଜ ରହିଛି l ମେଞ୍ଚାଏ ମାଂସ ନୋଟ ଦେହରେ ନେସି ହେଇ ଯାଇଛି l ମାତ୍ର ନୋଟ ଭିତରେ ରହିଛି ଖଣ୍ଡିଏ ବେଦlଗ କାଗଜ l ତରବର ହେଇ କାଗଜଟିକୁ ଏମୁଣ୍ଡରୁ ସେମୁଣ୍ଡ ଓଲଟ ପାଲଟ କରି ଦେଖନ୍ତି, କିଛି ବି ଆଇଡେଣ୍ଟିଫିକେସନ ରେ ହେଲ୍ପ ମିଳିଯିବା ଆଶାରେ l ୟେ କଣ ! ମନେ ହୁଏ ଚିଠି କି କଣ ? ହେଲେ କିଏ ଲେଖିଛି କାହାକୁ ? ଆଖି ପିଛୁଳାକେ ପଢି ପକାନ୍ତି ଆରମ୍ଭରୁ ଶେଷ ଯାଏଁ l

ପ୍ରିୟ ପୋଲିସ ବାବୁ, 

     ମୁଁ ଜାଣେନି ମୋର ଏ ଚିଠିଟି କେଉଁ ଅବସ୍ଥାରେ ପାଇବେ ଆପଣ l ତେବେ ଯଦି ଅନ୍ୟ କେହି ଏଇଟିକୁ ପାଆନ୍ତି ଦୟାକରି ପୋଲିସ ବାବୁଙ୍କୁ ଦେଇ ଦେବେ l ମୁଁ ମୋ ପରିଚୟ ଦେବାକୁ ଚାହୁଁନାହିଁ l କେବଳ ଏତିକି କହିବି ମୁଁ ଜଣେ ହତଭାଗ୍ୟ l ଜୀବନ ଯୁଦ୍ଧରେ ପରାସ୍ତ ସୈନିକ l ସ୍ତ୍ରୀ ମରିଯିବା ପରେ କେତେ ଯତ୍ନରେ ଏକମାତ୍ର ପୁଅକୁ ପାଳି ପୋଷି ବଡ କରିଛି l ତା ପାଇଁ ହସିଛି, ତା କାନ୍ଦରେ କାନ୍ଦିଛି l ଜୀବନ ଯାକର ସଞ୍ଚୟ, ବଳ ସବୁ ତା'ରି ଖୁସି ପାଇଁ ଉଜାଡି ଦେଇଛି l ଜ୍ଞାତିକୁଟୁମ୍ବ ଅରାଜି ଥିଲେ ବି ତା ପସନ୍ଦର ଝିଅକୁ ହସି ହସି ବୋହୂ କରିଆଣିଛି l ବୋହୂ ନୁହେଁ ସେ ମୋ ଝିଅ ବୋଲି ଭାବିଛି l

     ଭାଗ୍ୟର ଲେଖା କିନ୍ତୁ ଭିନ୍ନ l କପାଳେ ସୁଖ ଲେଖା ନାହିଁ, ଖୋଜିଲେ ପାଇବି କାହିଁ l ପୁଅ ବୋହୂ ବୋଲକରା ହେଇଯାଏ l ମାତ୍ର କେତେଟା ଦିନରେ ସବୁକିଛି ବଦଳି ଯାଏ l କଥା କଥାରେ ମୋ ପ୍ରତି ଆକ୍ଷେପ ଆରମ୍ଭ ହୁଏ l ମୁଁ ଯାହା କହିଲେ ସବୁ ସେମାନଙ୍କୁ ଖରାପ ଲାଗେ l ବିଛଣାରେ କୁକୁର ଶୁଏ, ସେଇଠି ଖାଏ, ସେଇଠି ହଗେ, ସଫା କରିବl ଲୋକ ମୁଁ l ମାର୍ଗଶିର ଗୁରୁବାର ରେ ଦିନ ଦଶଟା ରେ ବିଛଣା ଛାଡି ଅଗାଧୁଆ ଖାଇଲେ ବି ପାଟି ବନ୍ଦକରି ରହେ l ଆଗରୁ ଖାଲି ପୁଅକୁ ରାନ୍ଧି ଖୁଆଉଥିଲି, ଏବେ ଦୁଇ ଜଣଙ୍କ ଲାଗି ରାନ୍ଧେ l ଏପରି କି ସେମାନଙ୍କ ପିନ୍ଧା ଲୁଗା ଧୋଇ ଶୁଖେଇବା ଠୁ ଘରର ଯାବତୀୟ କାମ ସବୁ କରେ l ଜୀବନ ସାରା ଆମିଷ ଛୁଇଁ ନ ଥିବା ଲୋକ ମୁଁ ସେମାନଙ୍କ ଖୁସି ଲାଗି ନିଜେ ମାଛ ରାନ୍ଧି ଦିଏ l ଦିନେ ପାଣି ଗ୍ଲାସଟେ ନିଜେ ନେଇ ଖାଇ ନ ଥିବା ପୁଅ ମୋ ସାମ୍ନାରେ ବସି ବୋହୂକୁ ଖୁଆଇ ଦିଏ, ତାର ସେବା କରେ, ସବୁ ଦେଖେ, ଚୁପ ରହେ l ପୁଅକୁ ଦରକାର ପ୍ରତି ମାସ ମୋ ପେନସନ ଟଙ୍କା, ବୋହୂକୁ ଦରକାର ଜାଗାବାଡ଼ି ସବୁ ସେମାନଙ୍କ ନାଁରେ କରି ଦିଏ l ଏସବୁ ମୋତେ ଆଉ ହଜମ ହେଲାନି l ସିଧା ସିଧା ମନା କରି ଦେଲି ଯେ ମୋତେ ବାଡ଼େଇବାକୁ ଉଠି ଆସିଲେ l ଥରେ ନୁହେଁ ଅଧେ ନୁହେଁ ଲଗାତାର ଦୁଇ /ଚାରି ଥର l 

   ଧିକ ଏ ଜୀବନ l ଆଉ ବଞ୍ଚି କି ଲାଭ ! ଏ ସମ୍ପତ୍ତି ମୋର କେଉଁ କାମକୁ ! ସବୁ ତ ସେମାନଙ୍କର ପୁଣି ତାଙ୍କ ନାଁ କୁ କରିବା କଣ ଦରକାର ! ସେତକ କଥା ବୁଝିବା କଷ୍ଟ ହେଲା l ନିଜକୁ ଦୋଷୀ ମନେ କଲି l ନିଜ ପୁଅର ପସନ୍ଦର ବାପାଟିଏ ହେଇ ପାରିଲିନି l ହୁଏତ ବୋହୂ ନେଇ ଆସିଲି, ହେଲେ ଗୃହଲକ୍ଷ୍ମୀ ଆଣି ପାରିଲିନି l

    ସେମାନେ ପିଲାଲୋକ l ଖୁସିରେ ରୁହନ୍ତୁ l ତାଙ୍କ ଜୀବନ ରେ ମୋ ଉପସ୍ଥିତି ସେମାନଙ୍କୁ କଷ୍ଟ ନ ଦେଉ ତେଣୁ ମୁଁ ନିଜକୁ ଶେଷ କରିଛି l ସେମାନେ ନିର୍ଦ୍ଦୋଷ l ସେମାନେ ନ ଜlଣନ୍ତୁ ମୁଁ କୁଆଡେ ଗଲି ବୋଲି l ଆପଣଙ୍କୁ ବିନମ୍ର ଅନୁରୋଧ ଏକ ଅପମୃତ୍ୟୁ ମାମଲା ରୁଜୁ କରିଦେବେ l

ମୃତ୍ୟୁ ର କଷ୍ଟ ଠାରୁ ଜୀବନ ମୋ ପାଇଁ ଆହୁରି ଅନେକ ଯନ୍ତ୍ରଣା ଦାୟକ l ମୋର ଶେଷଇଚ୍ଛା ମୋ ମୃତ୍ୟୁର ଖବର ପାଇ ସେମାନେ ଯେମିତି ଅଶୌଚ ପାଳନ ନ କରନ୍ତୁ କିମ୍ବା ମୋର ପିଣ୍ଡଦାନ ତାଙ୍କ ହାତରେ ନ ହେଉ l ଇତି 

           ମୃତ୍ୟୁ ପଥର 

           ପଥିକ 

     ଇନ୍ସପେକ୍ଟେର ବାବୁଙ୍କ ଆଖିର ଲୁହରେ ଚିଠି ଖଣ୍ଡିକ ଭିଜିବା ଆରମ୍ଭ କରିଥାଏ l ପ୍ରମାଣ ନ ମିଳିବା ହେତୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୁଏ l

      କିଛି ଦିନ ଅତିକ୍ରାନ୍ତ ହୁଏ l ଇନ୍ସପେକ୍ଟେର ବାବୁଙ୍କ ହୃଦୟ ଏବେ ବି ଆତଙ୍କିତ l ସେ ବି ଗୋଟିଏ ପୁଅର ବାପା l ମନରେ ଅସୁମାରୀ ପ୍ରଶ୍ନ l ତେବେ କଣ ବାପା ହେବା ଏକ ପାପ ! ନା ପିଲାଙ୍କ ଖୁସି କୁ ପ୍ରାଧାନ୍ୟ ଦେବାଟା ଏକ ଅପରାଧ ! ଯଦି ନୁହେଁ, ତେବେ କାହିଁକି ଈଶ୍ୱରଙ୍କ ର ଏ ବିଚିତ୍ର ବିଧାନ ! ଏମିତି ହେଲେ ସଂସାର ର କେହି ବାପା ଆଉ ନିଜ ପୁଅବୋହୂ ଙ୍କୁ ମମତାର ଡୋରିରେ ବାନ୍ଧି ରଖିବାର ପ୍ରୟାସ କରିବେନି l ଦୋଷୀ କୁ ଦଣ୍ଡ ଅବଶ୍ୟ ମିଳିବା ଉଚିତ l ହେଲେ କେମିତି ? ସେ ଯେ ପ୍ରଥମେ ଜଣେ ମଣିଷ, ତାପରେ ଯାଇ ଆଇନ ର ରକ୍ଷକ l ଗୋଟିଏ ପଟେ ଜଣେ ବାପାର ଶେଷଇଚ୍ଛା l ଆର ପଟେ ନ୍ୟାୟ ରକ୍ଷାର ପ୍ରଶ୍ନ l କରିବେ ତ କରିବେ କଣ ? ଜୀବନ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଦାନ l ନିଜେ ନିଜକୁ ଶେଷ କରି ଦେବାର ଅଧିକାର ଆମକୁ କିଏ ଦେଇଛି ? ତଦନ୍ତ ଆଗକୁ ନେବେ ତ ନେବେ କେମିତି ? ଚୁପ ହେଇ ବସିଯିବେ ତ ଅବେଳରେ ବଳି ପଡିଯିବେ ଆହୁରି କେତେ "ଅସହାୟ ବାପା " !


Rate this content
Log in

Similar oriya story from Tragedy