Trushna Das

Abstract Tragedy Inspirational

3  

Trushna Das

Abstract Tragedy Inspirational

ପରିଚୟ

ପରିଚୟ

5 mins
381



ଜୀବନ ଯାତ୍ରା କେବେ ଅଟକି ଯାଏ ନାହିଁ। ସେ ସମୟ ଅନୁସାରେ ଗତି କରି ଚାଲିଥାଏ। କେତେ ନୂଆ ଲୋକ ସହ ଏ ଯାତ୍ରାରେ ଦେଖା ହୁଏ। କିଏ ସବୁଦିନ ପାଇଁ ସାଥୀ ହୁଏ ତ କିଏ କିଛି ଦିନ ପାଇଁ। ହେଲେ କାହାରି ପାଇଁ ସମୟ କି ଜୀବନ ଅଟକି ନାହିଁ। ଜୀବନରେ ସେ ହିଁ ସଫଳ ହୋଇଛି ଯିଏ ସମୟ ବାକି ଅଛି କହି ଚୁପ ଚାପ୍ ନ ବସି ନିଜ କର୍ମ ନିଷ୍ଠାର ସହ କରି ଚାଲିଛି। ଏମିତି ଏକ କାହାଣୀ ହେଉଛି ମାଳାଙ୍କର।

ମାଳା ଗୋଟିଏ ଗାଉଁଲି ଝିଅ। ହେଲେ ପାଠରେ ପୁରା ପୁରି ମେଧାବୀ ଛାତ୍ରୀ ଥିଲେ। ତାଙ୍କ ବାପା ରଘୁ ଜଣେ ଗରିବ କୃଷକ।ବହୁତ ଋଣରେ ବୁଡି ରହିଥିଲେ। ପୁଅ ଚକରରେ ଚାରି ଝିଅ ବୀଣା, ମାଳା, ରୋମା, ସିଲା ଯଥାକ୍ରମେ ।ଛୋଟ ବେଳୁ ବଡ ଝିଅ ବୀଣାକୁ ବିବାହ କରି ଦେଇଥିଲେ ରଘୁ। ତାପରେ ପାଳି ହେଉଛି ମାଳାର। ମାଳା +2 ପରେ ଆଗକୁ ପଢିବା ପାଇଁ ଚାହୁଁ ଥିଲେ। ହେଲେ ପଇସା ନ ଥିବାରୁ ସେ ଆଉ ପଢି ପାରିଲେ ନାହିଁ। ସେପଟେ ରଘୁ ତାଙ୍କ ପାଇଁ ପୁଅ ଖୋଜିବାରେ ଲାଗିଲେ। କାରଣ ମାଳାଙ୍କ ତଳେ ଆହୁରି ଦୁଇ ଝିଅ। ମାଳା କିନ୍ତୁ ବିବାହ ପାଇଁ ରାଜି ହେଉ ନ ଥିଲେ କାରଣ ସେ ନିଜେ ଦେଖୁଛନ୍ତି ଯେ ତାଙ୍କ ଭିଣେଇ ମଦ ପିଇ କେମିତି ତାଙ୍କ ବଡ ଭଉଣୀ ବୀଣାକୁ ପିଟୁଛନ୍ତି। ହେଲେ ବାପା ମାଆଙ୍କ ଜିଦ ପାଖରେ ସେ ହାର ମାନି ବିବାହ ପାଇଁ ରାଜି ହୋଇଛନ୍ତି। କାରଣ ତାଙ୍କ ପାଇଁ ଯେଉଁ ପ୍ରସ୍ତାବ ପଡିଛି ସେଇ ପିଲା ( ସିପୁନ ) ଗୋଟିଏ ଧନୀ ଘରର ସାନ ପୁଅ ଆଉ ବ୍ୟବସାୟ ବି କରିଛନ୍ତି । ରଘୁ ଭାବିଲେ ଦରକାର ପଡିଲେ ସିପନୁ ତାଙ୍କୁ ଆର୍ଥିକ ସହାୟତା କରିବେ। ହେଲେ ସେ ଭାବି ପାରିଲେ ନାହିଁ ଯେ ସିପୁନ ଏମିତି ଗୋଟିଏ ଗରିବ ଘରୁ ବିବାହ ପାଇଁ କାହିଁକି ରାଜି ହୋଇଛନ୍ତି। 

ବାପାମାଆଙ୍କ ଜିଦ ପାଇଁ ମାଳା ବିବାହ କରି ନୂଆ ଜୀବନର ଯାତ୍ରା ଆରମ୍ଭ କଲେ। ମାଳା ଗାଉଁଲି ବୋଲି ସିପୁନ ତାଙ୍କ ସହ ଭଲରେ କଥା ହେଉନଥିଲେ। ସବୁବେଳେ ତାଙ୍କୁ ରାଗି ହେଉଥିଲେ। ମାଳାଙ୍କୁ ସବୁଠାରୁ ବେଶୀ କଷ୍ଟ ସେତେବେଳେ ହୋଇଥିଲା ଯେତେବେଳେ ସେ ସିପୁନର ପ୍ରକୃତ ରୂପ ଦେଖିଲେ। ଘରେ ସେଦିନ ଦ୍ୱିପହର ସମୟରେ ମାଳା, ସିପୁନ, ଆଉ ସିପୁନଙ୍କ ବଡ ଭାଉଜ ରୁଚି, ବାକି ସବୁ ବାହାରକୁ ଯାଇ ଥିଲେ। ମାଳା ହଠାତ୍ ଦେଖିଲେ ଯେ ସିପୁନ ରୁଚିଙ୍କ ରୁମରେ ପଶିଲେ।ବାହାର ପଟୁ ମାଳା ଦୁହିଁଙ୍କ କଥା ଖାଲି ଶୁଣି ପାରୁଥିଲେ। କଥା ଶୁଣି ସେ ପୁରା ଭାଙ୍ଗି ପଡିଥିଲେ। କାରଣ ସେ ଜାଣିବାକୁ ପାଇଲେ ଯେ ସିପୁନ ଆଉ ଭାଉଜ ରୁଚିଙ୍କ ଅବୈଧ ସମ୍ପର୍କ ଥିଲା। ଦୁନିଆ ସାମ୍ନାରେ ଦିଅର ଭାଉଜ, କିନ୍ତୁ ଏକୁଟିଆ ଥିବା ସମୟରେ ଦୁହେଁ ସହବାସ କରନ୍ତି। ଆଉ ମାଳା ଗାଉଁଲି ଆଉ ମୂର୍ଖ ଭାବି ସେ ଏ ବିବାହ କରିଛନ୍ତି। ସେଦିନ ସିପୁନ ଆଉ ତାଙ୍କ ଭାଉଜ ପରସ୍ପର ସହବାସ କରିଛନ୍ତି। ମାଳାଙ୍କୁ ଲାଗିଲା ଯେମିତି ତାଙ୍କର ଜୀବନ ଯାତ୍ରା ସେଇଠି ଅଟକି ଗଲା। ସେ ଏହାର ପ୍ରତିବାଦ କରି ଥିଲେ ଆଉ ବୁଝି ସାରିଥିଲେ ଯେ କଣ ପାଇଁ ସିପୁନ ତାଙ୍କ ସହ ଏବେ ଯାଏଁ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖି ନାହାଁନ୍ତି। 

ହେଲେ ସିପୁନ ଓଲଟା ମାଳାଙ୍କ ମୁହଁ ବନ୍ଦ କରିବାକୁ ଯାଇ ତାଙ୍କ ସହ ଜବରଦସ୍ତି କରିଛନ୍ତି ।ତାଙ୍କ ଅନିଚ୍ଛା ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିଛନ୍ତି। ଘରେ ରୁଚି ଛଡା ଆଉ କେହି ନ ଥିଲେ। ମାଳା ଅସହାୟ ହୋଇ ସିପୁନଙ୍କର ଜବରଦସ୍ତିର ଶୀକାର ହୋଇଛନ୍ତି। ଘର ଲୋକଙ୍କର ପନ୍ଦର ଦିନ ପରେ ଆସିବା ଥାଏ। ବିଚାରି କିଛି କହି ନ ପାରି ସବୁ ସହିଛନ୍ତି। ଘର ଲୋକ ଆସିବା ଆଗ ଦିନ ରାତିରେ ସିପୁନ ଆଉ ରୁଚି ମିଶି ମାଆଙ୍କ ଗହଣା ସବୁ ଚୋରି କରି ନେଇ ମାଳାଙ୍କ ବ୍ୟାଗରେ ରଖିଦେଲେ ଏବଂ ସମସ୍ତେ ଫେରିଲା ପରେ ମାଳା ଚୋରଣୀ ବୋଲି ପ୍ରମାଣିତ ହେଲେ।ଗରିବ ଘରର ଝିଅମାନଙ୍କର ଏମିତି ସବୁ ଯାତ୍ରା କହି ମାଳାଙ୍କୁ ଘରୁ ବାହାର କରିଦିଆଗଲା। ମାଳାଙ୍କୁ ଆଉ ସିପୁନ ଓ ରୁଚିଙ୍କ ସମ୍ପର୍କ ବିଷୟରେ କହିବାର ସୁଯୋଗ ମିଳି ନ ଥିଲା। ମାଳାଙ୍କ ବାପଘର ଲୋକ ଜାଣିଥିଲେ ଯେ ସେ ଏମିତି କେବେ କରି ପାରିବେ ନାହିଁ। ମାଳାଙ୍କ ବାପା ମାଆ ଯାଇ ଶାଶୁ ଶଶୁରଙ୍କୁ ବୁଝାଇଲେ ହେଲେ ସେମାନେ ବୁଝିଲେ ନାହିଁ। ଗରିବ ଲୋକ କୋର୍ଟ ଯିବାର ସାମର୍ଥ୍ୟ ନ ଥାଏ କି ସେତିକି ବୁଦ୍ଧି ବି ନ ଥିଲା। ରୋମାର ବିବାହ ଇତି ମଧ୍ୟରେ ଠିକ ହୋଇ ସାରି ଥାଏ। ମାଳାଙ୍କ ମାଆ ମାଳାଙ୍କୁ ବିବାହ କାର୍ଯ୍ୟରୁ ଦୂରରେ ରହିବାକୁ କହିଛନ୍ତି। ଯେତେ ବନ୍ଧୁ ବାନ୍ଧବ ଆସୁଛନ୍ତି ସେମାନେ ମାଳାଙ୍କୁ ନେଇ ନାନା ପ୍ରକାର ଟିପ୍ପଣୀ କରିବା ଆରମ୍ଭ କରିଛନ୍ତି। ମାଳା ଆଗରୁ ବି ଘରେ ସବୁ କହିଛନ୍ତି ହେଲେ ତାଙ୍କ ସପକ୍ଷରେ କେହି ଛିଡା ହୋଇ ନାହାଁନ୍ତି ତ ବନ୍ଧୁ ବାନ୍ଧବ ବା କଣ ବୁଝିବେ। ସେଇଠି ବଡ ଭଉଣୀ ବୀଣାଙ୍କୁ ପୁରା ସମ୍ମାନ ମିଳୁଥିବା ବେଳେ ମାଳାଙ୍କୁ ଅପରିଚିତ ଭାବରେ ସବୁ ବ୍ୟବହାର କରିଛନ୍ତି। ଯେମିତି ଏ ସବୁ ମାଳାଙ୍କର ଭୂଲ। ମାଳାଙ୍କୁ ଲାଗିଲା ବିବାହ ପରେ ବୋଧେ ଗୋଟିଏ ସ୍ତ୍ରୀର ତା ସ୍ୱାମୀ ବିନା କୌଣସି ପରିଚୟ କି ସମ୍ମାନ ନ ଥାଏ। ରୋମାର ବାହାଘର ଦିନ ସକାଳୁ ମାଳା ଜାଣିଲେ ଯେ ସେ ମାଆ ହେବାକୁ ଯାଉଛନ୍ତି। ଖୁସି ହେବେ ନା ଦୁଃଖ କରିବେ କିଛି ବୁଝି ପାରୁ ନ ଥିଲେ। ଜୀବନର ତ ବହୁତ ସମୟ ବାକି ଅଛି। କିପରି ସେ ନିଜକୁ ଆଉ ନିଜ ଛୁଆକୁ ସମ୍ଭାଳି ପାରିବେ..... ଏମିତି ଭାବୁ ଥିବା ସମୟରେ ମାଳାଙ୍କ ମାଆ ତାଙ୍କୁ ବୁଝାଇଛନ୍ତି ଯେ ଏବେ ତୋର ସମୟ ଖରାପ ଚାଲିଛି ହେଲେ ସରି ନାହିଁ। ଆହୁରି ସମୟ ବାକି ଅଛି ତୋ ଜୀବନର। ଦେଖିବୁ କାଲି ତୋର ଭଲ ସମୟ ନିଶ୍ଚିତ ଆସିବ। 

ରୋମାର ବାହାଘର ପରେ ମାଳାଙ୍କ ବାପା ଏ ଖବର ସିପୁନଙ୍କ ପରିବାରକୁ ଦେଲେ। ହେଲେ ସେମାନେ ସେ ଛୁଆକୁ ଆପଣାଇବା ବଦଳରେ ଦୋଷ ଦେଇ କହିଲେ ଯେ ଏ ଛୁଆ ତାଙ୍କର ନୁହେଁ। ମାଳା ପର ପୁରୁଷ ସହ ଖରାପ ସମ୍ପର୍କ ରଖିଥିବ। ଏ କଥା ମାଳାଙ୍କୁ ଧୈର୍ଯ୍ୟ ଭାଙ୍ଗିଦେଲା। ତାପରେ ଘରେ ଯେମିତି ଆର୍ଥିକ ପରିସ୍ଥିତି , ଏକରେ ତ ନିଜେ ବାପା ମାଆଙ୍କ ଉପରେ ବୋଝ ପୁଣି ତାଙ୍କ ଛୁଆର ବୋଝ କିଏ ନେବ? ଛୁଆର ବାପା ତ ନିଜର ପରିଚୟ ଦେବା ପାଇଁ ଚାହୁଁ ନାହିଁ ଏ ସବୁ ମାଳାଙ୍କୁ ଯନ୍ତ୍ରଣା ଦେଉ ଥାଏ। ତାପରେ ଗାଁ ଲୋକମାନଙ୍କ, ବନ୍ଧୁ ବାନ୍ଧବଙ୍କ କଟୁ ତିକ୍ତ ଭରା କଥା ଆଉ ସହି ପାରିଲେ ନାହିଁ। 

ଶେଷରେ ମାଳା ପଥର ସାଜିଗଲେ। ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ସ୍ଥିର କଲେ। କାରଣ ଜୀବନ ଯାତ୍ରା ବହୁତ ଲମ୍ବା ଅଛି, ବହୁତ ସମୟ ବାକି ଅଛି। ନୂତନ ପରିଚୟ ସୃଷ୍ଟି କରି ପାରିଲେ ତାଙ୍କ ଉପରେ ଲାଗି ଥିବା ଦୋଷ ସବୁ ଭୂଲ ପ୍ରମାଣିତ ହେବ। ଗର୍ଭପାତ କରିବାର ନିଷ୍ପତ୍ତି ନେଲେ। ଏ କଥାରେ ରଘୁ ରାଜି ହେଉନଥିଲେ। ବହୁତ କହି ସେ ଘରେ ରାଜି କରାଇଲେ କାରଣ ଛୁଆର ବାପ ତ ରାଜି ନୁହେଁ ତାକୁ ଗ୍ରହଣ କରିବାକୁ ଆଉ କଣ ସମାଜରେ ତାକୁ ମୁଁ ଖରାପ ଦୃଷ୍ଟିରେ ଏ ଦୁନିଆକୁ ଆଣିବି କହିଲେ। ଗର୍ଭପାତ ହୋଇଗଲା ମାଳାଙ୍କର। 

ମାଳା ଆଉ ପଢିବେ ବୋଲି କହିଲେ। ସେ କହିଲେ ଯେ ନିଜ ଜୀବନର ନୂଆ ଯାତ୍ରା ନୂତନ ପରିଚୟ ଆରମ୍ଭ କରିବେ। ରଘୁ କିନ୍ତୁ ରାଜି ନଥିଲେ। ସେ କହୁଥିଲେ ଯେ ସିପୁନ ଯଦି ଚାହିଁବେ ତେବେ ତୁ ତାଙ୍କ ପାଖକୁ ଯିବୁ ନ ହେଲେ ତାଙ୍କୁ ମୁଁ ଅନୁରୋଧ କରିବି ଡିଭର୍ସ ପାଇଁ। ଡିଭର୍ସ ପରେ ତୋର ଆଉ ଥରେ ବିବାହ କରି ଦେବି।ତୋର ଜୀବନର ବହୁତ ସମୟ ବାକି ଅଛି। 

ହେଲେ ମାଳା ବାପାଙ୍କ ପ୍ରସ୍ତାବରେ ରାଜି ନ ହେବାରୁ ତାଙ୍କୁ ଘର ଛାଡ଼ିବାକୁ ପଡିଲା। ଶେଷରେ ସେ ସହରକୁ ଯାଇ ସାଙ୍ଗଠାରୁ ଋଣ ନେଇ +3 ପଢିବା ଆରମ୍ଭ କଲେ। ତା ସାଙ୍ଗକୁ ସ୍କୁଲ ପିଲାମାନଙ୍କୁ ଟିଉସନ କରି ଟଙ୍କା ରୋଜଗାର କଲେ। +3 ସରୁ ସରୁ ଓଏଏସ୍ ପରୀକ୍ଷା ଦେଇ ସେ ଉତ୍ତୀର୍ଣ୍ଣ ହେଲେ ଏବଂ ସବ-କଲେକ୍ଟର ଭାବରେ ନିଯୁକ୍ତି ପାଇଲେ। ଜୀବନ ଯାତ୍ରାରେ ନିଜର ନୂତନ ପରିଚୟ ସୃଷ୍ଟି କଲେ। 

ଏ ଖବର ସିପୁନ ଜାଣିବାକୁ ପାଇଲେ।ବିଶ୍ୱାସ କରି ପାରିଲେ ନାହିଁ ଯେ ମାଳା ଭଳି ଗୋଟିଏ ଗାଉଁଲି ଝିଅ ପୁଣି ସବ-କଲେକ୍ଟର ହୋଇ ପାରିଲେ। ଏବେ ତାଙ୍କୁ ମନେ ପଡିଗଲା ସେ ମାଳାଙ୍କ ସ୍ୱାମୀ ବୋଲି। ରଘୁଙ୍କୁ ଧରି ସିପୁନ ଆସି ପହଞ୍ଚିଗଲେ ମାଳାଙ୍କ ପାଖରେ ସ୍ୱାମୀର ପରିଚୟ ନେଇ। ମାଳାଙ୍କୁ ସିପୁନ ଆଉ ରଘୁ ବହୁତ ବୁଝାଇବାକୁ ଚେଷ୍ଟା କରି ବିଫଳ ହେଲେ।

ମାଳା କହିଲେ ସମୟ ସ୍ରୋତରେ ସେ ବହୁତ ଦୂରକୁ ଆଗେଇ ଯାଇଛନ୍ତି। ଆଉ ସ୍ୱାମୀ ସ୍ତ୍ରୀ ର ସେଇ ସମ୍ପର୍କ ମିଛ ଥିଲା। ଯଦି ସତ ଥିଲା ଆଜି ତାଙ୍କୁ ଗର୍ଭପାତ କରିବାକୁ ପଡି ନ ଥାଆନ୍ତା। ଆଜି ଆଉ ସେ ଶ୍ରୀମତୀ ମାଳା ସିପୁନ ନୁହଁନ୍ତି। ଦିନେ ଦୁଇଦିନ ଭିତରେ ଡିଭର୍ସ ନୋଟିସ ପହଞ୍ଚି ଯିବ। ତାଙ୍କ ଜୀବନର ନୂତନ ଯାତ୍ରା ଆରମ୍ଭ ହୋଇଛି।ଏବେ ତାଙ୍କର ପରିଚୟ ହେଉଛି ସବ-କଲେକ୍ଟର ମାଳା। 

ଠିକ୍ ଏତିକିବେଳେ ରୁଚିଙ୍କ ଫୋନ ସିପୁନଙ୍କ ପାଖକୁ ଆସିଲା ଯେ କୋର୍ଟରୁ ମାଳା କିଛି ନୋଟିସ ପଠାଇଛନ୍ତି ବୋଲି। 

ରଘୁ ଆଉ ସିପୁନ ନିରାଶ ହୋଇ ଫେରିଲେ। 

ଏବେ ମାଳା ନିଜ କାମରେ ବ୍ୟସ୍ତ। ଆଉ ବନ୍ଧୁ ବାନ୍ଧବଙ୍କ ଘରକୁ ଯାଆନ୍ତି ନାହିଁ। ମଝିରେ ମଝିରେ ବାପା ମାଆଙ୍କ ପାଖକୁ ଯାଆନ୍ତି। 

ଚାକିରୀ ପାଇବାର ଦୁଇ ବର୍ଷ ବି ହୋଇ ନାହିଁ ସେହି ଜିଲ୍ଲାର କଲେକ୍ଟର ମାଳାଙ୍କ ପାଇଁ ବିବାହ ପ୍ରସ୍ତାବ ଦେଲେ। ମିଳାଙ୍କ ବିବାହ କଲେକ୍ଟରଙ୍କ ସହ ଧୁମ୍ ଧାମରେ ହେଲା। ଏବେ ମାଳା ଶାଶୁ ଶଶୁର ସ୍ୱାମୀ ଆଉ ନିଜ ଚାକିରୀକୁ ନେଇ ବହୁତ ଖୁସିରେ ଅଛନ୍ତି। ତାଙ୍କ ଘରକୁ ଗୋଟିଏ କୁନି ଝିଅ ବି ଆସିଛି। 

ପ୍ରକୃତରେ ମାଳା ସମୟ ବାକି ଅଛି କହି ସମୟ ଅପେକ୍ଷାରେ ନ ରହି ଠିକ ସମୟରେ ନିଜକୁ କଠୋର କରି ଠିକ ନିଷ୍ପତ୍ତି ନେଇ ଜୀବନର ନୂତନ ଯାତ୍ରା ଆରମ୍ଭ କରିଥିବାରୁ ନୂତନ ପରିଚୟ ପାଇଲେ ଏବଂ ଆଜି ହସ ଖୁସିରେ ଦିନ କାଟୁଛନ୍ତି।


Rate this content
Log in

Similar oriya story from Abstract