Dr Rashmita Panigrahi

Inspirational Others

4.0  

Dr Rashmita Panigrahi

Inspirational Others

ଅନ୍ ଲାଇନ୍ ବୋହୂ

ଅନ୍ ଲାଇନ୍ ବୋହୂ

4 mins
228



   ଘଣ୍ଟାକୁ ନଜର ପଡିଲା ବେଳକୁ ଦେଖନ୍ତି ସମୟ ଆସି ଦିନ ଦଶଟା ଉପରେ ହେଲାଣି, ଏଯାଏଁ ସୁଜାତା ଦେବୀ ଙ୍କ ଠାକୁର ପୂଜା ଶେଷ ହେଇନି l ସରିବ ବା କେମିତି ! ଆଜି ପରା ଏକାଦଶୀ l ରାତି ଚାରିଟାରୁ ଉଠି ନିତ୍ୟକର୍ମ ସାରି ଠାକୁରଙ୍କୁ ସ୍ନାନ କରlଇ, ଭୋଗ, ଧୂପ, ଆଳତି ଆଦି ନିତ୍ୟସେବା ସମାପନ କରିବା ପରେ ଭାଗବତରୁ ଦୁଇ ଅଧ୍ୟାୟ, ଗୀତା ପୂରା ଅଷ୍ଟାଦଶ ଅଧ୍ୟାୟ ତା ସହିତ ବିଷ୍ଣୁ ସହସ୍ର ନାମ, ଶ୍ରୀ ହନୁମାନ ଚାଳିଶା, ଏତକ ନ ସାରିଲେ ସୁଜାତା ଦେବୀ ଠାକୁର ଘରୁ ବାହାରି ପାରନ୍ତିନି l ଏହି ସବୁ ସାରି ଶଙ୍ଖ ଫୁଙ୍କିଲା ବେଳକୁ ହଠାତ ମୁଣ୍ଡଟା କାହିଁକି ବୁଲେଇ ଦେଲା l ଚାରି ଆଡ ଅନ୍ଧାର ଦିଶିଲା l ଲତ କିନା ବସିପଡିଲେ ପୁଣି ଥରେ ସେଇଠି, ସେଇ ଠାକୁରଘରେ l

    ମନ ଟା ଗୋଳେଇ ଘାଣ୍ଟି ହେଲା l ସ୍ୱାମୀଙ୍କ ଆରପାରିକୁ ଯିବା ଆଜିକୁ ତିନି ବର୍ଷରୁ ଉର୍ଦ୍ଧ୍ବ ହେଇ ଗଲାଣି l ଏମିତି ଗୋଟିଏ ଦିନ ନାହିଁ ସେ ତାଙ୍କୁ ମନେ ନ ପକାଇ ରହିଛନ୍ତି l ପ୍ରତିକ୍ଷଣ, ପ୍ରତି ମୁହୂର୍ତ୍ତ ସେ ତାଙ୍କୁ ଖୋଜିଛନ୍ତି l ଏକଥା ବି ଅନୁଭବ କରିଛନ୍ତି ଯେମିତି ତାଙ୍କୁ ନିଃସଙ୍ଗ କରି ସେ କୁଆଡେ ବି ଯାଇ ନାହାନ୍ତି l ସଦା ସର୍ବଦା ତାଙ୍କର ସୂକ୍ଷ୍ମ ଉପସ୍ଥିତିକୁ ସେ ଅନୁଭବ କରି ପାରନ୍ତି l ସେହି ଗୋଟିଏ କାରଣରୁ ସେ ବଞ୍ଚିଛନ୍ତି l ନିଜ ଚାକିରି ସମ୍ଭାଳି ଗୋଟିଏ ବୋଲି ପୁଅର ସମସ୍ତ କଥା ବି ବୁଝି ପାରୁଛନ୍ତି l ଏତେ ବଡ ଘରଟା ରେ କେବେ ଏକା ବୋଲି ଅନୁଭବ କରି ନାହାନ୍ତି କି ଡରି ବି ଯାଇ ନାହାନ୍ତି l ନିଜର ପାରୁ ପର୍ଯ୍ୟନ୍ତ ପୁଅର ସବୁକଥା ବୁଝିବାକୁ ଚେଷ୍ଟା କରିଛନ୍ତି ସୁଜାତା ଦେବୀ l ମନେ ମନେ ସ୍ୱାମୀଙ୍କୁ ଅନେକ ଗାଳି ଦିଅନ୍ତି l କିପରି ଏତେ ସବୁ ଦାୟିତ୍ୱ ଦେଇ ଚାଲି ଗଲେ ବୋଲି l ପୁଅଟା ପୂରା ତା ବାପାଙ୍କ ପରି ଦାୟିତ୍ୱବାନ l ସବୁ କଥା ତା'ର ଏତେ ଠିକ ଲାଗେ, ଯେମିତି ଅଶୀ ବୟସର ବୁଢ଼ା ଲୋକର କଥା ପରି l ସାଗର ଏବେ ଚେନ୍ନାଇ ରେ ଗୋଟିଏ ମଲ୍ଟି ନ୍ୟାସନାଲ କମ୍ପାନୀ ରେ ସି.ଏ. ଭାବେ କାର୍ଯ୍ୟରତ l ଆହୁରି ପଢିବାକୁ ଇଚ୍ଛା ଥିଲା ତାର, ହେଲେ ସୁଜାତା ଦେବୀ ପାରିଲେ ତ l ତେଣୁ ଚାଟାର୍ଡ କରି ସାରିବା ପରେ ଚାକିରି ଟେ ଯୋଗାଡ଼ କଲା l ଖୁବ କମ କଷ୍ଟରେ ଭଲ କମ୍ପାନୀ ଟେ ପାଇଗଲା l ବିବାହ ବୟସ ହେଇ ଗଲାଣି, ହେଲେ କାହାରି କଥା ଶୁଣୁନି l

ଏକା ଜିଦ ବାହା ହେବନି l କହିଲା, "ମୋ ସ୍ତ୍ରୀ ଯଦି ତୁମକୁ ସମ୍ମାନ ନ କରେ, ଆଦର ନ କରେ, ମୁଁ ସହି ପାରିବିନି l"

   ଏଇ କାଳିଆ ଠାକୁର ଗୁହାରି ଶୁଣିଲେ l ଦିନେ ସେ ନିଜେ ଗୋଟିଏ ଝିଅକୁ ପସନ୍ଦ କରି ତାଙ୍କ ସହ ଇନଟ୍ରଡ୍ୟୁସ କରେଇଲା ଅନଲାଇନରେ l ଖୁସିରେ ଆତ୍ମହରା ହେଇଗଲେ ସେ l ପୁଅ ର ପସନ୍ଦ ଜାଣି ଆଖି ବୁଜି ସେଇ ଝିଅକୁ ସଙ୍ଗେ ସଙ୍ଗେ ବୋହୂ କରିଆଣିଲେ l ଏକୁଟିଆ ଲୋକ l ପୁଅ ର ବି ଛୁଟି ନାହିଁ l ଛୁଟିକୁ ଅପେକ୍ଷା କଲେ କାଳେ ପୁଅ ର ମନ ବଦଳିଯିବ ଭାବି ସେଇ ସଙ୍ଗେ ସଙ୍ଗେ ବସିବା ଜାଗାରୁ ଉଠି ମନ୍ଦିର ରେ ବାହାଘର ସାରିଦେଲେ l ସାହିପଡିଶା ଭୋଜି ତ ଖାଇଲେ, ହେଲେ ପଛରେ ଦୁଇ ପଦ ୟାଡୁ ସ୍ୟାଡୁ ଆଲୋଚନା କରିବା ଛାଡି ନ ଥିଲେ l ସ୍ୱାମୀ ନ ଥିଲେ, ଘର ର ମୁରବି ନ ଥିଲେ ଲୋକେ ସାହସ ପାଇ ଯାଆନ୍ତି କି କଣ ! 

   " ଅନଲାଇନରୁ ବୋହୂ, ପୁଅ ହେଇଚି ବାହା, ନା ଦେଖା, ନା ଚାହାଁ l"ସେସବୁ କୁ ଖାତିର ନ କରି ଆଠ ଦିନ ର ବାହାଘରକୁ ପାଞ୍ଚ ଦିନରେ ସାରି ପୁଅବୋହୂ ଙ୍କୁ ଚାକିରିକୁ ପଠେଇ ଦେଲେ l କିଛି ଦିନ ଯାଇଛି କି ନାହିଁ ହଠାତ ତାଙ୍କ ଦେହ ଭୀଷଣ ଅସୁସ୍ଥ ହେଇ ପଡିଲା l ଏ ଅବସ୍ଥା ରେ ଘରେ ଏକା ରହିବା ତାଙ୍କ ପୁଅକୁ କଷ୍ଟ ଦେଲା l ସେ ପୁଣି ଇଣ୍ଟରଭିଉ ଦେଲା, ନିଉ କମ୍ପାନୀ ଚୋଜ କଲା, ଯେଉଁଠି ୱାର୍କ ଫ୍ରମ ହୋମ ର ଅପସନ ରହିଛି l ପୁଅ ବି ଖୁସ, ସେ ବି ମନେ ମନେ ଆନନ୍ଦିତ l

       ଯେଉଁ ଦିନ ଏୟାରପୋର୍ଟରୁ ପୁଅ ଗାଡିରେ ଆସି ଘର ଗେଟ ସାମ୍ନାରେ ଓହ୍ଲାଇଲା ବୋହୂ ତାଙ୍କ ହାଫ ପ୍ୟାଣ୍ଟ ଓ ଟି ସାର୍ଟରେ ପୁରା କଣ୍ଢେଇଟେ ପରି ଲାଗୁ ଥିଲା l ପୁଅ ବୋହୂ ଘର ଭିତରେ ପଶିଲେ, ପଡୋଶୀ ମାନେ ଏମିତି ଦେଖୁଥିଲେ ସତେ କି ସପ୍ତାଶ୍ଚର୍ଯ୍ୟ ! ବୁଝିବାକୁ ବେଶି ସମୟ ଲାଗି ନ ଥିଲା ଯେ ସେମାନେ ତାଙ୍କ ବୋହୂକୁ ହିଁ ଦେଖୁ ଥିଲେ l ପିଲା ଲୋକ ସେ l ଶାଶୁ ଘର କଣ ସେ କଣ ବା ବୁଝେ l କେବେ କେବେ ପଡିଶା ଙ୍କ ନଜର ଝରକା ଫାଙ୍କ ଦେଇ ତାଙ୍କ ବୋହୂ ର ପୋଷାକ କୁ ମାପିବା ପରି ମନେ ହୁଏ l ସେଥିକୁ ତାଙ୍କର ଖାତର ନ ଥାଏ l କାରଣ ସାଗର ତା ବାପାଙ୍କୁ ହରେଇଚି l ତା ମନ ରେ କଷ୍ଟ ସେ କେବେ ବି ଦେଇ ପାରିବେନି l ତା ଛଡା ତାଙ୍କ ବୋହୂ ଛୋଟ ହେଉ ପଛେ ଡ୍ରେସ ପିନ୍ଧିଛି, କିଛି ନ ପିନ୍ଧିକି ତ ବୁଲୁନି l

     ଅନେକ ଦିନ ବାହାରେ ରହି ରହି ଘରକୁ ଆସିଛି, ସାଗରର ଇଚ୍ଛା ତା ମା' ହାତ ରନ୍ଧା ଖାଇବ l ସୁଜାତା ଦେବୀ ଯାହା ଟିକିଏ ଛୁଙ୍କ ପକେଇ ଦେଲେ ତା'ପାଟିକୁ ସେଇଟା ଅମୃତ l ବୋହୂଟା ଭାରି ଗେହ୍ଲେଇ l ଏବେ ଠୁ ରୋଷେଇ ଘରେ କାମ ଲଦି ଦେବାକୁ ତାଙ୍କର ଜମା ଇଚ୍ଛା ନାହିଁ l

     ସାଗରର ୱାର୍କ ଫ୍ରମ ହୋମରେ ସେ ରାତି ଗୋଟାଏ /ଦୁଇଟା ଯାଏଁ କାମ କରେ ଆଉ ସକାଳେ ଉଠିବ ଦଶଟା ପରେ l ବୋହୂକୁ କେମିତି କହିବେ ଶୀଘ୍ର ଉଠିଯା ବୋଲି l ଜୀବନ ସାରା ପଡିଛି l ଯେବେ ବୁଝି ଯିବ ତା ସୁବିଧା ରେ ସେ ସବୁ କରିବ, ସେ ଭରସା ତାଙ୍କର ରହିଛି l ତଥାପି ପାଖ ପଡୋଶୀଙ୍କ ପାଟିରେ ତ ବାଡ଼ ଦେଇ ହେବନି l

    ନିଆଁ ଲଗା ମୁଣ୍ଡଟା ଏଇ ବେଳକୁ ବୁଲେଇବା ର ଥିଲା l ସେମାନଙ୍କର ନିଦରୁ ଉଠିବା ସମୟ ହେଇଗଲାଣି l କିଛି ବି ଜଳଖିଆ ଆଜି ତିଆରି କରି ନାହାନ୍ତି ସେ l କଣ ଯେ କରିବେ ! ଏପଟେ ଦେହ ଖୋଜୁଛି ଟିକିଏ ଆରାମ ଆଉ ଗୋଟେ ଗ୍ଲାସ ପାଣି l କିଏ ବା ଦେବ ! ସେ ଭାଗ୍ୟ ତ ସରି ଯାଇଛି ଯେଉଁ ଦିନ ସାଗର ର ବାପା ତାଙ୍କୁ ଛାଡି ଚାଲି ଯାଇଛନ୍ତି l ସେ ଥିବା ବେଳେ ତାଙ୍କ ପୂଜା ସରିବl ମାତ୍ରେ ତାଙ୍କୁ ଗୋଟେ ଗ୍ଲାସ ପାଣି ସହିତ ବଢିଆ ସ୍ପେସିଆଲ ଚା କପଟେ ନିଜେ ତିଆରି କରି ପିଇବାକୁ ଦେଉଥିଲେ l ସୁଜାତା ଦେବୀ ନ ଖାଇବା ଯାଏଁ ତାଙ୍କ ପାଟିକୁ ଦାନା ଟିଏ ବି ନେଉ ନ ଥିଲେ ସେ l ଏମିତି ସ୍ୱାମୀ ଭାଗ୍ୟ ରେ ଥିଲେ ମିଳନ୍ତି l ନଖ କାଟୁ କାଟୁ ଆଙ୍ଗୁଳି କାଟି ପକାନ୍ତି ବୋଲି ସାଗରର ବାପା ନିଜେ ତାଙ୍କ ନଖ କାଟି ଦେଉ ଥିଲେ l କେତେ ଯତ୍ନରେ ରଖିଥିଲେ ତାଙ୍କୁ, ଯେମିତି କେହି ଠାକୁର l ଏକା କରି ଦେଇ କେମିତି ଚାଲିଗଲେ ସେ... ! ଏବେ ହେଲେ ସାଙ୍ଗରେ ନେଇ ଯାଆନ୍ତେ l ଦିନୁ ଦିନ ଦୁଃଖ ଅସହ୍ୟ ହେଲାଣି l ଆଖିରେ ଲୁହର ଶ୍ରାବଣ l

    କାହାର ମାଆ ଡାକ ରେ ଲୁହ ପୋଛି ପଛକୁ ଚାହିଁ ଦେଖନ୍ତି ତ ତାଙ୍କ ଅଲିଅଳି ବୋହୂ ହାତରେ ପାଣି ଗ୍ଲାସ ଟେ ଧରି ଛିଡା ହେଇଛି ଆଉ କହୁଛି "ନିଅନ୍ତୁ ମାଆ, ମୋ ହାତର ସ୍ପେସିଆଲ ଚା ଆପଣଙ୍କୁ ଅପେକ୍ଷା କରିଛି, ତା ପଛକୁ ଚକୁଳି lମୁଁ ଜାଣେ ଆପଣ ଓଲଟା କରନ୍ତି ଆଗ ପିଅନ୍ତି ତାପରେ ଖାଆନ୍ତି l" ଦୁଇ ଧାର ଆନନ୍ଦlଶ୍ରୁ ରୋକି ପାରି ନାହାନ୍ତି ସୁଜାତା ଦେବୀ, କୋଳେଇ ନେଇଛନ୍ତି ତାକୁ l ମନେ ମନେ ସାଗରର ବାପାଙ୍କୁ କହିଛନ୍ତି ଦେଖ ଆମ ପୁଅ ର ଅନଲାଇନ ବୋହୂ କୁ l


Rate this content
Log in

Similar oriya story from Inspirational